Unknown

 

 

 

 

 

 

 

 

 

୧୩୧ତମ ସଂଖ୍ୟା କୋଣାର୍କ ୨୦୦୪

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ ବିଶେଷାଙ୍କ

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ନଭେମ୍ବର-ଜାନୁୟାରୀ ୨୦୦୪

 

ଐତିହାସିକ

ପ୍ୟାରୀମୋହନ ଆଚାର୍ଯ୍ୟ

ବିଶେଷାଙ୍କ

 

ଡକ୍ଟର ବିଜୟାନନ୍ଦ ସିଂହ

ସମ୍ପାଦକ

 

ଶ୍ରୀ ରାଜକିଶୋର ମିଶ୍ର

ପରିଚାଳନା ସମ୍ପାଦକ

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

 

କୋଣାର୍କ

୧୩୧ ତମ ସଂଖ୍ୟା

ନଭେମ୍ବର, ଡିସେମ୍ବର, ଜାନୁୟାରୀ

୨୦୦୪ ମସିହା

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ଵର - ୭୫୧୦୧୪

 

ମୁଦ୍ରାକର :

ଆନନ୍ଦ ପ୍ରିଣ୍ଟର୍ସ

ଚଣ୍ଡୀ ଛକ, କଟକ - ୭୫୩୦୦୧

 

ବିଶେଷ ସଂଖ୍ୟା ମୂଲ୍ୟ : ଟ.୬୦ଙ୍କା (ଷାଠିଏ ଟଙ୍କା ମାତ୍ର)

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ

ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ମତ ।

 

 

 

 

 

 

KONARK

A Quarterly Literary Journal

Published by

ORISSA SAHITYA AKADEMI

Sanskruti Bhavan, Bhubaneswar–751014

Special Issue Price : Rs.60.00 (Rupees Sixty only)

 

ସଂପାଦକୀୟ….

ନବଜାଗରଣର ପ୍ରବକ୍ତା ପ୍ୟାରୀମୋହନ ଆଚାର୍ଯ୍ୟ

 

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଶାରେ ଜାତୀୟ ଚିନ୍ତା, ଚେତନା କ୍ଷେତ୍ରରେ ସୃଷ୍ଟି ହେଲା ନୂତନ ବିପ୍ଳବ । ଜନଜୀବନରେ ଆଧୁନିକ ଭାବ ଓ ଶିକ୍ଷାର ପ୍ରଭାବରେ ଓଡ଼ିଆ ହୋଇଛନ୍ତି ଆତ୍ମସଚେତନ । ସାମଗ୍ରିକ ଭାବରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟର ସୁରକ୍ଷା ସହ ବିକାଶ ପାଇଁ ଆରମ୍ଭ ହେଲା ସଦର୍ପ ଅଭିଯାନ । ଭାଷାଭିତ୍ତିକ ପ୍ରଦେଶ ଗଠନର ସାଙ୍ଗଠନିକ କାର୍ଯ୍ୟକ୍ରମ ଏହାର ଅଂଶବିଶେଷ । ସମ୍ମିଳିତ ଚେଷ୍ଟାକୁ ରୂପାୟିତ କରିବା ପାଇଁ ଗଠିତ ହେଲା ବିଭିନ୍ନ ଅନୁଷ୍ଠାନ । ଅର୍ଥାତ୍ ଜାତୀୟ ସମସ୍ୟାର ସମାଧାନ ସହ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ହେଲା ଏହି ଅନୁଷ୍ଠାନଗୁଡ଼ିକର ପ୍ରମୁଖ କାର୍ଯ୍ୟକ୍ରମ । କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ଅର୍ଥାତ୍ ଊନ୍ନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ପରେ ନାନା ବିପର୍ଯ୍ୟୟ ଓ ସଂକଟ ମଧ୍ୟ ଦେଇ ଗତି କରୁଥିବା ଓଡ଼ିଶାରେ ମୁଷ୍ଟିମେୟ ସାହସୀ, ନିର୍ଭୀକ ଦେଶଭକ୍ତଙ୍କ ମଧ୍ୟରେ ଓଡ଼ିଆ ଜାତୀୟତାର ଉନ୍ମେଷ ଓ ଉତ୍ତରଣ ହୋଇଛି । ସେମାନେ ପ୍ରଦାନ କରିଛନ୍ତି ଏ ଜାତିକୁ ଆତ୍ମ ଜାଗୃତିର ବାର୍ତ୍ତା । ଓଡ଼ିଶାରେ ସୃଷ୍ଟି ହୋଇଛି ନବଜାଗରଣର ଆଦ୍ୟ ଝଙ୍କାର । ଓଡ଼ିଶାକୁ ଏହି ବିପର୍ଯ୍ୟୟ ଓ ସଂକଟ ମଧ୍ୟରୁ ରକ୍ଷା କରିବା ପାଇଁ ଅନେକ ଜାତିପ୍ରାଣ ବ୍ୟକ୍ତିବିଶେଷଙ୍କ ନେତୃତ୍ୱ ପ୍ରଦାନ କରିଛି ନୂତନ ଦିଗଦର୍ଶନ । ଏହି କ୍ଷେତ୍ରରେ ଉତ୍କଳମାତାର ସୁଯୋଗ୍ୟ ସନ୍ତାନ, ପରମ ଦେଶଭକ୍ତ, ମହାନ୍ ଜାତିପ୍ରେମୀ ପ୍ୟାରୀମୋହନ ଆଚାର୍ଯ୍ୟ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଥିଲେ ।

 

ପ୍ୟାରୀମୋହନ ଆଚାର୍ଯ୍ୟ ଓଡ଼ିଶା ଇତିହାସର ଏକ ବିସ୍ମୟକର ପ୍ରତିଭା । ଏକ ସଂକ୍ଷିପ୍ତ କାଳପାଇଁ ସେ ଆବିର୍ଭୂତ ହୋଇଥିଲେ । ତାଙ୍କର ଆୟୁଷ ମାତ୍ର ତିରିଶବର୍ଷ (୧୮୫୧-୧୮୮୧) । ସେହି ସମୟ ଥିଲା ଓଡ଼ିଶା ପାଇଁ ଅତୀବ ଶୋଚନୀୟ । ନାନା ପ୍ରତିକୂଳ ପରିସ୍ଥିତି ଭିତରେ ଗତି କରି ପ୍ୟାରୀମୋହନ ଉତ୍କଳରେ ଏକ ନୂତନ ପରମ୍ପରା ସୃଷ୍ଟି କଲେ । ସାଧାରଣ ମଣିଷ ଭାବରେ ଜନ୍ମ ହୋଇ ସେ ଅସାଧାରଣ କାର୍ଯ୍ୟ କରିଛନ୍ତି, ଯାହାର ପଟ୍ଟାନ୍ତର ନାହିଁ । ପ୍ୟାରୀମୋହନ ଥିଲେ ନିର୍ଭୀକ, ସତ୍ୟନିଷ୍ଠ, କର୍ମବୀର । ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଜାତିର ମାନବ କଲ୍ୟାଣ ପାଇଁ ସମର୍ପିତ । ପ୍ୟାରୀମୋହନଙ୍କ ସମଗ୍ର ଜୀବନ ସଂଗ୍ରାମମୟ ଓ ସଂଘର୍ଷପୂର୍ଣ୍ଣ । ସେ ପ୍ରାଣଦେଇ ଭଲପାଉଥିଲେ ଓଡ଼ିଆ ମାଟି ଓ ପାଣିପବନକୁ । ସମ୍ବାଦପତ୍ର ପ୍ରକାଶନ, ଇତିହାସ ପ୍ରଣୟନ, ଶିକ୍ଷାର ବିକାଶ, ସମାଜସେବା, ସାହିତ୍ୟର ଉନ୍ନତି, ଦେଶଭକ୍ତିରେ ଅପୂର୍ବ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ପ୍ୟାରୀମୋହନ । ବଳିଷ୍ଠ ବ୍ୟକ୍ତିତ୍ଵ, ପାଣ୍ଡିତ୍ୟ, କର୍ମନିଷ୍ଠା, ଆତ୍ମବିଶ୍ଵାସ, ନିର୍ଭୀକତା, ସର୍ବୋପରି ସତ୍ୟ ପ୍ରତି ଅନୁରକ୍ତି ପ୍ୟାରୀମୋହନଙ୍କ ଜୀବନର ବିଶେଷତ୍ୱ । ଚିନ୍ତା-ଚେତନାରେ, କର୍ମରେ, ବାକ୍ୟରେ ସେ ଥିଲେ ଅତ୍ୟନ୍ତ ଜାତିପ୍ରାଣ । ମାନବାତ୍ମାର ମୁକ୍ତି ପାଇଁ ପ୍ୟାରୀମୋହନ ଥିଲେ ସଦା ଜାଗ୍ରତ । ଯେଉଁଠି ମାନବୀୟ ଭାବଧାରାରେ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଛି ସେଇଠି ସେ ପ୍ରତିବାଦ କରିଛନ୍ତି ।

 

ଏକ ଐତିହାସିକ ଆବଶ୍ୟକତାକୁ ଉପଲବ୍ଧି କରି ଛାତ୍ରାବସ୍ଥାରେ ସେ ସଂପାଦନା ସହ ପ୍ରକାଶ କରନ୍ତି ‘ଉତ୍କଳ ପୁତ୍ର’ ପତ୍ରିକା ୧୮୭୧ ମସିହାରେ । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଓଡ଼ିଶାର ଚିତ୍ର ଓ ଜାତୀୟ ସମସ୍ୟାକୁ ନିର୍ଭୀକଭାବେ ଉପସ୍ଥାପିତ କରିବାର ଏକ ବଳିଷ୍ଠ ମାଧ୍ୟମ ହେଲା ‘ଉତ୍କଳ ପୁତ୍ର ।’ ଏହି ପତ୍ରିକା ମଧ୍ୟ ତାଙ୍କ କର୍ମପଥକୁ କରିଦେଲା ପରିବର୍ତ୍ତନ । ଏଥିରେ ପ୍ରକାଶିତ ତାଙ୍କ ରଚିତ ପ୍ରବନ୍ଧ ‘ଦରଖାସ୍ତ ଜୁତିଥାନ’ ତତ୍କାଳୀନ ପରାଧୀନ ଭାରତବର୍ଷରେ ଏକ ବିପ୍ଳବର ତୁର୍ଯ୍ୟନାଦ-। ସେ ଏଥିପାଇଁ ଅନେକ ତ୍ୟାଗ ସ୍ୱୀକାର କରିଛନ୍ତି । ଏପରିକି ‘ଦରଖାସ୍ତ ଜୁତିଆନ୍’ ଲେଖା ପାଇଁ ତାଙ୍କ ପାଠପଢ଼ାରେ ସବୁଦିନ ପାଇଁ ଡୋରି ବନ୍ଧାଯାଇଛି– ଅର୍ଥାତ୍ ସେ ପଢ଼ୁଥିବା କଲିଜିଏଟ୍ ସ୍କୁଲରୁ ହୋଇଛନ୍ତି ବହିଷ୍କୃତ । ଏହି ଘଟଣା ତାଙ୍କୁ ପ୍ରୋତ୍ସାହିତ କରିଛି ଶିକ୍ଷାନୁଷ୍ଠାନ ଗଠନ ପାଇଁ । ଶିକ୍ଷାର ବିସ୍ତାର ପାଇଁ ପ୍ରଥମକରି ଓଡ଼ିଶାରେ ବେସରକାରୀ ସ୍ତରରେ କଟକଠାରେ ‘କଟକ ଏକାଡେମୀ’ ନାମରେ ଏକ ଶିକ୍ଷାନୁଷ୍ଠାନ ସେ ପ୍ରତିଷ୍ଠା କଲେ । ପ୍ୟାରୀମୋହନହିଁ ଓଡ଼ିଆ ଭାଷାରେ ପ୍ରଥମ ଇତିହାସ ରଚନା କରି ନବଦିଗନ୍ତ ଉନ୍ମୋଚନ କଲେ । ତାଙ୍କ ସ୍ଵକୀୟ ବିଚାର, ଅଧ୍ୟବସାୟ, ସୂକ୍ଷ୍ମ ଦୃଷ୍ଟିର ମାର୍ମିକ ପରିଚୟ ‘ଓଡ଼ିଶାର ଇତିହାସ’–ଯାହା ଭାଷାଭିତ୍ତିକ ପ୍ରଦେଶ ଗଠନରେ ସହାୟକ ହୋଇଥିଲା ।

 

ଓଡ଼ିଆ ଭାଷା, ସାହିତ୍ୟର ଉନ୍ନତିରେ ପ୍ୟାରୀମୋହନଙ୍କ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ । ଯେଉଁ ସମୟରେ ଓଡ଼ିଆ ଭାଷା ବିଲୋପ ପାଇଁ ଚକ୍ରାନ୍ତ ହେଉଥିଲା ସେତିକିବେଳେ ଓଡ଼ିଆ ଭାଷା, ସାହିତ୍ୟର ବିକାଶ ପାଇଁ ସେ ଗ୍ରହଣ କରିଥିଲେ ପ୍ରଗତିଶୀଳ ଆଭିମୁଖ୍ୟ । ‘ଉତ୍କଳ ପୁତ୍ର’ରେ ଓଡ଼ିଆ ଭାଷା ଓ ସାହିତ୍ୟର ଚର୍ଚ୍ଚା କରିବା ସହ ଗଦ୍ୟ ସାହିତ୍ୟର ଅଗ୍ରଗତିରେ ତାଙ୍କର ରହିଛି ଅନବଦ୍ୟ ଅବଦାନ । ସେ ପୁଣି ଥିଲେ ମହାନ ସଂସ୍କାରକ । ସାମାଜିକ କୁସଂସ୍କାର ବିରୋଧରେ ସେ ଆରମ୍ଭ କରିଥିଲେ ଆଉ ଏକ ସଂଗ୍ରାମ । ବ୍ରାହ୍ମ ଧର୍ମ ନିଜେ ଗ୍ରହଣ କରିବା ସହ ଏହାର ପ୍ରଚାର ପ୍ରସାରରେ ତାଙ୍କର ଭୂମିକା ଥିଲା ଉଲ୍ଲେଖନୀୟ । ସମାଜ ସେବା କ୍ଷେତ୍ରରେ ତାଙ୍କ ସ୍ଵକୀୟ ଦୃଷ୍ଟିଭଙ୍ଗୀର ପରିଚୟ ମଧ୍ୟ ମିଳେ । ରୋଗୀ ସେବା କରିବା, ଦୀନଦୁଃଖୀକୁ ସାହାଯ୍ୟ କରିବା, ତାଙ୍କ ଜୀବନର ମହାନ୍‍ ବ୍ରତ ଥିଲା । ମାନବପ୍ରୀତି ଓ ସାମାଜିକ ପ୍ରତିବଦ୍ଧତା ସୃଷ୍ଟି ହୋଇଛି ତାଙ୍କର ସାମଗ୍ରିକ କୃତି ଓ କୃତିତ୍ଵରେ ।

 

ବାସ୍ତବରେ ଓଡ଼ିଆ ଜାତିକୁ ଏକ ଅବକ୍ଷୟୀ ପରମ୍ପରାରୁ ମୁକ୍ତ କରିଦେଇ ପ୍ୟାରୀମୋହନ ଯେଉଁ କ୍ରାନ୍ତିକାରୀ ବୈପ୍ଳବିକ ଅନୁଚିନ୍ତାର ପରିଚୟ ଦେଇଛନ୍ତି, ତାହା ଏବେ ବି ଅନତିକ୍ରମ୍ୟ । ବାସ୍ତବରେ ସେ ଥିଲେ ଯୁଗପୁରୁଷ । ତାଙ୍କ ସଂକ୍ଷିପ୍ତ ଜୀବନ ଥିଲା ତ୍ୟାଗ, ତିତିକ୍ଷା ଓ ଉତ୍ସର୍ଗରେ ପରିପୂର୍ଣ୍ଣ । ସାମାଜିକ ସଂକଳ୍ପ ଓ ମାନବିକ ମୂଲ୍ୟବୋଧର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ । ଓଡ଼ିଶାର ଇତିହାସରେ ଏପରି ବୀରପୁରୁଷ, କର୍ମଯୋଗୀ, ପ୍ରଚଣ୍ଡ ପ୍ରତିଭା, ସାଲିସ୍‍ବିହୀନ ମଣିଷ ସତରେ ବିରଳ । ବାସ୍ତବିକ୍ ପ୍ୟାରୀମୋହନ ଥିଲେ ଓଡ଼ିଶାର ନବଜାଗରଣର ପ୍ରବକ୍ତା ଓ ଉଦ୍ୟୋକ୍ତା । ତାଙ୍କର କର୍ମତପସ୍ୟା ଓଡ଼ିଆ ଜାତିର ଗର୍ବ ଓ ଗୌରବର ସାମଗ୍ରୀ ।
 

ଦେବାତ୍ମା ପ୍ୟାରୀମୋହନଙ୍କ ଜୀବନବ୍ୟାପୀ ସାଧନାର ଆଲୋଚନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର ‘କୋଣାର୍କ’ର ଏହି ବିଶେଷାଙ୍କ ଉଦ୍ଦିଷ୍ଟ । ପ୍ୟାରୀମୋହନଙ୍କ ଅମର କୃତିର ଏକ ଆକଳନ ଏହି ବିଶେଷାଙ୍କ ।

 

 

ବିଜୟାନନ୍ଦ ସିଂହ

ସଂପାଦକ

 

***

 

ସୂଚୀପତ୍ର

ସଂପାଦକୀୟ

୧.

ପ୍ୟାରୀମୋହନଙ୍କ ସାରସ୍ୱତ ସୃଷ୍ଟି ଓ ସମୀକ୍ଷା ଦୃଷ୍ଟି

ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ

୨.

ଗଦ୍ୟଶିଳ୍ପୀ ପ୍ୟାରୀମୋହନ

ଡକ୍ଟର ଜ୍ୟୋତି ରଞ୍ଜନ ସାମଲ

୩.

ପ୍ୟାରୀମୋହନଙ୍କ ରଚନାରେ ବ୍ୟଙ୍ଗ

ଡକ୍ଟର ଦୁର୍ଗାପ୍ରସନ୍ନ ପଣ୍ଡା

୪.

ଐତିହାସିକ ପ୍ୟାରୀମୋହନ

ଡକ୍ଟର ହରିହର ପଣ୍ଡା

୫.

ଓଡ଼ିଶାର ଇତିହାସ ଚର୍ଚ୍ଚା ପ୍ୟାରୀମୋହନ ଆଚାର୍ଯ୍ୟ

ଡକ୍ଟର ଗୌରାଙ୍ଗଚରଣ ଦାଶ

୬.

ଊନବିଂଶ ଶତାବ୍ଦୀର ଶିକ୍ଷାବ୍ୟବସ୍ଥା ଓ

ଆଚାର୍ଯ୍ୟ ପ୍ୟାରୀମୋହନ

ଡକ୍ଟର ମହେଶ୍ୱର ମହାନ୍ତି

୭.

ଶିକ୍ଷାନୁରାଗୀ ପ୍ୟାରୀମୋହନ

ଡକ୍ଟର ସବିତା ପ୍ରଧାନ

୮.

ଊନବିଂଶ ଶତାବ୍ଦୀ ଓଡ଼ିଶାରେ ସାମ୍ବାଦିକତାର

ଅଭ୍ୟୁଦୟ ଓ ସାମ୍ବାଦିକ ପ୍ୟାରୀମୋହନ

ଡକ୍ଟର ଲକ୍ଷ୍ମୀକାନ୍ତ ମିଶ୍ର

୯.

‘ଉତ୍କଳ ପୁତ୍ର’ର ସ୍ୱାତନ୍ତ୍ର୍ୟ

ଡକ୍ଟର ମଣୀନ୍ଦ୍ର କୁମାର ମେହେର

୧୦.

ଉତ୍କଳରେ ନବଯୁଗ ଓ ପ୍ୟାରୀମୋହନ

ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ

୧୧.

ଚାରୋଟି ପତ୍ର (ବ୍ରାହ୍ମ ଧର୍ମ ଓ ପ୍ୟାରୀମୋହନ)

ଶ୍ରୀ ଦେବେନ୍ଦ୍ର କୁମାର ଦାଶ

୧୨.

ଜାତୀୟ ଜୀବନର ବିକାଶରେ ସମର୍ପିତ

ପ୍ରତିଭା ପ୍ୟାରୀମୋହନ

ଡକ୍ଟର ବିଜୟାନନ୍ଦ ସିଂହ

୧୩.

ଏକାଡେମୀ ସମାଚାର

 

 

 

ସମାଚାର ପଞ୍ଜୀକରଣ ( କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯-ଡି ଧାରା - ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ଵତ ପତ୍ରିକାର ସ୍ଵତ୍ଵ ଆଦି ସମ୍ବନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ ୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍. ୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତିତା

ତ୍ରୈମାସିକ

୫.

ମୂଲ୍ୟ (ସ୍ଵତନ୍ତ୍ର ବିଶେଷାଙ୍କ)

ଟ.୬୦/-

୬.

ପ୍ରକାଶକଙ୍କ ନାମ

ଶ୍ରୀ ରାଜକିଶୋର ମିଶ୍ର

 

ରାଷ୍ଟ୍ରୀୟତା, ଠିକଣା

ଭାରତୀୟ

 

 

ସମ୍ପାଦକ,

 

 

ଓଡ଼ିଶା ସାହିତ୍ୟ ଏକାଡେମୀ,

ଭୁବନେଶ୍ଵର–୧୪

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଶୈଳେନ୍ଦ୍ର କୁମାର ଦାଶ

 

ରାଷ୍ଟ୍ରୀୟତା, ଠିକଣା

ଭାରତୀୟ

 

 

ଆନନ୍ଦ ପ୍ରିଣ୍ଟର୍ସ, ଚଣ୍ଡୀ ଛକ

 

 

କଟକ - ୭୫୩ ୦୦୧

ସମ୍ପାଦକଙ୍କ ନାମ

ଡକ୍ଟର ବିଜୟାନନ୍ଦ ସିଂହ

 

ରାଷ୍ଟ୍ରୀୟତା, ଠିକଣା

ଭାରତୀୟ

 

 

ସଦସ୍ୟ, କାର୍ଯ୍ୟନିର୍ବାହୀ ସମିତି

 

 

ଓଡ଼ିଶା ସାହିତ୍ୟ ଏକାଡେମୀ,

ଭୁବନେଶ୍ୱର-୧୪

ମୁଦ୍ରଣ ସ୍ଥାନ

ଆନନ୍ଦ ପ୍ରିଣ୍ଟର୍ସ

 

 

ଚଣ୍ଡୀ ଛକ, କଟକ - ୭୫୩ ୦୦୧

୧୦.

ସ୍ଵତ୍ଵ

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ସଂସ୍କୃତି ଭବନ, ରାଜ୍ୟ

 

 

ସଂଗ୍ରହାଳୟ ପରିସର,

 

 

ଭୁବନେଶ୍ଵର–୧୪

 

ମୁଁ ଶ୍ରୀ ରାଜକିଶୋର ମିଶ୍ର, ସମ୍ପାଦକ ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ଵାସମତେ ସତ୍ୟ ଅଟେ ।

 

 

ରାଜକିଶୋର ମିଶ୍ର

ସମ୍ପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

***

 

ପ୍ୟାରୀମୋହନଙ୍କ ସାରସ୍ୱତ ସୃଷ୍ଟି ଓ ସମୀକ୍ଷା ଦୃଷ୍ଟି

ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ

 

ହେ ପ୍ୟାରୀ ଆଚାର୍ଯ୍ୟ ଭାଇ ଫାଟିଯାଏ ଛାତି

ଗୋଟି ଗୋଟି ମନେ କରି ତୁମ ଗତ-ଖ୍ୟାତି ।

X x x

ଓଡ଼ିଶାର ଇତିହାସ ଲେଖିଥିଲା ପ୍ୟାରୀ ।

ଏମନ୍ତ ସୁନ୍ଦର ଲେଖା ନ ଦେଖେ କାହାରି ।

X x x

ଗରିବର ପୁଅ ପ୍ୟାରୀ ଯାହା ଅଛି କରି

ଲକ୍ଷପତି ହେଲେ ମଧ୍ୟ ଯିବ ଅପସରି ।

ମରନ୍ତତ ଦିନେ, ନୋହେ ମରିଛ ଅକାଳେ

‘ପ୍ୟାରୀ ଏକାଡେମୀ’ ରହିଥିବ କାଳେ କାଳେ ।

 

ଏହା ଥିଲା ବ୍ୟାସକବି ଫକୀରମୋହନଙ୍କ ପ୍ୟାରୀମୋହନଙ୍କୁ ‘ଉତ୍କଳ ଭ୍ରମଣ’ରେ ମୂଲ୍ୟାୟନ ଓ ଶ୍ରଦ୍ଧାର୍ପଣ । ପ୍ୟାରୀମୋହନ ଆଚାର୍ଯ୍ୟ (୧୮୫୧- ୧୮୮୧) ଥିଲେ ସମାଜସେବୀ ଓ ସାହିତ୍ୟପ୍ରାଣ ବ୍ୟକ୍ତିସତ୍ତା । ତାଙ୍କର ଜୀବନ ଦୃଷ୍ଟି ଓ ସାରସ୍ୱତ ଅବବୋଧ ସେ ସମୟରେ ଚହଳ ପକାଇଥିଲା । ତାଙ୍କର ସଂସ୍କାରଧର୍ମୀ କାର୍ଯ୍ୟକଳାପ ଓ ବୈପ୍ଳବିକ ଦୃଷ୍ଟି ମାଧ୍ୟମରେ ସେ ସମାଜରେ ନବଜାଗରଣର ବାର୍ତ୍ତା ପ୍ରଚାର କରିପାରିଥିଲେ । ତାଙ୍କର ଜୀବନ କାଳ ଥିଲା ସ୍ଵଳ୍ପ । ସେ ଅକାଳରେ ଇହଧାମରୁ ବିଦାୟ ନେଇଥିଲେ । ତାଙ୍କର ସାରସ୍ଵତ କୃତି ଓ କୀର୍ତ୍ତି ଅବଶ୍ୟ ସୀମିତ କିନ୍ତୁ ସ୍ମରଣୀୟ ନିଶ୍ଚିତ । ତାଙ୍କର ସୃଷ୍ଟି ସମ୍ଭାର ଭିତରେ ଏକ ଦରଦୀ ମଣିଷ ଓ ବିପ୍ଳବୀସତ୍ତାର ସଂଧାନ ମିଳେ । ସେ ଥିଲେ ସାହିତ୍ୟପ୍ରାଣ ଓଡ଼ିଆ । ତାଙ୍କର ଏକମାତ୍ର ପ୍ରକାଶିତ ଗଦ୍ୟକୃତି ‘ଓଡ଼ିଶାର ଇତିହାସ’ । ଏଥିରେ ଇତିହାସ ସୁଲଭ ଅନ୍ତର୍ଦୃଷ୍ଟି ସହିତ ସାହିତ୍ୟିକ ଚେତନାର ମଣିକାଞ୍ଚନ ଯୋଗ ଲକ୍ଷିତ ହୁଏ । ତେବେ ଏଇଠି କହିରଖେ ଯେ ଶ୍ରୀ ଆଚାର୍ଯ୍ୟଙ୍କର ଓଡ଼ିଶାର ଇତିହାସ ବ୍ୟତୀତ ଆଉ କେତେକ ଗଦ୍ୟ ରଚନା ରହିଛି ଯାହାକି ଏଯାବତ୍ ଏକତ୍ର ସଂକଳିତ ହୋଇନାହିଁ । ତାଙ୍କର ଗଦ୍ୟରଚନା ମଧ୍ୟରେ ଅଛି ଉତ୍କଳ-ମଧୁପରେ ପ୍ରକାଶିତ ଉପେନ୍ଦ୍ର ଭଞ୍ଜ କାବ୍ୟସଂପର୍କିତ ରୁଚି ଧର୍ମ ଆଲୋଚନା, ଯାହାକି ପରବର୍ତ୍ତୀ କାଳର ଲାଲା ରାମ ନାରାୟଣ ରାୟଙ୍କୁ ‘ଉତ୍କଳପ୍ରଭା’ରେ ‘କବି ଉପେନ୍ଦ୍ରଭଞ୍ଜ’ ପ୍ରବନ୍ଧ ଲେଖିବାକୁ ପ୍ରଚୋଦିତ କରିଥିଲା । ୧୮୯୧ ଡିସେମ୍ବରରୁ ଏ ପ୍ରବନ୍ଧର ସୂତ୍ରପାତ ହେଲାପରେ ପରବର୍ତ୍ତୀ କାଳରେ ଇନ୍ଦ୍ରଧନୁ ବିଜୁଳି ପରି ଅବାଞ୍ଚନୀୟ ମସୀଯୁଦ୍ଧର ହେତୁ ହୋଇଥିଲା । ଏହି ସାରସ୍ୱତ କନ୍ଦଳଯୋଗୁଁ ଅବଶ୍ୟ ସମାଲୋଚନା ସାହିତ୍ୟର ଭିତ୍ତିଭୂମି ପ୍ରତିଷ୍ଠିତ ହେଲା । ସମୀକ୍ଷକ ନଟବର ସାମନ୍ତରାୟଙ୍କ ଭାଷାରେ କହିଲେ “ଉପେନ୍ଦ୍ର ଓ ରାଧାନାଥ ସାହିତ୍ୟ ସମାଲୋଚନା ଯଥାର୍ଥତଃ ନୂତନ ଓ ପୁରାତନ ଚିତ୍ତ-ସଂଘର୍ଷର ପରିପ୍ରକାଶ ବ୍ୟତୀତ ଅନ୍ୟ କିଛି ନୁହେଁ ।’’ ଏହି ଦିନୁ ଓଡ଼ିଆ ସମାଲୋଚନାର ଏକ ପରମ୍ପରା ଗଢ଼ିଉଠିଲା । ଏଣୁ ପ୍ୟାରୀମୋହନଙ୍କ ଉପେନ୍ଦ୍ରଭଞ୍ଜଙ୍କ ଲାବଣ୍ୟବତୀ ସଂପର୍କିତ ସମାଲୋଚନାକୁ ଓଡ଼ିଆ ସମାଲୋଚନା ସାହିତ୍ୟର ନୂତନ ଶଙ୍କୁ ବୋଲାଯାଇପାରେ । ଏହାକୁ ଶ୍ରୀ ସାମନ୍ତରାୟ ବାର୍ତ୍ତାମୁଖୀ ଓ ରୁଚି-ପରିବର୍ତ୍ତନକାମୀ ବିଚାରଧାରା ବୋଲି କହିଛନ୍ତି । ପରବର୍ତ୍ତୀ କାଳରେ ଏହି ସମାଲୋଚନା ଧାରାରୁ ରସବାଦୀ ଆଲୋଚନାର ପ୍ରାଣପ୍ରତିଷ୍ଠା ସମ୍ଭବ ହୋଇଛି ।

 

ଏତଦ୍‍ବ୍ୟତୀତ ତାଙ୍କ ସଂପାଦିତ ଉତ୍କଳ ପୁତ୍ର (ଏପ୍ରିଲ ତା ୧୬ରିଖରୁ ଆରମ୍ଭ)ରେ ପ୍ୟାରୀମୋହନଙ୍କ ରଚିତ ବିଭିନ୍ନ ଗଦ୍ୟସମ୍ଭାର ପ୍ରକାଶ ପାଇଥିଲା । ତାହା ଆଜିଯାଏ ସଂକଳିତ ହୋଇପାରିନାହିଁ । ଫଳରେ ପ୍ୟାରୀମୋହନଙ୍କ ସାରସ୍ୱତ କୃତି ଓ କୃତିତ୍ଵ ନିରୂପଣର ବାଧକ ହୋଇପଡ଼ିଛି । ଉଦାହରଣସ୍ୱରୂପ ଏଠାରେ କୁହାଯାଇପାରେ ଯେ ପ୍ୟାରୀମୋହନଙ୍କ ବିପ୍ଳବୀ ମନ ସେ ସମୟର ଶିକ୍ଷାବଳୟ ଓ ଜୀବନଧାରାକୁ କିପରି ଦେଖୁଥିଲା, ତାର ନମୁନା ପାଇବାକୁ ହେଲେ ତା ୧୬ରିଖ ମଇ ୧୮୭୩ ମସିହା ‘ଉତ୍କଳ ପୁତ୍ର’ରେ ପ୍ରକାଶିତ ‘ପ୍ରକୃତ ଶିକ୍ଷା’ ଅଗଷ୍ଟ ତା ୧୬ ରିଖ ୧୮୭୩ର ‘‘ଇଂରାଜୀ ସ୍କୁଲମାନଙ୍କର ଶିକ୍ଷା ପ୍ରଣାଳୀ’’, ସେପ୍ଟେମ୍ବର ତା ୩ରିଖ ୧୮୭୩ର ‘ଗୋଟିଏ ପ୍ରସ୍ତାବ’, ‘ଓଡ଼ିଶାର ଉନ୍ନତି’ ପରି ଲେଖାଗୁଡ଼ିକୁ ସ୍ମରଣ କରାଯାଇପାରେ ।

 

‘ପ୍ରକୃତ ଶିକ୍ଷା’ର ପ୍ରାରମ୍ଭରେ କୁହାଯାଇଛି “ବର୍ତ୍ତମାନ ଶିକ୍ଷା କେବଳ କେତେଗୁଡ଼ିଏ ଶବ୍ଦ କଣ୍ଠସ୍ଥ ଓ କେତେଗୁଡ଼ିଏ ବିବରଣ ମୁଖସ୍ଥ କରିବା ଉପରେ ନିର୍ଭର କରିଅଛି, ଏଥିପାଇଁ ଶିକ୍ଷାର ଫଳ ଅନେକ ସମୟରେ ବିଷମୟ ଦେଖାଯାଏ । ଛାତ୍ରମାନେ ମନେକରନ୍ତି ଯେପରି ସେପରି କରିଦେଇ ପାରିଲେ, ପରିଶ୍ରମର ଫଳ ହେଲା, ଶିକ୍ଷକମାନେ ମଧ୍ୟ ମନେକରନ୍ତି ଏଥର କେତେଗୁଡ଼ାଏ ଛାତ୍ର ବିଦ୍ୟାଳୟରୁ ପାଶ କରାଇ ପାରିଲେ ମାନ ରହିଲା, ଶିକ୍ଷାବିଭାଗରେ ତାଙ୍କର ଯଥେଷ୍ଟ ପ୍ରତିପତ୍ତି ଲାଭ ହେଲା । ଏଣୁକରି ଶୀଘ୍ର ପଦୋନ୍ନତି ଆଶାରେ ପିଲାଙ୍କୁ ଧମକା ଧମକି କରିବାକୁ ଛାଡ଼ନ୍ତି ନାହିଁ । ଦୁହେଁ ସିହାଣିଆ, “ଚୋରର ଚୋର ମାଉସୀପୁଅ’ । କେହି ଆପଣାର ପ୍ରକୃତ କର୍ତ୍ତବ୍ୟପଥ ଅନୁସରଣ କରନ୍ତି ନାହିଁ ।’’ ଏ ହେଲା ତାତ୍କାଳିକ ଶିକ୍ଷାର ଅବସ୍ଥା ।

 

ଏହିପରି ଦୁଃସ୍ଥିତି ଦେଖି ଲେଖକ ଶିକ୍ଷାର ପ୍ରକୃତି ଓ ତା’ର ଉଦ୍ଦେଶ୍ୟ ସଂପର୍କରେ ବୁଝାଇବାକୁ ଯାଇ କହନ୍ତି–“ମାନସିକ ସମୁଦାୟବୃତ୍ତିକୁ ସୁଶିକ୍ଷିତ ଓ ସମୁନ୍ନତ କରିବା ହେଉଛି ପ୍ରକୃତ ଶିକ୍ଷା ।” ଏହାପରେ ପ୍ୟାରୀମୋହନ ମାନବାତ୍ମା ଭିତରେ ଚାରୋଟି ବିଭାଗକୁ ଲକ୍ଷ୍ୟ କରିଛନ୍ତି । ସେଗୁଡ଼ିକ ହେଲା- ମନ, ହୃଦୟ, ବିବେକ ଓ ଧର୍ମବୁଦ୍ଧି । ମନ ବିଭାଗଟି ସ୍ମୃତି, ବୁଦ୍ଧି ଓ ଯୁକ୍ତିକୁ ନେଇ ଗଢ଼ା । ପ୍ରୀତି, ସ୍ନେହ, କୋମଳତା ଓ ଦୟା ପ୍ରଭୃତିର ସମଷ୍ଟି ହେଲା ହୃଦୟ ବିଭାଗ । ନ୍ୟାୟ, ଯଥାର୍ଥତାବୋଧ ଓ କର୍ତ୍ତବ୍ୟଜ୍ଞାନକୁ ସେ ବିବେକର ଇଲାକାଭୁକ୍ତ କରିଛନ୍ତି । ଈଶ୍ୱରଙ୍କ ସଙ୍ଗେ ସାକ୍ଷାତ ସମ୍ବନ୍ଧଜନିତ ଅନୁଭୂତି ହେଉଛି ଲେଖକଙ୍କର ଧର୍ମବୁଦ୍ଧି । ଏହି ବିଭାଗ ଚତୁଷ୍ଟୟର ସମୁନ୍ନତି ହିଁ ପ୍ରକୃତ ଶିକ୍ଷା ବୋଲି ପ୍ରାବନ୍ଧିକଙ୍କ ମତ । ଏହା ପରେ ବିଶ୍ୱବିଦ୍ୟାଳୟରେ ଅଧିତବ୍ୟ ପୁସ୍ତକାବଳୀ ଓ ତନ୍ନିହିତ ବିଷୟମାନ କେତେଦୂର ପ୍ରକୃତ ଶିକ୍ଷାଦାନରେ ଆବଶ୍ୟକ ତାହା ଦର୍ଶାଇଛନ୍ତି । ତାଙ୍କ ମତରେ ସାହିତ୍ୟଦ୍ୱାରା ହୃଦୟର ଭାବ ରସ ଉଦ୍‍.ବେଳିତ ହୋଇଥାଏ । ପ୍ରାକୃତିକ ବିଜ୍ଞାନ, ମନୋବିଜ୍ଞାନ, ନୃତତ୍ତ୍ଵ ଓ ଜ୍ୟୋତିଷ ପାଠ ମନକୁ ସମୁନ୍ନତ କରେ । ଗଣିତ ଚିନ୍ତା କରିବାକୁ ପରିଷ୍କାର ସିଦ୍ଧାନ୍ତ ଓ ସତ୍‍ମୀମାଂସାରେ ଉପନୀତ ହେବାପାଇଁ ଦକ୍ଷତା ଆଣିଦିଏ । ନୀତିବିଜ୍ଞାନ ପାଠଦ୍ଵାରା ଅନ୍ତରର ସ୍ୱାଭାବିକ କର୍ତ୍ତବ୍ୟଜ୍ଞାନ, ନ୍ୟାୟ-ଅନ୍ୟାୟ ଓ ଭଲମନ୍ଦ ବିଚାର କରିବାର ଶକ୍ତି ସଂଚାର କରେ । ଇତିହାସ ମନୁଷ୍ୟ ପ୍ରକୃତିର ଦୁଇ ଦିଗର ବିକାଶ ଉପରେ ଆଲୋକପାତ କରିଥାଏ । ଏ ସମସ୍ତ ଅଧ୍ୟୟନପରେ ମଣିଷ ଧର୍ମବୁଦ୍ଧିର ସଂଧାନ ନେବାରେ ସମର୍ଥ ହୁଏ । ଧର୍ମବୁଦ୍ଧିବଳରେ ମନୁଷ୍ୟର ଈଶ୍ଵରାନୁଭବର ଉଦ୍ରେକ ଘଟେ । ତଦ୍ଦ୍ୱାରା ପଶୁ ସୁଲଭ ଚେତନାର ବିଲୁପ୍ତି ଘଟି ଈଶ୍ଵରାନୁଭବ ଜାଗ୍ରତ ହୁଏ । ଫଳରେ ପ୍ରକୃତ ଶିକ୍ଷାର ସ୍ୱରୂପ ପ୍ରକଟେ । ଏହାହିଁ ଲେଖକଙ୍କର ଶିକ୍ଷାଦର୍ଶନ । ଏହି ଶିକ୍ଷାଭାବନାଟି ବ୍ରାହ୍ମଦର୍ଶନନିଷ୍ଠ ଶିକ୍ଷା ଅନୁଭବର କଳାତ୍ମକ ପରିପ୍ରକାଶ ମାତ୍ର ।

 

‘ଇଂରାଜୀ ସ୍କୁଲମାନଙ୍କର ଶିକ୍ଷା ପ୍ରଣାଳୀ’ ପ୍ୟାରୀମୋହନଙ୍କ ଶିକ୍ଷା-ସଂପର୍କିତ ଆଉ ଏକ ନିର୍ଭୀକ ବିଚାର । ଏଥିରେ ଇଂରାଜୀ ଶିକ୍ଷା ପଦ୍ଧତିର ଗୁଣାଗୁଣ ସହିତ ଓଡ଼ିଶା ଭୂମିରେ ତା’ର ବିନିଯୋଗ ସଂପର୍କରେ ଦିଗ୍‍ଦର୍ଶନ ପ୍ରଦତ୍ତ । ପ୍ରଥମେ ଇଂରାଜୀ ଶିକ୍ଷାଦ୍ୱାରା ଓଡ଼ିଆମାନେ କି ଉପକାର ପାଉଛନ୍ତି, ତାର ଅବତାରଣା କରାଯାଇଛି । ପ୍ରଥମତଃ ଏହା ରାଜଭାଷା ହୋଇଥିବାରୁ ଜନସାଧାରଣର ବୈଷୟିକ ଉନ୍ନତି ଓ ରାଜପୁରୁଷଙ୍କ ସହ ଯୋଗାଯୋଗର ମାଧ୍ୟମ, ଦ୍ୱିତୀୟରେ ଏହା ଉନ୍ନତ ଓ ଉଚ୍ଚ ଭାବର କିପରି ସହାୟକ, ତାର ସୂଚନା ଦିଆଯାଇଛି । କିନ୍ତୁ ନିମ୍ନ ଶ୍ରେଣୀରେ ଏହାର ପ୍ରଚଳନଦ୍ୱାରା କୋମଳମତି ବାଳକର ଜ୍ଞାନ ଆହରଣରେ କିପରି ପ୍ରତିବନ୍ଧକ ହୋଇଛି, ତାହା ଆଲୋଚନା କରିଛନ୍ତି । ଆଚାର୍ଯ୍ୟଙ୍କ କଥାରେ କହିଲେ– “ବିଶେଷତଃ ଇଂରାଜୀ ସ୍କୁଲ ସମୂହର ନିମ୍ନ ଶ୍ରେଣୀମାନଙ୍କରେ ଆଜିକାଲି କୋମଳମତି ବାଳକମାନଙ୍କୁ ଯେପ୍ରକାର ଶିକ୍ଷା ଦିଆଯାଏ, ସେଥିରେ ସେମାନଙ୍କର ଅନେକ ଅସୁବିଧା ହେଉଥିବାର ପ୍ରତୀୟମାନ ହେଉଅଛି; ତରଳବୁଦ୍ଧି ଶିଶୁ ସନ୍ତାନମାନଙ୍କୁ ଏ, ବି,ସି, ଚିହ୍ନାଇ ଓ ଦୁଇ ଏକ ଖଣ୍ଡି ପ୍ରଥମ ପାଠ୍ୟପୁସ୍ତକାଦିର ୧୦/୧୨ ପତ୍ର ଓଲଟାଇ ସେମାନଙ୍କ ହସ୍ତରେ ଦନ୍ତଭଙ୍ଗା ପୁରସ୍ତମୀଗଜାପ୍ରାୟ ଇଂରାଜୀରେ ଅଙ୍କଶାସ୍ତ୍ର, ଭୂଗୋଳ, ଇତିହାସ ପ୍ରଭୃତିର ପଠନଭାର ଅର୍ପଣ କଲେ କେତେ ଶୀଘ୍ର ସେମାନଙ୍କର ସେଥିରେ ପ୍ରବେଶ ସମ୍ଭାବନା, ଭୁକ୍ତଭୋଗୀମାନେ ସହଜରେ ବୁଝିପାରିବାକୁ ସମର୍ଥ ହେଉଥିବେ’ (ଉତ୍କଳପୁତ୍ର ୧୬/୮/୧୮୭୩) । ଏହାର ନିରାକରଣ ପାଇଁ ଅନୁବାଦ ମାଧ୍ୟମରେ ଏସବୁ ବିଷୟର ଶିକ୍ଷା ଦେବାକୁ ଲେଖକଙ୍କର କର୍ତ୍ତୃପକ୍ଷଙ୍କଠାରେ ନିବେଦନ କରି କୁହାଯାଇଛି– ‘ଅନୁବାଦ ଭାଷା ଶିଖିବାର ଅତି ଉତ୍କୃଷ୍ଟ ରୀତି; ଏହା ପରୀକ୍ଷାର କଥା ଓ କହିଲେ ଅସଙ୍ଗତ ହେବ ନାହିଁ ଯେ ଜଣେ ଉତ୍ତମ ଭାଷା ଲେଖି ଶିଖି ଇଚ୍ଛା କରି ଅନୁବାଦ ରୀତି ଅନୁସରଣ କଲେ ସ୍କୁଲରେ ପଢ଼ି ଯାହା ଦୁଇବର୍ଷରେ ନ ହେବ, ତାହା ଛଅମାସରେ ସାଧିତ କରିପାରନ୍ତି ।’’ ଏହି ଅନୁବାଦ ରୀତି ଅନୁସରଣ କଲେ ସୁକୁମାର ମତି ବାଳକଙ୍କର ସୁବିଧା ହେବ ଏବଂ ତଦ୍ଦ୍ୱାରା ଶିକ୍ଷଣରୀତି ତ୍ୱରାନ୍ୱିତ ହେବ ବୋଲି ଯୁକ୍ତି ଉପସ୍ଥାପନ ସହିତ ସେ ସମୟର ଡିଷ୍ଟ୍ରିଟ୍ କମିଟି ଏହାକୁ ଯେପରି ଅନୁମୋଦନ କରେ ସେଥିପାଇଁ ଆବେଦନ କରିଛନ୍ତି । ପ୍ୟାରୀମୋହନ ନିର୍ଭୀକତାର ସହ କହିଛନ୍ତି– “ଆମ୍ଭେମାନେ ବର୍ତ୍ତମାନ କୌଣସି ଦାର୍ଶନିକ, ନୈୟାୟିକ କି ରାଜନୈତିକ କଥା ଭାବିବାକୁ ବସିଲେ ଇଂରାଜୀଦ୍ଵାରା ଭାବିବାକୁ ପଡ଼େ, ମାତ୍ର ଯେତେଦିନ ଯାଏ ଆମ୍ଭମାନଙ୍କ ଦେଶୀୟ ଭାଷା ଭାବିବାକୁ ନ ଶିଖିବୁଁ ଓ ନ ପାରିବୁଁ ତେତେ ଦିନଯାଏ ଆମ୍ଭମାନଙ୍କର ଉନ୍ନତି ଜାତୀୟ ଓ ପ୍ରକୃତ ଭାବ ଧାରଣ କରିବ ନାହିଁ ।’’ ଲେଖକଙ୍କର ଏ ଚିନ୍ତନ ଜାତୀୟତାବୋଧ ସହିତ ଲେଖକୀୟ ଅନ୍ତର୍ଦୃଷ୍ଟିକୁ ସୂଚିତ କରିଥାଏ ।

 

‘ଗୋଟିଏ ପ୍ରସ୍ତାବ’ (ଉତ୍କଳପୁତ୍ର ୩ । ୯ । ୧୮୭୩)ରେ ପୁସ୍ତକର ପ୍ରସାରଣ ଓ ପଠନ ପାଇଁ ସ୍ଵକୀୟ ମତାମତ ପ୍ରଦାନ କରିଛନ୍ତି । ଏହା ଅଧୁନା ଚାଲିଥିବା ପୁସ୍ତକମେଳା ଓ ପୁସ୍ତକ ପ୍ରସାରଣ କାର୍ଯ୍ୟର ସମଧର୍ମୀ ପ୍ରସ୍ତାବ । ଲେଖକ କହନ୍ତି- ‘‘ବିଦ୍ୟା ଚର୍ଚ୍ଚା ନ ହେଲେ ହୃଦୟ ସୁମାର୍ଜିତ କି ମନୁଷ୍ୟର ଜ୍ଞାନଚକ୍ଷୁ ଉନ୍ମିଳିତ ହୁଏ ନାହିଁ । ଅନ୍ୟାନ୍ୟ ଉପାୟ ମଧ୍ୟରେ ପୁସ୍ତକାଲୋଚନା ବିଦ୍ୟାଚର୍ଚ୍ଚାର ଗୋଟିଏ ଅତି ପ୍ରଧାନ ଉପାୟ ।’’ ଏ ଉପାୟର ପରିପୁଷ୍ଟି ପାଇଁ ଲେଖକ ସର୍ବସାଧାରଣ ପାଇଁ ପୁସ୍ତକାଳୟ ସ୍ଥାପନ ଏବଂ ପାଠକୀୟ-ମନସ୍କତାର ଅଭିବୃଦ୍ଧି କାମନା କରି ତାତ୍କାଳିକ ସରକାର ଓ ଉତ୍କଳ-ହିତୈଷୀ ରାଜା ଜମିଦାରଙ୍କର ସହଯୋଗ ଲୋଡ଼ିଛନ୍ତି, ଏଥିରେ ପ୍ୟାରୀମୋହନଙ୍କ ଏ ଜାତିଗଠନ ଓ ଉନ୍ନତି ବିଧାନର ଆଭିମୁଖ୍ୟ ପ୍ରତିଫଳିତ ।

 

ଉତ୍କଳପୁତ୍ର (୩/୯/୧୮୭୩)ରେ ‘ଓଡ଼ିଶାର ଉନ୍ନତି’ ଶୀର୍ଷକ ଆଉ ଏକ ଲେଖା ପ୍ରକାଶ ପାଇଥିଲା । ଏଥିରେ ଭାରତ ପରିପ୍ରେକ୍ଷୀରେ ଓଡ଼ିଶା କିପରି ଧନହୀନ, ଚାକିରୀ, ବ୍ୟବସାୟ, କୃଷି ଏବଂ ସର୍ବୋପରି ବିଦ୍ୟାଧ୍ୟୟନ କ୍ଷେତ୍ରରେ ପଛରେ ପଡ଼ିଛି, ତାର ଚିତ୍ର ପ୍ରଦାନ କରିଛନ୍ତି । ଇଂରେଜଙ୍କ କଲ୍ୟାଣରୁ ଭାରତର ଚାରିଆଡ଼େ ଉନ୍ନତିର ସ୍ରୋତ ପ୍ରବାହିତ ହେଉଥିଲାବେଳେ ଓଡ଼ିଶାବାସୀ କିପରି ମ୍ରିୟମାଣ ତାର କାରଣ ନିର୍ଦ୍ଦେଶ କରି ଲେଖିଛନ୍ତି ଏ ଦେଶରେ ଲୋକଙ୍କ ଆୟର ପ୍ରଧାନ ଦୁଇ ଉପାୟ- ଯଥା କୃଷି ଓ ଚାକିରୀ । କୃଷିର ଅବସ୍ଥା ଓଡ଼ିଶାରେ ଉନ୍ନତ ନ ଥିବାରୁ, ସେଥିରୁ ବଙ୍ଗ ଦେଶାଦିପରି ଅଧିକ ଆୟର ସମ୍ଭାବନା ନାହିଁ । ଆହୁରି ଅନୁସନ୍ଧାନ କଲେ ଦେଖାଯାଏ ଯେ ବିଦେଶୀୟ କେତେକ ଲୋକ ଜମିଦାର ଥିବାରୁ ଅନେକ ଟଙ୍କା ଏ ଦେଶରୁ ଅନ୍ୟ ଦେଶକୁ ଯାଉଅଛି ଅଥଚ ଅନ୍ୟ କୌଣସି ଉପାୟଦ୍ୱାରା ଅନ୍ୟ ସ୍ଥାନରେ ଏ ଦେଶକୁ କିଛି ସମ୍ପତ୍ତି ଆସୁନାହିଁ । ଚାକିରୀ ବିଭାଗରେ ଦେଖିଲେ ଏ ଦେଶୀୟମାନେ ଅତି ଉଚ୍ଚସ୍ଥାନ ପାଆନ୍ତି ନାହିଁ, ସୁତରାଂ ସେ ଦିଗରେ ଓଡ଼ିଶାବାସୀଙ୍କର ମଧ୍ୟ ଅଧିକ ଆୟ ହୁଅଇ ନାହିଁ ।’’ ଏରୂପେ ଓଡ଼ିଶାର ଉନ୍ନତି ପଥରେ ଥିବା ବିଭିନ୍ନ ଅନ୍ତରାୟଗୁଡ଼ିକ ଦର୍ଶାଇଲା ପରେ ଲେଖକ ଓଡ଼ିଶାରେ ବ୍ୟବସାୟ ବୃଦ୍ଧିର ଅଭାବ, ବିଦ୍ୟାକ୍ଷେତ୍ରରେ ଅନଗ୍ରସରତା ଏବଂ ସର୍ବୋପରି ଦାରିଦ୍ର୍ୟହିଁ ଉନ୍ନତିର ପ୍ରତିବନ୍ଧକ ବୋଲି ମତ ଦେଇଛନ୍ତି । ଏଥିପାଇଁ ଶାସକର ଇଚ୍ଛାଶକ୍ତି ଓ ଶାସିତର ବିଭିନ୍ନ ସୁବିଧା ହାସଲପ୍ରତି ପ୍ରବଣତା ଲୋଡ଼ା ବୋଲି ଉଲ୍ଲେଖ କରିଛନ୍ତି ।

 

‘ଉତ୍କଳପୁତ୍ର’ (୩/୧୨/୧୮୭୩)ର ‘ଗଡ଼ଜାତ' ଶୀର୍ଷକ ଲେଖାରେ ଖଣ୍ଡପଡ଼ା ରାଜାଙ୍କ ଦୌରାତ୍ମ୍ୟ, ଡମପଡ଼ାର ରାଜ ବିଦ୍ରୋହ, ସେହି ଡମପଡ଼ା ଜିଲ୍ଲାର ଏକ ପାହାଡ଼ରେ ଧୁନି ଲଗାଇ ବସିଥିବା ବୈଷ୍ଣବଙ୍କର ଉପାଖ୍ୟାନ, ବଡ଼ମ୍ବା ଓ ହିନ୍ଦୋଳ ରାଜାଙ୍କ ନିଜ ନିଜ ଜିଲ୍ଲାରେ ସ୍କୁଲ ପ୍ରତିଷ୍ଠା, ବାଙ୍କି, ଅନୁଗୁଳର ଶିକ୍ଷା ବ୍ୟବସ୍ଥା ସଂପର୍କରେ ବିବରଣୀ ଦେଇ ସେମାନଙ୍କୁ ଚେତାବନୀ ଶୁଣାଇ ଲେଖିଛନ୍ତି– “ହେ ଗଡ଼ଜାତ ରାଜାମାନେ, ଆପଣମାନଙ୍କଠାରେ ଈଶ୍ଵର ଯେ ଗୁରୁଭାର ସମର୍ପଣ କରିଅଛନ୍ତି ତହିଁର ଲେଶମାତ୍ର ବି ଆପଣମାନଙ୍କ ମନରେ ଉଦିତ ହେଉନାହିଁ ? ଲକ୍ଷ ଲକ୍ଷ ପ୍ରଜାଙ୍କର ଉନ୍ନତି ସାଧନ କେବଳ ଆପଣମାନଙ୍କ ଅଯତ୍ନରୁ ବିଫଳ ହୋଇଅଛି ।’’

 

ଏହାପରେ ବିଭିନ୍ନ ଗଡ଼ଜାତରେ କିପରି ବିଶୃଙ୍ଖଳତା ରାଜୁତି କରୁଛି, ତାର ସମାଧାନ ନିମିତ୍ତ ଶିକ୍ଷାର ପ୍ରସାରହିଁ ଏକମାତ୍ର ମହୋଷଧି ବୋଲି ଲେଖକଙ୍କର ମତ । ଏଣୁ ପ୍ୟାରୀମୋହନ ଲେଖିଛନ୍ତି– ‘‘ଆହୁରି ଯେତେ ହେଉ, ବିନା ଶିକ୍ଷାର ମଧୁମୟ ଜ୍ୟୋତିଃ ବିସ୍ତୀର୍ଣ୍ଣରୂପେ ବିକୀର୍ଣ୍ଣ ନ ହେଲେ କୌଣସି ଶୃଙ୍ଖଳା ସ୍ଥାୟୀ ହୋଇ ରହିବା ସୁକଠିନ । ଶିକ୍ଷା ରାଜା ଓ ପ୍ରଜା ଉଭୟଙ୍କର ଲଭିବା ଆବଶ୍ୟକ ।’’ ଏଣୁ ପ୍ରଜାମାନଙ୍କ ପାଇଁ ବିଦ୍ୟାଳୟ ପ୍ରତିଷ୍ଠା ଓ ରାଜପୁତ୍ର ତଥା ରାଜପରିବାରସ୍ଥ ଅନ୍ୟାନ୍ୟ ବ୍ୟକ୍ତିଙ୍କ ବିଦ୍ୟାଶିକ୍ଷା ସକାଶେ ହାଇସ୍କୁଲ ପ୍ରେରଣର ଆବଶ୍ୟକତା ଦର୍ଶାଯାଇଛି । ଶେଷରେ ଗଡ଼ଜାତ ତଥା ଓଡ଼ିଶାବାସୀଙ୍କର କୂପମଣ୍ଡୁକତ୍ୱ କିପରି ଦୂର ହେବ ସେଥିପାଇଁ ସଡ଼କର ଯୋଗାଯୋଗ, ଡାକଘର ବ୍ୟବସ୍ଥା ଏବଂ ସର୍ବୋପରି ବ୍ୟକ୍ତିମାନସରେ ଉତ୍ସାହରୂପକ ଅଗ୍ନିର ସଂଚାରପ୍ରତି ଦୃଷ୍ଟିଦେବାକୁ ଆହ୍ୱାନ କରିଛନ୍ତି । ଉପସଂହାରରେ ଗଡ଼ଜାତବାସୀକୁ ଉଦବୋଧନ ଦେଇ କହିଛନ୍ତି– “ଉଠ, ଉଠ, ଉଠ –

 

‘‘ପରିହର ମୋହନିଦ୍ରା ଆସ କରି ରଣ

ଉତ୍କଳ ତିମିର ସଙ୍ଗେ ହୋଇ ସ୍ଥିର ମନ ।”

 

ଏ ସମସ୍ତ ଅନୁଧ୍ୟାନ କଲେ ମନେହୁଏ ପ୍ୟାରୀମୋହନଙ୍କ ଓଡ଼ିଶା ଉନ୍ନତି କହିଲେ ମୋଗଲବନ୍ଦୀ ଓ ଗଡ଼ଜାତ ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସାମଗ୍ରିକ ଉନ୍ନତି ହିଁ ସୂଚିତ ।

 

ଜାତିପ୍ରାଣ ପ୍ୟାରୀମୋହନ ପ୍ରତି କ୍ଷେତ୍ରରେ ଓଡ଼ିଆଙ୍କ ସିଦ୍ଧି ଓ ସ୍ଵାକ୍ଷର ପ୍ରତି ନଜର ଦେଉଥିଲେ । ଓଡ଼ିଆ ପିଲାଏ ଓକିଲାତି ପରୀକ୍ଷା ଦେବାର ସୁଯୋଗ ନ ପାଇଲେ ଦୁଃଖରେ ଭାଙ୍ଗି ପଡ଼ୁଥିଲେ । ପୁଣି ହାଇସ୍କୁଲ ଫଳ ଆଶାନୁରୂପ ନ ହେଲେ ଖେଦ କରି କହୁଥିଲେ “ଏଠାରେ ଗୋଟିଏ ହାଇସ୍କୁଲ ସଂସ୍ଥାପିତ ହୋଇଅଛି ସତ୍ୟ, ମାତ୍ର ସେଥିରେ ଆଶାନୁରୂପ ଫଳ ଫଳୁନାହିଁ । ବର୍ତ୍ତମାନ ଓଡ଼ିଶାରେ ଖୋଜିଲେ ଏ ସ୍ଥାନୀୟ ଚାରି ପାଞ୍ଚ ଜଣ ଫାଷ୍ଟ ଆର୍ଟସ ପରୀକ୍ଷୋତୀର୍ଣ୍ଣ ଲୋକ ମିଳିବେ କି ନାହିଁ, ସନ୍ଦେହ ।’’ (ଓକିଲାତି ପରୀକ୍ଷା - ଉତ୍କଳପୁତ୍ର ୧୯। ୧୧ । ୧୮୭୩) ଏଣୁ ଓଡ଼ିଶା ପ୍ରତି ବ୍ରିଟିଶ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ନିବେଦନ କରିଛନ୍ତି । ସେଥିପ୍ରତି ଧ୍ୟାନ ନ ଦେଲେ ଓଡ଼ିଶାର ଉନ୍ନତି ନୌକା ଭୀଷଣ ଆବର୍ତ୍ତରେ ପଡ଼ି ଜଳମଗ୍ନ ହେବା ସାର ହେବ ବୋଲି ଚେତାବନୀ ବି ଶୁଣାଇଛନ୍ତି ।

 

ପ୍ୟାରୀମୋହନ ଥିଲେ ନାରଦ ପରି ନିଷ୍ଠୁର ସତ୍ୟବାନ୍ । ସେ ଅଧ୍ୟୟନ କଲାବେଳେ ‘ଦରଖାସ୍ତ ଯୁତିଆନ୍’ ଲେଖି ସ୍କୁଲରୁ ବିତାଡ଼ିତ ହୋଇଥିଲେ । ହକ୍ କଥା ପାଇଁ କ୍ଷମା ପ୍ରାର୍ଥନା ତାଙ୍କ ଜାତକରେ ନାହିଁ । ବ୍ରିଟିଶ ନିୟନ୍ତ୍ରଣ ବାହାରେ ମଧ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇପାରେ ତାର ଦୃଷ୍ଟାନ୍ତ ଦେବା ପାଇଁ ନାନା ଅଭାବ ଅନାଟନ ସତ୍ତ୍ୱେ ସ୍କୁଲ ପ୍ରତିଷ୍ଠା କରିପାରନ୍ତି । ତାର ଜ୍ଵଳନ୍ତ ସାକ୍ଷୀ ଆଜିର ପ୍ୟାରୀମୋହନ ଏକାଡେମୀ । ସବୁଠି ତାଙ୍କର ସିଂହସୁଲଭ ବିକ୍ରମ । ସୁପ୍ତ ଓଡ଼ିଆ ଜାତିର ଦୃପ୍ତ ସ୍ଵାଭିମାନର ପ୍ରତୀକ ସେ ।

 

ପ୍ୟାରୀମୋହନ ଲେଖା ମାଧ୍ୟମରେ ଯେପରି ସଂସ୍କାର ଓ ସାମାଜିକ ବିପ୍ଳବର ବାର୍ତ୍ତା ପ୍ରଚାର କରୁଥିଲେ, ଭାଷଣ ମାଧ୍ୟମରେ ମଧ୍ୟ ସେହିପରି ଜାତିର ଉନ୍ନତି ବିଧାନ ପାଇଁ ଅଗ୍ନିଗର୍ଭା ବାଣୀ ଶୁଣାଉଥିଲେ । ଉତ୍କଳ ଦୀପିକା (୮/୩/ ୧୮୭୯)ରେ ପ୍ୟାରୀମୋହନଙ୍କ ଫେବୃଆରୀ ତା୨୪ରିଖରେ ପ୍ରଦତ୍ତ ‘ଜାତୀୟ ଜୀବନ’ ଶୀର୍ଷକ ଏକ ଭାଷଣର ସାରାଂଶ ପ୍ରଦାନ କରି ଯାହା ଲେଖିଥିଲେ, ତାହା ଏହିପରି: ‘‘ବକ୍ତା କହିଲେ ବେଦନାବୋଧ ଓ ଚଳନ ଶକ୍ତି ଜୀବନର ଲକ୍ଷଣ ଅଟଇ । ଯେଉଁ ପଦାର୍ଥର ଏସବୁ ଲକ୍ଷଣ ଅଛି ତାହାର ଜୀବନ ଅଛି ଓ ଯେଉଁ ପଦାର୍ଥର ଏସବୁ କିଛି ନାହିଁ ତାହାର ଜୀବନ ନାହିଁ । ଯେଉଁ ଜାତୀୟ ଲୋକେ ଆପଣାର ଅଭାବ ବୁଝି ତାହା ମୋଚନର ପ୍ରତିକାର କରୁଅଛନ୍ତି ଓ ଉନ୍ନତିମାର୍ଗରେ ଅଗ୍ରସର ହେଉଅଛନ୍ତି ସେ ଜାତିର ଜୀବନ ଅଛି ଓ ଯେଉଁ ଜାତି ଆପଣାର ଅଭାବ ବୁଝିନାହାନ୍ତି ଓ ଉନ୍ନତି ଚେଷ୍ଟା କରୁନାହାନ୍ତି ତାହାକୁ ନିର୍ଜୀବ ବୋଲିବାକୁ ହେବ ।’’ ଏହି ଉକ୍ତିକୁ ଭିତ୍ତିକରି ଶ୍ରୀ ଆଚାର୍ଯ୍ୟ ଓଡ଼ିଆ ଜାତିର ସ୍ଥିତି କଳନା କରିଛନ୍ତି । ଏ ଜାତି ଯଦିଓ ଶିକ୍ଷାପ୍ରତି କ୍ରମଶଃ ପ୍ରବଣତା ଦେଖାଉଛି, ତାର ଜାତୀୟ ଶିକ୍ଷା ଏପର୍ଯ୍ୟନ୍ତ ହୋଇପାରି ନାହିଁ । ଗଭର୍ଣ୍ଣମେଣ୍ଟ ଉପରେ ନିର୍ଭର ନ କରି ଆପେ ଆପଣା ଦେଶରେ ଚାହିଦା ମୁତାବକ ସ୍ୱକୀୟ ଶିକ୍ଷାନୀତି ପ୍ରବର୍ତ୍ତନ କରିବା ଆବଶ୍ୟକ । ଯେଉଁ ଶିକ୍ଷା ନୀତି ଆଧାରିତ ନୁହେଁ, ତାହା ସୁଶିକ୍ଷା ପଦବାଚ୍ୟ ନୁହେଁ ବୋଲି ବକ୍ତା ଦର୍ଶାଇଥିଲେ । ତାତ୍କାଳିକ ଶିକ୍ଷା ମାନସିକ ଉନ୍ନତି ଓ ଚରିତ୍ର ଗଠନରେ ବାଧକ, ତାହାକୁ ସେ ଦୋଷଯୁକ୍ତ ଶିକ୍ଷା ବୋଲି କହୁଥିଲେ ।

 

“ସେ ସମୟରେ ଶିକ୍ଷିତ ନବଯୁବକମାନେ ଅଳ୍ପଟିକିଏ ଇଂରାଜୀ ପଢ଼ି ମାତୃଭାଷାକୁ ହତାଦର କରୁଥିଲେ ଏବଂ ଅହଂକାରରେ ଫାଟି ପଡ଼ୁଥିଲେ, ତାର ଘୋର ସମାଲୋଚନା ପୂର୍ବକ ମାତୃଭାଷାହିଁ ବ୍ୟକ୍ତିମାନସ ଗଠନର ମୂଳ ହେତୁ ବୋଲି ଦର୍ଶାଇଥିଲେ ।

 

“ପୁନଶ୍ଚ ସେ କାଳର ନବଯୁବକ ପୁରାତନ ରୀତିନୀତି ଓ ଧର୍ମଧାରଣାକୁ ଦୂଷଣୀୟ ମଣି ତଥାକଥିତ ବିଳାସ- ବ୍ୟସନ ଓ ସୁରାସାକୀରେ କିପରି ପ୍ରମତ୍ତ ତାହା ସୂଚେଇ ଦେଇଥିଲେ । ତତ୍ପରେ ବାଲ୍ୟ ବିବାହର ଦୋଷାଦୋଷ ପ୍ରଦର୍ଶନ ସହିତ ସେ ସମୟରେ ମୁକ୍ତାର, ଅମଲାଙ୍କ ଲାଞ୍ଚ ଘୋଷ ନେବା ପ୍ରସଙ୍ଗର ବିବରଣୀ ପ୍ରଦାନ କରି ଉପସ୍ଥିତ ଶ୍ରୋତାମଣ୍ଡଳୀକୁ ନିଶାଦ୍ରବ୍ୟ ସେବନ, ଉତ୍କୋଚ ଗ୍ରହଣରୁ ନିବୃତ୍ତ ରହିବାକୁ ଆହ୍ୱାନ ଦେଇଥିଲେ । ତାଙ୍କ ଦୃଷ୍ଟିରେ ଚାକିରୀରେ ସାମାନ୍ୟତମ ସ୍ୱାଧୀନତା ନଥାଏ । ଏଣୁ ସ୍ୱାଧୀନ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠାହିଁ ଜାତୀୟ ଜୀବନ ଗଠନର ଭିତ୍ତିଭୂମି ହେବା ବାଞ୍ଛନୀୟ । ସେ ଖେଦ ପ୍ରକାଶପୂର୍ବକ ଏ ଦେଶର ବସ୍ତ୍ରାଦି ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ନ ହୋଇ ବିଲାତରୁ ଆମଦାନୀ ହେଉଥିବାର ଦର୍ଶାଇଥିଲେ । ଏ ଚିନ୍ତନ ପରବର୍ତ୍ତୀ କାଳରେ ଗାନ୍ଧି ପ୍ରମୁଖ ଜାତୀୟନେତାଙ୍କର ଆଦର୍ଶର ଅନୁରୂପ ।”

 

ପ୍ୟାରୀମୋହନଙ୍କ ଏସବୁ ବକ୍ତବ୍ୟର ଭୂୟସୀ ପ୍ରଶଂସା କରି ମଧୁସୂଦନ ରାଓ କହିଥିଲେ– ବକ୍ତା ମହାଶୟ ଯାହା ଆଲୋଚନା କଲେ ତାହା ବର୍ଷେକାଳ କହିଲେ ସରିବ ନାହିଁ । ତେବେ ତହିଁରେ ନାରୀ ଶିକ୍ଷା ସଂପର୍କରେ ଟିକିଏ ଦିଗ୍‍ଦର୍ଶନ ରହିବାର ଥିଲା ବୋଲି ରାଓ ମନ୍ତବ୍ୟ ଦେଇଥିଲେ । ଏଣୁ ପ୍ୟାରୀମୋହନଙ୍କ ଲେଖାରେ, ସଂବାଦ ପରିବେଷଣରେ ଏବଂ ବକ୍ତୃତାରେ ସବୁଠି ସଂସ୍କାରଧର୍ମୀ ଜାତୀୟବାଦୀ ଆଭିମୁଖ୍ୟ ପ୍ରକାଶ ପାଉଥିଲା । ସେ ହୁଏତ ଶୟନେ ସପନେ ଜାଗରଣେ ଏ ଦେଶ ଓ ଏ ଜାତିର ସ୍ଵକୀୟ ପ୍ରତିଷ୍ଠା ଓ ଉନ୍ନତି ପ୍ରସଙ୍ଗ ଚିନ୍ତା କରୁଥିଲେ ।

 

‘ଓଡ଼ିଶା ଇତିହାସ’ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ପ୍ରକାଶିତ ଏକମାତ୍ର କୃତି । ଏଥିରେ ସେ ଇତିହାସର ଗତାନୁଗତିକ ବିବରଣୀ ନ ଦେଇ ଏ ଜାତିର ଐତିହାସିକ ସ୍ୱରୂପକୁ ଦେଖିଛନ୍ତି, ଓଡ଼ିଆ ଜାତିର ଚେତନାର ଚୌହଦୀ ଖୋଜିବାକୁ ଚେଷ୍ଟା କରିଛନ୍ତି । ଏହା ଓଡ଼ିଆରେ ଲିଖିତ ପ୍ରଥମ ଇତିହାସ । ଏଥିରେ ତଥ୍ୟଗତ ତ୍ରୁଟିବିଚ୍ୟୁତି ରହିଛି, ତେବେ ଲେଖକଙ୍କର ଇତିହାସୋନ୍ମୁଖ ମାନସର ମୁଦ୍ରାଙ୍କର ଅଭାବ ନାହିଁ । ସ୍କୁଲରେ ପାଠ୍ୟପୁସ୍ତକରୂପେ ଚଳିବାପାଇଁ ଏହା ରଚିତ ହେଲେହେଁ ରାଜାରାଜୁଡ଼ାଙ୍କର କେବଳ ଜୀବନ ସାରଣୀ ନ ହୋଇ ଓଡ଼ିଆ ଜାତି, ସଂସ୍କୃତି, ଶିଳ୍ପକଳା, ଜୀବନଧାରା ଓ ଜନ ସମବାୟର ବାର୍ତ୍ତାପ୍ରଦାନରେ ସହାୟକ ହୋଇପାରିଛି । ଏହା ଆଠଟି ଅଧ୍ୟାୟରେ ବିଭକ୍ତ । ପ୍ରଥମ ଅଧ୍ୟାୟରେ ଓଡ଼ିଶାର ଭୂଗୋଳ, ପ୍ରାକୃତିକ ସ୍ଥିତି, ସାଂସ୍କୃତିକ ବଳୟ ଓ ପ୍ରାକୃତିକ ସଂପଦାଦିର ପରିଚୟ; ଦ୍ଵିତୀୟ ଅଧ୍ୟାୟରେ ଓଡ଼ିଶାର ଆଦିମ ଇତିହାସ, ଧର୍ମ ଧାରଣା, ପୁରାଣ କିମ୍ବଦନ୍ତୀରେ ଓଡ଼ିଶାର ଜନଜୀବନ; ତୃତୀୟ ଅଧ୍ୟାୟରେ କେଶରୀ ବା ସୋମବଂଶୀ ରାଜାଙ୍କ ବିବରଣୀ; ଚତୁର୍ଥ ଅଧ୍ୟାୟରେ ଗଙ୍ଗବଂଶର ଚରିତ; ପଞ୍ଚମରେ ଓଡ଼ିଶା ସ୍ୱାଧୀନତା ଲୋପର ବିଷାଦ କାହାଣୀ; ଷଷ୍ଠ ଅଧ୍ୟାୟରେ ମୁସଲମାନ ଓ ମୋଗଲ ଶାସନ; ସପ୍ତମରେ ମରହଟ୍ଟା ଶାସନ ଓ ଅଷ୍ଟମରେ ଇଂରେଜ ଶାସନର ଇତିବୃତ୍ତି କଥା ପ୍ରଦତ୍ତ ଏବଂ ପରିଶିଷ୍ଟ ଭାଗରେ ଐର ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ଓ ଧଉଳୀ ଅଶୋକ ଶିଳାଲେଖର ଓଡ଼ିଆ ଅନୁବାଦ ପ୍ରଦତ୍ତ । ବସ୍ତୁତଃ ପ୍ୟାରୀମୋହନଙ୍କ ‘ଓଡ଼ିଶା ଇତିହାସ’କୁ ଓଡ଼ିଶା-ଜୀବନ ଓ ରାଜନୈତିକ ପ୍ରେକ୍ଷାପଟ୍ଟର ସ୍ୱରୂପ ପ୍ରଦାନର ପ୍ରଥମ ଆନ୍ତରିକ ପ୍ରଚେଷ୍ଟା ବୋଲାଯାଇପାରେ ।

 

‘ଓଡ଼ିଶା ଇତିହାସ’ ଲେଖିବାରେ ପ୍ୟାରୀମୋହନ ଅନୁପ୍ରେରିତ ହେବାର କାରଣ ସଂପର୍କରେ ଗୌରୀଶଙ୍କର ରାୟ ଉତ୍କଳଦୀପିକା (୨୦ । ୯ । ୧୮୭୯)ରେ ଲେଖିଥିଲେ- ଓଡ଼ିଆ ଭାଷାରେ ଓଡ଼ିଶାର ଇତିହାସ ନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ସଟନ ସାହେବଙ୍କ ସଂକଳିତ ପୁସ୍ତକ କେବଳ ତାଙ୍କ ଭାଷା ଇତିହାସ ଅଟଇ । ଓଡ଼ିଶା ଶିକ୍ଷା ବିଭାଗର କର୍ମଚାରୀମାନେ ଏ ଗୁରୁତର ଅଭାବ ମୋଚନ କରିବା ଉଦ୍ଦେଶ୍ୟରେ ସନ ୧୮୭୫ ମସିହାରେ ଖଣ୍ଡିଏ ଉତ୍ତମ ଓଡ଼ିଶାର ଇତିହାସ ସକାଶେ ଟ୩୦୦ଙ୍କା ପାରିତୋଷିକ ଦେବା ବିଷୟରେ ବିଜ୍ଞାପନ ଦେବାରୁ ତହିଁର ଫଳ ରୂପ ଏ ପୁସ୍ତକ ଖଣ୍ଡି ବାହାରି ଅଛି । ଆମ୍ଭେମାନେ ଏହାର ଅନେକାଂଶ ପାଠ କରି ଅତ୍ୟନ୍ତ ଆନନ୍ଦଲାଭ କରିଅଛୁଁ ଏବଂ ବିବେଚନା କରୁଁ ଯେ ଗଭର୍ଣ୍ଣମେଣ୍ଟଙ୍କ ପ୍ରଦତ୍ତ ଟଙ୍କା ସତ୍ପାତ୍ରରେ ପତିତ ହୋଇ ସୁନ୍ଦର ଫଳ ଲାଭ କରିଅଛି ।’’ ଶ୍ରୀ ରାୟଙ୍କ ଏ ମନ୍ତବ୍ୟ ଅମୂଳକ ନ ଥିଲା । ଏହା ଷ୍ଟାର୍ଲିଂ, ହଣ୍ଟର, ଟଏନବି ରଙ୍ଗ ଲାଲ ବନ୍ଦ୍ୟୋପାଧ୍ୟାୟ ଓ ରାଜେନ୍ଦ୍ର ଲାଲ ମିତ୍ରଙ୍କ ଇଂରାଜୀରେ ଲିଖିତ ଇତିହାସ ଅପେକ୍ଷା ଅଧିକ ତଥ୍ୟ ଆଧାରିତ । ଏହାର ପରିବେଷଣ ପରିପାଟୀ ମଧ୍ୟ ସୁନ୍ଦର ଥିଲା । ବିଭିନ୍ନ ସୂତ୍ରରୁ ଆହୃତ ଉପାଦାନମାନଙ୍କୁ ରୁଚିକରଭାବେ ଉପସ୍ଥାପନ କରିବାରେ ଲେଖକଙ୍କର ଦକ୍ଷତାକୁ ମଧ୍ୟ ଦୀପିକା ଲକ୍ଷ୍ୟ କରିଥିଲେ ଏବଂ ଏହାର ବହୁଳ ପ୍ରଚାର ପାଇଁ ନିବେଦନପୂର୍ବକ ଲେଖିଥିଲେ– ‘‘ପରିଶେଷରେ ଆମ୍ଭେମାନେ ଓଡ଼ିଶାବାସୀ ଜନସାଧାରଣଙ୍କୁ, ବିଶେଷରେ ରାଜା ଜମିଦାର ପ୍ରଭୃତିଙ୍କୁ ଏ ଗ୍ରନ୍ଥ ପାଠକରି ଏଥି ଲିଖିତ ବିଷୟମାନ ଆଲୋଚନା କରିବାକୁ ପ୍ରାର୍ଥନା କରୁଁ । ତାହାହେଲେ ସେମାନେ ସ୍ୱଦେଶର ପୂର୍ବକାଳର ଗୌରବକୁ ସ୍ମରଣ ରଖି ପୁନର୍ବାର ପ୍ରତ୍ୟକ୍ଷ କରିବାକୁ ବ୍ୟଗ୍ର ହେବେ ଏବଂ ଉତ୍ସାହପୂର୍ବକ ଉନ୍ନତିର ଚେଷ୍ଟା କରିବେ । (ଦୀପିକା ୨୦।୯। ୧୮୭୩) ବସ୍ତୁତଃ ପ୍ୟାରୀମୋହନଙ୍କ ‘ଓଡ଼ିଶାର ଇତିହାସ’ ତାତ୍କାଳିକ ଲିଖିତ ଇତିହାସମାନଙ୍କ ମଧ୍ୟରେ ଶୀର୍ଷସ୍ଥାନ ଅଧିକାର କରିଥିଲା, ଏଥିରେ ଦ୍ୱିମତ ନାହିଁ-।

 

ଐତିହାସିକ ଟଏନବି ‘Civilization on Trial’ ଗ୍ରନ୍ଥରେ ଇତିହାସର ସ୍ଵରୂପ ଅବଧାରଣ ପ୍ରସଙ୍ଗରେ ଲେଖିଛନ୍ତି– “ଇତିହାସ ଜ୍ୟୋତିଷ ସୃଷ୍ଟ ଜନ୍ମପତ୍ରିକା ନୁହେଁ, ଏହା ନାବିକର ନୌଯାତ୍ରା ପ୍ରଦର୍ଶକ ମାନଚିତ୍ର-ସଦୃଶ ମନୁଷ୍ୟର ସହାୟକ’ । ଏଣୁ ଉତ୍କଳୀୟ ଚେତନାର ଅନ୍ୟତମ ଜାଗ୍ରତ ପ୍ରହରୀ ଗୌରୀଶଙ୍କର ଶ୍ରୀ ଆଚାର୍ଯ୍ୟଙ୍କ କୃତିରେ ଇତିହାସ ରଚନାର ସେହି ଦିଗଟିକୁ ହୁଏତ ଲକ୍ଷ୍ୟ କରିଥିଲେ ।

 

ପ୍ୟାରୀମୋହନଙ୍କ ‘ଓଡ଼ିଶା ଇତିହାସ’ରେ ନିଛକ ସାହିତ୍ୟ-ରସ ଦେଖିବାକୁ ମିଳେନା । ଏହା ବାର୍ତ୍ତାମୁଖୀ ଗଦ୍ୟରଚନାର ଏକ ପ୍ରକୃଷ୍ଟ ନମୁନା । ଭାଷା ବର୍ଣ୍ଣନାଧର୍ମୀ ଓ ଯୁକ୍ତିନିଷ୍ଠ । ତହିଁରେ ସ୍ୱଚ୍ଛତା ଓ ସ୍ଵଚ୍ଛନ୍ଦତାକୁ ବି ଲକ୍ଷ୍ୟ କରାଯାଇପାରେ । ନଦୀ ଓ ତାର ଉତ୍ସ ନିର୍ଦ୍ଧାରଣ ପ୍ରସଙ୍ଗରୁ ଶ୍ରୀ ଆଚାର୍ଯ୍ୟଙ୍କ ଭାଷାର ସୁଷ୍ଠୁ ପ୍ରୟୋଗର ନମୁନାକୁ ଦେଖନ୍ତୁ - “ବର୍ଷାପାଣି, ଗଳିତ ବରଫ, ପ୍ରାକୃତିକ ଜଳପ୍ରସ୍ରବଣ ନଦୀ ଉତ୍ପତ୍ତିର ମୂଳ ହେତୁ । ଓଡ଼ିଶା ନଦୀମାନଙ୍କ ସଙ୍ଗେ ଗଳିତ ବରଫର କୌଣସି ସଂସ୍ରବ ନାହିଁ । ବର୍ଷା ଓ ଝରଣାପାଣି ଏଠା ସ୍ରୋତସ୍ୱତୀଚୟର ପ୍ରଧାନ ଉପାଦେୟ । ଗ୍ରୀଷ୍ମ ଓ ଶୀତକାଳରେ ଏମାନଙ୍କ ସୂକ୍ଷ୍ମସୂତ୍ରପାୟ [ଜଳଧାରା] ସୁବିସ୍ତୀର୍ଣ୍ଣ ବାଲୁକାଶଯ୍ୟା ମଧ୍ୟଦେଇ ଧୀରେ ଧୀରେ ସମୁଦ୍ର ଦିଗକୁ ଗତି ବିସ୍ତାର କରଇ । ବର୍ଷକାଳ ଉପସ୍ଥିତ ହେଲେ ଏମାନଙ୍କ ଆକାର ଏକାବେଳକେ ପରିବର୍ତ୍ତିତ ହୋଇଯାଏ । ସୂକ୍ଷ୍ମସୂତ୍ର ପ୍ରକାଣ୍ଡ ଗଣ୍ଡିରେ ପରିଣତ ହୁଏ ।’’ ଏଥିରେ ଭାଷାପ୍ରୟୋଗର ସୌଷ୍ଠବ ଓ ଚିତ୍ରଧର୍ମିତାକୁ ଦେଖିହୁଏ । ସ୍ଥଳବିଶେଷରେ ନଈର ନାମକରଣ ସହ ଜନଶ୍ରୁତି ଓ ଲୋକ ବିଶ୍ୱାସକୁ ବି ଗୁନ୍ଥିଦେଇଛନ୍ତି ଯେମିତି କି ‘କାଠଯୋଡ଼ୀ’ ପ୍ରସଙ୍ଗରେ କୁହାଯାଇଛି-– ‘‘ପ୍ରବାଦ ଅଛି ଏକ ସମୟରେ କାଠଯୋଡ଼ୀ ନଦୀକି ଲୋକେ ଦୁଇଖଣ୍ଡ କାଠପକାଇ ପାର ହେଉଥିଲେ । ବର୍ତ୍ତମାନ ଏହା ଅର୍ଦ୍ଧକୋଶାଧିକ ବିସ୍ତୃତ ହୋଇଅଛି । ସେହିପରି ବୈତରଣୀ ନଦୀର ବର୍ଣ୍ଣନା ଅବସରରେ ଲୋକ ବିଶ୍ୱାସକୁ ବି ଯୋଡ଼ିଦିଆଯାଇଛି । ‘‘ବୈତରଣୀ ଦୁଇ ପାହାଡ଼ଗହ୍ୱର ମଧ୍ୟରୁ ବାହାରିଅଛି ବୋଲି ଲୋକେ ଏହାକୁ ଗୋମୁଖୀ ପର୍ବତରୁ ବାହାରିଥିବାର କହି ଯମଦ୍ଵାର ପର୍ଯ୍ୟନ୍ତ ଏହାର ବିସ୍ତୃତି ଅନୁମାନ କରିଅଛନ୍ତି ।’’ ଫଳରେ ଏହା ଇତିହାସ ଗ୍ରନ୍ଥ ହେଲେ ମଧ୍ୟ ବିଦଗ୍ଧ ସମାଜ ତଥା ଜନଗୋଷ୍ଠୀ ଉଭୟ କୁଳର ହୃଦୟଗ୍ରାହୀ ହୋଇପାରିଛି ।

 

ବହୁସମୟରେ ଲେଖକ ଇତିହାସ ପଞ୍ଜରରେ ଶିଳ୍ପ ସ୍ଥାପତ୍ୟର କଥା କହିଲାବେଳେ ବିହ୍ୱଳ ହୋଇ କହିପକାନ୍ତି–“ଯାଜପୁର ଓ ଭୁବନେଶ୍ୱରରେ ଶାଢ଼ୀ, ଛିଟବସ୍ତ୍ର, ଟୋପର (ମୁକୁଟ), ଉଷ୍ଣୀଷ ଓ ନାନାପ୍ରକାର ବାଦ୍ୟଯନ୍ତ୍ର ଓ ଅସ୍ତ୍ରଶସ୍ତ୍ରାବଳୀର ଯେଉଁପ୍ରକାର ସୁଷମା, ଚାତୁର୍ଯ୍ୟ ଓ ଚାରୁତାର ସହିତ ଖୋଦିତ ହୋଇଅଛି, ସେ ସବୁ ଦେଖିଲେ ଓ ଚିନ୍ତାକଲେ ଚିତ୍ତ ସ୍ତମ୍ଭୀଭୂତ ହୁଏ । ଯେଉଁ ଶିଳ୍ପକାରମାନେ ଓଡ଼ିଶାର ଶିଳ୍ପୋନ୍ନତିର ଏପରି ଚୂଡ଼ାନ୍ତ ଉଦାହରଣମାନ ଏକ ସମୟରେ ଦେଖାଇଥିଲେ, ବର୍ତ୍ତମାନ ସେମାନେ ମୁହୂର୍ତ୍ତକ ସକାଶେ ଓଡ଼ିଶାର ଦୁରବସ୍ଥା ଦେଖିବା ନିମନ୍ତେ ମର୍ତ୍ତ୍ୟକୁ ଆଗମନ କଲେ ଉଷ୍ଣଶ୍ୱାସ ନିକ୍ଷେପ ନ କରି ରହିପାରିବେ ନାହିଁ ।” ଏ ଉକ୍ତି ଭିତରେ ଉତ୍କଳପ୍ରାଣ ଦରଦୀ ମଣିଷଟିର ସଂବେଦନଶୀଳ ଆଭିମୁଖ୍ୟଟି ଫୁଟିଉଠେ । ଏହା କେବଳ ସାହିତ୍ୟିକ-ସୁଲଭ ଅନୁଚିନ୍ତନ ।

 

କବି ମଧୁସୂଦନ ତାଙ୍କର ପ୍ରିୟ ସୁହୃଦ ଦେବାତ୍ମା ଶ୍ରୀ ପ୍ୟାରୀମୋହନ ବୋଲି ମୃତ୍ୟୁ ଅନ୍ତେ ସମ୍ଭାଷଣ କରି କବିତା ଲେଖିଥିଲେ । ସେ ଥିଲେ ପୁଣ୍ୟାତ୍ମା; ସିଂହ ବିକ୍ରାନ୍ତ ହୃଦୟର ଅଧିକାରୀ; ତାଙ୍କଠାରେ କଠୋର ଓ କୋମଳ ଉଭୟବିଧ ମନସ୍କତାର ମଧୁର ସମନ୍ୱୟ ଘଟିଥିଲା । ତାଙ୍କଠି ଫୁଟି ଉଠୁଥିଲା ଉତ୍ସାହ-ଅନଳର ପୁଣ୍ୟ ଦୀପ୍ତି । ସେ ଥିଲେ ପ୍ରେମ ଓ କରୁଣାର ମଣିଷ । ତାଙ୍କର ବନ୍ଧୁପ୍ରୀତି ବିଶେଷତଃ ମଧୁସୂଦନଙ୍କ ସହିତ ଜୀବନର ଶେଷଯାଏ ଅତୁଟ ଥିଲା । ସେ ଅନ୍ୟାୟ ଅନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଣ୍ଡିତ ଗୋବିନ୍ଦ ରଥକୁ ଉତ୍ସାହିତ କରିଥିଲେ । ବାଙ୍କିର ଡେପୁଟୀ ମାଜିଷ୍ଟରଙ୍କ ଅତ୍ୟାଚାର ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ଯେପରି ପ୍ରମାଣିତ ହୁଏ, ସେ ସମ୍ପର୍କରେ ପଣ୍ଡିତ ରଥଙ୍କୁ ତା ୨୦।୮। ୧୮୮୦ର ଚିଠିରେ ସତର୍କ କରାଇ କହନ୍ତି–“ସାବଧାନ, ଯତୋ ଧର୍ମସ୍ତତୋଜୟଃ । ଏହା ସ୍ଥିର ଜାଣି ଯଥାସାଧ୍ୟ ଚେଷ୍ଟା କର । ଭଗବାନ ଯାହା କରିବେ । ବଙ୍ଗୀୟ ଓ ଉତ୍କଳର ସମସ୍ତ ସମ୍ବାଦପତ୍ରମାନଙ୍କୁ ଏ ସମ୍ବାଦ ପଠାଅ’ । ଏଥିରୁ ଶ୍ରୀ ଆଚାର୍ଯ୍ୟଙ୍କ ନିର୍ଭୀକ ଦୃଷ୍ଟି ଓ ସଂଗ୍ରାମୀମନର ପରିଚୟ ମିଳିଥାଏ ।

 

 

ପୂର୍ବରୁ କୁହାଯାଇଛି ପ୍ୟାରୀମୋହନ ଥିଲେ ସାହିତ୍ୟପ୍ରାଣ ବ୍ୟକ୍ତିସତ୍ତା । ମଧୁସୂଦନ ରାଓଙ୍କ ସହ ୧୮୬୮ରେ ଏକତ୍ର ବ୍ରାହ୍ମଧର୍ମ ଗ୍ରହଣ କଲାପରେ ଉଭୟଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ପ୍ରତିଷ୍ଠିତ ହୋଇଥିଲା । ଉଭୟ ଥିଲେ ସତ୍ୟବାକ୍ ଓ ଧର୍ମପ୍ରାଣ ମଣିଷ । ଉଭୟଙ୍କର ବନ୍ଧୁତାରେ କଳ୍ମଷତା ନଥିଲା । ତାହା ମଧୁସୂଦନଙ୍କ ‘ଦେବାତ୍ମା ଶ୍ରୀ ପ୍ୟାରୀମୋହନ ଆଚାର୍ଯ୍ୟ’ ସନେଟରେ ସୂଚିତ ହୋଇଥିଲେହେଁ ଅଧିକ ଚାକ୍ଷୁଷ ହୋଇ ଉଠିଥିଲା । ସ୍ୱୟଂ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ରଚିତ ‘ଦୁଇମିତ୍ର’ ଶୀର୍ଷକ ଅସମାପ୍ତ କବିତାରେ ।

 

‘ଦୁଇମିତ୍ର’ କବିତାଟି ୧୮୮୪ ମସିହା ନଭେମ୍ବର ମାସରେ ‘ସଂସ୍କାରକ ଓ ସେବକ’ରେ ପ୍ରକାଶ ପାଇଥିଲା । ମଧୁସୂଦନ ଅଶ୍ରୁଭରା ନୟନରେ ଏ କବିତାର ଶିରୋନାମାତଳେ ଲେଖିଥିଲେ- ‘‘ଓଡ଼ିଶା ଇତିହାସ ରଚୟିତା, କଟକ ଏକାଡେମୀ ସ୍କୁଲର ସ୍ଥାପୟିତା, ଆମ୍ଭମାନଙ୍କର ପରଲୋକବାସୀ ମିତ୍ର ଶ୍ରୀମାନ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଏହି ଅସଂପୂର୍ଣ୍ଣ କବିତାଟିକୁ ମୃତ୍ୟୁର କିଛିଦିନ ପୂର୍ବରୁ ଲେଖିଥିଲେ–ଶ୍ରୀ ମ’’ (ସଂସ୍କାରକ ଓ ସେବକ ୨ । ୩ ପୃ.୧୯) ।

 

କବିତାର ପ୍ରାରମ୍ଭରୁ ଦୁଇ ବନ୍ଧୁଙ୍କର ସଂପର୍କ ଓ ବନ୍ଧୁତ୍ଵର ଅନାବିଳ ପ୍ରବାହ ପ୍ରଦର୍ଶିତ । ପ୍ରଥମରୁ ହିଁ ମହନୀୟ ବନ୍ଧୁତ୍ୱ ସଂପର୍କିତ ଅସରନ୍ତି ପ୍ରଶ୍ନ –

 

‘‘କାହିଁ ଥିଲି ମୁହଁ କାହିଁଥିଲ ତୁମ୍ଭେ

କି ରୂପେ ମିଳିଲୁ କେଉଁଠୁ ଆସି ?

କେଉଁଠୁ ଆସି ?

କେଉଁଠାରେ ଆସି କି ଶକ୍ତି ବଳରେ

ଏହି ସଂସାରରେ ଅଛୁଁ ବିକଶି ?

ଅଛୁଁ ବିକଶି ?”

 

ଏ ପ୍ରଶ୍ନଗୁଡ଼ିକ ଯେପରି ବିସ୍ମୟବାଚକ ସେହିପରି ହୃଦୟଘେନା । ପ୍ୟାରୀମୋହନ ନିଜର ସତୀର୍ଥ-ମିତ୍ରଙ୍କୁ ଭଲ କରି ଚିହ୍ନିଥିଲେ । ମଧୁସୂଦନଙ୍କ ଭାବୁକସୁଲଭ ଚିତ୍ତ ଖିଆଲବାଗୀ ପ୍ୟାରୀମୋହନଙ୍କୁ କମ୍‍ ମୁଗ୍ଧ କରି ନ ଥିଲା । ଏକ ପାଖରେ ଖିଆଲବାଗୀ ମଣିଷଟାଏ, ଅନ୍ୟ ପକ୍ଷରେ ଋଷିସୁଲଭ କବିଟିଏ କିପରି ମିଶିପାରିଲେ ଏହାହିଁ ଆଶ୍ଚର୍ଯ୍ୟର ବିଷୟ । ଖିଆଲବାଗୀ ନ ହେଲେ କବି ହୋଇ ହୁଏନା । ପୁଣି ଖିଆଲୀ ମନଟାତ କବିତାକୁ ଜନ୍ମଦିଏ, ଏ କଥା ହୁଏତ ପ୍ୟାରୀମୋହନଙ୍କୁ ଅଜଣା ନ ଥିଲା । ତଥାପି ସେ ପ୍ରଶ୍ନ କରି ଉଠିଥିଲେ –

 

‘ମୁଁ ବା କେଉଁଠାରୁ ତୁମ୍ଭେ କେଉଁଠାରୁ

ଏଠି ଦୁହେଁ ଏକ, ଏକି କୁହୁକ ?

ଏକି କୁହୁକ ?

 

ବୈଚିତ୍ର୍ୟ ସଂପାଦନହିଁ ଜଗତର ଧର୍ମ । ଆପାତତଃ ବିପରୀତମୁଖୀ ମନେହେଲେ ହେଁ ଉଭୟଙ୍କର ଜୀବନପ୍ରତି ଆଭିମୁଖ୍ୟ ଓ ଚିତ୍ତବୃତ୍ତିରେ ଅନୁରୂପତା ରହିଥିଲା । ଏଣୁ ପରବର୍ତ୍ତୀ ପଂକ୍ତିରେ ଉଭୟଙ୍କର [ସଂପର୍କ] କିପରି ଅକ୍ଷୟ ଓ ଚିରନ୍ତନ ତାହା ବର୍ଣ୍ଣନା କରାଯାଇଛି । ପ୍ୟାରୀମୋହନଙ୍କ ଭାଷାରେ ‘‘କୁହୁକ କଳ୍ପନା ନୁହେଁ, ଏ ମିଳନ ନୁହେଁ ଆଜି କାଲିର ।’’ ପୁଣି ଏ ମିଳନ ଗଣ୍ଠି ଜାଗତିକ ନୁହେଁ, ଶାଶ୍ଵତତ୍ଵ ହିଁ ଏହାର ଭିତ୍ତିଭୂମି ।

 

ଏହାପରେ ପ୍ୟାରୀମୋହନ ମଧୁସୂଦନଙ୍କୁ ଓ ନିଜକୁ ଜଗତ ଜନନୀଙ୍କର ସ୍ତନନ୍ଧୟ ଶିଶୁରୂପରେ କଳ୍ପନା କରିଛନ୍ତି –

 

“ସେହି ମାତା ଗର୍ଭେ ତୁମ୍ଭେ ମୁହିଁଥିଲୁ

ଘଟିବା ଘଟନା ଗର୍ଭେ ଯେ ଧରେ

ଗର୍ଭେ ଯେ ଧରେ ।

ଯାର ଗର୍ଭେ ଥିଲା ଯେତେକ ଘଟିଛି

ଜଡ଼ କି ଅଜଡ଼ ବିଶ୍ୱ ଭିତରେ ।

ତୁମ୍ଭେ ମୁହିଁ ଗର୍ଭେ ଥିଲୁ ଯେତେବେଳେ

ସଙ୍ଗେ ଥିଲେ ଯାହା ଦେଖ ଦେଖିବ

ଦେଖ ଦେଖିବ ।’’

 

ଈଶ୍ଵରଙ୍କୁ ବ୍ରାହ୍ମଧର୍ମରେ ଜଗତ୍ ଜନନୀ ରୂପେ ପରିକଳ୍ପନା କରିବାର ବହୁ ଦୃଷ୍ଟାନ୍ତ ମଧୁସୂଦନ ରାଓଙ୍କ କବିତାରେ ରହିଛି । କେତୋଟି ଦୃଷ୍ଟାନ୍ତ ନିଆଯାଇପାରେ ।

 

୧.

ସେ ଆଦି ଜନନୀ ଦରଶନ ଲାଗି

ବ୍ୟାକୁଳ ସଦା ମୋ ମନ ।

(ପୃଥିବୀ ପ୍ରତି)

୨.

ଜୟ ଜଗଦମ୍ବା ନେତ୍ର ପ୍ରଭାମୂର୍ତ୍ତିମତୀ

ଆଶା ପ୍ରଭାମୟୀ

ବ୍ରହ୍ମାଣ୍ଡ ପାବନୀ ମାତଃ ଜୟ ଭଗବତୀ

ଜୟ ପୁଣ୍ୟମୟୀ ।

(ଆଶା)

 

ବ୍ରହ୍ମାଣ୍ଡ ଜନନୀ ମାଗେ କର ପ୍ରାଣ ଅଧିକାର

ଖେଳାଅ ପରାଣଲୀଳା ପ୍ରାଣେ ମୋର ଅନିବାର ।

(ସଙ୍ଗୀତମାଳ-୪୧)

 

ଜୟମା’ ଆନନ୍ଦମୟୀ ବିଶ୍ଵତାରିଣୀ

ଦୁଃଖ-ଭୟ-ନାଶିନୀ ସୁଖ-ଶାନ୍ତି-ଦାୟନୀ ।

(ସଙ୍ଗୀତମାଳ-୩୪)

 

ଏଥିରୁ ମନେହୁଏ ଈଶ୍ଵରଙ୍କୁ ଜଗତ୍ ଜନନୀରୂପେ ଗ୍ରହଣ କରିବା ରୀତି ଉଭୟ ବ୍ରାହ୍ମ ଧର୍ମରୁ ଗ୍ରହଣ କରିଛନ୍ତି । ଉଭୟଙ୍କୁ ବନ୍ଧୁତ୍ଵପାଶରେ ଆବଦ୍ଧ ହେବାରେ ବ୍ରାହ୍ମଚେତନା ସହାୟତା କରିଥିଲା । ଭୌତିକ ଉତ୍ଥାନପତନ ସତ୍ତ୍ୱେ ମଧୁସୂଦନହିଁ ଥିଲେ ପ୍ୟାରୀମୋହନଙ୍କ ପ୍ରାଣମିତ । ‘ଦୁଇମିତ୍ର’ କବିତାରେ ତାର ବର୍ଣ୍ଣନା ଦେବାକୁ ଯାଇ କୁହାଯାଇଛି –

 

“ଯେଉଁ ଅନିଳର ଭୀମ ପ୍ରକୋପରେ

ହିମାଳୟ ପରା ଗିରି ଚୂର୍ଣ୍ଣିତ

ଗିରି ଚୂର୍ଣ୍ଣିତ ।

ଯେଉଁ ମହାସିନ୍ଧୁ ଭୟଙ୍କର ରଡ଼ି

ଅନିଳ ସହିତେ ପୁଣି କମ୍ପିତ ।

ସେସବୁ ମଧ୍ୟେ ମୂଳ ଭୂତଚୟ

ତୁମ୍ଭ ମୋହ ସଙ୍ଗେ ଥାଇ ମିଶ୍ରିତ

କେତେ କ୍ରୀଡ଼ୁଥିଲେ ହେ ପ୍ରାଣମିତ

ହେ ପ୍ରାଣମିତ ।”

 

ବସ୍ତୁତଃ ଏ ଦୁଇ ମିତ୍ରଙ୍କ ମିତ୍ରତା ଆଜିର ନୁହେଁ । ମହାକାଳ ସେମାନଙ୍କର ମିତ୍ରତା ନିକଟରେ ହାର ମାନିଛି । ପଞ୍ଚଭୌତିକ ସଭାର ଉତ୍ପତ୍ତି ସହ ଜୀବନର ଆବିର୍ଭାବ ହେଲାଦିନୁ ସେ ଉଭୟ ବନ୍ଧୁତା ପାଶରେ ଆବଦ୍ଧ । ପ୍ୟାରୀମୋହନଙ୍କ କଥାରେ କହିଗଲ –“ଜଡ଼ ଅଜଡ଼ର ସଂଯୋଗ ବିଚ୍ଛେଦ କ୍ଷଣିକ, କିନ୍ତୁ ସେମାନଙ୍କର ବନ୍ଧୁତ୍ଵର ବିଲୟ ନାହିଁ । ତାହା କାଳ ବକ୍ଷରେ ଅମ୍ଳାନ କୁସୁମ ପରି ବିକଶିତ । ସେଥିରେ ଗ୍ଲାନିମା ନାହିଁ, ଅଛି ଅନନ୍ତ ମାଧୁର୍ଯ୍ୟ ଓ ବନ୍ଧୁତାର ଅଶେଷ ସୁରଭି ।’’

 

ମଧୁସୂଦନ ପ୍ୟାରୀମୋହନଙ୍କ ପରଲୋକରେ (୨୮।୧୨। ୧୮୮୧) ଏକାନ୍ତ ମ୍ରିୟମାଣ ହୋଇ ପଡ଼ିଥିଲା ଏବଂ ଦେବାତ୍ମା ଶ୍ରୀପ୍ୟାରୀମୋହନ ଆଚାର୍ଯ୍ୟ’ ସନେଟ ରଚନା କରି ଦେବଧାମରେ ପ୍ରାଣସଖା ପ୍ୟାରୀମୋହନଙ୍କୁ ବ୍ରହ୍ମପାଦତଳେ ନିମଗ୍ନଥିବାର ଚିତ୍ର ଆଙ୍କିଥିଲେ । ପୁଣି ୧୯୧୨ ମସିହାରେ ସେହି ଡିସେମ୍ବର ୨୮ ତାରିଖରେ ମଧୁସୂଦନ ପରଲୋକଗମନ ପୂର୍ବରୁ ପ୍ରିୟବଂଧୁ ପ୍ୟାରୀମୋହନଙ୍କୁ ସ୍ମରଣ କରିଥିଲେ ବୋଲି ମୃତ୍ୟୁଞ୍ଜୟ ରଥ ଉଲ୍ଲେଖ କରିଛନ୍ତି ।

 

ଏସବୁ ଯାହାହେଉ ପ୍ୟାରୀମୋହନ ମାନସିକରାଜ୍ୟରେ ମଧୁସୂଦନଙ୍କ ତୁଲ୍ୟ ଥିଲେ କ୍ରାନ୍ତଦ୍ରଷ୍ଟା ମଣିଷ । ସେ ଏହି ଗୋଟିଏ କବିତା ଛଡ଼ା ଆଉ କବିତା ଲେଖି ନାହାନ୍ତି; ଅଥଚ ତାଙ୍କର ଥିଲା କବିର ହୃଦୟ, ଋଷିର ଆଖି ଏବଂ ନିତ୍ୟକାଳର ମଣିଷର ଚାହାଣି । ତାଙ୍କର ସ୍ଵଳ୍ପ ଜୀବନର କରଣି ଏବଂ ମନ୍ତ୍ରିତ ବାଣୀକୁ ଓଡ଼ିଆ ଜାତି ଆଜି ବି ଗୁଣି ହୁଏ । ଓଡ଼ିଆ ଜାତିର ଜୀବନାକାଶରେ ତାରାପରି ଏବେ ବି ଜକ ଜକ କରନ୍ତି । ଓଡ଼ିଆ ଜାତି ପ୍ୟାରୀମୋହନଙ୍କୁ ହେଜି ହୁଏ । ସାଂପ୍ରତିକ କାଳରେ ତାଙ୍କ ପରି ମଣିଷଙ୍କର ଆବିର୍ଭାବ ହିଁ ଏ ଜାତିର କାମ୍ୟ ।

ଯୋବ୍ରା ମଝିସାହି, କଟକ-୩

 

ଗଦ୍ୟଶିଳ୍ପୀ ପ୍ୟାରୀମୋହନ

ଡକ୍ଟର ଜ୍ୟୋତି ରଞ୍ଜନ ସାମଲ

 

ଆଧୁନିକ ଓଡ଼ିଆ ସାହିତ୍ୟର ଆଦିପର୍ବରେ ଗଦ୍ୟଶିଳ୍ପୀ ପ୍ୟାରୀମୋହନ ଆଚାର୍ଯ୍ୟ ଏକ ବିସ୍ମୟକର ପ୍ରତିଭା । ମାତ୍ର ଦଶବର୍ଷ (୧୮୭୧-୧୮୮୧) ତାଙ୍କ ସାହିତ୍ୟ ସାଧନା, ଅଥଚ ଏହି ଦଶବର୍ଷ ମଧ୍ୟରେ ହିଁ ସେ ଓଡ଼ିଆ ସାହିତ୍ୟକୁ ପ୍ରଦାନ କରି ଯାଇଛନ୍ତି କେତେକ ବିଶିଷ୍ଟ ଗଦ୍ୟ ରଚନା । ତାଙ୍କଦ୍ୱାରା ସଂପାଦିତ ‘ଉତ୍କଳପୁତ୍ର’ ଅଳ୍ପ କେତେବର୍ଷ ପ୍ରକାଶ ପାଇଥିଲେ ହେଁ ତାହା ସେ କାଳର ଓଡ଼ିଆ ସମ୍ବାଦପତ୍ର ମଧ୍ୟରେ ନେଇଥିଲା ଗୁରୁତ୍ଵପୂର୍ଣ୍ଣ ସ୍ଥାନ । ଏତଦ୍‌ଭିନ୍ନ ‘ଓଡ଼ିଶାର ଇତିହାସ’ (୧୮୭୯) ତାଙ୍କ ପ୍ରତିଭାର ଏକ ଦୀପ୍ତିମନ୍ତ ନିଦର୍ଶନ । ଯେତେବେଳେ ଓଡ଼ିଆ ଗଦ୍ୟର ନୂତନ ଉନ୍ମେଷ ଘଟୁଥାଏ ସେହିସମୟରେ ହିଁ ଆଚାର୍ଯ୍ୟ ପ୍ୟାରୀମୋହନଙ୍କର ଆବିର୍ଭାବ । ପ୍ରାଚୀନ ଓଡ଼ିଆ ଗଦ୍ୟଧାରା ଯେପରି ମାଦଳାପାଞ୍ଜି, ଚଇନିଙ୍କ ଚକଡ଼ା, ରୁଦ୍ରସୁଧାନିଧି, ଚତୁର ବିନୋଦ ଇତ୍ୟାଦିକୁ ନେଇ ସୃଷ୍ଟି ହୋଇଥିଲା, ସେହି ଗଦ୍ୟଶୈଳୀ ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଆଉ ଅନୁସୃତ ହେଲାନାହିଁ । ଏ ସମୟରେ ଇଂରେଜମାନେ ଓଡ଼ିଶାକୁ ଶାସନ କଲେ । ଖ୍ରୀଷ୍ଟିୟାନ ମିଶନାରୀମାନେ ବାଇବେଲକୁ ବିକୃତ ଓଡ଼ିଆରେ ଅନୁବାଦ କଲେ; ତାହା କିନ୍ତୁ ଆଦର୍ଶ ସ୍ଥାନୀୟ ଗଦ୍ୟ ହେଲା ନାହିଁ । ୧୮୪୯ ମସିହାରେ ପ୍ରକାଶିତ ଜ୍ଞାନଋତୀ, ୧୮୫୬ ମସିହାରେ ପ୍ରକାଶିତ ‘ପ୍ରବନ୍ଧ ଚନ୍ଦ୍ରିକା’ ଓ ୧୮୬୧ ମସିହାରେ ପ୍ରକାଶିତ “ଅରୁଣୋଦୟ ପତ୍ରିକାତ୍ରୟୀ ମିଶନାରୀ ପତ୍ରିକା ହୋଇଥିଲେ ମଧ୍ୟ ତାହାହିଁ ଆଧୁନିକ ଓଡ଼ିଆ ଗଦ୍ୟର ଭିତ୍ତିସ୍ଥାପନ କରିଥିଲା । ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ପରେ ପରେ କର୍ମଯୋଗୀ ଗୌରୀଶଙ୍କର ରାୟ ପ୍ରକାଶ କଲେ ଏକ କ୍ରାନ୍ତିକାରୀ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ । ଓଡ଼ିଆ ଭାଷା ଓ ସାହିତ୍ୟର ସଙ୍କଟ ମୁହୂର୍ତ୍ତରେ ‘ଉତ୍କଳ ଦୀପିକା’ର ଆବିର୍ଭାବ । ଏହା ଓଡ଼ିଶାର ତତ୍‌କାଳୀନ ନାନା ସମସ୍ୟାକୁ ପ୍ରକାଶ କରି ଉତ୍କଳର ନବଜାଗରଣ ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥିଲା । ଏହି ପତ୍ରିକା ଯେଉଁ ସାମ୍ବାଦିକୀ ଗଦ୍ୟ ଶୈଳୀଟିଏ ପରୀକ୍ଷା କଲା ତାହାହିଁ ଓଡ଼ିଆ ଗଦ୍ୟକୁ ଉତ୍ତରୋତ୍ତର ଉନ୍ନତି ପଥରେ ଆଗେଇଯିବା ଲାଗି ପ୍ରେରଣା ଦେଇଥିଲା ।

 

‘ଉତ୍କଳ ଦୀପିକା’ରେ ଯେଉଁ ଗଦ୍ୟ ବ୍ୟବହୃତ ହେଉଥିଲା । ତାହାର ଗୋଟିଏ ଦୃଷ୍ଟାନ୍ତ ପ୍ରଦାନ କରାଯାଉଅଛି । “ଅସହାୟ ବାଳକବାଳିକାଙ୍କୁ ରକ୍ଷା ପ୍ରସଙ୍ଗ ପ୍ରାୟ ତିନିମାସ ହେଲା ସାହାଯ୍ୟ କୁମେଟୀଙ୍କ ମନେ ପଡ଼ିଥିଲା ତତ୍ରାଚ ସେମାନଙ୍କ ଦୂରବସ୍ଥା ଯେ ଏପର୍ଯ୍ୟନ୍ତ ମୋଚନ ନ ହେଲା ଏଥିରେ ଦୋଷ କାହା ଉପରେ ଦିଆଯାଇପାରେ । ସାହାଯ୍ୟ କୁମେଟୀ ସୁବିଚାର ପୂର୍ବକ ପ୍ରଥମରୁ ଉଦ୍‌ଯୋଗୀ ହୋଇଥିଲେ ବର୍ତ୍ତମାନ ପିଲାମାନଙ୍କ ପକ୍ଷରେ କୌଣସି ବିଧାନ କରିବାର ଆବଶ୍ୟକ ହୁଅନ୍ତା ନାହିଁ । ସାହାଯ୍ୟ କୁମେଟୀର ମେମ୍ବରମାନେ ଏକ ଜଣ ହିନ୍ଦୁଛଡ଼ା ସମସ୍ତେ ଇଂରାଜୀ ଲୋକ ଅଟନ୍ତି ।’ (୧) ‘ଉତ୍କଳ ଦୀପିକା’ରେ ଯେପରି ଗଦ୍ୟ ପ୍ରକାଶ ପାଇଥିଲା ତାହା କ୍ରମେ ମାର୍ଜିତ ରୂପ ନେଲା । ମୋଟାମୋଟି ଭାବରେ ୧୮୭୦ ମସିହା ପର୍ଯ୍ୟନ୍ତ ଯେଉଁ ଗଦ୍ୟଧାରା ପ୍ରଚଳିତ ହୋଇ ଆସିଥିଲା ତାହା ଆଧୁନିକ ଓଡ଼ିଆ ସାହିତ୍ୟର ସୃଷ୍ଟି ପାଇଁ ଏତେଟା ଉତ୍ସାହଜନକ ନ ଥିଲା । କିନ୍ତୁ ୧୮୭୦ ମସିହା ପରଠାରୁ ହିଁ ଓଡ଼ିଆ ଗଦ୍ୟର ହେଲା ଭୂୟୋବିକାଶ । ଏହି ଗଦ୍ୟର ପ୍ରତିଷ୍ଠା ଦିଗରେ ଗୌରୀଶଙ୍କର ରାୟ, ଫକୀର ମୋହନ ସେନାପତି, ରାଧାନାଥ ରାୟ, ମଧୁସୂଦନ ରାଓ ଆଦିଙ୍କ ସହିତ ପ୍ୟାରୀମୋହନ ଆଚାର୍ଯ୍ୟ ମଧ୍ୟ ନେଲେ ଗୁରୁତ୍ଵପୂର୍ଣ୍ଣ ଭୂମିକା । ପ୍ୟାରୀମୋହନଙ୍କ କର୍ମମୟ ଜୀବନର ପୂର୍ବରୁ ଓଡ଼ିଶା ଥିଲା ଦୁର୍ଭିକ୍ଷ ପୀଡ଼ିତ । ୧୮୬୯-୭୦ ମସିହାରେ ଓଡ଼ିଆ ଭାଷାକୁ ଉଠାଇ ଦେବାପାଇଁ ମଧ୍ୟ ହୋଇଥିଲା ଏକ ହୀନ ଚକ୍ରାନ୍ତ । ଅତଏବ ଜୀବନ-ସଙ୍କଟ, ଭାଷା-ସଙ୍କଟ ଓ ସାହିତ୍ୟ-ସଙ୍କଟ ଭିତରୁ ହିଁ ପ୍ୟାରୀମୋହନଙ୍କର ହେଲା ଆବିର୍ଭାବ । ପ୍ୟାରୀମୋହନ ଛାତ୍ର ଜୀବନରୁ ହିଁ ଥିଲେ ସତ୍ୟନିଷ୍ଠ ଓ ସ୍ପଷ୍ଟବାଦୀ । ସେ କୌଣସି କଥାକୁ ଅନ୍ଧ ଭାବରେ ବିଶ୍ଵାସ କରୁନଥିଲେ । ତାଙ୍କ ଭିତରେ ତାର୍କିକ ଗୁଣ ପିଲାଦିନରୁ ହିଁ ବିକାଶ ଲାଭ କରିଥିଲା । ୧୮୬୯ ମସିହାରେ ସେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କଟକ କଲେଜରେ ଅଧ୍ୟୟନ କଲେ । ଏହି ସମୟରେ ତାଙ୍କର ଘନିଷ୍ଠ ସଂପର୍କ ଗଢ଼ିଉଠିଲା ସହପାଠୀ ମଧୁସୂଦନ ରାଓଙ୍କ ସହିତ । ଉଭୟେ ତତ୍‌କାଳୀନ ଅଧ୍ୟାପକ ହରନାଥ ଭଟ୍ଟାଚାର୍ଯ୍ୟଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ବ୍ରାହ୍ମଧର୍ମ ଗ୍ରହଣ କଲେ । ପ୍ୟାରୀମୋହନ ହେଲେ ସଂସ୍କାରକ । ୧୮୭୧ ମସିହାରେ ସେ ପ୍ରକାଶ କଲେ ଏକ ନୂତନ ସମାଲୋଚକ ମୂଳକ ପତ୍ରିକା ‘ଉତ୍କଳପୁତ୍ର’ । ସେ ନିଜେ ହେଲେ ତାର ସଂପାଦକ । ଏହି ନିର୍ଭୀକ ଯୁବକଙ୍କର ପଠନ ପିପିସା ବନ୍ଦ ହୋଇଗଲା ନାହିଁ । ସେ ଅଧ୍ୟୟନ କଲେ ନାନା ପୁସ୍ତକ ଓ ପତ୍ରପତ୍ରିକା । ତାଙ୍କର ଜ୍ଞାନର ପରିସୀମା ହେଲା ପରିବ୍ୟାପ୍ତ । ସେ ନିଜେ ପ୍ରତିଜ୍ଞା କଲେ କଟକ ସହରରେ ଏକ ନୂତନ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ । ବକ୍ସିବଜାର ନିବାସୀ କୃପାନିଧି ସାହୁଙ୍କ ପାଠଶାଳାକୁ ଗୋଟିଏ ବିଦ୍ୟାଳୟରେ ପରିଣତ କଲେ ଓ କ୍ରମେ ସେହି ବିଦ୍ୟାଳୟ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ ହୋଇ ୧୮୭୯ ମସିହାରେ ହାଇସ୍କୁଲରେ ପରିଣତ ହେଲା ।

 

ପ୍ୟାରୀମୋହନ କ୍ଷଣ ଜନ୍ମା । ମାତ୍ର ତାଙ୍କର ପ୍ରଜ୍ଞା ଓ ପ୍ରତିଭା ସୁଦୂରପ୍ରସାରୀ । ତାଙ୍କ ମୃତ୍ୟୁପରେ ତାଙ୍କ ପ୍ରତିଷ୍ଠିତ ବିଦ୍ୟାଳୟ ହେଲା ପ୍ୟାରୀମୋହନ ଏକାଡେମୀ । ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ଏହି ଅନୁଷ୍ଠାନ ଏକାନ୍ତ ମହିମାମୟ । ସେ ଉତ୍କଳପୁତ୍ର ପରି ପାକ୍ଷିକ ସମ୍ବାଦପତ୍ର ପ୍ରକାଶ କରିଛନ୍ତି ଓ ସେଥିରେ ଓଡ଼ିଶାର ନାନା ସମସ୍ୟାକୁ ଉପସ୍ଥାପନ କରି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଇଂରାଜୀ ଶିକ୍ଷା ଓ ସଂସ୍କୃତି ପ୍ରଭାବରେ ନୂତନ କରି ଓଡ଼ିଶାରେ ଯେଉଁ ବାବୁ-ସଂସ୍କୃତି ଗଢ଼ି ଉଠିଥିଲା ତାହା ଫଳରେ ଯେଉଁ ଅବକ୍ଷୟ ସୃଷ୍ଟି ହୋଇଥିଲା ତାହାକୁ ପ୍ୟାରୀମୋହନ ଉକ୍ତ ପତ୍ରିକା ମାଧ୍ୟମରେ କଠୋର ସମାଲୋଚନା କରିଅଛନ୍ତି । ଓଡ଼ିଆ ଭାଷାରେ ସର୍ବପ୍ରଥମେ ରଚନା କଲେ ଓଡ଼ିଶାର ଇତିହାସ (୧୮୭୯) । ଇତିପୂର୍ବରୁ ହଣ୍ଟର, ଷ୍ଟର୍ଲିଂ, ଟଏନବୀ, ମାର୍ଶମ୍ୟାନ, ରାଜେନ୍ଦ୍ରଲାଲ ମିତ୍ର ପ୍ରମୁଖ ଓଡ଼ିଶା ସଂପର୍କରେ ଯେତେ ଇତିହାସ ରଚନା କରିଥିଲେ ପ୍ୟାରୀମୋହନ ସେସବୁକୁ ଅଧ୍ୟୟନ କଲେ । କିନ୍ତୁ ତାହା ତାଙ୍କୁ ତୃପ୍ତି ଦେଇପାରିଲା ନାହିଁ । ଓଡ଼ିଶାର ପ୍ରାଚୀନ ଗ୍ରନ୍ଥ, ମାଦଳାପାଞ୍ଜି, ତାଳପତ୍ରରେ ଲିଖିତ ନାନା ପୋଥି ଓ ତମ୍ବାପଟ୍ଟା ଅନୁଧ୍ୟାନ କରି ସେ ରଚନା କଲେ ‘ଓଡ଼ିଶାର ଇତିହାସ’ ଓ ଏଥିପାଇଁ ସେ ତିନିଶହ ଟଙ୍କା ପୁରସ୍କାର ପାଇଥିଲେ । ଏହି ଇତିହାସଟି ପ୍ୟାରୀମୋହନଙ୍କ ସୂକ୍ଷ୍ମ ଦୃଷ୍ଟି ବିଚାର ଶକ୍ତି ଓ ଅଧ୍ୟବସାୟର ନିଦର୍ଶନ ।

 

ଐତିହାସିକ ପ୍ୟାରିମୋହନ ରଚନା କଲେ ଓଡ଼ିଶାର ଇତିହାସ । ଏହାହିଁ ହେଲା ଓଡ଼ିଆ ଭାଷାରେ ରଚିତ ଓଡ଼ିଶାର ପ୍ରଥମ ଇତିହାସ । ଏହି ଇତିହାସର ଛତ୍ରେ ଛତ୍ରେ ପ୍ୟାରୀମୋହନଙ୍କ ସ୍ୱାଭିମାନ ପ୍ରକଟିତ । ଏହି ପୁସ୍ତକର ଗଦ୍ୟଶୈଳୀ ମଧ୍ୟ ମାର୍ଜିତ । ଅଯଥା ଏଥିରେ ବାକ୍ ପଲ୍ଲବନ ନାହିଁ । ବରଂ ଏଥିରେ ଅଛି ସତ୍ୟ ଓ ତଥ୍ୟ ପ୍ରତି ଗଭୀର ମମତା । ୧୮୭୧ ମସିହାରେ ସେ ପ୍ରକାଶ କଲେ ପତ୍ରିକା ‘ଉତ୍କଳପୁତ୍ର’ । ଏହା ପୂର୍ବରୁ ପ୍ରକାଶ ପାଇଥିଲା ‘ଉତ୍କଳ ଦୀପିକା’ (୧୮୬୬), ବାଲେଶ୍ୱର ସମ୍ବାଦବାହିକା (୧୮୬୮) ଓ ଉତ୍କଳ ହିତୈଷିଣୀ (୧୮୬୯) । ପ୍ୟାରୀମୋହନ ପ୍ରକାଶ କଲେ ‘ଉତ୍କଳପୁତ୍ର’ ଯାହାର କେବଳ ମାତ୍ର ଲକ୍ଷ୍ୟ ନଥିଲା ସମ୍ବାଦ ପରିବେଷଣ; ସମ୍ବାଦ ସହିତ ମତ ଓ ମତାନ୍ତରକୁ ମଧ୍ୟ ଉପସ୍ଥାପନ କରିବା ହେଲା ଉଦ୍ଦେଶ୍ୟ । ପ୍ୟାରୀମୋହନ ଏକ ଜାତୀୟ ସଂକଳ୍ପ ନେଇ ପତ୍ରିକା ପ୍ରକାଶ କଲେ । ସେ ଥିଲେ ବ୍ରାହ୍ମ । ତେଣୁ ତାଙ୍କ ଭିତରେ ଗୋଟାଏ ନୈତିକ ମୂଲ୍ୟବୋଧ ପ୍ରକାଶ ପାଇଥିଲା । ଯେତେବେଳେ ସେ ଏହି ପତ୍ରିକା ପ୍ରକାଶ କଲେ ସେତେବେଳେ ଓଡ଼ିଆ ସାହିତ୍ୟ ଅତ୍ୟନ୍ତ ନିମ୍ନଗାମୀ ହୋଇଯାଇଥିଲା । ତେଣୁ ଉତ୍କଳ ସାହିତ୍ୟର ଦୁରବସ୍ଥା ସଂପର୍କରେ ଲେଖିଥିଲେ ‘ଶୁଦ୍ଧ ସାହିତ୍ୟର ଗତି, ଗତିସ୍ଥଳରେ ଆନନ୍ଦ ଦାୟକ ନୁହେଁ । ତେବେ ଏ ବିଭାଗରେ ପ୍ରକୃତ ଯାହା କିଛି ଅଛି ତାହା କେବଳ ପୂର୍ବକାଳୀୟ ଦୀର୍ଘ ଶବ୍ଦାଡମ୍ବର ବିଶିଷ୍ଟ, ସାତ୍ତ୍ୱିକ ଭାବପୂର୍ଣ୍ଣ, ଅଶ୍ଳୀଳ ଭାଷା ମଣ୍ଡିତ ଓ ସ୍ଥାନ ସ୍ଥାନରେ ଅବଶ୍ୟ ହୃଦୟମୋହନକାରୀ ସରଳଭାଷାରେ ଲିଖିତ, ସୁଲଳିତ ଓ ସ୍ଵାଭାବିକ ଭାବଯୁକ୍ତ, ଭଞ୍ଜବ୍ରହ୍ମା, ବାସ, ସାମନ୍ତସିଂହାର ପ୍ରଭୃତି କବି କଦମ୍ବଙ୍କ ଲୌହ ଲେଖନୀ ସମ୍ଭୂତ ଖଣ୍ଡି କେତେ କାବ୍ୟ । କିନ୍ତୁ ଏ ଗ୍ରନ୍ଥାବଳୀର ଅବସ୍ଥା ଏ ରୂପ ନୁହେଁ ଯେ ସୁକୁମାର ମତି ଶିଶୁ କି ଯୌବନୋନ୍ମୁଖୀ ବାଳକ ସମସ୍ତଙ୍କ ହସ୍ତରେ ଏସବୁକୁ ନିରାପଦରେ ଅର୍ପଣ କରାଯାଏ । (୨) ଏହି ପ୍ରସଙ୍ଗରୁ ସ୍ପଷ୍ଟ ଜଣାଯାଏ ଯେ ପ୍ୟାରୀମୋହନ ସାହିତ୍ୟର ଶୁଦ୍ଧତା ଉପରେ ଗୁରୁତ୍ୱ ଦେଇଅଛନ୍ତି । ସେ ଅଶ୍ଳୀଳ ସାହିତ୍ୟର ଘୋର ବିରୋଧୀ । ‘ଉତ୍କଳପୁତ୍ର’ ମାଧ୍ୟମରେ ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶ ଲାଗି ସେ ଆହ୍ୱାନ ଜଣାଇଅଛନ୍ତି । ସେ ହିଁ ପ୍ରଥମବ୍ୟକ୍ତି ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ତଥା ସାମଗ୍ରିକ ଭାବରେ ରୀତିକାବ୍ୟକୁ ସମାଲୋଚନା କରିଥିଲେ । ତାଙ୍କ ଭିତରେ ବ୍ରାହ୍ମଧର୍ମକୁ କେନ୍ଦ୍ର କରି ନୈତିକତାବୋଧ ଜାଗ୍ରତ ହୋଇଥିଲା । ତାହାହିଁ ତାଙ୍କୁ ଭଞ୍ଜ ସାହିତ୍ୟକୁ ଅଶ୍ଳୀଳ ଓ ଶବ୍ଦାଡମ୍ବର ବୋଲି କହିବାକୁ ବାଧ୍ୟ କରିଥିଲା । ସେ ଲେଖିଥିଲେ ‘ଉପେନ୍ଦ୍ର ଭଞ୍ଜଙ୍କର କବିତ୍ଵ ଶକ୍ତି ଊଣା ନଥିଲା, ମାତ୍ର ସଦ୍‌ରୁଚିର ଅଭାବ ଥିଲା । (୩) ଅତଏବ ପ୍ୟାରୀମୋହନ ଆଚାର୍ଯ୍ୟ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ସଂପର୍କରେ ଯେଉଁ ସମାଲୋଚନା କରିଥିଲେ ପରବର୍ତ୍ତୀ ସମୟରେ ଲାଲା ରାମନାରାୟଣ ରାୟ, ବିଶ୍ୱନାଥ କର ଓ ବିଜୟ ଚନ୍ଦ୍ର ମଜୁମଦାର ପ୍ରମୁଖ ସେହି ଦୃଷ୍ଟିକୋଣକୁ ହିଁ ଗ୍ରହଣ କରିନେଇଥିଲେ । ପ୍ୟାରୀମୋହନ ହିଁ ଓଡ଼ିଆ ସାହିତ୍ୟରେ ଶ୍ଳୀଳ ଓ ଅଶ୍ଳୀଳ ଚିନ୍ତାଧାରାକୁ ନେଇ ଯେଉଁ ସମାଲୋଚନା ଆରମ୍ଭ କରିଥିଲେ ତାହାହିଁ ପରବର୍ତ୍ତୀ ସମୟରେ ବହୁ ଲେଖକଙ୍କୁ ପ୍ରଭାବିତ କରିଥିଲା । ଏପରିକି ଏହି ଚିନ୍ତାଧାରାକୁ ୧୮୯୦ ମସିହା ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟରେ ଉପେନ୍ଦ୍ର ଭଞ୍ଜ ଓ ରାଧାନାଥଙ୍କୁ ନେଇ ଯେଉଁ ଚିତ୍ତ ସଂଘର୍ଷ ସୃଷ୍ଟି ହେଲା ତାହା ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଗଲା । ବିଶ୍ଵନାଥ କର ରାଧାନାଥଙ୍କୁ ସମାଲୋଚନା କରି ଲେଖିଥିଲେ ଯେ ତାଙ୍କ କାବ୍ୟରେ କୌଣସି ଉନ୍ନତ ପ୍ରେମ ଚିତ୍ର ନାହିଁ । ଏପରିକି ତାହା କେତେକ ସ୍ଥଳରେ ସୁରୁଚି ଓ ସୁନୀତିର ସୀମା ଲଙ୍ଘନ କରିଯାଇଛି । (୪) କବି ନନ୍ଦକିଶୋର ବଳ ମଧ୍ୟ ରାଧାନାଥଙ୍କ କାବ୍ୟର ସମାଲୋଚନା କରି କହିଛନ୍ତି ଯେ ‘ତାହା ପୃଥିବୀର, ସ୍ଵର୍ଗର ନୁହେଁ ତାହା କାମ; ପ୍ରେମ ନୁହେଁ । (୫) ।

 

ପ୍ୟାରୀମୋହନ ହିଁ ଓଡ଼ିଆ ସାହିତ୍ୟରେ ସୁନ୍ଦର ରୁଚି ଓ ନୈତିକ ମୂଲ୍ୟବୋଧର ଆଦି ପ୍ରବକ୍ତା । ତେଣୁ ଯେଉଁ ସାହିତ୍ୟକୁ ସେ ଅଶ୍ଳୀଳ ମନେକରିଛନ୍ତି ତାହାକୁ ସେ ସମାଲୋଚନା କରିଅଛନ୍ତି । ସାହିତ୍ୟରେ ସେ ଶବ୍ଦାଡ଼ମ୍ବରର ବିରୋଧୀ । ସରଳ, ସାବଲୀଳ ଓ ସ୍ଵାଭାବିକ ଭାଷା ବ୍ୟବହାର କରିବାର ସେ ଥିଲେ ପକ୍ଷପାତୀ । ସେ ଭାଷା ଓ ସାହିତ୍ୟର ଉନ୍ନତିପାଇଁ କୌଣସି ରାଜଶକ୍ତି ଉପରେ ନିର୍ଭର କରୁନଥିଲେ । ସାହିତ୍ୟ ପତ୍ରିକାର ପ୍ରସାର ଉପରେ ସେ ଗୁରୁତ୍ୱ ଦେଉଥିଲେ । ପତ୍ରିକା ନେଇ ଗ୍ରାହକମାନେ ପଇସା ଦେଉନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ-। ତାଙ୍କର ଉଦ୍ଦେଶ୍ୟ ଥିଲା ଓଡ଼ିଶାରେ ଏକ ଉନ୍ନତ ପାଠକଗୋଷ୍ଠୀ ସୃଷ୍ଟି କରିବା । ସେ କେବଳ ଯେ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଚିନ୍ତା କରୁଥିଲେ ତାହା ନୁହେଁ: ସାମାଜିକ କଲ୍ୟାଣ ପାଇଁ ମଧ୍ୟ ଉଦ୍ୟମ କରୁଥିଲେ । ଧର୍ମ ନାମରେ ଯେଉଁ ବୀଭତ୍ସତା ଦେଖାଯାଉଥିଲା ତାହାକୁ ସେ ସମାଲୋଚନା କରିଅଛନ୍ତି । ଶାସନ କ୍ଷେତ୍ରରେ ସ୍ୱେଚ୍ଛାଚାରିତାର ସେ ଥିଲେ ବିରୋଧୀ । ଶିକ୍ଷାନାମରେ ପାଶ୍ଚାତ୍ୟ ଅନୁକରଣୀକୁ ସେ ଆଦୌ ପସନ୍ଦ କରୁନଥିଲେ । ସେ କାଳର ସାମାଜିକ ପରିବେଶ ମଧ୍ୟରେ ସେ ଖୋଜୁଥିଲେ ଯଥାର୍ଥ ଉତ୍କଳ ପୁତ୍ରଙ୍କୁ । ସେ ଦେଖିଥିଲେ ଦୋଳ ଉତ୍ସବରେ ହିନ୍ଦୁମାନଙ୍କର ବୀଭତ୍ସ ଦୃଶ୍ୟକୁ । ଏହି ପ୍ରସଙ୍ଗରେ ସେ ଲେଖିଛନ୍ତି–ଯାହା ହେଉ ଭଣ୍ଡ ତାମସାର ପ୍ରାବଲ୍ୟ ଛାଡ଼ ନାହିଁ । ଆଜି ଧୂଲଣ୍ଡି, ସାଧାରଣତଃ ଆଜି ଦୋଳପର୍ବର ଶେଷ ଦିନ ପାଠକେ ! ଆଜି ଦେଖୁଛତ, ହିନ୍ଦୁ ସମାଜର କି ରୂପ ‘ଘୋର ଲାଲେଲାଲ’ ହୋଇଅଛି । ଆଜି ବାପପୁଅ ଭାଇ ଭଉଣୀ ସମସ୍ତେ ଲାଜ ମୁଣ୍ଡ ହଜମ କରି ଭଣ୍ଡଗୀତରେ, ଭଣ୍ଡ ରଙ୍ଗରେ ମାତି ଅଛନ୍ତି । ଫଗୁ ଓ ବକମ ପାଣିରେ ଜଡ଼ି ହୋଇ ଆଜି ପୁରୁଷେ ଏକ ଏକ ‘ରାମଶଙ୍କର’ ଅବତାର ! ଆଜି ଅବକାରୀ ବଜାର ଭାରି ଗରମ । (୬) ପ୍ୟାରୀମୋହନ ଇଂରାଜୀ ଶିକ୍ଷା ପ୍ରଭାବରେ ଯେଉଁ ନୂତନ ବାବୁ ଗୋଷ୍ଠୀର ଆବିର୍ଭାବ ଘଟିଥିଲା, ତାହାକୁ ସମାଲୋଚନା କରିଅଛନ୍ତି । ସେ ଇଂରାଜୀ ଶିକ୍ଷାକୁ ନିନ୍ଦା କରିନାହାନ୍ତି, କିନ୍ତୁ ଇଂରାଜୀ ଶିକ୍ଷା ଲାଭ କରି ଶିକ୍ଷିତ ଯୁବକ ଯେପରି ସୁରା ଓ ସାକୀ ସଂସ୍ପର୍ଶରେ ଆସି ନିଜର କୌଳିକ ବୃତ୍ତିକୁ ଭୁଲିଯାଉଛି ଓ ବାବୁ ହୋଇ ସମାଜରୁ ଅଲଗା ହୋଇଯାଉଛି ତାହାକୁ ନିନ୍ଦା କରିଅଛନ୍ତି । ଏହି ପ୍ରସଙ୍ଗରେ ପ୍ୟାରୀମୋହନ ଅତି କଠୋର ଭାବରେ ଉତ୍କଳ ପତ୍ରିକାରେ ସମାଲୋଚନା କରିଅଛନ୍ତି । ଏହି ଗୋଷ୍ଠୀ ପରମ୍ପରାକୁ ଭୁଲି ଯାଉଅଛନ୍ତି । ପ୍ୟାରୀମୋହନ କହନ୍ତି ‘ମାତ୍ର ସ୍ୱୟଂ ପିତୃମାତୃ ଶ୍ରାଦ୍ଧ କରିବାକୁ ଅନିଚ୍ଛୁକ । ପୁଣି ବିଲାତୀ ଶଠତା, ବିଲାତୀ ଜୁଆ ଚୋରିରେ ପୂର୍ଣ୍ଣ, ବିଲାତୀ ବହି ଚାକଚକ୍ୟରେ ମୁଗ୍ଧ । ହେତୁ କି ଅଢ଼େଇ ପାଉଣ୍ଡ ବିଲାତୀ ବିଦ୍ୟା ପେଟରେ ଅଛି ।’ (୭) ବାସ୍ତବିକ୍ ପ୍ୟାରୀମୋହନ ଥିଲେ ସମାଜ ସଚେତନ । ତେଣୁ ଶିକ୍ଷାନାମରେ ଅଶିକ୍ଷାକୁ ସେ ପ୍ରଶ୍ରୟ ଦେଇନାହାନ୍ତି । ଇଂରେଜୀ ଶାସକଙ୍କ ତ୍ରୁଟିକୁ ସେ ଦେଖାଇ ଦେଇଛନ୍ତି ‘ଉତ୍କଳପୁତ୍ର’ର ବିଭିନ୍ନ ସଂଖ୍ୟାରେ । ଭାରତର ଅନ୍ୟାନ୍ୟ ପ୍ରଦେଶ ସହିତ ଓଡ଼ିଶାକୁ ସଂଯୋଗ କରି ତାହାର ବିକାଶ ଦିଗରେ ଗୁରୁତ୍ୱ ଦେବାପାଇଁ ସେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ ମତରେ ଶିକ୍ଷାର ଅର୍ଥ ନୁହେଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାକିରି କରିବା । ମଣିଷ ଭିତରେ ମଣିଷ ପଣିଆର ବିକାଶ କରିବା ତାଙ୍କର ଲକ୍ଷ୍ୟ । ତେଣୁ ‘ପ୍ରକୃତ ଶିକ୍ଷା’ ପ୍ରବନ୍ଧରେ ତାଙ୍କର ଅଭିମତ- ‘ମାନସିକ ସମୁଦାୟ ବୃତ୍ତିକୁ ସୁଶିକ୍ଷିତ ଓ ସମୁନ୍ନତ କରିବାକୁ ପ୍ରକୃତ ଶିକ୍ଷା କହି, ଶବ୍ଦ କଣ୍ଠସ୍ଥ କରିବାକୁ ପ୍ରକୃତ ଶିକ୍ଷା କହିପାରୁ ନାହୁଁ । ଶିକ୍ଷାଦ୍ୱାରା ଆନ୍ତରିକ ସମୁଦାୟ ଶକ୍ତି ସ୍ୱୀୟ ଲକ୍ଷ୍ୟପଥ ଦର୍ଶନ କରି ତହିଁରେ ବିଚରଣ କରିଥାଏ । ମନୁଷ୍ୟର ପୂର୍ଣ୍ଣତା ଆଡ଼କୁ ଆତ୍ମାକୁ ଚାଳିତ କରିବେ, ମାନବାତ୍ମାର ଉନ୍ନତି ପଥରେ ଏହି ସବୁ ବୃତ୍ତି କ୍ରମେ କ୍ରମେ ଅଗ୍ରସର ହେବେ । ଏହା ଶିକ୍ଷାର ଯଥାର୍ଥ ଭାବ, ଏହା ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ।’ (୮) ।

 

୧.

ଉତ୍କଳ ଜନନୀ, ପ୍ରଥମ ଭାଗ, ଦ୍ୱିତୀୟ ସଂଖ୍ୟା–୧୧/୦୮/୧୮୬୬

୨.

ଉତ୍କଳ ପୁତ୍ର ଦ୍ୱିତୀୟ ଭାଗ/ ସଂ-୪(୩/୬/୧୮୭୪)

୩.

ପ୍ୟାରୀମୋହନ ଆଚାର୍ଯ୍ୟ–ଓଡ଼ିଶାର ଇତିହାସ- ଦ୍ୱିତୀୟ ସଂ–ପୃ ୧୨୩

୪.

ବିଶ୍ୱନାଥ କର - ଉତ୍କଳ ସାହିତ୍ୟ–୫ମ ଭା–୩ ସଂ–ଜୁନ ୧୯୦୧

୫.

ପଲ୍ଲୀକବି ନନ୍ଦକିଶୋର ଗ୍ରନ୍ଥାବଳୀ–ପୃ ୯୭୨

୬.

ଉତ୍କଳପୁତ୍ର ୧/୨୨ (୦୪/୦୩/୧୮୭୪)

୭.

ଉତ୍କଳପୁତ୍ର ୨/୯ (୧୯/୦୮/୧୮୭୪)

୮.

ଉତ୍କଳପୁତ୍ର ୧/୩ (୧୬/୦୫/୧୮୭୩)

 

ଅତଏବ ପ୍ୟାରୀମୋହନ ଗୁରୁତ୍ୱ ଦେଇଥିଲେ ଅନ୍ତର୍ମୁଖୀ ଶିକ୍ଷା ଉପରେ । ଶିକ୍ଷା ଠିକ୍ ହୋଇଗଲେ ଗୋଟିଏ ଜାତି ଠିକ୍ ହୋଇଯାଏ । ଅପଶିକ୍ଷା ଜାତିକୁ ଅନ୍ଧକାର ମଧ୍ୟକୁ ନେଇଯାଏ । ଶିକ୍ଷା ମଣିଷ ତିଆରି କରେ । ତେଣୁ ସେ କାଳର ସମାଜ, ସଂସ୍କୃତି, ଧର୍ମ, ସାହିତ୍ୟ, ରାଜନୀତି ଓ ଶିକ୍ଷା ସଂପର୍କରେ ପ୍ୟାରୀମୋହନ ଯେପରି ତାଙ୍କର ସୁଚିନ୍ତିତ ମତ ପ୍ରଦାନ କରିଛନ୍ତି ତାହା ଏକାନ୍ତ ପ୍ରଣିଧାନଯୋଗ୍ୟ । ସେ ନିର୍ଭୀକ ହୋଇଥିବାରୁ ବ୍ରିଟିଶ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ସେ ମଧ୍ୟ ନିନ୍ଦା କରିଛନ୍ତି କୁସଂସ୍କାର ଓ ନୀଚ ମନୋଭାବକୁ । ପ୍ୟାରୀମୋହନ ହିଁ ନୂତନ ସାମାଜିକ ନବରୁଚିର ଆଦ୍ୟ ପ୍ରବର୍ତ୍ତକ । ସେ ଯେଉଁ ଗଦ୍ୟ ସାହିତ୍ୟ ସୃଷ୍ଟି କରିଯାଇଛନ୍ତି ପରିମାଣ ଦୃଷ୍ଟିରୁ ତାହା ସୀମିତ ହେଲେ ହେଁ ଗୁଣାତ୍ମକ ଦୃଷ୍ଟିରୁ ଯେ ଏକାନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଏକଥା କହିଲେ ସତ୍ୟର ଅପଳାପ ହେବ ନାହିଁ । ତାଙ୍କର ସାମ୍ବାଦିକୀ ଗଦ୍ୟ ଓ ସମାଲୋଚନାରେ ଗଦ୍ୟ ଶୈଳୀ ଓଡ଼ିଆ ସାହିତ୍ୟରେ ଯେ ଏକ ନୂତନ ପ୍ରେରଣା ପ୍ରଦାନ କରିଅଛି ତାହା ମଧ୍ୟ ଏକାନ୍ତ ସତ୍ୟ ।

 

 

ଅପର୍ଣ୍ଣାନଗର,

ଚାଉଳିଆଗଞ୍ଜ, କଟକ-୪

 

***

 

Unknown

ପ୍ୟାରୀମୋହନଙ୍କ ରଚନାରେ ବ୍ୟଙ୍ଗ

ଡକ୍ଟର ଦୁର୍ଗାପ୍ରସନ୍ନ ପଣ୍ଡା

 

ବ୍ୟଙ୍ଗଶିଳ୍ପୀ ହେଉଛନ୍ତି ସମସାମୟିକ ସମାଜର ବ୍ୟାଖ୍ୟାକାର । ସେ ମନେକରନ୍ତି, ସମାଜର ଜୀବନ ଧାରାରେ କିଛି ଅହିତକର ରୋଗ ବ୍ୟାପିବାକୁ ଆରମ୍ଭ କଲାଣି । ବ୍ୟଙ୍ଗାସ୍ତ୍ରଦ୍ୱାରା ତାର ଚିକିତ୍ସା ଅତ୍ୟାବଶ୍ୟକ । ପ୍ୟାରୀମୋହନ ଆଚାର୍ଯ୍ୟ (୫ ।୮। ୧୮୫୧–୨୮ । ୧୨ ।୧୮୮୧) ମନେ କରୁଥିଲେ ସମାଜର କଳ ବିଗିଡ଼ି ଯାଉଛି । ୧୮୬୯ ବେଳକୁ ସେ କଲମ ଧରିଲେ ଉତ୍କଳ ଦୀପିକା ସେତେବେଳକୁ ଶୈଶବାବସ୍ଥା ଅତିକ୍ରମ କରି ନ ଥାଏ । ଦୀପିକାରେ ବିଶେଷ କିଛି ଲେଖିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା । ସେ କଟକ ସ୍କୁଲର ଏଫ୍.ଏ. ଶ୍ରେଣୀର ପ୍ରଥମ ବାର୍ଷିକ ଛାତ୍ର ଥିବାରୁ ତାଙ୍କ ପ୍ରତିଭା ଥିଲା ପ୍ରସ୍ତୁତି ଲଗ୍ନରେ ବୀଜମାତ୍ର । ୧୮୭୧ରେ ସେ ଏଫ୍.ଏ. ଶିକ୍ଷାର ଶେଷ ସ୍ତରରେ ଥିବାବେଳେ ଚାରିପୃଷ୍ଠା ବିଶିଷ୍ଟ ଏକ ହାତ ଲେଖା ପତ୍ରିକାର ସମ୍ପାଦକ ଭାବେ ଆବିର୍ଭୂତ ହେଲେ । ଉତ୍କଳସାହିତ୍ୟ ୧୮/୧ (ଏପ୍ରିଲ ମାସ ୧୯୧୪) ବୈଶାଖ ୧୩୨୧ ସାଲ ସଂଖ୍ୟାରେ ପ୍ୟାରୀମୋହନଙ୍କ ଜୀବନପ୍ରସଙ୍ଗ ‘ବ୍ରହ୍ମଜ୍ଞ ମଧୁସୂଦନ’ (୯) ଶୀର୍ଷକ ଆଲୋଚନାରେ ପ୍ରଦାନ କରି ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଲେଖିଛନ୍ତି, ‘‘ଅନେକେ ‘ଉତ୍କଳପୁତ୍ର’ ନାମକ ସମ୍ବାଦପତ୍ରର ନାମ ଶୁଣିଥିବେ । କ୍ଷୁଦ୍ର କଲେବର ୪ ପୃଷ୍ଠା । ଶିଶୁ ଉତ୍କଳ ଦୀପିକାରେ ସେତେବେଳେ ସମସ୍ତ ବିଷୟ ପ୍ରକାଶିତ ହୋଇ ନ ପାରୁଥିବାରୁ ପ୍ୟାରୀମୋହନ ପ୍ରମୁଖ ଯୁବକମାନେ ଏହି ସମୟରେ (୧୮୭୧ରେ) ଆଉ ଖଣ୍ଡିଏ ପତ୍ରିକାର ଆବଶ୍ୟକତା ଅନୁଭବ କରି ଭେଦା ସଂଗ୍ରହଦ୍ୱାରା ଛାତ୍ରାବସ୍ଥାରେ ପ୍ରକାଶ କରିବାକୁ ସାହସୀ ହୋଇଥିଲେ । ଏ ଦୁଇ ଯୁବକ (ମଧୁସୂଦନ ରାଓ ଏବଂ ପ୍ୟାରୀମୋହନ ଆଚାର୍ଯ୍ୟ)ଙ୍କ ବ୍ୟତୀତ ଅନ୍ୟାନ୍ୟ ଉଦ୍ୟୋକ୍ତାଙ୍କ ମଧ୍ୟରେ ପଣ୍ଡିତ ଗୋବିନ୍ଦ ରଥ ଜଣେ ପ୍ରଧାନ ଥିଲେ । ପ୍ୟାରୀମୋହନ ଏ ପତ୍ରର ସମ୍ପାଦକ ଓ ପ୍ରଧାନ ଉଦ୍ୟୋକ୍ତା ରୂପେ କାର୍ଯ୍ୟ ପରିଚାଳନ କରିବାକୁ ଲାଗିଲେ । ଏହି ପତ୍ରିକାରେ ପ୍ରକାଶିତ ଗୋଟିଏ ପ୍ରବନ୍ଧ ଲାଗି ତାଙ୍କୁ କଲେଜ ତ୍ୟାଗ କରିବାକୁ ହୋଇଥିଲା । ଘଟନାଟି ଏଠାରେ ସଂକ୍ଷେପରେ ପ୍ରକାଶ କରି ପାଠକଙ୍କର ଉତ୍କଣ୍ଠା ଦୂର କରିବୁଁ ।

 

୧୮୮୫ ଖ୍ରୀ.ଅ.ରେ ବା ସ୍ଥାନୀୟ ଆତ୍ମ ଶାସନ ପ୍ରଣାଳୀ (Local Self Government) ପ୍ରବର୍ତ୍ତିତ ହେବା ପୂର୍ବେ ଏ ନଗରରେ ସ୍ୱାସ୍ଥ୍ୟ ସଂରକ୍ଷଣ ବା ପରିଷ୍କରଣାଦିର ଭାର ଜିଲ୍ଲାର ମାଜିଷ୍ଟ୍ରେଟ୍‌ଙ୍କ ହାତରେ ଥିଲା । ସେ କାଳରେ ଫେରୀ ଫଣ୍ଡ୍ରୁ ଅର୍ଥାତ୍ ଘାଟ ଆଦିରୁ ଉତ୍ପନ୍ନ ଆୟରୁ ଉକ୍ତ ବ୍ୟୟ ଚଳୁଥିଲା । ବର୍ଣ୍ଣିତ ସମୟର କଲେକ୍ଟର ଏରିଭିଙ୍ଗ୍ ସାହେବଙ୍କ ତତ୍ତ୍ଵାବଧାନର ଅଭାବରେ ଏ ସହର ନିତାନ୍ତ ଆବର୍ଜନାମୟ ହୋଇ ପଡ଼ିବାରୁ ତାହାର ପ୍ରତିକାର ଲାଗି ‘ଉତ୍କଳପୁତ୍ର’ରେ ପ୍ୟାରୀମୋହନଙ୍କ ‘ଦରଖାସ୍ତ ଯୁତୀୟାନ୍’ ଅର୍ଥାତ୍ ଯୋତାମାନଙ୍କ ଆବେଦନ ଶୀର୍ଷକ ଗୋଟିଏ ପ୍ରବନ୍ଧ ବାହାରିଲା । ଏକେତ ଅପ୍ରିୟ ସତ୍ୟ କଥା - ଦ୍ୱିତୀୟରେ ପୁଣି ଅତି ତେଜସ୍ୱିନୀ ଭାଷା । ଏହି ଦୁଇ ତୀବ୍ରତାରେ ସାହେବ ପ୍ରଚଣ୍ଡ ହୋଇ ସ୍କୁଲହେଡ଼ମାଷ୍ଟର ଚଣ୍ଡୀବାବୁଙ୍କୁ ଏ ପ୍ରବନ୍ଧର ଲେଖକ-ଛାତ୍ରଙ୍କୁ ସ୍କୁଲରୁ ବହିଷ୍କୃତ କରିଦେବାକୁ ଆଦେଶ ଦେଲେ ।

 

ଉତ୍କଳପୁତ୍ର ୧୮୭୩ ଏପ୍ରିଲ ୧୬ ତାରିଖରୁ ପ୍ରକାଶ ପାଇଥିବା କଥା ଡଃ ନଟବର ସାମନ୍ତରାୟ, ଡଃ ଗୋପାଳ ଚନ୍ଦ୍ର ମିଶ୍ର ଏବଂ ଅନ୍ୟାନ୍ୟମାନେ ସୂଚାଇ ଅଛନ୍ତି । ପ୍ରକୃତରେ ଏହି ତାରିଖଠାରୁ ପାକ୍ଷିକ ଉତ୍କଳପୁତ୍ରର ମୁଦ୍ରିତ ରୂପ ପ୍ରକାଶ ପାଇଲା । ହାତ ଲେଖା ଚାରିପୃଷ୍ଠା ବିଶିଷ୍ଟ ପତ୍ରିକାରେ ପ୍ରକାଶିତ ଦରଖାସ୍ତ ଯୁତୀୟାନ୍‍ର ପ୍ରକୃତ ଟେକ୍‍ଷ୍ଟ୍‍ କଣ ଥିଲା ଅଧୁନା ତାହା ଜାଣିବାର ଉପାୟ ନାହିଁ । ମୃତ୍ୟୁଞ୍ଜୟ ରଥ ଏ ସଂପର୍କରେ ଯେତିକି ଲେଖିଛନ୍ତି ସେଥିରୁ ମନେହୁଏ ଏହାହିଁ ପ୍ୟାରୀମୋହନଙ୍କ ପ୍ରଥମ ଉତ୍କଟ ବ୍ୟଙ୍ଗ ବାଣୀ ଭରା ଶାଣିତ ପ୍ରବନ୍ଧ । ଯଥାର୍ଥରେ ଏହାଥିଲା ଆବର୍ଜନା ପରିଷ୍କରଣର ଏକ ବୌଦ୍ଧିକ ସମ୍ମାର୍ଜନୀ ।

 

ଦୀପିକାଙ୍କ ୧୮୭୩ ସେପ୍ଟେମ୍ବର ୧୩ ତାରିଖର ଏକସମ୍ବାଦ– ଏହି ତାରିଖରେ ଦୀପିକା ଲେଖିଥଲେ- “ଯେମନ୍ତ ଏକ ସମୟରେ କଲିକତାରେ ପଇସିକିଆ ପତ୍ରିକା ବାହାରିବାର ଧୂମ୍‍ଧାମ୍‍ ହୋଇଥିଲା ବର୍ତ୍ତମାନ ସେହିପରି କଟକରେ ପାକ୍ଷିକ ପତ୍ରିକା ବାହାରିବାର ଦେଖାଯାଏ । ପ୍ରଥମେ ‘ଉତ୍କଳ ପୁତ୍ର’, ଦ୍ୱିତୀୟରେ ‘ଉତ୍କଳ ହିତୈଷିଣୀ ‘ଭକ୍ତି ପ୍ରଦାୟିନୀ’ ଏହି ବର୍ଷ ମଧ୍ୟରେ ଜନ୍ମଗ୍ରହଣ କରିଅଛନ୍ତି କିନ୍ତୁ ଉଦ୍ଦେଶ୍ୟ ବିବେଚନାରେ ଆମ୍ଭେମାନେ ଶେଷ ଲିଖିତ ପତ୍ରିକାଟିକୁ ଅଗ୍ରଗଣ୍ୟ କରିଅଛୁଁ । ଉତ୍କଳ ପୁତ୍ରର ଉଦ୍ଦେଶ୍ୟ ଅଳ୍ପ ମୂଲ୍ୟରେ ସର୍ବସାଧାରଣଙ୍କୁ ପତ୍ରିକା ଯୋଗାଇବା କିନ୍ତୁ ପକ୍ଷାନ୍ତରେ ଥରେ ସମ୍ବାଦ ପତ୍ର ବାହାର କରିବାଦ୍ୱାରା ପତ୍ରିକାର ତେଡ଼େ ଆଦର ହୁଅଇ ନାହିଁ ଓ ଏଥିରେ ଯେ ସବୁ ବିଷୟ ପ୍ରକାଶ ହୁଅଇ ତହିଁରେ ଅବଧି ଲୋକଙ୍କ ରୁଚି ହୋଇନାହିଁ ।’’ ସୁଧାକର ପଟ୍ଟନାୟକଙ୍କ ସଂପାଦିତ ସମ୍ବାଦ ପତ୍ରରୁ ଓଡ଼ିଶାର କଥା ପୃ.୬୧୯ରୁ ସଂଗୃହୀତ) ଉତ୍କଳ ହିତୈଷିଣୀ ସମ୍ପର୍କରେ ଦୀପିକାଙ୍କ ମନ୍ତବ୍ୟ ହେଲା, ‘ଅଧିକାଂଶ ଓଡ଼ିଆଙ୍କ ମଧ୍ୟରେ ଏହାର ଉପଯୋଗିତା ଦେଖାଯାଏ ନାହିଁ । ଏପରି କହିବାର କାରଣ ହେଲା ଏହା ସରକାର ଏବଂ ବଙ୍ଗୀୟ ଅମଲାଙ୍କ ମୁଖପତ୍ର ଭାବେ କାର୍ଯ୍ୟ କରୁଥିଲା । ‘ପୁତ୍ର’ଙ୍କ ବକ୍ତୃତା ପୂର୍ଣ୍ଣସାଟାୟାର୍ ପାଇଁ ସେତେବେଳର ସାଧାରଣ ପାଠକ ଦୀପିକାଙ୍କ ଭାଷାରେ “ଲୋକରୁଚି’’ର ଅନୁକୂଳତା ନଥିବା ଲକ୍ଷ୍ୟ କରୁଥିଲେ । କେବଳ ବୁଦ୍ଧିମାନ୍ ପାଠକ ସାଟାୟାର୍ରୁ ରସ ଆହରଣ କରିପାରିବେ, ସାଧାରଣ ପାଠକଙ୍କ ପାଇଁ ଏହା ରୁଚି ଅନୁକୂଳ ନୁହେଁ । ସୁତରାଂ ଏହା କହିବା ଯଥାର୍ଥ ଯେ ପ୍ୟାରୀମୋହନଙ୍କ ଉକ୍ତି ଧୀ-ମାନ୍ ଗ୍ରାହ୍ୟ ଥିଲା । ‘‘ଉତ୍କଳ ପୁତ୍ର’’ ଲେଖୁଥିଲେ–

 

ଉଠ ଉଠ ଉଠ

ପରିହରି ମୋହନିଦ୍ରା ଆସ କରି ରଣ

ଉତ୍କଳ-ତିମିର ସଙ୍ଗେ ହୋଇ ସ୍ଥିର ମନ ।।

 

କଟକ ସ୍କୁଲ ଛାଡ଼ିବା ପରେ ଗୋବିନ୍ଦ ରଥଙ୍କୁ ନେଇ ପ୍ୟାରୀମୋହନ କଟକ ଏକାଡେମୀ ପ୍ରତିଷ୍ଠା କଲେ । ପ୍ୟାରୀମୋହନ ଏବଂ ଗୋବିନ୍ଦ ରଥଙ୍କ ପାଇଁ ଫକୀର ମୋହନ ‘ଉତ୍କଳ ଭ୍ରମଣଂ’ରେ ବିପୁଳ ଶ୍ରଦ୍ଧାର୍ଘ୍ୟ ନିବେଦନ କରିଛନ୍ତି । କବି କେଶରୀ ନବ କିଶୋର ମହାରଣାଙ୍କ ‘ବାଙ୍କି ଇତିହାସ’ ୧୩୧ ପୃଷ୍ଠାରେ ରଥଙ୍କ ସଂଗ୍ରାମୀ ଜୀବନକୁ ପ୍ୟାରୀମୋହନ କିପରି ପରିପୁଷ୍ଟ କରିଥିଲେ ତାର ଚିତ୍ରଣ ରହିଛି ।

 

୧୫/୧୦/୧୮୭୩ରେ ପ୍ରକାଶିତ ‘ଉତ୍କଳ ପୁତ୍ର’ର ଏକ ମନ୍ତବ୍ୟ–

‘‘ଆଜିକାଲି ବଂଗ ଦେଶରେ ଅଶ୍ଳୀଳ ଭାଷାଦିର ବ୍ୟବହାର ରହିତ କରିବାକୁ ଭାରୀ ଧୂମ୍‍ଧାମ୍ ଲାଗିଛି । ଏଥି ସକାଶେ ଏକ ସଭା ସଂସ୍ଥାପିତ ହୋଇଛି । ଫ୍ରେଣ୍ଡ୍ ଅଫ୍ ଇଣ୍ଡିଆର ସମ୍ପାଦକ ଜର୍ଜ ସ୍ମିଥ୍ ସାହେବ ଏହାର ସଭାପତି । ଯହିଁରେ ଅଶ୍ଳୀଳ ପୁସ୍ତକ ପ୍ରଭୃତିର ରଚନା ଓ ପ୍ରକାଶ ନିବାରିତ ହୁଏ ସେଥିର ଚେଷ୍ଟା ଏ ସଭା ବିଶେଷ ରୂପେ କରିବେ । ଇତ୍ୟବସରରେ ଏ ସ୍ଥାନର ଅଶ୍ଳୀଳ ସଙ୍ଗୀତାଦିର ବ୍ୟବହାର ଯହିଁରେ ବନ୍ଦ ହୁଏ, ବିଶେଷତଃ କଟକୀ ବଜାରୀମାନେ ବଜାରରେ ଅଶ୍ଳୀଳ ଗୀତ ଗାଇବାରୁ ଯହିଁରେ ଯହିଁରେ କ୍ଷାନ୍ତ ହୁଅନ୍ତି ସେଥି ସକାଶେ ଏଠାରେ ମଧ୍ୟ ଏକ ସଭା ସ୍ଥାପନ କରିବାକୁ ଉତ୍କଳ ହିତୈଷିଣୀ ଅନୁରୋଧ କରିଅଛନ୍ତି । ବାସ୍ତବିକ ଏ ଅତି ସୁନ୍ଦର ପ୍ରସ୍ତାବ, କିନ୍ତୁ ଏ ସ୍ଥାନୀୟ ଲୋକେ ଯେପରି ବାବୁ ଏପରି ସତ୍ ପ୍ରସ୍ତାବକୁ କାର୍ଯ୍ୟରେ ପରିଣତ କରିବେ କି ନା ସନ୍ଦେହ– ଯେହେତୁ ଏହା ତ କୃଷ୍ଣ ଯାତ୍ରା କି ଶନିବାର ରାତ୍ରି ବୈଠକ ନୁହେଁ । (ଉପୁ ୧୫/୧୦/୧୮୭୩– ଡଃ ନଟବର ସାମନ୍ତରାୟଙ୍କ ଓ.ସା.ଇ. ପୃ୩୩୪ରୁ ସଂଗୃହୀତ ।)

 

ପ୍ୟାରୀମୋହନ ବ୍ରହ୍ମବାଦୀ କେଶବ ଚନ୍ଦ୍ର ସେନ ଓ ମହର୍ଷି ଦେବେନ୍ଦ୍ରନାଥ ଠାକୁରଙ୍କଦ୍ୱାରା ପ୍ରବର୍ତ୍ତିତ ଓ ପ୍ରସାରିତ ‘‘ସୁଲଭ ସମାଚାର’’ରେ ପ୍ରକାଶିତ ହେଉଥିବା ଅଶ୍ଳୀଳ ଭାଷା ବିରୋଧୀ ଆନ୍ଦୋଳନ ବା ସୁରୁଚି ଆନ୍ଦୋଳନକୁ ଓଡ଼ିଶାକୁ ଆଣିଥିଲେ ଏବଂ ଭକ୍ତକବି ମଧୁସୂଦନ ରାଓ ଏହି ଆନ୍ଦୋଳନକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କରି ଦୁଇଗୋଟି ବ୍ୟଙ୍ଗ କବିତା ରଚନା କରିଥିଲେ-। ପ୍ୟାରୀମୋହନଙ୍କ ଲେଖା ଓ ଭାଷଣରେ ଅଶ୍ଳୀଳତା ବିରୁଦ୍ଧରେ ପ୍ରଚଣ୍ଡ ବ୍ୟଙ୍ଗବାଣ କିପରି ନିକ୍ଷିପ୍ତ ହେଉଥିଲା ତାହା ଦୀପିକାରେ ପ୍ରକାଶିତ ନିମ୍ନଲିଖିତ ସମ୍ବାଦରୁ ଜଣାପଡ଼େ । ଉ.ଦୀ. ୨୬/୧/୧୮୭୮ ରେ ପ୍ରକାଶ ପାଇଛି –

 

କବିବର ରାଧାନାଥ ରାୟଙ୍କ ଅଧ୍ୟକ୍ଷତାରେ “ଉତ୍କଳ ସଭା’’ର ଷାଣ୍ମାସିକ ଅଧିବେଶନରେ ପ୍ୟାରୀମୋହନ ଉତ୍କଳ ଭାଷା ବିଷୟରେ ଏକ ଘଣ୍ଟା କାଳ ଭାଷଣ ଦେଇଥିଲେ । ‘‘ବକ୍ତୃତାର ଭାବ ଆମ୍ଭମାନଙ୍କର ସୁଖକର ହେଲା ନାହିଁ । ବାସ୍ତବରେ ତହିଁରେ ସାରକଥା ଅତ୍ୟଳ୍ପ ଥିଲା ଓ ଅଧିକାଂଶ କେବଳ ନିନ୍ଦାରେ ପରିପୂର୍ଣ୍ଣ ହୋଇଥିଲା । ବକ୍ତୃତା ଶୁଣିବାବେଳେ ଆମ୍ଭମାନଙ୍କ ମନରେ ହେଉଥାଏ ଯେମନ୍ତ ବକ୍ତାଙ୍କୁ ବିଷମ ସନ୍ନିପାତ ଘଟିଅଛି ଯେ ଯାହା ଜିଭ ଉପରକୁ ଆସୁଅଛି ଥ ଥ କରି ପକାଇ ଦେଉଛନ୍ତି । ବକ୍ତା ପ୍ରଥମେ କହିଲେ, ପ୍ରାଚୀନ ଶିଳ୍ପ କାର୍ଯ୍ୟ ଓ ଭାଷା ସକାଶେ ଓଡ଼ିଶାର ଗୌରବ ରହିଛି । ଶିଳ୍ପ କାର୍ଯ୍ୟର ପରିଚୟ ଭୁବନେଶ୍ୱର ଓ ପୁରୀ ମନ୍ଦିରମାନ ଓ ଭାଷାର ପରିଚୟ ପ୍ରାଚୀନ ଗ୍ରନ୍ଥମାନ ।’’

 

ମନ୍ଦିର ଗାତ୍ରରେ ଥିବା ଅଶ୍ଳୀଳ ଚିତ୍ରାବଳୀ ଏବଂ ପ୍ରାଚୀନ ସାହିତ୍ୟରେ ଥିବା ଅଶ୍ଳୀଳ ଅଂଶ କିପରି ରୁଚି ଗର୍ହିତ ତାହା ତାଙ୍କ ଭାଷଣରେ ପ୍ରଦର୍ଶିତ ହୋଇଥିଲା । ମାତ୍ର ଦୀପିକା ତାଙ୍କ ପ୍ରତ୍ୟୁତ୍ତରରେ ଲେଖିଥଲେ, ‘‘ସବୁ ଗ୍ରନ୍ଥକାର ଅପେକ୍ଷା ଉପେନ୍ଦ୍ର ଭଞ୍ଜ ଓ ସବୁ ଗ୍ରନ୍ଥ ଅପେକ୍ଷା ଲାବଣ୍ୟବତୀ ଅଧିକ ଗାଳି ଖାଇଲେ । କେବଳ ପ୍ରାଚୀନ ଉପର ଦେଇ ଗାଳିଟା ବାହାରି ଯାଇନାହିଁ, ଆଧୁନିକ ସଂପ୍ରଦାୟ ମଧ୍ୟ ନିନ୍ଦାରୁ ଅନ୍ତର ହୋଇନାହାନ୍ତି ।’’

 

ଏ ପ୍ରସଙ୍ଗରେ ଗୋଟିଏ ବିଶେଷ କଥା ସ୍ମରଣୀୟ । ସୁରୁଚିବାଦୀମାନେ ମୁକ୍ତ ପ୍ରଣୟକୁ ଅଶ୍ଳୀଳ ଓ ପାପ ବୋଲି ବିବେଚନା କରୁଥିଲେ । ଭକ୍ତକବି ସୁରୁଚିବାଦୀ ଥିବାରୁ ଓଡ଼ିଆ ଭାଷାର ମହତ୍ୱ ଆକଳନ ପାଇଁ ଗୋପବନ୍ଧୁଙ୍କଦ୍ୱାରା ଲିଖିତ ଏକ ପ୍ରବନ୍ଧରେ କୃଷ୍ଣସିଂଙ୍କ ମହାଭାରତରୁ ଉଦ୍ଧୃତ ପଦ ମଧ୍ୟରେ ‘‘ଗାଣ୍ଡିଟାମାନ ତାଙ୍କର ଯେମନ୍ତ ଓଳିଆ’ ପାଠକରି କ୍ରୋଧରେ ଅସ୍ଥିର ହୋଇ ତାଙ୍କୁ ତାଙ୍କ ପ୍ରବନ୍ଧ ପାଇଁ କୌଣସି ନମ୍ବର ନ ଦେଇ ଶୂନ ଦେଇଥିଲେ । ଏପରି ଶବ୍ଦ ବା ପଦ ଚୟନ କରିବା ମଧୁସୂଦନଙ୍କ ବିବେଚନାରେ ଥିଲା ଏକ ଅପମାନସୂଚକ ଲେଖା । “ଇଣ୍ଡିଆନ୍ ମିରର୍’ ଏବଂ ‘ସୁଲଭ ସମାଚାର’ରେ ସରକାରଙ୍କୁ ଅଶ୍ଳୀଳ ମନ୍ତବ୍ୟ/ବାଣୀ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ପୁଲିସ ଧରି କେଶ୍ ଦେବାକୁ ନିବେଦନ କରାଯାଇଥିଲା । ଦୀନନାଥ ବନ୍ଦ୍ୟୋପାଧ୍ୟାୟ ପୁଲିସର ଭାଷା ପ୍ରସଙ୍ଗରେ ଲେଖିଥିଲେ, ‘‘ଅଶ୍ଳୀଳ ଭାଷା ପୁଲିସ କର୍ମଚାରୀଙ୍କ ଅନ୍ନଜଳରେ ପରିଗଣିତ ।’’ (ଏହି ସୁରୁଚିବାଦରୁ ଲାଲା ରାମନାରାୟଣ ରାୟ ‘‘କବି ଉପେନ୍ଦ୍ର ଭଞ୍ଜ’’ ଶୀର୍ଷକ ରଚନା ‘ଉତ୍କଳ ପ୍ରଭା’ରେ ଲେଖି ବିଜୁଳି-ଇନ୍ଦ୍ରଧନୁ ମସୀଯୁଦ୍ଧର ସୂତ୍ରପାତ କରିଥିଲେ ।) ଏଇ ଆନ୍ଦୋଳନର ପୃଷ୍ଠ ପଟରେ ଛମାଣ ଆଠଗୁଣ୍ଠରେ ଲିଖିତ ‘‘ଆମ୍ଭେମାନେ ସୁରୁଚି କବିତା କିଛି କିଛି ଲେଖିବାକୁ କ୍ଷମ’’–ପଙ୍‍କ୍ତିଟିକୁ ବିଶ୍ଳେଷଣ କରାଯାଇପାରେ । ସୁରୁଚି ଆନ୍ଦୋଳନର ମୁଖ୍ୟ ପ୍ରବକ୍ତା ପ୍ୟାରୀମୋହନଙ୍କୁ ଲକ୍ଷ୍ୟ କରି ସମ୍ବଲପୁର ହିତୈଷିଣୀରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଥିବା ‘କଳି ଭାଗବତ’ର ନିମ୍ନଲିଖିତ ପଦଗୁଡ଼ିକ ଏ ପ୍ରସଙ୍ଗରେ ବିଚାର୍ଯ୍ୟ –

 

‘‘ବୃଦ୍ଧସେନ ରାଜା ଉବାଚ–

କେ କେଉଁ ପ୍ରକାରେ ଚଳିବେ

ବ୍ରାହ୍ମଣେ କି କାର୍ଯ୍ୟ କରିବେ ?

 

ବୃଦ୍ଧ ବିପ୍ର ଉବାଚ –

ଥୋକାଏ ଇଂରେଜୀ ପଢ଼ିଣ

ସ୍କନ୍ଧରୁ ପଇତା କାଢ଼ିଣ

ହୋଇବେ ବ୍ରାହ୍ମଧର୍ମୀ ସେହୁ

ଖ୍ରୀଷ୍ଟାନ ହୋଇବେ ବା କେହୁ ।

କେ ଅବା ନାସ୍ତିକ ମତରେ

ଚଳିବେ ଆନନ୍ଦ ମନରେ ।

ଅଭକ୍ଷ୍ୟ ଭକ୍ଷଣ କରିବେ

ରୁଚିର ଦ୍ୱାହି ଦେଉଥିବେ ।

 

ସୁରୁଚି ଆନ୍ଦୋଳନ କାଳରେ ମଦ୍ୟପାନ, ବେଶ୍ୟାଗମନ ଓ ଭଣ୍ଡଗୀତ ବିରୁଦ୍ଧରେ ସଭାସମିତି କରାଯାଉଥିଲା । ‘ଉତ୍କଳ ପୁତ୍ର’ ସେ କାଳର ମେଳା ମହୋତ୍ସବରେ ପ୍ରଚଳିତ ମଦ୍ୟପାନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଉତ୍କଳପୁତ୍ର ୧/୨୨ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗ ପ୍ରବନ୍ଧଟିର କିଛି ଅଂଶ ଏହିପରି—

 

(୧)

‘‘ଆଜି ଦୋଳ ପର୍ବର ଶେଷ ଦିନ । ପାଠକେ, ଆଜି ଦେଖୁଛନ୍ତି ତ ହିନ୍ଦୁ ସମାଜର କି ରୂପ !! ଘୋର ଲାଲେ ଲାଲ ହୋଇଅଛନ୍ତି । ଆଜି ବାପ ପୁଅ ଭାଇ ଭଉଣୀ ସମସ୍ତେ ଲାଜ ମୁଣ୍ଡ ହଜମ କରି ଭଣ୍ଡ ଗୀତରେ, ଭଣ୍ଡ ରଙ୍ଗରେ ମାତିଛନ୍ତି । ଫଗୁ ଓ ବକମ୍ ପାଣିରେ ଜଡ଼ି ହୋଇ ଆଜି ପୁରୁଷେ ଏକ ଏକ ରାମ ଶଙ୍କର ଅବତାର । ଆଜି ଅବକାରୀ ବଜାର ଭାରୀ ଗରମ । ପାଠକେ, ଶୁଣ । ଆଜି କେହି କେହି କହୁଅଛନ୍ତି, ନମୋ ଗଞ୍ଜକାୟ, ନମୋ କୃଷ୍ଣଚନ୍ଦ୍ରାୟ ।’ କାହାରି ମୁହଁରୁ ଅବା ବାହାରୁଅଛି, ‘‘ପିଜୁଡ଼ି ପତ୍ର ସମନ୍ୱିତା ନମୋ କାଳୀୟାଖୁମାୟ । କେହି କେହି ଅବା ବୋଲୁ ଅଛନ୍ତି, ‘ନମୋ ପାତ୍ର ବୋତଲାୟ, ନମୋ ରାଜ୍ଞୀ ସୁରାୟ ।’ ରାଧାଙ୍କ ପଦାରବିନ୍ଦେ ମନ ନିଅ, ଘଟାଅ ।’ (ଉପୁ, ୧/୨୨)

 

ଏହି ବ୍ୟଙ୍ଗ ପ୍ରବନ୍ଧରେ ‘‘ରାମଶଙ୍କର’’ ନାମୋଲ୍ଲେଖର ତାତ୍ପର୍ଯ୍ୟ ମୋତେ ଜଣା ନାହିଁ । ମନେହୁଏ ରାମଶଙ୍କର ଅଫିମର ଭକ୍ତ ଥିଲେ । ଅଫିମର ସାଙ୍କେତିକ ନାମ କଳାକୃଷ୍ଣ, କୃଷ୍ଣଚନ୍ଦ୍ର । ଅଫିମକୁ ପାଣିରେ ଆଉଟି ସେଥିରେ ଭଜା ପିଜୁଳି ପତ୍ର ପକାଇ ଗୁଲି ପ୍ରସ୍ତୁତ କରାଯାଏ । ‘କାଳୀୟାଖୁମାୟ’ ଏହି ‘ଗୁଲି’ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ । ରାଜ୍ଞୀସୁରା– ଅର୍ଥ ବିଦେଶୀ ମଦ । “ରାଧା ପଦାରବିନ୍ଦ’’ର ଅର୍ଥ ବେଶ୍ୟା ସଙ୍ଗମ । ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ ଦ୍ଵାରା ସହରୀ ଜୀବନ କିପରି ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ତାହା ଏହି ବ୍ୟଙ୍ଗ ପ୍ରବନ୍ଧଦ୍ଵାରା ସୂଚିତ ।

 

(୨)

‘‘ଆଜିକାଲିକାର ସଂସ୍କାର ବିଭିନ୍ନ ପ୍ରକାରର । କେତେ ଆଡ଼େ କେତେ ଅଦ୍ଭୁତ ଦେଖ । କେଉଁଠି କେଉଁ ବ୍ରାହ୍ମଣ ପୈତା ବାକ୍ସରେ ରଖିଲେ । କେଉଁଠି ବିଲାତି ଚିନିପଣାର ଦୋକାନ ଧ୍ୱଂସ କରେ । ବରମୁଲ୍ଲା ଖାଁ ଦୋକାନରେ ଛେଳି, ଗୋରୁ, କୁକୁଡ଼ା, ହାଡ଼ମାନଙ୍କରେ ପାକସ୍ଥଳୀ ପୂର୍ଣ୍ଣ କଲେ । ସନ୍ଧ୍ୟା ଗାୟତ୍ରୀ ଧୋଇଗଲା । ଚାରିପତ୍ର ଇଂରାଜୀ ପଢ଼ିଲେ । ଟମ୍ ଜେମ୍‌ସଙ୍କ ଶିଷ୍ୟତ୍ୱ ସ୍ୱୀକାର କଲେ । ବୋଇଲେ କ’ଣ ଆମେ ହିନ୍ଦୁ । ସ୍ଵୟଂ ପିତୃମାତୃ ଶ୍ରାଦ୍ଧ କରିବାକୁ ଅନିଚ୍ଛୁକ, ପୁଣି ବିଲାତ୍ ଶଠତା, ବିଲାତୀ ଜୁଆଚୋରୀରେ ପୂର୍ଣ୍ଣ, ବିଲାତୀ ବହିଃ ଚାକଚକ୍ୟରେ ମୁଗ୍ଧ । ହେତୁ କି ? ଅଢ଼େଇ ପାଉଣ୍ଡ ବିଲାତୀ ବିଦ୍ୟା ପେଟରେ ଅଛି । (ଉ.ପୁ. ୨/୯)

 

ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଭ୍ୟତାର ସଂଘର୍ଷ କାଳରେ ଲୋକ ଚରିତ୍ର କି ରୂପ ଧାରଣ କରିଛି ତାହା ଏହି ବ୍ୟଙ୍ଗ ପ୍ରବନ୍ଧରେ ସୂଚିତ ।

 

(୩) ‘ଥରେ ପଢ଼’

ଆଗରୁ ଗ୍ରାହକତାର ଅଭାବ ହେତୁ ପତ୍ରିକା ବଞ୍ଚିବା ସମ୍ଭବପର ନଥିଲା । ‘ଉତ୍କଳ ପୁତ୍ର’ ପ୍ରକାଶ ପାଇବା ପରେ ଓଡ଼ିଆ ପାଠକମାନଙ୍କ ତୁଳନାରେ ପତ୍ରିକା ସଂଖ୍ୟା ବଳେଇ ପଡ଼ିଲାଣି ବୋଲି ଦୀପିକା ମନ୍ତବ୍ୟ ଦେଇଥିଲେ । ‘ପୁତ୍ର’ ଏହାର ଦୃଢ଼ ପ୍ରତିବାଦ କରି ଉଚ୍ଚାଙ୍ଗ ପତ୍ରିକା ପାଠକଙ୍କର ପୋଷକତା ଲାଭ କରିବ ବୋଲି ଆଶାପୋଷଣ କରିଥିଲେ । ଉତ୍କଳ ସାହିତ୍ୟର ଗ୍ରାହକମାନେ ମାସିକ ବା ବାର୍ଷିକ ମୂଲ୍ୟ ଦେଉନଥିବା ଘଟଣାକୁ ଲକ୍ଷ୍ୟ କରି ଫକୀରମୋହନ ଲେଖିଥିଲେ–

 

ଡାକରେ ପଠାଇ ଦେଇ ଉତ୍କଳ ସାହିତ୍ୟ

ସମ୍ପାଦକ ଚିଠି ଲେଖୁଛନ୍ତି ନିତ୍ୟ ନିତ୍ୟ

ଗ୍ରାହକ ଦେବାକୁ ମୂଲ୍ୟ କରେ ହରବରଂ

ଆହେ ଧର୍ମବକ କିମାଶ୍ଚର୍ଯ୍ୟ ମତଃ ପରଂ ।

(ଧର୍ମବକର ଧର୍ମପୁତ୍ର ଯୁଧ୍ୟଷ୍ଠିରଙ୍କୁ ଚାରୋଟି ସୱାଲ- ଗ୍ରନ୍ଥାବଳୀ ୨ୟ ପୃ-୬୭୨)

 

‘ଉତ୍କଳ ପୁତ୍ର’ର ପାଠକେ ପତ୍ରିକା ନେଇ ମୂଲ୍ୟ ଦେଲେ ନାହିଁ । ତେଣୁ ସେ ଲେଖିଲେ ‘‘ଥରେ ପଢ଼’’ । ‘ପୁତ୍ର’ଙ୍କର ଏହି ପ୍ରବନ୍ଧ ପାଠକରି ଦୀପିକା ଲେଖିଲେ, ‘‘ଆମ୍ଭେମାନେ ଥରେ ଲେଖିଥିଲୁଁ ଯେ ଓଡ଼ିଶାକୁ ସମ୍ବାଦପତ୍ର ବଳାଇଅଛି । ତହିଁରେ ଉତ୍କଳ ପୁତ୍ର ଆମ୍ଭମାନଙ୍କ ସହିତ ପ୍ରତିବାଦ କରିଥିଲେ ଓ ବାଣିଜ୍ୟର ନିୟମ ଆମ୍ଭମାନଙ୍କୁ ବୁଝାଇ ଦେଇ ଉପହାସ କରିଥିଲେ । ଆଶ୍ଚର୍ଯ୍ୟର ବିଷୟ ଯେ ଦୁଇତିନିମାସ ଗତ ନ ହେଉଣୁ ଉତ୍କଳ ପୁତ୍ର ଅନାହାରରେ ମୃତ୍ୟୁ ଆଶଙ୍କା କରି ‘‘ଥରେ ପଢ଼’’ ପ୍ରବନ୍ଧରେ ଗ୍ରାହକମାନଙ୍କୁ ବିଶେଷରେ ‘ଅଦିଆ ଗ୍ରାହକମାନଙ୍କୁ’ ବିସ୍ତର କଟୂବାକ୍ୟ କହି ତାହାଙ୍କ ମନ୍ଦରୁଚିକି ଭାରୀ ନିନ୍ଦା କରିଅଛନ୍ତି ଓ ତହିଁ ସଙ୍ଗେ ସଙ୍ଗେ ଭିକାରୀ ବ୍ରାହ୍ମଣଙ୍କ ପରି ପୁତ୍ର ହତ୍ୟା ଦୋଷ ଲାଗିବାର ଭୟ ଦେଖାଇ ନରମ ଗରମ ବହୁତ କଥା କହିଅଛନ୍ତି-। ଯେମନ୍ତ ଛଟାରେ ଲେଖାଯାଇଅଛି ତହିଁରୁ ବୋଧ ହୁଅଇ ଯେ ‘ପୁତ୍ର’ଙ୍କ ଗ୍ରାହକ, ସମସ୍ତେ ନ ହୁଅନ୍ତୁ, ଅଧିକାଂଶ ଅଦିଆ ଓ ଟଙ୍କା ନ ଦେଇ କାଗଜ ପଢ଼ିବାକୁ ସୁଖପାଆନ୍ତି । ଏ ପ୍ରକାର ରୁଚି ଅବଶ୍ୟ ମନ୍ଦ ଅଟଇ, କିନ୍ତୁ ‘‘ପୁତ୍ର’’ ଯେ ତାହାଙ୍କର ଶିକ୍ଷା ଦାତା ହୋଇ ତାହାଙ୍କ କୁରୁଚିକି ବଢ଼ାଇବାରେ ଉତ୍ସାହ ଦେଇଛନ୍ତି ଏହା ତହୁଁ ବଳିକରି ମନ୍ଦ ଅଟଇ । ଉତ୍କଳ ପୁତ୍ର ତିନିବର୍ଷର ଶିଶୁ ମାତ୍ର । ଦୁଧତୁଣ୍ଡର କଥା କର୍କଶ ହେଲେ ମଧ୍ୟ ମିଷ୍ଟ ଜଣାଯାଏ । ଶିଶୁ ଗାଳି ଦେଲେ ସୁଦ୍ଧା ତାହା ମଧୁର ବୋଧ ହୁଅଇ । ଏ ହେତୁ ସର୍ବସାଧାରଣ ଓ ଗ୍ରାହକମାନେ ପୁତ୍ରଙ୍କର କଥାକୁ କୌତୁକରେ ଉଡ଼ାଇ ଦେବେ ଓ ପଇସା ଦେଇ ବୋଧ କରିବେ– ଏମନ୍ତ ଆମ୍ଭେମାନେ ଆଶା କରୁଁ ।

(ସଂ.ପ.ଓ.କ. ପୃ୨୯୨ ସଂପାଦନା- ସୁଧାକର ପଟ୍ଟନାୟକ)

 

‘‘ଥରେ ପଢ଼’’ ପ୍ରବନ୍ଧର ମୂଳପାଠ ଅଧୁନା ଉପଲବ୍ଧ ହେଉ ନଥିଲେ ମଧ୍ୟ ମୂଳ ପ୍ରବନ୍ଧର ଉଦ୍ଦେଶ୍ୟ, ଭାଷା, ଶକ୍ତିଶାଳିତା ଓ ସର୍ବୋପରି ଏହାର ବ୍ୟଙ୍ଗାତ୍ମକ ଅନ୍ତଃସ୍ଵର ଦୀପିକାଙ୍କ ସମାଲୋଚନାରୁ ବୁଝାଯାଏ ।

 

(୪) ବନ୍ଦ୍ୟୋପାଧ୍ୟାୟଙ୍କୁ ଜବାବ

‘ଅମୃତ ବଜାର’ ପତ୍ରିକାରେ ଦୀନନାଥ ବନ୍ଦ୍ୟୋପାଧ୍ୟାୟ ‘‘ଉଡ଼ିଆ’’ ଶୀର୍ଷକ ଏକ ଇଂରାଜୀ ପ୍ରବନ୍ଧରେ ଉତ୍କଳୀୟମାନଙ୍କ ଆର୍ଯ୍ୟତ୍ୱ ନେଇ ସନ୍ଦେହ ପ୍ରକାଶ କରିଥିଲେ ଏବଂ ଓଡ଼ିଆମାନଙ୍କୁ ଅନାର୍ଯ୍ୟ ବିବେଚନା କରି ଯୁକ୍ତି ବାଢ଼ିଥିଲେ । ‘ଉତ୍କଳ ପୁତ୍ର’ରେ ଏହାର ଜବାବ ଦେବାକୁ ଯାଇ ପ୍ୟାରୀମୋହନ ଏକ ଦୀର୍ଘ ପ୍ରବନ୍ଧ ଲେଖିଥିଲେ । ଏହାର ବିଦ୍ରୂପାତ୍ମକ ଭାଷା ଅତ୍ୟନ୍ତ ଶାଣିତ । ହଠାତ୍ ‘ବିଳି ବିଳେଇ ଉଠିଥିବା’ ବନ୍ଦ୍ୟୋପାଧ୍ୟାୟ ଙ୍କ ପାଇଁ ପ୍ରବନ୍ଧର ଶେଷାଂଶରେ ଥିଲା –

 

‘‘ବାହାବା ! ବାହାବା !! ବାବୁଙ୍କର ଉକ୍ତ ବିଷୟରେ ମତର ସ୍ଥୈର୍ଯ୍ୟ ଜାଣି ନ ପାରିବାରୁ ଉପଯୁକ୍ତ ପ୍ରମାଣ ଦର୍ଶାଇ ବାବୁଙ୍କ ମତ ଖଣ୍ଡନ କରିବାକୁ ମାନସ ବଳିଲା ନାହିଁ ।’’

(ସଂ.ପ.ଓ.କ.ପୃ.୪୫୦)

 

ଡଃ ଶ୍ରୀନିବାସ ମିଶ୍ର ଏପ୍ରକାର ସାମ୍ବାଦିକ ଗଦ୍ୟ ରଚନା ସମ୍ପର୍କରେ ଲେଖିଛନ୍ତି, “ସମକାଳରେ ତେଜୋଦ୍ଦୀପ୍ତ ସାମ୍ବାଦିକ ଗଦ୍ୟ ରଚନାରେ ‘ଉତ୍କଳ ପୁତ୍ର’ର ସମ୍ପାଦକ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଶକ୍ତି ଅସାମାନ୍ୟ ଥିଲା । ‘‘ଇଂରାଜୀଙ୍କଦ୍ୱାରା ଓଡ଼ିଶା ଶାସନ’’, “କେହି ଶୁଣିବେକି’’ ଶୀର୍ଷକ ଦୁଇଟି ରଚନା ବିଶ୍ଳେଷଣ କଲେ ଓଡ଼ିଶାର ଉନ୍ନତି ନିମନ୍ତେ ପ୍ୟାରୀମୋହନଙ୍କ ଆବେଗାୟିତ ଆକାଙ୍‌କ୍ଷା ସହଜରେ ଜାଣିହୁଏ ।’’

(ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ ପୃ.୧୦୧)

 

ଡଃ ଶ୍ରୀନିବାସ ମିଶ୍ର ନିର୍ଦ୍ଦିଷ୍ଟ କରିଥିବା ଏହି ଦୁଇଗୋଟି ପ୍ରବନ୍ଧ ସମ୍ପର୍କରେ ଏଠାରେ କିଛି ଉଲ୍ଲେଖ କରାଯାଉଛି ।

 

(୫) ଇଂରାଜୀଙ୍କଦ୍ୱାରା ଓଡ଼ିଶା ଶାସନ

ଏହି ଦୀର୍ଘ ପ୍ରବନ୍ଧଟି ଉ.ପୁ. ୨/୧୧-୧୬/୯/୧୮୭୪ ସଂଖ୍ୟାରେ ପ୍ରକାଶ ପାଇଥିଲା । ଏହା ସୁଧାକର ପଟ୍ଟନାୟକଙ୍କ ସମ୍ପାଦିତ ‘‘ସମ୍ପାଦପତ୍ରରୁ ଓଡ଼ିଶାର କଥା’’ ପୃ.୪୫୯ରେ ସଂକଳିତ ହୋଇଛି ।

 

ଇଂରେଜମାନେ ଭାରତର ଶାସନ ବ୍ୟବସ୍ଥା ହାତକୁ ନେବା ପରେ ଅନେକ ଉନ୍ନତି ହୋଇଥିବା କଥା ଏହି ପ୍ରବନ୍ଧରେ ପ୍ରଥମେ କୁହାଯାଇଛି । ଓଡ଼ିଶା ୭୧ ବର୍ଷ ଶାସନକାଳ ମଧ୍ୟରେ ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ଯେଉଁସବୁ ବିକାଶ ଲକ୍ଷିତ ହୋଇଅଛି ଅନୁରୂପ ବିକାଶ ଓଡ଼ିଶାରେ ହୋଇ ନଥିବାରୁ ଲେଖକ ଦୁଃଖ ପ୍ରକାଶ କରି ଓଡ଼ିଶା ପ୍ରତି ସରକାରଙ୍କ ବୈମାତୃକ ଭାବନା ନିନ୍ଦନୀୟ ବୋଲି କହିଛନ୍ତି । ଜଗନ୍ନାଥଙ୍କ ରଥଚକ୍ର ତଳେ ପ୍ରାଣ ବିସର୍ଜନ, ମେରିଆ (ନରବଳି), ସହ ମରଣ ଆଦି ଓଡ଼ିଶାରୁ ଲୋପ ପାଇଥିଲେ ମଧ୍ୟ ଓଡ଼ିଶାର ରାଜନୈତିକ ଚିତ୍ରପଟରେ କିଛି ପରିବର୍ତ୍ତନ ଘଟି ନାହିଁ ବୋଲି ଲେଖକ କହିଛନ୍ତି । ଗଞ୍ଜାମ, କଟକ, ସମ୍ବଲପୁର- ତିନି ଭିନ୍ନ ଗଭର୍ଣ୍ଣମେଣ୍ଟକୁ ଦିଆଯାଇଥିବାର କୌଣସି ଯଥାର୍ଥ ନ ଥିବା କଥା ଏଥିରେ କୁହାଯାଇଛି ଏବଂ ଭାଷାଭିତ୍ତିକ ରାଜନୈତିକ ଓଡ଼ିଶାର ମାନଚିତ୍ର ନୂଆ ଭାବେ ଗଠିତ ହେବା ସପକ୍ଷରେ ଲେଖକ ମତ ଦେଇଛନ୍ତି । ଉତ୍କଳ ସମ୍ମିଳନୀରେ ମଧୁବାବୁ ଯାହା ପରବର୍ତ୍ତୀ କାଳରେ ଦାବୀ କଲେ ତାହା ପ୍ରଥମେ ଉତ୍କଳ ପୁତ୍ର ଦାବୀ କରିଥିଲେ ।

 

ରେଭେନ୍ସା ସାହେବଙ୍କ ‘‘ଓଡ଼ିଶା ଧ୍ୱଂସକାରୀ ୧୮୬୬ ସାଲର ଦୁର୍ଭିକ୍ଷ ସମୟ କାର୍ଯ୍ୟ’’କୁ ଏଥିରେ ନିନ୍ଦାକରି ଓଡ଼ିଆ ଭାଷା ପ୍ରତି ତାଙ୍କର ସଂପ୍ରତି ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, କଲିକତାରେ ମେଡ଼ିକାଲ ଅଧ୍ୟୟନ ପାଇଁ ଓଡ଼ିଆ ଛାତ୍ରଙ୍କୁ ବୃତ୍ତି ପ୍ରଦାନ ଆଦି କାର୍ଯ୍ୟର ପ୍ରଶଂସା କରାଯାଇଛି । ପ୍ରବନ୍ଧର ଉପସଂହାରରେ କୁହାଯାଇଛି- “ମାତ୍ର ତାହାଙ୍କର ଏକ ମହତ୍‌ଦୋଷ ଏହି ଯେ ସେ (ରେଭେନ୍ସା) କଥାରେ ଯେତେ କହନ୍ତି କାର୍ଯ୍ୟରେ ସେତେ କରନ୍ତି ନାହିଁ । (ଉ.ପୁ. ୨୮୧୧)

 

(୬) କେହି ଶୁଣିବେ କି ?

‘‘ଇଂରାଜୀମାନଙ୍କଦ୍ୱାରା ଓଡ଼ିଶା ଶାସନ’’ ଲେଖାଯିବାର ପ୍ରାୟ ଏକମାସ ପୂର୍ବରୁ ଉ.ପୁ.୨/୯ ସଂଖ୍ୟା ୧୯/୮/୧୮୭୪ରେ ‘କେହି ଶୁଣିବେନି’ ପ୍ରବନ୍ଧ ପ୍ରକାଶ ପାଇଥିଲା । ଏଥିରେ ଉତ୍କଳର ଉନ୍ନତି ନିମନ୍ତେ ସରକାରଙ୍କଠାରେ ବିଭିନ୍ନ ପ୍ରକାର ଦାବୀ ଉପସ୍ଥାପିତ ହୋଇଥିଲା । ଏହି ପ୍ରବନ୍ଧରେ ଭାଷା ସୂତ୍ରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ଇଲାକାଧୀନ ପ୍ରଦେଶ କରିବାର ପରାମର୍ଶ ଦିଆଯାଇଥିଲା । ପ୍ରବନ୍ଧର ଶେଷ ଦୁଇଧାଡ଼ି ଏହିପରି ।

 

“ଥରକୁ ଥର ସମ୍ବଲପୁର ଗଞ୍ଜାମ ଓଡ଼ିଶା ସଙ୍ଗେ ମିଶିବାର ପ୍ରସ୍ତାବ ଉଠୁଅଛି ମାତ୍ର ସେ କଥା ନା ଦେଶୀୟ ଲୋକେ ଶୁଣୁଛନ୍ତି ନା ଗଭର୍ଣ୍ଣମେଣ୍ଟ ଶୁଣୁଛନ୍ତି ? ଏଥର କେହି ଶୁଣିବେକି ?’’ (ଉ.ପୁ.୨/୧୧)

 

(୭) ଓଡ଼ିଶା ଓ ଗଡ଼ଜାତ ଶାସନ

ଏହା ଏକ ଦୀର୍ଘପ୍ରବନ୍ଧ । ଗଡ଼ଜାତରେ ରାଜୁଡ଼ା ଶାସନ ଅତ୍ୟାଚାର ଉପରେ ପ୍ରତିଷ୍ଠିତ ହେଲେ ମଧ୍ୟ ରେଭେନ୍ସା ସାହେବଙ୍କ ରିପୋର୍ଟରେ କୁହାଯାଇଛି, ‘‘ସମସ୍ତ ରାଜାମାନେ ସେମାନଙ୍କ ରାଜ୍ୟ ଶାସନ କାର୍ଯ୍ୟ ବିଷୟ ନିଜେ ନିଜେ ଅତି ତତ୍‌ପରତାର ସହିତ ଦେଖନ୍ତି ଏବଂ ଗଡ଼ଜାତ ମଧ୍ୟରେ ଅପରାଧ ସଂଖ୍ୟା ଊଣା ହେବାରୁ ଶାସନ ଉତ୍ତମ ରୂପେ ଚଳୁଛି ।’’ ଅତ୍ୟଧିକ କର ଆଦାୟ, ଇଂରେଜମାନଙ୍କ ଗସ୍ତକାଳରେ ରସିଦ ପ୍ରଦାନ, ଦେୱାନୀ ମକବ୍ଦମାର ସଂଖ୍ୟା ନଗଣ୍ୟ ହେବା (ଯଦିଓ ଅପରାଧ ସଂଖ୍ୟା ଅଧିକ ଏବଂ ଯାହା ରାଜତନ୍ତ୍ରର ଅନ୍ଧକାର ମଧ୍ୟରେ ଲୁଚି ଯାଏ), ମିଥ୍ୟା ସ୍କୁଲ ସଂଖ୍ୟା ଦେଖାଇବା, ରାସ୍ତା ତିଆରି ବାବଦ ଭରଣା ପାଇଁ ରାସ୍ତାକର ଅସୁଲ କରିବା, ଚମଡ଼ା ବ୍ୟବସାୟ ପାଇଁ ଗାଈଙ୍କୁ ବିଷ ଦେଇ ମରାଯିବା, ଆଦି ନାନା କଥା ଏହି ପ୍ରବନ୍ଧରେ କହି ଉପସଂହାରରେ ପ୍ୟାରୀମୋହନ ଲେଖିଛନ୍ତି -

 

‘‘ଆମ୍ଭମାନଙ୍କ କମିଶନର ରେଭେନ୍ସା ସାହେବ ଯେଉଁ ରିପୋର୍ଟଦ୍ୱୟ ପଠାଇ ଅଛନ୍ତି ତାହା ଯେ ବହୁ ଦର୍ଶିତାର ଓ ଓଡ଼ିଶାର ପ୍ରକୃତ ଅବସ୍ଥା ବୁଝିବାର ପରିଚୟ ଦେଉଅଛି ତାହା କହିବା ବାହୁଲ୍ୟମାତ୍ର । କିନ୍ତୁ ତାଙ୍କ ଗଡ଼ଜାତ ରିପୋର୍ଟ ପାଠକରି ଆମ୍ଭେମାନେ କିଞ୍ଚିତ୍ ବିସ୍ମିତ ହୋଇଅଛୁଁ । ଏଥିରୁ ଜଣାଯାଏ ସେ ସାହେବ ମହାଶୟ ଗଡ଼ଜାତମାନଙ୍କର ଅବସ୍ଥାର ଭିତରେ ନ ପଶି ଉପର ଚାକଚକ୍ୟ ଦେଖି ସବୁ ରାଜାଙ୍କ ଗୁଣରେ ମୁଗ୍ଧ ହୋଇଅଛନ୍ତି ।’’ (ଉ.ପୁ. ୨/୧୫ ସଂ.ପ.ଓ.କ. ପୃ୪୬୨-୬୪) ଏ ପ୍ରସଙ୍ଗରେ ଉତ୍କଳ ଦୀପିକାରେ ପ୍ରକାଶିତ ଏକ ଖବର ପାଠ କରିବା ଉଚିତ । ‘ପୁରୀ ରାଜା ‘ଖଣ୍ଡୀ’ ନାମକ ଜଣେ ବାଈର ବଶ ହୋଇଗଲେ । ଦୀପିକା ସେହି ନାରୀକୁ ଛତ୍ରଖାଇ ଆଖ୍ୟା ଦେଇଥିଲେ । ମଧୁବାବୁ ପୁରୀରାଜା ଓ ଖଣ୍ଡୀ ବିରୋଧରେ କେସ୍ କଲେ । ଖଣ୍ଡୀର ଘରୁ ପ୍ରାୟ ୧୦ ହଜାର ଟଙ୍କାର ଅଳଙ୍କାର, ମୁକ୍ତାହାର, ରାମେଶ୍ଵରୀ ମୋହର ହାର ଉଦ୍ଧାର କଲେ । ଏଥିରେ ରାଜାଙ୍କର ଚୈତନ୍ୟ ଉଦୟ ହେଲା ।’’ ରାଜତନ୍ତ୍ରର ଏହା ଏକ ନମୁନା ।

(ଡଃ ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହଙ୍କ ‘ଶତାବ୍ଦୀ ପୁରୁଷ’ ପୃ୩୨୪)

 

ରାଜତନ୍ତ୍ର ବିରୋଧରେ ଯେଉଁ କାଳରେ ତୁଣ୍ଡ ଖୋଲିବା ଅସମ୍ଭବ ଥିଲା, ପ୍ୟାରୀମୋହନ ସେ କାଳରେ କମିଶନର ସାହେବଙ୍କ ବିରୁଦ୍ଧରେ ମଧ୍ୟ ଏକାଧିକ ବାର ଲେଖିଥିଲେ । ରେଭେନ୍ସା ସାହେବଙ୍କ ରିପୋର୍ଟରେ ରାଜାମାନେ ବିଳାସୀତାର ନିଦର୍ଶନ ପାଇଁ ଯାନିଯାତ୍ରାରେ ଖର୍ଚ୍ଚ କରୁଥିବା ଅମାପ ଟଙ୍କାର କିଛି ଅଂଶ ଦେଶ କାର୍ଯ୍ୟ ପାଇଁ, ବିଶେଷତଃ ଶିକ୍ଷା ପାଇଁ ବ୍ୟୟିତ ହେବା ଉଚିତ ବୋଲି କହି ନଥିବା ହେତୁ ପ୍ୟାରୀମୋହନ ସେ ରିପୋର୍ଟକୁ ଯଥାର୍ଥ ମଣି ନାହାନ୍ତି । ରଣପୁର ରାଜାଙ୍କ ସମ୍ପର୍କରେ ପ୍ୟାରୀମୋହନ ଲେଖିଛନ୍ତି ।

 

‘‘ରଣପୁର ରାଜାତ ରାଜାରେ ଗଣ୍ୟ । ତାଙ୍କର ରାତି ଦିନ ଓ ଦିନ ରାତି । ରାଜକାର୍ଯ୍ୟ ବୁଝିବା ବିଷୟରେ ତୁନି ହୋଇ ବସିବା ସାର । ବର୍ଷକ ମଧ୍ୟରେ ଦୁଇତିନି ଥର ଦାଣ୍ଡକୁ ବାହାରିବା କଷ୍ଟ । କେବଳ ଗମ୍ଭୀରୀ ଦିଅଁ ପରି ଘରେ ବସିଛନ୍ତି । ଆହୁରି ପଦେ ଶୁଣ । ଦେଖିଅଛୁ ବଡ଼ ଲୋକମାନେ ହାତୀଘୋଡ଼ା ପାଲିଙ୍କି ଚଢ଼ି ବୁଲନ୍ତି; କିନ୍ତୁ ବଡ଼ମ୍ବାର ରାଜାଙ୍କଠାରେ ଗୋଟିଏ ଆଶ୍ଚର୍ଯ୍ୟର କଥା ଦେଖିଲୁଁ । ଶଗଡ଼ ଚଢ଼ି ସ୍ଵୟଂ ଡି ଡି କରି ବଳଦ ଅଡ଼ାଇବାରେ ତାଙ୍କର ବଡ଼ ଆମୋଦ ଓ ବଡ଼ ପ୍ରେମ । ବୋଧହୁଏ ଚଷାମାନଙ୍କ ସନ୍ତୋଷ ଜନ୍ମାଇବା ସକାଶେ ପରା ଏପରି କରୁଅଛନ୍ତି । ଆଉ କିଛିଦିନ ଉତ୍ତାରୁ ହୁଏତ କେଳାଙ୍କ ସୁଖ ଜନ୍ମାଇବା ସକାଶେ ରାଜା ଗଧ ଉପରେ ଚଢ଼ି ବୁଲି ପାରନ୍ତି ।’’ (ଅତୀତରେ ଭକ୍ତର ରାଜା ଥିଲେ ଗଜପତି, ପ୍ୟାରୀମୋହନଙ୍କ ଦୃଷ୍ଟିରେ ଅନେକ ଗଡ଼ଜାତର ରାଜା ଗଧପତି ।)

 

(୮) ଉତ୍କଳ ଭାଷା

ଓଡ଼ିଆ ଭାଷା ଆନ୍ଦୋଳନ କାଳରେ ବିଜାତୀୟମାନଙ୍କର ଚକ୍ରାନ୍ତ ଫଳବତୀ ନ ହେବାରୁ ପ୍ୟାରୀମୋହନ ଏହି ପ୍ରବନ୍ଧର ପ୍ରଥମାଂଶରେ ଆନନ୍ଦ ପ୍ରକାଶ କରିଛନ୍ତି । ପରବର୍ତ୍ତୀ ଅଂଶରେ ଓଡ଼ିଆ ଭାଷାର ଉନ୍ନତି କଳ୍ପେ ପାଠ୍ୟପୁସ୍ତକ ରଚନାରେ ଯେଉଁ ପ୍ରତିବନ୍ଧକ ରହିଛି ତାହାକୁ ବ୍ୟଙ୍ଗାତ୍ମକ ଭାଷାରେ ଦର୍ଶାଇ ଅଛନ୍ତି । ସେ ଲେଖିଛନ୍ତି, “ପୁସ୍ତକ ପ୍ରଚାର ପକ୍ଷରେ ଆହୁରି ଗୋଟାଏ ପ୍ରତିବନ୍ଧକ ଅତ୍ରତ୍ୟ ପୁସ୍ତକ ପରୀକ୍ଷକ କମିଟି । ତାହାଙ୍କୁ ପୁସ୍ତକ ପରୀକ୍ଷା ପାଇଁ ଦେଲେ ସେମାନେ ଅନେକ ଦିନ ପକାଇ ରଖନ୍ତି । ସୁତରାଂ ଅନ୍ୟ ଲୋକଙ୍କର ପୁସ୍ତକ ରଚନା ବିଷୟରେ ଉତ୍ସାହ ବଳୁ ନାହିଁ ।’’

(୧/୫/୧୮୭୩- ଉ.ପୁ. ୧/୨ ସଂଖ୍ୟା)

 

(୯) ଗଞ୍ଜାମ, ସମ୍ବଲପୁର ଓ ଉତ୍କଳ ପୁସ୍ତକ

ଏହି ପ୍ରବନ୍ଧରେ ଓଡ଼ିଆ ଭାଷା ବିଦ୍ୱେଷୀମାନଙ୍କୁ ପ୍ରଥମେ ଗାଳି ଦିଆଯାଇଛି । ‘‘ଓଡ଼ିୟା ଭାଷା ରହିବାର ସ୍ଥିର ହେଲା । ଏବେ ବଙ୍ଗାଳୀମାନେ ସେ ଆଶାରୁ ନିରାଶ ହେଲେଣି, ଯଦିଓ ମନରୁ କ୍ରୋଧାଗ୍ନି ସମ୍ପୂର୍ଣ୍ଣଭାବେ ନିର୍ବାପିତ ହୋଇନାହିଁ । ବଙ୍ଗାଳୀମାନେ ତାଙ୍କରକି ଆମ୍ଭର ମଙ୍ଗଳ ନିମନ୍ତେ ଏପରି ଯତ୍ନ କରୁଥିଲେ ଏବଂ ଗଭର୍ଣ୍ଣମେଣ୍ଟ ଯେକି ଉଦ୍ଦେଶ୍ୟରେ ସେମାନଙ୍କୁ ସେ ଆଶାରୁ ବଞ୍ଚିତ କଲେ ତାହା ଆମ୍ଭେମାନେ କହି ନ ପାରୁଁ ।

 

ପ୍ରବନ୍ଧର ଦ୍ୱିତୀୟ ପର୍ଯ୍ୟାୟରେ ପାଠ୍ୟପୁସ୍ତକ ରଚନା କ୍ଷେତ୍ରରେ ସରକାରୀ ଉଦାସୀନତାକୁ ପ୍ୟାରୀମୋହନ ସମାଲୋଚନା କରି ମଧ୍ୟଯୁଗୀୟ ସାହିତ୍ୟର ଶ୍ରେଣୀ କକ୍ଷରେ ଉପଯୋଗିତା ନାହିଁ ବୋଲି କହିଛନ୍ତି । ପ୍ୟାରୀମୋହନ ଲେଖିଛନ୍ତି, ‘‘ଉପେନ୍ଦ୍ର ଭଞ୍ଜଙ୍କ ଯମକ, ଦୀନକୃଷ୍ଣଙ୍କ ଅନୁପ୍ରାସ ଓ ଅଭିମନ୍ୟୁଙ୍କ ରାସ କ୍ରୀଡ଼ା ଆମ୍ଭମାନଙ୍କ ରୀତିକୁ ଭଲ ଲାଗୁ ନାହିଁ । ବସ୍ତୁତଃ ଏପରି ରସାତ୍ମକ ପୁସ୍ତକମାନ ପାଠ୍ୟପୁସ୍ତକ କରି ସୁକୁମାର ମତି ବାଳକମାନଙ୍କ ହସ୍ତରେ ଦେବାକୁ ଆମ୍ଭମାନଙ୍କୁ ଲଜ୍ଜା ହେଉଛି । ବର୍ତ୍ତମାନ ସରଳ ପଦ୍ୟ ଓ ପ୍ରଶସ୍ତ ଗଦ୍ୟ ପୁସ୍ତକ ନିତାନ୍ତ ପ୍ରୟୋଜନ ।”

(ଉ.ପୁ. ୧/୭-୧୬/୭/୧୮୭୩)

 

ପୁସ୍ତକ ରଚନା କ୍ଷେତ୍ରରେ ଅଭାବ ଦୂର ହେବାର ଉପାୟ ନିର୍ଦ୍ଦେଶ କରିବାକୁ ଯାଇ ପ୍ୟାରୀମୋହନ ଲେଖିଛନ୍ତି, ସମ୍ବଲପୁର ଓ ଗଞ୍ଜାମ ଯେବେ କଟକ ସଙ୍ଗେ ମିଶିଯାଏ ତେବେ ସମାଲୋଚିତ ଏ ଅଭାବ ଅବଶ୍ୟ ଦୂର ହୋଇଯିବ । ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍‌ସୀ ଅଧୀନରେ ଏବଂ ସମ୍ବଲପୁର ମଧ୍ୟପ୍ରଦେଶ ଅଧୀନରେ ଥିବାରୁ ଓଡ଼ିଆ ପୁସ୍ତକ ସେସବୁ ଅଞ୍ଚଳକୁ ପ୍ରସାରିତ ହୋଇପାରୁନଥିଲା ।

 

(୧୦) ଉତ୍କଳ ସାହିତ୍ୟ

ଫକୀର ମୋହନଙ୍କ ଭାରତବର୍ଷର ଇତିହାସକୁ ପ୍ରବନ୍ଧର ଆଦରରେ ପ୍ରଶଂସା କରାଯାଇ ଭ୍ରମଣ କାହାଣୀ, ଉପାଖ୍ୟାନ, ଶବ୍ଦାଡ଼ମ୍ବର ରହିତ ଗଦ୍ୟପଦ୍ୟ, ସାତ୍ତ୍ୱିକ ଭାବପୂର୍ଣ୍ଣ, ଉନ୍ନତମାନ ଓ ଉନ୍ନତ ରୁଚିର ସାହିତ୍ୟ ଲିଖିତ ହେବା ଉଚିତ ବୋଲି ପ୍ୟାରୀମୋହନ ଏହି ପ୍ରବନ୍ଧରେ ସୂଚାଇ ଅଛନ୍ତି । ପ୍ୟାରୀମୋହନ ୧୮୭୪ରେ ଅନୁଭବ କରିଛନ୍ତି ଯେ ଓଡ଼ିଆ ସାହିତ୍ୟରେ ଛାତ୍ରୋପଯୋଗୀ ଖଣ୍ଡିଏ ହେଲେ ପଦ୍ୟ ପୁସ୍ତକ ନାହିଁ । ଏ କ୍ଷେତ୍ରରେ ବଙ୍ଗଳା ଓ ହିନ୍ଦୀ ସାହିତ୍ୟ ଅଗ୍ରଣୀ ଥିବାର ସେ ଲକ୍ଷ୍ୟ କରିଛନ୍ତି ।

 

(୧୧) ଓଡ଼ିଶାର ଇତିହାସ

ପ୍ୟାରୀମୋହନଙ୍କ ଏହି ଗ୍ରନ୍ଥ ଲିଖିତ ହୋଇ ବର୍ଷାଧିକ କାଳ ପାଠ୍ୟପୁସ୍ତକ ପରୀକ୍ଷା କମିଟି ପାଖରେ ପଡ଼ିରହିଲା । ମଞ୍ଜୁରି ପରିବର୍ତ୍ତେ ବିଭିନ୍ନ ସଂଶୋଧନ ପାଇଁ ପ୍ରସ୍ତାବ ସହିତ ଲେଖକଙ୍କ ପାଖକୁ ଫେରିଆସିଲା । ଲେଖକ ପୁନର୍ବାର ଦେଲେ । ସେଠାରୁ ପ୍ରେସକୁ ଯାଇ ବାହାରିବା ବେଳକୁ ଚାରିବର୍ଷରୁ ଅଧିକ କାଳ ଚାଲିଗଲା । କାଳୀପଦ ବାବୁଙ୍କ କଟାଳ ଯୋଗୁଁ ଏହାକୁ କିଛିଦିନ ପରେ ନିଷିଦ୍ଧ କରାଗଲା । ନିଷିଦ୍ଧ ହେବାର ପ୍ରଧାନ କାରଣ ହେଲା ଏହା ସଟନସାହେବଙ୍କ ଲିଖିତ ଜଗନ୍ନାଥ ପ୍ରସଙ୍ଗକୁ ଗ୍ରହଣ କରିନାହିଁ । ସେ ସବୁ ଅପ୍ରାସଙ୍ଗିକ ଆଲୋଚନାକୁ ନ ଯାଇ ‘ଓଡ଼ିଶାର ଇତିହାସ’ରେ ଲେଖକଙ୍କର ବ୍ୟଙ୍ଗ ଚେତନା କିପରି ପ୍ରତିଫଳିତ ହୋଇଛି ତାର ଆକଳନ କରିବାର ଉଦ୍ୟମ କରାଯାଉଛି ।

 

ଉତ୍କଳର ଧର୍ମ ପ୍ରସଙ୍ଗ

ପ୍ୟାରୀମୋହନ ଲେଖିଛନ୍ତି, “ମୁସଲମାନମାନଙ୍କ ପରି ଧର୍ମ ଉନ୍ମାଦ କେତେକ ପରିମାଣରେ ସେମାନଙ୍କ (ମହିମାଧର୍ମୀ) ମଧ୍ୟରେ ପ୍ରବେଶ କରିଅଛି । ମାଦକ ଦ୍ରବ୍ୟ ମଧ୍ୟରେ ଗଞ୍ଜା ଦିନକୁ ଦିନ ସେମାନଙ୍କ ମଧ୍ୟରେ ପ୍ରିୟ ହେଉଅଛି ।’’ (ପ୍ରଥମ ଅଧ୍ୟାୟ)

 

ଷ୍ଟାର୍ଲିଂଙ୍କ ମତର ଖଣ୍ଡନ

‘‘ଷ୍ଟାର୍ଲିଂ ସାହେବ ଲେଖନ୍ତି ଖୋର୍ଦ୍ଦାର ଦକ୍ଷିଣସ୍ଥ ରସକୋଇଲା (ଋଷିକୁଲ୍ୟା) ନଦୀଠାରୁ ଉତ୍ତରରେ କାଁଶ ବାଁଶ ନଦୀ ପର୍ଯ୍ୟନ୍ତ ଓଡ୍ରଙ୍କର ରାଜ୍ୟ ବିସ୍ତୃତ ଥିଲା । କିନ୍ତୁ ଏତେଦୂର ବିସ୍ତୃତ ଥିବାର କୌଣସି ପ୍ରମାଣ ନାହିଁ । ବରଂ ଏକ ତାମ୍ରପଟାରୁ ଦେଖାଯାଏ ଯେ ମହାନଦୀ ପାର୍ଶ୍ୱବର୍ତ୍ତୀ ଦେଶ ଯଯାତି କେଶରୀଙ୍କ ସମୟରେ କୋଶଳ ନାମରେ ପରିଚିତ ଥିଲା ।’’

 

ମାଦଳାର କାଳ୍ପନିକ ବିବରଣୀକୁ ଐତିହାସିକ ସତ୍ୟ ଭାବେ ଗ୍ରହଣ ନ କରିବା

 

“ପଞ୍ଜିକା ଲିଖିତ ରାଜାଏ କଳିକାଳର ନରପତି । ଏମାନଙ୍କ ଶତବର୍ଷ ପରମାୟୁରେ ସୁଦ୍ଧା ଅଧିକାର ନାହିଁ । ଏଣୁକରି ଏମାନଙ୍କର ଏତେ ଅଧିକ କାଳ (୫୦୦ ବର୍ଷ) ରାଜତ୍ଵ କରିବାର ଯାହା କୁହାଯାଇଛି ତାହା ସମ୍ପୂର୍ଣ୍ଣରୂପେ କାଳ୍ପନିକ । ସୁତରାଂ ତାହାକୁ ଏହି ପୃଷ୍ଠାମାନଙ୍କରୁ ବିସର୍ଜନ ଦେଲୁଁ-।

 

 

ହଣ୍ଟରଙ୍କ ମତର ଖଣ୍ଡନ

‘ହଣ୍ଟର ସାହେବ ଯିବା ଉପନିବେଶୀଙ୍କି ଆୟୋନୀୟ ଗ୍ରୀକ୍ ବୋଲି ସ୍ଥିର କରିଅଛନ୍ତି । ସେମାନେ ଗ୍ରୀକ୍ ହୋଇଥିଲେ ନିଜ ମାତୃଭାଷା ଯାବା ଦ୍ୱୀପକୁ ନେଇ ଯାଇ ଥାଆନ୍ତେ । ସଂସ୍କୃତ ଚିହ୍ନ ତାହାହେଲେ ଯାବା ଭାଷାରେ ଦୃଷ୍ଟ ହୁଅନ୍ତା ନାହିଁ । ହଣ୍ଟର ସାହେବ ‘ଯାବା’ ‘ନାମ ‘ଯବନ’ ଶବ୍ଦରୁ ବାହାରିଥିବାର ଲେଖିଅଛନ୍ତି । ଆମ୍ଭେମାନେ କହୁଁ ‘ଯବନ’ ଶବ୍ଦରୁ କିପାଁ ହେବ ? ଯବ ଆକାର ଯାବା ଦ୍ୱୀପ ‘ଯବ’ ଶବ୍ଦରୁ ଅବା କାହିଁକି ଜାତ ନ ହେବ ? ହଣ୍ଟର ସାହେବଙ୍କ କଥାନୁସାରେ ଯବନମାନେ ଯଦି ଗ୍ରୀକ୍ ହୋଇଥାଆନ୍ତେ ତେବେ ସେମାନଙ୍କ କୀର୍ତ୍ତି ଅବଶ୍ୟ ଓଡ଼ିଶାରେ ମିଳନ୍ତା ।

 

‘‘ଗ୍ରୀକ୍‍ଙ୍କର କୌଣସି କୀର୍ତ୍ତି ଅଥବା ଖୋଦିତ ଲିପି କାହିଁ ଦୃଷ୍ଟିଗୋଚର ହୁଅଇ ନାହିଁ । ଓଡ଼ିଶାକୁ ବିଜୟୀ ଗ୍ରୀକ୍‍ମାନେ ଆସିଥିବାର ଅନୁମାନ ଯେ ସମ୍ପୂର୍ଣ୍ଣ କାଳ୍ପନିକ, ଏଥିରେ ଆଉ ସନ୍ଦେହ ରହଇ ନାହିଁ । (୨ୟ ଅଧ୍ୟାୟ)

 

ଅଶ୍ଳୀଳମୂର୍ତ୍ତି ବିରୁଦ୍ଧରେ ପ୍ରତିକ୍ରିୟା

ଶିଳ୍ପୀମାନେ ମନ୍ଦିର ଗାତ୍ରରେ ଅଶ୍ଳୀଳ ମୂର୍ତ୍ତିମାନ ଗଢ଼ିବା ରୁଚି ଗର୍ହିତ । ‘‘ସେ ସବୁ ଦୃଷ୍ଟିକଟୁ ଦୋଷରେ ଦୂଷିତ ଓ ସେମାନଙ୍କ ମନ୍ଦରୁଚିର ପରିଚାୟକ ମାତ୍ର ।’’ (୩ୟ ଅଧ୍ୟାୟ) ।

 

ଇଂରେଜମାନଙ୍କ ଶାସନ ପଦ୍ଧତିର ନିନ୍ଦା

ଇଂରେଜମାନଙ୍କଠାରୁ ମୋଗଲବନ୍ଦୀ ଲୋକେ ଚିରସ୍ଥାୟୀ ବନ୍ଦୋବସ୍ତ ଆଶା କରିଥିଲେ । ୧୮୧୧ ସାଲର ଏବଂ ୧୮୧୩ ସାଲର ଆଇନ ଧାରାରେ କେଉଁଠି ବର୍ଷିକିଆ ବନ୍ଦୋବସ୍ତ କେଉଁଠି ଦୁଇବର୍ଷିଆ ବା ତିନି ବର୍ଷିଆ ବନ୍ଦୋବସ୍ତ କରାଯାଇଥିଲା । ପ୍ୟାରୀମୋହନ ଲେଖିଛନ୍ତି, “୧୮୧୩ ସାଲର ଆଇନଦ୍ୱାରା ସେ ଆଶାରୁ ଓଡ଼ିଶାବାସୀଙ୍କୁ ଏକାବେଳକେ ବଞ୍ଚିତ କଲେ ।’’

 

‘‘ବଞ୍ଚିତ କଲେ’’ ଶବ୍ଦକୁ ବ୍ୟାଖ୍ୟା କରି କାଳୀବାବୁ ଯେଉଁ କଦର୍ଥ କଲେ ଇଂରେଜମାନେ ବୁଝିଲେ ପ୍ୟାରୀବାବୁ ଇଂରେଜମାନଙ୍କୁ ଠକ ବୋଲି ପ୍ରତିପାଦନ କଲେ । ଓଡ଼ିଶା ଇତିହାସ ଶ୍ରେଣୀ କକ୍ଷରୁ ବହିଷ୍କୃତ ହେଲା ।

 

ଉପସଂହାର- ‘‘ଉତ୍କଳ ପୁତ୍ର’’ ମାତ୍ର ଚାରିବର୍ଷ ବଞ୍ଚିଥିଲା । ଏହାର ସବୁଯାକ ଖଣ୍ଡ ଅଧୁନା ଦୁଷ୍ପ୍ରାପ୍ୟ ହୋଇଥିବାରୁ ଏ ଆଲୋଚନାକୁ ପୂର୍ଣ୍ଣାଙ୍ଗ ଆଲୋଚନା ବୋଲି କୁହାଯାଇ ପାରିବ ନାହିଁ । ମାତ୍ର ୩୦ ବର୍ଷ କାଳ ମଧ୍ୟରେ ପ୍ୟାରୀମୋହନ ଯାହା କରିଗଲେ ତାର ପଟାନ୍ତର ନାହିଁ । ପ୍ରାବନ୍ଧିକ ଭାବରେ ସେ ମୁଖ୍ୟତଃ ବାର୍ତ୍ତା-ମୁଖୀ-ପ୍ରବନ୍ଧ ଲେଖିଛନ୍ତି । ଏହାକୁ ସମ୍ବାଦ ସାହିତ୍ୟ-ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ । ପ୍ୟାରୀମୋହନ ଓଡ଼ିଆ ବ୍ୟଙ୍ଗ ପ୍ରବନ୍ଧର ଜଣେ ଆଦି ପ୍ରବର୍ତ୍ତକ ।

 

 

ଟୋଲଙ୍କ-ମୋତିଗଞ୍ଜ,

ବାଲେଶ୍ୱର

 

***

 

ଐତିହାସିକ ପ୍ୟାରୀମୋହନ

ଡକ୍ଟର ହରିହର ପଣ୍ଡା

 

(୧)

 

ଊନ୍ନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଓଡ଼ିଶା ବିଦ୍ୟାଳୟ ସମୂହ ପାଇଁ ଇତିହାସ ପାଠ୍ୟପୁସ୍ତକର ଆବଶ୍ୟକତା ପ୍ରଥମଥର ପାଇଁ ଅନୁଭୂତ ହୋଇଥିଲା । ଓଡ଼ିଆ ଭାଷାରେ ଏହି ଇତିହାସ ପୁସ୍ତକ ରଚନାକାରୀଙ୍କୁ ତିନିଶହ ଟଙ୍କା ପୁରସ୍କାର ଦେବା ପାଇଁ ସରକାର ଘୋଷଣା କରିଥିଲେ । ଅବଶ୍ୟ ସେତେବେଳକୁ ଓଡ଼ିଶା ଇତିହାସ ରଚନାର ଶୁଭଶଙ୍ଖ ଫୁଙ୍କିସାରିଥିଲେ ଇଂରେଜ ପ୍ରଶାସକ-ଐତିହାସିକମାନେ । ହଣ୍ଟର, ଷ୍ଟର୍ଲିଂ, ସଟନ, ଟଏନବୀ ଆଦିଙ୍କଦ୍ୱାରା ରଚିତ ହୋଇସାରିଥିଲା ଓଡ଼ିଶା ଇତିହାସ ବିକ୍ଷିପ୍ତ ଭାବରେ । କେବଳ ଇଂରାଜୀ ପାଠୁଆ ବୁଦ୍ଧିଜିବୀମାନେ ଏହି ଇତିହାସ ସମ୍ପର୍କରେ ଜାଣୁଥିଲେ ଏବଂ ସେମାନଙ୍କ ପରିସରରେ କିଛିଟା ଆଲୋଚନା କରୁଥିଲେ ମଧ୍ୟ । ମାତ୍ର ଅଗଣିତ ଓଡ଼ିଆମାନଙ୍କ ପାଇଁ ଏହାର ଇତିହାସ ଅନ୍ଧକାରଚ୍ଛନ୍ନ ହୋଇ ରହିଥିଲା । ଏହି ସ୍ତୂପୀକୃତ ଅନ୍ଧକାର ମଧ୍ୟରୁ ଓଡ଼ିଶାର ଇତିହାସକୁ ଆଲୋକକୁ ଆଣିବା ପାଇଁ ଯେଉଁମାନେ ଉଦ୍ୟମ କରିଥିଲେ, ସେମାନଙ୍କ ମଧ୍ୟରୁ ଆଚାର୍ଯ୍ୟ ପ୍ୟାରୀମୋହନ ଥିଲେ ଅଗ୍ରଗଣ୍ୟ । ତାଙ୍କର ପ୍ରଗାଢ଼ ଉଦ୍ୟମରେ ୧୮୭୯ରେ ଆତ୍ମପ୍ରକାଶ କରିଥିଲା ଓଡ଼ିଶାର ଇତିହାସ ଏବଂ ଦୀର୍ଘ ଛୟାଳିଶ ବର୍ଷ ପରେ ଅର୍ଥାତ୍ ୧୯୨୫ରେ ଶ୍ରୀଯୁକ୍ତ ବିଶ୍ଵନାଥ କରଙ୍କଦ୍ୱାରା ପ୍ରକାଶିତ ହୋଇଥିଲା ଏହି ପୁସ୍ତକର ଦ୍ୱିତୀୟ ସଂସ୍କରଣ ।

 

ଏକବିଂଶ ଶତାବ୍ଦୀରେ ପାଦ ଥାପିଥିବା ମଣିଷ ପାଇଁ ଇତିହାସର ସଂଜ୍ଞା ହେଉଛି ଯେ, ଏହା ଐତିହାସିକ ଏବଂ ତା’ର ଉପାଦାନ ମଧ୍ୟରେ କଥୋପକଥନ ସୁଦୂର ଅତୀତରୁ ବର୍ତ୍ତମାନ ମଧ୍ୟ ଦେଇ ଭବିଷ୍ୟତ ଆଡ଼କୁ ପ୍ରଧାବିତ । (୧) ପ୍ରଫେସର E.H.Carrଙ୍କ ବିଂଶ ଶତାବ୍ଦୀର ଏହି ବକ୍ତବ୍ୟ କିନ୍ତୁ ପ୍ରତିଫଳିତ ହୋଇଥିଲା ବହୁ ପୂର୍ବରୁ ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ‘ଓଡ଼ିଶାର ଇତିହାସ’ ପୁସ୍ତକରେ । ଇତିହାସ ଲେଖିବା ପାଇଁ ଉପାଦାନ ଯେ ଏକାନ୍ତ ଭାବରେ ଅପରିହାର୍ଯ୍ୟ, ତାହା ପ୍ରମାଣ କରିଥିଲେ ସ୍ୱର୍ଗତ ଆଚାର୍ଯ୍ୟ ଓଡ଼ିଶାର ଇତିହାସ ଓଡ଼ିଆ ଭାଷାରେ ପ୍ରଥମେ ରଚନା କରି । ଧର୍ମଗ୍ରନ୍ଥ, ପୁରାଣ, ପ୍ରାଚୀନ ଗ୍ରନ୍ଥ, ଶିଳାଲେଖ, ତମ୍ବାପଟା, ସରକାରୀ ରେକର୍ଡ଼ ଆଦିକୁ ଏକତ୍ରିତ କରି, ଏହି ଉପାଦାନଗୁଡ଼ିକୁ ବିଶ୍ଳେଷଣ କରି ଏବଂ ଅବାଞ୍ଚିତ ତଥ୍ୟଗୁଡ଼ିକୁ ବାଦ ଦେଇ ପ୍ୟାରୀମୋହନ ରଚନା କରିଥିଲେ ଓଡ଼ିଶାର ଇତିହାସ । ଓଡ଼ିଶା ଇତିହାସ ସମ୍ପର୍କିତ ତାଙ୍କର ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହୋଇଅଛି ।

 

(୨)

ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ରଚିତ ଓଡ଼ିଶାର ଇତିହାସ (୨) ଆଠଗୋଟି ଅଧ୍ୟାୟରେ ବିଭକ୍ତ । ପ୍ରଥମ ଅଧ୍ୟାୟରେ ‘ଓଡ଼ିଶାର ଭୂଗୋଳ’ ସମ୍ପର୍କରେ ଧାରଣା ଦିଆଯାଇଅଛି । ତତ୍କାଳୀନ ଓଡ଼ିଶାର ସୀମା ଉତ୍ତରରେ କାଁଶବାଁଶ ନଦୀଠାରୁ ଦକ୍ଷିଣରେ ଋଷିକୁଲ୍ୟା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମୟକ୍ରମେ ଏହା ବର୍ଦ୍ଧିତ ହୋଇ ଉତ୍ତରରେ ହୁଗୁଳୀ ନଦୀ, ଦକ୍ଷିଣରେ ଗୋଦାବରୀ ନଦୀ ଓ କର୍ଣ୍ଣାଟଦେଶ, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ କଳାହାଣ୍ଡି ବସ୍ତର ମଧ୍ୟରେ ନିର୍ଦ୍ଦିଷ୍ଟ ହୋଇଥିଲା । ମାତ୍ର ଓଡ଼ିଶାର ଏହି ସୀମାକୁ ନେଇ ସନ୍ତୁଷ୍ଟ ନ ଥିଲେ ପ୍ୟାରୀମୋହନ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ବହୁ ପୂର୍ବରୁ ଦୃଢ଼ ମତ ଦେଇ ସେ ସୂଚାଇ ଦେଇଥିଲେ ଯେ ମାନ୍ଦ୍ରାଜ ଏବଂ ସମ୍ବଲପୁର ମଧ୍ୟ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ତାଙ୍କରି ଭାଷାରେ –

 

 

‘‘ମାନ୍ଦ୍ରାଜ ଓ ସମ୍ବଲପୁର ସୁଦ୍ଧା ଓଡ଼ିୟାଭାଷା

କଥିତ ଦେଶ, ମାତ୍ର ଗଞ୍ଜାମ ମାନ୍ଦ୍ରାଜ ପ୍ରେସିଡେନ୍‍ସି

ଓ ସମ୍ବଲପୁର ମଧ୍ୟପ୍ରଦେଶର ଅନ୍ତର୍ଭୁକ୍ତ ହୋଇଅଛି ।’’ (୩)

 

ସେ ସମୟର ଓଡ଼ିଶାର ଲୋକସଂଖ୍ୟା ୪୫ ଲକ୍ଷ ଥିବା କଥା ସେ ଉଲ୍ଲେଖ କରିଥିଲେ । ଓଡ଼ିଶାକୁ ମୁଖ୍ୟତଃ ଗଡ଼ଜାତ ଏବଂ ମୋଗଲବନ୍ଦୀ ଏହି ଦୁଇଭାଗରେ ବିଭକ୍ତ କରି ୧୯ଟି ଭାଗ କରଦ ରାଜାଙ୍କଦ୍ଵାରା ଶାସିତ ଏବଂ ଅନ୍ୟ ଦୁଇଭାଗ ଇଂରେଜମାନଙ୍କ ଶାସନାଧୀନ ଥିବା କଥା ଉଲ୍ଲେଖ କରିଥିଲେ । ମୋଗଲବନ୍ଦୀର ତିନୋଟି ଜିଲ୍ଲା, ଯଥା- କଟକ, ପୁରୀ ଓ ବାଲେଶ୍ଵର ଇଂରେଜମାନଙ୍କ ପ୍ରତ୍ୟକ୍ଷ ଶାସନରେ ପରିଚାଳିତ ହେଉଥିବା କଥା ସେ ବର୍ଣ୍ଣନା ଦେବାକୁ ଯାଇ ସେ କଟକ, ପୁରୀ, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଚୌଦ୍ୱାର, ଭୁବନେଶ୍ଵର, ଖୋର୍ଦ୍ଧା, ପିପିଲି, ଭଦ୍ରଖ, ଜଳେଶ୍ୱର ଆଦି ବିଷୟରେ ଉଲ୍ଲେଖ କରିଥିଲେ । (୪) ଓଡ଼ିଶାର ନଦୀମାନଙ୍କ ମଧ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସାଳନ୍ଦୀ, କାଁଶବାଁଶ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଏବଂ ସେଗୁଡ଼ିକର ଶାଖାନଦୀର ବର୍ଣ୍ଣନା ସ୍ଥାନ ପାଇଥିଲା । (୫) ଓଡ଼ିଶାର ହ୍ରଦମାନଙ୍କ ମଧ୍ୟରେ ଚିଲିକା ଏବଂ ସର; ପର୍ବତଗୁଡ଼ିକ ମଧ୍ୟରେ ମେଘାସନ, ଆମଜୋରୀ, ଠାକୁରାଣୀ, ଗନ୍ଧମାର୍ଦ୍ଦନ, ମଳୟଗିରି, କପିଳାସ, ପଞ୍ଚଧାର; ବନ୍ଦରଗୁଡ଼ିକ ମଧ୍ୟରେ ଫଲ୍ସ ପଏଣ୍ଟ, ବାଲେଶ୍ଵର, ଚାନ୍ଦବାଲି, ଧାମରା, ସାରଥା, ମାଛଗାଁ ଆଦି; ଖଣିଜଦ୍ରବ୍ୟଗୁଡ଼ିକ ମଧ୍ୟରେ ତାଳଚେରର କୋଇଲା ଖଣି, କେନ୍ଦୁଝରରେ ସ୍ୱର୍ଣ୍ଣଖଣି ଓ ବହୁ ସ୍ଥାନରେ ଲୌହଖଣି ଆଦି; ଶିଳ୍ପଜାତଦ୍ରବ୍ୟଗୁଡ଼ିକ ମଧ୍ୟରେ କଂସା ଓ ପିତ୍ତଳ ବାସନ, ବସ୍ତ୍ର, ଖଣ୍ଡୁଆ, ମଠା ଓ ଟସର, ପଥର କାରିଗରୀ ଆଦି ବିଷୟରେ ବିସ୍ତୃତଭାବେ ଉଲ୍ଲେଖ କରିଥିଲେ ପ୍ୟାରୀମୋହନ । (୬) ଓଡ଼ିଶାର ଉତ୍ପନ୍ନ ଦ୍ରବ୍ୟ ମଧ୍ୟରୁ ଧାନ, ମୁଗ, ବ୍ରୀହି, ହରଡ଼, କୋଳଥ, ଜଡ଼ା, ଚିନି, ବୁଟ, ଗହମ, ଚଣା ଆଦି ଅନ୍ୟତମ । ଓଡ଼ିଶାର ଭିନ୍ନ ଭିନ୍ନ ଜାତିର ଲୋକମାନେ ଯଥା- ଆଦିମ ଅଧିବାସୀ (ସାଁତାଳ, କନ୍ଧ, କୋଲ, ଜୁଆଙ୍ଗ, ଆଦି), ବ୍ରାହ୍ମଣ, ଖଣ୍ଡାୟତ, କରଣ, ମୁସଲମାନ ତଥା ଖ୍ରୀଷ୍ଟିୟାନ ଆଦିଙ୍କ ବିଷୟରେ ସେ ଉଲ୍ଲେଖ କରିଛନ୍ତି । ବାସ୍ତବତାକୁ ଅନୁଧ୍ୟାନ କରି ସେ ଉଲ୍ଲେଖ କରିଥିଲେ–

 

୧.

ଅଧିକ ଅଧ୍ୟୟନ ପାଇଁ E.H. Carrଙ୍କ What is History ପୁସ୍ତକ ଦ୍ରଷ୍ଟବ୍ୟ ।

୨.

ପ୍ୟାରୀମୋହନ ଆଚାର୍ଯ୍ୟଙ୍କଦ୍ୱାରା ରଚିତ ଓଡ଼ିଶାର ଇତିହାସ ପ୍ରଥମେ ପ୍ରକାଶିତ ହୋଇଥିଲା ୧୮୭୯ରେ । ଏହାର ଦ୍ୱିତୀୟ ସଂସ୍କରଣକୁ ବିଶ୍ୱନାଥ କର ପ୍ରକାଶ କରିଥିଲେ ୧୯୨୫ରେ-। ସେକ୍‍ ମତଲୁବ୍‍ ଅଲୀଙ୍କ ସମ୍ପାଦନାରେ ଏହି ପୁସ୍ତକର ନୂତନ ମୁଦ୍ରଣ ହୋଇଥିଲା ୨୦୦୧ରେ ।

୩.

ସେକ୍‍ ମତଲୁବ ଅଲୀ ସମ୍ପାଦିତ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଓଡ଼ିଶାର ଇତିହାସ, କଟକ, ୨୦୦୧, ପୃ.୧

୪.

ତତ୍ରୈବ ପୃ.- ୭

 

‘‘----ବ୍ରାହ୍ମଣ, ଖଣ୍ଡାୟତ ବା ମହାନାୟକ ଓ କରଣମାନଙ୍କୁ ଓଡ଼ିଶାରେ ପ୍ରାଧାନ୍ୟ ଲଭିଥିବାର ଦେଖାଯାଏ; କିନ୍ତୁ ପ୍ରକୃତ କହିବାକୁ ଗଲେ ଓଡ଼ିଶା ସମାଜରେ କରଣଙ୍କ ପରି ଉନ୍ନତ ଆଉ କେହି ନୁହନ୍ତି । ସାମାଜିକ ଅନେକ ବିଷୟରେ ଏମାନେ ନେତୃତ୍ୱ ବହନ କରନ୍ତି ---। ୭

 

ଓଡ଼ିଶାର ଜଳବାୟୁ ଏବଂ ଭୂତତ୍ତ୍ୱ ସମ୍ବନ୍ଧରେ ଏହି ଅଧ୍ୟାୟରେ ମଧ୍ୟ ସୂଚନା ଦେଇଥିଲେ ପ୍ୟାରୀମୋହନ ।

 

ଓଡ଼ିଶାର ଇତିହାସ ପୁସ୍ତକର ଦ୍ଵିତୀୟ ଅଧ୍ୟାୟରେ ‘ଓଡ଼ିଶାର ଆଦିମ ଇତିହାସ’ ସମ୍ପର୍କରେ ସୂଚନା ଦେଇଥିଲେ ପ୍ୟାରୀମୋହନ । ଆର୍ଯ୍ୟ ଆଗମନ ପୂର୍ବରୁ ଓଡ଼ିଶାରେ ଓଡ଼୍ର ନାମକ ଏକ ଆଦିମ ଅସଭ୍ୟ ଜାତି ବାସ କରୁଥିବା କଥା ସେ ଉଲ୍ଲେଖ କରିଥିଲେ । ମନୁସଂହିତା ତଥା ମହାଭାରତ ଅଧ୍ୟୟନ କରି ପ୍ୟାରୀମୋହନ ଓଡ୍ରମାନଙ୍କୁ ଅନାର୍ଯ୍ୟ ଜାତିଚୟର ଶ୍ରେଣୀଭୁକ୍ତ କରିଥିଲେ । (୮) ପୂର୍ବକାଳରେ ଓଡ଼ିଶାର ନାମ ଓଡ୍ର ଏବଂ କଳିଙ୍ଗ ଥିବା କଥା ଉଲ୍ଲେଖ କରିଥିଲେ । ଗୁପ୍ତବଂଶୀୟ ରାଜାଙ୍କ ଓଡ଼ିଶା ବିଜୟ ଉତ୍ତାରୁ ଆର୍ଯ୍ୟବଂଶୀୟ ବ୍ରାହ୍ମଣ ଓ ଅନ୍ୟାନ୍ୟ ଜାତି ବହୁ ସଂଖ୍ୟାରେ ଆଗମନ କରିଥିଲେ । ମାଦଳାପାଞ୍ଜିରେ ବର୍ଣ୍ଣିତ ରାଜାମାନଙ୍କ (ସେମାନଙ୍କ ମଧ୍ୟରୁ କେତେକ ୭୦୦ ବର୍ଷ ଧରି ରାଜୁତି କରିଥିଲେ) ସମ୍ବନ୍ଧରେ ଉଲ୍ଲେଖ ନ କରିବାର ସିଦ୍ଧାନ୍ତ ନେଇଥିଲେ ପ୍ୟାରୀମୋହନ । ତାଙ୍କ ଭାଷାରେ–

 

“ପଞ୍ଜିକାଲିଖିତ ରାଜାଏ କଳିକାଳର ନରପତି । ଏମାନଙ୍କର ଶତବର୍ଷ ପରମାୟୁରେ ସୁଦ୍ଧା ଅଧିକାର ନାହିଁ । ଏଣୁକରି ଏମାନଙ୍କର ଏତେ ଅଧିକ କାଳ ରାଜତ୍ଵ କରିଥିବାର ଯାହା ଲିଖିତ ଅଛି, ତାହା ସମ୍ପୂର୍ଣ୍ଣରୂପେ କାଳ୍ପନିକ ମାତ୍ର । ସୁତରାଂ ଆମ୍ଭେମାନେ ପଞ୍ଜିକାଲେଖକଙ୍କର ଏହି ଅତି ପୂର୍ବକାଳର ରାଜ ନିର୍ଘଣ୍ଟରେ ବିଶ୍ୱାସ ସ୍ଥାପନ କରି ନପାରି ତାହାକୁ ଏହି ପୃଷ୍ଠାମାନଙ୍କରୁ ବିସର୍ଜନ ଦେଲୁଁ ।” (୯)

 

୫.

ତତ୍ରୈବ ପୃ. ୮-୧୨

୬.

ତତ୍ରୈବ ପୃ. ୧୨-୧୬

୭.

ତତ୍ରୈବ ପୃ. ୧୮-୨୦

୮.

ତତ୍ରୈବ ପୃ. ୨୩-୨୪

୯.

ତତ୍ରୈବ ପୃ. ୩୦

 

ଏହାପରେ ସେ ଓଡ଼ିଶାରେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ମଧ୍ୟଭାଗରେ ଐରରାଜା (ଖାରବେଳ) ଶାସନ କରିଥିବା କଥା ହାତୀଗୁମ୍ଫା ଖୋଦିତ ଲିପିରୁ ଜଣାପଡ଼ିବା କଥା ଉଲ୍ଲେଖ କରିଥିଲେ । ଏହାପରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଶୋକ ରାଜା ଓଡ଼ିଶାରେ ଶାସନ କରିଥିବା କଥା ଏବଂ ସେ ବୌଦ୍ଧଧର୍ମାବଲମ୍ବୀ ଥିବା କଥା ପ୍ୟାରୀମୋହନ ଉଲ୍ଲେଖ କରିଥିଲେ । ଦରିଆପାରିର ବାଣିଜ୍ୟ ସମ୍ପର୍କରେ ସୂଚନା ଦେଇ ପ୍ରାଚୀନ କାଳରେ କଳିଙ୍ଗର ସାଧବମାନେ ଅବର୍ଣ୍ଣପୋତ ବ୍ୟବହାର କରି ଯାବା (ଯାଭା) ଓ ବାଳୀ (ବାଲି) ଦ୍ୱୀପରେ ପହଞ୍ଚି ସେଠାରେ ଉପନିବେଶ ସଂସ୍ଥାପନ କରିଥିବା କଥା ପ୍ୟାରୀମୋହନ ଉଲ୍ଲେଖ କରିଥିଲେ । ଗ୍ରୀକ୍ (ଯବନ)ମାନଙ୍କୁ ଯଯାତିକେଶରୀ ବିତାଡ଼ିତ କରି ହିନ୍ଦୁ ସାମ୍ରାଜ୍ୟ ୪୭୪ ଖ୍ରୀଷ୍ଟାବ୍ଦରେ ପୁନଃସ୍ଥାପନ କରିଥିବା କଥା ବର୍ଣ୍ଣନା କଲାବେଳେ ହଣ୍ଟର ସାହେବ ଗ୍ରୀକମାନେ ଓଡ଼ିଶା ଆସିଥିବା କଥାକୁ ପ୍ୟାରୀମୋହନ ଅସ୍ୱୀକାର କରିଥିଲେ । (୧୦) ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରୁ ବୌଦ୍ଧ ଧର୍ମର ପ୍ରଭାବ ଉଣା ହେବା କଥା ବର୍ଣ୍ଣନା କଲାବେଳେ ସେ କୋଶଳର ରାଜା ଜନମେଜୟଙ୍କ ରାଜୁତି ସମ୍ପର୍କରେ ସୂଚନା ଦେଇ ବୌଦ୍ଧମାନେ ଜଗନ୍ନାଥଙ୍କୁ ନିଜର ଦେବତା ବୋଲି ଆପଣେଇ ନେବା କଥା ଉଲ୍ଲେଖ କରିଥିଲେ ।-(୧୧)

 

‘କେଶରୀ ବଂଶୀୟ ରାଜଗଣ’ଙ୍କ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ ପ୍ୟାରୀମୋହନ ତୃତୀୟ ଅଧ୍ୟାୟରେ । ସେଥିରେ ସେ ଯଯାତି କେଶରୀ ବୌଦ୍ଧଧର୍ମର ଉଚ୍ଛେଦ ସାଧନ କରି ପୁରୀରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିବା କଥା ଉଲ୍ଲେଖ କରିଥିଲେ । ସେ ମଧ୍ୟ ଶୈବଧର୍ମର ଉପାସକ ଥିଲେ । ସେହି ବଂଶର ଅନ୍ୟତମ ଶାସକ ଥିଲେ ଲଲାଟେନ୍ଦୁ କେଶରୀ । ତାଙ୍କ ସମୟରେ ଲିଙ୍ଗରାଜ ମନ୍ଦିର ନିର୍ମିତ ହୋଇଥିଲା । ସେହି ସମୟରେ ଯାଜପୁର ଓ ଭୁବନେଶ୍ୱର ନଗରଦ୍ୱୟ ରାଜଧାନୀ ରୂପେ ବ୍ୟବହୃତ ହୋଇଥିଲେ । ସେ ଭୁବନେଶ୍ୱର (ଲିଙ୍ଗରାଜ) ମନ୍ଦିରର ପାର୍ଶ୍ଵଦେବତା ରୂପେ ଗଣେଶ, କାର୍ତ୍ତିକ ଓ ଭଗବତୀଙ୍କ ମୂର୍ତ୍ତି ସମ୍ପର୍କରେ ବର୍ଣ୍ଣନା କରିଥିଲେ ପ୍ୟାରୀମୋହନ । ପ୍ରସ୍ଥର ଖୋଦିତ ମୁନି, ତପସ୍ୱୀ, ବିଦ୍ୟାଧ୍ୟାପକ, ସୈନ୍ୟ, ସାମନ୍ତ, ନର୍ତ୍ତକ, ନର୍ତ୍ତକୀ, ଗାୟକ, ବାଜକ, ହସ୍ତୀ, ଅଶ୍ୱ ଆଦି ସମ୍ପର୍କରେ ସେ ବିଶଦ ରୂପେ ବର୍ଣ୍ଣନା କରିଥିଲେ ଏହି ଅଧ୍ୟାୟରେ । (୧୨) ସେ ଚୀନ ପରିବ୍ରାଜକ ହାଓଂସା (ହୁଏନ୍ -ସା)ଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ସୂଚନା ଦେଇ ସେ ସମୟରେ ରାଜାମାନେ ସୁଶାସନ କରୁଥିବା କଥା ଉଲ୍ଲେଖ କରିଥିଲେ । ସେ ସମୟରେ ବିଶେଷ ଯୁଦ୍ଧ ସଂଘଟିତ ହୋଇ ନଥିଲା । ଯାଜପୁର ଓ ପରେ ଦଶମ ଶତାବ୍ଦୀରେ କଟକ କେଶରୀ ବଂଶର ରାଜଧାନୀ ରୂପେ ପରିଗଣିତ ହୋଇଥିଲା । ସେ ସମୟର ରାଜକୀୟ ପୋଷାକ ଏବଂ ସାଧାରଣ ପୋଷାକ; ବିଭିନ୍ନ ଅଳଙ୍କାର; ଭାତ, ପିଠା, ତରକାରୀ ଆଦି ଖାଦ୍ୟ; ଧନୁ, ତୀର, କଟାର, ତରବାରୀ, ବର୍ଚ୍ଛା, ଗଦା ଆଦି ଅସ୍ତ୍ରଶସ୍ତ୍ର; ବୀଣା, ଢୋଲକ, କରତାଳି, ମନ୍ଦିରା, ବଂଶୀ ଆଦି ବାଦ୍ୟଯନ୍ତ୍ର; କୁଟୀଳାକ୍ଷର ଏବଂ ସଂସ୍କୃତଭାଷାର ପ୍ରଚଳନ, ଶିଳ୍ପ ଚାତୁର୍ଯ୍ୟ ଏବଂ ବାଣିଜ୍ୟ ଓ ପୋତଯାତ୍ରା ଆଦି ସମ୍ପର୍କରେ ଏହି ଅଧ୍ୟାୟରେ ବିଶେଷ ରୂପେ ବର୍ଣ୍ଣନା କରିଥିଲେ ପ୍ୟାରୀମୋହନ-।

 

୧୦.

ତତ୍ରୈବ ପୃ. ୪୭

୧୧.

ତତ୍ରୈବ ପୃ. ୫୭-୬୦

୧୨.

ତତ୍ରୈବ ପୃ. ୬୫-୬୭

 

ଓଡ଼ିଶାର ଇତିହାସ ପୁସ୍ତକର ଚତୁର୍ଥ ଅଧ୍ୟାୟ ନାମିତ ହୋଇଥିଲା ‘ଗଙ୍ଗାବଂଶୀୟ ରାଜଗଣ’ ରୂପେ । ଚୋରଗଙ୍ଗା ବା ଚୂଡ଼ଙ୍ଗଦେବ ୧୧୩୨ ମସିହାରେ କଟକ ଜୟ କରିଥିଲେ । ସେ ଜଗନ୍ନାଥ ମନ୍ଦିରରେ ଥିବା ମାଦଳାପାଞ୍ଜି ଲେଖିବା ପାଇଁ ପ୍ରଥମେ ଆଦେଶ ଦେଇଥିଲେ । ତାଙ୍କ ପରେ ଗଙ୍ଗେଶ୍ଵରଦେବ ୧୧୫୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରି ଗୋଦାବରୀଠାରୁ ଗଙ୍ଗାନଦୀ ପର୍ଯ୍ୟନ୍ତ ସମସ୍ତ ଦେଶ ଜୟ କରିଥିଲେ । ତାଙ୍କପରେ ଏକଜାତଦେବ ଓ ମଦନମହାଦେବ ସ୍ୱଳ୍ପକାଳ ପାଇଁ ଶାସନ କରିଥିଲେ । ଏହାପରେ ୧୧୭୫ ଖ୍ରୀଷ୍ଟାବ୍ଦରେ ଅନଙ୍ଗଭୀମଦେବ ରାଜକାର୍ଯ୍ୟ ସମ୍ଭାଳି ଥିଲେ । ତାଙ୍କର ମହନୀୟ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେଇ ପ୍ୟାରୀମୋହନ ଲେଖିଥିଲେ–

 

‘‘--- ସେ ବ୍ରହ୍ମହତ୍ୟା କରି କଳୁଷିତ ହୋଇଥିଲେ ଓ ସେହି ପାପର ପ୍ରାୟଶ୍ଚିତ୍ତ ରୂପେ ଷାଠିଏ ପ୍ରସ୍ତରମୟ ଦେଉଳ, ଦଶସେତୁ, ଷାଠିଏ ବାପୀ, ଏକକୋଟି ସରୋବର ଓ ଏକଶ ବାଆନ ଘାଟ ନିର୍ମାଣ କରାଇଥିଲେ । --- ଉଲ୍ଲିଖିତ କାର୍ଯ୍ୟସବୁର ସଂଖ୍ୟାରେ ଅତ୍ୟୁକ୍ତି ଥାଇପାରେ । ମାତ୍ର ଅନଙ୍ଗଭୀମ ଯେ ଅନେକ ଦେଉଳ ଗଢ଼ାଇଥିଲେ ଓ ଅନ୍ୟାନ୍ୟ ବହୁ ସାଧାରଣ କାର୍ଯ୍ୟରେ ଅର୍ଥ ବ୍ୟୟ କରିଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ ।’’(୧୩)

 

୧୩.

ତତ୍ରୈବ ପୃ. ୮୩

 

ଏହି ପରାକ୍ରମୀ ରାଜାଙ୍କ ମୋହରରେ ଖୋଦିତ ହୋଇଥିଲା– ‘‘ବୀର ଶ୍ରୀ ଗଜପତି ଗୌଡ଼େଶ୍ଵର ନବକୋଟୀ କର୍ଣ୍ଣାଟୋତ୍କଳ ବର୍ଗେଶ୍ଵରାଧିରାୟ ଭୂତ ଭୈରବଦେବ ସାଧୁ ଶାସନୋତ୍କର୍ଣ୍ଣ ଅବ୍ୟୟ ଅତୁଳବନ୍ଦ ପରାକ୍ରମ ସଂଗ୍ରାମ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ’’ ।

 

ଏହି ଉପାଧି ପରବର୍ତ୍ତୀ ସମୟରେ ଖୋର୍ଦ୍ଧାର ରାଜାମାନେ ଧାରଣ କରିଥିଲେ । ‘ପାଟଯୋଶୀ’, ବଡ଼ପଣ୍ଡା, ମଙ୍ଗରାଜ, ‘ପଟ୍ଟନାୟକ’, ‘ମହାପାତ୍ର’ ଆଦି ବିଭିନ୍ନ ପଦପଦବୀ ଅନଙ୍ଗଭୀମଦେବଙ୍କ ସମୟରେ ସୃଷ୍ଟି ହୋଇଥିବା କଥା ପ୍ୟାରୀମୋହନ ଉଲ୍ଲେଖ କରିଥିଲେ । ତାଙ୍କପରେ ରାଜେଶ୍ୱରଦେବଙ୍କ ଶାସନ ସମୟରେ ବଙ୍ଗଳାର ମୁସଲମାନ ଶାସନକର୍ତ୍ତା ଗୟାସୁଦ୍ଦୀନ ଓଡ଼ିଶା ଆକ୍ରମଣ କରିଥିଲେ । ଏହାପରେ ଲାଙ୍ଗୁଳା ନରସିଂହଦେବଙ୍କ ଶାସନ ସମୟରେ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିର୍ମିତ ହୋଇଥିଲା ।

 

ଗଙ୍ଗ ଶାସନର ଶେଷ ସମୟରେ ଭାସୁର ଓ ବାସୁଦେବ ଉପାଧିଧାରୀ ରାଜଗଣ ଓଡ଼ିଶାରେ ଶାସନ କରିଥିଲେ । ଶେଷରାଜା (ନେତ୍ରବାସୁଦେବ) ନିଃସନ୍ତାନ ଥିବାରୁ କପିଳ ସାନ୍ତରା ନାମକ ଜଣଙ୍କୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଥିଲେ ଯିଏ ପରବର୍ତ୍ତୀ ସମୟରେ କପିଳେନ୍ଦ୍ରଦେବ ନାମ ଧାରଣ କରି ୧୪୫୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ସେ ତୈଲଙ୍ଗ କ୍ଷତ୍ରିୟମାନଙ୍କ ସହିତ ମିଳିତ ହୋଇ ବାହମନୀ ମୁସଲମାନ ରାଜ୍ୟ ବିରୁଦ୍ଧରେ ସଂଗ୍ରାମ କରି ପରାଜିତ ହୋଇଥିଲେ ଓ ପାଞ୍ଚଲକ୍ଷ ମୁଦ୍ରା ପ୍ରଦାନ ପୂର୍ବକ ସନ୍ଧି କରିଥିଲେ । କପିଳେନ୍ଦ୍ରଦେବଙ୍କ ସମୟରେ ଓଡ଼ିଶାରେ ଏକ ଦୁର୍ଭିକ୍ଷ ଉପସ୍ଥିତ ହୋଇଥିଲା ଏବଂ ୧୪୭୯ ଖ୍ରୀଷ୍ଟାବ୍ଦରେ ପୁରୁଷୋତ୍ତମ ଦେବଙ୍କୁ ଉତ୍ତରାଧିକାରୀ ରୂପେ ସ୍ଥିର କରି କପିଳେନ୍ଦ୍ର କୃଷ୍ଣାନଦୀ ତଟରେ ପ୍ରାଣତ୍ୟାଗ କରିଥିଲେ । ତାଙ୍କପରେ ପୁରୁଷୋତ୍ତମଦେବ ସିଂହାସନ ଆରୋହଣ କରିଥିଲେ । ସେ କପିଳେନ୍ଦ୍ରଙ୍କ ଉପପତ୍ନୀଙ୍କ ସନ୍ତାନ ଥିବାରୁ ତାଙ୍କର ପରିଣିତା ପତ୍ନୀଙ୍କ ଗର୍ଭସଂସ୍କୃତ ପୁତ୍ରମାନେ ପୁରୁଷୋତ୍ତମଙ୍କୁ ବିରୋଧ କରିଥିଲେ । ପରେ ଅବଶ୍ୟ ପୁରୁଷୋତ୍ତମ ନିଜକୁ ପ୍ରତିଷ୍ଠିତ କରି କାଞ୍ଚି ଅଧିକାର କରିଥିଲେ । ତାଙ୍କ ସମୟରେ କୌଣସି ମୁସଲମାନ ଆକ୍ରମଣ କରି ନଥିଲା । ତାଙ୍କ ପରେ ପ୍ରତାପରୁଦ୍ରଦେବ ୧୫୦୪ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ତାଙ୍କର ସୈନ୍ୟମାନେ ସେତୁବନ୍ଧ ରାମେଶ୍ୱର ପର୍ଯ୍ୟନ୍ତ ସେମାନଙ୍କର ଅସ୍ତ୍ରଚାଳନା କରିଥିଲେ । ସେ ବିଜୟନଗରର ରାଜା କୃଷ୍ଣଦେବ ରାୟଙ୍କଠାରୁ ପରାଜିତ ହୋଇଥିଲେ ଏବଂ ତାଙ୍କୁ ନିଜର କନ୍ୟାଙ୍କୁ ଅର୍ପଣ କରିଥିଲେ । ସେହି ସମୟରେ ବୈଷ୍ଣବ ଧର୍ମର ପ୍ରସାର ଘଟିଥିଲା ଓ ନବଦ୍ୱୀପର ସୁପ୍ରସିଦ୍ଧ ବୈଷ୍ଣବ ଧର୍ମପ୍ରଚାରକ ଶ୍ରୀଚୈତନ୍ୟ ଓଡ଼ିଶା ଆଗମନ କରିଥିଲେ । ଆଧୁନିକ ଓଡ଼ିଆ ଭାଷା ତାଙ୍କ ସମୟରେ ପ୍ରାଞ୍ଜଳ ହୋଇଥିଲା । ପ୍ରତାପରୁଦ୍ରଦେବଙ୍କ ମୃତ୍ୟୁପରେ ଗଙ୍ଗାବଂଶୀୟ ଶାସନର ପରିସମାପ୍ତି ଘଟିଥିଲା ।(୧୪)

 

୧୪.

ତତ୍ରୈବ ପୃ. ୧୦୦ । ମାତ୍ର ପ୍ରତାପରୁଦ୍ରଦେବ ଗଙ୍ଗା (ଗଙ୍ଗ)ବଂଶୀୟ ଶାସକ ନଥିଲେ । ସେ ସୂର୍ଯ୍ୟବଂଶୀ ଶାସକ ଥିଲେ ।

 

ସେହି ସମୟରେ ଦେଶର ଅବସ୍ଥା ଭଲ ଥିଲା । ଗଙ୍ଗାବଂଶୀୟ ରାଜାମାନେ ଅନେକ ଯୁଦ୍ଧରେ ବ୍ୟାପୃତ ହେଉଥିଲେ । ଲୋକମାନଙ୍କର ଅବସ୍ଥା ସ୍ଵାଚ୍ଛନ୍ଦ୍ୟପ୍ରଦ ଥିବା କଥା ପ୍ୟାରୀମୋହନ ବର୍ଣ୍ଣନା କରିଥିଲେ । ରାଜ୍ୟର ଭିନ୍ନଭିନ୍ନ ଅଂଶରେ ଅବିରତ ଦେଉଳ ନିର୍ମାଣ, ପୁଷ୍କରିଣୀ ଖନନ, ସେତୁବନ୍ଧନ, ପ୍ରାସାଦ ନିର୍ମାଣ ଆଦି କାର୍ଯ୍ୟ ଲାଗି ରହୁଥିବାରୁ ଶିଳ୍ପକାରମାନେ ରୋଜଗାର କରି ଜୀବିକା ନିର୍ବାହ କରୁଥିଲେ । ରାଜ୍ୟରେ ଶାସନ ପ୍ରଣାଳୀ ସ୍ଥିର ଥିଲା । ରାଜସ୍ୱ ଆଦାୟ କରାଯାଉଥିଲା । ରାଜାମାନେ ରାଜ୍ୟକୁ ପ୍ରଦେଶରେ ବିଭକ୍ତି କରିଥିଲେ ଏବଂ ପ୍ରତ୍ୟେକ ପ୍ରଦେଶର ନାମ ଥିଲା ‘ଦଣ୍ଡପାଟ’ । ‘ଦେଶମୁଖ’, ‘ଚୌଧୁରୀ’, ‘ଖଣ୍ଡପତି’ ବା ‘ବିଶୋଇ’ ଆଦି ରାଜକର୍ମଚାରୀମାନେ ଶାସନରେ ସହାୟକ ହେଉଥିଲେ । ଏହା ବ୍ୟତୀତ ବ୍ରାହ୍ମଣ, ପୁରୋହିତ, ସୈନ୍ୟ, ସାମନ୍ତ ଆଦି ଶାସନ କ୍ଷେତ୍ରରେ ରାଜାଙ୍କୁ ସହାୟକ ହେଉଥିଲେ । ସମାଜରେ ଶ୍ରେଣୀ ବିଭାଜନ ସୂଚାରୁରୂପେ ଘଟିଥିଲା । ଗଙ୍ଗରାଜାମାନଙ୍କର ବହୁତ ସାମନ୍ତରାଜା ରହିଥିଲେ । ସେହି ସମୟରେ ଅନେକ ମନ୍ଦିର ନିର୍ମିତ ହୋଇଥିଲା । ଗଙ୍ଗବଂଶୀୟ ଶାସନର ପ୍ରାରମ୍ଭରେ କୁଟୀଳ ଅକ୍ଷର ପ୍ରଚଳିତ ଥିଲା ଏବଂ କ୍ରମବିକାଶ ଘଟି ପ୍ରତାପରୁଦ୍ରଦେବଙ୍କ ସମୟରେ ଓଡ଼ିଆ ଅକ୍ଷର ହୋଇଥିଲା ଓ ଓଡ଼ିଆ ଭାଷାର ବହୁଳ ପ୍ରବର୍ତ୍ତନ ମଧ୍ୟ ସେ ସମୟରେ ଘଟିଥିଲା । ସେହି ସମୟର କବିମାନଙ୍କ ମଧ୍ୟରେ ସେ ବଳରାମ ଦାସ ଏବଂ ଜଗନ୍ନାଥ ଦାସଙ୍କ କଥା ଉଲ୍ଲେଖ କରିଥିଲେ ।

 

ଓଡ଼ିଶାର ଇତିହାସର ପଞ୍ଚମ ଅଧ୍ୟାୟରେ ‘ଓଡ଼ିଶାର ସ୍ଵାଧୀନତା ଲୋପ’ ବିଷୟରେ ଆଲୋଚନା କରିଥିଲେ ପ୍ୟାରୀମୋହନ । ପ୍ରତାପରୁଦ୍ରଦେବଙ୍କ ସଚିବ ଗୋବିନ୍ଦ ବିଦ୍ୟାଧର ଗୋବିନ୍ଦଦେବ ନାମ ଧାରଣ କରି ୧୫୩୪ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ଏହାପରେ ଦନେଇ ବିଦ୍ୟାଧର, ନରସିଂହ ଜେନା ଏବଂ ଶେଷରେ ତେଲେଙ୍ଗା ମୁକୁନ୍ଦ ହରିଚନ୍ଦନ କ୍ରମାନ୍ୱୟରେ ସିଂହାସନ ଆରୋହଣ କରିଥିଲେ । ମୁକୁନ୍ଦ ହରିଚନ୍ଦନ ଥିଲେ ଓଡ଼ିଶାର ଶେଷ ସ୍ଵାଧୀନ ରାଜା । ହୁଗୁଳି ନଦୀ ତୀରସ୍ଥ ତ୍ରିବେଣୀଠାରେ ସେ ଘାଟ ଏବଂ ମନ୍ଦିର ନିର୍ମାଣ କରିଥିଲେ । ସେ ବାରବାଟୀକିଲ୍ଲା ମଧ୍ୟରେ ଏକ ଅପୂର୍ବ ପରମ ରମଣୀୟ ନବତଳ ପ୍ରାସାଦ ନିର୍ମାଣ କରିଥିଲେ-। ସେ ଯାଜପୁରଠାରେ ବଙ୍ଗଳାର ମୁସଲମାନ ସେନା ହାତରେ ନିହତ ହୋଇଥିଲେ । ସେହି ସମୟରେ ବଙ୍ଗଳାର ସେନାପତି କଳାପାହାଡ଼ ପୁରୀ ଜୟକରି ହିନ୍ଦୁ ଦେବାଦେବୀଙ୍କ ଉପରେ ଘୋର ଅତ୍ୟାଚାର ଆରମ୍ଭ କଲା । ଜଗନ୍ନାଥଙ୍କ ସେବକମାନେ ତିନିଠାକୁରଙ୍କୁ ନେଇ ଚିଲିକା ଭିତରେ ଥିବା ପାରିକୁଦ ଦ୍ୱୀପରେ ଲୁଚାଇ ରଖିଲେ । ଏହାର ସନ୍ଧାନ ପାଇ କଳାପାହାଡ଼ ସେଠାକୁ ଯାଇଥିଲା ଓ ଠାକୁରମାନଙ୍କୁ ହାତୀ ପିଠିରେ ଲଦି ଗଙ୍ଗାନଦୀ କୂଳରେ ଜଳୁଥିବା ଚିତାଗ୍ନିରେ ନିକ୍ଷେପ କରିଥିଲା । ମାତ୍ର ବିଶର ମହାନ୍ତି ଜଗନ୍ନାଥ ଠାକୁରଙ୍କର ନାଭୀସ୍ଥଳ ଉଦ୍ଧାରକରି ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ କୁଜଙ୍ଗ ରାଜା ଶେଷରେ ତାହାକୁ ପ୍ରତିଷ୍ଠା କରିଥିଲେ । ଗୃହବିବାଦ ହିଁ ମଧ୍ୟଯୁଗୀୟ ଓଡ଼ିଶାର ପତନ ଘଟାଇଥିଲା ବୋଲି ପ୍ୟାରୀମୋହନ ମତବ୍ୟକ୍ତ କରିଥିଲେ ।

 

‘ମୁସଲମାନ ଶାସନ’ କିପରି ଓଡ଼ିଶାରେ ପ୍ରତିଷ୍ଠିତ ହୋଇଥିଲା, ସେ ସମ୍ପର୍କରେ ପ୍ୟାରୀମୋହନ ଷଷ୍ଠ ଅଧ୍ୟାୟରେ ଆଲୋଚନା କରିଥିଲେ । ୧୫୬୮ରେ ମୁକୁନ୍ଦଦେବ ପରାଜିତ ହେବା ପରେ ଓଡ଼ିଶା ସଲିମାନ (ସୁଲେମାନ କର୍ରାଣୀ)ଙ୍କର ହସ୍ତଗତ ହୋଇଥିଲା । ୧୫୭୫ରେ ମୋଗଲମାନେ ତୋଡରମଲଙ୍କ ନେତୃତ୍ଵରେ ଦାଉଦଙ୍କୁ ପରାସ୍ତ କଲେ । ବାରମ୍ବାର ମୋଗଲ ଏବଂ ଆଫଗାନଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଲା ଏବଂ ଶେଷରେ ୧୫୭୯ରେ ଆଫଗାନ ମାସୁମ ଖାଁ କାବୁଲିଙ୍କ ହସ୍ତରେ ଆକବର ଓଡ଼ିଶାର ଶାସନଭାର ଅର୍ପଣ କଲେ । ପୁନଶ୍ଚ ଆଫଗାନମାନେ ବିଦ୍ରୋହୀ ହେବାରୁ ତୋଡରମଲଙ୍କୁ ପ୍ରେରଣ କରାଗଲା ଏବଂ ସେ ଆଫଗାନମାନଙ୍କୁ ପରାଜିତ କରି ଓଡ଼ିଶାରେ ‘ବନ୍ଦୋବସ୍ତ’ ପ୍ରଚଳନ କରିଥିଲେ । ତୋଡରମଲଙ୍କ ରାଜସ୍ୱ ବନ୍ଦୋବସ୍ତ ସମ୍ପର୍କରେ ପ୍ୟାରୀମୋହନ ଲେଖିଥିଲେ–

 

“ତୋଡରମଲ ଦଣ୍ଡପାଟ ଶବ୍ଦ ପରିବର୍ତ୍ତରେ ସରକାର, ଖଣ୍ଡ ଓ ବିଶି ପରିବର୍ତ୍ତରେ ପରଗନା, ଗ୍ରାମ ପରିବର୍ତ୍ତରେ ମୌଜା ଭୂଇମୂଳ ପରିବର୍ତ୍ତରେ କାନୁନଗୋ, ଉଲାଇତି, ଭୂଇଁଆ ପରିବର୍ତ୍ତରେ ଜମିଦାର, ପ୍ରଧାନ ପରିବର୍ତ୍ତରେ ମକଦମ ଇତ୍ୟାଦି କେତେକ ଶାବ୍ଦିକ ପରିବର୍ତ୍ତନ ମାତ୍ର ପ୍ରଚଳିତ କରାଇଥିଲେ ।’’(୧୫)

 

୧୨.

ତତ୍ରୈବ ପୃ. ୧୨୫

 

କୁତୁଲୁ ଖାଁଙ୍କ ନେତୃତ୍ୱରେ ଆଫଗାନ୍‌ମାନେ ପୁନର୍ବାର ବିଦ୍ରୋହୀ ହୋଇଉଠିଲେ । ୧୫୯୨ରେ ରାଜା ମାନସିଂହ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ସେମାନଙ୍କୁ ପରାଜିତ କରିଥିଲେ । ଏହାପରେ ଜାହାଙ୍ଗୀର ଏବଂ ଶାହାଜାହାନଙ୍କ ସମୟରେ ଓଡ଼ିଶାରେ ମୋଗଲ ଶାସନ ସୁରୁଖୁରୁରେ ଚାଲିଥିଲା, ମୋଗଲମାନଙ୍କ ଅନୁମତି ନେଇ ଇଂରେଜମାନେ ବାଲେଶ୍ୱରଠାରେ ବାଣିଜ୍ୟ କୋଠି ନିର୍ମାଣ କଲେ । ସମ୍ରାଟ ଆଉରଙ୍ଗଜେବଙ୍କ ବେଳେ ଓଡ଼ିଶାରେ ମୋଗଲ ଶାସନର ଅଧୋଗତି ଘଟିଥିଲା । ଏହାପରେ ସୁଜାଉଦ୍ଦୀନ୍, ମହମ୍ମଦ ତକି, ମୁର୍ଶିଦ କୁଲିଖାଁ, ଆଲିବର୍ଦ୍ଦି ଖାଁ ଆଦି ଓଡ଼ିଶାର ଶାସନ ସହିତ ଜଡ଼ିତ ହୋଇଥିଲେ । ସେହି ସମୟର ବୃତ୍ତିବିଧାନ ସମ୍ପର୍କରେ ପ୍ୟାରୀମୋହନ ଲେଖିଥିଲେ–

 

‘‘ଓଡ଼ିଶାର ହିନ୍ଦୁ ରାଜାଙ୍କ ସମୟରେ ପାଇକ, ଧୋବା, ଭଣ୍ଡାରି, ତଉକିଆ, କମାର, ନାୟକ ପ୍ରଭୃତି କେତେଗୁଡ଼ିଏ ସେବକଙ୍କର ନିଷ୍କର ବୃତ୍ତି ବିଧାନ ଖଞ୍ଜା ଥିଲା । ମେହେନ୍ତର, ଘାଟମାଝି ପ୍ରଭୃତି ଗୋଟିକେତେ ନୂତନ ନିଷ୍କର ବୃତ୍ତି ମୁସଲମାନମାନେ ସୁଦ୍ଧା ସୃଷ୍ଟି କରିଥିଲେ । ହିନ୍ଦୁ ରାଜାଙ୍କ ଦେବତ୍ୱ ଓ ବ୍ରହ୍ମତ୍ଵପରି ମୁସଲମାନମାନଙ୍କଦ୍ୱାରା କେତେକ ପୀରୋତ୍ତର ବୃତ୍ତି ଖଞ୍ଜା ହୋଇଥିଲା ।’’ (୧୬)

 

ସପ୍ତମ ଅଧ୍ୟାୟରେ ଆଚାର୍ଯ୍ୟ ମହାଶୟ ‘ମରହଟ୍ଟା ଶାସନ’ ସମ୍ପର୍କରେ ଆଲୋକପାତ କରିଥିଲେ । ଆଲିବର୍ଦ୍ଧି ଖାଁଙ୍କ ଠାରୁ ମରହଟ୍ଟାମାନେ ଓଡ଼ିଶାର ଶାସନଭାରପ୍ରାପ୍ତ ହୋଇଥିଲେ । ଶିବଭଟ୍ଟ ସାନ୍ତରା, ଚିମନା ସାହୁ, ଶମ୍ବୁଜୀ ଗଣେଶ, ବାବାଜୀ ଓ ମାଧୋଜୀ ହରି, ରାଜାରାମ ଆଦି ଓଡ଼ିଶାର ସୁବାଦାର ଥିଲେ । ସେହି ସମୟରେ ସେମାନେ ଓଡ଼ିଆମାନଙ୍କ ଉପରେ ଅତ୍ୟାଚାର କରିଥିଲେ । ସେମାନେ ଓଡ଼ିଶାବାସୀଙ୍କଠାରୁ ରାଜସ୍ୱ ଲୁଣ୍ଠନ କରି ସେମାନଙ୍କୁ ସର୍ବହରା କରିଦେଇଥିଲେ । ସେମାନଙ୍କର ରାଜସ୍ୱ ପ୍ରଣାଳୀ ଓ ଫଉଜଦାରୀ ଶାସନ ବେଶ୍ ମଜବୁତ ଥିଲା । ସେମାନେ ସାଧାରଣ କାର୍ଯ୍ୟ ମଧ୍ୟରେ କାଠଯୋଡ଼ୀ ବନ୍ଧ ଓ ବାରବାଟୀ ଦୁର୍ଗର ବିଶେଷ ସଂସ୍କାର ସାଧନ କରିଥିଲେ । ସେତୁ ନିର୍ମାଣ ଏବଂ ଜଳାଶୟାଦି ଖନନ ଆଦି କାର୍ଯ୍ୟରେ ସେମାନେ ଟଙ୍କା ବ୍ୟୟ କରିଥିଲେ । ମରହଟ୍ଟା ଶାସନ ସମୟରେ ବାଣିଜ୍ୟ ବାଧାପ୍ରାପ୍ତ ହୋଇଥିଲା । ସେହି ସମୟରେ ପ୍ରସିଦ୍ଧ କବି ଥିଲେ ଅଭିମନ୍ୟୁ ସାମସ୍ତ ସିଂହାର । ଅବଶ୍ୟ ଦେଶର ଦୂରବସ୍ଥା ଓ ଦୁର୍ଭିକ୍ଷ ଓଡ଼ିଶାର ଅଧୋଗତି ଘଟାଇଥିଲା ।

 

ଶେଷ ବା ‘ଅଷ୍ଟମ ଅଧ୍ୟାୟ’ରେ ପ୍ୟାରୀମୋହନ ଇଂରେଜ ଶାସନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସେମାନେ ମାଣିକପାଟଣା ଦେଇ ଆସି ପୁରୀରେ ପହଞ୍ଚି ଅବଶେଷରେ କଟକ ୧୮୦୩ରେ ଅଧିକାର କରିଥିଲେ । ୧୮୦୪ରେ ଖୋର୍ଦ୍ଧାର କତିପୟ ପାଇକ ରାଜାଙ୍କର ପକ୍ଷ ନେଇ ବିଦ୍ରୋହ କରିଥିଲେ । ଇଂରେଜମାନେ ସେମାନଙ୍କୁ ଦମନ କରି ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କୁ କଟକ ଓ ପରେ ମେଦିନୀପୁରଠାରେ କାରାରୁଦ୍ଧ କରିଥିଲେ । ସେମାନେ ପୁରୀ ମନ୍ଦିରର ଶାସନକୁ ସୁପରିଚାଳନା କରିବା ସହିତ ୧୮୦୪ରେ ଓଡ଼ିଶା ବନ୍ଦୋବସ୍ତ କରି ରାଜସ୍ୱ ନିର୍ଦ୍ଧାରଣ କରିଥିଲେ । ଏହାପରେ ପ୍ୟାରୀମୋହନ ଜଗବନ୍ଧୁ ବିଦ୍ୟାଧରଙ୍କର ଖୋର୍ଦ୍ଧା ବିଦ୍ରୋହ ସମ୍ପର୍କରେ ବିଶଦ ରୂପେ ବର୍ଣ୍ଣନା କରିଛନ୍ତି । ୧୮୧୭ରେ କନ୍ଧମାନେ ଘୁମୁସରରୁ ଆସି ଖୋର୍ଦ୍ଧାରେ ଉପସ୍ଥିତ ହେବା, ଇଂରେଜ ଅଫିସ ଓ ଥାନା ଆକ୍ରମଣ କରିବା, କଟକରୁ ଇମ୍ପି ସାହେବ ସୈନ୍ୟ ପଠାଇବା, ପାଇକମାନଙ୍କ ବିଦ୍ରୋହ, ଇଂରେଜମାନେ ସେମାନଙ୍କୁ ଦମନ କରିବା ଆଦି ବିଷୟ (୧୭) ଅତି ସାବଲୀଳ ଭାବରେ ବର୍ଣ୍ଣନା କରିଥିଲେ ପ୍ୟାରୀମୋହନ । ଏହି ସମୟରେ ଓଡ଼ିଶାର ଅନାଦେୟ ରାଜସ୍ୱ, ଓଡ଼ିଶା ଭୂମ୍ୟଧିକାରୀଙ୍କ ସଂଖ୍ୟାହ୍ରାସ, ପୁରୀରାଜା, ଦେଶର ଅବସ୍ଥା, ବିଦ୍ୟାଶିକ୍ଷା ଓ ଜ୍ଞାନଚର୍ଚ୍ଚା, ଉତ୍କଳଭାଷା ଓ ସାମୟିକ ପତ୍ର, ୧୮୬୬-୬୭ର ଦୁର୍ଭିକ୍ଷ ଆଦି ସମ୍ପର୍କରେ ସେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଶେଷ ଅଧ୍ୟାୟରେ । ପ୍ୟାରୀମୋହନ ଥିଲେ ଆଶାବାଦୀ । ଅନେକ ନିରାଶା ଭିତରେ ସେ ଓଡ଼ିଶାର ଏକତ୍ରିକରଣର ସ୍ଵପ୍ନ ଦେଖିଥିଲେ । ଅଷ୍ଟମ ଅଧ୍ୟାୟର ଶେଷ ପର୍ଯ୍ୟାୟରେ ସେ ଲେଖିଥିଲେ–

 

୧୬.

ତତ୍ରୈବ ପୃ. ୧୪୧

୧୭.

ତତ୍ରୈବ ପୃ. ୧୫୯-୧୬୩

 

--- ଆମ୍ଭମାନଙ୍କର ଯେ ଉନ୍ନତି ହେବ ଏବଂ ଏହି ପ୍ରକାରେ ବଙ୍ଗ, ପଞ୍ଜାବ, ବମ୍ବେ, ମାନ୍ଦ୍ରାଜ ପ୍ରଭୃତିର ଯେ ଉନ୍ନତି ହେବ ଓ ସମସ୍ତ ଭାରତବାସୀଏ ଏକଜାତିତ୍ୱ ଲାଭ କରିବେ, ଏହା ସ୍ୱପ୍ନର କଥା ନୁହେଁ --- । (୧୮)

 

ପରିଶିଷ୍ଟ’ରେ ସେ ହାତୀଗୁମ୍ଫା ଅଭିଲେଖର ଓଡ଼ିଆ ଅନୁବାଦ, ଧଉଳୀ ପର୍ବତସ୍ଥ ଅଶୋକଙ୍କର ଏକାଦଶ ଆଦେଶର ସାରମର୍ମ ଏବଂ ସ୍ଵାଧୀନ ହିନ୍ଦୁ ରାଜାଙ୍କର ଏକ ନିର୍ଘଣ୍ଟ ପ୍ରକାଶ କରିଥିଲେ । (୧୯) ଅଭିଲେଖର ବିସ୍ତୃତ ଅନୁବାଦ ତଥା ଅଶୋକଙ୍କ ଏକାଦଶ ଆଦେଶର ସାରମର୍ମ ଅତ୍ୟନ୍ତ ମାର୍ମିକ ଭାବରେ ସେ ପ୍ରକାଶ କରିଥିଲେ ପରିଶିଷ୍ଟରେ । ଏଥି ସହିତ ସମାପ୍ତି ଘଟିଥିଲା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଓଡ଼ିଶା ଇତିହାସରେ ।

 

୧୮.

ତତ୍ରୈବ ପୃ. ୧୮୦

୧୯.

ମାତ୍ର ଭକ୍ତ ନିର୍ଘଣ୍ଟ ସେକ୍‍ ମତଲୁବ୍‍ ଅଲୀ ସମ୍ପାଦିତ ଓଡ଼ିଶାର ଇତିହାସ ପୁସ୍ତକରେ ନାହିଁ । ମାତ୍ର ‘ପ୍ରଥମ ସଂସ୍କରଣର ଭୂମିକା’ରେ ସେ ଏହା ସମ୍ପର୍କରେ ସୂଚନା ଦେଇଥିଲେ ।

 

(୩)

ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଓଡ଼ିଶାର ଇତିହାସ ସମ୍ପର୍କରେ ଆଲୋଚନା କଲେ କେତୋଟି କଥା ସ୍ୱତଃ ମନ ଭିତରକୁ ଆସିଥାଏ । ସେ ସମ୍ପର୍କରେ ନିମ୍ନରେ ବର୍ଣ୍ଣନା କରାଯାଇଅଛି-।

 

ପ୍ରଥମତଃ, ପ୍ୟାରୀମୋହନଙ୍କ ଏହି ଇତିହାସ ପୁସ୍ତକଟି ଓଡ଼ିଆ ଭାଷାରେ ପ୍ରଥମ ଇତିହାସ ପୁସ୍ତକ । ଇତିହାସକୁ ସାମଗ୍ରିକ ଭାବରେ ଦେଖିବାର ପ୍ରୟାସ କରାଯାଇଛି ଏଥିରେ । ପ୍ରଥମଥର ପାଇଁ ଓଡ଼ିଶା ଇତିହାସର ଧାରାକୁ ଗଡ଼ାଇ ଅଣାଯାଇଛି ନିରବଚ୍ଛିନ୍ନ ଭାବରେ ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ।

 

ଦ୍ୱିତୀୟତଃ, ଏହି ପୁସ୍ତକର ବୈଶିଷ୍ଟ୍ୟ ହେଉଛି ଐତିହାସିକ ଭୂଗୋଳ, ଯାହା ଇତିହାସର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରତ୍ୟେକ ଦେଶ ବା ଜାତି ବିଷୟରେ ଜାଣିବାକୁ ହେଲେ ଏହାର ଅବସ୍ଥିତି, ଆୟତନ, ଲୋକସଂଖ୍ୟା, ଜଳବାୟୁ, ଚାଷ, ଶିଳ୍ପ ଆଦି ବିଷୟରେ ପ୍ରଥମେ ଜାଣିବା ଏକାନ୍ତ ଭାବେ ଅପରିହାର୍ଯ୍ୟ । ଇତିହାସ ଲେଖନ ସମ୍ପର୍କିତ କୌଣସି ତତ୍ତ୍ୱ (theory) ସେତେବେଳେ ବିଶେଷ ଭାବେ ପ୍ରଚଳିତ ନଥିଲେ ମଧ୍ୟ, ଜଣେ ଅଭିଜ୍ଞ ଐତିହାସିକ ଭାବେ ପ୍ୟାରୀମୋହନ ଏ ସମସ୍ତ ବର୍ଣ୍ଣନା କରିଛନ୍ତି ତାଙ୍କ ପୁସ୍ତକର ପ୍ରଥମ ଅଧ୍ୟାୟରେ ‘ଓଡ଼ିଶାର ଭୂଗୋଳ’ ଶିରୋନାମାରେ ।

 

ତୃତୀୟତଃ, ଜଣେ ଐତିହାସିକର କର୍ତ୍ତବ୍ୟ ହେଉଛି ଅନାବଶ୍ୟକ ତଥ୍ୟକୁ ବାଦଦେଇ ଆବଶ୍ୟକ ତଥ୍ୟ ଉତ୍ଥାପନ କରିବା । ତାହା ମଧ୍ୟ ପ୍ୟାରୀମୋହନ ନିଜ ଲେଖାରେ ପ୍ରତିଫଳିତ କରିଛନ୍ତି । ମାଦଳାପାଞ୍ଜିର ବର୍ଣ୍ଣନାରେ ଅତିରଞ୍ଜିତ ତଥ୍ୟକୁ ବାଦଦେଇ ୭୦୦ ବର୍ଷ ପର୍ଯ୍ୟନ୍ତ ରାଜୁତି କରିଥିବା ରାଜାଙ୍କ ନାମକୁ ସେ ନିଜ ଲେଖାରୁ ବାଦ ଦେଇଛନ୍ତି । ଏହା ପ୍ୟାରୀମୋହନଙ୍କୁ ଜଣେ ବିଶିଷ୍ଟ ଐତିହାସିକ ରୂପେ ଚିତ୍ରଣ କରିବା ପାଇଁ ଯଥେଷ୍ଟ ।

 

ଚତୁର୍ଥତଃ, ଜଣେ ଐତିହାସିକ ନିର୍ଭୀକ ଏବଂ ସତ୍ୟନିଷ୍ଠ ହେବା ଏକାନ୍ତ ଆବଶ୍ୟକ । ଏହା ପ୍ୟାରୀମୋହନଙ୍କଠାରେ ପରିଲକ୍ଷିତ ହୋଇଅଛି । ସେ ଗ୍ରୀକ୍‍ମାନେ ଓଡ଼ିଶା ଆସିଥିବା କଥା ଅସ୍ୱୀକାର କରିଛନ୍ତି ଏବଂ ହଣ୍ଟର ସାହେବଙ୍କ ମତକୁ କାଟିବାକୁ ମଧ୍ୟ ପଶ୍ଚାତ୍‌ପଦ ହୋଇନାହାନ୍ତି । ପୁନଶ୍ଚ ବକ୍ସି ଜଗବନ୍ଧୁଙ୍କ ବିଦ୍ରୋହକୁ ସେ ନିର୍ଭୀକ ଭାବରେ ବର୍ଣ୍ଣନା କରିଛନ୍ତି । ବାସ୍ତବତାକୁ ଲୋକଲୋଚନକୁ ଆଣିବା ପାଇଁ ସେ ଯେଉଁ ପ୍ରଚେଷ୍ଟା କରିଛନ୍ତି, ତାହା ବାସ୍ତବିକ ପ୍ରଶଂସନୀୟ ।

 

ପଞ୍ଚମତଃ, ସତ୍ୟ ଉତ୍‌ଥାପନ କରିବା ଏବଂ ସ୍ପଷ୍ଟ ବିବରଣୀ ଦେବା ଐତିହାସିକର ଅନ୍ୟ ଏକ କର୍ତ୍ତବ୍ୟ । ସେ ଓଡ଼ିଶାର ଜାତିପ୍ରଥା ସମ୍ପର୍କରେ ଲେଖିଲାବେଳେ କରଣମାନଙ୍କ ସମ୍ପର୍କରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସ୍ପଷ୍ଟ ଏବଂ ତତ୍କାଳୀନ ସମାଜରେ ତାହା ପ୍ରଚଳିତ ଥିଲା ବୋଲି ସ୍ପଷ୍ଟ କରି ଦେଇଛନ୍ତି । ଏହିପରି ଭାବରେ ଐତିହାସିକ ହିସାବରେ ପ୍ୟାରୀମୋହନ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି ।

 

ଅନ୍ୟ ପକ୍ଷରେ ପ୍ୟାରୀମୋହନ ଘଟଣାର କ୍ରମ ସମ୍ପର୍କରେ ସଚେତନ ହୋଇପାରି ନାହାନ୍ତି । ଖାରବେଳଙ୍କ ପରେ ଅଶୋକଙ୍କ ରାଜୁତି, କେଶରୀ ବଂଶଙ୍କ ରାଜୁତିବେଳେ ହୁଏନ୍ସାଂଙ୍କ ପରିଭ୍ରମଣ ଆଦି ଘଟଣା ଆଦୌ ଠିକ୍ ନୁହେଁ । ସେହିପରି ଭାବରେ ସେ ଗଙ୍ଗବଂଶ ଏବଂ ସୂର୍ଯ୍ୟବଂଶ ମଧ୍ୟରେ ତଫାତ୍ ଦେଖାଇ ପାରିନାହାନ୍ତି ଏବଂ କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ ଆଦିଙ୍କୁ ଗଙ୍ଗା (ଗଙ୍ଗ)ବଂଶର ରାଜା ବୋଲି ଧରି ନେଇଛନ୍ତି ।

 

ତେବେ ସେ ଯାହା ହେଉନା କାହିଁକି ଓଡ଼ିଆ ଭାଷାରେ ପ୍ରଥମଥର ପାଇଁ ଇତିହାସ ଲେଖିବାର ପ୍ରଚେଷ୍ଟା ଏକ ଛୋଟକଥା ନୁହେଁ । ପ୍ରଥମ ଆଡ଼ୁ ସେ ବହୁ ଚେଷ୍ଟା କରି ପ୍ରାଚୀନ ଓଡ଼ିଶାର ଇତିହାସ ଲେଖିବାକୁ ଚେଷ୍ଟା କରିଛନ୍ତି । ଉପାଦାନଗୁଡ଼ିକୁ ବିଶ୍ଳେଷଣ କରି ସେ ପ୍ରୟାସ କରିଛନ୍ତି ଇତିହାସ ଲେଖିବା ପାଇଁ । ମରହଟ୍ଟା ଶାସନ ଏବଂ ଇଂରେଜମାନଙ୍କ ସମ୍ପର୍କରେ ସେ ସଠିକ ତଥ୍ୟ ପ୍ରଦାନ କରିବାକୁ ସକ୍ଷମ ହୋଇଛନ୍ତି । ଉପାଦାନ ଅଭାବରୁ ଓଡ଼ିଶାର ପ୍ରାଚୀନ ଇତିହାସ ଲେଖିବା ଏବେ ମଧ୍ୟ ଐତିହାସିକମାନଙ୍କ ପାଇଁ କଷ୍ଟକର ବ୍ୟାପାର । ସେତେବେଳେ ଏହି ଉଦ୍ୟମ ଯେ ଏକାନ୍ତ ବଳିଷ୍ଠ ଏବଂ ଅଭିନନ୍ଦନୀୟ ଏକଥା ନିଃସନ୍ଦେହରେ କୁହାଯାଇପାରେ । ନିର୍ଭୀକ ପ୍ୟାରୀମୋହନ ଯେ ଓଡ଼ିଶାର ଇତିହାସ ରଚନା କରି ସମସ୍ତଙ୍କୁ ଚମତ୍କୃତ କରିଥିଲେ, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

 

କ୍ୱାଟର ନଂ- ଏ/୨, ମର୍ଣ୍ଣିଂ ଫ୍ଲାଟ,

ରେଭେନ୍‌ସା ମହାବିଦ୍ୟାଳୟ,

କଟକ

 

***

 

Unknown

ଓଡ଼ିଶାର ଇତିହାସ ଚର୍ଚ୍ଚା : ପ୍ୟାରୀମୋହନ ଆଚାର୍ଯ୍ୟ

ଡକ୍ଟର ଗୌରାଙ୍ଗଚରଣ ଦାଶ

 

ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ‘ଓଡ଼ିଶାର ଇତିହାସ, ‘History of Orissa’ ପ୍ରକାଶ ପାଏ ୧୮୭୯ ମସିହା ଅଗଷ୍ଟ ମାସ ମଝାମଝି । ଏହାର ଭୂମିକା ଲେଖା ଯାଇଛି ଅଗଷ୍ଟ ମାସ ତେର ତାରିଖରେ । ଗୌରୀଶଙ୍କର ରାୟଙ୍କ କଟକ ପ୍ରିଣ୍ଟିଂ କମ୍ପାନୀ ଯନ୍ତ୍ରାଳୟରେ ବହି ମୁଦ୍ରିତ ହୋଇଛି । ସେଠାରେ ତାହା ବିକ୍ରି ପାଇଁ ମଧ୍ୟ ଗଚ୍ଛିତ ରହିଛି । ଏବଂ, ଉତ୍କଳଦୀପିକା ପତ୍ରିକାର ସେପ୍ଟେମ୍ବର ୬, ୧୩, ଅକ୍ଟୋବର ୪ ଓ ୧୧ ତାରିଖରେ ପ୍ରକାଶିତ ବିଜ୍ଞାପନର ଶୀର୍ଷକରେ ଲେଖାଯାଇଛି–‘‘ଓଡ଼ିଶାର ଇତିହାସ, ଶ୍ରୀ ପ୍ୟାରୀମୋହନ ଆଚାର୍ଯ୍ୟ ପ୍ରଣୀତ, ମୂଲ୍ୟ ଏକ ଟଙ୍କା ମାତ୍ର, ବିକ୍ରୟାର୍ଥ ପ୍ରସ୍ତୁତ ଅଛି, କଟକ ପ୍ରିଣ୍ଟିଂ କଂପାନୀଙ୍କ ଯନ୍ତ୍ରାଳୟରେ ପ୍ରାପ୍ତବ୍ୟ’ । ୧୯୮୦ ମସିହାରେ ସ୍କୁଲର ପାଠ୍ୟ ପୁସ୍ତକ ରୂପେ ଏହା ନିର୍ବାଚିତ ହେବା ସମ୍ବାଦ ମଧ୍ୟ ପ୍ରକାଶିତ ହୋଇଛି । ପ୍ରଥମ ମୁଦ୍ରଣରେ ଡେମି ଆକାରରେ ମୁଦ୍ରିତ ଏହାର ପୃଷ୍ଠା ସଂଖ୍ୟା ଥିଲା ୧୪୯ । ଏବଂ, ତାହା ବ୍ୟତୀତ ପ୍ରଥମରେ ଭୂମିକା ୩ ପୃଷ୍ଠା ଏବଂ ଶେଷରେ ଅଶୁଦ୍ଧ ସଂଶୋଧନ ଓ ପରିଶିଷ୍ଟ ପୃଷ୍ଠା ସଂଖ୍ୟା ଯଥାକ୍ରମେ ଦୁଇ ଓ ଚାରି । ତେଣୁ ସମଗ୍ର ବହିକୁ ୧୫୯ ପୃଷ୍ଠା ବିଶିଷ୍ଟ କୁହାଯାଇପାରେ । ସର୍ବୋପରି, ପ୍ରଶାସକ–ଗବେଷକ କବିବର ବାବୁ ରଙ୍ଗଲାଲ ବନ୍ଦ୍ୟୋପାଧ୍ୟାୟଙ୍କ ହସ୍ତରେ ଏହାକୁ ଉତ୍ସର୍ଗ କରାଯାଇଛି । ୧ ।

 

ସମକାଳରେ ଓଡ଼ିଶାର ବିଦ୍ୟାଳୟ ସମୂହରେ ବିଶେଷ ଭାବରେ ପରିଲକ୍ଷିତ ଓଡ଼ିଆ ପାଠ ପୁସ୍ତକର ଅଭାବ ପରିପୂରଣ ଉଦ୍ଦେଶ୍ୟରେ ହିଁ, ଏହି ବହି ଲେଖାଯାଇଛି । ଏହାର ଭୂମିକାରେ ପ୍ୟାରୀମୋହନ ଲେଖିଛନ୍ତି ‘‘ସନ ୧୮୭୫ ମସିହାରେ ଓଡ଼ିଶା ସ୍କୁଲ ସମୂହର ଜଏଣ୍ଟ ଇନିସ୍‌ପେକ୍ଟର ବିଜ୍ଞାପନ ଦେଇଥିଲେ ଯେ ଉତ୍କଳ ଭାଷାରେ ଖଣ୍ଡେ ଓଡ଼ିଶାର ଇତିହାସ ରଚିତ ହେଲେ ଏବଂ ତାହା ଓଡ଼ିଶା ବିଦ୍ୟାଳୟ ସମୂହର ଜଏଣ୍ଟ ଇନିସ୍‌ପେକ୍ଟରଙ୍କ ଅଫିସରେ ଗ୍ରାହ୍ୟ ହେଲେ, ରଚନାକୁ ଗବର୍ଣ୍ଣମେଣ୍ଟ ତିନିଶତ ଟଙ୍କା ପୁରସ୍କାର ଦେବେ । ଉକ୍ତ ବିଜ୍ଞାପନ ପାଠ କରି ଆମ୍ଭେ ଏହି ପୁସ୍ତକ ରଚନା କରି ଜଏଣ୍ଟ ଇନିସ୍‌ପେକ୍ଟରଙ୍କ ହସ୍ତରେ ଅର୍ପଣ କଲୁ । ଅବଶେଷରେ ଉକ୍ତ ମସିହାର ଶେଷ ଭାଗକୁ ଥରେ ଉତ୍ତମ ରୂପେ ସଂଶୋଧନ କରି ଏହାକୁ ମୁଦ୍ରିତ ଓ ପ୍ରକାଶିତ କରିବାର ଆଦେଶ ପ୍ରାପ୍ତ ହେଲା । ୨ । ପ୍ୟାରୀମୋହନଙ୍କ ବହି ୧୮୭୯ ମସିହାରେ ଅବଶ୍ୟ ପ୍ରକାଶ ପାଇଛି । ମାତ୍ର ଏହାର ଲେଖାକାର୍ଯ୍ୟ କେବେ ଆରମ୍ଭ ହୋଇ କେବେ ଶେଷ ହୋଇଛି ତତ୍ ସଂକ୍ରାନ୍ତରେ କୌଣସି ସୂଚନା ମିଳେ ନାହିଁ, ‘ଉକ୍ତମସିହା’ ଶବ୍ଦକୁ ବିଶ୍ଳେଷଣ କରି ଏହା ସେହି ବର୍ଷ, ଅର୍ଥାତ ୧୮୭୫ ମସିହାରେ ଲେଖା ହୋଇଛି ବୋଲି କହିବା ନିରାପଦ ନୁହେଁ । (୧ କ) କାରଣ ଏହି ଦୁରୁହ କାର୍ଯ୍ୟ ସମ୍ପାଦନ ପାଇଁ ତାଙ୍କୁ ନିଶ୍ଚିତ ଭାବରେ ବହୁ ସମୟ ଲାଗିଥିବ । ସେ ଯେଉଁ ଯେଉଁ ଗ୍ରନ୍ଥକୁ ‘ଆକର’ ଭାବରେ ଗ୍ରହଣ କରିଛନ୍ତି ଏବଂ ଯେଉଁ ସରକାରୀ ଅଫିସରେ ନଥିପତ୍ର ପଢ଼ିବା ସଂପର୍କରେ ସୂଚନା ଦେଇଛନ୍ତି, ତାହା ମଧ୍ୟ ସମୟ ସାପେକ୍ଷ (ଦ୍ରଷ୍ଟବ୍ୟ : ଭୂମିକା) ଯଦି ସେହି ମସିହା, ଅର୍ଥାତ୍ ୧୮୭୫ରେ, ସେ ଏଥିପାଇଁ ପଢ଼ା ଓ ଲେଖା କାର୍ଯ୍ୟ ଶେଷ କରିଥିଲେ ବୋଲି ଗ୍ରହଣ କରିବା, ତେବେ ଏହା ମଧ୍ୟ ଆମକୁ ବିଶ୍ଵାସ କରିବାକୁ ପଡ଼ିବ ଯେ, ଓଡ଼ିଆ ଭାଷାରେ ଏକ ଇତିହାସ ବହି ଲେଖିବାର ପରିଯୋଜନା, ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କର ଆଦୌ ଆକସ୍ମିକ ନଥିଲା । ଆପଣା ଜାତିର ଅଭାବ ସଂପର୍କରେ ସେ ସଚେତନ ହୋଇଛନ୍ତି, ପୂର୍ବ-ପ୍ରକାଶିତ ଇତିହାସ ବହି ଓ ରିପୋର୍ଟ ଗୁଡ଼ିକୁ ପଢ଼ିଛନ୍ତି ଏବଂ ସରକାରୀ ବିଜ୍ଞାପନ ପ୍ରକାଶିତ ହେବାପରେ ସେ ବହି ଲେଖିବା ପାଇଁ ମନସ୍ଥ କରିଛନ୍ତି । ଲେଖା ଶେଷ ପରେ ସେ ଜଏଣ୍ଟ ଇନିସ୍‌ପେକ୍ଟରଙ୍କୁ ପାଣ୍ଡୁଲିପି ଦେଇଛନ୍ତି । ଏକ ବିଶେଷଜ୍ଞ କମିଟି ପାଣ୍ଡୁଲିପି ସମୀକ୍ଷା କରିଛି । କମିଟିର ପରାମର୍ଶ କ୍ରମେ ସେ ଏଥିରେ ସମାର୍ଜନ ଓ ସଂଯୋଜନ କରିଛନ୍ତି । ଏଥିପାଇଁ ତାଙ୍କୁ ବେଶ୍‍କିଛି ବର୍ଷ ସମୟ ଦେବାକୁ ପଡ଼ିଛି । ଏବଂ ୧୮୭୫ ମସିହାରେ ପ୍ରକାଶିତ ସରକାରୀ ବିଜ୍ଞାପନ କାର୍ଯ୍ୟକାରୀ ହୋଇଛି ୧୮୭୯ ମସିହା ଅଗଷ୍ଟ ମାସର ମଧ୍ୟ ଭାଗରେ । ତେଣୁ ଏହା ସୁସ୍ପଷ୍ଟ ଯେ, ପ୍ୟାରୀମୋହନଙ୍କ ଓଡ଼ିଶା ଇତିହାସ ରଚନା ଆଦୌ ଆକସ୍ମିକ ନୁହେଁ । ଏହା ତାଙ୍କ ତରୁଣ ପ୍ରାଣର ସୁପରିକଳ୍ପିତ, ଯୋଜନାବଦ୍ଧ ଏବଂ ଉଭୟ ଆବେଗିକ ଓ ତଥ୍ୟପୁଷ୍ଟ ଆତ୍ମପ୍ରକାଶ ।

 

ଶ୍ରୀ ଆଚାର୍ଯ୍ୟଙ୍କ ବହି ସମ୍ପର୍କରେ ଦୁଇଗୋଟି ସମୀକ୍ଷା ପ୍ରକାଶ ପାଇଛି ୧୮୭୯ ମସିହା ସେପ୍ଟେମ୍ବର ୨୦ ତାରିଖରେ ‘ଉତ୍କଳଦୀପିକା’ ଏବଂ ୧୮୮୦ ମସିହା ଫେବୃଆରୀ ୧୯ ତାରିଖରେ ‘ବାଲେଶ୍ୱର ସମ୍ବାଦ ବାହିକା’ ପୃଷ୍ଠାରେ । ‘‘ଗବର୍ଣ୍ଣମେଣ୍ଟର ପ୍ରଦତ୍ତ ଟଙ୍କା ସତ୍‍ପାତ୍ରରେ ପତିତ ହୋଇ ସୁନ୍ଦର ଫଳ ଜାତ ହୋଇଅଛି । ଏ ପୁସ୍ତକର ରଚନା ପ୍ରଣାଳୀ ସୁନ୍ଦର ଏବଂ ଏହା ସର୍ବାଙ୍ଗରେ ସୁପାଠ୍ୟ ଅଟଇ । ଅବଶ୍ୟ ସାଧୁ ଭାଷା ସଂଗେ ସଂଗେ ଗୋଟିଏ ଅତି ଗ୍ରାମ୍ୟଭାଷା ଏବଂ ଦୁଇ ଏକ ସ୍ଥଳରେ ଅସଙ୍ଗତ ଭାବ ଇତ୍ୟାଦି ଦୋଷ ରହିଛି ବୋଲି ଦୀପିକା ଏବଂ ଆମ୍ଭେମାନେ ନିର୍ବିବାଦରେ ଏହା କହିପାରୁଯେ, ପ୍ରାଚୀନ ଏବଂ ଆଧୁନିକ ଓଡ଼ିଶାର ପ୍ରାକୃତିକ, ସାମାଜିକ, ରାଜନୈତିକ ଓ ଧର୍ମ ସମ୍ବନ୍ଧୀୟ ଇତିହାସ ଜିଜ୍ଞାସୁ ବ୍ୟକ୍ତିଙ୍କ ପକ୍ଷରେ ପ୍ୟାରୀବାବୁଙ୍କ ପୁସ୍ତକ ପରି ଆଉ ଖଣ୍ଡିଏ ପୁସ୍ତକ ଓଡ଼ିଆ ଭାଷାରେ ଅବଧି ରଚିତ ହୋଇନାହିଁ । ଏହା ମୁକ୍ତ କଣ୍ଠରେ ସ୍ୱୀକାର କରିବାକୁ ହେବ ଯେ, ଉନ୍ନତ ଓ ଅପେକ୍ଷାକୃତ ମାର୍ଜିତ ବଙ୍ଗଳାଭାଷାରେ ସୁଦ୍ଧା ଏପରି ଇତିହାସ ବିରଳ ଲକ୍ଷିତ ହୁଏ । ପୁସ୍ତକର ଭାଷା ମଧ୍ୟ ସ୍ଥୂଳରେ ଉତ୍ତମ ହୋଇଅଛି । ସ୍ଥାନେ ସ୍ଥାନେ ବ୍ୟାକରଣ, ମୁଦ୍ରା ଓ ଗ୍ରାମ୍ୟ ଦୋଷ ଅଛି ସତ୍ୟ, ମାତ୍ର ଯେଉଁ ଜୀବନୀ ଶକ୍ତି ଭାଷାର ପ୍ରକୃତ ପରିଚାୟକ, ସଂଶିତ ପୁସ୍ତକର ଉପରେ ସେହି ଜୀବନୀଶକ୍ତିର ଅଭାବ ନାହିଁ’’ ବୋଲି ବାଲେଶ୍ୱର ସମ୍ବାଦ ବାହିକା ମନ୍ତବ୍ୟ ଦେଇଛନ୍ତି । ଏବଂ, ଉଭୟ ସମୀକ୍ଷକ ଏହାର ଗଦ୍ୟକୁ କାବ୍ୟିକ ଓ ପଠନୀୟ କେବଳ କହିନାହାନ୍ତି, ପରିଲକ୍ଷିତ ସାଧାରଣ ଭ୍ରମ ସଂପର୍କରେ ମଧ୍ୟ ସୂଚନା ଦେଇଛନ୍ତି-।୩।

 

ମାତ୍ର ଆଶ୍ଚର୍ଯ୍ୟର କଥା, ଆଲୋଚନା ଦୁଇଟି ପ୍ରକାଶିତ ହେବା ପରେ, ଏଥିରେ ଜଗନ୍ନାଥ ଓ କଳାପାହାଡ଼ ସଂପର୍କରେ ପ୍ରଦତ୍ତ ଐତିହାସିକ ତଥ୍ୟାବଳୀ, ସେଗୁଡ଼ିକର ବିଶ୍ଳେଷଣ ଓ ରଚନାଶୈଳୀ ଏବଂ ଇଂରେଜମାନଙ୍କ ଉଦ୍ଦେଶ୍ୟରେ ଶବ୍ଦର ଅପପ୍ରୟୋଗକୁ କେନ୍ଦ୍ରକରି ଓଡ଼ିଶାର ଦୁଇ ପ୍ରମୁଖ ସମ୍ବାଦପତ୍ର ‘‘ଦୀପିକା’’ ଓ ‘‘ବାହିକା‘' ପୃଷ୍ଠାରେ ବେଶ୍ କେତେ ମାସ ଧରି ବିତର୍କ ଚାଲୁ ରହିଛି । ଦୀପିକାର ତା ୨୦।୦୩।୮୦ରିଖରେ NO HUMBUG ଛଦ୍ମ ନାମରେ ଜନୈକ ପତ୍ର ପ୍ରେରକଙ୍କ ଇଂରାଜୀ ପତ୍ର ପ୍ରକାଶ ପାଇଛି । ଏହି ଛଦ୍ମବେଶୀ ବ୍ୟକ୍ତି ଜଣକ ସମ୍ଭବତଃ ବାବୁ କାଳୀପଦ ବନ୍ଦ୍ୟୋପାଧ୍ୟାୟ । ପୂର୍ବରୁ ବାବୁ କାଳୀପଦ ବାବୁ କଲିକତାରୁ ପ୍ରକାଶିତ ଏକ ଇଂରାଜୀ ପତ୍ରିକାର ମାର୍ଚ୍ଚମାସ ‘ଆଠ’ ତାରିଖରେ ବହି ସଂପର୍କରେ ଏକ ପ୍ରତିବାଦ ପତ୍ର ମଧ୍ୟ ପ୍ରକାଶ କରିଛନ୍ତି ଏବଂ ତା ୧୬.୩.ରିଖରେ ଲିଖିତ ପତ୍ରରେ ମଧ୍ୟ ତତ୍‍ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ୪ । ଏବଂ, ତାଙ୍କ ଅଭିଯୋଗକୁ ଚର୍ଚ୍ଚାର ପରିସରକୁ ଆଣିବା ପାଇଁ ଅଧିକ ତତ୍ପରତା ପ୍ରକାଶ କରିଛନ୍ତି ତତ୍କାଳୀନ ସ୍କୁଲ ସମୂହର ଡେପୁଟି ଇନିସ୍‌ପେକ୍ଟର ବାବୁ ଶ୍ରୀ ଭୁଦେବ ମୁଖେଶପାଧ୍ୟାୟ । ପରେ ପରେ କାଳୀପଦ ବାବୁ ଜଗନ୍ନାଥୀ ନ୧ମ୍ବର, ଜଗନ୍ନାଥୀ ନ୨ମ୍ବର ଓ ଜଗନ୍ନାଥୀ ନ୩ମ୍ବର ଶୀର୍ଷକରେ ତିନିଗୋଟି ପାମ୍ପ୍ଲେଟ ଛାପି ସର୍ବସାଧାରଣରେ ବଣ୍ଟନ କରିଛନ୍ତି । କେବଳ ସେତିକିରେ ସେ ନିରବ ରହିନାହାନ୍ତି । ସ୍କୁଲ ସମୂହର ପାଠ୍ୟକ୍ରମରୁ ବହିର ପ୍ରତ୍ୟାହାର ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ପ୍ରମାଦ ସଂପର୍କରେ ଚର୍ଚ୍ଚା ପାଇଁ ମାଜିଷ୍ଟ୍ରେଟ ପସି ସାହେବ ଏକ କମିଟି ଗଠନ କରିଛନ୍ତି । ଏହି ପରୀକ୍ଷା ସଭାର ସଦସ୍ୟ ରହିଛନ୍ତି ତାଙ୍କୁ ଜଗନ୍ମୋହନ ରାୟ, ବାବୁ ଦୀନନାଥ ସରକାର ଓ ଚଣ୍ଡୀଚରଣ ଉପାଧ୍ୟାୟ ଓ ଅନ୍ୟମାନେ ଚର୍ଚ୍ଚାକାଳରେ ବାବୁ କାଳୀପଦବାବୁ ଓ ଭୁଦେବ ବାବୁଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ପ୍ୟାରୀମୋହନଙ୍କ ମତାମତ ଦୂଷଣୀୟ ନୁହେଁ ବୋଲି ମତ ଦେଇଛନ୍ତି । ମାତ୍ର ତାହା ସତ୍ତ୍ୱେ ବହିକୁ ବିଦ୍ୟାଳୟର ହତା ବାହାରେ ରଖାଯାଇଛି । କେବଳ ସେତିକି ନୁହେଁ, ସରକାରୀ ଚିଠିଗୁଡ଼ିକୁ ମୁଦ୍ରଣ କରି କାଳୀପଦ ବାବୁ ସର୍ବସାଧାରଣରେ ବଣ୍ଟନ କରିଛନ୍ତି । ୫ । ଓଡ଼ିଆ ଭାଷାରେ ଲିଖିତ ଏହି ବହି ବିରୋଧରେ ବଙ୍ଗାଳୀମାନଙ୍କର ଅଭିଯୋଗ ଯେ କେତେ ମାତ୍ରାରେ ଯୁକ୍ତି ସଂଗତ ଏବଂ ତାହା ଯେ ସମକାଳୀନ ବଙ୍ଗାଳୀ ଓ ଓଡ଼ିଆ ଜାତିର ‘ଅସ୍ମିତା’ କୈନ୍ଦ୍ରିକ ଅବବୋଧର ବିତର୍କ- ତତ୍ସଂକ୍ରାନ୍ତରେ ଏଠାରେ ଆଲୋକପାତ କରାଯାଇପାରେ ।

 

– ଦୁଇ –

ପ୍ୟାରୀମୋହନଙ୍କ ଇତିହାସ ବହି ସଂକ୍ରାନ୍ତ ବିତର୍କର କାରଣ ଓ ତାର ପରିଣତି ସଂପର୍କରେ ଚର୍ଚ୍ଚା ପୂର୍ବରୁ, ମୁଁ ଏଠାରେ ପ୍ରସଙ୍ଗ କ୍ରମେ ଓଡ଼ିଶାର ଇତିହାସ ଚର୍ଚ୍ଚା ପରମ୍ପରା ସଂକ୍ଷିପ୍ତ ସୂଚନା ଦେବାକୁ ଉଚିତ ମଣୁଛି । ଏବଂ, ନିଜେ ପ୍ୟାରୀମୋହନ ମଧ୍ୟ ଆପଣା ବହିର ଭୂମିକାରେ ଆପଣା ଆଶ୍ରିତ ‘ଆକର’ ଗ୍ରନ୍ଥ ସଂପର୍କରେ ଉଲ୍ଲେଖ କରିଛନ୍ତି । ଆମସ୍‍ସଟନ୍‍, ଡବ୍ଲି, ଡବ୍ଲି ହଣ୍ଟର, ଏ. ଷ୍ଟର୍ଲିଂ, ଟଏନମ୍‍ବି ଆଦି ଇଂରେଜ ଏବଂ ରଙ୍ଗଲାଲ ବାନାର୍ଜୀ ଓ ରାଜେନ୍ଦ୍ର ଲାଲ ମିତ୍ରଙ୍କୁ ନିଜର ଆଦର୍ଶ ମଣିଛନ୍ତି । ୬ । ମାତ୍ର ସମକାଳରେ ପ୍ରକାଶିତ ଅନ୍ୟ ଯେଉଁ କେତୋଟି ଗ୍ରନ୍ଥର ସାହାଯ୍ୟ ନେଇଛନ୍ତି ସେଗୁଡ଼ିକ ସଂପର୍କରେ ସୂଚନା ଦେବା ତାଙ୍କର ଆବଶ୍ୟକ ଥିଲା । କାରଣ ସେହି ଗ୍ରଂଥଗୁଡ଼ିକର ରଚନା ଶୈଳୀ ଓ ତଥ୍ୟଦ୍ୱାରା ସେ ବିଶେଷ ଭାବରେ ପ୍ରଭାବିତ । ସେଗୁଡ଼ିକ କିଉରିଂକ Orissa, The Garden of Superstition and Idolatory (1850) ଆମସ୍ ସଟନ୍‍ଙ୍କ Orissa and its Evangelization (1850), ଶ୍ରୀ ବ୍ରଜକିଶୋର ଘୋଷଙ୍କ The History of Puri (1848), ଶ୍ରୀ ଭବାନୀ ଚରଣ ବନ୍ଦ୍ୟୋପାଧ୍ୟାୟ କର୍ତ୍ତୃକ ସଂଗୃହୀତ ଶ୍ରୀ ପୁରୁଷୋତ୍ତମ ଚନ୍ଦ୍ରିକା (୧୮୬୫) ଏବଂ ଶ୍ରୀ ଶିବଚନ୍ଦ୍ର ସୋମଙ୍କ ଓଡ଼ିଶାର ଇତିହାସ । ୭ । କେବଳ ଗ୍ରନ୍ଥ ନୁହେଁ, ଓଡ଼ିଶା ସଂପର୍କରେ ପୂର୍ବ ପ୍ରକାଶିତ ବହୁ ସରକାରୀ ରିପୋର୍ଟ, ଇତିହାସ ରଚନା ପାଇଁ ଯେଉଁଗୁଡ଼ିକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ, ତତ୍‍ସଂକ୍ରାନ୍ତରେ ସେ ଆଦୌ କୌଣସି ସୂଚନା ମଧ୍ୟ ଦେଇ ନାହାନ୍ତି-। ୮। କାରଣ ବିଦେଶୀମାନଙ୍କ ପ୍ରଦତ୍ତ ଏହି ରିପୋର୍ଟ ଗୁଡ଼ିକ କେବଳ ନିର୍ଭର ଯୋଗ୍ୟ ତଥ୍ୟ ନୁହେଁ-। ଅନୁଭବ ପୁଷ୍ଟ ଓ ବହୁଭାବରେ ନିରପେକ୍ଷ ।

 

ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ଷ୍ଟର୍ଲିଂ, ସଟନ୍, କିଉରି, ହଣ୍ଟର, ଟୟନବୀ ପ୍ରମୁଖ ଆଧୁନିକ ପଶ୍ଚିମର ପାଦ୍ରୀ, ପ୍ରଶାସକ-ବିଦ୍ଵାନ ସମକାଳୀନ ଓଡ଼ିଶାର ସମାଜ ଓ ଧର୍ମଜୀବନ ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି । ଷ୍ଟର୍ଲିଂ ଶ୍ରୀ ଜଗନ୍ନାଥ ମନ୍ଦିରକୁ Mighty Pagoda or Pagod, the mirror of wickedness and idolatory'; କିଉରି The Garden of superstition; ସଟନ ପୌତ୍ତୋଳିକତାର ଉପବନ ଏବଂ ହଣ୍ଟର ଭାରତବର୍ଷର ଅତ୍ୟନ୍ତ ଅନୁନ୍ନତ ଓ ଅବିକସିତ ଅଂଚଳ ବୋଲି ଅବଶ୍ୟ କହିଛନ୍ତି । ୯ । ମାତ୍ର ସେମାନେ ଓଡ଼ିଶାର ପ୍ରାକୃତିକ ପରିବେଶ, ଭୂଗୋଳ, ସାଧାରଣ ମଣିଷମାନଙ୍କର ସରଳ ଜୀବନଚର୍ଯ୍ୟା, ସ୍ଥାପତ୍ୟର କମ୍ ପ୍ରଶଂସା କରିନାହାନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରାଚୀନତା ନିରୂପଣ କାଳରେ ସେହିମାନେ ହିଁ ପଡ଼ୋଶୀମାନଙ୍କ ବିଚାରର ବିରୋଧ କରିଛନ୍ତି ।

 

ଓଡ଼ିଶାର ଇତିହାସ ଚର୍ଚ୍ଚାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ, ବଂଗାଳୀମାନଙ୍କର ଓଡ଼ିଶା ଓ ଓଡ଼ିଆମାନଙ୍କ ସଂପର୍କରେ ମନ୍ତବ୍ୟ । ଆମେ ଅନେକ ସମୟରେ ଏକ ସାଧାରଣ ଧାରଣାପୋଷଣ କରିଥାଉ ଯେ, ବଂଗାଳୀମାନେ ଓଡ଼ିଶାର ସ୍ୱତନ୍ତ୍ର ବିରୋଧୀ । ସେମାନେ ହିଁ ଓଡ଼ିଶାର ସଂସ୍କୃତି ସଂରଚନା ଓ ଆଧୁନିକୀ-କରଣର ସୂତ୍ରଧର । ମାତ୍ର ଓଡ଼ିଆମାନଙ୍କର ନିନ୍ଦାଗାନ କରୁଥିବା ସେହି ବଙ୍ଗାଳୀମାନେ ଅନୁନ୍ନତମାନଙ୍କ ଅତୀତର କମ୍ ପ୍ରଶଂସା କରିନାହାନ୍ତି । ରଂଗଲାଲ ବନ୍ଦ୍ୟୋପାଧ୍ୟାୟ, ବ୍ରଜକିଶୋର ଘୋଷ, ଶିବଚନ୍ଦ୍ର ସୋମ୍ ଏବଂ ରାଜେନ୍ଦ୍ରଲାଲ ମିତ୍ରଙ୍କ ଗ୍ରନ୍ଥଗୁଡ଼ିକ ତାହାର ଉଦାହରଣ । ୧୦ । ଶ୍ରୀ ଭବାନୀ ଚରଣ ବନ୍ଦ୍ୟୋପାଧ୍ୟାୟଙ୍କ ‘ପୁରୁଷୋତ୍ତମ ଚନ୍ଦ୍ରିକା‘ ଅବଶ୍ୟ ମାଦଳାପାଞ୍ଜିର ପଦ୍ୟାନୁବାଦ । ମାତ୍ର ଶ୍ରୀକ୍ଷେତ୍ରର ବିବରଣୀ ଓ ଅନ୍ୟକ୍ଷେତ୍ର ସଂପର୍କରେ ବର୍ଣ୍ଣନା କାଳରେ ସେ ଉତ୍କଳଭୂମିର ମହାତ୍ମ୍ୟ ପ୍ରତିପାଦନରେ ଆଦୌ ବିମୁଖତା ପ୍ରକାଶ କରି ନାହାନ୍ତି । ୧୧ । ଶ୍ରୀଯୁକ୍ତ ସୋମ ଆପଣା ଗ୍ରନ୍ଥର ଉପକ୍ରମିଣକାରେ ଉଲ୍ଲେଖ କରିଛନ୍ତି : ‘‘ଉଡ଼ିଶ୍ୟା ଦେଶ ବଲିଲେଇ ସାଧାରଣ ଲୋକେର ମନେ ଏକ ନିର୍ଧନ, କଦାକାର, କଲଙ୍କିତ ଅସଭ୍ୟ ଜାତିର ବାସସ୍ଥାନ, ଏଇ ଭାବ ଉଦିତ ହୟ । ଅନେକେର ଏଇ ରୂପ ସଂସ୍କାର ଆଛେ ଯେ, ଉଡ଼ିଶ୍ୟା ଦେଶର ଭୂମି ଅତି ଅନୁର୍ବର, ଉଷର, ଜଳବାୟୁ ଅସ୍ୱାସ୍ଥ୍ୟକର ଏବଂ ତଦ୍ଦେଶବାସୀ ଲୋକେରା ବଲ, ବିଦ୍ୟା, ବୁଦ୍ଧି, ଆଚାର ଓ ଶିଳ୍ପ ଚାତୁର୍ଯ୍ୟ ବିଷୟେ ଅତି ହୀନ କଳ୍ପ । ଯଦିଓ ଏ ରୂପ ସଂସ୍କାର କେବେ ସତ୍ୟ ହଇତେ ପାରେ, ତଥାପି ଇହା ସର୍ବତୋଭାବେ ନ୍ୟାୟମୂଲକ ନହେ । ଭକ୍ତ ଦେଶେର ନୀଚ ଶ୍ରେଣୀସ୍ଥ ଲୋକଦିଗେର ଆଚାର ବ୍ୟବହାର ଦୃଷ୍ଟେ ଅପର ଦେଶୀୟ ବ୍ୟକ୍ତି ଦିଗେର ମନେ ଏଇରୂପ ଘୃଣା ଜନ୍ମିୟାଛେ । କେଉ ଉଡ଼ିଶ୍ୟାବାସୀବିଚେର୍ ବିଶେଷ ବିବରଣ ଅବଗତ ହଇବାର ମାନସେ ଯତ୍ନ କରିୟା ଅନୁସନ୍ଧାନ କରେ ନ ଯାଇ । କେହି କେହି ଏମନ୍ ସିଦ୍ଧାନ୍ତ କରେନ୍ ଯେ ଇହାଦ୍ଵାରା ଶୋଭାମାନ ବେଶ୍ ବୁଝାୟେ । କଥିତ ଅଛି ଯେ, ଏଇ ଦେଶ ଦେବତା ଦିଗେର ଅତିପ୍ରିୟ ଆବାସସ୍ଥାନ x x x ଗୋରବା ସ୍ପଦାx x x ଯେ ଦେଶେ ଦେବତାଗଣ ଅବସ୍ଥାନ ପୂର୍ବକ ଆନନ୍ଦିତ ହୁଏ, ସେ ଦେଶେର ଗୁଣାନୁବାଦେ ଗ୍ରନ୍ଥ ବାହୁଲ୍ୟକରଣେର ପ୍ରୟୋଜନ ନାଇ ।’’ ୧୨ । ମାତ୍ର ଓଡ଼ିଶାର ଐତିହ୍ୟ ସଂପର୍କରେ ରାଜେନ୍ଦ୍ରଲାଲ ମିତ୍ରଙ୍କ ମନ୍ତବ୍ୟ, ସମକାଳୀନମାନଙ୍କୁ ଅତ୍ୟନ୍ତ ଅସ୍ଵସ୍ତିକର ବୋଧ ହୋଇଛି । ଓଡ଼ିଶାର କୌଣସି ପତ୍ରିକାରେ ଶ୍ରୀ ମିତ୍ରଙ୍କ ବହିର ସମୀକ୍ଷା କରାଯାଇ ନାହିଁ । ଓଡ଼ିଶା ଓ ଓଡ଼ିୟାମାନଙ୍କ ପରିଚୟ ପ୍ରସଂଗରେ ସେ ଲେଖିଛନ୍ତି ‘‘Orissa is the country of the dirty people x x The land of hibiscus flower ଏବଂ Abode of a Primitive, norAryan or a fallen race, it has no reputation for sanctity and never was thought of as a holy place of pilgrimage for the Hindus ଏବଂ ଏହାର ଲୋକମାନଙ୍କୁ barbarous race, palki-bearer, ‘od’ is generally supposed to be a tribal designation. I ୩ I ମାତ୍ର ଓଡ଼ିଆମାନଙ୍କୁ ଏପରି ଆଖିରେ ଦେଖୁଥିବା ସେହି ମିତ୍ର, ଓଡ଼ିଶାର ସ୍ଥାପତ୍ୟ, ମନ୍ଦିର ଗଢ଼ଣ କଳା, ଧର୍ମ, ସାଧାରଣ ମଣିଷର ଜୀବନଯାତ୍ରା ଏବଂ ଦ୍ୱିତୀୟ ଭାଗରେ ଖଣ୍ଡଗିରି, ପୁରୀ, ଭୁବନେଶ୍ୱର, କୋଣାର୍କ, ଯାଜପୁରର ଐତିହ୍ୟ ବର୍ଣ୍ଣନା କାଳରେ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ବିଶେଷତଃ ଶୁଦ୍ଧବାଦୀମାନଙ୍କ ବିଚାରରେ କୋଣାର୍କ ଓ ଅନ୍ୟ ମନ୍ଦିରଗୁଡ଼ିକରେ ଜୀବନ୍ତ ମୂର୍ତ୍ତି ଏବଂ ଖଣ୍ଡଗିରି, ଉଦୟଗିରି ସ୍ଥାପତ୍ୟକୁ ଉତକୃଷ୍ଟ କଳାକାରିଗରୀର ନମୁନା ଭାବରେ ଗ୍ରହଣ କରିଛନ୍ତି । ୧୪ । ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ, ଶ୍ରୀଯୁକ୍ତ ମିତ୍ର ସମକାଳୀନ ଭାରତର ଅନ୍ୟତମ ପ୍ରଶାସକ-ବିଦ୍ଵାନ୍, ଯିଏ କୌଣସି ବିଶେଷ କାରଣରୁ ଇଂରେଜମାନଙ୍କର ପ୍ରଜ୍ଞା ଓ ବିଚାର ପରିପୋଷକ ଥିଲେ । ଏପରିକି, ବଙ୍ଗଳା ଭାଷାକୁ ମଧ୍ୟ ଅନ୍ୟ ବଙ୍ଗାଳୀମାନଙ୍କ ପରି ସର୍ବୋତ୍ତମ ଭାବରେ ଗ୍ରହଣ କରିପାରୁ ନଥିଲେ । ତେଣୁ ଓଡ଼ିଆ ଜାତିର ଐତିହ୍ୟ ଓ ଭାଷା, ସାହିତ୍ୟକୁ ସେ ନିଊନ ଆଖିରେ ଆକଳନ କରିବାରେ ଆଦୌ ଅସ୍ୱାଭାବିକତା ନଥିଲା ।

 

ମାତ୍ର ଓଡ଼ିଶାର ଇତିହାସ ରଚନା କ୍ଷେତ୍ରରେ ପ୍ୟାରୀମୋହନ ପ୍ରଥମ ଓଡ଼ିଆ । ଯଦିଚ ତାଙ୍କ ପୂର୍ବପୁରୁଷ ବଙ୍ଗାଳୀ ଥିଲେ ଏବଂ ବଙ୍ଗାଳୀମାନଙ୍କ ସେ ପ୍ରତି ଅବଚେତନ ସ୍ତରରେ ଦୁର୍ବଳ ଥିଲେ, ତଥାପି ତାଙ୍କ ଇତିହାସ ବହିର ବିଶେଷତା–ସେ ବିଦେଶୀ ଇତିହାସବିତ୍‌ମାନଙ୍କ ଓଡ଼ିଶା ସଂକ୍ରାନ୍ତ ମନ୍ତବ୍ୟ ଓ ବିଚାରକୁ ସଂପୂର୍ଣ୍ଣ ଭାବରେ ଗ୍ରହଣ କରିପାରିନାହାନ୍ତି । ସେମାନଙ୍କ ରଚନାର ଯେଉଁ ଯେଉଁ ଅଂଶ ଓଡ଼ିଆମାନଙ୍କ ଜାତୀୟ ଜୀବନକୁ ନ୍ୟୁନ କରିବେ ବୋଲି ସେ ଅନୁଭବ କରିଛନ୍ତି, ତାହାକୁ ଚର୍ଚ୍ଚାର ପରିସରଭୁକ୍ତ କରିନାହାନ୍ତି । ବରଂ ସ୍ଥଳ ବିଶେଷରେ ଷ୍ଟର୍ଲି, ହଣ୍ଟର, ଟୟନବି ଓ ମିତ୍ରଙ୍କ ମନ୍ତବ୍ୟରେ ଖଣ୍ଡନ କରିଛନ୍ତି । ଅନ୍ୟ ଐତିହାସିକମାନଙ୍କ ପରି ସେ ଅବଶ୍ୟ ମାଦଳାପାଞ୍ଜିକୁ ପ୍ରଧାନ ଉପାଦାନ ଭାବରେ ଗ୍ରହଣ କରିଛନ୍ତି । ମାତ୍ର ପ୍ରାଚୀନ କାଳର ଇତିହାସ ବର୍ଣ୍ଣନା କାଳରେ ଶାସକମାନଙ୍କୁ ‘ଐପନ୍ୟାସିକ ରାଜାଗଣ’ କହି ‘‘ଇତିହାସର ପୃଷ୍ଠାମାନଙ୍କରୁ ବିସର୍ଜନ’’ ଦେଇଛନ୍ତି । ୧୫ । ନିଜ ଜାତିର ଗାଥା ଲେଖିବା କାଳରେ ଅନେକ କ୍ଷେତ୍ରରେ ତାଙ୍କ ଜାତି ପ୍ରୀତି ବୋଧ ଅତ୍ୟନ୍ତ ସ୍ଵାଭାବିକ ରୀତିରେ ଆତ୍ମପ୍ରକାଶ କରିଛି । ଏବଂ, ତାହା ହିଁ ହୋଇଛି ଏକ କର୍ତ୍ତୃତ୍ୱ ବିସ୍ତାରୀ ଓ ଅଭିଜାତ- ମନସ୍କ ପଡ଼ୋଶୀ ଜାତିର ଗାତ୍ରଦାହର କାରଣ ।

 

-ତିନି-

ଆମେ ପ୍ରତ୍ୟେକ ଏକଥା ସ୍ୱୀକାର କରିଛୁ । ଇତିହାସ ଚର୍ଚ୍ଚା ମୁଖ୍ୟତଃ ଉପଲବ୍ଧ ଉପାଦାନ, ତଥ୍ୟ ନିର୍ଭରଶୀଳ । ଅର୍ଥାତ୍ ଜଣେ ଇତିହାସ-ବିତ୍ କେବଳ ଉପଲବ୍‌ଧ ତଥ୍ୟ ଗୁଡ଼ିକର ବିଶ୍ଳେଷକ । ମାତ୍ର ଏହା ମଧ୍ୟ ଆମେ ଭୁଲିଯିବା ଉଚିତ ନୁହେଁ ଯେ, ଇତିହାସବିତ୍ ଜଣେ ମଣିଷ, ଯାହାର ଏକ ବ୍ୟକ୍ତିକ ଓ ଜାତିଗତ ବା ସମୁଦାୟ-ଗତ ପରିଚିତି ଥାଏ ଏବଂ ଏକ ନିର୍ଦ୍ଦିଷ୍ଟ ସମୟର ସ୍ୱରକୁ ମଧ୍ୟ ଅନୁଭବ କରୁଥାଏ । ଏକ ନିର୍ଦ୍ଦିଷ୍ଟ ସମୟରେ, ଏକ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ଠିଆ ହୋଇ ସେ ତାର ଅତୀତ ଆଡ଼କୁ କେବଳ ଅନିଷା କରି ନଥାଏ, ଭବିଷ୍ୟତର ମଧ୍ୟ ଆକଳନ କରିଦେଉଥାଏ । ପୁନଶ୍ଚ ଏକ ପ୍ରଜ୍ଞାଦୀପ୍ତ ଓ ସଚେତନ ବ୍ୟକ୍ତି ହୋଇଥିବାରୁ ତଥ୍ୟଗୁଡ଼ିକୁ ନିଜ ଆଦର୍ଶରେ ବିଶ୍ଳେଷଣ କରିବା ଅର୍ଥାତ୍ ଇତିହାସ ତିଆରି କରିବାର ସାମର୍ଥ୍ୟ ତାର ଥାଏ । ତେଣୁ କୌଣସି ଜାତିର ଇତିହାସ, ବ୍ୟକ୍ତିର ପାଣ୍ଡିତ୍ୟ ଓ ସମୟର ଆବଶ୍ୟକତା ଅନୁସାରେ ମଧ୍ୟ ବଦଳି ବଦଳି ଯାଉଥାଏ । କାରଣ ଇତିହାସ ଏକ ସଂରଚନା, ସେହି ନ୍ୟାୟରେ ଏହା ପୁର୍ନଲିଖିତ ହେବା ଆଦୌ ଅସ୍ୱାଭାବିକ ନୁହେଁ । ଏହି ସଂରଚନା ଜଟିଳ ପ୍ରସଂଗ–ତାହା ବ୍ୟକ୍ତି, ଜାତି ଓ କାଳ ଭେଦରେ ମଧ୍ୟ ଭିନ୍ନ ଭିନ୍ନ ଏତେ ହୋଇଥାଇଥାଏ ।

 

ଇତିହାସ ରଚନା, ପଶ୍ଚିମର ଭାରତକୁ ଏକ ଅନଦ୍ୟ ଦାନ–ଏ କଥା ଆମେ ପ୍ରତ୍ୟେକ ମାନିନେଉ । ମାତ୍ର ଏହା ମାନିନେଲା ବେଳେ ଅନ୍ୟ ଏକ ପ୍ରଶ୍ନ ମଧ୍ୟ ଆମକୁ ଅନ୍ୟମନସ୍କ କରିଦିଏ ଯେ, ଭାରତବର୍ଷରେ କଣ ‘ଇତିହାସ ସଂରଚନାର’ ସ୍ୱତନ୍ତ୍ର ବିଧି ନ ଥିଲା ? ଏହି ପ୍ରଶ୍ନ ସ୍ଵତନ୍ତ୍ର ଆଲୋଚନାର ଅପେକ୍ଷା ରଖେ । ପ୍ରାସଂଗିକତା ପରିପ୍ରେକ୍ଷୀରେ ସଂକ୍ଷେପରେ ଏତିକି କୁହାଯାଇପାରେ ଯେ, ଆଗେ ଆମେ ଅତୀତକୁ ଅତ୍ୟନ୍ତ ସ୍ଵପ୍ନାବିଷ୍ଟ ଆଖିରେ ଦେଖିଛୁ । ପୁରାଣ, କାବ୍ୟ, ମହାକାବ୍ୟ, ପରମ୍ପରା ଭିତରେ ଇତିହାସ ଜୀବନ୍ତ ବୋଲି ସ୍ୱୀକାର କରିଛୁ । ବାସ୍ତବକୁ କଳ୍ପନାୟିତ କରିଛୁ । ଅତି -କଳ୍ପନା ଭିତରେ ‘ବାସ୍ତବତାର’ ସ୍ୱରୂପ ପ୍ରାୟତଃ ପୁଲକପଦ ବିଭବରେ ରୂପାନ୍ତରିତ ହୋଇଯାଇଛି । ଏବଂ, ସାହିତ୍ୟ ଭିତରେ ଅତୀତର ସତ୍ୟ ଜୀବନ୍ତ ବୋଲି, ତାହାକୁ ଇତିହାସର ଉପାଦାନ ଭାବରେ ମଧ୍ୟ ଗ୍ରହଣ କରିଛୁ । ଏଠାରେ ଆମେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭୁଲିଯିବା ଉଚିତ ନୁହେଁ ଯେ, ଏକ ଉପନିବେଶାୟିତ ସଂସ୍କୃତିର ଇତିହାସକୁ ଉପନିବେଶବାଦୀମାନେ ମଧ୍ୟ ଓଲଟପାଲଟ କରିଦେଇଛନ୍ତି । ଶାସିତ ଭୂମିର ଇତିହାସ ସଂରଚନାରେ ସେମାନେ ଆପଣାର ଆଭିମୁଖ୍ୟକୁ ଶ୍ରେୟ କରିଛନ୍ତି । ଅର୍ଥାତ୍, ବିଚରାମାନଙ୍କ ଇତିହାସକୁ ମଧ୍ୟ ସଂଶୟାଚ୍ଛନ୍ନ କରିଦେଇଛନ୍ତି । ଜି.ଏନ୍. ଦେବୀଙ୍କ ଭାଷାରେ ସମକାଳୀନ ଭାରତ ଉପରେ ପ୍ରାଚୀନ ଭାରତର ଆଦର୍ଶ ନଦି ହୋଇପଡ଼ିଛି । କାରଣ ଉପନିବେଶର ଇତିହାସର ବିଲୋପନ ଅଥବା ବିକୃତାୟନ ଉପନିବେଶବାଦର ଅନ୍ୟତମ ପ୍ରଧାନ ଆଭିମୁଖ୍ୟ । ଏବଂ ଇତିହାସ ହିଁ ଅନ୍ୟ ଉପରେ ଆପଣାର ଅଧିପତ୍ୟ ବିସ୍ତାରଣର ଏକ ଭବ୍ୟ ଉପାଦାନ । ରାଜପୁତ ଜାତିର ଇତିହାସ ଲେଖକ ଚାର୍ସ ଡଫ ଏବଂ ଓଡ଼ିଶାର ଇତିହାସକାର ହଣ୍ଟରକୁ, ଇତିହାସ ରଚନା ମାଧ୍ୟମରେ ଭାରତରେ ଆଞ୍ଚଳିକତାବାଦକୁ ପ୍ରୋତ୍ସାହିତ କରିବା ଔପନିର୍ଦ୍ଦେଶକ ରୁଣ୍ଡ-କାର୍ଯ୍ୟସୂଚୀର ଶାସକୀୟ ଦଲାଲ ରୂପରେ ଆମେ ଗ୍ରହଣ କରିପାରିବ । ୧୬ । ପ୍ୟାରୀମୋହନଙ୍କ ‘ଓଡ଼ିଶା ଇତିହାସ’ ରଚନା ଉପନିବେଶବାଦ ସଂକ୍ରମଣର ଅମଳ ନା ଏକ ବ୍ୟତିକ୍ରମ, ତତ୍‍ସମ୍ବନ୍ଧରେ ଚର୍ଚ୍ଚା କରାଯାଇପାରେ ।

 

 

ମୁଁ ଆଲୋଚନାର ଆରମ୍ଭରେ କହିଛି–ଓଡ଼ିଶାର ଇତିହାସ ପ୍ରଥମେ ଇଂରେଜ, ପରେ ବଙ୍ଗାଳୀ ଓ ସବାଶେଷରେ ଓଡ଼ିଆଏ ଲେଖିଛନ୍ତି । ଏବଂ, ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ, ଓଡ଼ିଆମାନେ ପ୍ରଥମେ ଭାରତ ଇତିହାସ ଏବଂ ପରେ ଓଡ଼ିଶା ଇତିହାସ ଲେଖିଛନ୍ତି । ୧୭ । ପୁନଶ୍ଚ ସମକାଳୀନ ଓଡ଼ିଶା, ଅର୍ଥାତ୍ ଊନବିଂଶ ଶତାବ୍ଦୀର ଷଷ୍ଠ, ସପ୍ତମ, ଅଷ୍ଟମ ଦଶକର ଓଡ଼ିଶା କହିଲେ, ଏକ ଉପନିବେଶ ଭିତରେ ଆଉ ଏକ ଉପନିବେଶ । ଏହା ଇଂରେଜ ଶାସନାଧୀନ, ମାତ୍ର ପ୍ରଶାସନ, ଶିକ୍ଷା, ବାଣିଜ୍ୟ, ଶିଳ୍ପକ୍ଷେତ୍ରର ବହୁ ସଂଖ୍ୟକ ଅଧିକାରୀ ବଙ୍ଗାଳୀ ଓ ତେଲୁଗୁ । ସେହି ଅଧିକାରୀମାନେ କେଉଁ ବିଶେଷ ଉତ୍ସାହରେ ଆପଣା ରାଜ୍ୟର ସୀମା ପ୍ରସାରଣ ପ୍ରୟାସୀ ହୋଇଛନ୍ତି । ସେମାନଙ୍କର ଆଦର୍ଶ ହୋଇଛି, ଶାସିତ ଭୂମିର ବର୍ତ୍ତମାନକୁ ଅଧିକ ଦୁର୍ବଳ କରିବା ପାଇଁ ସେମାନଙ୍କ ଇତିହାସର ଅନ୍ଧାରିତ ଦିଗଗୁଡ଼ିକର ଆଲୋକ ଏବଂ ଆପଣାର ପ୍ରଶସ୍ତିଗାନ । ଉପନିବେଶବାଦର ଏହାକୁ ଅନ୍ୟତମ ଫଳଶ୍ରୁତି ଭାବରେ ଆମେ ଗ୍ରହଣ କରିପାରିବା । ତାହା ହୋଇ ନଥିଲେ ଉପନିବେଶବାଦ କବଳିତ ପରାଧୀନମାନେ ନିଜ ନିଜର କର୍ତ୍ତୃତ୍ଵ ବିସ୍ତାର ଉଦ୍ଦେଶ୍ୟରେ ଅନ୍ୟ ପରାଧୀନମାନଙ୍କର ସ୍ୱାତନ୍ତ୍ର୍ୟକୁ ଅସ୍ୱୀକାର ଓ କବଳିତ କରିବା ପାଇଁ ଆଦୌ ଅହଂ-ଅନ୍ଧକାରର ଅନୁଗତ ହୋଇ ନଥାନ୍ତେ । ମାତ୍ର ସେମାନଙ୍କର ଦୁର୍ଭାଗ୍ୟ, ଓଡ଼ିଆମାନେ ମଧ୍ୟ ଆପଣା ଇତିହର ସଂରଚନା ପ୍ରୟାସୀ ହୋଇଛନ୍ତି ଏବଂ ଇତିହାସକୁ ଭୂମି କରି ଭବିଷ୍ୟତର ଚିତ୍ର ଆଙ୍କିଛନ୍ତି ପ୍ୟାରୀମୋହନ, ଏକ ଜାତିର ଇତିହାସବୋଧର ଅନ୍ୟତମ ଜୀବନ୍ତ ପ୍ରତୀକ ।

 

ଆମେ ଜାଣୁ, ସମକାଳୀନ ବ୍ରିଟିସ ଇଣ୍ଡିଆର ରାଜଧାନୀ କଲିକତା, ବଙ୍ଗଦେଶାନ୍ତର୍ଗତ ଏବଂ ଓଡ଼ିଶାର ପଡ଼ୋଶୀ । ତେଣୁ ଇଂରେଜ ଶାସନର ସମସ୍ତ ସୁଫଳ ଓ କୁଫଳର ପ୍ରଥମ ଉପଭୋକ୍ତା ହିଁ ସେହିମାନେ । ଉପନିବେଶବାଦୀମାନେ ସେମାନଙ୍କର ଆବଶ୍ୟକତା ପୂରଣ ପାଇଁ ପ୍ରଶାସନ, ଶିକ୍ଷା, ବାଣିଜ୍ୟ, କୃଷି ଆଦି କ୍ଷେତ୍ରରେ ଯେଉଁ ନୂଆ ଯୋଜନାମାନ ପ୍ରଣୟନ କରିଛନ୍ତି, ସେହି ସମସ୍ତର କାର୍ଯ୍ୟକାରିତାର ବାହକ ହୋଇଛନ୍ତି ବଙ୍ଗାଳୀମାନେ । ସେମାନେ ଦେଶୀମାନଙ୍କ ଭାଷା ଶିଖିବାକୁ ଚାହିଁଛନ୍ତି ଏବଂ ଦେଶୀମାନଙ୍କୁ ସେମାନଙ୍କ ଭାଷା ଶିଖାଇବାକୁ ଚାହିଁଛନ୍ତି । ଏହି କାର୍ଯ୍ୟ ସଂପାଦନ ପାଇଁ ସେମାନଙ୍କ ଦେଶରୀତିରେ ବହି ଲେଖିଛନ୍ତି, ଲେଖାଇଛନ୍ତି ପାଠ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି; ସ୍କୁଲ ଖୋଲିଛନ୍ତି; ପଢ଼ାବହି ଛାପିଛନ୍ତି, ବହି ଛାପିବା ପାଇଁ ସୋସାଇଟି ବି ଗଢ଼ିଛନ୍ତି । ୧୭୯୩ ମସିହାରେ ଚାର୍ଲସ ଗ୍ରାଣ୍ଟ ଓ ରବର୍ଟ ଉଲବର ଫେର୍ସଙ୍କ ପରାମର୍ଶରେ କମ୍ପାନୀ ସରକାର ପ୍ରବର୍ତ୍ତିତ ଶିକ୍ଷାସନନ୍ଦ, ୧୮୧୩, ୧୮୨୩ ମସିହାରେ ନବୀକୃତ ହୋଇଛି । ସରକାର Committee of Public Instruction ଗଢ଼ଣ ମାଧ୍ୟମରେ ବିଭିନ୍ନ ଭାରତୀୟ ଭାଷାର ବହି ଛାପିବା ପାଇଁ ଅର୍ଥ ସାହାଯ୍ୟ ଯୋଗାଇ ଦେଇଛନ୍ତି । ୧୮ । ଇଂରେଜ ଶିକ୍ଷା ବ୍ୟବସ୍ଥା ଭାରତକୁ ଅବଶ୍ୟ ପଶ୍ଚିମାୟିତ କରିଛି । ଭାରତ ବଦଳିଛି, ତତ୍ ସଙ୍ଗେ ସଙ୍ଗେ ଏକ ନବ ଅଭିଜାତ ନୌକରସାହି ଗୋଷ୍ଠୀ ଜନ୍ମ ନେଇଛି । ଏବଂ, ସେହିମାନେ ହିଁ ଆଧୁନିକ ଭାରତର ସ୍ଵପ୍ନ ଓ ସମ୍ଭାବନାର ହୋଇଛନ୍ତି ବିଶ୍ଵକର୍ମା । ତେଣୁ ନିଜର ସ୍ଵପ୍ନମାନଙ୍କୁ ଗଣ୍ଠିଧନକରି ବଙ୍ଗାଳୀମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଖେଦିଯାଇଛନ୍ତି । ସେମାନଙ୍କୁ ନିରାପତ୍ତା ଦେଇଛି ଏକ ଅମିତ ପରାକ୍ରମଶାଳୀ ପ୍ରଶାସନ । ତେଣୁ ପ୍ରଶାସନ ପ୍ରଦତ୍ତ ସୁବିଧା ଓ ସୁଖକୁ ଭୋଗ କରିବା ପାଇଁ ସେମାନେ ସାମାନ୍ୟ ସୁଯୋଗର ହାତଛଡ଼ା କରିନାହାନ୍ତି । ଅନ୍ୟ ଭୂମିର ମଣିଷମାନଙ୍କୁ ସେମାନେ ନ୍ୟୁନ ଆଖିରେ ଦେଖିଛନ୍ତି । କର୍ତ୍ତୃତ୍ୱ ବିସ୍ତାରୀ ମାନସିକତା ସେମାନଙ୍କୁ ଏତେ ମାତ୍ରାରେ ରୁଗ୍ଣ କରିଦେଇଛି ଯେ, ଆପଣାର ପଡ଼ୋଶୀମାନଙ୍କ ଭାଷା, ସାହିତ୍ୟ, ଧର୍ମ, ସଂସ୍କୃତିକୁ ସେମାନେ ମଧ୍ୟ ଘୃଣା କରିଛନ୍ତି । ଏପରିକି, ସୁଦୂର ଅତୀତରେ, ସେମାନଙ୍କର ବର୍ତ୍ତମାନ-ଅଧ୍ୟୁଷିତ ବର୍ଷର ଭୂମି ଯେ ଏକଦା ଏହି ବର୍ବରମାନଙ୍କ ପୂର୍ବପୁରୁଷମାନଙ୍କର ଶାସନାଧୀନ ଥିଲା; ତେଣୁ ସେହି ନ୍ୟାୟରେ ସେମାନଙ୍କୁ ସୁଶିକ୍ଷିତ, ଭଦ୍ର ଓ ସଂସ୍କୃତିବନ୍ତ କରିବା ସେମାନଙ୍କ ପ୍ରଧାନ ଦାୟିତ୍ୱ ବୋଲି ଏକ ମହାଭ୍ରମ ବ୍ୟାଧିରେ ସଂକ୍ରମିତ ହୋଇଛନ୍ତି ।

 

ପଡ଼ୋଶୀ ବଙ୍ଗାଳୀମାନଙ୍କର ଓଡ଼ିଶା ସଂପର୍କରେ ଅନୁରୂପ ମାନସିକତାକୁ ଅମୂଳକ କୁହାଯାଇପାରେ । କାରଣ ସେମାନଙ୍କ ଅଧିକାରରେ ଓଡ଼ିଶାର ଅଧିକାଂଶ ଜମିଦାରୀ ଏବଂ ସରକାରୀ ଦପ୍ତର । ତେଣୁ ସେମାନେ ହିଁ ଏହି ଖଣ୍ଡର ଈଶ୍ୱର । ସେମାନଙ୍କ ପ୍ରଜାମାନଙ୍କ ପାଇଁ ବିଦ୍ୟାଳୟମାନ ଖୋଲାଯାଇଛି । ମାତ୍ର ସେଠାରେ ଅଧ୍ୟାୟୀମାନଙ୍କର ଅଭାବ । ସହରରେ ଖୋଲାଯାଇଥିବା ବିଦ୍ୟାଳୟ ଗୁଡ଼ିକରେ ଅଧିକ ସଂଖ୍ୟକ ଅଧ୍ୟାୟୀ ବଙ୍ଗାଳୀ । ତେଣୁ ବଙ୍ଗାଳୀଛାତ୍ରମାନଙ୍କ ପାଇଁ ପାଠ୍ୟପୁସ୍ତକ ବଙ୍ଗଳା ଭାଷାରେ ରଚିତ ହେବା ଆବଶ୍ୟକ । ପୁନଶ୍ଚ ଓଡ଼ିଆ ଭାଷାରେ ବହି ଖୋଜିଲାବେଳେ, ଏହାର ଘୋର ଅଭାବ ଦେଖାଯାଇଛି । ତେଣୁ ବଙ୍ଗଳା ବହିଗୁଡ଼ିକ ଓଡ଼ିଆ ଭାଷାରେ ଅନୁଦିତ ହୋଇଛନ୍ତି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଓଡ଼ିଶାର ବିଦ୍ୟାଳୟ ସମୂହରେ ବଙ୍ଗଳା ଭାଷା ଓ ସାହିତ୍ୟର ରାଜତ୍ୱ । ଓଡ଼ିଶା ନାମରେ କଥିତ ରାଜନୀତିକ ଆୟତନର ଏପରି ଏକ ଦୁଃସ୍ଥିତିରେ ଶିକ୍ଷିତ ବଙ୍ଗାଳୀମାନେ ବିଦେଶୀ ପ୍ରଶାସନ ପାଖରେ ଦାବି କରିଛନ୍ତି–ଓଡ଼ିଶାର ଉନ୍ନତି କରିବାକୁ ହେଲେ ଓଡ଼ିଶାର ବିଦ୍ୟାଳୟ ଓ ପ୍ରଶାସନିକ ଦପ୍ତରରେ ବଙ୍ଗଳା ଭାଷାରେ ପ୍ରବର୍ତ୍ତନ ଏବଂ ଜମି ଜମାର ଚିରସ୍ଥାୟୀ ବନ୍ଦୋବସ୍ତ ଏକାନ୍ତ ଆବଶ୍ୟକ । ଅର୍ଥାତ୍ ଚିରସ୍ଥାୟୀ ବନ୍ଦୋବସ୍ତ ମାଧ୍ୟମରେ ଓଡ଼ିଶାର ଭୂସଂପତ୍ତି ଓ ଭାଷା ମାଧ୍ୟମରେ ଓଡ଼ିଆ ଜାତିର ଅସ୍ମିତା ବିଲୋପନ ପାଇଁ ମସୁଧା କରିଛନ୍ତି । ରାଜେନ୍ଦ୍ର ଲାଲ ମିତ୍ରଙ୍କ ଡିବେଟିଂ କ୍ଲବର ‘ଉତ୍କଳ ଭାଷାର ଉନ୍ନତି’, ଉମାଚରଣ ହାଲଦାରଙ୍କ ‘ବଙ୍ଗଳା ଅକ୍ଷରରେ ଓଡ଼ିଆ ଲେଖିବାର ଦାବି ଏବଂ କାନ୍ତଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ‘ଉଡ଼ିୟା ସ୍ଵତନ୍ତ୍ର ଭାଷା ନହେ’ ବହି ଶିକ୍ଷିତ ବଙ୍ଗାଳୀମାନଙ୍କର ଓଡ଼ିଆ ଭାଷା ବିରୋଧୀ ମାନସିକତାର ଉଦାହରଣ । ୧୯ । କାଳୀପଦ ବନ୍ଦ୍ୟୋପାଧ୍ୟାୟଙ୍କ ଉଦ୍ୟମରେ ‘ଉତ୍କଳ ହିତୈଷିଣୀ’ (୧୮୬୯) ନାମକ ପତ୍ରିକା ବି ପ୍ରକାଶ ପାଇଛି । ମାତ୍ର ବଙ୍ଗାଳୀମାନଙ୍କର ଓଡ଼ିଆ ଭାଷା ପ୍ରତି ଘୃଣାଭାବ ଅମଳ ଦେଇନାହିଁ । କଲିକତାରୁ ନିୟନ୍ତ୍ରିତ ‘ସ୍କୁଲ ବୁକ୍ସ ସୋସାଇଟି’ର କାର୍ଯ୍ୟଧାରା ସଂପର୍କରେ ଓଡ଼ିଆମାନେ ସଚେତନ ହୋଇଛନ୍ତି । ୨୦ । ସରକାରଙ୍କ ସିଦ୍ଧାନ୍ତର ପ୍ରତିବାଦ ବି କରିଛନ୍ତି । ଏବଂ, ୧୮୭୩ ମସିହାରେ ଶ୍ରୀ ନନ୍ଦକିଶୋର ଦାସଙ୍କ ଶିକ୍ଷା ବିଭାଗର ଜଏଣ୍ଟ୍ ଇନିସ୍‌ପେକ୍ଟର ପଦରେ ଯୋଗଦାନ, କେମ୍ବେଲ, ରେଭେନ୍‌ସା, ଜନ୍ ବିମସ୍‍ଙ୍କ ହସ୍ତକ୍ଷେପ ଓ ଭାଷା ସଂକ୍ରାନ୍ତ ଚର୍ଚ୍ଚା ଓଡ଼ିଆ ଭାଷାକୁ ପଡ଼ୋଶୀ କର୍ତ୍ତୃତ୍ୱରୁ ମୁକ୍ତ କରିଛି । ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ‘ଓଡ଼ିଶା ଇତିହାସ’ ପଡ଼ୋଶୀଙ୍କ କର୍ତ୍ତୃତ୍ୱବିସ୍ତାରୀ ମାନସିକତାର ଏକ ପ୍ରତିବାଦ । ଏହାକୁ ସାଧାରଣ ପାଠ୍ୟପୁସ୍ତକ ପରିବର୍ତ୍ତେ ଓଡ଼ିଆଜାତିର ଭାଷା, ସାହିତ୍ୟ, ସାଂସ୍କୃତିକ ଓ ରାଜନୀତିକ ଐତିହ୍ୟର ଇସ୍ତାହାର ଭାବରେ ଗ୍ରହଣ କରିବା ଅଧିକ ସମୀଚୀନ ।

 

ପ୍ୟାରୀମୋହନଙ୍କ ଜୀବନ ସଂପର୍କରେ ଉପଲବ୍ଧ କେତେ ତଥ୍ୟକୁ ଭିତ୍ତିକରି ଅନେକ ସମୟରେ ଏକ ଧାରଣା ସୃଷ୍ଟି ହୁଏ ଯେ, ତାଙ୍କ ପୂର୍ବପୁରୁଷ ବଙ୍ଗାଳୀ ଥିବାରୁ ବଙ୍ଗଳା ଭାଷା ଓ ସଂସ୍କୃତ ପ୍ରତି ତାଙ୍କର ଦୁର୍ବଳତା ଥିଲା । ଏବଂ, ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟର ସେ ଥିଲେ ଜଣେ କଠୋର ସମାଲୋଚକ । ଏହି ଧାରଣାକୁ ସଂପୂର୍ଣ୍ଣ ଅସତ୍ୟ ବୋଲି ମୁଁ କହୁ ନାହିଁ । ମାତ୍ର ଓଡ଼ିଆ ଭାଷା ଓ ସାହିତ୍ୟ, ଓଡ଼ିଶାର ଐତିହ୍ୟ ପ୍ରତି ସେ କେତେମାତ୍ରାରେ ଅନୁରକ୍ତ ଥିଲେ ଏବଂ ତାଙ୍କ ଗଦ୍ୟଶୈଳୀକିପରି ସମକାଳୀନମାନଙ୍କ ଠାରୁ ସ୍ୱତନ୍ତ୍ର, ତାଙ୍କ ସଂପାଦିତ ‘ଉତ୍କଳ ପୁତ୍ର’ ପାକ୍ଷିକ ସମ୍ବାଦ ପତ୍ରରେ ପ୍ରକାଶିତ ନିମ୍ନୋକ୍ତ ତିନିଗୋଟି ଉଦ୍ଧୃତିକୁ ଏହାର ଉଦାହରଣ ଭାବରେ ଗ୍ରହଣ କରାଯାଇପାରେ ।

 

(କ) ଉତ୍କଳ ପୁତ୍ର/ପାକ୍ଷିକ ସମ୍ବାଦପତ୍ର (୧୬ ମେ ୧୮୭୩/ଭାଗ ୧/ସଂଖ୍ୟା ୩)

ବିଗତ ସପ୍ତାହରେ ଅମୃତ ବଜାର ପତ୍ରିକାର ‘ଉଡ଼ିଆ’ ଜାତି ଶିରୋନାମାରେ ଏକ ପ୍ରେରିତ ପତ୍ର ପାଠ କରି ଅତ୍ୟନ୍ତ ଚମତ୍କୃତ ହୋଇଅଛୁ । ପୁନର୍ବାର ଶ୍ରୀ ଦୀନନାଥ ବନ୍ଦ୍ୟୋପାଧ୍ୟାୟ ‘ବିଳିବିଳେଇ’ ଉଠିଅଛନ୍ତି ଯେ, ଉତ୍କଳୀୟ ବ୍ରାହ୍ମଣମାନେ ନିର୍ବାସିତ, ମହାନ୍ତିମାନେ ଅନାର୍ଯ୍ୟ ଓ ବିଗତ ମାର୍ଚ୍ଚ ମାସ ତା୨୨ ରିଖ ଦୀପିକା ପତ୍ରପ୍ରେରକ ସଂସ୍କୃତ ପୁରାଣାନାଭିଜ୍ଞ । ସେ ଯେ କାହିଁକି ଉତ୍କଳୀୟଙ୍କର ଆର୍ଯ୍ୟତ୍ୱ ଓ ଅନାର୍ଯ୍ୟତ୍ୱ ଘେନି ଏତେ ବ୍ୟସ୍ତ ହେଉଅଛନ୍ତି, ଆମ୍ଭେମାନେକିଛି ବୁଝିପାରୁନାହୁଁ । ଯଦ୍ୟପିକି ବାବୁ ମହାଶୟ ସ୍ୱୀୟ ‘ଭାଷାତତ୍ତ୍ୱ’ ଶାସ୍ତ୍ରର ପରିଚୟ ଦେବାକୁ ମନସ୍ଥ କରନ୍ତି, ତେବେ ତାଙ୍କର ଏ ଉଦ୍ୟମରେ ନିଶ୍ଚୟ ଯେ ମାନସ ସାଧିତ ହେବାର କଷ୍ଟସାଧ୍ୟ, ପୁଣି ଯଶଃ ଲାଭ ଇଚ୍ଛାଥିଲେ, ଏ ନିନ୍ଦନୀୟ ଉପାୟଦ୍ୱାରାକି ସେ ବାଞ୍ଛା ସଫଳ ହେବ ? ପ୍ରକୃତ ସତ୍ୟ ଜିଜ୍ଞାସୁ ହୋଇଥିଲେ ସେ ଭିନ୍ନ କଥା, କିନ୍ତୁ ଯେଉଁ ଅସମ୍ଭବ ଓ ବିପରୀତ ବ୍ୟାପ୍ତିରେ ଉପାଧ୍ୟାୟ ମହାଶୟ ଉପସ୍ଥିତ ହେଉଅଛନ୍ତି, ତାହା ଦ୍ଵାରା ତ ଏ ମହତ ବାସନାର ପରିଚୟ ମିଳୁନାହିଁ । ପୁନଶ୍ଚ ପାଠ କଲୁ ଉପସଂହାର ସ୍ଥଳେ ବାବୁ ସାହେ ଆଚାର୍ଯ୍ୟପଣିଆ ସୁଦ୍ଧା ପ୍ରକାଶ କରିଅଛନ୍ତି । ବାହାବା । ବାହାବା । ବାବୁଙ୍କର ଉକ୍ତ ବିଷୟରେ ମନର ସ୍ଥୈର୍ଯ୍ୟତା ଜାଣି ନ ପାରିଲା ଚାଁ, ଉପଯୁକ୍ତ ପ୍ରମାଣ ଦର୍ଶାଇ ବାବୁଙ୍କ ମତ ଖଣ୍ଡନ କରିବାର ସାହସ ମିଳିଲା ନାହିଁ ।

 

(ଖ) ଗଞ୍ଜାମ, ସମ୍ବଲପୁର, ଉତ୍କଳ ପୁସ୍ତକ ।

ବଙ୍ଗଳା ଉଠିଗଲା ଭଲ ହେଲା । ଭଲ ହେଲା ସତ, ମାତ୍ର ଓଡ଼ିୟାର ଭାବୀ ଉନ୍ନତି ଓ ସ୍ଥାୟିତ୍ଵ ସାଧନରେ ଯେ ଉପାୟ ଅବଲମ୍ବନ କରିବାର ଉଚିତ୍ (ଓ ସେ ଉପାୟରେ ଇଷ୍ଟ ସିଦ୍ଧି ହେବାର ସମ୍ଭାବନା) ତାହା ଯାହା ଗବର୍ଣ୍ଣମେଣ୍ଟ କରୁନାହାନ୍ତି, ଏଥିରେ ଆମ୍ଭେମାନେ ତାଙ୍କୁ ପ୍ରଶଂସା କରି ନପାରୁ । ବରଂ ନ କଲେ ଗବର୍ଣ୍ଣମେଣ୍ଟ ଦୋଷୀ ହେବେ । ଯେ ପୁରାତନ ପୁସ୍ତକମାନ ଅଛି ତହିଁର ଆମ୍ଭମାନଙ୍କର ଆସ୍ଥା ନାହିଁ । ଉପେନ୍ଦ୍ରଙ୍କ ଯମକ, ଅଭିମନ୍ୟୁଙ୍କ ରାସକ୍ରୀଡ଼ା, ଦୀନକୃଷ୍ଣଙ୍କ ଅନୁପ୍ରାସ ଆମ୍ଭମାନଙ୍କ ରୁଚିକୁ ଭଲ ଲାଗୁନାହିଁ । ବସ୍ତୁତଃ ଏପରି ରସାତ୍ମକ ପୁସ୍ତକମାନ ପାଠ୍ୟ ପୁସ୍ତକ କରି ସୁକୁମାର ମତି ବାଳକମାନଙ୍କ ହସ୍ତରେ ଦେବାକୁ ଆମ୍ଭମାନଙ୍କୁ ଲଜ୍ୟା ହେଉଅଛି । (ବର୍ତ୍ତମାନ ସରଳ ପଦ୍ୟ ଓ ପ୍ରଶସ୍ତ ଗଦ୍ୟ ପୁସ୍ତକ ନିତାନ୍ତ ଆବଶ୍ୟକ) I ଏମନ୍ତ ଅବସ୍ଥାରେ ଆମ୍ଭେମାନେ ଏମନ୍ତ କହିପାରୁ ଯେ କାହିଁକି ଓଡ଼ିଶାରେ ଭଲ ଭଲ ପାଠ୍ୟପୁସ୍ତକ ବାହାରୁ ନାହିଁ । ଆମ୍ଭେମାନେ ଏମନ୍ତ କହୁନାହୁଁ ଯେ, ଗବର୍ଣ୍ଣମେଣ୍ଟ ଓଡ଼ିଶାକୁ ବଡ଼ କରିଦିଅନ୍ତୁ ବା ସୁବିଧା ହେଲେ ଏକାବେଳକେ ବଡ଼ ବଡ଼ ଲେଖକ ବାହାରି ପଡ଼ିବେ । ତେବେ ଯେଉଁ ଯେଉଁ ଉପକରଣ ଇତଃସ୍ତତ ରହିଅଛି ସେ ସବୁକୁ ଏକତ୍ର କରି ଆଣିଲେ ଯେ ଏହି ଉତ୍କଳ ଖଣ୍ଡରେ ଏକ ସମୟରେ ବିଦ୍ୟାସାଗର ଓ ଅକ୍ଷୟ କୁମାରଙ୍କ ପରି ଲେଖକ ବାହାରିବେ ଏହା ଅସମ୍ଭବ ନୁହେଁ । ଯାହା ମନୁଷ୍ୟ କରିଅଛି, ତାହା ଅବଶ୍ୟ ମନୁଷ୍ୟ କରିପାରିବ । ଦିନକେ ନ ହେବ, ସହସ୍ର ଦିନେ ହେବ । ସହସ୍ର ଦିନେ ନହୁଏ, ସହସ୍ର ବର୍ଷରେ ହେବ । ଯତ୍ନକର ଅବଶ୍ୟ ହେବ ।

 

(ଗ)

ସମ୍ବଲପୁର ଓ ଗଞ୍ଜାମ ଯେବେ କଟକ ସହ ମିଶିଯାଏ ତେବେ ସମାଲୋଚିତ ଏ ଅଭାବ ଅବଶ୍ୟ ଦୂର ହୋଇଯିବ । ସମ୍ବଲପୁର, ଗଞ୍ଜାମ ଓଡ଼ିଶାର ଅଂଶମାତ୍ର ଓ ସେ ଦୁହିଁଙ୍କୁ ଧରିଲେ ଓଡ଼ିଶା ବଙ୍ଗଳାର ଅର୍ଦ୍ଧାଂଶରୁ ଅଧିକ ହେବ । କି ଭାଷା, କି ଆଚାର ବ୍ୟବହାର, କି ଧର୍ମ ସବୁ ବିଷୟରେ ଉକ୍ତ ଦୁଇଜିଲ୍ଲାର କଟକ ସଙ୍ଗେ ଯେତେ ଐକ୍ୟତା ପ୍ରାୟ ଅନ୍ୟ କାହାରି ସଙ୍ଗେ ନାହିଁ । ସମ୍ବଲପୁର ଅବସ୍ଥା ତହୁଁ ଶୋଚନୀୟ । ଯେଉଁ ଶିକ୍ଷିତମାନେ ଯାଇ ସେଠାରେ ରହିଲେ ଆପଣା ଯଶଃ ଲୋପ ଭୟରେ ହେଉ ଅଥବା ଅନ୍ୟ କୌଣସି କାରଣରୁ ହେଉ କଟକ ସଙ୍ଗେ ସମ୍ବଲପୁରର ଯେପରି ସଂପର୍କ ନ ରୁହେ, ତହିଁର ଚେଷ୍ଟା କରୁଅଛନ୍ତି । ୨୧ ।

 

ଓଡ଼ିଶା ସଂପର୍କରେ ତାଙ୍କ ଉପର୍ଯ୍ୟୁକ୍ତ ଦୃଷ୍ଟିଭଙ୍ଗୀ ହିଁ, ସମ୍ଭବତଃ ସମକାଳୀନ ବଙ୍ଗୀୟମାନଙ୍କୁ ପ୍ରଚୋଦିତ କରିଥିଲା ତାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଏବଂ କାଳୀପଦ ବାବୁଙ୍କ ଇତିହାସ ବହି ବିରୋଧରେ ସକଳ ପ୍ରକାରର ଅଭିଯୋଗ ଥିଲା ଏହାର ପରିପ୍ରକାଶ ।

 

- ଚାରି –

ବହିର ଭୂମିକାକୁ ଯଦି ସତ୍ୟ ବୋଲି ଆମେ ଗ୍ରହଣ କରିବା, ତା’ହେଲେ ‘ଓଡ଼ିଶାର ଇତିହାସ’ ଲେଖିଲା ବେଳକୁ (୧୮୭୫) ପ୍ୟାରୀମୋହନଙ୍କ ବୟସ ମାତ୍ର ପଚିଶ । ଜଣେ ତରୁଣର ଏହା ନିଶ୍ଚିତ ଭାବରେ ଦୁଃସାହସ । ଆତ୍ମପ୍ରତିଷ୍ଠାର ସ୍ଵପ୍ନ ଯେ ତାଙ୍କ ଭିତରେ କ୍ରିୟାଶୀଳ ଥିଲା, ଜୀବନରେ ‘ଅସମ୍ଭବ’ ଶବ୍ଦକୁ ସେ ଯେ ଗ୍ରହଣ କରିପାରୁ ନଥିଲେ, ତାଙ୍କ ଲିଖିତ ଏହି ବାକ୍ୟ ‘‘ଯାହା ମନୁଷ୍ୟ କରିଅଛି, ତାହା ଅବଶ୍ୟ ମନୁଷ୍ୟ କରିପାରିବ । ଦିନକେ ନ ହେବ, ସହସ୍ର ଦିନେ ହେବ, ସହସ୍ର ଦିନେ ନହୁଏ, ସହସ୍ର ବର୍ଷରେ ହେବ । ଯତ୍ନ କର ଅବଶ୍ୟ ହେବ ଏହାର ଉଦାହରଣ । ୨୨-। ଏହି ‘ଅବଶ୍ୟ ହେବ’ ଆତ୍ମବିଶ୍ୱାସର ପରିଣତି ‘‘ଓଡ଼ିଶାର ଇତିହାସ’’ ।

 

‘ଓଡ଼ିଶାର ଇତିହାସ’ ଲେଖିବା ପାଇଁ ପ୍ୟାରୀମୋହନ କେଉଁ କେଉଁ ଗ୍ରନ୍ଥ ଓ ନଥିପତ୍ରର ସାହାଯ୍ୟ ନେଇଥିଲେ, ଏହି ଆଲୋଚନାରେ ପୂର୍ବରୁ ସେ ସମସ୍ତର ସୂଚନା ଦେଇଛି । ମାତ୍ର ତାଙ୍କର ବିଶେଷତା, ସେ ପୂର୍ବ ଗବେଷକ ଓ ଇତିହାସକାରମାନଙ୍କ ମନ୍ତବ୍ୟକୁ ଅନେକ କ୍ଷେତ୍ରରେ ଗ୍ରହଣ ନକରି ନିଜସ୍ୱ ମତକୁ ଯୁକ୍ତିର ସହିତ ଉପସ୍ଥାପନ କରିଛନ୍ତି । ବହିର ପରିଯୋଜନା କାଳରେ ଆଠଗୋଟି ବିଭାଗ ଓ ଅଧ୍ୟାୟରେ ଏହା ଶେଷ କରିବେ ବୋଲି ମନସ୍ଥ କରିଛନ୍ତି ଏବଂ ପ୍ରଥମରୁ ଅଷ୍ଟମ ଅଧ୍ୟାୟ ପର୍ଯ୍ୟନ୍ତ ଯଥାକ୍ରମେ ଓଡ଼ିଶାର ଭୂଗୋଳ, ଓଡ଼ିଶାର ଆଦିମ ଇତିହାସ, କେଶରୀ ବଂଶୀୟ ରାଜାଗଣ, ଗଙ୍ଗବଂଶୀୟ ରାଜାଗଣ, ଓଡ଼ିଶାର ସ୍ଵାଧୀନତା ଲୋପ, ମୁସଲମାନ ଶାସନ, ମରହଟ୍ଟା ଶାସନ, ଇଂରାଜୀ ଶାସନ ବିଷୟରେ ଚର୍ଚ୍ଚା କରିଛନ୍ତି । ଛୋଟ ଉପସଂହାରଟି ଏ ଲେଖିଛନ୍ତି ଏବଂ ସେ ଯେ ‘ଇଷ୍ଟାବ୍ଲିସ୍‍ମେଣ୍ଟ ବିରୋଧୀ’, ‘ଏଙ୍ଗ୍ରିୟଂଗମ୍ୟାନ୍’ ଥିଲେ ଉପସଂହାରରେ ତାହା ସ୍ପଷ୍ଟ ହୋଇଯାଇଛି । ବହିର ଆଠଗୋଟି ଅଧ୍ୟାୟରେ, ପ୍ୟାରୀମୋହନଙ୍କ ଇତିହାସ ଚର୍ଚ୍ଚାର ମୌଳିକତା ସଂପର୍କରେ ସଂକ୍ଷେପରେ ଏତିକି କୁହାଯାଇପାରେ ଯେ, ପ୍ରଥମ ଅଧ୍ୟାୟରେ ସେ ଓଡ଼ିଶାର ଭୂଗୋଳ ବିଷୟରେ କହିଲାବେଳେ ଏହାର ରାଜନୀତିକ ସୀମା, କ୍ଷେତ୍ରଫଳ, ନଦ, ନଦୀ, ପାହାଡ଼, ପର୍ବତ, ଖଣିଜ ସମ୍ପଦ, ଜଳବାୟୁ, ଭୂତତ୍ତ୍ୱ ଓ ମଣିଷ ଏବଂ ଦ୍ୱିତୀୟ ଅଧ୍ୟାୟରେ ଏହାର ପ୍ରାଚୀନ ଇତିହାସ, ଅର୍ଥାତ୍ ଆଦିମ ଅଧିବାସୀମାନଙ୍କ ଜୀବନଯାତ୍ରାଠାରୁ ଆରମ୍ଭ କରି ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ରାଜନୀତି, ଧର୍ମ, ସମାଜ ବ୍ୟବସ୍ଥାର ଚିତ୍ର ଦେଇଛନ୍ତି । ଅତ୍ୟନ୍ତ ନିର୍ମୋହ ଭାବରେ ସେ କହିବାକୁ ଚାହିଁଛନ୍ତି ଯେ, ଖ୍ରୀ.ପୂ. ୨ୟ ଠାରୁ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ସ୍ପଷ୍ଟ ଇତିହାସ ମିଳେ ନାହିଁ । ମାଦଳାପାଞ୍ଜିକୁ କାଳ୍ପନିକ କହିବାକୁ ଦ୍ୱିଧା ମଣି ନାହାନ୍ତି । ଓଡ଼ିଶାର ଆଦିମ ମଣିଷମାନଙ୍କର କଥା କହିଲା ବେଳେ ସେ ପ୍ରାୟତଃ ରାଜେନ୍ଦ୍ର ଲାଲମିତ୍ରଙ୍କୁ ଗ୍ରହଣ କରିଛନ୍ତି, ମାତ୍ର କୌଣସି କାରଣରୁ ଶ୍ରୀ ମିତ୍ର ଯେଉଁ ଅପ୍ରୀତିକର ଓ ଅପମାନଜନକ ଶବ୍ଦଗୁଡ଼ିକ ଯଥା ବର୍ବର, ପାଲିଙ୍କି ବାହକ, ବେହେରା ଇତ୍ୟାଦି ଓଡ଼ିଆମାନଙ୍କ ପାଇଁ ପ୍ରୟୋଗ କରିଥିଲେ, ସେ ତାହା କରିନାହାନ୍ତି । ମାତ୍ର ଉଡ୍ରମାନେ ଅନାର୍ଯ୍ୟଗୋଷ୍ଠୀ ଅନ୍ତର୍ଗତ ଥିଲେ ବୋଲି ସ୍ପଷ୍ଟ ଶବ୍ଦରେ ଉଲ୍ଲେଖ କରିଛନ୍ତି ଏବଂ ଅନ୍ୟ ବିଦେଶୀ ଐତିହାସିକମାନଙ୍କ ପରି ଏଠି ବଞ୍ଚୁଥିବା ମଣିଷମାନଙ୍କ ଧର୍ମବିଶ୍ଵାସ, ସ୍ଥାପତ୍ୟ, ସଙ୍ଗୀତ, ନୃତ୍ୟ ପ୍ରତି ଅନୁରକ୍ତି, ସମର କୌଶଳ, ଦୁଃସାହସିକ ନୌଯାତ୍ରାର ଗାଥା ବର୍ଣ୍ଣନା କରିଛନ୍ତି ଏବଂ ଅନ୍ୟ ଐତିହାସିକମାନଙ୍କ ପରି ସେ ମଧ୍ୟ କହିଛନ୍ତି– ଏ ଭୂମିର ପ୍ରାଚୀନ ରାଜନୀତିକ ଇତିହାସ, ଧର୍ମବିଶ୍ଵାସ ଓ ଧର୍ମୀୟ ଗୋଷ୍ଠୀଗୁଡ଼ିକ ମଧ୍ୟରେ ସଂଘର୍ଷର ଇତିହାସ । ୨୩ ।

 

ଓଡ଼ିଶାର ପ୍ରାଚୀନ ଇତିହାସ ଚର୍ଚ୍ଚାର ଏକ ପ୍ରଧାନ ଚରିତ୍ର ରକ୍ତବାହୁ, ତାହାର ଓଡ଼ିଶା ଅଧିକାର ଏବଂ ଯାବା ଉପଦ୍ୱୀପରେ କଳିଙ୍ଗମାନଙ୍କର ଉପସ୍ଥିତି । ହଣ୍ଟର ଯାବାରେ ଉପନିବେଶ ପ୍ରତିଷ୍ଠାକାରୀମାନଙ୍କୁ ଆୟୋଜନୀୟ ଗ୍ରୀକ୍ ଓ ଯବନ ଶବ୍ଦରୁ ଯାଭାର ସୃଷ୍ଟି, ଗ୍ରୀକ୍‍ମାନଙ୍କ ଠାରୁ ଭାରତୀୟମାନେ ଶିଳ୍ପ କାର୍ଯ୍ୟ ଶିଖିଥିବା ମନ୍ତବ୍ୟକୁ ସେ ବିରୋଧ କରିଛନ୍ତି ଏବଂ ଗ୍ରୀକ୍ ଆଗମନ ପୂର୍ବରୁ ଭାରତୀୟମାନେ ସମୁଦ୍ରପୋତ ବ୍ୟବହାରରେ ନିପୁଣ ଥିଲେ ବୋଲି ତାମ୍ରଲିପ୍ତ, ଚିଲିକା, କଳିଙ୍ଗ ପତ୍ତନମ୍ ବନ୍ଦର ଗୁଡ଼ିକ ତାହାର ଉଦାହରଣ ବୋଲି ଯୁକ୍ତିର ସହ ପ୍ରମାଣ କରିଛନ୍ତି । ୨୪ ।

 

ରକ୍ତବାହୁକୁ ଗ୍ରୀକ୍ ଦେଶାଗତ ଯବନ, ସମୁଦ୍ର ପଥ ଦେଇ ଓଡ଼ିଶା ଆକ୍ରମଣ କରିଥିବା ପ୍ରସଙ୍ଗକୁ ଶ୍ରୀ ଆଚାର୍ଯ୍ୟ ବିରୋଧ କରି ଲେଖିଛନ୍ତି- ବିଶେଷତଃ ଗ୍ରୀକ୍‍ଙ୍କର ଅର୍ଣ୍ଣବପୋତରେ ଚଢ଼ି ଯୁଦ୍ଧ କରିବା ନିମନ୍ତେ ଭାରତବର୍ଷର ପୂର୍ବ ଅଞ୍ଚଳକୁ ଆସିଥିବାର ଅନୁମାନ ବିନା । ଅନ୍ୟ କୌଣସି ପ୍ରମାଣ ନଥିବା ପ୍ରତ୍ୟକ୍ଷେ, ଆମ୍ଭମାନଙ୍କର ଉପରୋକ୍ତ ଅନୁମାନ କି ଯେ ବଳବତ୍ତର ସତ୍ୟାଶ୍ରୟୀ ନ ହେବ, ଆମ୍ଭେମାନେ ବୁଝିପାରୁନାହୁଁ । (ଆଚାର୍ଯ୍ୟ ୨୦୦୧ / ପୃ ୫୨)

 

ଷ୍ଟର୍ଲିଂଙ୍କ ଦୃଷ୍ଟିରେ ରକ୍ତବାହୁ, Red-arm, ସେ କାଳର ଇରାନ, କାବୁଲ, ପାରସ୍ୟ, ଆଫଗାନିସ୍ଥାନ, ତାର୍ତ୍ତାର ଅର୍ଥାତ ମଧ୍ୟପ୍ରାଚ୍ୟର ଜଣେ ଦୁଃସାହସୀ, ଯିଏ ୧୪୬ ବର୍ଷ ଧରି ଓଡ଼ିଶାରେ ଶାସନ କରିଛି ଏବଂ ଯାହାଙ୍କ ବର୍ବୋରୋଚିତ ଆକ୍ରମଣର ପ୍ରତିବାଦରେ ଉତ୍ତ୍ୟକ୍ତ ସମୁଦ୍ର, ତାଙ୍କର ସମସ୍ତ ସୈନ୍ୟକୁ ବାତ୍ୟା ଓ ଉତ୍ତାଳ ତରଙ୍ଗରେ ହତ୍ୟା କରିଛନ୍ତି ଏବଂ ଜନ୍ମ ନେଇଛି ଚିଲିକା ହ୍ରଦ, ତାହାକିମ୍ବଦନ୍ତୀ ମାତ୍ର । ଏହି ଘଟଣାକୁ ସେ 'Fierce dispute between Brahma and Buddha' ଏବଂ ଚିଲିକା ସମ୍ଭବତଃ ସମକାଳୀନ ଏକ ପ୍ରାକୃତିକ ବିପର୍ଯ୍ୟୟର ପରିଣତି ବୋଲି କହିଛନ୍ତି । ଆଚାର୍ଯ୍ୟଙ୍କ ରକ୍ତବାହୁ, ହିନ୍ଦୁ ବିରୋଧୀ ବୌଦ୍ଧ ଗୋଷ୍ଠୀର ନେତୃତ୍ୱ ନେଉଥିବା ଅନ୍ୟତମ ଯବନ ବୋଲି କହିବା, ଷ୍ଟର୍ଲିଂଙ୍କ ବିଚାରର ପ୍ରତିଧ୍ୱନି ।

 

ଓଡ଼ିଶା ଇତିହାସର ତୃତୀୟରୁ ଅଷ୍ଟମ ଅଧ୍ୟାୟ ପର୍ଯ୍ୟନ୍ତ ବର୍ଣ୍ଣିତ ବୃତ୍ତାନ୍ତ, ପୂର୍ବ ଐତିହାସିକମାନଙ୍କ ଅନୁମାନ ଅନୁରୂପ ଏବଂ ସେଗୁଡ଼ିକ ମୁଖ୍ୟତଃ ମାଦଳାପାଞ୍ଜି ପ୍ରଦତ୍ତ ବିବରଣୀର ପ୍ରତିଛାୟା । ଗଙ୍ଗବଂଶ ଓ ସୂର୍ଯ୍ୟବଂଶ ଯେ ଦୁଇଟି ସ୍ୱତନ୍ତ୍ର ବଂଶ, ସେ ତାହା ଅନୁମାନ କରିପାରି ନାହାନ୍ତି, ଯଦିଚ ମାଦଳାପାଞ୍ଜିରେ ଏ ସଂପର୍କରେ ସୂଚନା ରହିଛି । ହଣ୍ଟରଙ୍କ ଇତିହାସରେ ଅଧ୍ୟାୟୀକରଣ ଆଧାରରେ ‘Orissa Under Foreign Governors’, ଅଧ୍ୟାୟକୁ ଓଡ଼ିଶାର ସ୍ଵାଧୀନତା ଲୋପ, ମୁସଲମାନ ଶାସନ, ମରହଟ୍ଟା ଶାସନ ଶୀର୍ଷକ ତିନିଗୋଟି ଭାଗରେ ବିଭକ୍ତ କରିଛନ୍ତି ଏବଂ The English Settlers and Governors of Orissa ଅଧ୍ୟାୟକୁ ଇଂରେଜ ଶାସନ ଶୀର୍ଷକରେ ଅଷ୍ଟମ ଅଧ୍ୟାୟରେ ଉଲ୍ଲେଖ କରିଛନ୍ତି । ଇଂରେଜମାନଙ୍କ ପରି ମରହଟ୍ଟା ଓ ମୁସଲମାନଙ୍କୁ ଲୁଣ୍ଠନକାରୀ, ଅତ୍ୟାଚାରୀ କହିଛନ୍ତି ଏବଂ ପ୍ରତ୍ୟେକ ରାଜବଂଶର ଶାସନକାଳରେ ଓଡ଼ିଶାର ଧର୍ମଜୀବନ, ମନ୍ଦିର ରଚତାକଳା, ଭାଷା ଓ ସାହିତ୍ୟ ସଂପର୍କରେ ଚର୍ଚ୍ଚା କରିବାକୁ ବିସ୍ମୃତ ହୋଇନାହାନ୍ତି । ଏକ ଜାତିର ଇତିହାସ ଯେ କେବଳ ତାହାର ରାଜନୀତିକ ଇତିହାସ ନୁହେଁ, ଅଧିକନ୍ତୁ ଭାଷା, ସଂସ୍କୃତି, ସମାଜ-ଜୀବନ, ସାହିତ୍ୟ, ଧର୍ମ ସହିତ ବହୁଭାବରେ ସୂତ୍ରାୟିତ, ତାହା ପ୍ରମାଣ କରିବା ତାଙ୍କର ଆଦର୍ଶ ହୋଇଛି ।

 

ଓଡ଼ିଆ ଭାଷାରେ ଲିଖିତ ଏହି ପ୍ରଥମ ଇତିହାସ ବହି, ଆଜି ପଢ଼ିଲାବେଳେ ମୋର ଯାହା ମନେହୁଏ, ଶ୍ରୀଯୁକ୍ତ ଆଚାର୍ଯ୍ୟ ଜଣେ ଶୁଦ୍ଧବାଦୀ ମାନସିକତାର ମଣିଷ ଥିଲେ । ତାହା ହୋଇନଥିଲେ, ଉତ୍କଳର ଯେଉଁ ସ୍ଥାପତ୍ୟକୁ ଦେଖି ସମଗ୍ର ବିଶ୍ୱ ଅଭିଭୂତ ଓ ପ୍ରଶଂସାମୁଖର; ତାହାର ସେ ପ୍ରଶଂସା କରିଥିଲେ ସୁଦ୍ଧା, ମୂର୍ତ୍ତିମାନଙ୍କର ନଗ୍ନତାକୁ ନିନ୍ଦା କରି ନଥାନ୍ତେ । ୨୫ । ପୁନଶ୍ଚ ଉପେନ୍ଦ୍ର, ଦୀନକୃଷ୍ଣ, ଅଭିମନ୍ୟୁ ଆଦି ମଧ୍ୟଯୁଗୀୟ କବିମାନଙ୍କ ପ୍ରତି ତାଙ୍କର ଏତେ ମାର୍ଜିତ ଦୃଷ୍ଟିଭଙ୍ଗୀ ନଥିଲା । ୨୬ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ବହିର କୌଣସି ଗୋଟିଏ ସ୍ଥାନରେ ସାରଳା ଦାସଙ୍କ ସଂପର୍କରେ ସେ ଉଲ୍ଲେଖ କରିନାହାନ୍ତି । ସମକାଳରେ, ସାରଳା ଦାସ ନାମକ ଜଣେ ସ୍ରଷ୍ଟା ଓଡ଼ିଆ ସାହିତ୍ୟର ଇତିହାସରେ ଯେ ବିସ୍ମୟ ବ୍ୟକ୍ତିତ୍ୱ, ସମ୍ଭବତଃ, ତାହା ଚର୍ଚ୍ଚିତ ହୋଇନାହିଁ ଏବଂ, ତଥ୍ୟର ଅଭାବ, ସୀମିତ ଅଧ୍ୟୟନ ଅଥବା ଅନ୍ୟ କୌଣସି କାରଣରୁ ହେଉ, ପ୍ୟାରୀମୋହନଙ୍କର କପିଳେନ୍ଦ୍ର ଦେବଙ୍କ କାଳରୁ ଓଡ଼ିଶାର ପରବର୍ତ୍ତୀ କାଳୀନ ଇତିହାସ ଚର୍ଚ୍ଚା, ପ୍ରାଚୀନ ଯୁଗପରି ଏତେ ମନନଶୀଳ ଓ ବ୍ୟାପକ ହୋଇନାହିଁ । ଇଂରେଜକାଳୀନ ଓଡ଼ିଶାର କଥା କହିଲାବେଳେ ପ୍ରଚୁର ଉପାଦାନ ଉପଲବ୍ଧ ସତ୍ତ୍ୱେ ସେ ସମ୍ଭବତଃ ଅନେକ କହିବାକୁ ଚାହିଁ, ସତେ ଯେପରି କହିପାରି ନାହାନ୍ତି । ଏବଂ, ଅତ୍ୟନ୍ତ ସାହସର ସହିତ, ଓଡ଼ିଶା ଇତିହାସର ଅନ୍ୟତମ ସଂଗ୍ରାମୀ ଭାବରେ ଚିତ୍ରିତ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ଇଂରେଜ ବିରୋଧୀ ଆହ୍ୱାନ ଯେ, ମୁଖ୍ୟତଃ ତାଙ୍କ ବ୍ୟକ୍ତିକ ଆର୍ଥିକ ସ୍ଵାଧୀନତା ଅପହରଣର ପ୍ରଧାନ କାରଣ ଥିଲା, ତାହା ଉଲ୍ଲେଖ କରିଛନ୍ତି । ୨୭ । ପାଇକ ବିଦ୍ରୋହ ପ୍ରତି ତାଙ୍କ ମନ୍ତବ୍ୟ, ଶ୍ରୀଯୁକ୍ତ ସୋମଙ୍କ ଇତିହାସ ପୁସ୍ତକର ପ୍ରତିଧ୍ୱନି ବୋଲି ମନେହୁଏ । ୨୮।

 

-ପାଞ୍ଚ-

ଏବେ ମୁଁ ଏହି ଆଲୋଚନାର ଆରମ୍ଭକୁ ଫେରିବି । ମୁଁ ଲେଖିଥିଲି, ‘ଓଡ଼ିଶାର ଇତିହାସ’ ପ୍ରକାଶନ ପରେ ପରେ କେତେକ ଓଡ଼ିଶାବାସୀ ବଙ୍ଗାଳୀ, ବହିରେ ପ୍ରଦତ୍ତ ଐତିହାସିକ ତଥ୍ୟ ଓ ଭାଷାକୁ କେନ୍ଦ୍ର କରି, ଏହା ଯେ ଜାତୀୟ– ବିଶ୍ୱାସ ଓ ଇଂରେଜ ପ୍ରଶାସନର ବିରୋଧୀ, ତେଣୁ ବିଦ୍ୟାଳୟର ପାଠ୍ୟପୁସ୍ତକ ରୂପେ ପ୍ରଚଳନ ଅନୁପଯୋଗୀ, ତତ୍‍ସଂକ୍ରାନ୍ତରେ ସରକାରଙ୍କ ପାଖରେ ଅଭିଯୋଗ କରିଥିଲେ, ଉଦ୍ଦେଶ୍ୟ ପୂରଣରେ ସଫଳ ହୋଇଥିଲେ ଏବଂ ଅଭିଯୋଗକାରୀ ଥିଲେ ଶ୍ରୀଯୁକ୍ତ କାଳୀପଦ ବନ୍ଦ୍ୟୋପାଧ୍ୟାୟ । ଏଠାରେ ସୂଚନା ଦେବା ଲାଗି ଉଚିତ୍ ମଣୁଛି ଯେ, ଶ୍ରୀଯୁକ୍ତ କାଳୀପଦବାବୁ, ୧୮୬୯ ମସିହାରେ ଡିବେଟିଂ କ୍ଲବ ଏବଂ ଉତ୍କଳ ହିତୈଷିଣୀ ପତ୍ରିକା ମାଧ୍ୟମରେ, ଓଡ଼ିଶାର ଉନ୍ନତି କରିବାକୁ ହେଲେ ବିଦ୍ୟାଳୟରୁ ଓଡ଼ିଆ ଭାଷା ଉଠାଇଦେବା ଓ ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ଲିପିରେ ଲେଖିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ତାଙ୍କ ସକଳ ଉଦ୍ୟମ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଥିଲା । ୨୯। ତେଣୁ ଓଡ଼ିଆ ଭାଷାରେ ଲିଖିତ ଏତେ ସୁସଂଯୋଜିତ, ତଥ୍ୟଗର୍ଭୀ ଓ ପାଣ୍ଡିତ୍ୟପୂର୍ଣ୍ଣ ଇତିହାସ ବହି ଦେଖି, ସେ ଚମକି ପଡ଼ିଛନ୍ତି । ପ୍ରତିକ୍ରିୟାଶୀଳ ହୋଇଛନ୍ତି ଏବଂ ଛିଦ୍ରାନ୍ୱେଷୀ ଆଖି ନେଇ ବହିର ମୂଲ୍ୟାୟନ କରିଛନ୍ତି । ବହି ବିରୋଧରେ ରହିଛି ତାଙ୍କର ଦୁଇଟି ଅଭିଯୋଗ । ପ୍ରଥମତଃ କଳାପାହାଡ଼ର ଓଡ଼ିଶା ଆକ୍ରମଣ ସମ୍ବନ୍ଧିତ । ଶ୍ରୀ ଆଚାର୍ଯ୍ୟଙ୍କ ଉକ୍ତି କଳାପାହାଡ଼ ‘ଜଗନ୍ନାଥ ଦେବଙ୍କୁ ହସ୍ତୀପିଠିରେ ଲଦି ଗଙ୍ଗାକୂଳକୁ ଘେନିଗଲେ ଏବଂ ଗଙ୍ଗା କୂଳରେ ଜଳୁଥିବା ଏକ ଚିତାବହ୍ନିରେ ଜଗନ୍ନାଥଙ୍କୁ ପୋଡ଼ି ଦେବା ପାଇଁ ନିକ୍ଷେପ କଲେ-। ଜଗନ୍ନାଥ ଦେବ ଚିତା ଅଗ୍ନିରେ ପୋଡ଼ି ନ ଯାଉଣୁ ବିଶର ମହାନ୍ତି ନାମକ ଏକ ବ୍ୟକ୍ତି ତାଙ୍କୁ ଓଟାରି ନେଲା ଓ ତାଙ୍କ ନାଭିସ୍ଥଳ ଉଦ୍ଧାର କରିନେଇ ଓଡ଼ିଶାକୁ ପ୍ରତ୍ୟାଗତ ହେଲା । (ଆଚାର୍ଯ୍ୟ ପୃ୧୧୫/୧୧୬) ଏବଂ ଓଡ଼ିଶାର ଦେଉଳମାନଙ୍କରେ ଆଜିକାଲି ଯେ ଅନେକ ଅର୍ଦ୍ଧଭଗ୍ନ ମୂର୍ତ୍ତି ଦୃଷ୍ଟିଗୋଚର ହୁଅଇ ସେମାନେ କଳାପାହାଡ଼ ଓ ତତ୍ ଧର୍ମାବଲମ୍ବୀମାନଙ୍କ ହସ୍ତର କୀର୍ତ୍ତି ବିଶେଷ । ଅଦ୍ୟାପି ସୁଦ୍ଧା ଲୋକେ କହନ୍ତି କଳାପାହାଡ଼ର ଗୋ ଚର୍ମ ନିର୍ମିତ ବାଦ୍ୟରେ ଦେବଦେବୀଙ୍କର ହସ୍ତପଦ ଖସିପଡ଼ିଅଛି । (ଆଚାର୍ଯ୍ୟ - ପୃ୧୨୧)

 

ଏବଂ ଦ୍ୱିତୀୟତଃ ଇଂରେଜମାନଙ୍କ ଶାସନ ପରିପ୍ରେକ୍ଷୀରେ ‘ବଞ୍ଚନା’ ଶବ୍ଦର ବ୍ୟବହାର, ଯାହା ‘ବଞ୍ଚିତ’ ହେବା ଆବଶ୍ୟକ । ମାତ୍ର ଏହି ଦୁଇ ବ୍ୟତୀତ ଅନ୍ୟ ବହୁ କାରଣ ଯେ ବଙ୍ଗାଳୀମାନଙ୍କର ପ୍ରତିକ୍ରିୟାଶୀଳତାର କାରଣ, ତତ୍ ସଂକ୍ରାନ୍ତରେ ଏଠାରେ ଆଲୋକପାତ କରାଯାଇପାରେ ।

 

ବହିର ଅନେକ ସ୍ଥଳରେ ଶ୍ରୀଯୁକ୍ତ ଆଚାର୍ଯ୍ୟ, ବଙ୍ଗଳାର ରାଜାମାନେ ବିଭିନ୍ନ ସମୟରେ ଉତ୍କଳ ରାଜାଙ୍କ ଆଶ୍ରିତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି । ଓଡ଼ିଶାର ପ୍ରାଚୀନ ଇତିହାସର ଚର୍ଚ୍ଚା କାଳରେ ସେ ଲେଖିଛନ୍ତି—

 

୧.

ମଗଧ ରାଜାଙ୍କ ନିର୍ଘଣ୍ଟରୁ ଜଣାଯାଏ ଯେ ଚନ୍ଦ୍ରବଂଶୀୟ ରାଜାମାନେ ବଙ୍ଗଦେଶରେ ସାମୟିକ ଅଧିକାର ପ୍ରାପ୍ତ ହୋଇଥିଲେ । ସମ୍ଭବତଃ ଖ୍ରୀଷ୍ଟୀୟ ଚତୁର୍ଥ/ପଞ୍ଚମ ଶତାବ୍ଦୀରେ ଚନ୍ଦ୍ରବଂଶୀୟ ରାଜାମାନେ ବଙ୍ଗଳାରେ ରାଜତ୍ଵ କରୁଥିଲେ । ଲିଖିତ ଅଛି ଭୃଷଚନ୍ଦ୍ର ନାମକ ଜନୈକ ରାଜା ବଙ୍ଗଦେଶରେ ହୀନବଳ ହୋଇଉଠିଲାରୁ ଜାଲେରୁହ ନାମକ ଓଡ଼ିଶାର ଜଣେ ରାଜା ତାଙ୍କ ରାଜ୍ୟର ପୂର୍ବଭାଗରୁ ଅଧିକାଂଶ ସ୍ଵାଧୀକାରଭୁକ୍ତ କରିଥିଲେ । କର୍ମଚନ୍ଦ୍ର ନାମକ ଅନ୍ୟ ଏକ ବଂଶୀୟ ରାଜା ଓଡ଼ିଶାର ଅନ୍ୟ ଏକ ନୃପତ୍ତିଙ୍କ ଅଧୀନସ୍ଥ ହୋଇଥିଲେ । (ଆଚାର୍ଯ୍ୟ ୧୬୩)

 

୨.

ବଙ୍ଗଦେଶର ସ୍ପେନ୍‍ବଂଶୀୟ ଆଦି ରାଜା ରୂପସେନ୍ ବା ଆଦିଶ୍ୱର ଯେକି ୯୬୪ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ବଙ୍ଗ ଦେଶରେ ଶାସ୍ତ୍ରଜ୍ଞ ଓ ବେଦବେଦାଙ୍ଗ କୁଶଳ ବ୍ରାହ୍ମଣମାନଙ୍କର ଅଭାବ ଦେଖି ପ୍ରଥମେ ଓଡ଼ିଶାରୁ ବୈଦିକ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ଘେନିଗଲେ । ଓଡ଼ିଶା ବ୍ରାହ୍ମଣମାନେ ବଙ୍ଗଦେଶରେ ଉପନିବେଶ ସଂସ୍ଥାପନ କରି ରହିଲେ । ଅଦ୍ୟପି ଉତ୍କଳ ବ୍ରାହ୍ମଣଙ୍କର ସନ୍ତାନ ସନ୍ତତି ବଙ୍ଗ ଦେଶରେ ବାସ କରୁଅଛନ୍ତି । (ଆଚାର୍ଯ୍ୟ:୬୯)

 

୩.

ରାଜେଶ୍ଵର ଦେବଙ୍କ ଶାସନକାଳରେ ବଙ୍ଗଦେଶର ସେନବଂଶୀୟ ଶେଷ ହିନ୍ଦୁ ରାଜା ଲାକ୍ଷ୍ମଣେୟ ମୁସଲମାନମାନଙ୍କ ଆକ୍ରମଣ ଭୟରେ ପଳାଇ ଆସି ଜଗନ୍ନାଥ ମନ୍ଦିରରେ ଆଶ୍ରୟ ଗ୍ରହଣ କରି ଅବଶିଷ୍ଟ କାଳ ସେଠାରେ କଟାଇଥିବାର ମୁସଲମାନ ଇତିହାସବେତ୍ତାଏ ଲେଖିଅଛନ୍ତି । (ଆଚାର୍ଯ୍ୟ: ପୃ୮୭)

 

୪.

ବର୍ତ୍ତମାନ ଓଡ଼ିଶାରେ ଉପନିବେଶୀ ବଙ୍ଗାଳୀଙ୍କ ସଂଖ୍ୟା ନିତାନ୍ତ ଅଳ୍ପ ନୁହେଁ । ପ୍ରାୟ ଲକ୍ଷାଧିକ ହେବ । ଗଙ୍ଗବଂଶୀୟ ରାଜାଙ୍କ ସମୟରେ ଓଡ଼ିଶାକୁ ସେମାନଙ୍କର ଆଗମନର କାରଣ ହୋଇଥିଲା । ସ୍ଵୟଂ ବଙ୍ଗଳାର ଶେଷରାଜା ୧୨୦୩ ମସିହାରେ ଓଡ଼ିଶାକୁ ପଳାଇ ଆସିଥିଲେ । ପୁରୀ ଜଗନ୍ନାଥ ଦେବ ମଧ୍ୟ ଅନେକ ବଙ୍ଗାଳୀକୁ ଓଡ଼ିଶାକୁ ଆସିବା ନିମନ୍ତେ ପ୍ରଲୁବ୍ଧ କରିଥିଲେ । (ଆଚାର୍ଯ୍ୟ:ପୃ୧୦୯).

 

୫.

ଗଙ୍ଗ ବଂଶୀୟ ରାଜାଙ୍କ ସମୟରେ ଓଡ଼ିଶା ବାସୀଏ ଯେ କେତେ ଶକ୍ତିଶାଳୀ ଥିଲେ, ଏକଥା କହିବା ବାହୁଲ୍ୟ । ସେମାନେ ବାହୁ ବଳରେ ତ୍ରିବେଣୀଠାରୁ ଗୋଦାବରୀ ପର୍ଯ୍ୟନ୍ତ ଓ ଅନେକଥର ଶିକ୍ଷିତ ମୁସଲମାନ ସେନାଙ୍କୁ ଅବଲୀଳା କ୍ରମେ ପରାଭବ କରିଥିଲେ । (ଆଚାର୍ଯ୍ୟ : ପୃ ୧୧୧) ।

 

୬.

ମୁସଲମାନମାନଙ୍କ ନିକଟରେ ଚାକିରି କରିବା ଯୋଗୁଁ କେତେକ ଖୋରଟା ଓ ବଙ୍ଗାଳୀ । ମୁସଲମାନମାନଙ୍କ ସମୟରେ ମଧ୍ୟ ଓଡ଼ିଶାକୁ ଆସିଥିଲେ । କେବଳ ଯେ ବଂଗ ଦେଶୀୟ ବ୍ରାହ୍ମଣ ଓ କାୟସ୍ଥ ଏ ଦେଶକୁ ଆସି ଉପନିବେଶ ସ୍ଥାପନ କରିଛନ୍ତି ଏମନ୍ତ ନୁହେଁ, ବଙ୍ଗଦେଶୀୟ ଚଷା, ତୁମ୍ବୁକୀ, ଭଣ୍ଡାରୀ ଓ ଅନ୍ୟାନ୍ୟ କୌଣସି କୌଣସି ହିନ୍ଦୁ ସମାଜର ନୀଚ ଜାତି ସୁଦ୍ଧା ଓଡ଼ିଶାକୁ ଆସି ବସବାସ ସଂସ୍ଥାପନ କରିଛନ୍ତି । (ଆଚାର୍ଯ୍ୟ ପୃ୧୩୯)

 

ଓଡ଼ିଶାର ଭାଷା, ସାହିତ୍ୟର ପ୍ରାଚୀନତା, ଉନ୍ନତ ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ବ୍ୟବସ୍ଥାର ଇତିହାସ ଆଧୁନିକ ବଙ୍ଗୀୟମାନଙ୍କ ଅଭିଜାତବୋଧକୁ ସତେ ଯେପରି ଭାରି ଆଘାତ ଦେଇଛି । ସେମାନେ ପ୍ରତିବାଦ କରିଛନ୍ତି ଏବଂ ଫେରାଦ ହୋଇଛନ୍ତି ପ୍ରଭୁଙ୍କ ଦପ୍ତରରେ । ଓଡ଼ିଆମାନେ ଯେ ଇଂରେଜ ଶାସନ ବିରୋଧୀ, ପ୍ୟାରୀମୋହନଙ୍କ ବହିରୁ ସେମାନେ ବହୁ ଉଦାହରଣ ପାଇଛନ୍ତି । ନିମ୍ନୋକ୍ତ ଉଦ୍ଧୃତିଗୁଡ଼ିକରୁ ଲେଖକଙ୍କ ମାନସିକତାର ଆକଳନ କରାଯାଇପାରେ ।

 

୧.

ଭାରତବର୍ଷକୁ ଇଂରେଜମାନେ ପ୍ରଥମେ ବାଣିଜ୍ୟ କରିବା ପାଇଁ ଆଗମନ କରି ସେମାନଙ୍କର ବାହୁବଳ ଓ କୌଶଳଦ୍ୱାରା ଅବଶେଷରେ ସେହି ଭାରତବର୍ଷକୁ ଅଧିକୃତ ରାଜ୍ୟରେ ପରିବର୍ତ୍ତିତ କଲେ । (ଆଚାର୍ଯ୍ୟ : ପୃ୧୫୧)

 

୨.

କଟକ ସ୍କୁଲ ୧୮୬୮ ମସିହାରେ ହାଇସ୍କୁଲ ରୂପେ ପରିବର୍ତ୍ତିତ ହୋଇ ବର୍ତ୍ତମାନ କଲେଜରେ ପରିଣତ ହୋଇଅଛି । ମାତ୍ର ଯେଉଁ ପ୍ରକାର କଲେଜ ଏଠାରେ ହୋଇଅଛି, ସେପରି କଲେଜ ବାଞ୍ଛନୀୟ ନୁହଇ । ଏପରି ହେବା ଅପେକ୍ଷା ବରଂ ନୋହିଥିବାର ଶୁଭଙ୍କର ଥିଲା । (ପୃ ୧୭୧)

 

୩.

ଓଡ଼ିଶାରେ ଚାଷର ବିଶେଷ ଉନ୍ନତି ହୋଇନାହିଁ । (ଆଚାର୍ଯ୍ୟ : ପୃ୧୭୩)

 

୪.

ଉଚ୍ଚ ଇଂରାଜୀ ଶିକ୍ଷାର ବହୁଳ ପ୍ରସାର ଓଡ଼ିଶାରେ ହୋଇନାହିଁ ସତ୍ୟ, କିନ୍ତୁ ସେଥିକି କହିବାର ଅଛି ଯେ, ଇଂରାଜୀ ଉଚ୍ଚ ଶିକ୍ଷା ଓଡ଼ିଶାବାସୀଙ୍କି ଦେବା ସକାଶେ ଇଂରେଜଙ୍କର କୌଣସି ବିଶେଷ ଚେଷ୍ଟା ହୋଇନାହିଁ । (ଆଚାର୍ଯ୍ୟ : ପୃ୧୭୩)

 

୫.

ନାଳ ଖୋଳା, ନଦୀବନ୍ଧ, ରାସ୍ତା ତିଆରି ସଂପର୍କରେ ମନ୍ତବ୍ୟ– ଇଂରାଜୀ ଗବର୍ଣ୍ଣମେଣ୍ଟଙ୍କର ଏ ସମସ୍ତ ସାଧାରଣ କାର୍ଯ୍ୟକୁ ଆମ୍ଭେମାନେ ଯେମନ୍ତ ପ୍ରଶଂସା କରୁ ସେହିସବୁ କାର୍ଯ୍ୟମାନ ଚଳାଇବା ସକାଶେ ଦୁଃଖୀ ଭାରତବାସୀଙ୍କ ଅର୍ଥର ଯଥେଚ୍ଛା ଅପବ୍ୟୟ କରିବା ବିଷୟକୁ ମଧ୍ୟ ଅତ୍ୟନ୍ତ ଦୂଷଣୀୟ ଓ ଗର୍ହିତ ବୋଲି ବିବେଚନା କରୁ । ପୁନଶ୍ଚ ଏହି ସାଧାରଣ କାର୍ଯ୍ୟ ମଧ୍ୟରୁ କେତେକ କାର୍ଯ୍ୟ ସକାଶେ ଏ ଦେଶମାନଙ୍କରୁ କେଉଁ କର ଗୃହୀତ ହେବାର ବିଧି ହୋଇଅଛି ସେଥିଦ୍ୱାରା ଦୁଃଖୀ ଲୋକଙ୍କ ଚକ୍ଷୁରୁ ପ୍ରତ୍ୟହ ଯେଉଁ ଅଶ୍ରୁବାରି ବହିର୍ଗତ ହେଉଅଛି । ଦରିଦ୍ରଙ୍କ ହୃଦୟରୁ ଯେଉଁ ହା ହା ଧ୍ୱନି ଉଠୁଅଛି ସେ ସମସ୍ତ ଚିନ୍ତା କଲେ ଉକ୍ତ ସାଧାରଣ କାର୍ଯ୍ୟଚୟର ମହାତ୍ମ୍ୟ ଏକାବେଳକ ଲୋପମାନ ହୁଅନ୍ତା । (ଆଚାର୍ଯ୍ୟ : ପୃ ୧୭୫/୧୭୬)

 

୬.

କେବଳ ଗୋଟି କେତେ ଅଲାଭ ଏହି ଯେ, ଇଂରାଜ ଗବର୍ଣ୍ଣମେଣ୍ଟ ଆମ୍ଭମାନଙ୍କୁ ଅବିଶ୍ଵାସ କରୁଅଛନ୍ତି । ଯେ ପ୍ରକାର କରଭାରଦ୍ୱାରା ପ୍ରଜାମାନଙ୍କୁ ଜର୍ଜରିତ କରିଅଛନ୍ତି ଏବଂ ଆମ୍ଭମାନଙ୍କୁ ସେମାନଙ୍କ ଶାସନ ପ୍ରଣାଳୀରେ ଭାଗୀ କରୁନାହାନ୍ତି । ମୁସଲମାନ ଓ ମରହଟ୍ଟାମାନେ ଅନ୍ୟ ପ୍ରକାରେ ଅତ୍ୟାଚାର କରୁଥିଲେ ସୁଦ୍ଧା ଦେଶୀୟ ଲୋକଙ୍କୁ ଶାସନରେ ଭାଗ ଦେଇଥିଲେ । ଦେଶୀୟ ଲୋକଙ୍କୁ ବୃହତ୍ତ ବୃହତ୍ତ ଅଞ୍ଚଳର ଶାସନକର୍ତ୍ତା ମଧ୍ୟ ସୈନ୍ୟମାନଙ୍କର ଅଧିନାୟକତ୍ୱରେ ବରଣ କରୁଥିଲେ । (ଆଚାର୍ଯ୍ୟ : ପୃ ୧୭୯)

 

୭.

ସଂକ୍ଷେପତଃ ଚାରିଆଡ଼କୁ ଅନାଇଲେ ବର୍ତ୍ତମାନ କେବଳ ଆଶାର ଚିହ୍ନ ଦେଖାଯାଏ । ସମସ୍ତ ଭାରତବାସୀଏ ଏକ ଜାତିତ୍ୱ ଲାଭ କରିବେ, ଏହା ସ୍ୱପ୍ନର କଥା ନୁହେଁ ।

 

ଉପର୍ଯ୍ୟୁକ୍ତ ବାକ୍ୟଗୁଡ଼ିକୁ ପଢ଼ିଲାବେଳେ ଯେକୌଣସି ପାଠକ ନିଶ୍ଚିତ ଭାବରେ ଅଟକି ଯିବ । ଭିତରେ ସେ ଅନୁଭବ କରିବ ନିଜର ଏବଂ ନିଜ ଜାତିର ଅସ୍ମିତାକୁ ଅନୁଭବ କରିଥିବା ଏବଂ ନିଜକୁ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଜଣେ ବିପ୍ଲବୀର ତେଜକୁ । ‘ସମଗ୍ର ଭାରତବାସୀ ଦିନେ ଏକ ଜାତିତ୍ଵଲାଭ କରିବେ’, ଏହା କଦାଚ ଜଣେ ସାଧାରଣ ମଣିଷର ଉକ୍ତି ହୋଇ ନପାରେ । ମାତ୍ର ଏକଥା ଆଦୌ ଗ୍ରହଣୀୟ ନୁହେଁ ଯେ, ପ୍ୟାରୀମୋହନ ଇଂରେଜମାନଙ୍କର ଜଣେ ସଚ୍ଚା ନିନ୍ଦୁକ । ସେ ବିଦେଶୀମାନଙ୍କର କମ୍ ପ୍ରଶଂସା କରିନାହାନ୍ତି ।

 

ସେମାନେ ଯେ ଭାରତକୁ ନୂଆ ଆଖି ଦେଇଛନ୍ତି, ପୃଥିବୀକୁ ଦେଖିବାର ସୁଯୋଗ ସୃଷ୍ଟି କରିଛନ୍ତି, ଧର୍ମ ଓ ଦେଶାଚାର ନାମରେ ଶହଶହ ବର୍ଷ ଧରି ମଣିଷକୁ ଜଡ଼ ଓ ବିବେକହୀନ କରି ରଖିଥିଲେ xxx ଯାବତୀୟ ଅନ୍ଧବିଶ୍ୱାସର ପରିଶୋଧନର କାରଣ ହୋଇଛନ୍ତି ଏବଂ ଶିକ୍ଷା, ଗମନାଗମନ, ବାଣିଜ୍ୟ, ପରିବହନ, ଶିଳ୍ପ, କୃଷି ଆଦି ନାନା କ୍ଷେତ୍ରରେ ନୂଆ ଆୟାମମାନ ଦେଇଛନ୍ତି, ଏକଥା ବି କହିଛନ୍ତି । ମାତ୍ର କାଳୀପଦ ବାବୁ ଏବଂ ତାଙ୍କ ସଙ୍ଗୀମାନଙ୍କୁ ପ୍ୟାରୀମୋହନଙ୍କ ସ୍ପଷ୍ଟୋକ୍ତି ଆଶ୍ଚର୍ଯ୍ୟ କରିଚି ଏବଂ ସଂକୀର୍ଣ୍ଣ ଭାବନେଇ, ସ୍ଵାର୍ଥ ହାସଲ ପାଇଁ ତାଙ୍କ ବିରୋଧରେ ମୁନିବ ପାଖରେ ଫେରାଦ୍ ହୋଇଛନ୍ତି ଏବଂ ଫଳ ବି ପାଇଛନ୍ତି । ଏବଂ, ଆଶ୍ଚର୍ଯ୍ୟ କଥା ଏହିକି ଯେ, ଆପଣାର ଭିତ୍ତିରି ଉଦ୍ଦେଶ୍ୟକୁ ଗୋପନୀୟ ରଖିବା ପାଇଁ, ସେମାନେ ବହିରେ ବର୍ଣ୍ଣିତ ‘କଳାପାହାଡ଼' ଓ ‘ଜଗନ୍ନାଥ’ ପରି ଏକ ସମ୍ବେଦନଶୀଳ ଧର୍ମ ପ୍ରସଙ୍ଗର ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ।

 

ପ୍ୟାରୀମୋହନଙ୍କ ‘କଳାପାହାଡ଼' ଓ ‘ଜଗନ୍ନାଥ କୈନ୍ଦ୍ରିକ’ ଘଟଣାର ବର୍ଣ୍ଣନା ଏତେ ମାମୁଲି ଯେ, ତାହା ଯେ ଆଲୋଚନାର ଏକ ପ୍ରସଙ୍ଗ ହୋଇପାରେ, ଏକଥା ଆଜି କୌଣସି ସଚେତନ୍ ପାଠକ ସହଜରେ ବିଶ୍ଵାସ କରିପାରିବ ନାହିଁ । ଓଡ଼ିଶାର ଇତିହାସ ଲେଖୁଥିବା ପ୍ରତ୍ୟେକ ଦେଶୀ ଓ ବିଦେଶୀ ବିଦ୍ୱାନ ସେହି ଘଟଣାକୁ ସେମାନଙ୍କ ଦୃଷ୍ଟିରେ ବିଚାର କରିଛନ୍ତି । ୩୦ । ଅତି କଥନ ଭିତରେ ସତ୍ୟକୁ ଖୋଜିଛନ୍ତି । କାରଣ କଳାପାହାଡ଼ ନାମକ ଜଣେ ପ୍ରତିକ୍ରିୟାଶୀଳ ଓ ଯବନାୟିତ ହିନ୍ଦୁର ଆଚରଣ ଓଡ଼ିଆମାନଙ୍କୁ ମାନସିକ ସ୍ତରରେ ସେତିକି ଆଘାତ ଦେଇ ନଥିଲେ, ସେ ଆଦୌ ଜଣେ କିମ୍ବଦନ୍ତୀର ନାୟକ, ଏପରିକି କେବଳ ମାଦଳାପାଞ୍ଜି ନୁହେଁ, ହିନ୍ଦୁମାନଙ୍କର ବାର୍ଷିକ ପାଞ୍ଜିର ଘୃଣିତ ଚରିତ୍ର ହୋଇ ନଥାନ୍ତା । ପ୍ୟାରୀମୋହନ ସେହି କିମ୍ବଦନ୍ତୀର ବର୍ଣ୍ଣନା କରୁ କରୁ ହଣ୍ଟରଙ୍କ Blazing Pile of wood କୁ ଚିତାଅଗ୍ନି ଶବ୍ଦରେ ଅନୁବାଦ କରିଦେଇଛନ୍ତି ଏବଂ ଶବ ପୋଡ଼ି ହେଉଥିବା ନିଆଁକୁ ଯେ ଚିତାବହ୍ନି କୁହାଯାଏ, ସେ ଜାଣି ପାରି ନାହାନ୍ତି । କାଳୀପଦ ବହି ଖଣ୍ଡିକ ପଢ଼ିସାରିବା ପରେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି । ବହିକୁ ବଦନାମ୍ କରିବେ ବୋଲି ଏବଂ ଲେଖକଙ୍କ ଉପରେ ବଦ୍‌ଲା ନେବା ପାଇଁ ଦୃଢ଼ ପ୍ରତିଜ୍ଞ ହୋଇ ସେ ଉଭୟ ଜଗନ୍ନାଥ ଓ ଇଂରେଜ ଦ୍ରୋହୀ ବୋଲି ପ୍ରଚାର କରିଛନ୍ତି । ପ୍ୟାରୀମୋହନ କିନ୍ତୁ ପରେ, ନିଜ ଭୁଲ ବୁଝିଛନ୍ତି, ବହିର ‘ଅଶୁଦ୍ଧି ସଂଶୋଧନ’ ପୃଷ୍ଠାରେ ‘ଚିତାଶବ୍ଦ’ ଉଠାଇ ନେଇ ପଢ଼ିବାକୁ ପାଠକମାନଙ୍କୁ ଅନୁରୋଧ କରିଛନ୍ତି । ୩୧ । ମାତ୍ର କାଳୀପଦବାବୁ ଏବଂ ତାଙ୍କ ଅନ୍ୟ ବନ୍ଧୁମାନେ ଆପଣା ଜାତିର ଯେଉଁ ପରିଚୟ ପ୍ରତିବାଦପତ୍ର ମାଧ୍ୟମରେ ଲେଖି ଦେଇଗଲେ, (ଖଣ୍ଡେ ଭଲ ଇତିହାସ ବହିକୁ ଆଧାର କରି) ଓଡ଼ିଶାର ଇତିହାସରେ ଆଜି ବି ସେମାନଙ୍କ ସ୍ୱରୂପ ସଂପର୍କରେ ଆମକୁ ସଚେତନ କରି ଦେଉଛି । ୩୨ ।

 

ଶେଷରେ ପ୍ୟାରୀମୋହନଙ୍କ ‘ଓଡ଼ିଶାର ଇତିହାସ’ ସଂପର୍କରେ ଏତିକି କୁହାଯାଇପାରେ ଯେ, ଏହା ଜଣେ ଅଣଓଡ଼ିଆଦ୍ୱାରା ଲିଖିତ ଓଡ଼ିଆ ଜାତିର କେବଳ ପଛଦିନର ଗାଥା ନୁହେଁ; ଏକ ଜାତିର ଅତୀତର ଗୌରବାବହ ସୁଦିନ ଓ ନିନ୍ଦନୀୟ ଦୁର୍ଦ୍ଦିନ, ଉଭୟର ମୋହଯୁକ୍ତ ଚିତ୍ର ମାଧ୍ୟମରେ ତାହାର ଅସ୍ମିତାର ଅନ୍ୱେଷଣ ଓ ଭବିଷ୍ୟତର ଗଢ଼ଣ ପାଇଁ ଏକ ଆହ୍ୱାନ । ଏ ବହି ସେଦିନ ନିଶ୍ଚିତ ଭାବରେ ଇଂରେଜମାନଙ୍କୁ ସଂକେତ ଦେଇଥିବ ଯେ, ଭାଷା, ଧର୍ମ, ସାହିତ୍ୟକୁ ଆଳ କରି ବୟସ୍କ ଭାରତୀୟମାନେ ପରସ୍ପର ସହିତ ଝଗଡ଼ୁ ଥିଲେ ସୁଦ୍ଧା, କୋଉଠି ନ କୋଉଠି ତରୁଣମାନେ ବୃହତ୍ତର ଭାରତ ଗଢ଼ିବାର ସ୍ଵପ୍ନ ଦେଖିଲେଣି ଏବଂ ସେଇଥିପାଇଁ ଚାଟୁକାରମାନଙ୍କ ପରାମର୍ଶରେ ସେମାନେ ବହିକୁ ବିଦ୍ୟାଳୟର ଖୁଆଡ଼ ବାହାରେ ରଖିବାକୁ ସିଦ୍ଧାନ୍ତ ନେଇଛନ୍ତି । ମାତ୍ର ବାସ୍ତବତଃ, ହାରିବାହିଁ ସେମାନଙ୍କ ପାଇଁ ସତ୍ୟ ହୋଇଛି । ଏବଂ, ପ୍ୟାରୀମୋହନଙ୍କ ଦ୍ଵାରା ପରିଶୋଧିତ ତଥ୍ୟାବଳୀର ଭୂମି ଉପରେ ପଲ୍ଲବିତ ହୋଇଛି ଓଡ଼ିଶାର ନୂଆ ଇତିହାସ । ୩୩ । ବିଶ୍ଵନାଥ କରଙ୍କ ଭାଷାରେ ଏହା ନିରର୍ଥକ ଇତିହାସ ନୁହେଁ, ସାହିତ୍ୟ ଗ୍ରନ୍ଥ । ୩୪।

 

(କ).

Stirling Andrew: ୧୮୧୩ ମସିହାରେ ଭାରତ ଆସିଛନ୍ତି ; ପର୍ଶିଆୟ ସେକ୍ରେଟାରୀ ଭାବରେ କାର୍ଯ୍ୟ କରିଛନ୍ତି । ଏବଂ, ତାଙ୍କର ଦେହାନ୍ତ ହୋଇଛି ୧୮୩୦ ମସିହାରେ । ଓଡ଼ିଶାର ଇତିହାସ ଲେଖିବା ପାଇଁ ମାଦଳାପାଞ୍ଜି ଓ ରାଜବଂଶାବଳୀ ଗ୍ରନ୍ଥର ସାହାଯ୍ୟ ନେଇଛନ୍ତି ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳ ମଧ୍ୟ ପରିଭ୍ରମଣ କରିଛନ୍ତି । ତାଙ୍କ ଆଲୋଚନା Asiatic Researches ପତ୍ରିକାର XV ସଂଖ୍ୟାରେ, ୧୮୨୫ ମସିହାରେ 'An account, Geographical, Statistical and Historical of Orissa Properior Cuttack ଶୀର୍ଷକରେ ।

 

ବହିର ପ୍ରଥମ ସଂସ୍କରଣ ୧୮୭୯ ଏବଂ ଦ୍ୱିତୀୟ ମୁଦ୍ରଣ ୧୯୨୫ ମସିହାରେ ଶ୍ରୀ ବିଶ୍ଵନାଥ କରଙ୍କ ଉଦ୍ୟମରେ ପ୍ରକାଶିତ । ଶ୍ରୀଯୁକ୍ତ କର ଏହାର ଭୂମିକା ମଧ୍ୟ ଲେଖିଛନ୍ତି । ତାଙ୍କ ମତରେ ‘ପ୍ୟାରୀମୋହନ ଯେଉଁ ସମୟରେ ଇତିହାସ ରଚନାରେ ପ୍ରବୃତ୍ତ ହୋଇଥିଲେ, ତାହା ଆଧୁନିକ ଓଡ଼ିଆ ଭାଷାର ଗଠନକାଳ । ଆମ୍ଭେମାନେ ତାଙ୍କର ଭାଷା ପ୍ରୟୋଗର କୌଶଳ ଦେଖି ମୁଗ୍ଧ ହୋଇଅଛୁ । ପୁସ୍ତକ ଖଣ୍ଡି ଇତିହାସ ହେଲେ ମଧ୍ୟ ତାହାର ମଧ୍ୟ ଗୋଟିଏ ସାହିତ୍ୟିକ ମୂଲ୍ୟ ରହିଛି । ତାହା ମଧ୍ୟ ଏକପ୍ରକାର ଇତିହାସର ଅଂଶ ।” ଏହାର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି “ଓଡ଼ିଶା ବୁକ୍ ଷ୍ଟୋରସ୍’ କଟକଙ୍କଦ୍ୱାରା ୨୦୦୧ ମସିହାରେ । ମୁଖବନ୍ଧ ଲେଖିଛନ୍ତି ସେକ୍ ମତଲୁବ ଅଲ୍ଲୀ । ସେ ପ୍ରଥମ ସଂସ୍କରଣ ଦେଖି ନଥିବାରୁ, ସେଥିରେ ସଂଯୋଜିତ ପରିଶିଷ୍ଟ ଓ ଏହି ଅଧୁନାତମ ମୁଦ୍ରଣରେ ସ୍ଥାନ ପାଇନାହିଁ ।

 

୧.

(କ) ଅବଶ୍ୟ ଡକ୍ଟର ଦୁର୍ଗା ପ୍ରସନ୍ନ ପଣ୍ଡା ଆପଣାର ଏକ ଆଲୋଚନାରେ ‘‘୧୮୭୦ ମସିହା ଜୁଲାଇ ୧ ତାରିଖ ମଧ୍ୟରେ, ଏକ ସରକାରୀ ବିଜ୍ଞାପନ ଉପରେ ନିର୍ଭର କରି ବହିର ପାଣ୍ଡୁଲିପି ବିଦ୍ୟାଧ୍ୟାପୟିନୀ କମିଟି–କଟକଙ୍କୁ ହସ୍ତାନ୍ତର କରିଛନ୍ତି ଏବଂ ୧୮୭୫ ମସିହାରେ ଜଏଣ୍ଟ ଇନିସ୍‌ପେକ୍ଟରଙ୍କୁ ପ୍ରଦତ୍ତ ପାଣ୍ଡୁଲିପି, ଦ୍ୱିତୀୟବାର ପ୍ରକାଶିତ ବିଜ୍ଞାପନର ଫଳ ବୋଲି କହିଛନ୍ତି । ମାତ୍ର ଏହି ମନ୍ତବ୍ୟ ସ୍ୱୀକାର କରିବାକୁ ତଥାପି କିନ୍ତୁ ଲାଗେ । କାରଣ, ପୂର୍ବପ୍ରକାଶିତ ଏକ ବିଜ୍ଞାପନ (୧୧.୯.୭୯)କୁ ଆଧାର କରି ଶ୍ରୀ ଆଚାର୍ଯ୍ୟ ଯଦି ପାଣ୍ଡୁଲିପି ପ୍ରସ୍ତୁତ କରିବେ, ସେତେବେଳକୁ ସେ ସଦ୍ୟ ଏନ୍‍ଟ୍ରାନ୍‌ସ ପାସ୍ କରିଥିବା ଛାତ୍ର ଏବଂ ତାଙ୍କର ବୟସ ମାତ୍ର ଅଠର । ପୁନଶ୍ଚ ଶ୍ରୀ ଆଚାର୍ଯ୍ୟ ମଧ୍ୟ ପ୍ରଚାର ସର୍ବବିଧିରେ ତତ୍‍ସଂପର୍କରେ କିଛି ଉଲ୍ଲେଖ କରିନାହାନ୍ତି ।

 

ପଣ୍ଡା ଦୁର୍ଗା ପ୍ରସନ୍ନ : ୨୦୦୩ : ନିଷିଦ୍ଧ ହୋଇଥିବା ଦୁଇଖଣ୍ଡ ଗ୍ରନ୍ଥ : କୋଣାର୍କ-୧୨୯, ପୃ-୨୨- ୨୪ ।

 

(ଖ)

ପାଦ୍ରୀ ଆମସ ସଟନ୍‍ଙ୍କ ‘ଇତିହାସ ସାର ସଂଗ୍ରହଃ ଅଥଃ ଓଡ଼ିଶା ଆଦି ବିବରଣ ସଂକ୍ଷେପ’’ ଦୁଇଗୋଟି ଭାଗରେ ୧୮୩୯ ମସିହାରେ ପ୍ରକାଶିତ । ଓଡ଼ିଶାର ବିଦ୍ୟାଳୟ ସମୂହରେ ପାଠ୍ୟପୁସ୍ତକ ଭାବରେ ଲିଖିତ ଏହିବହି, ଓଡ଼ିଆ ଭାଷାରେ ଲିଖିତ ପ୍ରଥମ ଓଡ଼ିଶା ଇତିହାସ । ସଟନ ମଧ୍ୟ ଷ୍ଟର୍ଲିଂ ଓ ମାଦଳାପାଞ୍ଜି ନିର୍ଭର ।

 

(ଗ)

ଉଇଲିୟମ୍ ହଣ୍ଟର ଭାରତ ଆସିଛନ୍ତି ୧୮୬୨ ମସିହାରେ । ଜଣେ ବିଜ୍ଞାନର ଛାତ୍ର, ମାତ୍ର ଇଣ୍ଡୋଲୋଜି ପଢ଼ିଛନ୍ତି । ବଙ୍ଗଳା ଓ ଓଡ଼ିଶାର ଇତିହାସ ଏବଂ ଭାରତର ଅଣ-ଆର୍ଯ୍ୟ ଭାଷା ସଂପର୍କରେ ତାଙ୍କ ଅଧ୍ୟୟନ ଓ ବିଚାର କେତେ ତଥ୍ୟ ଆଧାରିତ ଓ ଯୁକ୍ତିନିଷ୍ଟ, ତାହା ଆଜି ମଧ୍ୟ ଭାରତୀୟମାନଙ୍କୁ ଆଶ୍ଚର୍ଯ୍ୟ କରେ । Orissa History, ଦୁଇଗୋଟି ଭାଗରେ ପ୍ରକାଶିତ ହୋଇଛି ଇଂଲଣ୍ଡରେ, ୧୮୭୨ ମସିହାରେ । ୧୮୮୭ ମସିହାରେ ସେ ଚାକିରିରୁ ଅବସର ନେଇଛନ୍ତି । ୧୯୦୧ ମସିହାରେ ତାଙ୍କ ଦେହାନ୍ତ ହୋଇଛି ।

 

(ଘ)

ରଙ୍ଗଲାଲ ବାନାର୍ଜୀ ଆଧୁନିକ ଭାରତର ଅନ୍ୟତମ ସୁପରିଚିତ ପୁରାତତ୍ତ୍ୱବିତ୍ । ଶିଳାଲେଖ ଅଧ୍ୟୟନରେ ତାଙ୍କର ବିଶେଷ ପାରଦର୍ଶିତା ଥିଲା । ତାଙ୍କ ବ୍ୟକ୍ତିତ୍ଵର ବୈଶିଷ୍ଟ୍ୟ-ସମକାଳୀନ ଅନ୍ୟ ବହୁ ବଙ୍ଗାଳୀଙ୍କ ପରି ଓଡ଼ିଶା, ଅଧିକନ୍ତୁ ଓଡ଼ିଆ ଭାଷା ପ୍ରତି ସେ ପ୍ରାୟତଃ ଉନ୍ନାସିକକତା ଦେଖାଇନାହାନ୍ତି । “ଉତ୍କଳବର୍ଣ୍ଣନ’’ ଓଡ଼ିଶା ଇତିହାସ ସଂକ୍ରାନ୍ତ ତାଙ୍କର ଏକ ବିଶେଷ ଆଲୋଚନା ।

 

(ଙ)

ରାଜେନ୍ଦ୍ର ଲାଲ ମିତ୍ର ଭାରତର ଅନ୍ୟତମ ବିଖ୍ୟାତ ଗବେଷକ-ପ୍ରଶାସକ । ଦୁଇଗୋଟି ଭାଗରେ ପ୍ରକାଶିତ Antiquities of Orissa (1875 ଏବଂ1880) ଓଡ଼ିଶାର ପ୍ରାଚୀନ ଇତିହାସ ସଂକ୍ରାନ୍ତ ଦୁଇଗୋଟି ପ୍ରାମାଣିକ ଗ୍ରନ୍ଥ । ଓଡ଼ିଶାକୁ କେତେ ଅନ୍ତରଙ୍ଗ ଭାବରେ ବିଶ୍ଳେଷଣ କରାଯାଇପାରେ ତାଙ୍କ ଗ୍ରନ୍ଥର ପରିଚ୍ଛେଦ ଯଥା— Antiquities and Classification of Indian Architecture Construction of Orissa Temple, Architectural details & Sculpture, Structural indications of the social condition of the temple builders, Religion of the temple builders (Vol-1) 999 Khandagiri, Bhubaneswar, Puri (Its situation, boundary, Konark, Jajpur, Cuttack (Vol.II) । ଦ୍ୱିତୀୟ ଖଣ୍ଡରେ ଧଉଳି ଓ ପୁରୀର ଶିଳାଲେଖର ଅନୁବାଦ କରିଛନ୍ତି ଏବଂ ଏ କ୍ଷେତ୍ରରେ ତାଙ୍କର ଆଦର୍ଶ ହୋଇଛନ୍ତି ରଙ୍ଗଲାଲ ବାନାର୍ଜୀ, ଡକ୍ଟର ଉଇଲସନ ଓ ପ୍ରିନ୍‍ସେପ୍ - Calcutta, Wyman & Co., 10 Hore Street and S. Council House Streets

 

୭.

(କ)

ଆମସ ସଟନଙ୍କ Orissa and its Evangelization of ଏଗାର ଗୋଟି ପରିଚ୍ଛେଦରେ ବିଭକ୍ତ । ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପରିଚ୍ଛେଦରେ ସେ ଯଥାକ୍ରମେ Orissa, its geography, soil, scenery and production, Climate, Population and etc. A sketch of Orissa history; Present social and moral condition of Orissa ସଂପର୍କିତ ଏବଂ ଅବଶିଷ୍ଟ ଅଧ୍ୟାୟ ଗୁଡ଼ିକରେ ଓଡ଼ିଶାରେ ମିଶନାରୀମାନଙ୍କର କାର୍ଯ୍ୟକଳାପ ସଂପର୍କରେ ଚର୍ଚ୍ଚା କରିଛନ୍ତି । ତାଙ୍କୁ ଜଣେ ପରିବ୍ରାଜକ ଓ ଗବେଷକ, ଉଭୟର ମାନ୍ୟତା ଦିଆଯାଇପାରେ । ଗ୍ରନ୍ଥର ଶେଷରେ ସେ ଲେଖିଛନ୍ତି - The Indian banian tree presents no unfil illustration of our mission to Orissa. That beautiful and useful product of Indias plains affords a grateful shelter to many or way morn travellers, and few thoughtful minds can contemplate this kind provision of the manificent creator without some thoughts of his goodness. ପୃଷ୍ଠା ୩୯୫,

 

(ଖ)

କିଉରି, Orissa, The Garden of Superstition and Idolatry : Including an account of British Connection with the temple of Jagannath ଗ୍ରନ୍ଥରେ ଓଡ଼ିଶାକୁ ‘‘Orissa may be compared to a huge Caldror, which has been boiling for many hundreds of years, into which ignorance, stupidity and bigotry have cause so many poisonous ingredients, that it is difficult to say when the contents will become purified and good. (PP 05)

 

1850, England, Published at Berby.

 

Its early history is perhaps more wrapped in obscurity than that of other provinces. Ignorance, oppression, and Inperstition garnishedwith the deceitful trappings of romance, either by or through the means of self-ineterested potentates, have, for many ages, gilded the misery which has been endured by its poor deluded inhabitants. Filth and every abomination of the earth have been converted by the Heathen Poets into sacred streams and fragrants flowers and fruits of exquisite flavour. Idolatry has sanctioned these descriptions as well suited to her purpose. (ପୃଷ୍ଠା ୫) ମୁସଲମାନ, ମରହଟ୍ଟା ଓ ଗଡ଼ଜାତିର ରାଜାମାନଙ୍କର ଶାସନର ବର୍ଣ୍ଣନା କରିବା ସହିତ ସେ ଓଡ଼ିଶାର ସ୍ଥାପତ୍ୟ କଳାର ପ୍ରଶଂସାରେ ଶତମୁଖ ହୋଇଛନ୍ତି । 1850 : London, John Stone and Hunter, 26 Paternoster Raw । ପ୍ରକାଶଥାଉକି ଉଇଲିୟମ ଏଫ.ବି.କିଉରି (FB. Cauri) ଓଡ଼ିଶାରେ ଅଧିକ କାଳ ରହିନାହାନ୍ତି । ଓଡ଼ିଶାରେ ତାଙ୍କର ରହଣି ସମ୍ଭବତଃ ଫେବୃୟାରି ମାସ ୧୮୪୬ ରୁ ୧୯୪୮ ପର୍ଯ୍ୟନ୍ତ । ମାତ୍ର ଓଡ଼ିଆମାନଙ୍କ ସଂପର୍କରେ ସଟନଙ୍କ ଠାରୁ ତାଙ୍କ ଦୃଷ୍ଟିଭଙ୍ଗୀ ଅଧିକ ଉଦାର ଓ ମାନବୋବିତ ।

 

(ଗ).

ବାବୁ ବ୍ରଜକିଶୋର ଘୋଷ କଟକରେ ବେଶ କେତେବର୍ଷ ଅବସ୍ଥାନ କରିଛନ୍ତି । ଏବଂ ହେଡ୍ କ୍ଲର୍କ ଭାବରେ ଅବସର ନେଇଛନ୍ତି । ତାଙ୍କ ପୁସ୍ତକ A History of Puri, with an Account of Jagannath ପ୍ରକାଶ ପାଇଛି 1848 ମସିହାରେ ।

 

୮.

(କ)

How the English came to Orissa in 1633. The early Annals of the English in Bengal Vol.1 Chapter I, by Wilson C.R.

 

ଇଂରେଜ ବଣିକ ପଣ୍ୟବାହୀ ଜାହଜ ସହିତ ଓଡ଼ିଶା ଉପକରଣେ ପହଞ୍ଚି, ଖଣିଜ ପାଇଁ ତତ୍‌କାଳୀନ ମୁସଲମାନ ଶାସକମାନଙ୍କ ଯେଉଁ ସର୍ତ୍ତାବଳୀରେ ସମ୍ମତ ହୋଇଥିଲେ ଏବଂ ଉପକୂଳବର୍ତ୍ତୀ ଓଡ଼ିଶାର କେଉଁ କେଉଁ ଅଞ୍ଚଳରେ କିପରି ବଞ୍ଚୁଥିଲେ ତତ୍‍ସଂପର୍କରେ ବିଗଦ ବ୍ୟାଖ୍ୟା ଏହି ରିପୋର୍ଟର ବିଶେଷତ୍ୱ । ଶ୍ରୀଯୁକ୍ତ ଆଚାର୍ଯ୍ୟ ମଧ୍ୟ ଏହି ରିପୋର୍ଟକୁ କେତୋଟି ପାରାଗ୍ରାଫରେ ବ୍ୟକ୍ତ କରିଛନ୍ତି ।

 

 

(ଖ)

The Fifth Report from the Select Committee of the House of Common on the Affairs of the East India Company. Ed. by Firminger W.K., 28 July 1812.

 

 

(ଗ)

Orissa in the Hamilton’s Hindostan in 1820 ଏହା ବିଖ୍ୟାତ ଗ୍ରନ୍ଥ, Geographical, Statistical and Historical Description of Hindostan, and the Adjacent Countries ର ପ୍ରଥମ ଭାଗରେ ସଂଯୋଜିତ । ଏହି ଗ୍ରନ୍ଥର ଦ୍ୱିତୀୟ ଭାଗରେ The Province of Orissa (Uddessa) ପ୍ରକାଶିତ । ଓଡ଼ିଶା ସଂପର୍କରେ ଏହି କେତୋଟି ବାକ୍ୟ ‘‘In ancient Hindoo history, Utcola or Udradesa was nearly co-extensive with the modern Orissa, the name utcola, or Udcola, inplying the great or famous country of the cola. According to tradition, it was then inhabited by a powerful and mortial race who were extirpated by the Karanas or King's of Magadha (Bahar), xx The chief rivers are Godavari, the Mahanudy, and the Subnree Ka. The principal towns are Juggernauth, Cuttack, Ganjam and Vizagpatnam. xx Midnapore, Hidjelee and Tumlook, these are three subdivisions of the province of Orissa. xx Singboom a town in the province of Orissa. ହାମିଲଟନଙ୍କ ଏହି ଦୀର୍ଘ ବିବରଣୀରେ ଗୋଦାବରୀରୁ ଗଙ୍ଗା ଏବଂ ଆଭ୍ୟନ୍ତରରେ ସମ୍ବଲପୁର, ଛତିଶଗଡ଼, ବିହାରର ଅଞ୍ଚଳର କିପରି ରାଜନୀତିକ ଓଡ଼ିଶାର ଅନ୍ତର୍ଗତ ତତ୍‍ସଂପର୍କରେ ଆଲୋକପାତ କରିଛନ୍ତି ।

 

 

(ଘ)

The Memorandum of Midnapur, written in 1852 by Bayley H.V., the then Collector of Midnapur ମେଦିନାପୁର ଯେ ଆଧୁନିକ ଓଡ଼ିଶାର ଅନ୍ତର୍ଗତ, ବାଲେ ସାହେବ ଏହି ରିପୋର୍ଟରେ ଦର୍ଶାଇଛନ୍ତି ।

 

ବି.ଦ୍ର.:ଉପର୍ଯ୍ୟୁକ୍ତ ପ୍ରତ୍ୟେକ ବିବରଣୀ ଉତ୍କଳ ଇଉନିୟନ କମିଟିର ସଂପାଦକ ଶ୍ରୀଯୁକ୍ତ ବ୍ରଜସୁନ୍ଦର ଦାସ ସଂଗ୍ରହ କରି ଛୋଟ ବହି ଆକାରରେ ପ୍ରକାଶ କରିଛନ୍ତି । ଏହି ବହିଗୁଡ଼ିକ ମୁଦ୍ରିତ ହୋଇଛି ଉତ୍କଳ ସାହିତ୍ୟ ପ୍ରେସ, କଟକଙ୍କଦ୍ୱାରା ।

 

୯.

ହଣ୍ଟର ଆପଣ । Orissa History ର ପ୍ରଥମ ଭାଗର ମୁଖବନ୍ଧରେ ଲେଖିଛନ୍ତି The narrative is embellished by no splendid historical characters, nor does it possess the interest which belong to striking crimes. To the worlds call, roll of heros it will add not one name. The people of whom it treats have fought no great battle for human liberty, nor have they succeeded even in the more primarily task of subduing the forces of nature to the control of man. To them the world stands indebted for not a single discovery which augments the comforts of mitigates the calamities of life. Even in literature, the peculiar glory of Indian race - they have own no famous epics, they have struck out no separate school of Philosophy, they have elaborated no new system of law P.1 xx Throughout all Northen India, not less than on the remote Orissa shore, dynastic revolutions and religious reformations have for centuries give hard in hard. P.5

 

ଓଡ଼ିଶା ସଂପର୍କରେ ଉପକ୍ରମଣିକାରେ ଏହିପରି ମନ୍ତବ୍ୟ ଦେଖିଲେ ସୁଦ୍ଧା, ହଣ୍ଟର, ସମକାଳୀନ ଅନ୍ୟ ବିଦେଶୀମାନଙ୍କ ମଧ୍ୟରେ, ଓଡ଼ିଶାକୁ ଭିନ୍ନ ଭାବରେ ବିଶ୍ଳେଷଣ କରିଥିବା ବିଦ୍ୱାନ । ଓଡ଼ିଶାର ରାଜନୀତିକ ଇତିହାସ ଗ୍ରହିତ, ଧର୍ମୀୟ, ସାମାଜିକ ଓ ସାଂସ୍କୃତିକ ଜୀବନବୋଧକୁ ପରିଶୀଳନ କରିଛନ୍ତି । ଗ୍ରନ୍ଥର ଚତୁର୍ଥୀ, ପଞ୍ଚମ ଓ ଷଷ୍ଠ ପରିଚ୍ଛେଦରେ ସେ ଯଥାକ୍ରମେ ଓଡ଼ିଆମାନଙ୍କ ଅଧୀନରେ ଓଡ଼ିଶା, ବିଦେଶୀ ଶାସକ ଅଧୀନରେ ଓଡ଼ିଆ ଏ ଇଂରେଜ ଅଧୀନରେ ଓଡ଼ିଶା ସଂପର୍କରେ ଚର୍ଚ୍ଚା କରିଛନ୍ତି । ଏବଂ ଏହାର ଶେଷର ତିନିଗୋଟି ଆପେଣ୍ଡିକ୍‍ସରେ ଯଥାକ୍ରମେ ଓଡ଼ିଶାର ରାଜବଂଶାବଳୀ (୩୧୦୧ ଖ୍ରୀ.ପୂ. ରୁ ୧୮୭୧), ମୁସଲମାନ ଶାସକଙ୍କ ଇତିହାସ (୧୫୧୦-୧୭୫୧) ଏବଂ ଓଡ଼ିଆ ସାହିତ୍ୟିକଙ୍କ ସମୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି ।

 

Hunter W.W. Vol.I, Vol.II 1872, London

Simth, Elder and Co. 15, Waleloo Place

 

୧୦.

ବାବୁ ଶିବଚନ୍ଦ୍ର ସୋମ ଓଡ଼ିଶାରେ ଶିକ୍ଷା ବିଭାଗରେ ପ୍ରାୟ ଦଶବର୍ଷ କାର୍ଯ୍ୟ କରିଛନ୍ତି । କଟକରେ ସ୍କୁଲ ସମୂହର ଡେପୁଟି ଇନିସ୍‌ପେକ୍ଟର ଭାବରେ ଅବସ୍ଥାପିତ ହୋଇଛନ୍ତି । ‘ଓଡ଼ିଶାର ଇତିହାସ’ ପୁସ୍ତକ ନଅଗୋଟି ପରିଚ୍ଛେଦରେ ବିଭକ୍ତ ଏବଂ ଏହାର ପୃଷ୍ଠା ସଂଖ୍ୟା ୧୪୯ । ବହି ସେ ସମୟରେ ବିଦ୍ୟାଳୟରେ ପାଠ୍ୟପୁସ୍ତକ ରୂପରେ ପ୍ରଚଳିତ ହୋଇଛି । ପୂର୍ବାଭାଷରେ ସେ ଲେଖିଛନ୍ତି– ଉଡ଼ିଶ୍ୟା ଦେଶେର ବିଷମେୟ ଅନେକରରେ ଅନଭିଜ୍ଞତା ଦେଖାଯାୟେ, ବିଶେଷତଃ ଐ ଦେଶେର କୋନ୍ ବିବରଣର ବାଙ୍ଗଲା ଭାଷାୟ ଲିଖିତ କୋନ ପୁସ୍ତକେ ପାଓୟା ଯାୟନା, ଏ ଦେଶେ କତିପୟ ବନ୍ଧୁର ଅନୁରୋଧ ଆପାତେ ଉଡ଼ିଶ୍ୟାର ପ୍ରାକୃତିକ ଓ ବ୍ୟାବହାରିକ ଭୂବୃତ୍ତାନ୍ତ ଏବଂ ବର୍ତ୍ତମାନ କାଲର ପର୍ଯ୍ୟନ୍ତ ନିର୍ଦ୍ଦେଶର ଜଂଧଂରରେ ଲିଖିୟା ଉଡ଼ିଶ୍ୟାର ଇତିହାସ ନାମେ ଏକ ପୁସ୍ତକ ଆଜ୍ ପ୍ରକାଶିତ ଓ ପ୍ରଚାରିତ କରାଗେଲ । ଯଦିଇହା ସାହିତ୍ୟ ସଂସାରେ ସ୍ଥାନରେ ଗୃହୀତ ହୟ, ତବେ ପୁସ୍ତକାନ୍ତରେ ଐ ଦେଶେର ଚତୁଃକ୍ଷେତ୍ର ଓ ପ୍ରଧାନ ପ୍ରଧାନ ନଗର ସକଲେର ବିବରଣ ଏବଂ ଲୌକିକ ଆଚାର ବ୍ୟବହାର, ଶିକ୍ଷା, ସାହିତ୍ୟ ଓ ବର୍ତ୍ତମାନ ସାମାଜିକ ଅବସ୍ଥା ବି ପ୍ରକଟନ କରିୟା ପ୍ରଚାରିତ କରିତେ ଉତ୍ସାହିତ ହଇବ ।

ଶକାବ୍ଦ ୧୭୮୯, କଲିକତା, ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବସୁ କୋଃ, ବହୁବଜାର ।

 

୧୧.

ଶ୍ରୀ ଭବାନୀ ଚରଣ ବନ୍ଦ୍ୟୋପାଧ୍ୟାୟକ ସଂଗୃହୀତ ଶ୍ରୀପୁରୁଷୋତ୍ତମ ଚନ୍ଦ୍ରିକା ଅର୍ଥାତ୍ ଶ୍ରୀକ୍ଷେତ୍ର ଧାମର ବିବରଣ, ବଙ୍ଗଳା ଭାଷାରେ ଲିଖିତ ଅନ୍ୟତମ ଓଡ଼ିଶା ଇତିହାସ । ଏହାକୁ ମାଦଳପାଞ୍ଜିର ବଙ୍ଗ ଭାଷାରେ ପଦ୍ୟାନୁବାଦ କୁହାଯାଇପାରେ । ଲେଖକ ଶ୍ରୀକ୍ଷେତ୍ର ବର୍ଣ୍ଣନ/ପଞ୍ଚତୀର୍ଥ ବିଧାନ ଠାରୁ ମାଦଳପାଞ୍ଜିରେ ହଇତେ ଉଦ୍ଧୃତ ରାଜାବଳି ଅର୍ଥାତ୍ କଳିଯୁଗାରମ୍ଭାଧି ପୁରୀ ଧାମେ ଯେ ରାଜା ଯତଦିନ ରାଜତ୍ୱ କରେନ୍ ତଦ୍ ବିଶେଷ - ଅର୍ଥାତ୍ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟଙ୍କ ଆନ୍ଦୋଳନ ପର୍ଯ୍ୟନ୍ତ ବର୍ଣ୍ଣନା କରିଛନ୍ତି । ଏବଂ ଶେଷରେ ଶଂଖ, ଚକ୍ର, ଗଦା ଓ ପଦ୍ମକ୍ଷେତ୍ରର ସ୍ଵତନ୍ତ୍ର ବିବରଣୀ ରହିଛି ।

ମୁଦ୍ରଣକାଳ ୧୭୯୯ ଶକାବ୍ଦ, ସମାଚାର ଚନ୍ଦ୍ରିକା ଯନ୍ତ୍ରାଳୟ ।

 

୧୨.

ତତ୍ରୈବ : ଉପକ୍ରମଣିକା/ଦେଶ ମହାତ୍ମ୍ୟ ।

 

୧୩.

Mitra Rajendralal : 1875, Page 02-08

 

୧୪.

In describing the merits of Orissan Art, I must not forget to notice the despicable taste which the artists have displayed for making some of their figures most distinguishingly obscene. By this, I do not refer to their nudity for as justly observed by Prof. Luoke "the task of sculpture is to conceive man in his full natural beauty. Hence, the nude figure in its strickest sense is required. The perfect harmony and the beauty of the whole can only be displayed in the unclothed form. This canon has been more or less accepted by artists and men of taste in every ages time, and the Uriyas have rather conceived a true sense of the proper sphere of sculpture by chiseling nude, and not thereby given offence to good taste.

ତତ୍ରୈବ : ପୃଷ୍ଠା ୬୫ ଏବଂ ଦ୍ୱିତୀୟ ଭାଗ : ପୃଷ୍ଠା ୧୫

 

୧୫.

ଆଚାର୍ଯ୍ୟ ପ୍ୟାରୀମୋହନ : ୧୮୭୯ / ୨୦୦୧, ପୃଷ୍ଠା ୨୯, ୩୦ ।

 

୧୬

Devy G.N.: 1998, of many Heroses, Orient Lorgmant, N.D. Colonization XX creats serious historiographical inversions for the colonized cultures. Colonization adds to the history of the colonizers, it also takes away some history of the colonized. xx Repression or reversal of history of other societies is an attribute of colonization. - PP. 14

 

୧୭.

୧. ଭାରତବର୍ଷର ଇତିହାସ : ନୀଳମଣି ............ ଓଡ଼ିଆ ଅନୁବାଦ :

ବିଚ୍ଛଦ ପଟ୍ଟନାୟକ (୧୮୬୯)

ଖ. ଫକୀରମୋହନ ସେନାପତି–ଭାରତବର୍ଷର ଇତିହାସ

ପ୍ରଥମ ଭାଗ - ୧୮୬୯, ଦ୍ୱିତୀୟ ଭାଗ ୧୮୭୦

ଗ. ଶିବନାରାୟଣ ନାୟକ : ଭାରତ ବର୍ଷର ପୁରାବୃତ୍ତ, ୧୮୭୬

ଭାରତ ବର୍ଷର ସଂକ୍ଷିପ୍ତ ଇତିହାସ, ୧୮୭୮

 

୧୮.

ବିଶେଷ ଦ୍ରଷ୍ଟବ୍ୟ : Siqueira T.N, 1939/1948, The Education of India, History and Problems ର ତୃତୀୟ ପରିଚ୍ଛେଦ Oxford University Press.

 

୧୯.

କ.

ଉତ୍କଳ ଭାଷାର ଉନ୍ନତି ପ୍ରତି ବ୍ୟାଘାତ : ‘‘ବାବୁ ରାଜେନ୍ଦ୍ର ଲାଲ ମିତ୍ର ସେଦିନ ସଭାରେ ବ୍ୟକ୍ତ କଲେ ଯେ, ଉତ୍କଳର……..ଯଥାର୍ଥ ହିତାକାଙକ୍ଷୀ ଯେ ହେବେ, ସେ ସର୍ବାଗ୍ରେ ଉତ୍କଳ ଭାଷା ଉଠାଇ ଦେଇ ବଙ୍ଗଭାଷା ପ୍ରଚଳନ କରିବାର ଚେଷ୍ଟା କରିବେ । କାରଣ ତାହାଙ୍କ ମତରେ ଯେତେ କାଳ ଉତ୍କଳ ଭାଷା ଉଠିଯାଇ ନାହିଁ, ତେତେକାଳ ଏ ଦେଶର ଉନ୍ନତି ହେବାର ଅସମ୍ଭବ ।” ଦୀପିକା : ତା ୧୩ ମାର୍ଚ୍ଚ ୧୮୬୯ (ଡିରେକ୍ଟ କ୍ଲବରେ ପଠିତ)

 

 

ଖ.

ମୁଖୋପାଧ୍ୟାୟ ଲେଖିଛନ୍ତି–‘‘ବଙ୍ଗଳା ଭାଷା ବିକୃତ ହେଲେ ଓଡ଼ିଆ ଭାଷା ହୋୟେ ।” (ଦୀପିକା ୧୦ ଜୁଲାଇ ୧୮୬୯) ।

 

 

ଗ.

‘‘ସେଦିନ ଉମାଚରଣ ବାବୁ ବଙ୍ଗଳା ଅକ୍ଷରରେ ଓଡ଼ିୟା ଲେଖିବାର କାରଣ ବାହାର କରି କେତେ କୌତୁକ ଲଗେଇ ଦେଲେ, ଆମ୍ଭମାନଙ୍କର ଜଣେ ପତ୍ରପ୍ରେରକ ତାହାକୁ ବାତୁଳର ବାକ୍ୟ ବୋଲି ସିଦ୍ଧାନ୍ତ କରିଥିଲେ । ଉ. ଦୀପିକା ତା୨୪ ଜୁଲାଇ ୧୮୬୯-।

 

 

ଘ.

କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ : ଓଡ଼ିୟା ସ୍ୱତନ୍ତ୍ର ଭାଷା ନହେ, ୧୮୭୦)

 

ଏହି ବହି ସଂକ୍ରାନ୍ତ ଆଲୋଚନା ପାଇଁ ଦ୍ରଷ୍ଟବ୍ୟ–ଉ.ଦୀ. ତା୨୭ ଫେ. ୧୮୭୦, ତା୨ ଏପ୍ରିଲ ୧୮୭୦, ୩୦ ଏପ୍ରିଲ ୧୮୭୦, ୩ ସେପ୍ଟେମ୍ବର ୧୮୭୦ ।

 

୨୦.

(କ)

‘‘ଉତ୍କଳରେ ପୁସ୍ତକର ଅଭାବ’’ : କେମୂଲଂକ ମନ୍ତବ୍ୟ— ଏହାର କାରଣ ସବୁକିଛି ସ୍ଥିର କରୁଛି କଲିକତାର ସ୍କୁଲ ଫୁକ୍ ସୋସାଇଟି । ଓଡ଼ିଶାର ଲେଖକମାନେ ତତ୍ସଂପର୍କରେ ଅସଚେତନ ।

 

 

(ଖ)

ଉତ୍କଳ ଭାଷୋବ୍ଦୀପିନୀ ସଭାର ଜନ୍ମ, ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା ପାଇଁ ଆନ୍ଦୋଳନ । ପ୍ରତ୍ୟେକ ଅଧିବେଶନରେ ସମବେତ ବିଦ୍ୱାନ ତାହାହିଁ କରିଛନ୍ତି ।

 

 

(ଗ)

‘ସ୍ୱେଚ୍ଛାଚାରୀ ଶାସନ’ ଶୀର୍ଷକ ଆଲୋଚନାରେ ଗୌରୀଶଙ୍କର ପାଠ୍ୟ ପୁସ୍ତକ ଓ ଭାଷା ସଂକ୍ରାନ୍ତରେ ବିଶଦ ଚର୍ଚ୍ଚା କରିଛନ୍ତି । ଦୀପିକା ୨୮ ଜୁନ ୧୮୭୩ ।

 

 

(ଘ)

ନନ୍ଦକିଶୋର ଦାସଙ୍କ ଓଡ଼ିଶାର ଶିକ୍ଷା ବିଭାଗରେ ଜଏଣ୍ଟ ଇନିସ୍‌ପେକ୍ଟର ଭାବରେ ନିଯୁକ୍ତି । ଦୀପିକା ତା ୧୮.୧.୧୮୭୩ ।

 

କଟକ ପ୍ରିଣ୍ଟିଂ କମ୍ପାନୀ ହଲରେ ପ୍ୟାରୀମୋହନ ଚାରିଗୋଟି ବକ୍ତୃତା ଦେଇଛନ୍ତି ଓ ସେଗୁଡ଼ିକର ମର୍ମ ଉତ୍କଳ ଦୀପିକାର ତା୪.୮.୭୭, ତା ୧୩.୭.୭୮, ତା୮.୩.୭୯ରେ ପ୍ରକାଶିତ-। ୪.୮.୭୭ରେ ଉଲ୍ଲେଖ ଅଛି ଯେ, ସେ ଭାଷଣଟି ବଙ୍ଗଳା ଭାଷାରେ ଦେଇଥିଲେ । ମଧ୍ୟଯୁଗୀୟ ସାହିତ୍ୟର ‘ଅଶ୍ଳୀଳତା’ ଦୋଷ ଦୁଷ୍ଟ ବୋଲି ସେ ଅନେକତ୍ର ପ୍ରକାଶ କରିଛନ୍ତି ।

 

୨୧.

ଉତ୍କଳପୁତ୍ର / ପ୍ରଥମ ଭାଗ / ତୃତୀୟ ସଂଖ୍ୟା : ୧୬ ମେ ୧୮୭୩ । ଉତ୍କଳ ସାହିତ୍ୟ ସମାଜ, କଟକ, ପାଠାଗାରରେ ଉପଲବ୍ଧ ଉତ୍କଳପୁତ୍ରର ୧ ଜୁନ, ୧ ଜୁଲାଇ, ୧୬ ଜୁଲାଇ, ୧୬ ଅଗଷ୍ଟ ୧୮୭୩ ମସିହାର ସଂଖ୍ୟାଗୁଡ଼ିକ ଦ୍ରଷ୍ଟବ୍ୟ ।

 

୨୨.

ତତ୍ରୈବ ।

 

୨୩.

ଆଚାର୍ଯ୍ୟ ପ୍ୟାରୀମୋହନ : ୧୮୭୯/୨୦୦୧

ଧର୍ମ ବିପ୍ଳବ - ଓଡ଼ିଶାର ଏକ ଏକ ଶ୍ରେଣୀ ରାଜାଙ୍କର ଇତିହାସକୁ ଧର୍ମ ବିପ୍ଳବର ଇତିହାସ ବୋଇଲେ ଅତ୍ୟୁକ୍ତି ହେବ ନାହିଁ । ପୃଷ୍ଠା ୭୯ ।

 

୨୪.

ହଣ୍ଟର Orissa History ର ପ୍ରଥମ ଭାଗର ୨ୟ ଓ ତୃତୀୟ ଅଧ୍ୟାୟ (The Chilika Lake, Jagannath) ରକ୍ତବାହୁ ସଂପର୍କରେ ବିଶଦ ଚର୍ଚ୍ଚା କରିଛନ୍ତି । ହଣ୍ଟରଙ୍କ ପୂର୍ବରୁ ଷ୍ଟର୍ଲିଂ, ଯବନଶକ ଉତ୍ପତ୍ତି ସଂପର୍କରେ ନିଜସ୍ୱ ମନ୍ତବ୍ୟ ଦେବାବେଳେ ସଟନ, ରକ୍ତବାହୁକୁ ‘ଏକ କଳ୍ପନା’ କହିଛନ୍ତି । (Sutton : 1850 PP.33) କିଉରିଙ୍କ ମତରେ “we think the easiest, if not, the most satisfactory solution to the word ‘Yavana’ is that given by captain Corgreves. By ‘Yavana’ says he, I apprehend is meant the children of Yavana or Javan, the great ancestor of the Greeks, although by slight alteration it might be read ‘Yuvana or Euvana, that is, the country of Europeans or Europe. (In other words, Javan, the fourth son of Japhet, was the father of the Javanionss or Juones of the Greeks. xx) The early Y a vanas, therefore, may have been Bacterian-Greeks, the remnants of the Asiatic glory of Alexander. (Cauree F.B. 1850 PP.9)

 

ହଣ୍ଟରଙ୍କ ଯୁକ୍ତିକୁ ଖଣ୍ଡନ କରି ପ୍ୟାରୀମୋହନ ସ୍ପଷ୍ଟ କରିଦେଇଛନ୍ତି ଯେ, ଗ୍ରୀକ୍‍ମାନଙ୍କ ଆକ୍ରମଣ ପୂର୍ବରୁ ଓଡ଼ିଆମାନେ ଦରିଆପାରି ହେବାର କଳା ଜାଣିଥିଲେ । ଏହା ରାଜେନ୍ଦ୍ର ଲାଲ ମିତ୍ରଙ୍କ ବକ୍ତବ୍ୟର ପୁନରାବୃତ୍ତି - Mitra R.L. 11, 116

 

୨୫.

ଯେଉଁ ଲତା ଓ ପୁଷ୍ପମାନ ଭୁବନେଶ୍ଵର ଦେଉଳ ଗାତ୍ରରେ ଖୋଦିତ ହୋଇଅଛି, ସେମାନେ ଅଲୌକିକ ଶୋଭାଧାରଣ କରି ଆଜି ପର୍ଯ୍ୟନ୍ତ ବିରାଜମାନ ରହିଛନ୍ତି । ସେଥିରେ ଉତ୍କଳ ବଟାଳୀର ଓ ଶିଳ୍ପକାରର ବିଶେଷ ସୂକ୍ଷ୍ମତା ପରିଦୃଷ୍ଟି ହୁଏ । ପ୍ରକୃତି ପରା ଅବିକଳ ବନପାହାଡ଼ ମଧ୍ୟରୁ ଆନୀତ ହୋଇ ମନ୍ଦିରମାନଙ୍କରେ ଚିତ୍ରିତ ହୋଇଛି । ଯେଉଁମାନେ ସେ ମୂର୍ତ୍ତିମାନ ଦେଖିଛନ୍ତି ଓ ସେମାନଙ୍କ ଦେହରେ ବସ୍ତ୍ର ଅଳଙ୍କାରାଦିକି ରୂପେ ଖୋଦିତ ହୋଇଅଛି, ସେସବୁ ପ୍ରତି ମନଯୋଗ ଦେଇ ଅଛନ୍ତି, ସେମାନେ ଓଡ଼ିଶା ଶିଳ୍ପୀଙ୍କର ପ୍ରସ୍ତର ଶିଳ୍ପରେ ଚୂଡ଼ାନ୍ତ ଉନ୍ନତି ଲଭିଥିବୁ ବିଷୟ ଆଉ ମୁହୂର୍ତ୍ତକ ସକାଶେ ସନ୍ଦେହ କରିବେ ନାହିଁ । ଯେଉଁ ଶିଳ୍ପକାରୀମାନେ ଓଡ଼ିଶାରେ ଶିଳ୍ପୋନ୍ନତିର ଏପରି ଚୂଡ଼ାନ୍ତ ଉଦାହରଣମାନ ଏକ ସମୟରେ ଦେଖାଇଥିଲେ, ବର୍ତ୍ତମାନ ସେମାନେ ମୁହୂର୍ତ୍ତକ ସକାଶେ ଓଡ଼ିଶାର ଦୂରବସ୍ଥା ଦେଖିବା ସକାଶେ ମର୍ତ୍ତ୍ୟକୁ ଆଗମନ କଲେ, ଉଷ୍ଣଶ୍ଵାସ ନିକ୍ଷେପ ନ କରି ରହିପାରନ୍ତେ ନାହିଁ । ଅନେକ ମୂର୍ତ୍ତି ନିତାନ୍ତ କାଳ୍ପନିକ ସୁଦ୍ଧା ହୋଇଅଛି । ଗୋଟିଏ ଗୋଟିଏ ମୂର୍ତ୍ତିରେ ସୌନ୍ଦର୍ଯ୍ୟର ପରାକାଷ୍ଠା ଦେଖାଇବା ପାଇଁ ଚେଷ୍ଟା କରି ସେସବୁ ସ୍ଥଳେ ସ୍ଥଳେ ଅସୁନ୍ଦର ଓ ଅସୌଷ୍ଣବ-ଯୁକ୍ତ ହୋଇଅଛି । ଆଉ ଗୋଟିଏ ବିଷୟରେ ଓଡ଼ିଶା ମୂର୍ତ୍ତିକାରଙ୍କର ମନ୍ଦରୁଚି ପ୍ରକାଶ ପାଇଛି । ମନ୍ଦିର ସ୍ଥାନରେ ଯେ ଅଶ୍ଳୀଳ ମୂର୍ତ୍ତିମାନ ସ୍ଥାପିତ ହୋଇଅଛି, ସେସବୁ ଦୃଷ୍ଟି କଟୁଦୋଷରେ ଦୂଷିତ ଓ ସେମାନ ମନ୍ଦରୁଚିର ପରିଚାୟକ ମାତ୍ର । ଅଚାର୍ଯ୍ୟ ପ୍ୟାରୀମୋହନ : ପୃ ୭୬/୭୭

 

୨୬.

ଉପେନ୍ଦ୍ର ଭଞ୍ଜ : ତାଙ୍କ ରଚନାର ଅଧିକାଂଶ ଭାଗ ଅଶ୍ଳୀଳ ଓ ଶବ୍ଦାଡ଼ମ୍ବରରେ ପରିପୂରିତ । ସେ ଭାବ ଅପେକ୍ଷା ଶବ୍ଦଚାତୁର୍ଯ୍ୟର ଅଧିକ ପ୍ରିୟ ଥିଲେ । ଆଧୁନିକ ଭାବପ୍ରିୟ ଶତାବ୍ଦୀକୁ ତାଙ୍କର ଶବ୍ଦାଡ଼ମ୍ବରଯୁକ୍ତ କବିତାଚୟ ରୁଚି ସଙ୍ଗତ ହେଉନାହିଁ । ସେ ଯେଉଁଠାରେ ସରଳ ବାକ୍ୟମାନ ବ୍ୟବହାର କରି ରଚନା କରିଅଛନ୍ତି, ସେ ସ୍ଥଳମାନ ମଧୁର ଓ ଉପଯୁକ୍ତ ହୋଇଅଛି । ଫଳତଃ ଉପେନ୍ଦ୍ର ଭଞ୍ଜଙ୍କର କବିତ୍ଵଶକ୍ତି ଊଣା ନଥିଲା । ମାତ୍ର ସଦ୍‍ରୁଚିର ଅଭାବ ଥିଲା । ଆଚାର୍ଯ୍ୟ : ପ୍ୟାରୀମୋହନ : ପୃ୧୪୦

 

୨୭

ବକ୍‍ସିଂଙ୍କ ଅସନ୍ତୋଷର କାରଣ ସଂପର୍କରେ ପ୍ୟାରୀମୋହନଙ୍କ ମନ୍ତବ୍ୟ– ‘‘ରୋଜଗାର ଅଧିକାରରୁ ଏକ ପ୍ରକାର ଚ୍ୟୁତ ହୋଇ, ଜଗବନ୍ଧୁ ନିତାନ୍ତ ଦୈନ୍ୟ ଦଶାକୁ ଲଭିଥିଲେ । କୌଣସି ମତେ ଖୋର୍ଦ୍ଧାର ରାଜାଙ୍କୁ ପୁଣି ସିଂହାସନରେ ବସାଇ ପାରିଲେ ତାଙ୍କ ପୈତୃକ ରାଜ୍ୟ ଲଭି ପାରିବେ, ଏହି ଆଶାରେ ପାଇକଙ୍କ ବିଦ୍ରୋହର ନେତୃତ୍ୱ ଗ୍ରହଣ କଲେ । (ଆଚାର୍ଯ୍ୟ: ପୃ୧୬୧)

 

୨୮

ସୋମ ଶିବଚନ୍ଦ୍ର : ଶକାବ୍ଦ ୧୭୮୯ : ପୃଷ୍ଠା ୧୧୫-୧୧୭

 

୨୯

ଦ୍ରଷ୍ଟବ୍ୟ : ପୁସ୍ତକ ଟିପ୍‍ପଣୀ ୧୯

ଏବଂ ଦାଶ ଗଗନେନ୍ଦ୍ର (୧୯୪୪) ଓଡ଼ିଆ ଭାଷା ଚର୍ଚ୍ଚାର ପରମ୍ପରା, ଓଡ଼ିଆ ଗବେଷଣା ପରିଷଦ, କଟକ ।

 

୩୦.

(କ)

ଷ୍ଟର୍ଲିଂଙ୍କ କଳାପାହାଡ଼ରେ ଆକ୍ରମଣ ସଂପର୍କରେ ମନ୍ତବ୍ୟ :

A proverb still survives that on the sound of the Muhammadan Kettledrums the noses of the gods dropped off. The refugee emperor, who had found an asylum from the wrapth of Bengal Kirg at the Orissa Court, shared the ruir of his protector, and fell beneath the dragger of his victorious rival. ତାଙ୍କ ମତରେ ଏହା ୧୪୮୭ରୁ ୧୫୦୯ ମସିହା ମଧ୍ୟରେ ସଂଘଟିତ ଘଟଣା ।

 

 

(ଖ)

ଆମସ୍ ସଟନଙ୍କ ଭାଷାରେ–"..... became ardentless persecutor of the faith from which he had apostatized. Many dire omens preceeded announcing his invagour of the province amongst others, a large stone fell from the top of the great temple at Pooree, and when he entered the sacred Khetra, a general darkness overspread the four corners of the Lord. At the ears and the feet of the idols would drop off for many Koss all around, and, in short, that nothing could resist by his informal agency. PP.44, Orissa and its Evangelization, Chapter-2.

 

 

(ଗ)

ହଣ୍ଟର ଏହି ଘଟଣା ୧୫୫୯ରୁ ୧୫୭୮ ମସିହା ମଧ୍ୟରେ ଘଟିଥିବାର ଅନୁମାନ କରନ୍ତି । ତାଙ୍କ ବର୍ଣ୍ଣନା: At last, however, came Kala Pohara, General of the Bergal forces, the destined conquerer of Orissa, with his wonder-marking Kettle-drum, at the sound of which the ears and feet of the idols would drop off for many Kosa all around ଏବଂ Kala Pahara was not however, to be defrauded of so rich a prize, and having traced out the place of concealment, he dugul Sri Jeo and carried him of on an elephant. xx He then collected a large pile of wood and setting fire to it, threw the idol on the burning heap, but immediately all his limbs dropped off and he perished miserably.

 

(ଘ) ଶ୍ରୀ ଭବାନୀ ଚରଣ ବନ୍ଦୋପାଧ୍ୟାୟ କବିତାରେ ଲେଖିଛନ୍ତି -

ଏଇ ଅଧିକାରେ କଳାପାହାଡ଼ ନାମକ

ଆସିଲ ଜଙ୍ଘନ ଏକ ଦେବତା ହିଂସ୍ରକ

।।

ଆଛିଲ ତାହାର ସଙ୍ଗେ ଭୟଙ୍କର ତୌଲ

କଠିନ କଠୋର କଟୁ ଫାନ୍ଦିତ ସେ ବୋଲ

।।

ଏଇରବେ ଦେବତା କରେନ ପଲାୟନ

ଏଇ ରୂପେ ଜନଶ୍ରୁତି ବିଖ୍ୟାତି ଭୂବନ

।।

ତଥାୟ ଆସିୟା ଦୁଷ୍ଟ ଦୁରନ୍ତ ଜବନ

ଦ୍ରୋଣକାଷ୍ଠେ ତ୍ରିମୂର୍ତ୍ତିକେ କରୟେ ଦହନ

।।

ଏମତ ସମୟେ ତାର ଶରୀର ସକଲ

ଫାଟିତେ ଲାଗିଲ ତାହେ ହବାଇ ବିକଲ

।।

– ପୁରୁଷୋତ୍ତମଚନ୍ଦ୍ରିକା, ପୃ ୬୩, ୬୪ ।

(ଙ) କନ୍ଧାପାହାଡ଼ ସଂପର୍କରେ ରାଜେନ୍ଦ୍ରଲାଲ ମିତ୍ରଙ୍କ ମନ୍ତବ୍ୟ –

a.

When the priests at Puri saw the turn which matters were taking, they again for the third time in their annals, hurried away the helpless god or a covered cart, and buried him in a Pit at Parikud, on the Chilika Lake. Kalapahara was not, however, to be defrauded of so rich a prize, and having traced out the place of concealment, he dug Sri Jeo and carried him off an elephant, as far as the Gangas, after breaking in pieces every image in the Khetra. He then collected a large pile of wood, and setting fire to it, threw the idol on the burning heap, but immediately all his limbs dropped off and he perished miserably. A by-stander observed, this is a punishment for the indigrity offered to the Deo of Orissa. P111

 

b.

Kalapahara, the redoubtable chompion of Islam and uncompromising iconoclast, assailed Orissa in the year 1558, and after the great battle fought before Yajpur, when the independence of the Uriyas finally succumbed to his sword, sweft away every vestige of Hindusim that fell in his way. Temples were demolished and dismentaled, idols defaced, or pounded down or cast into the river, and accumulated treasures of art of a thousand years were lost for ever. So complete was the havoc committed that, with the exception of a solitary monumental pillar and a few broken stones, there is nothing left now to convey a fair idea of what Yajpur contained in the days of its glory. The only other monument in the twon is the Cerotaph of Sayyad Ali Bukhari, a Pathan saint of some renown, who accompanied Kalapahara. It is said that after the battle at Yajpur, he accompanied his chief to Katak, where he displayed great volour on the siege of for Barabati, but it garrisan was about to yeild, his head was served by the sword of the enemy.

 

ଶ୍ରୀ ମିତ୍ର, କଳା ପାହାଡ଼କୁ କେନ୍ଦ୍ର କରି ଯାଜପୁର ଅଞ୍ଚଳରେ ଆଜି ମଧ୍ୟ କଥିତ ବହୁ କାହାଣୀର ବର୍ଣ୍ଣନା କରିଛନ୍ତି ।

 

Mitra R.L. : Antiquities of Orissa, Vol.I, P-111, 157, 158, 159

 

ଉପର୍ଯ୍ୟୁକ୍ତ ଉଦ୍ଧୃତିକୁ ଆଧାର କରି ପ୍ୟାରୀମୋହନଙ୍କ ବର୍ଣ୍ଣିତ କଳାପାହାଡ଼ ବୃତ୍ତାନ୍ତ କେତେ ମାତ୍ରାରେ ସ୍ଵତନ୍ତ୍ର ତାହାର ଆକଳନ କରାଯାଇପାରେ ।

 

୩୧.

ଓଡ଼ିଶାର ଇତିହାସର ପ୍ରଥମ ସଂସ୍କରଣର ଶେଷରେ ‘ଅଶୁଦ୍ଧି ସଂଶୋଧନ' ଶୀର୍ଷକ ପୃଷ୍ଠାରେ ଉଲ୍ଲେଖ ରହିଛି–‘‘ହଣ୍ଟର ବ୍ୟବହୃତ Blazing Pile of wood କୁ ଅନୁବାଦ କରି ଜଳୁଥିବା ବହ୍ନି ବ୍ୟବହାର କରାଯାଇଛି । କେହି କେହି ଏହି ଶବ୍ଦକୁ ଦୁଇ ଅର୍ଥବୋଧକ ଜ୍ଞାନ କରନ୍ତି । ତେଣୁ କରି ଯେ ଇଚ୍ଛା କରନ୍ତି ସେ ୯୫ ପୃଷ୍ଠା ୧ ଓ ୩ ପଂକ୍ତିରୁ ଚିତା ଶବ୍ଦ ଉଠାଇ ଦେଇ ପାଠ କରିବେ ।

 

In 1558 the Musalman general tracked him to his didding place, and digging him up carried him off on an elephant to the Gangas. There, he determined to make an end of the god of Orissa and threw him on a blazing pile of wood. In the same moment the vaunting musalman’s limbs dropped off and he fell dead. Hunter, 1872 PP.85

 

୩୨.

ଦ୍ରଷ୍ଟବ୍ୟ : ସଂଲଗ୍ନିକା ୪, ୫, ୬, ୭, ୮, ୧୦, ୧୧, ୧୨

 

୩୩.

ପ୍ୟାରୀମୋହନ ଅନ୍ୟ ଐତିହାସିକମାନଙ୍କ ପରି ମାଦଳାପାଞ୍ଜିକୁ, ଅବଶ୍ୟ ପ୍ରଧାନ ଆକର ଗ୍ରନ୍ଥ ରୂପରେ ଗ୍ରହଣ କରିଛନ୍ତି । ମାତ୍ର ତାଙ୍କ ଅନୁମାନ ଅନ୍ୟ ଐତିହାସକମାନଙ୍କ ବିଚାରଠାରୁ ଯେ ବହୁ ଉପକାର ସ୍ଵତନ୍ତ୍ର, ଏହା ଯେ କେହି ସ୍ୱୀକାର କରିବ ।

 

୩୪.

କର ବିଶ୍ୱନାଥ : ଓଡ଼ିଶାର ଇତିହାସ ଦ୍ୱିତୀୟ ସଂସ୍କରଣର ଭୂମିକା ୧୯୨୫, ଉତ୍କଳ ସାହିତ୍ୟ ପ୍ରେସ୍, କଟକ ।

 

ସଂଲଗ୍ନିକା

୧.

‘ଓଡ଼ିଶାର ଇତିହାସ’ର ଭୂମିକା

୨.

ଓଡ଼ିଶାର ଇତିହାସ : ସମୀକ୍ଷା ଉତ୍କଳ ଦୀପିକା ୨୦.୯.୧୮୭୯

୩.

No HumBua ଛଦ୍ମନାମର ଏକ ଇଂରାଜୀ ଉ.ଦୀ, ୨୦.୩, ୧୮୮୦

୪.

ଏକ ସମ୍ବାଦ : ଉ.ଦୀ. ୩.୪.୧୮୮୦

୫.

କାଳୀ ବାବୁଙ୍କ ଗଣ୍ଡଗୋଳ : ଉ.ଦୀ. ୧୦.୪.୧୮୮୦

୬.

ଏକ ସମ୍ବାଦ : ଉ.ଦୀ. ୧୭.୪.୧୮୮୦

୭.

ଅସତ୍ୟ ବୈରୀ ଛଦ୍ମନଗରେ ଏକ ଚିଠି - ଉ.ଦୀ. ୮.୫.୧୮୮o

୮.

ଏକ ସମ୍ବାଦ : ଉ.ଦୀ. ୧୫.୫.୧୮୮o

୯.

ପ୍ରାପ୍ତ ଗ୍ରନ୍ଥର ସଂକ୍ଷିପ୍ତ ଆଲୋଚନା, ଓଡ଼ିଶାର ଇତିହାସ : ବାବୁ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ପ୍ରଣୀତ ବାଲେଶ୍ୱର ସମ୍ବାଦବାହିକା - ତା୯.୨.୧୮୮୦

୧୦.

ଏକ ସମ୍ବାଦ : ବା.ସ.ବା. ୨୫.୩, ୧୮୮o

୧୧.

ଏକ ସମ୍ବାଦ : ବା.ସ.ବା. ୬.୫.୧୮୮୦

୧୨.

ଏକ ସମ୍ବାଦ : ବା.ସ.କା. ୧୩.୫.୧୮୮o

 

 

(୧) ଓଡ଼ିଶାର ଇତିହାସର ଭୂମିକା :

ସନ ୧୮୭୫ ମସିହାରେ ଓଡ଼ିଶା ସ୍କୁଲସମୂହର ଜଏଣ୍ଟ ଇନିସ୍‌ପେକଟର ବିଜ୍ଞାପନ ଦେଇଥିଲେ ଯେ ଉତ୍କଳଭାଷାରେ ଖଣ୍ଡେ ଓଡ଼ିଶାର ଇତିହାସ ରଚିତ ହେଲେ ଏବଂ ତାହା ଓଡ଼ିଶା ବିଦ୍ୟାଳୟସମୂହର ଜଏଣ୍ଟ ଇନିସ୍‌ପେକ୍ଟରଙ୍କ ଅଫିସରେ ଗ୍ରାହ୍ୟ ହେଲେ ରଚକଙ୍କୁ ଗବର୍ଣ୍ଣମେଣ୍ଟ ତିନିଶତଟଙ୍କା ପୁରସ୍କାର ଦେବେ । ଉକ୍ତ ବିଜ୍ଞାପନ ପାଠ କରି ଆମ୍ଭେ ଏହି ପୁସ୍ତକ ରଚନା କରି ଜଏଣ୍ଟ ଇନିସ୍‌ପେକ୍ଟରଙ୍କ ହସ୍ତରେ ଅର୍ପଣ କଲୁଁ । ଅବଶେଷରେ ଉକ୍ତ ମସିହାର ଶେଷଭାଗକୁ ଥରେ ଉତ୍ତମରୂପେ ସଂଶୋଧନ କରି ଏହାକୁ ମୁଦ୍ରିତ ଓ ପ୍ରକାଶିତ କରିବାର ଆମେ ଆଦେଶ ପ୍ରାପ୍ତ ହେଲୁ-। ସେହି ସମୟରେ କମିଶନରୀ କଚେରୀର କାଗଜପତ୍ରମାନ ଅନୁସନ୍ଧାନ କରି ଆବଶ୍ୟକୀୟ ଐତିହାସିକ ସତ୍ୟ ସମସ୍ତ ସଂକଳନ କରିବା ସକାଶେ କମିଶନର ରାଭେନ୍‌ସା ସାହେବଙ୍କଠାରୁ ମଧ୍ୟ ଆମ୍ଭଙ୍କୁ ଆଦେଶ ମିଳିଲା । ତଦନୁସାରେ ଯଥାସାଧ୍ୟ ଥରେ ସଂଶୋଧନ କରିବା ଯୋଗୁଁ ଏବଂ ଶାରୀରିକ ଅସୁସ୍ଥତା ହେତୁ ମୁଦ୍ରାଙ୍କନ କାର୍ଯ୍ୟ ବିଳମ୍ବରେ ସାଧିତ ହୋଇଅଛି ।

 

ଏହି ପୁସ୍ତକର ପରିଶିଷ୍ଟରେ କେବଳ ଖଣ୍ଡଗିରି ପାର୍ଶ୍ଵବର୍ତ୍ତୀ ଉଦୟଗିରି ଏବଂ ଧଉଳିଗିରିସ୍ଥ ଅଙ୍କନଦ୍ୱୟର ଯଥୋଚିତ ଅନୁବାଦ ଏବଂ ସ୍ଵାଧୀନ ହିନ୍ଦୁରାଜାଙ୍କର ଏକ ନିର୍ଘଣ୍ଟ ପ୍ରକାଶିତ ହେଲା । ଗଞ୍ଜାମ ଓ ସମ୍ବଲପୁର ଉତ୍କଳଦେଶର ଅନ୍ତର୍ଗତ ଅଟେ । ସେଠା ଲୋକଙ୍କର ଓଡ଼ିୟା ମାତୃଭାଷା ଓ ସର୍ବଅଂଶରେ ସେମାନେ ଓଡ଼ିୟା । ଏହି ଦୁଇ ଜିଲ୍ଲା ବର୍ତ୍ତମାନର ଓଡ଼ିଶାରୁ ଇଂରାଜଙ୍କ ଦ୍ଵାର। ବିଚ୍ଛିନ୍ନ ହୋଇଅଛି । ସମ୍ବଲପୁର ଇଂରାଜଙ୍କ ଶାସନାଧୀନରେ ସୁଦ୍ଧାକିଛି କାଳ ଓଡ଼ିଶାର ଅଙ୍ଗୀଭୂତ ଥିଲା । ଅବଶେଷକୁ ସନ ୧୮୬୨ ମସିହାରେ ଓଡ଼ିଶାରୁ ଛିନ୍ନ ହୋଇ ମଧ୍ୟପ୍ରଦେଶର ଅନ୍ତର୍ଭୁତ ହୋଇଅଛି-। ଏ ଦୁଇ ଜିଲ୍ଲାର ଭୂଗୋଳ ଓ ଇତିହାସ ପରିଶିଷ୍ଟରେ ଦେବାର ଇଚ୍ଛା ଥିଲା; ମାତ୍ର ପୁସ୍ତକର ଅବୟବ ବୃଦ୍ଧି ସୁତରାଂ ମୂଲ୍ୟ ବୃଦ୍ଧି ଭୟରେ ସେ ଇଚ୍ଛା ସାଧନରୁ ବିରତି ହେଲୁ । ଉକ୍ତ ଦୁଇ ଜିଲ୍ଲାର ସ୍କୁଲମାନଙ୍କରେ ଏ ପୁସ୍ତକ ବ୍ୟବହୃତ ହେବାର ଆଶା ପ୍ରାପ୍ତ ହେଲେ ବାରାନ୍ତରେ ଆମ୍ଭର ଏ ବାସନା ପୂର୍ଣ୍ଣ କରିପାରୁ ।

 

ଓଡ଼ିଶାରେ ଜଗନ୍ନାଥ ପ୍ରଭୃତିଙ୍କ ଯୋଗୁଁ ଜାତିବନ୍ଧନରେ ଯେପରି ତୀର୍ଥସ୍ଥଳମାନଙ୍କରେ ଶିଥିଳତା ଦେଖାଯାଏ, ସେହିପରି ତୀର୍ଥ ଛଡ଼ା ଅନ୍ୟତ୍ର ହିନ୍ଦୁସମାଜ ମଧ୍ୟରେ ଜାତି ଓ ବର୍ଣ୍ଣ ବିଚାରର ପରାକାଷ୍ଠା ଓଡ଼ିଶାରେ ଦୃଷ୍ଟ ହୁଏ । ଏଥିର ଇତିବୃତ୍ତ ଅବଶ୍ୟ ପ୍ରୀତିକର; ମାତ୍ର ଅତି ସଂକ୍ଷେପରେ ସେଥିର ବର୍ଣ୍ଣନା କଲେ ଏକ ବୃହତ ଗ୍ରନ୍ଥ ହୋଇଉଠିବ । ଏଠା ବ୍ରାହ୍ମଣମାନେ ବହୁ ଶ୍ରେଣୀରେ ବିଭକ୍ତ । ପୁସ୍ତକଲିଖିତ ତିନିଶ୍ରେଣୀୟ ବ୍ରାହ୍ମଣ ଛଡ଼ା ଆଠଗ(ଗୁ)ଡିୟା ପ୍ରଭୃତି ଆହୁରି କେତେକ ଶ୍ରେଣୀୟ ବ୍ରାହ୍ମଣ ଓଡ଼ିଶାରେ ଅଛନ୍ତି । କରଣଙ୍କର ମଧ୍ୟ ଓଡ଼ିଶାରେ ଉପନିବେଶ କୌତୁକାବହ । ଏହି କରଣଙ୍କର ଆଦିମଅବସ୍ଥା, ଉତ୍ପତ୍ତିସ୍ଥାନ ପ୍ରଭୃତି ଅନୁସନ୍ଧାନ କରି ସ୍ଥିର କରିବା ସକାଶେ ଉତ୍କଳହିତୈଷୀ ମୃତ ବାବୁ ବିଚିତ୍ରାନନ୍ଦ ଦାସ କରଣକୁଣ୍ଡଳ ନାମକ ଏକ ପୁସ୍ତକ ରଚନା କରିଥିଲେ-। ତାହା ମୁଦ୍ରିତ ହୋଇନାହିଁ । ସେଥିର ହସ୍ତଲିପି ଆମ୍ଭର ହସ୍ତଲବ୍ଧ ହୋଇଥିଲା । ବାବୁ ମହାଶୟ ବହୁ ଶ୍ରମ ଓ ଯତ୍ନ କରି ଅନେକ ପୁରାଣରୁ କରଣ ଶବ୍ଦବୋଧକ ଅନେକ ଶ୍ଳୋକମାନ ସଂଗୃହୀତ କରିଅଛନ୍ତି । ସାହିତ୍ୟ ଚର୍ଚ୍ଚା ବିଷୟରେ ଏପରି ଅଧ୍ୟବସାୟ ଓ ଯତ୍ନ ଏ ପ୍ରଦେଶରେ ଅତି ଅଳ୍ପ ଦେଖାଯାଏ ; ମାତ୍ର ଦୁଃଖର ବିଷୟ ଯେ, ବାବୁ ମହାଶୟ ଐତିହାସିକସୂତ୍ର କ୍ରମେ କରଣଙ୍କର ଇତିବୃତ୍ତ ସଂଗ୍ରହ କରିବାକୁ ଚେଷ୍ଟା କରିନାହାନ୍ତି । ବର୍ତ୍ତମାନ କରଣମାନଙ୍କ ବିଷୟରେ ଯେତେଦୂର ଜଣାଯାଇଅଛି ସେଥିରୁ ବୋଧହୁଏ ଯେ, ଯଯାତିକେଶରୀ ଏମାନଙ୍କ ଆଦିପୁରୁଷଙ୍କୁ ମଗଧଦେଶରୁ ଗୁପ୍ତବଂଶୀୟରାଜାଙ୍କୁ କହି ଅଣାଇଥିଲେ । ଉତ୍ତରଭାରତବର୍ଷର କାୟସ୍ଥମାନେ ଦ୍ଵାଦଶ ଶ୍ରେଣୀରେ ବିଭକ୍ତ ; ସେଥିମଧ୍ୟରୁ ଏକଶ୍ରେଣୀ କରଣରୂପେ ଅଭିହିତ । ଅଧୁନା ବେହାରର (ମଗଧ) କରଣ ଶ୍ରେଣୀୟ କାୟସ୍ଥଙ୍କ ପୂର୍ବପୁରୁଷେ ଏଠା କରଣଙ୍କର ଗୋଷ୍ଟିର ମୂଳ । ପ୍ରବାଦ ପ୍ରଚଳିତ ଅଛି ସାର୍ଦ୍ଧଦୁଇ ଘରକରଣ ଓଡ଼ିଶା କରଣଙ୍କର ମୂଳ ଅଟନ୍ତି । ସେଥିର ଅର୍ଥ ଅବଶ୍ୟ ଯେ ଅତି ଅଳ୍ପ ସଂଖ୍ୟକ କରଣ ଏହା ନିଃସନ୍ଦେହ କଥା । ଯଯାତିଙ୍କି ଯେତେବେଳେ ଗୁପ୍ତବଂଶୀୟରାଜାଏ ଓଡ଼ିଶାରେ ଶାସନକର୍ତ୍ତା କରି ଗଲେ, ଓଡ଼ିଶାରେ ତେତେବେଳେ ଲେଖକଶ୍ରେଣୀର ଅଭାବ ଥିବା ସ୍ଥଳେ ସେ ମଗଧରୁ ଲେଖକସ୍ୱରୂପ ଜଣକେତେ କରଣକାୟସ୍ଥଙ୍କୁ ମଧ୍ୟ ଅଣାଇଥିବାର କୌଣସିରୂପେ ଅସମ୍ଭବପର ନୁହେ । ଏ ସମସ୍ତ ଜାତିବିଚାର ଈଶ୍ଵରଙ୍କର କୃପା ହେଲେ, ପୁସ୍ତକାନ୍ତରେ ପ୍ରକାଶିତ କରିବାକୁ ଇଚ୍ଛା ରହିଲା । ସୁତରାଂ ଏମାନଙ୍କର ସଂକ୍ଷିପ୍ତ ଇତିବୃତ୍ତ ପରିଶିଷ୍ଟରେ ଦେବାକୁ ଇଚ୍ଛା ଥିଲେ ସୁଦ୍ଧା ଦେବାରୁ କ୍ଷାନ୍ତ ହେଲୁ ।

 

ପୁସ୍ତକର ଅନେକ ଅଂଶରେ ବିଷୟ ଓ ଲିପିଗତ ଅଶୁଦ୍ଧିମାନ ଅବଶ୍ୟ ଅଛି । ଅଜ୍ଞାନତା ବିଷୟଗତ ଅଶୁଦ୍ଧିର ମୂଳ ଏବଂ ପୀଡ଼ିତାବସ୍ଥାରେ ଅଧିକାଂଶ ପ୍ରୁଫ ଦେଖା ହୋଇଥିବାରୁ ଅସାବଧାନତା ଲିପିଗତ ଅଶୁଦ୍ଧିରୁ ହେତୁ ଅଟଇ । ପାଠକେ ଏ ସମସ୍ତ ଦୋଷ ଅନୁଗ୍ରହପୂର୍ବକ କ୍ଷମା କରିବେ ଏବଂ ଦୋଷମାନ ବିଶେଷତଃ ବିଷୟଗତ ତ୍ରୁଟିମାନ ଆମ୍ଭଙ୍କୁ ଦେଖାଇ ଦେଲେ ଆମ୍ଭେ ଅତ୍ୟନ୍ତ ବାଧିତ ଓ କୃତଜ୍ଞ ହେବୁ । ପୁନଶ୍ଚ କେତେକ ବିଷୟଗତ ତ୍ରୁଟି ମଧ୍ୟ ପୁସ୍ତକର କେତେକ ଅଂଶମାନ ମୁଦ୍ରିତ ହେଲା ଉତ୍ତାରୁ ଆମ୍ଭେ ଜାଣିପାରିଅଛୁ । ଉପେନ୍ଦ୍ରଭଞ୍ଜ ଘୁମୁଷରର ରାଜା ଥିଲେ ବୋଲି ଆମ୍ଭର ଚିରନ୍ତନ ବିଶ୍ୱାସ ଥିଲା, ସେହିପରି ମଧ୍ୟ ଲିପିବଦ୍ଧ ଓ ମୁଦ୍ରିତ ହୋଇଅଛି, ମାତ୍ର ଅଳ୍ପଦିନ ହେଲା ଅନୁସନ୍ଧାନଦ୍ୱାରା ଜାଣିଅଛୁ ଯେ ଉପେନ୍ଦ୍ର ଘୁମୁଷରର ରାଜା କୃଷ୍ଣଭଞ୍ଜଙ୍କର ଭାଇ ଓ ଶ୍ରୀକର ଭଞ୍ଜଙ୍କର ଖୁଡ଼ୁତା ଥିଲେ । ବାରାନ୍ତରେ ଏ ସମସ୍ତ ସଂଶୋଧନ କରିଦେବୁ ।

 

ଏଠାରେ କୃତଜ୍ଞତା ସହିତ ସ୍ୱୀକାର କରିବାର ଉଚିତ ଯେ ଏହି ପୁସ୍ତକଗତ ବିଷୟମାନ ସଂକଳନ କରିବା ବିଷୟରେ ଅନେକ ଗ୍ରନ୍ଥ ଓ କାଗଜପତ୍ରର ସାହାଯ୍ୟ ନେଇଅଛୁ । ହଣ୍ଟର, ଷ୍ଟର୍ଲିଂ, ସଟନ, ଟଏନବୀ ଓ ମିତ୍ରଲିଖିତ ଓଡ଼ିଶାର ବିବରଣାବଳୀ; ଲୋକସଂଖ୍ୟା ବିଜ୍ଞାପନୀ; ଏଲଫିଲଷ୍ଟୋନ୍, ମାର୍ସମାନ୍, ବ୍ଲଗମାନ ପ୍ରଭୃତି ଲିଖିତ ଭାରତ ଇତିବୃତ୍ତ ଓ ମୁସଲମାନ ବିବରଣୀ; ଏସିଆଟିକ ସୋସାଇଟିର କେତେକ ବିଜ୍ଞାପନୀ; ମନୁ, ଚୈତନ୍ୟଚରିତାମୃତ, ଦାଢ଼୍ୟତାଭକ୍ତି ପ୍ରଭୃତି କତିପୟ ସଂସ୍କୃତ, ବଙ୍ଗଳା ଓ ଓଡ଼ିୟାଗ୍ରନ୍ଥ; କମିଶନରୀ କଚେରୀସ୍ଥ କେତେକ ପୁରାତନ ଓ ଆଧୁନିକ କାଗଜପତ୍ର, ସେସବୁ ମଧ୍ୟରୁ ପ୍ରଧାନ । ସମସ୍ତ ନାମ କରିବାର ଏଠାରେ ନିଷ୍ପ୍ରୟୋଜନ । ପୁରାବୃତ୍ତବିଦ୍ ବାବୁ ରଙ୍ଗଲାଲ ବାନୁର୍ଯ୍ୟାଙ୍କ ସାହାଯ୍ୟରେ ତମ୍ବାପଟ୍ଟା ପ୍ରଭୃତିରୁ ଯେତେକ ଐତିହାସିକ ସତ୍ୟ ମିଳିପାରେ ଓ ସମଗ୍ର ଓଡ଼ିଶାର ଇତିହାସ ବିଷୟରେ ଯେତେକ ବିବରଣ ପ୍ରାପ୍ତବ୍ୟ ତାହା କୃତଜ୍ଞତାର ସହିତ ଗ୍ରହଣ କରିଅଛୁ ।

 

ଇଂରାଜ ଶାସନ ସମ୍ବନ୍ଧରେ ଲିଖିତବ୍ୟ ବିଷୟ ଅନେକ ଅଟଇ । ସେ ସମସ୍ତ ଇଂରାଜଶାସନ ଅଧ୍ୟାୟରେ ସଂକଳିତ ହୋଇନାହିଁ । କେବଳ ସଂକ୍ଷେପରେ ଓଡ଼ିଶା ବିଦ୍ୟାଳୟ ଛାତ୍ରଙ୍କର ଜାଣିବାଭଳି ଗୋଟିକେତେ ପ୍ରଧାନ ପ୍ରଧାନ ବିଷୟର ବିବରଣ ବର୍ଣ୍ଣନା କରିଅଛୁ ।

 

କଟକ

୧୩-୮-୭୯

ଶ୍ରୀ ପ୍ୟାରୀମୋହନ ଆଚାର୍ଯ୍ୟ ।

 

 

(୨) ଉତ୍କଳ ଦୀପିକା ତା୨୦ରିଖ ସେପ୍ଟେମ୍ବର-୧୮୭୯

ଓଡ଼ିଶାର ଇତିହାସ

ଏହି ପୁସ୍ତକ ଅତି ଅଳ୍ପଦିନ ହେଲା କଟକ ପ୍ରିଣ୍ଟିଂ କମ୍ପାନୀଙ୍କ ଯନ୍ତ୍ରାଳୟରୁ ବାହାରିଅଛି ଏବଂ ଆମ୍ଭେମାନେ ଏଥିରୁ ଏକଖଣ୍ଡ ଗ୍ରନ୍ଥକର୍ତ୍ତାଙ୍କ ଠାରୁ ଉପହାର ପ୍ରାପ୍ତ ହୋଇ ଅତ୍ୟନ୍ତ ଆଦରପୂର୍ବକ ଗ୍ରହଣ କରି ତହିଁ ପାଇଁ କୃତଜ୍ଞତା ସ୍ୱୀକାର କରୁଅଛୁ । ଗ୍ରନ୍ଥକର୍ତ୍ତାବାବୁ ପ୍ୟାରୀମୋହନ ଆଚାର୍ଯ୍ୟ । ଦୀପିକା ପାଠକଙ୍କଠାରେ ଏ ଓଡ଼ିଶାବାସୀ କୃତବିଦ୍ୟ ଯୁବା ଅପରିଚିତ ନାହାନ୍ତି । କାରଣ ଅନେକ ସଭା ଓ ବକ୍ତୃତା ପ୍ରସଙ୍ଗରେ ଏହାଙ୍କର ଯେ ଉଲ୍ଲେଖ ଆମ୍ଭେମାନେ କରିଅଛୁ ଏବଂ ଏଥିପୂର୍ବେ ଉତ୍କଳପୁତ୍ର ନାମରେ ଯେଉଁ ସମ୍ବାଦପତ୍ର ଏଠାରେ ପ୍ରଚାରିତ ହେଉଥିଲା ତଦ୍ୱାରା ମଧ୍ୟ ସର୍ବସାଧାରଣ ଏହାଙ୍କର ଯଥେଷ୍ଟ ପରିଚୟ ପାଇଅଛନ୍ତି ।

 

ଓଡ଼ିୟା ଭାଷାରେ ଓଡ଼ିଶାର ଇତିହାସ ଆଦୌ ନ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ସଟନ୍ ସାହେବଙ୍କ ସଂକଳିତ ପୁସ୍ତକ କେବଳ ନାମମାତ୍ର ଇତିହାସ ଅଟଇ । ଓଡ଼ିଶା ଶିକ୍ଷା ବିଭାଗର କର୍ମଚାରୀମାନେ ଏ ଗୁରୁତର ଅଭାବ ମୋଚନ କରିବା ଉଦ୍ଦେଶ୍ୟରେ ସନ ୧୮୭୫ ସାଲରେ ଖଣ୍ଡିଏ ଉତ୍ତମ ଓଡ଼ିଶାର ଇତିହାସ ସକାଶେ ଟ୩୦୦ଙ୍କା ପାରିତୋଷିକ ଦେବା ବିଷୟରେ ବିଜ୍ଞାପନ ଦେବାରୁ ତହିଁର ଫଳସ୍ଵରୂପ ଏ ପୁସ୍ତକ ଖଣ୍ଡି ବାହାରିଅଛି । ଆମ୍ଭେମାନେ ଏହାର ଅନେକାଂଶ ପାଠକରି ଅତ୍ୟନ୍ତ ଆନନ୍ଦ ଲାଭ କରିଅଛୁଁ ଏବଂ ବିବେଚନା କରୁ ଯେ ଗବର୍ଣ୍ଣମେଣ୍ଟର ପ୍ରଦତ୍ତ ଟଙ୍କା ସତ୍‍ପାତ୍ରରେ ପତିତ ହୋଇ ସୁଦର ଫଳ ଜାତ କରିଅଛି । ଓଡ଼ିଶାର ଇତିହାସ ଓ ପ୍ରାଚୀନ ଗୌରବ ଏବଂ ଆଧୁନିକ ଅବସ୍ଥା ସମ୍ବନ୍ଧରେ ଷ୍ଟର୍ଲିଂ, ହଣ୍ଟର, ଟଏନବି ସାହେବମାନେ ଏବଂ ବାବୁ ରାଜେନ୍ଦ୍ର ଲାଲ ମିତ୍ର ଯେ ସମସ୍ତ ଗ୍ରନ୍ଥମାନ ଲେଖିଅଛନ୍ତି ଏବଂ ବାବୁ ରଙ୍ଗଲାଲ ବନ୍ଦ୍ୟୋପାଧ୍ୟାୟଙ୍କ ପରିଶ୍ରମରେ ତମ୍ବାପଟା ସନନ୍ଦ ଏବଂ ଅନ୍ୟାନ୍ୟ ସୂତ୍ରରୁ ଯେ ସମସ୍ତ ଐତିହାସିକ ଓ ଅନ୍ୟାନ୍ୟ ବିବରଣମାନ ଜଣାଯାଇଅଛି, ଗ୍ରନ୍ଥାକାର ସେ ସମସ୍ତଙ୍କର ସାରମର୍ମ ସଂକଳନ କରିବାରେ ଯଥାସାଧ୍ୟ ଅଧ୍ୟବସାୟ ଦେଖାଇ ଅଛନ୍ତି ଏବଂ ଅନ୍ୟାନ୍ୟ ସୂତ୍ରରୁ ମଧ୍ୟ ଉପକରଣ ସଂଗ୍ରହ କରିବାରେ ତ୍ରୁଟି କରିନାହାନ୍ତି । ଆମ୍ଭେମାନେ ଏଥିପାଇଁ ତାହାଙ୍କୁ ଧନ୍ୟବାଦ ଦେଉଅଛୁ । ଏ ପୁସ୍ତକ ରଚନାପ୍ରଣାଳୀ ସୁନ୍ଦର ଏବଂ ଏହା ସର୍ବାଙ୍ଗରେ ସୁପାଠ୍ୟ ଅଟଇ । ଚିକ୍କଣ ସାଧୁଭାଷା ସଙ୍ଗେ ସଙ୍ଗେ ଗୋଟିଏ ଅତି ଗ୍ରାମ୍ୟଭାଷା ଏବଂ ଦୁଇ ଏକ ସ୍ଥଳରେ ଅସଙ୍ଗତଭାବ ଇତ୍ୟାଦି ଦୋଷ ଆମ୍ଭମାନଙ୍କ ଦୃଷ୍ଟି ପଥରେ ଆସିଥିଲେ ହେଁ ତହିଁର ଉଲ୍ଲେଖ ଆବଶ୍ୟକ ନ ରଖେ । ବିଶେଷରେ ଭୂମିକାରେ ଗ୍ରନ୍ଥକାର ସ୍ଵୟଂ ସ୍ୱୀକାର କରିଅଛନ୍ତି ଯେ ତାହାଙ୍କର ପୀଡ଼ା ଏବଂ ଅନ୍ୟାନ୍ୟ କାରଣ ଭ୍ରମ ସଂଶୋଧନ ପକ୍ଷରେ ସମୁଚିତ ପ୍ରତି ବିଧାନ କରିପାରି ନାହାନ୍ତି । ସୁତରାଂ ଆମ୍ଭେମାନେ ଆଶା କରୁଁ ଯେ ତୃତୀୟ ସଂସ୍କରଣରେ ସେ ସବୁ ଅନ୍ତର୍ହିତ ହେବ ।

 

ପରିଶେଷରେ ଆମ୍ଭେମାନେ ଓଡ଼ିଶାବାସୀ ସର୍ବସାଧାରଣଙ୍କୁ, ବିଶେଷରେ ରାଜା, ଜମିଦାର ପ୍ରଭୃତିଙ୍କୁ ଏ ଗ୍ରନ୍ଥ ପାଠକରି ଏଥି ଲିଖିତ ବିଷୟମାନ ଆଲୋଚନା କରିବାକୁ ପ୍ରାର୍ଥନା କରୁ । ତା’ହେଲେ ସେମାନେ ଦେଶର ପୂର୍ବକାଳର ଗୌରବକୁ ସ୍ମରଣ ରଖି ପୁନର୍ବାର ତାହା ପ୍ରତ୍ୟକ୍ଷ କରିବାକୁ ବ୍ୟଗ୍ର ହେବେ ଏବଂ ଉତ୍ସାହପୂର୍ବକ ଉନ୍ନତିର ଚେଷ୍ଟା କରିବେ । ଆଉ ବିଦ୍ୟାଳୟ ସକାଶେ ଯେ ସ୍ଥଳେ ପୁସ୍ତକ ମନୋନୀତ ହୋଇଅଛି, ସେ ସ୍ଥଳେ ବିଦ୍ୟାଳୟର ପାଠ୍ୟପୁସ୍ତକ କରିବାକୁ ଶିକ୍ଷା କର୍ମଚାରୀଙ୍କ ଠାରେ ଅନୁରୋଧ କରିବା ବାହୁଲ୍ୟ ମାତ୍ର ।

 

(୩). ତା୨୦ରିଖ ମାର୍ଚ୍ଚ ୧୮୮୦ ମସିହା ଉତ୍କଳ ଦୀପିକା

ପ୍ରେରିତ ପତ୍ର

 

Το

The Editor of the Utkal Dipika

Sir,

The Indian Daily News of the 8th instant has I see referred to a passage in the History of Orissa published lately by Babu Pyari Mohan Acharya which in the opinion of the Editor is likely to create some excitement amongst the orthodox Uriyahs. The passage alluded to relates to the throwing of the idol of Jagannath by Kalapahar into a blazon pile of wood. I do not understand how could this have been taken objection to when a tradition to the same effect has been handed down to us from times immemorial, and when eminent writers. Such as Mr. Sterling, Mr. Sutton and Dr. Hunter have given a similar version of the same story. The Babu has done nothing else, but reproduced the same in Uriyah. He has now here, besides, said in his book that the idol was entirely burnt so that the Daily News may be led to suppose that with the extinction of the body the sancity of Jagannath is gone. We are at the spot, and in the midst of the Uriyah Community, put up to the present moment we have not heard of any sort of public excitement or any where marked the hostile feelings of the Public towards the book or its author. The alarm, therefore, of excitement tolled abroad in the columns of news papers is wide of the mark, and cannot but he has taken as the effusion of some disordered intellect who cries out The Wolf, The Wolf, when in act there is none to be seen in the neighbourhood. If the passage quoted by the Daily News, were Obnoxious, and any way offended the religious feelings of the Hindoo Community here, the Utkal Dipika and the other leading journals of the Day in Orissa would I am sure have never kept silence in the matter so long, but would on the other hand have been foremost in condemning the book, or recommending for its immediate exclusion from the school course. But I am surprised that the local papers been to have no knowledge of the agitation cleverly got up for the Calcutta Daily with the intention perhaps of bringing the author into disrepute or of insinuating the authorities to put a stop to the further circulation of the book in question, which for its real intrinsic value should in any opinion deserve greater encouragement. It is not my wish, nor should it be the wish of others, that real worth should succumb to private animosity. If their exists any where, it should be watched over with caution. It is not desirable that high handedness which is so universally condemned, should take the lead in matters involving justice and equity.

 

16.3.1880

Your's faithfully

No HumBug

 

(୪) ଉତ୍କଳ ଦୀପିକା ତା୩ରିଖ ଅପ୍ରେଲ ସନ ୧୮୮୦ ମସିହା

କାଳୀବାବୁଙ୍କ ଗଣ୍ଡଗୋଳ । ଗତ ଦୋଷପୂର୍ଣ୍ଣିମା ଦିନ ମୋଫସଲରେ ନୂତନ ପଞ୍ଜିକା ଶ୍ରବଣ କରିବାବେଳେ ବାବୁ କାଳୀପଦ ବାନୁର୍ଯ୍ୟା ଏବଂ ପ୍ୟାରୀବାବୁଙ୍କର ଓଡ଼ିଶା ଇତିହାସର କଥା ପ୍ରସଙ୍ଗ ସ୍ରୋତରେ ଆମ୍ଭ ମନରେ ପଡ଼ିଗଲା ଓ ସେକଥା ଭାବୁ ଭାବୁ ମନ ଟିକିଏ ବିଚଳିତ ଧରିଗଲା । ଭାଗ୍ୟେ ଦେହରେ ଅବିର ଓ ରଙ୍ଗପାଣି ଏବଂ ପେଟରେ ଠାକୁରଙ୍କର ଶୀତଳ ଭୋଗ ପଡ଼ିଲା ଯେ, ଆମ୍ଭେ ସୁସ୍ଥ ହୋଇ ଆପଣା ମନଭାବକୁ ଆପଣଙ୍କ ପାଠକଙ୍କ ନିମିତ୍ତ ଲେଖିବାକୁ ସମର୍ଥ ହେଲୁ । ତାହା ଏହି ।

 

ଉତ୍କଳ ପଞ୍ଜିକାରେ ଉତ୍କଳ ରାଜାଙ୍କ ବର୍ଣ୍ଣନାରେ ଲେଖାଅଛି–ମୁକୁନ୍ଦଦେବଙ୍କ ଅ୧୧ଙ୍କରେ କଳାପାହାଡ଼ ଅଇଲା, ଦେବଦଳନ ନାଗରା ବଜାଇବାରୁ ଦେବଦେବୀଙ୍କର ନାଶାକର୍ଣ୍ଣ ଛିଡ଼ି ପଡ଼ିଲା । ଏକଥା ଅନେକ ପୁରାତନ ଓ ବିଶୁଦ୍ଧ ହିନ୍ଦୁବର୍ଗଙ୍କ ସଭାରେ ପାଠ ହେଲା । ମାତ୍ର ତାହା ଶୁଣି କେହି ଭ୍ରୂକ୍ଷେପ ନ କଲେ । ଆମ୍ଭେ ସେ ସଭାରେ ଥାଇ ଏହା ଦେଖି ମନେକଲୁ ଦେବଦେବୀଙ୍କର ଏପରି ଅପମାନ କଥା ଶୁଣି ଏତେ ହିନ୍ଦୁଙ୍କ ମଧ୍ୟରୁ କେହି ଲେଶମାତ୍ର ବିରକ୍ତି ପ୍ରକାଶ ନକଲେ । ପ୍ୟାରୀବାବୁଙ୍କ ଲେଖା ଅପେକ୍ଷା ଉତ୍କଳ ପଞ୍ଜିକାର ଲେଖା ଦେବଦେବୀଙ୍କ ପ୍ରତି ଅଧିକ ଅପମାନ ସୂଚକ ଅଟଇ । ମନୁଷ୍ୟ ଦ୍ଵାରା ଦେବମୂର୍ତ୍ତି ପ୍ରତି ଯେପରି ଅତ୍ୟାଚାର ହେବାର ସମ୍ଭବ ତାହାଇ ପ୍ୟାରୀବାବୁ ଲେଖିଛନ୍ତି । ମାତ୍ର ପଞ୍ଜିକାରେ କେଡ଼େ ଅସମ୍ଭବ କଥା ଲେଖାଅଛି । କଳାପାହାଡ଼ ଛାର ଜବନ, ପୁଣି ତାହାର ଛାର ନାଗରାର ଏଡ଼େ ମହିମା ଯେ ତହିଁର ନାଦରେ ଦେବଦେବୀଙ୍କର ନାଶାକର୍ଣ୍ଣ ଛିଡ଼ି ପଡ଼ିଲା । ଦେବଦେବୀଙ୍କରକିଛି ହିଁ ମହିମା ନରହିଲା । ସେମାନଙ୍କ ମହିମାକୁ ଛାର ଜବନର ନାଗରାର ମହିମା ବଳି ପଡ଼ିଲା । ଦେଖ, ପଞ୍ଜିକାରେ କଳା ପାହାଡ଼ର କେଡ଼େ ଟେକ ହୋଇଅଛି, ତାକୁ କେଡ଼େ ଅଲୌକିକ ମହିମା ପ୍ରଦତ୍ତ ହୋଇଅଛି ଓ ଦେବଦେବୀଙ୍କର ମହିମାର କେଡ଼େ ଖର୍ବତା ହୋଇଅଛି । ଏପରି ଅସମ୍ଭବ ଓ ଦେବଦେବୀଙ୍କର ଅଧିକ ଅପମାନସୂଚକ ବଚନ ପ୍ରତିବର୍ଷ ମହାପର୍ବ ଦିନ ଦେବତାଙ୍କ ସାକ୍ଷାତରେ ଓ ହିନ୍ଦୁବର୍ଗଙ୍କ ମଧ୍ୟରେ ପଠିତ ହୁଅଇ, ତଥାଚ କେହି ବିରକ୍ତ ବା ଉତ୍ତେଜିତ ହୁଅନ୍ତି ନାହିଁ । ହେବେଇବା କାହିଁକି ; ସେମାନେ ତ ବାତୁଳ ନୁହଁନ୍ତି । ନାଗରାର ନାଦରେ ହେଉ ବା ଅସ୍ତ୍ରା ଘାତରେ ହେଉ ଦେବାଦେବୀଙ୍କର ନାଶା କର୍ଣ୍ଣ ଛିଡ଼ିବାର କଥାଟି ସତ୍ୟ । ଦେବ ପ୍ରତିମା ବିଘ୍ନ ହେଲେ ଦେବତ୍ୱ ଯାଏ ଓ ତାହା ଅପ୍ରଜନୀୟ ହୁଅନ୍ତି, ତଥାଚ ପଞ୍ଜିକାର ସେକଥା ଲେଖିବାରେ କୁଣ୍ଠିତ ନୁହଁନ୍ତି ବା ତହିଁରେ କେହି ଚିଡ଼ୁନାହାନ୍ତି । ଯଦି ବୋଲ ଜଗନ୍ନାଥ ମହାପ୍ରଭୁଙ୍କ କଥା, ପ୍ୟାରୀବାବୁ ବିଶେଷ କରି ଲେଖିଅଛନ୍ତି ପଞ୍ଜିକାରେ ସେପରି ଲେଖାନାହିଁ । କିନ୍ତୁ ମୋଟରେତ ଲେଖାଅଛି— ଦେବଦେବୀଙ୍କ ମଧ୍ୟରୁ ଜଗନ୍ନାଥ ଦେବ ତ ବାହାର ନୁହଁନ୍ତି । ତଥାଚ ଆମ୍ଭେ ଜଣେ ବୟୋଧିକ ଜ୍ୟୋତିଷକୁ ପଚାରିବାରେ ସେ ପ୍ୟାରୀବାବୁଙ୍କ ଲିଖିତ କଥା ବୁଢ଼ାମାନଙ୍କ ଠାରୁ ଶୁଣିଥିବାର କହିଲା । ଯେ ସ୍ଥଳେ ଏକଥା ପରମ୍ପରା ଶ୍ରୁତ ଓ ଇତିହାସ ଭାବରେ ଗୃହୀତ ହୋଇଅଛି । ସେ ସ୍ଥଳେ ସେହିକଥା ପ୍ୟାରୀବାବୁ ଆପଣା ପୁସ୍ତକରେ ଉଲ୍ଲେଖ କରିବାରେ ତାଙ୍କରକି ଦୋଷ ? ତାଙ୍କ ପ୍ରତି କାଳୀବାବୁଙ୍କର କାହିଁକି ଏତେ ରୋଷ ? କେହି ବୈରଭାବ ଓ କେହି ବା ସ୍ଵାର୍ଥଭାବ ଏଥିର କାରଣସ୍ୱରୂପ ନିର୍ଦ୍ଦେଶ କରନ୍ତି । ଫଳତଃ ଏହିପରିକିଛି ଗୂଢ଼ଅଭିସନ୍ଧି ନଥିଲେ କାହିଁକି ବୃଥା କଥାରେ ସେ ଏତେ ଶ୍ରମ ଓ ଅର୍ଥବ୍ୟୟ କରି ଯେଉଁ ପୁସ୍ତକ ଉତ୍କୃଷ୍ଟ ସ୍ୱରୂପ ସର୍ବସାଧାରଣରେ ଗୃହୀତ ହୋଇ ଛାତ୍ରବୃତ୍ତି ପରୀକ୍ଷାର ପାଠ୍ୟପୁସ୍ତକ ହୋଇଅଛି ତାହା ନଷ୍ଟ କରିବାର ଚେଷ୍ଟାରେ ରହନ୍ତେ । ପୁଣି ଅଧିକ ଆଶ୍ଚର୍ଯ୍ୟର ବିଷୟ ଏହି ଯେ ଆମ୍ଭେ ଶୁଣିଲୁ ଏପରି ହୀନ କାର୍ଯ୍ୟରେ ବାବୁ ଉମାପ୍ରସାଦ ଦେ ଡିପୋଟୀ ଇନିସ୍‌ପେକ୍ଟର କାଳୀବାବୁଙ୍କ ସପକ୍ଷ ହୋଇଥିଲେ ବା ଅଛନ୍ତି । ଏହା ପଡ଼ିଶାପଣର ଫଳକି ?

 

(୫) ଉତ୍କଳ ଦୀପିକା — ୧୦, ଏପ୍ରିଲ ସନ ୧୮୮୦ ମସିହା

କାଳୀବାବୁଙ୍କ ଗଣ୍ଡଗୋଳ

ଏ ବିଷୟରେ ସ୍ଵୟଂ ବାବୁ କାଳୀପଦ ବାନାର୍ଜୀ ଆମ୍ଭମାନଙ୍କ ନିକଟକୁ ଖଣ୍ଡିଏ ମୁଦ୍ରିତ ପତ୍ର ପଠାଇଅଛନ୍ତି ଓ ତହିଁରେ ମାଦଳାପାଞ୍ଜି ସଟନ ସାହେବଙ୍କ ଇତିହାସ ଓ ପ୍ୟାରୀବାବୁଙ୍କ ଇତିହାସ ଲିଖିତ କଳାପାହାଡ଼ର ବିବରଣମାନ ତୁଳନା ନିମିତ୍ତ ଦେଇଅଛନ୍ତି । ବାବୁ ମହୋଦୟ ଏପତ୍ର ଉତ୍କଳଦୀପିକାକୁ କାହିଁକି ଲେଖିଅଛନ୍ତି ଆମ୍ଭେମାନେ ବୁଝି ପାରିଲୁ ନାହିଁ । କାରଣ ପତ୍ରିକାରେ ତାହା ପ୍ରକାଶ ହେବାର ଆଶା ନ ରଖି ସ୍ଵୟଂ ଆଗତୁରା ଅନେକଗୁଡ଼ିଏ ମୁଦ୍ରିତ କରାଇ ବଣ୍ଟନ କରିଅଛନ୍ତି ଅତଏବ କେବଳ ଆମ୍ଭମାନଙ୍କ ମନ୍ତବ୍ୟ ବାକି ରହିଅଛି ତାହା ସଂପ୍ରତି ପୂର୍ଣ୍ଣ କରୁଅଛୁଁ ।

 

କାଳୀବାବୁ ଲେଖନ୍ତି– କଳାପାହାଡ଼ର ବୃତ୍ତାନ୍ତ ସମ୍ବନ୍ଧେ ପ୍ୟାରୀବାବୁ କେଉଁ ବିଷୟ ସ୍ଵକପୋଳକଳ୍ପିତ ଓ କେଉଁ ବିଷୟ ପରିତ୍ୟାଗ କରିଛନ୍ତି ତାହା ପାଠକବୃନ୍ଦଙ୍କୁ ନ ଜଣାଇ ତାଙ୍କୁ ଓ ତାଙ୍କ ସମର୍ଥନକାରୀଙ୍କୁ ଦୋଷ ଦେବାର ଉଚିତ ନୁହେଁ । ମାତ୍ର କେଉଁ କଥା ପ୍ୟାରୀବାବୁଙ୍କର ସ୍ଵକପୋଳ କଳ୍ପିତ ତାହା ସେ ଚିହ୍ନାଇ ଦେଇ ନାହାନ୍ତି । ଆମ୍ଭେମାନେ ଉପର୍ଯ୍ୟୁକ୍ତ ତିନି ବର୍ଣ୍ଣନାରେ ସ୍ଥୂଳକଥାରେ କିଛି ପ୍ରଭେଦ ଦେଖୁନାହୁଁ । ତେବେ ପ୍ରଭେଦ ଏତିକି ଯେ, ମାଦଳାପାଞ୍ଜିରେ ବାହୁଲ୍ୟ ବର୍ଣ୍ଣନା ଲେଖାଅଛି, ପ୍ୟାରୀବାବୁ ସଂକ୍ଷେପରେ ଲେଖିଅଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି କଳାପାହାଡ଼ର ଅତ୍ୟାଚାର ଆହ୍ଲାଦର ବିଷୟ ନୁହେଁ । ତହିଁର ବାହୁଲ୍ୟ ବର୍ଣ୍ଣନା ଦେଇ ପୁସ୍ତକର ଆକାର ବୃଦ୍ଧି କରିବାର ଆବଶ୍ୟକ ନଥିଲା । ତାହା ଗୋଟିଏ ପ୍ରକୃତ ଓ ଶୋଭନୀୟ ଘଟଣା ଥିବା ଏବଂ ମାଦଳାପାଞ୍ଜି ଓ ଅନ୍ୟାନ୍ୟ ଇତିହାସରେ ଲେଖାଥିବାରୁ ପ୍ୟାରୀବାବୁ ତହିଁର ସଂକ୍ଷେପ ଉଲ୍ଲେଖ କରିଅଛନ୍ତି । ଏହି ହେତୁ ଦୁଇଏକ କଥା ଛାଡ଼ ହୋଇ ଯାଇଅଛି, ତହିଁରେ ଦୋଷ ପଡ଼ି ନପାରେ । କାଳୀବାବୁ ଆପଣା ମତ ପୋଷକତା ଉଦ୍ଦେଶ୍ୟରେ ତିନି ବର୍ଣ୍ଣନାକୁ ଏକତ୍ର ମୁଦ୍ରିତ କରିଅଛନ୍ତି ମାତ୍ର ତହିଁରୁ ତାଙ୍କ ମତିର ପୋଷକତା ନ ହୋଇ ପ୍ୟାରୀବାବୁଙ୍କ ନିର୍ଦ୍ଦୋଷତା ପ୍ରମାଣ ହେଉଅଛି, ଯେହେତୁ ତିନି ବର୍ଣ୍ଣନାର ସ୍ଥୂଳକଥା ଏକ । ବରଂ ମାଦଳାପାଞ୍ଜି ଓ ସଟନ ସାହେବଙ୍କ ଇତିହାସରେ ଦେବତାଙ୍କ ଅପମାନ କଥା ଅଧିକ ଲେଖାଅଛି । ନିମ୍ନଲିଖିତ ସାରାଂଶରୁ ଏହା ପ୍ରକାଶ ହେବ ଯଥା—

 

ମାଦଳାପାଞ୍ଜି

‘‘କଟକେ ରାଜା କେହି ରହି ନ ପାରିଲେ । ମୁଗଲେ ପିଢ଼ କରି ମାଡ଼ି ରହିଲେ ପରୀଚ୍ଛା ଦିବ୍ୟସିଂହ ପଟ୍ଟନାୟକ ଠାକୁରଙ୍କୁ ଘେନିଗଲା । ଏ ଗୋଳରେ ପରମେଶ୍ୱରଙ୍କୁ ଛପକି ହାଥିପଠାରେ ପାତାଳି କରିଥିଲେ । ତହିଁକି କଳାପାହାଡ଼ ଯାଇ ଠାବ କଲା । ମୁହାଣ ପାରି ହୋଇଗଲା । ଭେଉଆ କଡ଼ାଇ ଅଣ୍ଟାକ ପାଣିରେ ନେଲା । ସେଠାରୁ ପରମେଶ୍ୱରଙ୍କୁ ହାଥିରେ ପକାଇ ଆଣିଲା, ବାରକୋଟି ଭଣ୍ଡାର ସେଠାରେ ଜୁର କଲା, ବଡ଼ ଦେଉଳ ଅୟେଁଳା ସରିଯାଏ ରଙ୍ଗାଇଲା । ଯେତେ ଦେବତାମାନ ପିତୁଳାମାନ ସବୁଙ୍କୁ ହିଁ ଶୁଣ କଲା କଳ୍ପବଟ ଖୋଳାଇ ପକାଇଲା ଘୋଡ଼ା ନେବି ପୂରାଇ ନିଆଁ ଲଗାଇଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଗଙ୍ଗାକୂଳ ତଣ୍ଡ ଯାଏନେଲା । କାଠ କୁଢ଼ାଇ ଅଗ୍ନି ଲଗାଇ ଜାଳିଦେଲା, ତେଣେ ପଠାଣର ଦେହ ଖଣ୍ଡ ଖଣ୍ଡ ହୋଇ ଫାଟିଗଲା । କାଜି କହିଲା ଓଡ଼ିଶାର ଦେବତା ଜଳାଇ ଦେଲୁ ତେଣୁ କରି ତୋହାର ଦେହ ଫାଟିଗଲା । ଏହା ଶୁଣି ତାହାର ପୁଅ ପରମେଶ୍ଵରଙ୍କୁ ଗଙ୍ଗାରେ ମେଲି ଦେଲା, ସେ ଦାରୁ ଭାସି ଆସନ୍ତେ ଆମୁରା ଗୋଟାଏ ଜାକି କାଠ ବୋଲି ଧରି ତାହା ବାଡ଼ିରେ ପକାଇଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନେବାବେଳେ ବିଶ୍ୱର ମହାନ୍ତି ଯାଇଥିଲା ବୈଷ୍ଣବ ହୋଇ ସଙ୍ଗେ ଗୋଡ଼ାଇଥିଲା, ଆଠମାସ ରହି ବଦ୍ୟପଣ କରି ଦାରୁମାଗିଲା, ବ୍ରହ୍ମ ଖୋଜି କରି ମୃଦଙ୍ଗେ ପୂରାଇ ଘେନି ଅଇଲା । କୁଜଙ୍ଗ ଗଡ଼ରେ ଆସି ପ୍ରବେଶ କଲା ଖଣ୍ଡାଏତ କୋଡ଼ିଆ ଉପରେ ଦୁଇ ଠାକୁରେ ରହିଲେ । ଯଦୁବଂଶ ରଜାଏ ଏଣେ ଉଦିତ ହୋଇଲେ ଦନେଇ ବିଦ୍ୟାଧରଙ୍କ ପୁତ୍ର ରୋଟମି ଗଡ଼ରେ ଥିଲେ ରାମଚନ୍ଦ୍ରଦେବ ରାଜା ହୋଇଲେ ଅ୯ଙ୍କ ରାଜା କୁଜଙ୍ଗ ଗଡ଼ରୁ ବ୍ରହ୍ମ ଅଣାଇଲେ ଖୋରଧା କଟକେ ବନଯୋଗ କରି ସୁମୂର୍ତ୍ତି କରାଇଲେ । ଅ ୧୧ଙ୍କ କକଡ଼ା ଦି୧୮ନେ ଶ୍ରାବଣ ଶୁକ୍ଳ ନବମୀ ଦିନ ଶ୍ରୀପୁରୁଷୋତ୍ତମ ବଡ଼ ଦେଉଳେ ରତ୍ନ ସିଂହାସନେ ବିଜେ କରାଇଲେ ବ୍ରହ୍ମ ଆଣିଲାରୁ ବିଶ୍ୱର ମହାନ୍ତିଙ୍କୁ ପୋର– ନାୟକ କଲେ । ଏ ଦାରୁବ୍ରହ୍ମ ଦେଖି ଆଣିଲା ଏ ତାଟି ଭିତରେ ପଶିବ ବୋଲି ଶାଢ଼ୀ ଦେଲେ ।”

 

ସଟନ ସାହେବଙ୍କ ଇତିହାସ

କଳାପାହାଡ଼ ରାଣ କଲା ଯେ ଓଡ଼ିଶା ଦେଶରେ କୌଣସି ହିନ୍ଦୁ ଧର୍ମର ଚିହ୍ନ ମାତ୍ର ନରହିବ । ଏଣୁ ସେ ବ୍ରାହ୍ମଣମାନଙ୍କ ପ୍ରତି ରାଗାନ୍ଧ ହୋଇ ସେମାନଙ୍କୁ ନାଶ କଲା । ସେ ଦେଉଳମାନଙ୍କୁ ଭାଙ୍ଗି ପକାଇ ପ୍ରତିମାମାନଙ୍କୁ ଖଣ୍ଡ ଖଣ୍ଡ କଲା । ମାତ୍ର ସବୁଠାରୁ ଜଗନ୍ନାଥର ବିରୁଦ୍ଧରେ ଅତିଶୟ କ୍ରୋଧିତ ହେଲା ।

 

ମାଦଳାପାଞ୍ଜିରେ ଲେଖାଅଛି ଯେ, ଯେତେବେଳେ ପଣ୍ଡାମାନେ ଏହି ଦୁର୍ଘଟନାର ବୃତ୍ତାନ୍ତ ସବୁ ବୁଝିଲେ ତେତେବେଳେ ସେମାନେ ତୃତୀୟଥର ଆପଣମାନଙ୍କର ଦେବତାଙ୍କୁ ଶଗଡ଼ରେ ଲଦାଇ ଲୁଗାରେ ଆଚ୍ଛାଦନ କରି ବହନ ନେଇଯାଇ ପାରିକୁଦ ନାମକ ଚିଲିକାକୂଳସ୍ଥ ଏକ ଗଡ଼ରେ ତାହାଙ୍କୁ ପୋତି ରଖିଲେ । ମାତ୍ର ଏମନ୍ତ ସହଜ କରି କଳାପାହାଡ଼କୁ ଏହି ଶେଷରେ ଆପଣା ଗୁପ୍ତ ସ୍ଥାନରୁ ସେ ମୂର୍ତ୍ତିକୁ କାଡ଼ି ଗୋଟାଏ ହାତୀ ଉପରେ ତାହାକୁ ଲଦାଇ କ୍ଷେତ୍ରରେ ଆଉ ସବୁ ପୁତୁଳିକୁ ଭାଙ୍ଗିପକାଇ ଶ୍ରୀଜଗନ୍ନାଥ ତମଲ୍ଲୁକ ଆଡ଼କୁ ଘେନିଗଲା । ଏ ଉତ୍ତାରୁ ସେ ଗଙ୍ଗାକୂଳର ବଡ଼ ନିଆଁ ତିପି କରି ଶ୍ରୀଜଗନ୍ନାଥଙ୍କୁ ସେ ଜଳନ୍ତା କାଠ ଉପରେ ଫୋପାଡ଼ି ଦେଲା । ମାତ୍ର ସେହିକ୍ଷଣି ସେ ବହୁ ମୂଲ୍ୟ ଦ୍ରବ୍ୟରେ ବଞ୍ଚିତ ହେବାକୁ ନ ହୁଅନ୍ତା ସେ ଅନେକ ଅଙ୍ଗପ୍ରତ୍ୟଙ୍ଗ ଖସିପଡ଼ି ସେ ଅତ୍ୟନ୍ତ କଷ୍ଟରେ ପ୍ରାଣ ଛାଡ଼ିଲା । ଏଥିରେ ପାଖସ୍ଥ ଜଣେ କହିଲା, ହାଁ ଓଡ଼ିଶାର ଦେବତାକୁ ଏମନ୍ତ ଅମର୍ଯ୍ୟାଦା କରିବାର ଦଣ୍ଡ ଏହି । ଏ ଉତ୍ତାରୁ ଜଳନ୍ତା ତିପିରୁ ସେ ମୂର୍ତ୍ତିକି ଓଟାରି ନଦୀରେ ପକାଇଲା । ଏହିସବୁ କର୍ମକୁ ବିଶ୍ୱର ମହାନ୍ତି ବୋଲି ଜଣେ ବିଶ୍ୱସ୍ତ ସେବକ ଜଗିବସି ସେହି ଦରପୋଡ଼ା ମୂର୍ତ୍ତିକି ଗୁପ୍ତ ରୂପରେ ସ୍ରୋତରୁ କାଢ଼ି ଅତି ଯତ୍ନ କରି ଓଡ଼ିଶା ଦେଶକୁ ବାହୁଡ଼ାଇ ଆଣି କୁଜଙ୍ଗ ଖଣ୍ଡାଇତଠାରେ ସାବଧାନ ରୂପେ ସମର୍ପି ଦେଲା । ଏହି ବୃତ୍ତାନ୍ତରେ ବହୁତ ଅମିଳନ କଥା ଅଛି । ଏଣୁ କରି ଯେତେ କଥାକୁ ସତ୍ୟମଣି ପାରଇ ତେତିକି ବିଶ୍ୱାସ କରିବ ।''

 

ପ୍ୟାରୀବାବୁଙ୍କ ଇତିହାସ

‘‘ପୁରୀ ଜୟ କରି ହିନ୍ଦୁ ଦେବଦେବୀଙ୍କ ଉପରେ କଳାପାହାଡ଼ ଘୋର ଅତ୍ୟାଚାର ଆରମ୍ଭ କଲେ । ଜଗନ୍ନାଥଦେବଙ୍କ ସେବକମାନେ ଜଗନ୍ନାଥଙ୍କୁ ଘେନି ଚିଲିକା ହ୍ରଦତଟବର୍ତ୍ତୀ ପାରିକୁଦ ନାମକ ସ୍ଥାନରେ ପୋତି ରଖିଲେ । ଦୁର୍ଦ୍ଦାନ୍ତ କଳାପାହାଡ଼ ସେ ବିଷୟର ସନ୍ଧାନ ପାଇ ପାରିକୁଦଠାକୁ ଯାଇ ଜଗନ୍ନାଥ ଦେବଙ୍କୁ ଖୋଜି ହସ୍ତୀ ପିଠିରେ ନଦି ଗଙ୍ଗାକୂଳକୁ ଘେନିଗଲେ ଓ ଗଙ୍ଗା କୂଳରେ ଜଳୁଥିବା ଏକ ଚିତା ଅଗ୍ନିରେ ଜଗନ୍ନାଥଙ୍କୁ ପୋଡ଼ିଦେବା ପାଇଁ ନିକ୍ଷେପ କଲେ । କିନ୍ତୁ ଓଡ଼ିଶାବାସୀଙ୍କର ଜଗନ୍ନାଥଙ୍କ ପ୍ରତି ଭକ୍ତି ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଦଗ୍ଧିଭୂତ ହୋଇ ଦେଲାନାହିଁ । ଜଗନ୍ନାଥ ଦେବ ଚିତାଅଗ୍ନିରେ ପୋଡ଼ି ନ ଯାଉଁଣୁ ବିସର ମହାନ୍ତି ନାମକ ଏକ ବ୍ୟକ୍ତି ତାଙ୍କୁ ଓଟାରି ନେଲା ଓ ତାଙ୍କ ନାଭିସ୍ଥଳ ଉଦ୍ଧାର କରି ନେଇ ଓଡ଼ିଶାକୁ ପ୍ରତ୍ୟାଗମନ କଲା । କୁଜଙ୍ଗ ରାଜା ଅବଶେଷରେ ଜଗନ୍ନାଥଙ୍କର ସେହି ନାଭିସ୍ଥଳ ପ୍ରାପ୍ତ ହୋଇ ତାଙ୍କର ପ୍ରତିଷ୍ଠା ବି କରାଇଲେ ।’’

 

କାଳୀବାବୁ ଏତିକିରେ କ୍ଷାନ୍ତ ନରହି ମେଜଷ୍ଟର ସାହେବଙ୍କ ନିକଟରେ ଏ ବିଷୟର ଗୁହାରି କରିଥିଲେ । ଶ୍ରୀଜଗନ୍ନାଥଙ୍କ ବିଷୟ ଛଡ଼ା ଆଉ ଗୋଟିଏ ଦୋଷ ଦେଖାଇଥିଲେ । ତାହା ଏହି ଇତିହାସର ଏକ ସ୍ଥାନେ ଲେଖାଅଛି ଗବର୍ଣ୍ଣମେଣ୍ଟ ଚିରସ୍ଥାୟୀ ବନ୍ଦୋବସ୍ତର ଆଶା ଦେଇଥିଲେ ମାତ୍ର ୧୮୧୩ ସାଲର ୧ ଆଇନ୍‍ ଦ୍ୱାରା ଲୋକଙ୍କୁ ତହିଁରୁ ବଞ୍ଚିତ କଲେ । ‘‘ବଞ୍ଚିତ’’ର ଅର୍ଥ ସେ ପ୍ରବଞ୍ଚନା କରି ଗବର୍ଣ୍ଣମେଣ୍ଟଙ୍କ ପ୍ରତି ଏପରି ମନ୍ଦ କଥା ବ୍ୟବହାର ହେବାର ଦୋଷ ଦର୍ଶାଇଥିଲେ । ମେଜିଷ୍ଟର ସାହେବ ଏ ଦୁଇ ବିଷୟରେ ଶିକ୍ଷା କମିଟିଙ୍କର ମତ ପ୍ରାର୍ଥନା କରିଥିବାରୁ ଗତ ବୁଧବାର ଶିକ୍ଷା କମିଟିଙ୍କର ଅଧିବେଶନ ହୋଇଥିଲା ଓ ଅନେକ ସଭ୍ୟ ଉପସ୍ଥିତ ହୋଇଥିଲେ । ଏଥିରେ ଅନେକ ତର୍କବିତର୍କ ହେଲା ଭତ୍ତାରେ କାଳୀବାବୁଙ୍କ ସମର୍ଥନକାରୀ ଉମାପ୍ରସାଦ ବାବୁଙ୍କୁ ଛାଡ଼ି ଆଉ ଦୁଇଜଣ ମାତ୍ର ତାଙ୍କ ପକ୍ଷରେ ମତ ଦେଲେ । ମାତ୍ର ଅନ୍ୟ ସମସ୍ତେ ଏକମତ ହୋଇ ପ୍ୟାରୀବାବୁଙ୍କ ଲେଖାରେ କିଛି ଆପତ୍ତି ନ ଦେଖିବାରୁ କାଳୀବାବୁଙ୍କର ଅଭିଯୋଗମାନ ଅଗ୍ରାହ୍ୟ ହେଲା । ଚିତାବହ୍ନି ଅର୍ଥ ଘେନି ଅନେକ ଯୁକ୍ତି ହୋଇଥିଲା । କାଳୀବାବୁ ଓ ତାଙ୍କର ସମର୍ଥନକାରୀ ତହିଁର ଅର୍ଥ ‘ଶବଦାହ ଅଗ୍ନି’ ବୋଲି ନିର୍ଦ୍ଦିଷ୍ଟ କଲେ ମାତ୍ର ଅନ୍ୟ ସଭ୍ୟମାନେ ସ୍ଥିର କଲେ ଯେ ତହିଁର ଅର୍ଥ ‘ଶବଦାନ ଅଗ୍ନି’ ନୁହଇ । କାଠ ଗଦା କରି ନିଆଁ ଲଗାଇଲେ ତାହା ଚିତା ବହ୍ନି ବୋଲାଇବ । ବଞ୍ଚିତ ଅର୍ଥ ଯେ ପ୍ରବଞ୍ଚନା ନୁହେ ଏହା ବୋଲିବା ବାହୁଲ୍ୟ । ଏହି ପ୍ରକାରରେ କାଳୀବାବୁଙ୍କର ବୃଥା ଆପତ୍ତିମାନ ଖଣ୍ଡିତ ହୋଇ ପୁସ୍ତକ ଖଣ୍ଡିକ ରକ୍ଷା ପାଇଲା । କାଳୀବାବୁ ତହିଁର ନାଶ ନିମିତ୍ତ ଏପରି ସଂକୀର୍ଣ୍ଣ ମାର୍ଗରେ ନଯାଇ ଓ ଏତେ ଶ୍ରମ ବାହାରି ଓ ଅର୍ଥବ୍ୟୟ ଇତ୍ୟାଦି ନକରି ଯଦି ତହିଁ ଅପେକ୍ଷା ଅଧିକ ଉତ୍କୃଷ୍ଟ ପୁସ୍ତକଟିଏ ପ୍ରକାଶ କରିପାରନ୍ତି ତେବେ ପ୍ୟାରୀବାବୁଙ୍କ ଇତିହାସ ଆପେ ଆପେ ରହିତ ହୋଇଯିବ ଓ ସର୍ବସାଧାରଣ ଖଣ୍ଡେ ଉତ୍କୃଷ୍ଟ ଗ୍ରନ୍ଥ ପାଇ ଆନନ୍ଦିତ ହେବେ । ଯଦି ତାଙ୍କର ବଳବୁଦ୍ଧି ପାଏ ତେବେ ଏପରି ଚେଷ୍ଟା କରନ୍ତୁ । ନଚେତ୍ ତୁନି ହୋଇ ରହନ୍ତୁ । ଅନର୍ଥକ ଗଣ୍ଡଗୋଳ ଲଗାଇବାଦ୍ୱାରା ପ୍ୟାରୀବାବୁଙ୍କର ଓ ତାଙ୍କ ସଙ୍ଗେ ସଙ୍ଗେ ସର୍ବସାଧାରଣଙ୍କର କ୍ଷତି ଚେଷ୍ଟା ନ କରନ୍ତୁ ।

 

(୬) ଉତ୍କଳ ଦୀପିକା - ତା ୧୭ରିଖ ଏପ୍ରିଲ ସନ ୧୮୮୦ ମସିହା

ପ୍ୟାରୀବାବୁଙ୍କ ଇତିହାସ ସମ୍ବନ୍ଧରେ କାଳୀପଦ ବାବୁଙ୍କର ଦ୍ୱିତୀୟ ପତ୍ର ଆମ୍ଭେମାନେ ପାଇଅଛୁ । ଏଥର ଏହାର ନାମ ‘ଜଗନ୍ନାଥୀ ୨ ନମ୍ବର’ ବୋଲି ଦିଆଯାଇଛି । ଏବଂ, ଶେଷରେ ‘କ୍ରମଶଃ’ ଥିବାରୁ ଆହୁରି କେତେ ବାହାରିବାର ସମ୍ଭାବନା ଅଛି । ବାବୁ ଆଗପତ୍ର ପରି ଏହାକୁ ସୁଦ୍ଧା ଆପେ ବିତରଣ କରିବା ଦ୍ଵାରା ଆମ୍ଭମାନଙ୍କୁ ଅନେକ ଅନର୍ଥକ କଷ୍ଟରୁ ବଞ୍ଚାଇଥିବାରୁ ଧନ୍ୟବାଦ ଦେଉଅଛୁ ଓ ଏଥିରେ ଯେଉଁ କମିଟିର ବିବରଣ ଲେଖାଅଛି, ତାହା ପଢ଼ାପଢ଼ି କରି ଆମ୍ଭେମାନେ ପାଠକଙ୍କୁ ଜଣାଇଅଛୁ । ସୁତରାଂ ଆଉକିଛି ବକ୍ତବ୍ୟ ନାହିଁ । କେବଳ ତାହାଙ୍କ ପତ୍ରରେ କେତୋଟି ଭ୍ରମ ଅଛି ଯେ ତାହା ବତାଇଦେବା ଆବଶ୍ୟକ । କାରଣ ସେ ଭ୍ରମ ଜ୍ଞାନକୃତକି ଅନ୍ୟପ୍ରକାର ସ୍ଥିର କରିବା କଠିନ । ପ୍ରଥମତଃ ‘ବଞ୍ଚିତ’ ଶବ୍ଦ ପରିବର୍ତ୍ତରେ ସେ ‘ବଞ୍ଚନା’ ଶବ୍ଦ ବ୍ୟବହାର କରିଅଛନ୍ତି । ଯେମନ୍ତକି ଉଭୟ ଶବ୍ଦ ମଧ୍ୟରେ କିଛି ପ୍ରଭେଦ ନାହିଁ । ଦ୍ଵିତୀୟ ନକଲି ସାହେବ ‘ଏ ବିଷୟରେ ଗବର୍ଣ୍ଣମେଣ୍ଟ ଭୟାନକ ହସ୍ତକ୍ଷେପଣ କରିପାରନ୍ତି ବୋଲି ଲେଖାଅଛି । ମାତ୍ର କମିଟିରେ ଉପସ୍ଥିତ ଥିବା ଲୋକଙ୍କଠାରୁ ଶୁଣିଅଛୁ ଯେ ସାହେବ ଏପରି ନକହି କେବଳ ଖ୍ରୀଷ୍ଟିୟାନ ନ ଥିବା ହେତୁରେ ମତ ଦେବାରୁ ଅସମ୍ମତ ହେଲେ । ଶେଷରେ ଲେଖାଅଛି ଯେ, ସଟନ୍ ସାହେବଙ୍କ ଇତିହାସରେ ଜଗନ୍ନାଥଦେବଙ୍କ ଦୁର୍ଦ୍ଦଶା କଥା ଲେଖାଥିବାରୁ ଓ ତାହା ସ୍କୁଲରେ ପଠିତ ହେବାରୁ ସନ ୧୮୫୭ ସାଲରେ ବୈଦ୍ୟେଶ୍ୱର ବିଦ୍ୟାଳୟ ଛାତ୍ର ଅଭାବରେ ଉଠିଯାଇଥିଲା । କିନ୍ତୁ ପ୍ରବେଶିକା ପରୀକ୍ଷାରେ ଏ ପୁସ୍ତକ ଥିବା ହେତୁ କେତେ ସ୍କୁଲ ଉଠିଗଲା ଏବଂ ମାଦଳାପାଞ୍ଜିର ଲେଖାଦ୍ଵାରାକି ଅନିଷ୍ଟ ହେଲା ସେ ସମସ୍ତ ଲେଖିବାର ଉଚିତ୍ ଥିଲା । ବାସ୍ତବରେ ଯେବେ ସେ କଥା ସତ୍ୟ ହୁଅଇ, ତେବେ କାଳୀବାବୁଙ୍କ ଭୟରେ ନୈଷ୍ଠିକ ହିନ୍ଦୁମାନେ ଯେ ଅବଧି ଏ ନଗର ଛାଡ଼ି ପଳାଇ ନାହାନ୍ତି, ଏହାହିଁ ବିଚିତ୍ର ମଣିବାକୁ ହେବ । କାରଣ କଳା, ଲେଖା ଓ ଛାପା ଦ୍ଵାରା ଏହାଙ୍କୁ ବଳିକରି କେହି ଜଗନ୍ନାଥଙ୍କର ଦୁର୍ଦ୍ଦଶାର କଥା ପ୍ରଚାର କରିନାହିଁ । ଆମ୍ଭେମାନେ ଏ ସଂପର୍କରେ ଖଣ୍ଡିଏ ପ୍ରେରିତ ପତ୍ର ପାଇଥିଲୁ । ତାହା ପ୍ରକାଶ କରିବାର ଆଉ ପ୍ରୟୋଜନ ନାହିଁ ।

 

(୭) ତା୮ରିଖ ମଇ ସନ ୧୮୮୦ ମସିହା

ପ୍ରେରିତ ପତ୍ର

ମାନ୍ୟବର ଶ୍ରୀଯୁକ୍ତ ଉତ୍କଳଦୀପିକା ସଂପାଦକ

ମହାଶୟ ସମୀପେଷୁ ।

ମହାଶୟ ;

କାଳୀପଦ ବାବୁଙ୍କର ତୃତୀୟ ନମ୍ବର ‘ଜଗନ୍ନାଥୀ’ ବାହାରି ଅଛି । ପ୍ୟାରୀବାବୁଙ୍କ ଇତିହାସ ସମ୍ବନ୍ଧରେ କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ଯେଉଁସବୁ ପତ୍ର ଲେଖାଲେଖି ହୋଇଥିଲା ସେ ସମସ୍ତ ପତ୍ର କାଳୀପଦ ଏହି ପୁସ୍ତିକାରେ ପ୍ରକାଶିତ ହୋଇଅଛି । କି ହେତୁ ଶ୍ରୀଯୁକ୍ତ ମାଜିଷ୍ଟ୍ରେଟ୍ ସାହେବ ଏ ପତ୍ରମାନ କାଳୀପଦ ବାବୁଙ୍କ ହସ୍ତରେ ଅର୍ପଣ କଲେ ତାହା ଆମେ ବୁଝିପାରୁ ନାହୁଁ । ତେବେ ଅନ୍ୟାନ୍ୟ ଆନ୍ଦୋଳିତ ବିଷୟରେ ସରକାରୀ ଚିଟୀ ପତ୍ରର ନକଲ ବାହାର ଲୋକେ ପାଇବାରେ କି ଆପତ୍ତି ହୋଇପାରେ ?

 

ଉକ୍ତ ପୁସ୍ତିକାରେ ଦ୍ୱିତୀୟ ସଂଖ୍ୟକ ପତ୍ରରେ ଉମାପ୍ରସାଦ ବାବୁ ଲେଖନ୍ତି ଯେ, ‘ଗ୍ରନ୍ଥକାର ଯେ ରୂପ ଅପରିଣତ ବୟସ୍କ ଯୁବାବୃନ୍ଦର ପ୍ରକାଶ୍ୟ ସଭା ଇତ୍ୟାଦିରେ ହିନ୍ଦୁଧର୍ମାବଲମ୍ବୀମାନଙ୍କ ସମ୍ବନ୍ଧେ ଉପହାସ କରିଥାନ୍ତି, ଜଗନ୍ନାଥଦେବ ସମ୍ବନ୍ଧେ ଜ୍ଞାନପୂର୍ବକ ମିଥ୍ୟାରଚନାଦ୍ୱାରା ସେମାନଙ୍କର ଧର୍ମ ପ୍ରବୃତ୍ତି ପ୍ରତି ସେହି ରୂପ ନିନ୍ଦାବାଦ କରିଅଛନ୍ତି ।’ ଗତ ଚାରିବର୍ଷ ମଧ୍ୟରେ ପ୍ୟାରୀବାବୁ ଯେତେଥର ବକ୍ତୃତା କରିଅଛନ୍ତି ଆମ୍ଭେ ଉପସ୍ଥିତ ଥାଇ ସେ ଆଦ୍ୟେପ୍ରାନ୍ତ ଶୁଣିଅଛୁ । ପ୍ୟାରୀବାବୁ ହିନ୍ଦୁଧର୍ମାବଲମ୍ବୀଙ୍କୁ ଉପହାସ କରିବାର ଆମ୍ଭେ ଶୁଣିନାହୁଁ । ପ୍ୟାରୀବାବୁ ସରଳ, ଉଦାର ଓ ସତ୍ୟବାଦୀ । ଜଗନ୍ନାଥଦେବଙ୍କ ସମ୍ବନ୍ଧରେ ଯାହା ଲେଖିଅଛନ୍ତି ତାହା ସମସ୍ତ ଇତିହାସ ଓ ମାଦଳାପାଞ୍ଜିରେ ଦେଖାଯାଏ । ଏଥିରେ କିପ୍ରକାର ଜ୍ଞାନପୂର୍ବକ ମିଥ୍ୟା ରଚନା ଅଛି ତାହା ଉମାପ୍ରସାଦ ବାବୁ ସ୍ପଷ୍ଟ ରୂପେ ଦେଖାଇ ଦେଇଥିଲେ ଉତ୍ତମ ହୋଇଥାନ୍ତା । ପ୍ୟାରୀବାବୁଙ୍କ ଚରିତ୍ର ପ୍ରତି ଏପରି ମିଥ୍ୟା ଅଭିଯୋଗ ହେବାର ଦେଖି ଆମ୍ଭେ ଏବଂ ନଗରସ୍ଥ ପ୍ରାୟ ସମସ୍ତ କୃତବିଦ୍ୟ ଭଦ୍ରବ୍ୟକ୍ତି ଦୁଃଖିତ ଅଛୁ । ଉମାପ୍ରସାଦବାବୁ ଯେବେ ଶୀଘ୍ର ଆପଣାର ଏପରି ବିଶ୍ୱାସର ହେତୁ ନ ଜଣାନ୍ତି ତେବେ ସମସ୍ତେ ତାଙ୍କୁ ପ୍ୟାରୀବାବୁଙ୍କର ଅକାରଣ ବୈରୀ ବୋଲି ଜ୍ଞାନ କରିବେ । ଆମ୍ଭେମାନେ ସାହସପୂର୍ବକ କହିପାରୁ ଯେ ବିବେକବନ୍ତ ଲୋକ ଅନ୍ୟର ଅନିଷ୍ଟ ସାଧନା ପାଇଁ କଦାପି ଏପରି କୁଟିଳମାର୍ଗ ଅବଲମ୍ବନ କରିବ ନାହିଁ । ସଂପାଦକ ମହାଶୟ ପ୍ୟାରୀବାବୁଙ୍କ ବକ୍ତୃତା ଓ ଚରିତ ସମ୍ବନ୍ଧରେ ଆପଣ ଯେତେଦୂର ଜାଣନ୍ତି ଏବେ କୁହନ୍ତୁ ।

 

ଇତିହାସ ପ୍ରତି ଯେଉଁ ସବୁ ଆପତ୍ତି ହୋଇଥିଲା ତାହା ଅମୂଳକ ବୋଲି ଶିକ୍ଷା କମିଟିରେ ସ୍ଥିର ହୋଇଅଛି । ତେବେ କର୍ତ୍ତୃପକ୍ଷୀୟମାନେ କାହିଁକି ଏ ପୁସ୍ତକକୁ ସ୍କୁଲରେ ଚଳାଉ ନାହାନ୍ତି । ଯେଉଁ ପୁସ୍ତକ ପ୍ରଣୟନ ନିମନ୍ତେ ଗବର୍ଣ୍ଣମେଣ୍ଟ ଟ୩୦୦ଙ୍କା ପୁରସ୍କାର ଦେଲେ ଓ ଯାହାକୁ ଉତ୍କୃଷ୍ଟ ଗ୍ରନ୍ଥ ବୋଲି ସମସ୍ତେ ମତ ଦେଲେ ଓ ଯାହା ସମ୍ବନ୍ଧରେ କାଳୀପଦ ବାବୁଙ୍କ ଆପତ୍ତିମାନ ଶିକ୍ଷା କମିଟିରେ ଅମୂଳକ ବୋଲି ଖଣ୍ଡିତ ହେଲା ସେ ପୁସ୍ତକକୁ ପାଠ୍ୟ ପୁସ୍ତକ କରିବାରେ କାହାରକି ଗୁପ୍ତ ସୃଷ୍ଟିଛଡ଼ା ଆପତ୍ତି ଅଛି ତାହା ଆମ୍ଭେମାନେ ବୁଝିପାରୁ ନାହୁଁ ।

 

ଯମ ଓ ଚିତ୍ରଗୁପ୍ତଙ୍କ ଉପରେ ଯେ ‘ଭୂତାବେଶ’ ହୋଇଅଛି ତହିଁ ନିମନ୍ତେ ଆମ୍ଭେ ଗଦ ଓ ଗୁଣିଆ ଖୋଜୁଅଛୁ । ଶୀଘ୍ର ପ୍ରତିକାର ହେବ । ଏମାନେ ସମସ୍ତେ ଇଂରାଜୀ ପଢ଼ାଭୂତ । ଛାଞ୍ଚୁଣିକି ମାଠିଆ କାମୁଡ଼ିଲେ ଛାଡ଼ିବେ ନାହିଁ ।

 

କଟକ

୬।୫।୮୦

ଆପଣଙ୍କର

ଅସତ୍ୟ ବୈରୀ

 

(୮) ଉତ୍କଳ ଦୀପିକା ୧୫ ମେ–୧୮୮୦ ମସିହା

ପ୍ୟାରୀମୋହନଙ୍କ ଇତିହାସ ଘେନି କାଳୀପଦବାବୁ ଯେଉଁ ଗଣ୍ଡଗୋଳ ଭିଆଇଅଛନ୍ତି ତହିଁର ସମାଲୋଚନାରେ ବାଲେଶ୍ୱରର ସମ୍ବାଦବାହିକା ଲେଖିଅଛନ୍ତିକି ଜଗନ୍ନାଥଙ୍କ ବିରୁଦ୍ଧରେ ପ୍ୟାରୀବାବୁଙ୍କ ଲେଖା ମାଦଳାପାଞ୍ଜି ଏବଂ ସଟନ ସାହେବଙ୍କ ଠାରୁ ଅନେକ ଊଣା ଓ ଏହି ସମସ୍ତ ଐତିହାସିକ କଥାକୁ ସେ ଅଧିକ ଉତ୍‍କ୍ଷାତ କରୁଥିବାରୁ କେହି କେହି ତାହାଙ୍କୁ ଜଗନ୍ନାଥ ଦେବଙ୍କ (Personal Friend) ଅଙ୍ଗସଙ୍ଗୀ ବନ୍ଧୁ ବୋଲି ପାରନ୍ତି, କିନ୍ତୁ ପ୍ରକୃତ ବିଚାରକମାନେ ସେଥି ନିମିତ୍ତ ଅବଶ୍ୟ କାଳୀପଦ ବାବୁଙ୍କୁ ଦୋଷ ଦେବେ । ଆମ୍ଭେମାନେ ମଧ୍ୟ କାଳୀବାବୁଙ୍କୁ ଏଥି ନିମିତ୍ତ ଜଗନ୍ନାଥଙ୍କ ଦୋସ୍ତ ବୋଲି ନ ପାରୁ । ଆମ୍ଭମାନଙ୍କ ବିପକ୍ଷରେ ଏପରି ବିଚାର ବେପାରରେ ଲାଭକିସ ।

 

ଲାଭ ନାହିଁ କାହିଁକି ? ଆପାତତଃ ହାକିମଙ୍କ ଠାରେ ରାଜଭକ୍ତି ଓ ଜଗନ୍ନାଥଙ୍କର ବନ୍ଧୁ ବୋଲି ପ୍ରତିପତ୍ତି ଲାଭ ଏବଂ ଭବିଷ୍ୟତକୁ ଜଗନ୍ନାଥ ବିଚାରିଲେ ନୂଆ ବନ୍ଦୋବସ୍ତରେ ସୁପ୍ରଡ଼ଣ୍ଟ କରି ଆପଣା ପାଶକୁ ନେଇପାରନ୍ତି ।

 

(୯) ବାଲେଶ୍ୱରର ସଂବାଦ ବାହିକା, ୯ ଫେବୃୟାରୀ ୧୮୮୦

ପ୍ରାପ୍ତ ଗ୍ରନ୍ଥର ସଂକ୍ଷିପ୍ତ ସମାଲୋଚନା : ଓଡ଼ିଶାର ଇତିହାସ ବାବୁ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ପ୍ରଣୀତ ।

 

ଆମ୍ଭେମାନେ ଶୀର୍ଷାଙ୍କିତ ପୁସ୍ତକ ଖଣ୍ଡିକର ଆଦ୍ୟୋପ୍ରାନ୍ତ ପାଠକରି ଅତ୍ୟନ୍ତ ପ୍ରୀତ ହୋଇଅଛୁ । ଆଜିଯାଏ ଉତ୍କଳ ଭାଷାରେ ଯେତେଗୁଡ଼ିଏ ପାଠ୍ୟପୁସ୍ତକ ରଚିତ ହୋଇଅଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନୁବାଦ । ମୂଳଗ୍ରନ୍ଥର ସଂଖ୍ୟା ଅତି ଅଳ୍ପ ; ପୁଣି ସେହି ଅଳ୍ପସଂଖ୍ୟକ ପୁସ୍ତକମାନଙ୍କ ମଧ୍ୟରେ ପ୍ରକୃତ ଉପଯୋଗୀ ପୁସ୍ତକର ସଂଖ୍ୟା ଆହୁରି ଊଣା । ଏମନ୍ତ ସ୍ଥଳେ ଖଣ୍ଡିଏ ପ୍ରକୃତ ଉପଯୋଗୀ ମୂଳଗ୍ରନ୍ଥ ଦେଖିଲେ ଆମ୍ଭେମାନେ ଯେ ଆଗ୍ରହ ପୂର୍ବକ ତାହାକୁ ଅଭିନନ୍ଦନ କରିବୁ ଏଥିରେ ସନ୍ଦେହକି ?

 

ଆମ୍ଭମାନଙ୍କର ଜନ୍ମଭୂମି ଉତ୍କଳ ଦେଶକୁ ପ୍ରାଚୀନ ଆର୍ଯ୍ୟକୀର୍ତ୍ତି ଏବଂ ଆର୍ଯ୍ୟପ୍ରତିଭାର ରଙ୍ଗଭୂମି ବୋଇଲେ ଅତ୍ୟୁକ୍ତି ହେବ ନାହିଁ । ବଙ୍ଗଦେଶ ଅପେକ୍ଷା ଐତିହାସିକ ଗବେଷଣାର ବିଷୟୀଭୂତ ପଦାର୍ଥ ଓଡ଼ିଶ୍ୟାରେ ଅପେକ୍ଷାକୃତ ସୁଲଭ । ରାଜପୁରୁଷମାନେ ଏହା ବୁଝିପାରି ଓଡ଼ିଶ୍ୟାର ପ୍ରାଚୀନ ଇତିହାସ ସଂକଳନ ପକ୍ଷରେ ଯଥାସାଧ୍ୟ ଯତ୍ନ କରୁଅଛନ୍ତି । ମହୋପାଧ୍ୟାୟ ଡାକ୍ତର ରାଜେନ୍ଦ୍ରଲାଲ ମିତ୍ର ଏବଂ ପଣ୍ଡିତର ହଣ୍ଟରଙ୍କ ପ୍ରଣୀତ ପୁସ୍ତକମାନ ଉକ୍ତ ଯତ୍ନର ଅନ୍ୟତର ଫଳସ୍ଵରୂପ, ପ୍ୟାରୀବାବୁ ପ୍ରାଚୀନଗ୍ରନ୍ଥ ଓ ଅନ୍ୟାନ୍ୟଗ୍ରନ୍ଥର ସୁବିଧା ଗ୍ରହଣ କରି ଏବଂ ମୂଳ ଗବେଷଣାରେ ଯଥୋଚିତ ପ୍ରୟାସୀ ହୋଇ ସ୍ୱକୀୟ ପୁସ୍ତକରେ ପ୍ରକୃତ ଐତିହାସିକ ଏବଂ ଉତ୍କଳ ଭୂମିର ଗୌରବସୂଚକ ବିଷୟମାନ ପ୍ରଚୁର ପରିମାଣରେ ସନ୍ନିବିଷ୍ଟ କରିଅଛନ୍ତି । ସ୍ଥୂଳତଃ ଆମ୍ଭେମାନେ ନିର୍ବିବାଦରେ ଏହା ବୋଲି ପାରୁ ଯେ, ପ୍ରାଚୀନ ଏବଂ ଆଧୁନିକ ଓଡ଼ିଶ୍ୟାର ପ୍ରାକୃତିକ, ସାମାଜିକ, ରାଜନୈତିକ ଏବଂ ଧର୍ମସମ୍ବନ୍ଧୀୟ ଇତିହାସ ଜିଜ୍ଞାସୁ ବ୍ୟକ୍ତିଙ୍କ ପକ୍ଷରେ ପ୍ୟାରୀବାବୁଙ୍କ ପୁସ୍ତକ ପରି ଆଉ ଖଣ୍ଡିଏ ପୁସ୍ତକ ଓଡ଼ିଆ ଭାଷାରେ ଅବଧି ରଚିତ ହୋଇନାହିଁ । ବିଶେଷତଃ ପ୍ରାଚୀନ ଓଡ଼ିଶ୍ୟାର ବିଷୟମାନ ଏଥିରେ ୟେମନ୍ତ ସୁନ୍ଦର ରୂପେ ବିବୃତ ହୋଇଅଛି ସେଥିପ୍ରତି ଦୃଷ୍ଟିପାତ କଲେ ମୁକ୍ତକଣ୍ଠରେ ସ୍ୱୀକାର କରିବାକୁ ହେବ ଯେ, ଉନ୍ନତି ଏବଂ ଅପେକ୍ଷାକୃତ ମାର୍ଜିତ ବଙ୍ଗଳାଭାଷାରେ ସୁଦ୍ଧା ଏପରି ଇତିହାସ ବିରଳ ଲକ୍ଷିତ ହୁଏ । ଶଂସିତ ପୁସ୍ତକ ପାଠଦ୍ୱାରା ଓଡ଼ିଶ୍ୟାବାସୀର ଆତ୍ମଗୌରବ ବର୍ଦ୍ଧିତ ହେବ ଏବଂ ସାଧୁ ଅହଂକାର ସହିତ ସେମାନେ ଉତ୍କଳ ସନ୍ତାନ ବୋଲି ଆପଣାକୁ ଭାଗ୍ୟବାନ ବୋଲି ମଣିବେ ।

 

ପୁସ୍ତକର ଭାଷା ମଧ୍ୟ ସ୍ଥୂଳରେ ଉତ୍ତମ ହୋଇଅଛି । ସ୍ଥାନେ ସ୍ଥାନେ ବ୍ୟାକରଣ, ମୁଦ୍ରା ଏବଂ ଗ୍ରାମ୍ୟଦୋଷ ଅଛି ସତ୍ୟ, ମାତ୍ର ଯେଉଁ ଜୀବନୀ ଶକ୍ତି ଭାଷାର ପ୍ରକୃତ ଉତ୍କର୍ଷ ପରିଚାୟକ, ଶଂସିତ ପୁସ୍ତକର ଉପରେ ସେହି ଜୀବନୀଶକ୍ତିର ଅଭାବ ନାହିଁ । ଉତ୍କଳ ବିଦ୍ୟାଳୟମାନଙ୍କରେ ସମ୍ପ୍ରତି ଯେଉଁ ଗଦ୍ୟମୟ ପୁସ୍ତକମାନ ବ୍ୟବହୃତ ହୋଇଅଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନୁବାଦିତ ଗ୍ରନ୍ଥ ହୋଇଥିବାରୁ ସେମାନଙ୍କର ଭାଷା ନିତାନ୍ତ ନିର୍ଜୀବ ବୋଧ ହୁଏ । ପୁଣି ବାକ୍ୟାଂଶରେ ଉତ୍କୃଷ୍ଟ ହୋଇ ସୁଦ୍ଧା ଚଳିତ ବୈଷୟିକ ଭାଷା ଶିକ୍ଷା ପକ୍ଷରେ ସେମାନେ ନିତାନ୍ତ ଅନୁପଯୋଗୀ । ପ୍ୟାରୀବାବୁଙ୍କ ପୁସ୍ତକ ଦ୍ଵାରା ସଂଶିତ ଅଭାବ ଆଂଶିକ ଦୂର ହେବାର ସମ୍ଭାବନା ।

 

ପୁସ୍ତକର କୌଣସି କୌଣସି ଅଂଶରେ ବିଷୟଗତ ଭ୍ରମ ଏବଂ ଅସଂପୂର୍ଣ୍ଣତା ଲକ୍ଷିତ ହୁଏ-। ବିଶେଷ କରି ବାଲେଶ୍ୱର ଜିଲ୍ଲାର ଭୌଗୋଳିକ ବିବରଣୀ ସଂକଳନ ବିଷୟରେ ଗ୍ରନ୍ଥକାର ଯଥୋଦିକରୁଣା ପ୍ରୟାସୀ ହୋଇନାହାନ୍ତି । ଇଂରେଜଙ୍କ ଶାସନର ଇତିହାସ, ପ୍ରାଚୀନ ଇତିହାସ ସଙ୍ଗେ ତୁଳିତ ହୋଇ ନିତାନ୍ତ ସଂକ୍ଷିପ୍ତ ଓ ଅନୁପାତ ବିହୀନ ହୋଇଅଛି । ଆମ୍ଭେମାନେ ଗ୍ରନ୍ଥକାରଙ୍କୁ ଦୃଢ଼ ରୂପେ ଅନୁରୋଧ କରୁଅଛୁ ଯେ, ସେ ଅନ୍ୟ ମୁଦ୍ରାଙ୍କନ ସମୟରେ ଉଲ୍ଲିଖିତ ଦୁଷମାନଙ୍କର ପରିହାର ପକ୍ଷରେ ଯତ୍ନଶୀଳ ହୋଇ ଉତ୍କଳବାସୀଙ୍କର ଅଧିକତର କୃତଜ୍ଞତାଭାଜନ ହେବେ । ପୁଣି ସଂଶିତ ପୁସ୍ତକର ମୂଲ୍ୟ ଯାହା ଟ୧ଙ୍କା ଧାର୍ଯ୍ୟ ହୋଇଅଛି, ତାହା ଆମ୍ଭମାନଙ୍କ ବିବେଚନାରେ କିଛି କର୍କଶ ବୋଧ ହେଉଅଛି, ଉକ୍ତ ପୁସ୍ତକ ଯେ ସ୍ଥଳେ ବିଦ୍ୟାଳୟମାନଙ୍କର ପାଠ୍ୟପୁସ୍ତକ ବୋଲି ନିର୍ଦ୍ଧାରିତ ହୋଇଅଛି, ସେ ସ୍ଥଳେ ଛାତ୍ରମାନଙ୍କ ସୁବିଧା ନିମନ୍ତେ ସେଥିର ମୂଲ୍ୟ ଊଣା କରିଦେବା ବିଧେୟ । ବାସ୍ତବରେ ସେହି ପୁସ୍ତକର ମୂଲ୍ୟ ଟ୦ଙ୍କା ହେବା ଉଚିତ୍ । ଅଧିକନ୍ତୁ ଗ୍ରନ୍ଥକାର ସେଥି ନିମନ୍ତେ ସରକାରରୁ ପାରିତୋଷିକ ପାଇଅଛନ୍ତି । ଆମ୍ଭେମାନେ ଭରସା କରୁଁ, ଗ୍ରନ୍ଥକାର ମହାଶୟ ଏ ବିଷୟ ମଧ୍ୟ ବିବେଚନା କରିବେ ।

 

(୧୦) ବାଲେଶ୍ୱର ସମ୍ବାଦ ବାହିକା, ତା ୨୫ରିଖ ମାର୍ଚ୍ଚ ସନ ୧୮୮୦ ମସିହା

ଦୀପିକାରୁ ଅବଗତ ହୋଇ ଆମ୍ଭେ ଦୁଃଖିତ ହେଲୁ ଯେ, କଟକ ନିବାସୀ କାଳୀପଦ ବନ୍ଦ୍ୟୋପାଧ୍ୟାୟ ମହାଶୟ ; ପ୍ୟାରୀମୋହନ ଆଚାର୍ଯ୍ୟଙ୍କ କୃତ ଓଡ଼ିଶା ଇତିହାସକୁ ନିର୍ମୂଳ କରିବା ନିମନ୍ତେ ଯେଉଁ ଚେଷ୍ଟା କରୁଅଛନ୍ତି ଓ ଏହି ଅଭିପ୍ରାୟ କଲିକତାସ୍ଥ ସଂବାଦପତ୍ରମାନଙ୍କ ନିକଟକୁ ତାର ଯୋଗେ ସଂବାଦ ଲେଖୁଅଛନ୍ତି । ଆମ୍ଭେମାନେ ପ୍ୟାରୀବାବୁଙ୍କ ଇତିହାସ ପଢ଼ି ଅତି ପ୍ରୀତ ହୋଇଅଛୁ ଓ ଇତିହାସର ଯେଉଁ ନିମନ୍ତେ ଦୁଃଖିତ ଥିଲୁ, ପ୍ୟାରୀବାବୁ ଏଥିରୁ ତାହା ଉଠାଇ ଦେଇଅଛନ୍ତି । ଶ୍ରୀଜଗନ୍ନାଥ ଜୀଉଙ୍କ ବିଷୟରେ ପ୍ୟାରୀବାବୁ ଯାହା ଲେଖିଅଛନ୍ତି, ସେଥିପାଇଁ ଗୋଳମାଳ ଉଠିବା କୌଣସି କାରଣ ନାହିଁ । ଆମ୍ଭେମାନେ ବୋଲୁଅଛୁ, ସଟନ୍ ସାହେବ, ଓଡ଼ିଶା ଇତିହାସରେ ଜଗନ୍ନାଥଙ୍କ ମୂର୍ତ୍ତିପ୍ରତି କଳାପାହାଡ଼ ଅତ୍ୟାଚାର କରିଥିବା ବିଷୟ ଲେଖିଅଛନ୍ତି ଓ ସେହି ଇତିହାସ ବହୁକାଳରୁ ଏ ପର୍ଯ୍ୟନ୍ତ ଓଡ଼ିଶ୍ୟାରେ ଚଳି ଆସୁଅଛି ଏବଂ ସମସ୍ତ ଲାଇବ୍ରେରୀରେ ସଂଗୃହୀତ ହୋଇ ଯତ୍ନପୂର୍ବକ ରଖାଯାଇଅଛି । ଏଥି ନିମନ୍ତେ ଏ ପର୍ଯ୍ୟନ୍ତ କେହି ଆପତ୍ତି କରିନାହାନ୍ତି । ପ୍ୟାରୀବାବୁ ଉକ୍ତ ବିଷୟଟି ସଟନ୍ ସାହେବଙ୍କ ଇତିହାସରୁ ସଂଗ୍ରହ କରି ଆପଣାର ଇତିହାସରେ ସନ୍ନିବେଶିତ କରିଥିବାର ଜଣାଯାଏ । ସଟନ୍ ସାହେବଙ୍କ ବେଳକୁ କୌଣସି ଆପତ୍ତି ବା ଗୋଳମାଳ ଉଠିଲା ନାହିଁ ; ପ୍ୟାରୀବାବୁଙ୍କ ବେଳକୁ ଏତେ ଗୋଳମାଳ ବାହାରୁଛି ଏଥିର କାରଣ ସେ ? ଗୁଣଗ୍ରାହୀମାନେ ଦୋଷଭାଗ ପରିତ୍ୟାଗ କରି ଗୁଣଭାଗକୁ ଗ୍ରହଣ କରନ୍ତି ; କେବଳ ଦୋଷାନୁସନ୍ଧାନୀ ବ୍ୟକ୍ତିମାନେ ଆପଣା ଜିଦକୁ ବଜାଇ ରଖିବା ନିମନ୍ତେ ଅନ୍ୟର ଦୋଷ ତନ୍ନତନ୍ନ କରି ଖୋଜନ୍ତି । ଏହା ବଡ଼ ଅନ୍ୟାୟ କଥା । ସଟନ୍ ସାହେବଙ୍କ ଇତିହାସରେ ହେଉବା ପ୍ୟାରୀବାବୁଙ୍କ ଇତିହାସରେ ହେଉ, ‘‘ଜଗନ୍ନାଥଙ୍କ ମୂର୍ତ୍ତି ପ୍ରତି କଳାପାହାଡ଼ର ବ୍ୟବହାର କଥା’’ ଲେଖାଅଛି ବୋଲି ଯେ ଶ୍ରୀଜଗନ୍ନାଥ ଜିଉଙ୍କ ପ୍ରତି ସାଧାରଣଙ୍କର ଅଭକ୍ତି ଜନ୍ମିବ ଏମନ୍ତକିଛି କଥା ନୋହେ । ଯେଉଁମାନଙ୍କର ଜଗନ୍ନାଥ ଜିଉଙ୍କ ପ୍ରତି ପ୍ରଗାଢ଼ ଭକ୍ତି ଅଛି, ତାହା କାହିଁରେ ବିଚଳିତ ହେବାର ନାହେ ।

 

କାଳୀପଦ ବାବୁ ଜଣେ ପ୍ରଧାନ ଓ ଶିକ୍ଷିତ ଲୋକ, ତାଙ୍କର ଏପରି ବ୍ୟବହାରରେ ଆମ୍ଭେମାନେ ଅତ୍ୟନ୍ତ ଦୁଃଖିତ ହୋଇଅଛୁ । କାଳୀପଦବାବୁ ତାର ଡାକରେ ସମ୍ବାଦ ଦେବା ଇତ୍ୟାଦି ବିଷୟରେ ଯେତେ ଅର୍ଥ ବ୍ୟୟ କରୁଅଛନ୍ତି ସେହି ଅର୍ଥରେ ପ୍ୟାରୀବାବୁଙ୍କର କେତେ ଖଣ୍ଡ ଇତିହାସ କିଣି କେତୋଟି ଦୁଃଖୀ ପିଲାଙ୍କୁ ଦାନ କରିଥିଲେ ବଡ଼ ଉତ୍ତମ ହୋଇଥାନ୍ତା ଓ ତହିଁରେ ତାଙ୍କର ପ୍ରାଧାନ୍ୟ ଓ ମହତ୍ ମନର ଅଧିକ ପରିଚୟ ମିଳିଥାନ୍ତା ।

 

(୧୧) ବାଲେଶ୍ୱର ସମ୍ବାଦବାହିକା : ତା ୬ରିଖ ମେ - ୧୮୮୦ ମସିହା

କାଳୀପଦ ବାବୁଙ୍କ ଗୋଳମାଳ

ପ୍ୟାରୀବାବୁଙ୍କ ଇତିହାସ ଘେନି କାଳୀପଦବାବୁ ଯେଉଁ ଗଣ୍ଡଗୋଳ ଭିଆଇ ଅଛନ୍ତି, ତାହା ଏତେବେଳେ ପ୍ରାୟ ସମସ୍ତ ଓଡ଼ିଶ୍ୟା ବାସୀଏ ଜାଣିସାରିଲେଣି ; ଏମନ୍ତକି ଆଜିକାଲି କଟକରେ ଦାଣ୍ଡଗଲା ପିଲାମାନେ ସୁଦ୍ଧା କାଳୀପଦବାବୁଙ୍କର ଗୋଳମାଳ କଥା କହୁଅଛନ୍ତି । କାଳୀପଦବାବୁ ଏଥି ନିମନ୍ତେ ଅର୍ଥବ୍ୟୟ କରି କେତେ କେତେ ପାମ୍ପଲେଟ୍ (କ୍ଷୁଦ୍ର ପୁସ୍ତକ) ପ୍ରକାଶ କଲେଣି । କାଳୀପଦବାବୁ ପ୍ରଥମେ ପ୍ୟାରୀବାବୁଙ୍କ ଇତିହାସରେ ଯେଉଁଠାରେ ଯେଉଁସବୁ ଦୋଷ ଥିଲା ତାହା ଘେନି ବିବାଦ ଆରମ୍ଭ କଲେ । ପ୍ୟାରୀବାବୁ ତାହା ଜାଣି ପ୍ରକୃତ ଦୋଷଭାଗ ଆପଣା ପୁସ୍ତକରୁ ପରିତ୍ୟାଗ କଲେ ;କିନ୍ତୁ କାଳୀପଦବାବୁ ‘ଅଛୋଡ଼ାବନ୍ଧା’ । ପ୍ୟାରୀବାବୁଙ୍କୁ ପଛାଡ଼ିବା ନିମନ୍ତେ ଜଗନ୍ନାଥଙ୍କ ବିରୁଦ୍ଧରେ ଯେଉଁ କଥା ଇତିହାସରେ ଲେଖାଥିଲା ତାହାକୁ ସଂକଳନ କରି ଖଣ୍ଡ ବହି ଛାପୁଅଛନ୍ତି । ଦୀପିକାର ଗ୍ରାହକ ସଂଖ୍ୟା ଅତି ଅଳ୍ପ । ଏଣୁ ସେ ଯାହା ଲେଖୁଅଛନ୍ତି ତାହା ଶତ ଶତ ଛାପି ଓଡ଼ିଶ୍ୟାର ଚାରିଆଡେ ବିଛାଡ଼ି ଦେଉଅଛନ୍ତି । କାଳୀପଦ ବାବୁ ମାଦଳାପାଞ୍ଜି, ସଟନ୍ ସାହେବଙ୍କ ଇତିହାସ ଏବଂ ପ୍ୟାରୀବାବୁଙ୍କ ଇତିହାସ ଲେଖାଥିବା ଜଗନ୍ନାଥ ଜିଉଙ୍କ ପ୍ରତି କଳାପାହାଡ଼ର ଅତ୍ୟାଚାର କଥା ଯାହା ମୁଦ୍ରିତ କରିଅଛନ୍ତି ଏବଂ ଆମ୍ଭେମାନେ ମାଦଳାପାଞ୍ଜିରେ ମଧ୍ୟ ପଢ଼ିଅଛୁ ଓ ଉକ୍ତ ଦୁଇ ଇତିହାସରେ ମଧ୍ୟ ପଢ଼ିଅଛୁ । ଜଗନ୍ନାଥଙ୍କ ବିରୁଦ୍ଧରେ ଲେଖାଥିବା ସମସ୍ତ ବିଷୟ ଥର୍ମୋମିଟରରେ ମାପିବାରୁ ଜାଣିଲୁ ଯେ, ପ୍ୟାରୀବାବୁଙ୍କ ଇତିହାସରେ ଯାହା ଲେଖା ହୋଇଅଛି ତାହା ଅନେକ ଡିଗ୍ରୀ ତଳକୁ ଖସିପଡ଼ିଲା । ଏମନ୍ତ ସ୍ଥଳେ କାଳୀପଦବାବୁ ସଟନ୍‍ସାହେବଙ୍କୁ ଓ ମାଦଳାପାଞ୍ଜି ଲେଖକଙ୍କୁ କୌଣସି ଦଣ୍ଡ ନଦେଇ ପ୍ୟାରୀବାବୁଙ୍କ ବିରୁଦ୍ଧରେ ଏତେ କଥା କହୁଅଛନ୍ତି, ସେଥିରେ କାରଣ କିସ ? କାଳୀପଦବାବୁ ଜଗନ୍ନାଥଙ୍କର ପକ୍ଷ ହୋଇ ଜଗନ୍ନାଥଙ୍କ ବିରୁଦ୍ଧରେ ଇତିହାସ ମାନଙ୍କରେ ଯେଉଁସବୁ କଥା ଲେଖାଅଛି ତାହା ଅଧିକ ଉଖାତ୍ କରୁଥିବାରୁ କେହି କେହି କାହାକୁ ଜଗନ୍ନାଥ ଦେବଙ୍କ Personal friend ଅଥାତ୍ ଅଙ୍ଗସଙ୍ଗୀ ବନ୍ଧୁ ବୋଲି କହିପାରନ୍ତି । କିନ୍ତୁ ପ୍ରକୃତ ବିଚାରକମାନେ ସେଥି ନିମନ୍ତେ କାଳୀପଦ ବାବୁଙ୍କୁ ଅବଶ୍ୟ ଦୋଷ ଦେବେ ; କାରଣ ଜଗନ୍ନାଥ ଜିଉଙ୍କ ବିରୁଦ୍ଧରେ ଯାହା ଲେଖା ଅଛି ତାହା ସେ କେତେକ ଦିନ ହେଲା ସମସ୍ତ ଓଡ଼ିଶ୍ୟାରେ ଘୋଷଣା କରୁଅଛନ୍ତି । ଆମ୍ଭେମାନେ ମଧ୍ୟ କାଳୀପଦ ବାବୁଙ୍କୁ ଏଥି ନିମନ୍ତେ ଜଗନ୍ନାଥ ଜୀଉଙ୍କର ଦୋସ୍ତ ବୋଲି କହି ନପାରୁ । ଆମ୍ଭମାନଙ୍କ ବିବେଚନାରେ ଏପରି ବିରାଡ଼ି ବେପାରରେ ଲାଭକିସ ?

 

(୧୨) ବାଲେଶ୍ୱର ସମ୍ବାଦ ବାହିକା, ତା୧୩ରିଖ ମଇ ସନ ୧୮୮୦

ଆମ୍ଭେମାନେ ଦୁଃଖର ସହିତ ଦୀପିକାରୁ ଅବଗତ ହେଲୁ ଯେ ; କଟକ ଜିଲ୍ଲାର ମାଜିଷ୍ଟ୍ରେଟ୍ ପସି ସାହେବ ପ୍ୟାରୀବାବୁଙ୍କର ଓଡ଼ିଶ୍ୟାର ଇତିହାସ ବର୍ତ୍ତମାନ ବିଦ୍ୟାଳୟମାନଙ୍କରେ ପଢ଼ାଯିବାର ନିଷେଧ କରିଅଛନ୍ତି । ଆମ୍ଭେମାନେ ପୂର୍ବେ ବୋଲିଅଛୁ କାଳୀପଦବାବୁ ‘ନାଛୋଡ଼ବନ୍ଦା’-। ସେ ସହଜରେ ଛାଡ଼ିବାର ଲୋକ ନୁହଁନ୍ତି । କାଳୀପଦବାବୁ ପ୍ୟାରୀବାବୁଙ୍କ ଇତିହାସକୁ ରହିତ କରିବା ନିମନ୍ତେ ଅନେକ ଅର୍ଥ ବ୍ୟୟ କରି ଯେଉଁସବୁ ପାମ୍ପଲେଟ୍ ଛାପି ଓଡ଼ିଶ୍ୟାର ସବୁଆଡ଼େ ବୁଣିଥିଲେ, ତାହା କାର୍ଯ୍ୟରେ ଆଇଲା, କିନ୍ତୁ ସାହେବଙ୍କର ସେହି ଆଦେଶ ଓଡ଼ିଶ୍ୟାର ତିନି ଜିଲ୍ଲାରେ ପ୍ରତିପାଳିତ ହେବକି ନା, ଜଣାଯାଇନାହିଁ । ପସିସାହେବ ଜଣେ ବହୁଦର୍ଶୀ ହାକିମ । ଅତ୍ୟନ୍ତ ଦୁଃଖର ବିଷୟ ଯେ, ସେ ଶିକ୍ଷା କମିଟିଙ୍କର ଓ ସାଧାରଣଙ୍କ ମତକୁ ଉପେକ୍ଷା କରି କେବଳ କାଳୀପଦବାବୁଙ୍କ ମତ ଅନୁସାରେ କାର୍ଯ୍ୟ କଲେ । ପ୍ୟାରୀବାବୁ ନିଜ ଇତିହାସରେ ଶ୍ରୀଜଗନ୍ନାଥ ଦେବଙ୍କ ବିରୁଦ୍ଧରେ (ଯେମନ୍ତ କିଂ ବଦନ୍ତି ଅଛି) ଯାହା ଲେଖିଥିଲେ ତାହା ତାଙ୍କ ବିରୁଦ୍ଧରେ ଯେ ଏତେଦୂର କଲେ । ସେଥିର କାରଣ କିସ ? ଆମ୍ଭେମାନେ ଅନୁମାନ କରୁଁ, ସେଥିର ଅବଶ୍ୟ କୌଣସି ଗୂଢ଼ କାରଣ ଅଛି । ତାହା ନୋହିଲେ କାଳୀପଦବାବୁ ଜଗନ୍ନାଥଙ୍କ ଦୋସ୍ତ ହୋଇ ଏତେ ଦୂର ଲଢ଼ି ନଥାନ୍ତେ । (କାଳୀପଦବାବୁ ଜଗନ୍ନାଥ ଦେବଙ୍କର ଯେପରି ଦୋସ୍ତ, ତାହା ଭୂଦେବ ବାବୁ ପ୍ରଭୃତି ତାଙ୍କ ନିମନ୍ତ୍ରଣ ଅସ୍ୱୀକାର କରିବାରୁ ଜଣାପଡ଼ିଅଛି ।) ଆମ୍ଭେମାନେ ନିଶ୍ଚୟ ରୂପେ କହିପାରୁ, ପ୍ୟାରୀବାବୁ ଯେବେ ବାଲେଶ୍ୱର ବାସୀ ହୋଇଥାନ୍ତେ ଏବଂ ତାଙ୍କ ଇତିହାସ ଯେବେ ଏଠାକାର କୌଣସି ଯନ୍ତ୍ରାଳୟରେ ମୁଦ୍ରିତ ହୋଇଥାନ୍ତା ତେବେ କୌଣସି ବିବାଦକି ଗୋଳମାଳ ଘଟି ନଥାନ୍ତା ; ମଧ୍ୟ କୋହିନୂର ଓ ଭୂତାବେଶ ନାଟକ ବାହାରି ନଥାନ୍ତା । ଭୂତାବେଶ ନାଟକର ବିବରଣ ବାରାଣ୍ଡରେ ବକ୍ତବ୍ୟ ।

 

 

ଆନନ୍ଦ ଆଶ୍ରମ, କୁଟାରିମୁଣ୍ଡା,

ପୋ/ ଭାୟା- ଖମାର,

ଅନୁଗୋଳ

 

***

 

Unknown

ଊନବିଂଶ ଶତାବ୍ଦୀର ଶିକ୍ଷାବ୍ୟବସ୍ଥା

ଓ ଆଚାର୍ଯ୍ୟ ପ୍ୟାରୀମୋହନ

ଡକ୍ଟର ମହେଶ୍ୱର ମହାନ୍ତି

 

ଏକଥା ସତ୍ୟ ଯେ ବଙ୍ଗଳା ତୁଳନାରେ ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରସାର ବିଳମ୍ବିତ ହୋଇଥିଲା । ଏହାର କାରଣ ହେଉଛି ୧୭୫୭ରେ ବଙ୍ଗଳା ଇଂରେଜମାନଙ୍କର କରଗତ ହେବାର ପ୍ରାୟ ଅର୍ଦ୍ଧଶତାବ୍ଦୀ ପରେ ଅର୍ଥାତ୍ ୧୮୦୩ରେ ଓଡ଼ିଶା ଇଂରେଜ ଶାସନାଧୀନ ହେଲା ଇଂରେଜୀ ଅଧିକାରକୁ ବହୁଦିନ ପର୍ଯ୍ୟନ୍ତ ବୀରତ୍ଵର ସହ ପ୍ରତିହତ କରି ରଖିବାର ସ୍ୱାଭିମାନ ପାଇଁ ଓଡ଼ିଶା ଗର୍ବିତ ହେଲେ ମଧ୍ୟ ଅପର ପକ୍ଷରେ ଆଧୁନିକ ଶିକ୍ଷାର ପ୍ରସାର କ୍ଷେତ୍ରରେ ବଙ୍ଗଳା ତୁଳନାରେ ପଶ୍ଚାତଗାମୀ ହେବାକୁ ବାଧ୍ୟ ହୋଇଥିଲା । ଶିକ୍ଷା କ୍ଷେତ୍ରରେ ବଙ୍ଗଳା ଗୋଟିଏ ଅଧିକ ସୁବିଧାଜନକ ସ୍ଥିତିରେ ଥିଲା । ତାହା ହେଉଛି ୧୯୧୨ ମସିହା ପର୍ଯ୍ୟନ୍ତ କଲିକତା ଥିଲା ଭାରତର ରାଜଧାନୀ । ରାଜଧାନୀର ମର୍ଯ୍ୟାଦା ଲାଭ କରି ଏବଂ ଇଂରେଜମାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି କଲିକତା ବହୁ ଦୃଷ୍ଟିରୁ ଲାଭବାନ ହୋଇଥିଲା । ବିଶେଷକରି ସ୍କୁଲ କଲେଜ ପ୍ରତିଷ୍ଠା, ମୁଦ୍ରଣ ଯନ୍ତ୍ର ସ୍ଥାପନ, ପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶନ ଇତ୍ୟାଦି ଶିକ୍ଷା ସହାୟକ କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ ହୋଇପାରିଥିଲା । ଅଧିକନ୍ତୁ କଲିକତା ଥିଲା ବ୍ରାହ୍ମ ଆନ୍ଦୋଳନର କେନ୍ଦ୍ରସ୍ଥଳ । ବ୍ରାହ୍ମମାନେ ଥିଲେ ସଂସ୍କାର ପ୍ରୟାସୀ ଏବଂ ରକ୍ଷଣଶୀଳତା କାରଣରୁ ଆଧୁନିକ ଇଂରାଜୀ ଶିକ୍ଷାକୁ କେତେକ ଲୋକ ବିରୋଧ କରୁଥିବାବେଳେ ବ୍ରାହ୍ମ ଆନ୍ଦୋଳନର ପ୍ରବକ୍ତା ନିଜେ ରାମମୋହନ ରାୟ ଏହା ସପକ୍ଷରେ ଦୃଢ଼ତର ଯୁକ୍ତି ଉପସ୍ଥାପନ କରୁଥିଲେ । ସେଥିପାଇଁ ରାମମୋହନଙ୍କୁ ଭାରତରେ ଆଧୁନିକ ଶିକ୍ଷାର ଉଦ୍‌ଗାତା ଭାବରେ ସମ୍ମାନିତ କରାଯାଏ । ଏହି ବ୍ରାହ୍ମମାନେ ହିଁ ବଙ୍ଗଳାରେ ଆଧୁନିକ ଶିକ୍ଷା କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହାୟକ ହୋଇଥିଲେ । ଅବଶ୍ୟ ପରବର୍ତ୍ତୀ କାଳରେ ବ୍ରାହ୍ମ ଆନ୍ଦୋଳନ ଓଡ଼ିଶାକୁ ସ୍ପର୍ଶ କରିଥିଲା ଏବଂ ସେକାଳର ଜଗମୋହନ ରାୟ, ମଧୁସୂଦନ ରାଓ, ଚତୁର୍ଭୁଜ ପଟ୍ଟନାୟକ, ପ୍ୟାରୀମୋହନ ଆଚାର୍ଯ୍ୟ, ବିଶ୍ଵନାଥ କର ପ୍ରଭୃତି ବିଶିଷ୍ଟ ବ୍ୟକ୍ତିମାନେ ଏହି ଧର୍ମରେ ଅନୁପ୍ରାଣିତ ହୋଇଥିଲେ । ଶିକ୍ଷାର ପ୍ରସାର କ୍ଷେତ୍ରରେ ସେମାନଙ୍କର ଅବଦାନ ନ୍ୟୁନ ନୁହେଁ ।

 

୧୮୦୩ରେ ଓଡ଼ିଶା ଇଂରେଜ ଶାସନାଧୀନ ହେବାଠାରୁ ୧୮୨୨ ମସିହା ପର୍ଯ୍ୟନ୍ତ ଏହି ଦୁଇ ଦଶନ୍ଧି ଧରି ଶିକ୍ଷା ଦିଗରେ ଏଠାରେ କୌଣସି ଉଦ୍ୟମ ଆରମ୍ଭ ହୋଇନଥିଲା । ଏପରିକି ୧୮୧୩ ମସିହାରେ କମ୍ପାନୀ ସନନ୍ଦ ଅନୁଯାୟୀ ବାର୍ଷିକ ଯେଉଁ ଏକଲକ୍ଷ ଟଙ୍କା ଶିକ୍ଷାବାବଦରେ ବ୍ୟୟ କରାଯିବାର ସ୍ଥିର ହୋଇଥିଲା, ୧୮୩୦ ମସିହା ପର୍ଯ୍ୟନ୍ତ ସେଥିରୁ ଗୋଟିଏ ହେଲେ ମୁଦ୍ରା ଓଡ଼ିଶାରେ ବ୍ୟୟ ହୋଇନଥିଲା । ୧୮୨୨ ମସିହାରେ ମିଶନାରୀମାନେ ଓଡ଼ିଶାରେ ପ୍ରବେଶ କରିବା ପରେ ହିଁ ଏଠାରେ ଆଧୁନିକ ଶିକ୍ଷାର ସୂତ୍ରପାତ ହୋଇଥିଲା । ପ୍ରଥମାବସ୍ଥାରେ ବିଭିନ୍ନ କାରଣରୁ ମିଶନାରୀମାନଙ୍କୁ ଭାରତରେ ପ୍ରବେଶ କରିବା ପାଇଁ କମ୍ପାନୀ ସରକାର ଅନୁମତି ଦେଉ ନଥିଲେ । କିନ୍ତୁ ୧୮୧୩ ମସିହାରେ କମ୍ପାନୀର ସନନ୍ଦ ନବୀକରଣ ବେଳେ ବିଲାତ ପାର୍ଲାମେଣ୍ଟ ମିଶନାରୀମାନଙ୍କ ଉପରୁ କଟକଣା ଉଠାଇନେବାରୁ ଭାରତରେ ମିଶନାରୀମାନଙ୍କର ପ୍ରବେଶର ପଥ ସୁଗମ ହୋଇଉଠିଲା । ଏହି ଅବସରରେ ବହୁ ସଂଖ୍ୟକ ମିଶନାରୀ କମ୍ପାନୀ ଜାହାଜରେ ବସି ଧର୍ମପ୍ରଚାର ଉଦ୍ଦେଶ୍ୟରେ ଭାରତର ବିଭିନ୍ନ ସ୍ଥାନରେ ପ୍ରବେଶ କଲେ । ଓଡ଼ିଶାକୁ ମିଶନାରୀମାନଙ୍କର ପ୍ରଥମ ଆଗମନ ହୋଇଥିଲା ୧୮୨୨ ମସିହାରେ । William Bampton ଏବଂ James Peggs ନାମକ ଦୁଇଜଣ ପାଦ୍ରୀ ବିଲାତରୁ ଆସି କଲିକତା ନିକଟବର୍ତ୍ତୀ ଶ୍ରୀରାମପୁର ମିଶନ ବାଟ ଦେଇ ୧୮୨୨ ସାଲ ଫେବୃୟାରୀ ମାସରେ ଓଡ଼ିଶାର ପୂର୍ବ ଉପକୂଳସ୍ଥ ପଟ୍ଟାମୁଣ୍ଡାଇଠାରେ ଅବତରଣ କଲେ । ତତ୍ପରେ ସେମାନେ କଟକରେ ଉପସ୍ଥିତ ହୋଇ ସେମାନଙ୍କର ମିଶନାରୀ କାର୍ଯ୍ୟକ୍ରମ ଆରମ୍ଭ କରିଦେଲେ । କଟକ ହେଲା ସେମାନଙ୍କର କାର୍ଯ୍ୟକ୍ରମର କେନ୍ଦ୍ରସ୍ଥଳ । ପରେ ପରେ ସେମାନଙ୍କ ସହିତ ଆସି ଯୋଗଦେଲେ Mr Lacey ଏବଂ Amos Sutton ନାମରେ ଆଉ ଦୁଇଜଣ ପାଦ୍ରୀ ।

 

ବାମ୍ପ୍‍ଟନ ଓ ପେଗ୍‍ସ କଟକରେ ପହଞ୍ଚିବାର ମାସକ ମଧ୍ୟରେ ପ୍ରଥମେ ଇଉରୋପୀୟ ପିଲାମାନଙ୍କୁ ନେଇ କଟକର କ୍ୟାଣ୍ଟନମେଣ୍ଟ ରୋଡ଼ରେ ଗୋଟିଏ Sunday School ଆରମ୍ଭ କରିଦେଲେ । ଏହାର ତିନିମାସ ପରେ ଅର୍ଥାତ ୧୮୨୨ ମସିହା ମେ ମାସ ବେଳକୁ ସେଇମାନଙ୍କ ଉଦ୍ୟମରେ କଟକରେ ପ୍ରଥମ କରି ଓଡ଼ିଆ ସ୍କୁଲଟିଏ ଆରମ୍ଭ ହେଲା । ୧୮୨୪ ବେଳକୁ ଏହି ସ୍କୁଲଟି Charity School ନାମରେ ନାମିତ ହେଲା । ୧୮୨୮ ବେଳକୁ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ଏଇଭଳି ସାତଟି ସ୍କୁଲ ଖୋଲାଯାଇଥିବା ଏବଂ ଏଗୁଡ଼ିକର ମୋଟ ଛାତ୍ର ସଂଖ୍ୟା ୨୨୩ ଥିବା କଥା ପେଗ୍‍ସ ତାଙ୍କ ବାପ୍‍ଟିଷ୍ଟ ମିଶନର ଇତିହାସ (୧୮୪୬) ପୁସ୍ତକରେ ଉଲ୍ଲେଖ କରିଛନ୍ତି । କଟକ ସ୍କୁଲଟି ପରେ ଜିଲ୍ଲା ସ୍କୁଲକୁ ଉନ୍ନୀତ ହୋଇଥିଲା । ଏହି ସମୟ ମଧ୍ୟରେ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ବାଙ୍କି ଓ ଅନୁଗୁଳ ପ୍ରଭୃତି ସ୍ଥାନରେ ସ୍କୁଲମାନ ପ୍ରତିଷ୍ଠିତ ହୋଇଥିଲା ।

 

ଓଡ଼ିଶାରେ ଶିକ୍ଷା ପ୍ରସାରର ପ୍ରଧାନ ପ୍ରତିବନ୍ଧକ ଥିଲା ଲୋକମାନଙ୍କର ରକ୍ଷଣଶୀଳ ମନୋଭାବ । ଇଂରାଜୀ ପାଠ ପଢ଼ିଲେ ଜାତି ଚାଲିଯିବ ଏଇ ଆଶଙ୍କା ସାଧାରଣ ଲୋକଙ୍କୁ ଖାସ୍ କରି ରହିଥିଲା । ଏଥିପାଇଁ ଦାୟୀ ଥିଲେ ଖ୍ରୀଷ୍ଟିୟାନ ମିଶନାରୀମାନେ । ସେମାନେ ଗୋଟିଏ ପଟେ ଆଧୁନିକ ଶିକ୍ଷାର ପ୍ରସାର ନିମନ୍ତେ ପ୍ରବଳ ପ୍ରଚେଷ୍ଟା ଚଳାଇଥିବାବେଳେ ଅନ୍ୟପଟେ ହିନ୍ଦୁମାନଙ୍କର ପିତଳାପୂଜାକୁ ବିରୋଧ କରି ଭାଷଣ ଦେବା ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କୁ ନିନ୍ଦା କରୁଥିଲେ । ‘‘ଏ ବାଇମାନେ ତୁମ୍ଭମାନଙ୍କ ଜଗନ୍ନାଥ କାଷ୍ଠ ଅଛି, ପାଷାଣ ଅଛି, ସେକିଛି ନୁହେଁ । ତାକୁ ବଜିଲେ ଅନନ୍ତ ନରକରେ ପଡ଼ିବ । ପ୍ରଭୁ ଯୀଶୁ କ୍ରିଷ୍ଟ ତ୍ରାଣକର୍ତ୍ତା ଅଟନ୍ତି । ତାଙ୍କୁ ବଜିଲେ ଆଲୁଅ ପାଇବ ।’ ପାଦ୍ରିମାନଙ୍କର ଏଭଳି ଉକ୍ତି ବା ଆହ୍ୱାନ ସର୍ବସାଧାରଣରେ ଘୃଣା ଉଦ୍ରେକ କରିଥିଲା । ସେଥିପାଇଁ ସାଧାରଣ ଲୋକେ ‘ସ୍କୁଲ’କୁ ‘ଇସ୍କୁଳ’ ବୋଲି କହୁଥିଲେ । ଇସକୁଳର ଅର୍ଥ ଏଇ କୁଳକି ଇଂରାଜ କୁଳକୁ ଆସ । ଅର୍ଥାତ୍ ଖ୍ରୀଷ୍ଟିୟାନ ହୁଅ । ଉତ୍କଳ ଦୀପିକାର ୨୯ । ୫ । ୧୮୮୬ ସଂଖ୍ୟାରେ ଏଇଭଳି ଏକ ଚମକପ୍ରଦ ସମ୍ବାଦ ପ୍ରକାଶ ପାଇଥିଲା । ଲୋକମାନଙ୍କର ରକ୍ଷଣଶୀଳ ମନୋଭାବ ଏବଂ ପାଦ୍ରୀମାନଙ୍କର ହିନ୍ଦୁବିଦ୍ୱେଷୀ ପ୍ରଚାରର ଚରମ ପରିଣତି ସ୍ୱରୂପ ୧୮୭୧ ମସିହା ମାର୍ଚ୍ଚ ମାସରେ ପୁରୀ ସ୍କୁଲଟିକୁ ପୋଡ଼ି ଦିଆଯାଇଥିଲା ।

 

ଓଡ଼ିଶାରେ ଶିକ୍ଷାର ଅନଗ୍ରସରତା ନିମନ୍ତେ ମୁଖ୍ୟତଃ ଲୋକମାନଙ୍କର ଦାରିଦ୍ର୍ୟ ଏବଂ ରକ୍ଷଣଶୀଳ ମନୋଭାବ ଅଧିକ ପରିମାଣରେ ଦାୟୀ ଥିଲା । ସେଇଥିପାଇଁ ସେମାନେ ଥିଲେ ଉଦାସୀନ ବା ନିସ୍ପୃହ । ଏ ସଂପର୍କରେ ୧୮୫୯ ମସିହା ଜୁଲାଇ ୧ ତାରିକରେ ତତ୍କାଳୀନ ସ୍କୁଲ ଇନସ୍‍ପେକ୍ଟର E. Roer ସରକାରଙ୍କୁ ଏକ ରିପୋର୍ଟ ଦେଇ ଲେଖିଥିଲେ–

 

"The apathy is rather caused by the ignorance of wretched condition of the people. They are all cultivators or labourers and even the few Brahmins who are there have forgotten that learning is their original calling. The country is however rich in resources of every kind, and as soon as they become developed under the present administration it is to be hoped that the inhabitants will imerge from their object proverty, which induces them to hold manual labour, even of their infants, as the only object worthy of any consideration.

 

୧୮୪୯-୫୦ ମସିହାର ବାର୍ଷିକ ଶିକ୍ଷା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସେ ବର୍ଷ ଥିଲା ମୋଟ ୯ଟି ଭର୍ଣ୍ଣାକୁଲାର ସ୍କୁଲ । ଏଗୁଡ଼ିକ ସବୁ କଟକ, କେନ୍ଦ୍ରାପଡ଼ା, ମହାସିଙ୍ଗାରପୁର, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ ଓ ମିଦନାପୁରରେ ଅବସ୍ଥିତ ଥିଲା । ହରିହରପୁର (ବର୍ତ୍ତମାନର ଜଗତ୍‌ସିଂହପୁର) ସ୍କୁଲଟି ଭଲ ନ ଚାଲିବାରୁ ବନ୍ଦ ହୋଇ ଯାଇଥିଲା । ଦଶବର୍ଷ ପରେ ଏଭଳି ସ୍କୁଲର ସଂଖ୍ୟା ବଢ଼ିକରି ହୋଇଥିଲା ମାତ୍ର ୨୫ । ଅପର ପକ୍ଷରେ ବଙ୍ଗଳା ସ୍କୁଲଗୁଡ଼ିକର ଅବସ୍ଥା ଥିଲା ଅପେକ୍ଷାକୃତ ଉତ୍ସାହଜନକ । ଭର୍ଣ୍ଣାକୁଳାର ସ୍କୁଲଗୁଡ଼ିକର ସେତେବେଳର ଦୁର୍ଦ୍ଦଶା ସଂପର୍କରେ ସରକାରଙ୍କୁ ରିପୋର୍ଟ ଦେଇ ସ୍କୁଲ ବିଭାଗର ଇନସ୍ପେକ୍ଟର ୧୮୫୮-୫୯ର ବାର୍ଷିକ ରିପୋର୍ଟରେ ଯାହା ଲେଖିଥିଲେ ତାର ସାରାଂଶ ହେଉଛି ‘‘କଟକରେ ବର୍ତ୍ତମାନ ସରକାରଙ୍କ ତତ୍ତ୍ୱାବଧାନରେ ୨୫ଟି ଭର୍ଣ୍ଣାକୁଲାର ସ୍କୁଲ ଥିଲା । ଓଡ଼ିଆ ସହିତ ବଙ୍ଗଳା ମଧ୍ୟ ଏଠାରେ ଶିକ୍ଷା ଦିଆଯାଉଛି । ଅନ୍ୟାନ୍ୟ ବିଷୟଗୁଡ଼ିକ ହେଉଛି ଅଙ୍କ ଓ ଭୂଗୋଳ । ଏଠାରେ ତାଲିମପ୍ରାପ୍ତ ଶିକ୍ଷକଙ୍କର ଅଭାବ, ଶିକ୍ଷକଙ୍କୁ ତାଲିମ ଦେବା ନିମନ୍ତେ ନର୍ମାଲ ସ୍କୁଲ ନାହିଁ । ବଙ୍ଗଳାରୁ କୌଣସି ଶିକ୍ଷକ ସ୍ଵଳ୍ପ ବେତନରେ ଓଡ଼ିଶା ଆସିବାକୁ ରାଜି ନୁହନ୍ତି । ଏଠାରେ ସବୁ ପଣ୍ଡିତ (ଶିକ୍ଷକ) ପୁରାତନ ଟୋଲଗୁଡ଼ିକର ଛାତ୍ର । ଭାଷାରେ ଦକ୍ଷ; ମାତ୍ର ଅଙ୍କ ଭୂଗୋଳରେ ଦୁର୍ବଳ । ଅଧିକନ୍ତୁ ସ୍କୁଲ ପରିଚାଳନାରେ ଜ୍ଞାନ ନାହିଁ, ଶୃଙ୍ଖଳା ଜଣା ନାହିଁ । ସେମାନେ କ୍ଲାସ କଣ୍ଟ୍ରୋଲ କରିପାରୁ ନାହାନ୍ତି ।’’

 

ବ୍ରିଟିଶ ଶାସନର ୫୬ ବର୍ଷ ମଧ୍ୟରେ ଓଡ଼ିଶାରେ ଶିକ୍ଷାର ଅବସ୍ଥା ଥିଲା ଏଇଆ । ଊନବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥାର ଇତିହାସ ଆଲୋଚନା କରିବା ଏଇ ପ୍ରବନ୍ଧର ଉଦ୍ଦେଶ୍ୟ ନହେଲେ ମଧ୍ୟ ପ୍ୟାରୀମୋହନ କେଉଁ ଅବସ୍ଥାରେ ଶିକ୍ଷା ସହିତ ସଂପୃକ୍ତ ହେଲେ ତାହାହିଁ ଦର୍ଶାଇବା ହେଉଛି ଅଭିପ୍ରାୟ । କଟକରେ ସେ ସମୟରେ ଥିବା ଏକମାତ୍ର ସ୍କୁଲ ୧୮୪୧ ବେଳକୁ ଜିଲ୍ଲା ସ୍କୁଲର ମାନ୍ୟତା ଲାଭ କରିଥିଲା । ୧୮୬୮ ବେଳକୁ ଏଥିରୁ ଦୁଇଟି ଫାଷ୍ଟ ଆର୍ଟସ ବା ଇଣ୍ଟରମେଡିଏଟ କ୍ଲାସ ଯୋଗ କରାଯାଇଥିଲା । ୧୮୭୫ ମସିହାରେ ଏଇଟିକୁ ଏକ ପୂର୍ଣ୍ଣାଙ୍ଗ କଲେଜରୂପେ ଘୋଷଣା କରାଗଲା !କିନ୍ତୁ ଗୋଟିଏ ସର୍ତ୍ତ ରହିଲା ଯେ କଲେଜ ପାଇଁ ଯେଉଁ ଷାଠିଏ ହଜାର ଟଙ୍କା ଖର୍ଚ୍ଚ ହେବ । ତାର ଅର୍ଦ୍ଧେକ ସ୍ଥାନୀୟ ଲୋକେ ବହନ କଲେ କଲେଜକୁ ସ୍ଥାୟୀ କରାଯିବ । କିନ୍ତୁ ଦାରିଦ୍ର୍ୟ ପୀଡ଼ିତ ଓଡ଼ିଶା ବିଶେଷକରି ନଅଙ୍କ ଦୁର୍ଭିକ୍ଷରେ ରାଜ୍ୟବାସୀଙ୍କର ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲିଯାଇଥିବା ବେଳେ ଜନସାଧାରଣଙ୍କ ପକ୍ଷେ ଏତେ ପରିମାଣର ଅର୍ଥ ଠୁଳ କରିବା ଥିଲା ଦୁଷ୍କର ବ୍ୟାପାର । ଯାହାହେଉ ମୟୁରଭଞ୍ଜରେ ସଦାଶୟ ମହାରାଜା । ୧୮୭୫ରେ ୨୦ ହଜାର ଟଙ୍କା ଦାନକରିବାରୁ ୧୮୭୬ ମସିହା ଫେବୃୟାରୀ ମାସରେ ଏହାକୁ ଏକ ପୂର୍ଣ୍ଣାଙ୍ଗ ତଥା ସ୍ଥାୟୀ କଲେଜ ରୂପେ ସରକାର ଘୋଷଣା କଲେ ।

 

ଏହିଭଳି ଅବସ୍ଥାକୁ ଲକ୍ଷ୍ୟକରି ‘ଉତ୍କଳପୁତ୍ରର ୧୯ । ୮। ୧୮୭୪ ସଂଖ୍ୟାରେ ପ୍ୟାରୀମୋହନ ‘‘କେହି ଶୁଣିବେକି ?’’ ଶିରୋନାମାରେ ଲେଖିଥିଲେ –

 

‘‘ବଙ୍ଗଦେଶରେ ଭାରତର ରାଜଧାନୀ ଅବସ୍ଥିତ । ବଙ୍ଗଦେଶରେ ଊଣା ବହୁତରେ ୧୨ଟା କଲେଜ ଓ ଅସଂଖ୍ୟ ବିଦ୍ୟାଳୟ । ଏଣୁ କରି ଏହାର ଉନ୍ନତି । ଏଠାରେ ରୋଡ ସେସ୍ ଆଇନ ଜାରି ହେଲେ ଏହା ସହ୍ୟ ହୋଇପାରେ । ଏଠାରେ ଖଣ୍ଡେ ଟ୧୦/-ର କାର୍ଯ୍ୟ ସକାଶେ ବି.ଏ. ଉପାଧିଧାରୀ ମିଳିପାରେ । ଏଠାରେ ଏମ୍.ଏ. ପାଶ କରି କୌଣସି ବ୍ୟବସାୟିକ ପରୀକ୍ଷା ଦେବାର ନିୟମ କଲେ ସୁଚାରୁ ରୂପେ ଚଳିପାରେ । ମାତ୍ର ଓଡ଼ିଶା ଅଳ୍ପଦିନ ହେଲା ଇଂରାଜୀ ଅଧିକୃତ, ନିର୍ଦ୍ଧନୀ । ୩ଟିରୁ ବଳି ଇଂରାଜୀ ପୁଣି ଏନ୍‍ଟ୍ରାନ୍‍ସ ଯାଏ ଶିଖାଇବାର ସ୍କୁଲ ନାହିଁ । କଲେଜ ଇତ୍ୟାଦି ଆଉ ଯାବତୀୟ କଥା ଛାଡ଼ । କିନ୍ତୁ ଗଭର୍ଣ୍ଣମେଣ୍ଟଙ୍କର ବିଚାର ଅଦ୍ଭୁତ । ତାଙ୍କ ହିସାବରେ ଅଧୁଆ ମୂଳାର ଯେଉଁ ମୂଲ୍ୟ ଧୁଆ ମୂଳାର ସେହି ମୂଲ୍ୟ । ବଙ୍ଗଳା ସକାଶେ ଯେଉଁ ଉଚ୍ଚ ୨ ନିୟମ ଓଡ଼ିଶା ସକାଶେ ସେହି ନିୟମ ।”

 

୧୮୭୫ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏହି ରୂପ ଥିବାବେଳେ ପ୍ୟାରୀମୋହନଙ୍କ ଭଳି ଜଣେ ପଚିଶ ବର୍ଷ ବୟସର ଯୁବକ କଟକ ସହରରେ ପୃଥକ ଭାବେ ନିଜ ଉଦ୍ୟମରେ ଗୋଟିଏ ହାଇସ୍କୁଲ ପ୍ରତିଷ୍ଠା କରିବା ପାଇଁ ଅଗ୍ରସର ହେବା ଏକ ଦୁଃସାହସିକ ବ୍ୟାପାର ନିଶ୍ଚୟ । ତାହାଙ୍କ ନିକଟରେ ଆଧୁନିକ ଓଡ଼ିଶା ନିଶ୍ଚୟ ଋଣୀ । ଆହୁରି ମଧ୍ୟ ମାତ୍ର ୨୧ ବର୍ଷ ବୟସରେ କଟକ କଲେଜରେ ଏଫ.ଏ. ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ ‘ଉତ୍କଳ ପୁତ୍ର’ ନାମରେ ଏକ ପାକ୍ଷିକ ପତ୍ରିକା ପ୍ରକାଶ କରି ସେଥିରେ ନିର୍ଭୀକ ଭାବରେ ବ୍ରିଟିଶ ସରକାରଙ୍କ ଜନବିଦ୍ୱେଷୀ କାର୍ଯ୍ୟକ୍ରମକୁ କଠୋର ଭାଷାରେ ନିନ୍ଦା କରିବା କମ୍‍ ଦୁଃସାହାସିକ କାର୍ଯ୍ୟ ନଥିଲା । ସେଥିରୁ ଅନ୍ୟାନ୍ୟ ବିଷୟ ସହିତ ଆଦର୍ଶ ଶିକ୍ଷା, ଉନ୍ନତ ସାହିତ୍ୟ ତଥା ଜାତୀୟତାବୋଧ ପାଇଁ ଆହ୍ୱାନ ଥିଲା ।

 

ପ୍ୟାରୀମୋହନଙ୍କ ଜନ୍ମ ୧୮୫୨ ମସିହା ଜୁଲାଇ ମାସ । ମୃତ୍ୟୁ ୧୮୮୧ ମସିହା ଡିସେମ୍ବର ମାସ । ସମୁଦାୟ ଆୟୁଷ କାଳ ମାତ୍ର ୨୯ ବର୍ଷ ୫ ମାସ । ଏହି ସ୍ୱଳ୍ପ ବୟସରେ ଏଭଳି ନିର୍ଭୀକତା ଓ ସ୍ପଷ୍ଟବାଦିତା ଅନନ୍ୟ ସାଧାରଣ ଅଟେ । ୧୮୭୨ ମସିହାରେ କଟକ କଲେଜର ୨ୟ ବାର୍ଷିକ ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ ‘ଉତ୍କଳପୁତ୍ର’ରେ ପ୍ରକାଶିତ ଗୋଟିଏ ଲେଖା ପାଇଁ ଯେପରି ଭାବେ ତାଙ୍କୁ ବହିଷ୍କାର କରାଗଲା, ତାହା ଏକ ଚର୍ଚ୍ଚିତ ବିଷୟ । କଲେଜର ପ୍ରିନ୍‍ସପାଲ ତାଙ୍କୁ କ୍ଷମାପ୍ରାର୍ଥନା କରିବାକୁ କହିଥିଲେ । ସେଥିରେ କିନ୍ତୁ ସେ ନମନୀୟତା ପ୍ରକାଶ କରି ନଥିଲେ । ପରେ ସରକାର ତାଙ୍କୁ Deputy Magistrate ଚାକିରୀ ଯାଚିଥିଲେ । ତାକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଥିଲେ । ତାଙ୍କୁ ପୁଣି statury civilian ପଦ ପାଇଁ ଅନୁରୋଧ କରାଯାଇଥିଲା । ତାକୁ ମଧ୍ୟ ସେ ଗ୍ରହଣ କରିନଥିଲେ । ଏସବୁକୁ ସେ ସରକାରୀ ଲାଞ୍ଚ ବୋଲି ବିବେଚନା କରିଥିଲେ । ସେ କହିଥିଲେ ଯେଉଁ ସରକାର ମୋତେ ଅନ୍ୟାୟରେ କଲେଜରୁ ବିତାଡ଼ିତ କରିଛି ସେହି ସରକାର ପାଖରେ ଆଉ ଚାକିରୀ କରିବି ନାହିଁ । ଏପରିକି ମୋତେ ବଡ଼ଲାଟ ବା Viceroy କଲେ ମଧ୍ୟ ମୁଁ ତାହାକୁ ଗ୍ରହଣ କରିବାକୁ ଇଚ୍ଛୁକ ନୁହେଁ ।

 

କଲେଜରୁ ବହିଷ୍କୃତ ହେବା ପରେ ତାର ପ୍ରତିକ୍ରିୟା ସ୍ୱରୂପ କଟକରେ ଥିବା ଏକମାତ୍ର ସରକାରୀ ହାଇସ୍କୁଲ ବାହାରେ ଆଉ ଗୋଟିଏ ବେସରକାରୀ ହାଇସ୍କୁଲ ସ୍ଥାପନ ପାଇଁ ସେ ସଂକଳ୍ପ କରିଥିଲେ । ତାଙ୍କ ଭାଗ୍ୟରେ ଯାହା ଘଟିଲା, ସେଭଳି ଦୁର୍ଭାଗ୍ୟ ଆଉ କୌଣସି ଛାତ୍ର କ୍ଷେତ୍ରରେ ମଧ୍ୟ ଘଟିପାରେ । ଆଜି ଯଦି କଟକ ସହରରେ ଆଉ ଏକ ବେସରକାରୀ ଶିକ୍ଷାନୁଷ୍ଠାନ ଥାଆନ୍ତା, ତେବେ ବ୍ରିଟିଶ ସରକାରଙ୍କର କର୍ମଚାରୀମାନଙ୍କର ଏଭଳି ଯଥେଚ୍ଛାଚାର ଘଟି ନଥାନ୍ତା । ଉଲ୍ଲେଖ ଯୋଗ୍ୟ ସେତେବେଳେ କଟକ କଲେଜଟି (ବର୍ତ୍ତମାନର ରେଭେନ୍‌ସା କଲେଜ) ଜିଲ୍ଲା ସ୍କୁଲ ସହିତ ମିଶିକରି ରହିଥିଲା । ୧୯୨୧ ବେଳକୁ କଲେଜ ପୃଥକ ହୋଇ ଚକ୍ରପଡ଼ିଆସ୍ଥିତ ନୂତନ ଭବନକୁ ସ୍ଥାନାନ୍ତରିତ ହୋଇଥିଲା ।

 

ସରକାରୀ ଶିକ୍ଷାନୁଷ୍ଠାନ ବାହାରେ ବେସରକାରୀ ଭାବରେ ଏକ ମୁକ୍ତ ଶିକ୍ଷାୟତନ ପ୍ରତିଷ୍ଠା କରିବାର ପରିକଳ୍ପନା ପ୍ୟାରୀମୋହନଙ୍କ ଭଳି ଯୁବକଙ୍କ ପକ୍ଷେ ସେତେବେଳେ ଥିଲା ଅଭିନବ । ପ୍ୟାରୀମୋହନ ଯେ କେବଳ କଲେଜରୁ ବହିଷ୍କୃତ ହେବା ଜନିତ ଆତ୍ମଗ୍ଲାନିର ପ୍ରତିଶୋଧ ନେବାପାଇଁ ଗୋଟିଏ ବେସରକାରୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ, ତାହା ନୁହେଁ । ୧୮୩୫ରେ ଲର୍ଡ଼ ମାକଲେଙ୍କ ପ୍ରବର୍ତ୍ତିତକିରାଣୀ ଉତ୍ପାଦନକାରୀ ଶିକ୍ଷାକୁ ବିରୋଧ କରି ଏକ ଆଦର୍ଶ, ବାସ୍ତବାଭିମୁଖୀ, ମାନବତାବାଦୀ, ସ୍ୱାଭିମାନୀ ଶିକ୍ଷାର ସ୍ୱପ୍ନ ଦେଖିଥିଲେ । ‘ଉତ୍କଳପୁତ୍ର’ ର ୧୬/୫/୧୮୭୩ ସଂଖ୍ୟାରେ ‘ପ୍ରକୃତ ଶିକ୍ଷା’ ଶିରୋନାମାରେ ଲେଖିଥିଲେ ।

 

‘‘ମାନସିକ ସମୁଦାୟ ବୃତ୍ତିକୁ ସୁଶିକ୍ଷିତ ଓ ସମୁନ୍ନତ କରିବାକୁ ପ୍ରକୃତ ଶିକ୍ଷା କହି, ଶବ୍ଦ କଣ୍ଠସ୍ଥ କରିବାକୁ ପ୍ରକୃତ ଶିକ୍ଷା କହିପାରୁ ନାହୁଁ । ଶିକ୍ଷାଦ୍ୱାରା ଆନ୍ତରିକ ସମୁଦାୟ ଶକ୍ତି ସ୍ୱୀୟ ଲକ୍ଷ୍ୟପଥ ଦର୍ଶନ କରି ତହିଁର ବିଚରଣ କରିଥାଏ । ମନୁଷ୍ୟତ୍ୱର ପୂର୍ଣ୍ଣତା ଆଡ଼କୁ ଆତ୍ମାକୁ ଚାଳିତ କରିବେ, ମାନବାତ୍ମାର ଉନ୍ନତି ପଥରେ ଏହିସବୁ ବୃତ୍ତି କ୍ରମେ କ୍ରମେ ଅଗ୍ରସର ହେବେ, ଏହା ଶିକ୍ଷାର ଯଥାର୍ଥ ଭାବ, ଏହା ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ।’’

 

ଶିକ୍ଷା ସହିତ ସଂସ୍କୃତି ସଂପର୍କରେ ମଧ୍ୟ ତାଙ୍କର ବିଚାର ଓ ଦୃଷ୍ଟିକୋଣ ଥିଲା ସୁସ୍ପଷ୍ଟ । ‘ଉତ୍କଳପୁତ୍ର’ର ୧୯/୮/୧୮୭୪ ସଂଖ୍ୟାରେ ସେ ଲେଖିଥିଲେ -

 

‘‘ଆଜିକାଲିକା ସଂସାର କି ଭିନ୍ନ ପ୍ରକାରର ? କେତେ ଆଡ଼େ କେତେ ଅଦ୍ଭୁତ ଦେଖ । କେଉଁଠି କେହି ବ୍ରାହ୍ମଣ ପୈତା ବାକ୍ସରେ ରଖିଲେ । କୁପରର ବିଲାତି ଚିନିପଣାର ଦୋକାନ ଧ୍ୱଂସ କଲେ, କରମୁଲ୍ଲ ଖାଁ ଦୋକାନ ଛେଳି, ଗୋରୁ, କୁକୁଡ଼ା ହାଡ଼ମାଳରେ ପାକସ୍ଥଳୀ ପୂର୍ଣ୍ଣ କଲେ । ସନ୍ଧ୍ୟା ଗାୟତ୍ରୀ ଗାଧୋଇ ଗଲା । ଚାରିପତ୍ର ଇଂରାଜୀ ପଢ଼ିଲେ, ଟମ ଜେମ୍‍ସଙ୍କ ଶିଷ୍ୟତା ସ୍ୱୀକାର କଲେ । ବୋଲାଇଲେ କ’ଣ ‘ଆମ୍ଭେ ହିନ୍ଦୁ’ ପ୍ରକୃତ ଧାର୍ମିକ । ଆମ୍ଭର ଗୋସାଇଁ ବାପା ଯାଗ କରୁଥିଲେ । ପ୍ରତ୍ୟହ ଦଶ ବ୍ରାହ୍ମଣ ଭୋଜନ କରାଇ ଅନ୍ନ ସାରୁଥିଲେ, ଆମ୍ଭ ପରି କୁଳୀନ ସଦ୍‍ବଂଶଜାତ ଦେଶରେ କେହି ନାହିଁ ।

 

‘‘ପାଠକେ ! ଅନ୍ୟତ୍ରକୁ ଚାଲ ଦେଖିବ, କେହି ବାବୁ ବସିଛନ୍ତି ଦିଗାମ୍ବର ଅବତାରରେ । ଚକ୍ଷୁ ଜବାବର୍ଣ୍ଣ ମୁଖରୁ ଅନର୍ଗଳ ବକ୍ତୃତା ବାହାରି ଚାଲିଅଛି । ହିନ୍ଦୁଧର୍ମ ସକାଶେ କେତେ ଚିତ୍କାର କେତେ ରୋଦନ, ମାତ୍ର ସ୍ୱୟଂ ପିତୃମାତୃ ଶ୍ରାଦ୍ଧ କରିବାକୁ ଅନିଚ୍ଛୁକ । ପୁଣି ବିଲାତି ଶଠତା, ବିଲାତି ଜୁଆଚୋରିରେ ପୂର୍ଣ୍ଣ, ବିଲାତି ବହି ଚାକଚାକ୍ୟରେ ମୁଗ୍ଧ । ହେତୁକି ୨ୟ ପାଉଣ୍ଡ ବିଲାତି ବିଦ୍ୟା ପେଟରେ ଅଛି ।’’

 

ଉଲ୍ଲେଖଯୋଗ୍ୟ ଯେ ଯେଉଁ ଆଦର୍ଶ, ସଂସ୍କାରଯୁକ୍ତ, ମୂଲ୍ୟଭିତ୍ତିକ ଶିକ୍ଷାର ପରିକଳ୍ପନା ଯୁବକ ପ୍ୟାରୀମୋହନ ଊନ୍ନବିଂଶ ଶତକର ଅଷ୍ଟମ ଦଶକରେ କରିଥିଲେ, ଏହାର ପ୍ରାୟ ୪୦ବର୍ଷ ପରେ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ସେହିଭଳି ଏକ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୋପବନ୍ଧୁ ସତ୍ୟବାଦୀଠାରେ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

 

ପ୍ୟାରୀମୋହନ ଏକ ଧନୀ ଗୃହରେ ଜନ୍ମ ହୋଇନଥିଲେ ମଧ୍ୟ ତାଙ୍କ ପାରିବାରିକ ଅବସ୍ଥା ସ୍ୱଚ୍ଛଳ ଥିଲା । ତାଙ୍କ ପିତା ଭୁବନମୋହନ କଟକରେ ଓକିଲାତି କରୁଥିଲେ । ପ୍ୟାରୀମୋହନ ଥିଲେ ଚାରିଭାଇ । (୧) ପ୍ୟାରୀମୋହନ (ମୃତ୍ୟୁ ୧୮୮୧), (୨) ଦ୍ୱାରିକାନାଥ (ମୃତ୍ୟୁ ୧୮୮୭), ସେ ଥିଲେ ମୁକ୍ତାର, (୩) ଚନ୍ଦ୍ରମୋହନ (ମୃତ୍ୟୁ ୧୮୮୨), ସେ ଥିଲେ ଡାକ୍ତର । (୪) କାଳୀଚରଣ (ମୃତ୍ୟୁ ୧୯୧୪), ସେ ମାମୁଁଘରକୁ ପୋଷ୍ୟପୁତ୍ର ହୋଇ ଯାଇଥିଲେ । ଶୁଣାଯାଏ ପୁତ୍ରମାନଙ୍କର ଅକାଳ ମୃତ୍ୟୁରେ ପିତା ଭୁବନମୋହନ ସବୁ ପୁତ୍ରଙ୍କର ଜାତକ ନେଇ ପୋଡ଼ି ଦେଇଥିଲେ । ପ୍ୟାରୀମୋହନ ଦୁଇଥର ବିବାହ କରିଥିଲେ । ଦ୍ୱିତୀୟା ପତ୍ନୀଙ୍କ ଗର୍ଭରୁ ଜାତ ଏକମାତ୍ର ପୁତ୍ର କଟକ ସିଭିଲ କୋର୍ଟରେ ସିରସ୍ତାଦାର ଭାବେ କାର୍ଯ୍ୟକରି ଅବସର ନେଇଥିଲେ । ଅବଶ୍ୟ ପ୍ୟାରୀମୋହନଙ୍କ ଉପରେ ତାଙ୍କ ପରିବାର ନିର୍ଭର କରୁ ନ ଥିଲେ । ତଥାପି ନିଜ ଉଦ୍ୟମରେ ସ୍କୁଲଟିଏ କରି ତାର ସମସ୍ତ ବ୍ୟୟ ବହନ କରିବା ଭଳି ସାମର୍ଥ୍ୟ ତାଙ୍କର କିମ୍ବା ତାଙ୍କ ପରିବାରର ନଥିଲା ।

 

ବେସରକାରୀ ସ୍କୁଲଟିଏ ସ୍ଥାପନ କରିବାର ସଂକଳ୍ପ ନେଇ ପ୍ୟାରୀମୋହନ ପ୍ରଥମେ ବକ୍ସିବଜାର ଅଞ୍ଚଳରେ ମହାଜନ କୃପାନିଧି ସାହୁଙ୍କର ଚାଟଶାଳୀଟିକୁ ପରିବର୍ଦ୍ଧିତ କରି ଗୋଟିଏ ପ୍ରାଥମିକ ବିଦ୍ୟାଳୟର ରୂପ ଦେଇ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରିଥିଲେ । ୧୮୭୫ରେ ଏଇଟି ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପରିଣତ ହେଲା ଏବଂ ୧୮୭୯ରେ ପୂର୍ଣ୍ଣାଙ୍ଗ ହାଇସ୍କୁଲର ରୂପ ଗ୍ରହଣ କଲା । ତାହାଙ୍କର ମୃତ୍ୟୁର ଏକବର୍ଷ ପରେ ୧୮୮୨ ଡିସେମ୍ବର ୩ ତାରିଖ ଦିନ ସ୍କୁଲର ନାମ ପ୍ୟାରୀମୋହନ ଏକାଡେମୀ ରଖାଗଲା ।

 

ବିଦ୍ୟାଳୟ ସ୍ଥାପନ ଓ ପରିଚାଳନା ଦିଗରେ ତାଙ୍କୁ ଗୋବିନ୍ଦ ରଥ ବହୁ ଭାବରେ ସାହାଯ୍ୟ କରିଥିଲେ । ନିଜେ ପ୍ୟାରୀମୋହନ ବିଦ୍ୟାଳୟର ଖର୍ଚ୍ଚ ତୁଲାଇବା ନିମନ୍ତେ କମିଶନର ଅଫିସରେ ୨୫ଟଙ୍କା ବେତନରେ ଚାକିରୀ କରିଥିଲେ । ଗଡ଼ଜାତ ପୋଲିସ ବିଭାଗରେ କିଛିଦିନ କିରାଣୀ କାମ କରିଥିଲେ; ମାତ୍ର ଜଣେ ଇଉରୋପିୟାନ ସହିତ ତର୍କ ହେବାରୁ ସେ କାର୍ଯ୍ୟ ପରିତ୍ୟାଗ କରିଥିଲେ । ୧୮୭୮ ମସିହାରେ ସେ ଡମପଡ଼ା ଯୁବରାଜଙ୍କର ଗୃହଶିକ୍ଷକ ନିଯୁକ୍ତ ହୋଇଥିଲେ । ଡମପଡ଼ାର ମ୍ୟାନେଜର ପଦରୁ ଫକୀରମୋହନ ସେନାପତିଙ୍କ ଇସ୍ତଫା ପରେ ସେ ନିଜେ ଏହି ଦାୟିତ୍ୱରେ ମୁକରିର ହୋଇଥିଲେ । ସେହି ସମୟରେ ଡମପଡ଼ା ରାଜାଙ୍କ ସହିତ ଆଉ ଗୋଟିଏ ଗଡ଼ଜାତର ରାଜାଙ୍କର ବିବାଦ ହେବାରୁ ପ୍ୟାରୀମୋହନ ତାହାକୁ ତୁଟାଇ ଦେଇଥିବାରୁ ଦୁଇହଜାର ଟଙ୍କା ପୁରସ୍କାର ପାଇଥିଲେ । ନିଜେ ଅତି ସରଳ ଓ ନିରାଡ଼ମ୍ବର ଭାବରେ ଚଳି ଏହି ଅର୍ଥକୁ ସେ ସ୍କୁଲ କାର୍ଯ୍ୟରେ ବ୍ୟୟ କରୁଥିଲେ । କେବଳ ସ୍କୁଲ ଚଳାଇବା ପାଇଁ ହିଁ ସେ ବିଭିନ୍ନ ସ୍ଥାନରେ ଚାକିରୀ କରିଥିଲେ ।

 

ସ୍କୁଲ ମ୍ୟାନେଜିଂ କମିଟିର ପ୍ରଥମ ବୈଠକ ୧୮୭୫ ମସିହା ମାର୍ଚ୍ଚ ୩୧ ତାରିଖଦିନ ଅନୁଷ୍ଠିତ ହୋଇଥିଲା । ଏ ସମ୍ପର୍କରେ ତା୧୦/୪/୧୮୭୫ ଦିନ ପ୍ୟାରୀମୋହନ ତାଙ୍କ ପ୍ରିୟବନ୍ଧୁ ତଥା ସ୍କୁଲର ସହଯୋଗୀ ବାଙ୍କି ନିବାସୀ ଗୋବିନ୍ଦ ରଥଙ୍କୁ ଯେଉଁ ଚିଠି ଖଣ୍ଡିକ ଲେଖିଥିଲେ, ତାହା ପ୍ରଣିଧାନ ଯୋଗ୍ୟା ଚିଠିଟି ଥିଲା ନିମ୍ନ ପ୍ରକାର ।

 

Image

 

ଏହି ବିଦ୍ୟାଳୟର ଶିକ୍ଷାଦାନ ଓ ଶୃଙ୍ଖଳା ଥିଲା ଅତ୍ୟୁଚ୍ଚ ଆଦର୍ଶସ୍ଥାନୀୟ । ଆଦର୍ଶ ମଣିଷ ତିଆରି କରିବା ଥିଲା ଏହି ଅନୁଷ୍ଠାନର ଲକ୍ଷ୍ୟ । ପ୍ୟାରୀମୋହନଙ୍କ ନିଷ୍ଠା, ଆଦର୍ଶ, ବ୍ୟକ୍ତିତ୍ଵ ଓ ଶିକ୍ଷାପ୍ରେମରେ ଆକର୍ଷିତ ହୋଇ ପ୍ରଖ୍ୟାତ ଜାତୀୟବାଦୀ ନେତା ବିପିନଚନ୍ଦ୍ର ପାଲଙ୍କ ଭଳି ଜଣେ ଜନନାୟକ ୧୮୮୧ ରେ ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ ଯୋଗଦେଇଥିଲେ । ଏହା କମ ଗୌରବଜନକ ନ ଥିଲା । ସେ ଥିଲେ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ । ଗୋଟିଏ ବର୍ଷ ପରେ ସେ ବିଦାୟ ନେଇଥିଲେ । ତାଙ୍କ ପରେ ଯେଉଁ ଖ୍ୟାତନାମା ବ୍ୟକ୍ତିମାନେ ପ୍ରଧାନ ଶିକ୍ଷକ ପଦ ଅଳଂକୃତ କରିଥିଲେ ସେମାନେ ହେଲେ ଦ୍ୱିଜେନ୍ଦ୍ର ନାଥ ଦତ୍ତ (୩୧.୭.୧୮୮୪ ପର୍ଯ୍ୟନ୍ତ) ବୈକୁଣ୍ଠନାଥ ଦତ୍ତ (୧.୮.୧୮୮୪ରୁ ୧୩.୩.୧୮୯୧ ପର୍ଯ୍ୟନ୍ତ) ସୁଲେଖକ ତଥା କବି ମଧୁସୂଦନଙ୍କ ଜାମାତା ବିଜୟଚନ୍ଦ୍ର ମଜୁମଦାର (୨.୪.୧୮୯୧ରୁ ୧୫.୬.୧୮୯୧), ଯୁଧିଷ୍ଠିର ମହାନ୍ତି (୧୬.୬.୧୮୯୧ରୁ ୮.୧.୧୮୯୪), ରାୟ ବାହାଦୂର ସୁଦର୍ଶନ ଦାସ (୧୫.୨.୧୮୯୪ରୁ ୩.୬.୧୮୯୫), ନୀଳମଣି ଚାନ୍ଦ ଦେ (୧.୭.୯୫ରୁ ୧୬.୧୧.୧୯୦୩), ହେମଚନ୍ଦ୍ର ବାନାର୍ଜୀ (୧୧.୧.୧୯୦୪ରୁ ୩୦.୧୦.୧୯୦୪) ନିମାଇଁ ଚରଣ ଚ୍ୟାଉ ପଟ୍ଟନାୟକ (୧.୧୧.୧୯୦୪ରୁ ୧୬.୬.୧୯୨୮), ନାଟ୍ୟକାର ଅଶ୍ୱିନୀ କୁମାର ଘୋଷ (୧.୭.୧୯୨୮ ରୁ ୨୩.୯.୧୯୩୦) ଇତ୍ୟାଦି ।

 

ସେଇଭଳି ବିଭିନ୍ନ ସମୟରେ ପରିଚାଳନା କମିଟିର ସଭାପତି ଭାବରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅନୁଷ୍ଠାନ ସହିତ ସହଯୋଗ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ପ୍ରଥମ ସଭାପତି କୈଳାସଚନ୍ଦ୍ର ଘୋଷ ଏବଂ ତାଙ୍କ ପରେ ଡେପୁଟୀ କଲେକ୍ଟର ଜଗମୋହନ ରାୟ, ଗୌରୀଶଙ୍କର ରାୟ, ରାୟ ବାହାଦୁର ସୁଦାମ ଚରଣ ନାୟକ, ରାମଶଙ୍କର ନାୟକ, ରାୟ ବାହାଦୂର ଲକ୍ଷ୍ମୀଧର ମହାନ୍ତି, ରାୟ ବାହାଦୂର ବିପିନ ବିହାରୀ ରାୟ, ପ୍ରଫେସର ଡକ୍ଟର କରୁଣାକର କର ଇତ୍ୟାଦି । ଏଭଳି ଗୌରବମୟ ପରମ୍ପରା କ୍ୱଚିତ ଶିକ୍ଷାନୁଷ୍ଠାନ ଭାଗ୍ୟରେ ଯୁଟି ଥିବାର ଦେଖାଯାଏ । ପ୍ୟାରୀମୋହନଙ୍କ ପିତା ଭୁବନ ମୋହନ । ଆଚାର୍ଯ୍ୟ କିଛିକାଳ ପାଇଁ (୧୨.୨.୧୮୮୨ରୁ ୨୧.୧୧.୧୮୮୩ ପର୍ଯ୍ୟନ୍ତ ମ୍ୟାନେଜିଙ୍ଗ କମିଟିର ସେକ୍ରେଟାରୀ ଥିଲେ । କିନ୍ତୁ ପ୍ୟାରୀମୋହନ କହିଥିଲେ, ବାପା, ଯେଉଁ ମୁହୂର୍ତ୍ତରେ ଅନ୍ୟଲୋକ ସେକ୍ରେଟାରୀ ଭାର ଗ୍ରହଣ କରିବାକୁ ଚାହିଁବେ, ଆପଣ ସେହି ମୁହୂର୍ତ୍ତରେ ଛାଡ଼ି ଚାଲିଯିବେ ।‘’ ତାହା ହିଁ ହୋଇଥିଲା । ୨୧.୧୧.୧୮୮୩ରେକିଶୋରଚନ୍ଦ୍ର ମହାନ୍ତିଙ୍କୁ ଦାୟିତ୍ଵ ହସ୍ତାନ୍ତର କରି ଭୁବନମୋହନ ପରିଚାଳନା କମିଟିରୁ ବିଦାୟ ନେଇଥିଲେ ।

 

ଊନବିଂଶ ଶତାବ୍ଦୀର ଶିକ୍ଷା ପ୍ରସାର କ୍ଷେତ୍ରରେ ଆଉ ଗୋଟିଏ ଗୁରୁତର ସମସ୍ୟା ଥିଲା, ତାହା ହେଉଛି ଓଡ଼ିଆ ଭାଷାରେ ଲିଖିତ ଉପଯୁକ୍ତ ପାଠ୍ୟ ପୁସ୍ତକର ଅଭାବ । ସେତେବେଳେ ବଙ୍ଗଳାରୁ ଅନୂଦିତ ପାଠ୍ୟପୁସ୍ତକ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ପ୍ରଚଳିତ ଥିଲା । ସରକାରଙ୍କ ତରଫରୁ ପାରିତୋଷିକ ଦେଇ ଓଡ଼ିଆରେ ପାଠ୍ୟପୁସ୍ତକ ଲେଖିବା ପାଇଁ ଲେଖକମାନଙ୍କୁ ଉତ୍ସାହିତ କରାଯାଉଥିଲା । ସେହି କ୍ରମରେ ୨୭.୭.୧୮୭୫ ତାରିଖରେ ସ୍କୁଲ ବିଭାଗର ଜଏଣ୍ଟ ଇନିସ୍‌ପେକ୍ଟର ନନ୍ଦକିଶୋର ଦାସ ଗୋଟିଏ ବିଜ୍ଞାପନ ଦେଇ ‘ଲେଥବ୍ରିଜ ସାହେବଙ୍କ ବଙ୍ଗଳାର ଇତିହାସ ଓ ଭୂଗୋଳ ଆଦର୍ଶରେ ଖଣ୍ଡିଏ ଓଡ଼ିଶାର ଇତିହାସ ରଚନା କଲେ ୩୦୦ ଟଙ୍କା ପାରିତୋଷିକ ଦିଆଯିବ ବୋଲି ଘୋଷଣା କରିଥିଲେ । ଏହି ପ୍ରୋତ୍ସାହନର ଫଳସ୍ୱରୂପ ପାଠ୍ୟପୁସ୍ତକ ଅଭାବ ମୋଚନାର୍ଥ ପ୍ୟାରୀମୋହନ ଓଡ଼ିଶାର ଇତିହାସ ନାମରେ ଖଣ୍ଡିଏ ପୁସ୍ତକ ରଚନା କରିଥିଲେ । ତାହା ୧୮୭୯ ମସିହା ଅଗଷ୍ଟ ମାସରେ ପ୍ରକାଶିତ ହୋଇଥିଲା ଏବଂ ୧୮୮୦ ସାଲ ନିମନ୍ତେ ମଧ୍ୟମ ଶ୍ରେଣୀ ସ୍କୁଲର (ମାଇନର ସ୍କୁଲ) ୧ମ ଶ୍ରେଣୀ (ବର୍ତ୍ତମାନର ୭ମ ଶ୍ରେଣୀ) ପାଇଁ ପାଠ୍ୟପୁସ୍ତକ ରୂପେ ଜଏଣ୍ଟ ଇନିସ୍‌ପେକ୍ଟର କବିବର ରାଧାନାଥ ରାୟଙ୍କ ସ୍ଵାକ୍ଷରରେ ଅନୁମୋଦିତ ହୋଇଥିଲା । ଏଇଟି ଗୋଟିଏ ଅତ୍ୟନ୍ତ ଉପାଦେୟ ତଥା ମୂଲ୍ୟବାନ ଗ୍ରନ୍ଥ ଏବଂ ଓଡ଼ିଆ ଭାଷାରେ ରଚିତ ଓଡ଼ିଶାର ପ୍ରଥମ ଇତିହାସ ପୁସ୍ତକ । ପ୍ୟାରୀମୋହନ ବହୁ ଶ୍ରମ ସ୍ୱୀକାର କରି, ବିଭିନ୍ନ ସୂତ୍ରରୁ ତଥ୍ୟମାନ ସଂଗ୍ରହ କରି ଏହି ପୁସ୍ତକଟିକୁ ପରିପୂର୍ଣ୍ଣ କରିଥିଲେ । ତାହାଙ୍କ ମୃତ୍ୟୁର ବହୁଦିନ ପରେ ୧୯୨୫ ମସିହାରେ ବିଶ୍ଵନାଥ କରଙ୍କ ଉଦ୍ୟମରେ ଏହାର ୨ୟ ମୁଦ୍ରଣ ହୋଇଥିଲା ।

 

ପ୍ୟାରୀମୋହନଙ୍କ ବ୍ୟକ୍ତିତ୍ୱର ଆଉ ଗୋଟିଏ ଦିଗ ହେଉଛି, ସେ କେବଳ ଆଦର୍ଶ ଶିକ୍ଷା ଦିଗରେ ଉଦ୍ୟମ କରିଥିଲେ ତାହା ନୁହେଁ, ସେ ଓଡ଼ିଶାର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରିକରଣ ଦିଗରେ ପ୍ରୟାସ ଜାରି ରଖିଥିଲେ । ସେ କହୁଥିଲେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରିକରଣ ହେଲେ, ସେହି ବ୍ୟାପକ ଅଞ୍ଚଳର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ପ୍ରଚଳନ ହେବ । ସେହି ସୂତ୍ରରେ ଓଡ଼ିଆ ସାହିତ୍ୟର ଉନ୍ନତି ଘଟିବ ଏବଂ ଜାତୀୟତାବୋଧ ଏବଂ ରାଷ୍ଟ୍ରୀୟ ଚେତନାର ଉନ୍ମେଷ ଘଟିବ । ଏହି ସ୍ୱପ୍ନକିନ୍ତୁ ସାକାର ହେବା ପୂର୍ବରୁ ତାଙ୍କର ଜୀବନ କଳିକାଟି ଅକାଳରେ ବୃନ୍ତଚ୍ୟୁତ ହୋଇଯାଇଥିଲା । ସେ ଥିଲେ ଜଣେ ଦୂରଦୃଷ୍ଟି ସଂପନ୍ନ ଜାତୀୟବାଦୀ ନେତା । ତାଙ୍କରି ଏହି ଆହ୍ୱାନ ତାଙ୍କ ମୃତ୍ୟୁର ଦୁଇ ଦଶନ୍ଧି ପରେ ପ୍ରତିଧ୍ୱନିତ ହୋଇଥିଲା ୧୯୦୩ରେ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଗଠିତ ଉତ୍କଳ ସମ୍ମିଳନୀ ମଞ୍ଚରେ ।

 

ପ୍ୟାରୀମୋହନ ଥିଲେ ପ୍ରକୃତରେ ଜଣେ ଯୋଗଜନ୍ମା ପୁରୁଷ । ତାଙ୍କ ବ୍ୟକ୍ତିତ୍ୱର ପରିପୂର୍ଣ୍ଣ ବିକାଶ ଘଟିବା ପୂର୍ବରୁ ଯେ ସେ ବିଦାୟ ନେଇଗଲେ । ଏହାଦ୍ୱାରା ଓଡ଼ିଶାର କି ଦାରୁଣ କ୍ଷତି ଘଟିଲା, ତାହା କହିହେବ ନାହିଁ । ଆଧୁନିକ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ତାଙ୍କ ନାମ ଯେପରି ଅବିସ୍ମରଣୀୟ, ତାଙ୍କ ପ୍ରତିଷ୍ଠିତ ବିଦ୍ୟାଳୟ ପ୍ୟାରୀମୋହନ ଏକାଡେମୀ ସେହିଭଳି କୀର୍ତ୍ତିମାନ । ଶିକ୍ଷା ଇତିହାସରେ ଏହି ଅନୁଷ୍ଠାନଟି ହେଉଛି ଏକ ମାଇଲ ଖୁଣ୍ଟ । ଶତାବ୍ଦୀର ଇତିହାସ ଓ ଗୌରବମୟ ପରମ୍ପରାକୁ ବହନ କରି ତାହା ଏବେ କଟକ ନଗରର ବକ୍ଷ ଦେଶରେ ଦଣ୍ଡାୟମାନ । ୧୮୯୪ ମସିହାରେ ପ୍ୟାରୀମୋହନଙ୍କ ଅନ୍ତରଙ୍ଗ ବନ୍ଧୁ ଏବଂ ସହଯୋଗୀ ଗୋବିନ୍ଦ ରଥ ‘ରାଜଧାନୀ କଟକ ନଗରୀ’ ନାମରେ ଯେଉଁ ପୁସ୍ତକ ଖଣ୍ଡିଏ ପ୍ରକାଶ କରିଥିଲେ, ସେଥିରେ ସେ ବିଦ୍ୟାଳୟ ଏବଂ ପ୍ରତିଷ୍ଠାତାଙ୍କର ସ୍ମୃତି ଚାରଣ କରି ଲେଖିଥିଲେ –

 

‘‘ନିକଟରେ ବିଦ୍ୟାଳୟ ଦେଶ ବିରାଜିତ

ଏକାଡେମୀ ନାମେ ଯେହୁ ହୋଇଛି ବିଦିତ ।

ରାଜ ଅନୁଗ୍ରହେ ଏହି ବିଦ୍ୟା ନିକେତନ

କରେ ଦୀନ ବାଳକଙ୍କୁ ଜ୍ଞାନ ବିତରଣ ।

ନଗର ବିଦ୍ୟାଳୟର ଉଚ୍ଚ ଶ୍ରେଣୀମାନ

ଏଥି ସଙ୍ଗେ ମିଶି ପୁଷ୍ଟି କରିଛି ସାଧନ ।

ସାମାନ୍ୟ ବୀଜରୁ ଯେହ୍ନେ ତରୁ ପରିଣତ

ଏହି ବିଦ୍ୟାଳୟ ସେହି ଭାବେ ସୁସଙ୍ଗତ ।

ଶ୍ରୀ ପ୍ୟାରୀ ଶ୍ରୀ ଗୋବିନ୍ଦଙ୍କ ବିଶେଷ ଯତ୍ନରେ

ପ୍ରଥମେ ସ୍ଥାପିତ ଏହା କଟକ ନଗରେ ।

କହିଥିଲେ ଦିନେ ପ୍ୟାରୀ ହସି ହସି କରି

ଏହି ବିଦ୍ୟାଳୟ ରଥେ ଯେ ପୁତ୍ର କନ୍ୟା ପରି ।

ଅସମୟେ ପ୍ରିୟ ପ୍ୟାରୀ ହେଲେ ପରଲୋକ

ହୃଦୟରେ ଜନ୍ମିଥିଲା ଗୁରୁତର ଶୋକ ।

ଦେଖିଲିଣି କେତେଥର ତାହାଙ୍କ ସ୍ୱପନ

ଥିଲେ କେତେ କରିଥାନ୍ତେ ଉନ୍ନତି ବିଧାନ ।’’

X X X X

 

ମୃତ୍ୟୁ ପରେ ପ୍ୟାରୀମୋହନଙ୍କୁ ତାଙ୍କର ଏକାନ୍ତ ଆତ୍ମୀୟ ଗୋବିନ୍ଦ ରଥ ସ୍ଵପ୍ନ ଦେଖିଥିଲେ । ସ୍ଵପ୍ନ ଦେଖିଲେ ଅନ୍ୟତମ ସୁହୃଦ କବି ମଧୁସୂଦନ ନିଜ ମୃତ୍ୟୁର ଏକ ବର୍ଷ ପୂର୍ବରୁ । ଆଜି ନିଷ୍ଠା, ଆଦର୍ଶ, ନିଃସ୍ୱାର୍ଥ ଦେଶସେବା, ନିର୍ଭୀକତା ଓ ସ୍ପଷ୍ଟବାଦିତାର ଅଭାବବେଳେ ଓଡ଼ିଶାବାସୀ ସ୍ୱପ୍ନ ଦେଖୁଛନ୍ତି ସେହି ସ୍ୱର୍ଗବାସୀ ପୁଣ୍ୟାତ୍ମା ପୁରୁଷ ଆଚାର୍ଯ୍ୟ ପ୍ୟାରୀମୋହନଙ୍କୁ ।

 

 

କେନ୍ଦୁଝର କଲୋନୀ,

କଟକ - ୭୫୩୦୦୮

 

***

 

ଶିକ୍ଷାନୁରାଗୀ ପ୍ୟାରୀମୋହନ

ଡକ୍ଟର ସବିତା ପ୍ରଧାନ

 

ପ୍ୟାରୀମୋହନ ଆଚାର୍ଯ୍ୟ ନିଜର ସ୍ପଷ୍ଟବାଦିତା ଓ ନିର୍ଭୀକତା ଯୋଗୁଁ ଉଚ୍ଚଶିକ୍ଷା ଲାଭରୁ ବଂଚିତ ହେଇଥିବା କଥା ସମସ୍ତଙ୍କୁ ଜଣା । କଲେଜର ଦ୍ୱିତୀୟ ବର୍ଷ ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ କଟକ ସହରର ଆବର୍ଜନାପୂର୍ଣ୍ଣ ରାସ୍ତାକୁ ଲକ୍ଷ୍ୟକରି ‘ଦରଖାସ୍ତ ଯୁତିୟାନ’ ଅର୍ଥାତ୍ ‘ଯୋତାମାନଙ୍କର ଆବେଦନ’ ଶୀର୍ଷକ ଏକ ବିଦ୍ରୂପାତ୍ମକ ପ୍ରବଂଧ ‘ଉତ୍କଳପୁତ୍ର’ ପତ୍ରିକାରେ ସେ ଲେଖିଥିଲେ । ଲେଖାଟିର ଅପ୍ରିୟ ସତ୍ୟ ସମାଲୋଚନା କଟକବାସୀଙ୍କ ମନରେ ଆଲୋଡ଼ନ ସୃଷ୍ଟିକରିବା ସହିତ ସହରର ମାଜିଷ୍ଟ୍ରେଟ୍ ଏରଭିଙ୍ଗ୍ ସାହେବଙ୍କୁ କରିଥିଲା ବ୍ୟତିବ୍ୟସ୍ତ । କ୍ଷୁବଧ ଓ ବିବ୍ରତ ମାଜିଷ୍ଟ୍ରେଟ ପ୍ୟାରୀମୋହନ ପଢ଼ୁଥିବା କଟକ କଲେଜର ଅଧ୍ୟକ୍ଷ ଚଣ୍ଡୀବାବୁଙ୍କୁ ନିର୍ଦ୍ଦେଶ ଦେଲେ ପ୍ରବଂଧ ଲେଖକ ଛାତ୍ର ଏଥିପାଇଁ କ୍ଷମା ପ୍ରାର୍ଥନା କରନ୍ତୁ, ନଚେତ୍ ତାଙ୍କୁ ଶୀଘ୍ର ଶିକ୍ଷାନୁଷ୍ଠାନରୁ ବହିଷ୍କାର କରାଯାଉ । ସତ୍ୟନିଷ୍ଠ ପ୍ୟାରୀମୋହନ କ୍ଷମା ନମାଗି କଲେଜରୁ ବିଦାୟ ନେଇଥିଲେ ସତ;କିନ୍ତୁ ଏଥିପାଇଁ ସେ ସାମାନ୍ୟ ମଧ୍ୟ ମନସ୍ତାପ କରି ନଥିଲେ । ବରଂ କୁହାଯାଇପାରେ ଏହି ଘଟଣା ହିଁ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଲା ।

 

ଜୀବନର କୋଡ଼ିଏ ବର୍ଷ ବୟସରେ ଅର୍ଥାତ୍ ୧୮୭୧ ମସିହାର ପ୍ୟାରୀମୋହନଙ୍କର ଏ ଶିକ୍ଷା : ତାଙ୍କୁ କେବେ ଅଭିଜ୍ଞ କରାଇ ନଥିଲା ଅଧଃପତିତ ଓଡ଼ିଶା ରାଜ୍ୟର ରାଜନୈତିକ, ସାମାଜିକ, ଶିକ୍ଷା, ସଂସ୍କୃତି ଓ ସାହିତ୍ୟର ଉନ୍ନତିକଳ୍ପେ ଅନୁଭାବିତ ମଧ୍ୟ କରାଇଥିଲା । ସ୍ୱାଧୀନ ଭାବନା, ସାମାଜିକ ଉନ୍ନତି ତଥା ଶିକ୍ଷା ସଂସ୍କୃତି ଓ ସାହିତ୍ୟର ବିକାଶ ପାଇଁ ସଂକଳ୍ପ କରି ଆଧୁନିକ ଓଡ଼ିଶାର ସ୍ଵପ୍ନ ଦେଖିଲେ ସେ । ଓଡ଼ିଶାବାସୀଙ୍କ ପାଇଁ ତାଙ୍କର ତିନୋଟି ମହାନ୍ ଅବଦାନ ସ୍ମରଣୀୟ ହୋଇ ରହିଛି । ୧ମଟି ‘ବିଦ୍ୟାଳୟ ପ୍ରତିଷ୍ଠା’ ୨ୟଟି ‘ପତ୍ରିକା ପ୍ରକାଶ’ ଓ ୩ୟ ‘ଓଡ଼ିଶାର ଇତିହାସ’ ରଚନା । ପ୍ରତ୍ୟେକଟିରେ କିନ୍ତୁ ପ୍ୟାରୀମୋହନଙ୍କର ଅନ୍ୟ ଯେଉଁ ଉଦ୍ଦେଶ୍ୟ ହେଉନା କାହିଁକି ‘ଶିକ୍ଷାପ୍ରେମୀ’ ହୃଦୟଟି ସ୍ପଷ୍ଟବାରି ହୋଇପଡ଼ିଥାଏ । ନିଜ ଭାଗ୍ୟରେ ଘଟିଥିବା ଦୁର୍ଯ୍ୟୋଗ ଅନ୍ୟ କାହା ଭାଗ୍ୟରେ ନଘଟୁ, ଏଥିପାଇଁ ସେ ନିଜ ଚେଷ୍ଟାରେ ବିଦ୍ୟାଳୟ ପ୍ରତିଷ୍ଠା କଲେ । ଯେଉଁ ସାମାନ୍ୟ କେତେଦିନ ସେ ଚାକିରୀ କରିଥିଲେ ତହିଁର ସମସ୍ତ ଉପାର୍ଜନ ସେ ବିଦ୍ୟାଳୟ ପାଇଁ ଖର୍ଚ୍ଚ କରୁଥିଲେ । ଫକୀରମୋହନ, ଡମପଡ଼ାର ରାଜା ରଘୁନାଥ ମାନସିଂହ ଆଦିଙ୍କ ଠାରୁ ମଧ୍ୟ ସାହାଯ୍ୟ ଆଣି ସେ ସ୍କୁଲକାମରେ ଲଗାଉଥିଲେ । ସ୍କୁଲପରିଚାଳନା ପାଇଁ ସେ ଡମପଡ଼ାର ମ୍ୟାନେଜରୀ କରିବା ପାଇଁ ବାଧ୍ୟ ହୋଇଥିଲେ । ମ୍ୟାନେଜର କାର୍ଯ୍ୟ ସୁଚାରୁରୂପେ ପାଳନ କରୁଥିବାରୁ ରାଜା ସାହେବ ମଧ୍ୟ ତାଙ୍କୁ ଉପହାର ସ୍ୱରୂପ କେତେକ ଜିନିଷ ଦେଇଥିଲେ । ଉଭୟଙ୍କ ମଧ୍ୟରେ ଘନିଷ୍ଠ ବଂଧୁତା ଯୋଗୁ ରାଜାଙ୍କୁ ପ୍ୟାରୀମୋହନ ତାଙ୍କ ନିର୍ମିତ କଟକ ଏକାଡେମୀର ପ୍ରଥମ ପୃଷ୍ଠପୋଷକ ଭାବରେ ଗ୍ରହଣ କରିଥିଲେ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଡମପଡ଼ାର ମ୍ୟାନେଜର ହେବା ଓ ରାଜା ସାହେବଙ୍କୁ ପୃଷ୍ଠପୋଷକ କରିବା ମୂଳରେ ପ୍ୟାରୀମୋହନଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଏକାଡେମୀର ସୁପରିଚାଳନା । ମ୍ୟାନେଜର ଭାବରେ ସେ ଯାହା ଆୟ କରୁଥିଲେ ସେ ସମସ୍ତକୁ ଏକାଡେମୀର ଉନ୍ନତି ପାଇଁ ଖର୍ଚ୍ଚ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । କଟକ ଏକାଡେମୀର ଶିକ୍ଷାଦାନ ପ୍ରଣାଳୀ ଥିଲା ଭିନ୍ନ ଧରଣର । ଇଂରେଜମାନଙ୍କ ପ୍ରତିଷ୍ଠିତ ବିଦ୍ୟାଳୟରେ ସାଧାରଣ ଛାତ୍ରର ସ୍ଵାଧୀନତା ନ ଥାଏ ଓ ଅଭିଭାବକଗଣ ମଧ୍ୟ କୌଣସି ଅନ୍ୟାୟର ପ୍ରତିବାଦ କରିପାରୁ ନଥିଲେ । ଏଣୁ ଯେଉଁ ମହତ୍ ଉଦ୍ଦେଶ୍ୟ ନେଇ ପ୍ୟାରୀମୋହନ କୃପାସିନ୍ଧୁ ସାହୁ ଓ ପଣ୍ଡିତ ଗୋବିନ୍ଦ ରଥଙ୍କ ସାହଚର୍ଯ୍ୟରେ କଟକ ଏକାଡେମୀ ପ୍ରତିଷ୍ଠା କଲେ ତାହା ଛାତ୍ର ଅଭିଭାବକଙ୍କ ସହଯୋଗରେ ଏକ ଆଦର୍ଶସ୍ଥାନୀୟ ଶିକ୍ଷାନୁଷ୍ଠାନରେ ପରିଣତ ହେଲା ଏବଂ ସବୁଠାରୁ ସୁଖର କଥା ଏହା ଶ୍ରୀ ଆଚାର୍ଯ୍ୟଙ୍କ ଜୀବଦଶାରେ ୧୮୭୫ ମସିହାରେ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଓ କ୍ରମଶଃ ଉନ୍ନତି ଲାଭ କରି ୧୮୭୯ ମସିହାରେ ହାଇସ୍କୁଲରେ ପରିଣତ ହେଲା । ବିଦ୍ୟାଳୟର ସୁଗୁଣ ଓ ପ୍ୟାରୀମୋହନଙ୍କ ବ୍ୟକ୍ତିତ୍ଵରେ ପ୍ରଭାବିତ ହୋଇ ବଂଗପ୍ରଦେଶରୁ ଯେଉଁ କେତେଜଣ ଶିକ୍ଷକଭାବରେ ଆସି ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରେ ବିଶିଷ୍ଟ ବିପ୍ଳବୀ ଓ ଶିକ୍ଷାବିତ୍ ଶ୍ରୀ ବିପିନ୍ ଚନ୍ଦ୍ର ପାଲ ପ୍ରଧାନ ଶିକ୍ଷକର ଦାୟିତ୍ୱ ପାଳନ କରିଥିଲେ ।

 

୧୮୭୩ ମସିହାରେ ପ୍ରକାଶିତ ‘ଉତ୍କଳପୁତ୍ର’ ପ୍ୟାରୀମୋହନଙ୍କର ଓଡ଼ିଆ ଜାତି ପାଇଁ ଏକ ମହାନ୍ ଅବଦାନ । ଏହା ଥିଲା ଏକ ପାକ୍ଷିକ ପତ୍ରିକା । ଏପ୍ରିଲ ୧୬ ତାରିଖରେ ଏହାର ପ୍ରଥମ ସଂଖ୍ୟା ପ୍ରକାଶିତ । ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ମତରେ ଏହା ୧୮୭୧ରୁ ପ୍ରକାଶିତ ମାତ୍ର ୧୮୭୩ ପୂର୍ବ ସଂଖ୍ୟାଗୁଡ଼ିକ ଦେଖିବାକୁ ମିଳି ନଥାଏ । ସାଧାରଣତଃ ଏହା ମାସର ପ୍ରଥମ ସପ୍ତାହ ଓ ତୃତୀୟ ସପ୍ତାହରେ ପ୍ରକାଶ ପାଇଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳ ସହିତ ଭାରତର ଅନ୍ୟାନ୍ୟ ପ୍ରଦେଶର ଖବରମାନ ଏଥିରେ ପ୍ରକାଶ ପାଉଥିଲେ ହେଁ ଶିକ୍ଷାର ମହତ୍ ଉଦ୍ଦେଶ୍ୟ ସଂପର୍କରେ ଅନେକ ଲେଖା ଏଥିରେ ପ୍ରକାଶିତ । ପ୍ରତ୍ୟେକଟିକୁ ଗୋଟିଏ ଗୋଟିଏ ପ୍ରବନ୍ଧଭାବରେ ଗ୍ରହଣ କରାଯାଇପାରେ ।

 

୧୮୭୩ ମଇ ମାସ ୧୬ ସଂଖ୍ୟାର ୧୧ ପୃଷ୍ଠାରେ ପ୍ୟାରୀମୋହନ ‘ପ୍ରକୃତଶିକ୍ଷା’ ଶୀର୍ଷକ ଯେଉଁ ଲେଖାଟି ଲେଖିଥିଲେ ତହିଁରେ ତତ୍‌କାଳୀନ ଛାତ୍ର ଓ ଶିକ୍ଷକ ସମାଜପ୍ରତି ଥିଲା ଏକ ଚେତାବନୀ । କେବଳ କଣ୍ଠସ୍ଥ ଓ ମୁଖସ୍ଥ କରି ପରୀକ୍ଷା ବୈତରଣୀ ଅତିକ୍ରମ କରିବାକୁ ଚାହୁଁଥିବା ଛାତ୍ରର ଭବିଷ୍ୟତ ଅନ୍ଧକାରମୟ ହୋଇଥାଏ ଶିକ୍ଷକମାନେ ମଧ୍ୟ ଏହାର କୁପରିଣାମପ୍ରତି ସଚେତନ ନ ରହି ଛାତ୍ରମାନଙ୍କୁ ଏଥିପ୍ରତି ପ୍ରୋତ୍ସାହିତ କରୁଥିବାରୁ ଶିକ୍ଷାର କେବଳ ଗୁଣାତ୍ମକମାନ ହ୍ରାସ କରୁନାହାଁନ୍ତି ସମାଜର ମଧ୍ୟ ଅମଙ୍ଗଳ କରୁଛନ୍ତି । ଛାତ୍ର ଓ ଶିକ୍ଷକଙ୍କୁ ‘ଚୋରର ଚୋର ମାଉସୀପୁଅ’ ଭାବରେ ସଂବୋଧନ କରିଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଉଚିତ ଶିକ୍ଷା ପ୍ରଦାନ ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତି କେବେହେଲେ ନିଜର ପଦୋନ୍ନତି ପାଇଁ ଲାଳାୟିତ ନଥାନ୍ତି । ବରଂ ଯଥାର୍ଥ ଶିକ୍ଷା ପ୍ରଦାନ ଯୋଗୁଁ ବିଦ୍ୟାଳୟର ମହତ୍ୱ ବୃଦ୍ଧି ଘଟିବା ସହିତ ସ୍ୱତଃ ଶିକ୍ଷାବିଭାଗରେ ତାଙ୍କର ପ୍ରତିପତ୍ତି ଲାଭ ହେବ । ଏଣୁ ଉଭୟ ସମାଜ ଶିକ୍ଷାପ୍ରଣାଳୀକୁ ସତ୍‍ମାର୍ଗରେ ନେବାପାଇଁ ଚେଷ୍ଟା ନ କଲେ, ଏହାର ବିଷମୟ ଫଳ ଉଭୟଙ୍କୁ ହିଁ ଭୋଗୀବାକୁ ପଡ଼ିବ । ଏଣୁ ଶିକ୍ଷାର ଉଦ୍ଦେଶ୍ୟକୁ ଜାଣିବା ସହିତ ଏହା କେଉଁ ପ୍ରଣାଳୀରେ ବିତରଣ କରାଯିବା ଉଚିତ ସେଥିପାଇଁ ସଚେତନତା ଏକାନ୍ତ ଜରୁରୀ । ପ୍ୟାରୀମୋହନଙ୍କ ଭାଷାରେ ‘‘ମାନସିକ ସମୁଦାୟ ବୃତ୍ତିକୁ ସୁଶିକ୍ଷିତ ଓ ସମୁନ୍ନତ କରିବାକୁ ପ୍ରକୃତ ଶିକ୍ଷା କହି, ଶବ୍ଦ କଣ୍ଠସ୍ଥ କରିବାକୁ ପ୍ରକୃତ ଶିକ୍ଷା କହିପାରୁ ନାହିଁ । ଶିକ୍ଷାଦ୍ୱାରା ଆନ୍ତରିକ ସମୁଦାୟ ଶକ୍ତିସ୍ୱୀୟ ଲକ୍ଷପଥ ଦର୍ଶନ କରି ତହିଁରେ ବିଚରଣ କରୁଥାଏ, ମନୁଷ୍ୟତ୍ଵର ପୂର୍ଣ୍ଣତା ଆଡ଼କୁ ଚାଳିତ କରିବେ, ମାନବାତ୍ମାର ଉନ୍ନତି ପଥରେ ଏହିସବୁ ବୃତ୍ତି କ୍ରମେ କ୍ରମେ ଅଗ୍ରସର ହେବେ । ଏହା ଶିକ୍ଷାର ଯଥାର୍ଥଭାବ, ଏହା ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ । ପ୍ରବଂଧଟିର ତାତ୍ତ୍ୱିକ ଦିଗ ପ୍ୟାରୀମୋହନଙ୍କ ଆଲୋଚନାରେ ଯେମିତି ପ୍ରକାଶିତ ସେମିତି ଏଥିରେ ତାଙ୍କର ବହୁପାଣ୍ଡିତ୍ୟ ମଧ୍ୟ ପ୍ରଦର୍ଶିତ । ସମଗ୍ର ମାନବାତ୍ମାର ଦିଗଗୁଡ଼ିକ ଯଥାକ୍ରମେ ମନ, ହୃଦୟ, ବିବେକ ଓ ଧର୍ମବୁଦ୍ଧିର ବ୍ୟାଖ୍ୟା ପ୍ରବଂଧଟିକୁ ଗଂଭୀରତା ପ୍ରଦାନ କରିଥିବାବେଳେ ପ୍ରତ୍ୟେକଟିର ସରଳ ବ୍ୟାଖ୍ୟା ମଧ୍ୟ ଏହାକୁ ବୁଝିବାରେ ସହାୟକ ହୋଇଥାଏ । ସ୍ମୃତି, ବୁଦ୍ଧି ଓ ଯୁକ୍ତି ମନ ଅନ୍ତର୍ଗତ, ପ୍ରୀତି, ସ୍ନେହ, କୋମଳତା ଓ ଦୟା ପ୍ରଭୃତିର ସମଷ୍ଟିକୁ ହୃଦୟଭାବ, ନ୍ୟାୟ, ଯଥାର୍ଥ୍ୟବୋଧ ଓ କର୍ତ୍ତବ୍ୟଜ୍ଞାନର ନାମ ବିବେକ ଓ ଈଶ୍ୱରଙ୍କ ସଂଗେ ସାକ୍ଷାତ ସଂବଧ, ଅନୁଭୂତି ଆଦି ଧର୍ମବୁଦ୍ଧି ନାମରେ ଖ୍ୟାତ । ଶ୍ରୀ ଆଚାର୍ଯ୍ୟଙ୍କ ମତରେ ଏହି ସମସ୍ତଭାବ ସମୁନ୍ନତ ହେଲେ ଶିକ୍ଷାର ପ୍ରକୃତ ଅବସ୍ଥା ଉପସ୍ଥିତ ହୁଏ । ସମଗ୍ରବିଶ୍ଵର ବିଶ୍ଵବିଦ୍ୟାଳୟ ଗୁଡ଼ିକରେ ଯେଉଁ ପାଠ୍ୟ ପୁସ୍ତକ ଅଧୀତ ବିଦ୍ୟାଭାବରେ ପ୍ରଚଳିତ ଯଥା–ସାହିତ୍ୟ, ବିଜ୍ଞାନ, ଇତିହାସ, ଗଣିତ, ତର୍କଶାସ୍ତ୍ର ଆଦି ଯଥାର୍ଥ ମାନବିକ ବିକାଶ ପାଇଁ ସହାୟକ ହେଉଥିବାରୁ ଏଗୁଡ଼ିକରେ ଶିକ୍ଷାସଂବଧ ରକ୍ଷିତ । ସାହିତ୍ୟଦ୍ୱାରା ହୃଦୟର ଭାବରସ ଉଦ୍‍ବେଳିତ ହୋଇଥାଏ । ପ୍ରୀତି, କରୁଣା, ବିସ୍ମୟ, ଉତ୍ସାହ ପ୍ରଭୃତି ଭିନ୍ନ ଭିନ୍ନ ଭାବରସର ଉଦ୍ରେକକାରୀ ସାହିତ୍ୟ ମଣିଷ ହୃଦୟକୁ ସମୁନ୍ନତ କରାଏ । ପ୍ରାକୃତିକ ବିଜ୍ଞାନ, ମନୋବିଜ୍ଞାନ, ଭୂତତ୍ତ୍ୱ ଜ୍ୟୋତିଷ ବିଜ୍ଞାନ, ନୀତିବିଜ୍ଞାନ ଆଦିଦ୍ୱାରା ମନ ଉଭୟ ବାହ୍ୟ ଓ ଅନ୍ତଃଜଗତର ସତ୍ୟ ବୁଝିବାକୁ ସମର୍ଥ ହୁଏ ଓ ସତ୍ୟକୁ ପ୍ରତ୍ୟକ୍ଷ କରି ସକଳ ଓ ସମୁନ୍ନତ ହୁଏ । ଗଣିତ ଚିନ୍ତା କରିବାକୁ ପରିଷ୍କାର ସିଦ୍ଧାନ୍ତ ଓ ସତ୍‍ମୀମାଂସାରେ ଉପସ୍ଥିତ ହେବା ସକାଶେ ମନକୁ ଶିକ୍ଷାଦିଏ, କାରଣ ଚିନ୍ତା, ବିଶୁଦ୍ଧ ସିଦ୍ଧାନ୍ତ ବା ସତ୍‍ମୀମାଂସାରେ କ୍ଷମତା ନ ଥିଲେ ପ୍ରକୃତ ସତ୍ୟର ଅନୁବର୍ତ୍ତୀ ହେବା ଦୁଃସାଧ୍ୟ ହୋଇଉଠେ । ତର୍କଶାସ୍ତ୍ରଦ୍ୱାରା ଯୁକ୍ତି ସବଳ ହୁଏ । ପରସ୍ପର ବିରୋଧୀ ଓ ଅସତ୍ୟମୂଳକ ବ୍ୟାପାରମାନଙ୍କ ମଧ୍ୟରେ ସତ୍ୟ ନିର୍ଦ୍ଧାରଣ କ୍ଷମତା ଜନ୍ମେ । ନୀତିବିଜ୍ଞାନ ପାଠରେ ଅନ୍ତରସ୍ଥ ସ୍ୱାଭାବିକ କର୍ତ୍ତବ୍ୟଜ୍ଞାନ ଓ ନ୍ୟାୟ ଅନ୍ୟାୟ ପୁଣି ଭଲମନ୍ଦ ବିଚାରର ନିପୁଣତା ଜନ୍ମେ । ଇତିହାସ ମନୁଷ୍ୟ ପ୍ରକୃତିର ଦୁଇଦିଗ ବିଶେଷ ରୂପରେ ପ୍ରଦର୍ଶିତ କରାଏ । ଏହି ମାନବ ପ୍ରକୃତି କେତେବେଳେ ସ୍ଵର୍ଗୀୟ ଦେବତା, କେତେବେଳେ ନର୍କର କୀଟରୂପ ଧାରଣ କରେ । କେତେବେଳେ ଅସଦ୍‌ଭାବର ଉଦ୍ରେକ ହୁଏ, କେତେବେଳେ ଦେବଭାବରେ ବିକଶିତ ହୁଏ । ଅତୀତର ଧର୍ମପ୍ରଚାର ହେଉ ବା ବର୍ତ୍ତମାନର ହିଂସାକାଣ୍ଡ ହେଉ, ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଏଥିରୁ ମିଳେ ଉଚିତ ଶିକ୍ଷା । ଏଣୁ ଇତିହାସ ଜ୍ଞାନ ଚର୍ଚ୍ଚା ପ୍ରତ୍ୟେକଙ୍କର ନିତାନ୍ତ ଜରୁରୀ । ଏହିପରି ଶିକ୍ଷାର ବିବିଧ ଦିଗପ୍ରତି ଆଲୋଚନା କରି ଶ୍ରୀ ଆଚାର୍ଯ୍ୟ ଲେଖିଛନ୍ତି, ସୁଶିକ୍ଷାଦ୍ୱାରା ମନ ସତ୍ୟଶିକ୍ଷାରେ ଓ ହୃଦୟ ପ୍ରୀତିରେ ସମୁନ୍ନତ ହୁଏ, ଏବଂ ବିବେକ ଉନ୍ନତି ହୋଇ ସାଧୁତା ଓ ବିଶୁଦ୍ଧୋମାର୍ଗରେ ବିତରଣ କରେ; କିନ୍ତୁ କିଏ ସତ୍ୟର ପ୍ରସ୍ରବଣ ? କିଏ ପ୍ରୀତିର ମୂଳ ଓ ସାଧୁତାର ହେତୁ ? ସେହି ପ୍ରେମମୟ ଚିତ୍ତ ସ୍ଵରୂପ ଈଶ୍ୱର । ଆତ୍ମାର ସମୁଦାୟ ବୃତ୍ତିର ଉନ୍ନତି ପୂର୍ଣ୍ଣତା ଦିଗକୁ, ପୁଣି ଈଶ୍ଵରଙ୍କ ଠାରେ ସେହି ପୂର୍ଣ୍ଣତାର ପରିତୃପ୍ତି, ଏହି ସମୁଦାୟ ଉନ୍ନତିର ନାମ ଧର୍ମ । ଏହାହିଁ ସମୁଦାୟ ଶିକ୍ଷାର ଗୁଢ଼ ତାତ୍ପର୍ଯ୍ୟ, ଆଉ ଉପାର୍ଜନ ଏହାର ଗୋଟିଏ ଫଳ; କିନ୍ତୁ ଲକ୍ଷ ନୁହେଁ । ଶିକ୍ଷାର ଏହା ପ୍ରକୃତ ଉଦ୍ଦେଶ୍ୟ ।’’ ଏହିପରି ପ୍ରକୃତ ଶିକ୍ଷା ସଂପର୍କରେ ଆଲୋଚନା କରିବା ସ୍ଥଳେ ପ୍ୟାରୀମୋହନ କହିବାକୁ ଚାହିଁଛନ୍ତି ଯେ, ଈଶ୍ଵରାର୍ପିତଜୀବନ ପ୍ରକୃତ ଶିକ୍ଷା ଗ୍ରହଣ କରିଥାଏ ଓ ଏହାଦ୍ୱାରା ସାଧୁତା, କର୍ତ୍ତବ୍ୟନିଷ୍ଠା ଜାଗ୍ରତ ହୋଇ ବିବେକର ବିକାଶ ଘଟିଥାଏ । ଏଣୁ ଶିକ୍ଷାଦାତା ଓ ଗ୍ରହିତାଙ୍କର ଆତ୍ମା ଓ ବିବେକ ଶିକ୍ଷିତ ହେବା ଦରକାର ।

 

୧୬ ଅଗଷ୍ଟ ୧୮୭୩ ଉତ୍କଳପୁତ୍ରର ୩୫ ପୃଷ୍ଠାରେ ପ୍ୟାରୀମୋହନ ‘ଇଂରାଜୀ ସ୍କୁଲମାନଙ୍କର ଶିକ୍ଷାପ୍ରଣାଳୀ’ ସଂପର୍କରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ପ୍ରକୃତରେ ତତ୍‌କାଳୀନ ଶିକ୍ଷା ଓ ସମାଜ ପାଇଁ ଏକାନ୍ତ ଜରୁରୀ ଥିଲା । ଆଚାର୍ଯ୍ୟଙ୍କ ମତରେ ଇଂରାଜୀ ଭାଷା ଶିକ୍ଷାଦ୍ୱାରା ଦୁଇଟି ଉପକାର ନିଶ୍ଚୟ ହେଉଛି, ପ୍ରଥମତଃ ଏହା ରାଜଭାଷା ହୋଇଥିବାରୁ ରାଜକାର୍ଯ୍ୟ ନିର୍ବାହରେ ସାମର୍ଥ୍ୟ ହେଉଛି ଏଣୁ ସମଧିକ ଅର୍ଥୋପାର୍ଜ୍ଜନରେ ସହାୟତା ପ୍ରଦାନ କରୁଛି ଏଥି ସହିତ ରାଜପୁରୁଷମାନଙ୍କୁ ଆପଣାର ଅବସ୍ଥା ଓ ଅଭାବାଦିକୁ ନାନା ଉପାୟରେ ଜଣାଇବାକୁ ସମର୍ଥ ହେଇପାରୁଛି । ଦ୍ୱିତୀୟତଃ ଅନେକ ଉନ୍ନତ ଓ ଉଚ୍ଚଭାବମାନ ଆମ୍ଭମାନଙ୍କ ମାନସପଟରେ ମୁଦ୍ରିତ କରି ହୃଦୟକୁ ବିସ୍ତୃତ ଓ ଉଦାର କରୁଅଛି । କିନ୍ତୁ ଆଜିକାଲି ଇଂରାଜୀ ସ୍କୁଲମାନଙ୍କରେ ଯେପରି ଶିକ୍ଷାର ରୀତି ପ୍ରବର୍ତ୍ତିତ ହୋଇଅଛି, ତହିଁରେ ଶେଷୋକ୍ତ ବିଷୟ ସୁନ୍ଦରରୂପେ ସଂପାଦିତ ହେବାର ଜଣା ନାହିଁ । ଊନବିଂଶ ଶତାବ୍ଦୀର ଶେଷ ତିନୋଟି ଦଶକରେ ଇଂରାଜୀ ଭାଷାକୁ କେବଳ ଲଦି ଦିଆଯାଉଥିଲା ଓ ଇଂରାଜୀ ଶିକ୍ଷା ସାଧାରଣଙ୍କ ଅପେକ୍ଷା ସରକାରୀ ଅମଲାମାନେ କେବଳ ହାସଲ କରୁଥିବାରୁ ଏହାର ବିଷମୟ ଭୟାବହତା ଓଡ଼ିଶାବାସୀଙ୍କୁ ଭୋଗୀବାକୁ ପଡ଼ିଥିଲା । ସାଧାରଣ ଘରର ଛାତ୍ରଛାତ୍ରୀମାନେ କେବଳ ନିମ୍ନଶ୍ରେଣୀରେ ଏ.ବି.ସି.ଡ଼ି ଶିକ୍ଷା ପାଉଥିବା ବେଳେ ଇଂରେଜମାନଙ୍କ ସନ୍ତାନସନ୍ତତି ଜ୍ଞାନବିଜ୍ଞାନାଦିର ଚର୍ଚ୍ଚା ଇଂରାଜୀ ମାଧ୍ୟମରେ କରୁଥିଲେ । ପ୍ୟାରୀମୋହନଙ୍କ ଭାଷାରେ ‘‘ଆଜିକାଲି ସାଧାରଣ ଘରର କୋମଳମତି ବାଳକଙ୍କୁ ଯେଉଁ ଶିକ୍ଷା ଦିଆଯାଏ, ସେଥିରେ ସେମାନଙ୍କର ଅନେକ ଅସୁବିଧା ଘଟୁଥିବାର ପ୍ରତୀୟମାନ ହେଉଅଛି । ସରଳବୁଦ୍ଧି ଶିଶୁସନ୍ତାନମାନଙ୍କୁ ଏ.ବି.ସି. ଚିହ୍ନାଇ ଓ ଦୁଇ ଏକ ଖଣ୍ଡ ପ୍ରଥମ ପାଠ୍ୟ ପୁସ୍ତିକାଦିରୁ ୧୦/୧୨ ପତ୍ର ଓଲଟାଇ ସେମାନଙ୍କ ହସ୍ତରେ ଦାନ୍ତଭଂଗା ପୁରସ୍ତମୀ ଗଜା ପ୍ରାୟ ଇଂରାଜୀରେ ଅଂକଶାସ୍ତ୍ର, ଭୂଗୋଳ, ଇତିହାସ ପ୍ରଭୃତିର ପଠନଭାର ଅର୍ପଣ କଲେ କେତେ ଶୀଘ୍ର ସେମାନଙ୍କର ସେଥି ମଧ୍ୟରେ ପ୍ରବେଶ ସମ୍ଭାବନା, ଭୁକ୍ତ ଭୋଗୀମାନେ ସହଜରେ ବୁଝିବାକୁ ସମର୍ଥ ହେଉଥିବେ-।’’ ପ୍ୟାରୀମୋହନ ନିଜ ଅଭିଜ୍ଞତାରୁ କହିଛନ୍ତି ଯେ ଏହାଯୋଗୁଁ କୋମଳମତି ବାଳକବାଳିକାମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହା ତାଙ୍କୁ ଜଣା । ଦେଶୀୟ ଭାଷାରେ ପ୍ରଥମେ ଥରେ ବୁଝିସାରିବା ପରେ କସରତ୍ କରି ଇଂରାଜୀ ଭାଷାରେ ବୁଝିବାରେ ସହଜ ହୁଏ । ଏପରି ଅବସ୍ଥାରେ ନିମ୍ନଶ୍ରେଣୀମାନଙ୍କରେ ଅଂକାଦିକୁ ଇଂରାଜୀରେ ନ ପଢ଼ାଇ ପ୍ରାଥମିକ ପର୍ଯ୍ୟାୟରେ ଦେଶୀୟ ଭାଷାରେ ଶିକ୍ଷା ଦେଲେ ସୁବିଧା ଘଟିବ । ଏହାକୁ ମୌଳିକଶିକ୍ଷାର ଅଭିପ୍ରାୟ ବୋଲି ଗ୍ରହଣ କରାଯାଇଥାଏ । ପ୍ରବଂଧଟିକୁ ଲେଖିବା ପାଇଁ କଟକ ଡିଷ୍ଟ୍ରିକଟ୍ କମିଟିର ଯେଉଁ ବିଶେଷ ଘଟଣା ପ୍ରେରଣା ଯୋଗାଇଛି ତାକୁ ମଧ୍ୟ ଶ୍ରୀ ଆଚାର୍ଯ୍ୟ ଅକୁଣ୍ଠିତ ଚିତ୍ତରେ ଘୋଷଣା କରିଛନ୍ତି । ଡିଷ୍ଟିଟ୍ କମିଟି ବି ଜାତୀୟ ଭାବରଖୁ ଭାଷା ଶିକ୍ଷା କରିବା ଭଲ ବୋଲି ମତ ଦେଇଥିବାରୁ, ଏହାର ପ୍ରତିବାଦରେ ଆଚାର୍ଯ୍ୟ କହିଥିଲେ, ‘ବିଜାତୀୟ ଭାଷା ଶିକ୍ଷା କରିବାର ବିଶୁଦ୍ଧ ରୀତି ଅନୁବାଦ’ । କିନ୍ତୁ ବଡ଼ ଦୁଃଖର ବିଷୟ ଯେ, ଏ ଅଂଶରେ ଅଳ୍ପ ମନୋଯୋଗ ଦିଆଯାଏ । ପ୍ରକୃତ କଥା, ଅନୁବାଦ ଭାଷା ଶିଖିବାର ଏକ ଉତ୍କୃଷ୍ଟ ରୀତି, ଏହା ପରୀକ୍ଷାର କଥା, ଅସଂଗତ ହେବ ନାହିଁ ଯେ ଜଣେ ଉତ୍ତମ ଭାଷା ଲେଖି ଶିଖି ଇଚ୍ଛାକରି ଅନୁବାଦ ରୀତିର ଅନୁସରଣ କଲେ, ସ୍କୁଲରେ ପଢ଼ି ଯାହା ଦୁଇବର୍ଷରେ ନ ହେବ ତାହା ଛମାସରେ ସାଧିତ ହେବ । ଏହି ପ୍ରବଂଧରେ ମଧ୍ୟ ପରୋକ୍ଷରେ ଶ୍ରୀ ଆଚାର୍ଯ୍ୟଙ୍କର ଇଂରାଜୀ ପ୍ରତି ନବ୍ୟଶିକ୍ଷିତମାନଙ୍କର ଥିବା ଅହେତୁକ ମୋହ ପ୍ରତି କଟାକ୍ଷ ପ୍ରଦର୍ଶିତ । ନବ୍ୟଶିକ୍ଷିତମାନେ ପ୍ରତ୍ୟେକ କଥାରେ ମୋଭଳି ଇଂରାଜୀ ବ୍ୟବହାର କରୁଥିଲେ ତହିଁରେ ବିଜାତୀୟଭାବ ପ୍ରକାଶ ପାଇବା ସହିତ ଦେଶୀୟ ଶିକ୍ଷା ପ୍ରତି ଥିବା ଅନାଦର ମଧ୍ୟ ପ୍ରକଟିତ । ଏଣୁ ବ୍ୟଙ୍ଗ ଉକ୍ତି ପ୍ରକାଶ କରି ଶ୍ରୀ ଆଚାର୍ଯ୍ୟ କହିଛନ୍ତି–“ଆମ୍ଭେମାନେ ବର୍ତ୍ତମାନ କୌଣସି ଦାର୍ଶନିକ ନୈୟାୟିକକି ରାଜନୈତିକ କଥା ହେବାକୁ ବସିଲେ, ଇଂରାଜୀଦ୍ୱାରା ଭାବିବାକୁ ପଡ଼େ, ମାତ୍ର ଯେତେଦିନ ଯାଏ ଆମ୍ଭମାନଙ୍କ ଦେଶୀୟଭାଷା ଦ୍ଵାରା ଭାବିବାକୁ ନ ଶିଖିଛୁ ଓ ନ ପାରିବୁ ତେତେଦିନ ଯାଏ ଆମ୍ଭମାନଙ୍କର ଉନ୍ନତି ଜାତୀୟ ଓ ପ୍ରକୃତଭାବ ଧାରଣ କରିବ ନାହିଁ-।’’ ପ୍ରବଂଧଟିରେ ଆଚାର୍ଯ୍ୟଙ୍କର ପ୍ରସ୍ତାବ ନିଶ୍ଚୟ ଥିଲା ଦେଶୀୟ ଭାଷା ମାଧ୍ୟମରେ ଇଂରାଜୀ ଶିକ୍ଷାର ପ୍ରଚଳନ ପ୍ରତି ମାର୍ଗ ଦର୍ଶନ । ତତ୍କାଳୀନ କର୍ମଚାରୀ ଦ୍ଵାରିକାନାଥ ବାବୁ ମଧ୍ୟ ପୂର୍ବରୁ ଇଂରେଜ ସାହେବ ହପକିନସ୍‍ଙ୍କୁ ଏହିଭଳି ପ୍ରସ୍ତାବ ଦେଇଥିବାରୁ ଏହାର ପୁନଃବିବେଚନା ଜରୁରୀ ବୋଲି ପ୍ୟାରୀମୋହନ କହିଛନ୍ତି । ପ୍ରବଂଧଟିର ଶେଷରେ ଶ୍ରୀ ଆଚାର୍ଯ୍ୟ ଲେଖିଛନ୍ତି, ‘‘ପ୍ରସ୍ତାବିତ ଉପାୟ ବିଧାନ କଲେ ଏ ବିଷୟରେ ଅନେକ ସୁବିଧା ଜନ୍ମିବ ସନ୍ଦେହ ନାହିଁ । ଅତଏବ ଆମ୍ଭେମାନେ ଡିଷ୍ଟ୍ରିକଟ୍ କମିଟିକୁ ଅନୁରୋଧ କରୁଅଛୁଁ ଏ ଅଞ୍ଚଳରେ ଦ୍ଵାରିକାବାବୁଙ୍କର ପ୍ରସ୍ତାବିତ ରୀତିକୁ ଯେତେଦୂର ସଂଭବ ପ୍ରବର୍ତ୍ତିତ କରନ୍ତୁ ଓ ଛୋଟ ଲାଟସାହେବ ଏବଂ ଅନ୍ୟାନ୍ୟ ଶିକ୍ଷା ବିଭାଗୀୟ ଅଧ୍ୟକ୍ଷମାନଙ୍କୁ ପ୍ରାର୍ଥନା ଯେ ଉକ୍ତ ବିଷୟ ଭାବିଚିନ୍ତି, ଇଂରାଜୀ ସ୍କୁଲମାନଙ୍କରେ ଦେଶୀୟ ଭାଷାରେ ଇତିହାସ, ଅଙ୍କଶାସ୍ତ୍ରାଦି ନ୍ୟୂନ ପକ୍ଷେ ନିମ୍ନ ଶ୍ରେଣୀମାନଙ୍କରେ ଚଳାଇବାକୁ ତ୍ରୁଟି ନ କରନ୍ତୁ-। ତାହା ହେଲେ ଇଂରାଜୀ ଓ ଦେଶୀୟଭାଷାରେ ଏକାବେଳକେ ଦେଶୀୟ ଲୋକେ ଶିକ୍ଷିତ ହେବେ ଓ ସେମାନଙ୍କର ଜାତୀୟ ଗୌରବ କ୍ରମଶଃ ବୃଦ୍ଧି କରିବାକୁ ସକ୍ଷମ ହେବେ । ଆମ୍ଭେମାନେ ବୋଧ କରୁଁ ଭାରତ ହିତୈଷୀ କେହି ଏ ପ୍ରସ୍ତାବରେ ପ୍ରତିବାଦ କରିବାକୁ ସାହସୀ ହେବେ ନାହିଁ ।’’

 

ଶିକ୍ଷାପ୍ରେମୀ ପ୍ୟାରୀମୋହନ ଏହିଭଳି ଉତ୍କଳପୁତ୍ରରେ ବାରଂବାର ଶିକ୍ଷାର ବିକାଶ ପାଇଁ ମନ୍ତବ୍ୟମାନ ଦେବା ସହିତ ସରକାରଙ୍କ ନୀତିକୁ ମଧ୍ୟ ସମର୍ଥନ କରିଛନ୍ତି । ଜୁନ୍ ମାସ ୧ ତାରିଖ ୧୮୭୩ରେ ‘ହପକିନସ୍ ସାହେବ ଓ ହାଇସ୍କୁଲ’ ‘କୁପ୍ରବୃତ୍ତି ପରୀକ୍ଷକ’ ଓ ୦୧ ଅକ୍ଟୋବର ୧୮୭୩ ସଂଖ୍ୟାରେ ‘ନର୍ମାଲ ସ୍କୁଲ’ ଶୀର୍ଷକ ରଚନା ଗୁଡ଼ିକରୁ ଶ୍ରୀ ଆଚାର୍ଯ୍ୟଙ୍କର ଇଂରାଜୀ ଶିକ୍ଷାପ୍ରତି ବିରୋଧଭାବ ନୁହଁ, ବରଂ; ଦେଶୀୟ ଭାଷାର ଉନ୍ନତି ପାଇଁ ଇଂରାଜୀ ଭାଷାର ପ୍ରୟୋଜନୀୟତା ପ୍ରତି ଗୁରୁତ୍ୱ ଆରୋପିତ । ଇଂରାଜୀକୁ ନ ବୁଝି ତାର ଅପପ୍ରୟୋଗ ଯୋଗୁ ନବ୍ୟଶିକ୍ଷିତମାନେ ଯେଉଁ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରୁଥିଲେ ଶ୍ରୀ ଆଚାର୍ଯ୍ୟ ଏହାର ଘୋର ବିରୋଧ କରିଛନ୍ତି । ସର୍ବୋପରି ଶିକ୍ଷାର ବିକାଶରେ ମାନବିକ, ସାମାଜିକ ଉନ୍ନତି ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।

 

ପ୍ୟାରୀମୋହନ ଆଚାର୍ଯ୍ୟ ତାଙ୍କ ପ୍ରଣୀତ ‘ଓଡ଼ିଶାର ଇତିହାସ’ (୧୮୭୯)ରେ ମଧ୍ୟ ‘ଉତ୍କଳଭାଷା, ଗ୍ରନ୍ଥକାର ଓ ଜ୍ଞାନଚର୍ଚ୍ଚା’ ଶୀର୍ଷକରେ ଓଡ଼ିଶାର ଭାଷା ସାହିତ୍ୟ ସଂପର୍କରେ ଆଲୋଚନା କରିବା ସହିତ ଶିକ୍ଷା ଓ ସଂସ୍କୃତିପ୍ରେମୀ ଓଡ଼ିଶାବାସୀଙ୍କ ଅତୀତ ଇତିହାସ ଗୌରବୋଜ୍ଜ୍ୱଳ ଥିଲା ବୋଲି କହିଛନ୍ତି । ଦଶମ ଶତାବ୍ଦୀଠାରୁ ଭାରତବର୍ଷରେ ଭାଷା ପରିବର୍ତ୍ତନ ଆନ୍ଦୋଳନର ସୂତ୍ରରୁ ସୃଷ୍ଟି ହୋଇଥିବା ଓଡ଼ିଆର ପ୍ରାଚୀନ ମଧ୍ୟଯୁଗ ଓ ଆଧୁନିକ ସାହିତ୍ୟକୁ ପ୍ରଶଂସା କରି ସେ କହିଛନ୍ତି ଯେ ଏ ସବୁଥିରେ ଶିକ୍ଷିତ ଓଡ଼ିଆଙ୍କ ମନୋଭାବ ପ୍ରକଟିତ । ସୂର୍ଯ୍ୟବଂଶ ରାଜାମାନଙ୍କ ସମୟରେ ରଚିତ ଭାଗବତ, ରାମାୟଣ ସହିତ ପରବର୍ତ୍ତୀକାଳରେ ଦୀନକୃଷ୍ଣ ଉପେନ୍ଦ୍ରଭଂଜଙ୍କ ସାହିତ୍ୟ ସବୁର ଗୁଣାଦର୍ଶ ଆଲୋଚନା କରୁଛନ୍ତି । ଇତିହାସର କ୍ରମରେ ଅଭିମନ୍ୟୁଙ୍କ ବିଦଗ୍ଧଚିନ୍ତାମଣି ସହିତ ଆଧୁନିକ ବିଦ୍ୟା ଶିକ୍ଷାର ଉନ୍ନତି ଓଡ଼ିଶାବାସୀଙ୍କ ସଂସ୍କୃତି ଚେତନାର ପରିଚୟ ଦିଏ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ବିଶେଷତଃ ଆଧୁନିକ କାଳରେ ଇଂରେଜମାନଙ୍କ ଅବଦାନରୁ ରଚିତ ପାଠ୍ୟପୁସ୍ତକ, ବିଦ୍ୟାଳୟ ଓ ମୁଦ୍ରଣଯନ୍ତ୍ରର ପ୍ରତିଷ୍ଠା ସହିତ ଓଡ଼ିଶା ପତ୍ରପତ୍ରିକାର ପ୍ରକାଶ ଓଡ଼ିଶାବାସୀଙ୍କୁ ଉଚ୍ଚଶିକ୍ଷାପ୍ରତି ଆଗ୍ରହୀ କରାଇଛି । ଶିକ୍ଷାର ମୌଳିକ ଉଦ୍ଦେଶ୍ୟ ପ୍ରତି ସଚେତନ ରହି ଓଡ଼ିଆମାନେ ଅଗ୍ରଗତି କରୁଥିବାରୁ ଉତ୍କଳର ଭବିଷ୍ୟତ ବିକାଶ ଅବଶ୍ୟମ୍ଭାବୀ ବୋଲି ମଧ୍ୟ ସେ ଆଶାବାଦୀ ।

 

ଶିକ୍ଷିତ ପ୍ୟାରୀମୋହନଙ୍କର ଓଡ଼ିଶା ପ୍ରତି ଥିବା ଆନ୍ତରିକ ସଦିଚ୍ଛା ଓ ମମତ୍ୱବୋଧରୁ ଓଡ଼ିଶାର ଉନ୍ନତି କାମନା ତାଙ୍କର ଧ୍ୟେୟ ହୋଇଯାଇଛି । ବିଶେଷକରି ଇଂରେଜମାନଙ୍କ ଆଗମନ ପରେ ଓଡ଼ିଶାର କ୍ଷତିସାଧନ ପାଇଁ ବଂଗାଳୀ ଅମଲାମାନଙ୍କର ଦୁରଭିସନ୍ଧିକୁ ସେ ସହ୍ୟ କରିନାହାନ୍ତି । ବଂଗାଳୀମାନଙ୍କ ମାଧ୍ୟମରେ ଜଜ୍, ଶିକ୍ଷକ, ରାଜସ୍ୱ ଆଦାୟକାରୀ ଓ ସରକାରୀ ଉଚ୍ଚ ପଦସ୍ଥ ଅଫିସରଙ୍କର ନିଯୁକ୍ତି ସେ ଅପମାନ ବୋଲି ବିଚାରକରିବା ସହିତ ସେମାନଙ୍କ ଅପଚେଷ୍ଟାରେ ଓଡ଼ିଆ ଭାଷାର ଦୁର୍ଗତି ଘଟୁଛି ବୋଲି ସେ ପରୋକ୍ଷରେ କହୁଥିଲେ । ନିଜେ କଂପାନୀ ବୁଦ୍ଧିଜୀବୀମାନଙ୍କ ସାହାଯ୍ୟରେ ବ୍ରାହ୍ମଧର୍ମ ଗ୍ରହଣ କରିଥିବାରୁ ଶିକ୍ଷିତ ଓ ସଂସ୍କୃତି ସଂପନ୍ନ ବଂଗାଳୀଙ୍କୁ ସେ ପ୍ରଶଂସା କରିଛନ୍ତି । ବିଦେଶୀ ସାହେବ ଯଥା ବିମସ୍, ହପକିନ୍‍ସ, ଡ୍ରୁଗ, ରେଭେନ୍‌ସା ଆଦିଙ୍କ ଉପକାର, ବିଶେଷତଃ ଶିକ୍ଷାପ୍ରେମ ଓଡ଼ିଶାରେ ଶିକ୍ଷିତ ସମାଜ ଗଢ଼ି ପାରିଥିବାରୁ ସେମାନଙ୍କୁ ହିତୈଷୀ-ବିଦେଶୀ ଭାବରେ ଗ୍ରହଣ କରିଛନ୍ତି । ମୂଳତଃ ଶିକ୍ଷିତ ସଂପ୍ରଦାୟ ଓ ସଂସ୍କୃତିସଂପନ୍ନ ବ୍ୟକ୍ତିବିଶେଷଙ୍କ ଭୂମିକା ତାଙ୍କଦ୍ୱାରା ସର୍ବଦା ମର୍ଯ୍ୟାଦାବନ୍ତ ଆସନ ଗ୍ରହଣ କରିଛନ୍ତି । ପ୍ୟାରୀମୋହନଙ୍କ ସମକାଳରେ ଶିକ୍ଷାର ଭଲ ମନ୍ଦ ଅବସ୍ଥା ଯଥାଯଥ ଭାବରେ ‘ଉତ୍କଳପୁତ୍ର’ରେ ବର୍ଣ୍ଣିତ ହେଇପାରିଥିବାରୁ ତାଙ୍କୁ ଜାଗରଣପର୍ବର ଅନ୍ୟତମ ସାରଥୀଭାବେ ଗ୍ରହଣ କରାଯାଇଥାଏ । ଗୌରୀଶଙ୍କର, ଫକୀରମୋହନ, ରାଧାନାଥ, ମଧୁସୂଦନ ଓ ପଣ୍ଡିତ ଗୋବିନ୍ଦ ରଥ ପ୍ରମୁଖଙ୍କ ସଂସ୍ପର୍ଶରେ ଆସି ସେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ ଆଣିବାକୁ ଚାହିଁଥିଲେ ତହିଁରୁ ତାଙ୍କ ଉଚ୍ଚ ତଥା ଶିକ୍ଷିତ ମାନସିକତା ବାରି ହୋଇପଡ଼େ । ମାତ୍ର ତିରିଶ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରି ନ ଥିଲେ ଓଡ଼ିଶାର ଶିକ୍ଷାଗତ ଉନ୍ନତି ଚରମ ସୀମାକୁ ସ୍ପର୍ଶ କରିପାରିଥାନ୍ତା, ଏହା ନିଃସନ୍ଦେହ । ଊନବିଂଶ ଶତାବ୍ଦୀରେ ଓଡ଼ିଶାର ବିକାଶ ମୁଖ୍ୟତଃ ଯେଉଁ ତିନୋଟି ଉପାଦାନ ଯଥା; ବିଦ୍ୟାଳୟ, ପତ୍ରପତ୍ରିକା ଓ ପାଠ୍ୟପୁସ୍ତକ ଉପରେ ନିର୍ଭର କରୁଥିଲା ପ୍ୟାରୀମୋହନ ନିଜର ସବୁକିଛିକୁ ତ୍ୟାଗକରି ସେ ତିନୋଟିରେ ମନପ୍ରାଣ ଢ଼ାଳି ଦେଇଥିଲେ । ତାଙ୍କଦ୍ୱାରା ରଚିତ ‘ଓଡ଼ିଶାର ଇତିହାସ’ କେବଳ ଇତିହାସ ନୁହେଁ, ତହିଁର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଆବେଦନ ଓଡ଼ିଆ ଜାତିକୁ ଉଦ୍‍ବୁଦ୍ଧ କରାଏ । ଏଣୁ ପ୍ୟାରୀମୋହନଙ୍କ ଶିକ୍ଷାନୁରାଗ ଚିରସ୍ମରଣୀୟ ହୋଇ ରହିବ । ଏହା ଅବିସମ୍ବାଦିତ ସତ୍ୟ ।

 

 

ରିଡ଼ର

ଓଡ଼ିଆ ବିଭାଗ, ବିଶ୍ୱଭାରତୀ

ଶାନ୍ତିନିକେତନ, ପଶ୍ଚିମବଙ୍ଗ

 

***

 

Unknown

ଊନବିଂଶ ଶତାବ୍ଦୀ ଓଡ଼ିଶାରେ ସାମ୍ବାଦିକତାର

ଅଭ୍ୟୁଦୟ ଓ ସାମ୍ବାଦିକ ପ୍ୟାରୀମୋହନ

ଡକ୍ଟର ଲକ୍ଷ୍ମୀକାନ୍ତ ମିଶ୍ର

 

ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଓଡ଼ିଶାରେ ଜନଜାଗରଣ ଓ ଜନଚେତନା ସୃଷ୍ଟି କରିବାରେ ସେତେବେଳରେ ପ୍ରକାଶିତ ସମ୍ବାଦପତ୍ରଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଆଧୁନିକ ଇତିହାସରେ ସମାଜର ବିବର୍ତ୍ତନରେ ସମ୍ବାଦପତ୍ରର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ । ଖଣ୍ଡ ବିଖଣ୍ଡିତ ଓଡ଼ିଶା ପ୍ରଦେଶକୁ ଏକତ୍ରିତ କରାଇବା, ଓଡ଼ିଆ ଭାଷାକୁ ତାର ବାଞ୍ଛିତ ସ୍ଥିତି ଓ ସ୍ୱୀକୃତି ପ୍ରଦାନ କରାଇବା ଏବଂ ତଦୁପରି ଓଡ଼ିଆମାନଙ୍କୁ ସେମାନଙ୍କ ଜାତୀୟ କର୍ତ୍ତବ୍ୟ ପ୍ରତି ସଚେତନ କରାଇବାରେ ତତ୍କାଳୀନ ସମ୍ବାଦପତ୍ରଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।

 

ଓଡ଼ିଶାରେ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଗୋଟିଏ ବୋଲି ସମ୍ବାଦପତ୍ର ନ ଥିଲା । ଅବଶ୍ୟ ୧୮୩୮ ମସିହା ପୂର୍ବରୁ ଓଡ଼ିଶାରୁ ଏକ ହସ୍ତଲିଖିତ ସମ୍ବାଦପତ୍ର ପ୍ରକାଶ ପାଉଥିଲା । ଏହା ଥିଲା କଟକଜିଲ୍ଲାର କୁଜିବର ଗ୍ରାମର ସାଧୁସୁନ୍ଦର ଦାସଙ୍କ ଦ୍ଵାରା ସଂପାଦିତ ‘କୁଜିବର ପତ୍ର’ । ଏଥିରେ ଖ୍ରୀଷ୍ଟଧର୍ମ ଓ ହିନ୍ଦୁଧର୍ମର ତୁଳନାତ୍ମକ ଆଲୋଚନା ଏବଂ ସାଂପ୍ରତିକ ସାମାଜିକ ପରିସ୍ଥିତି ଓ ରାଜନୈତିକ ବ୍ୟାପାର ସଂପର୍କରେ ସମ୍ବାଦମାନ ପ୍ରକାଶ ପାଉଥିଲା । କିନ୍ତୁ ୧୮୩୮ ମସିହାରେ ସାଧୁ ସୁନ୍ଦର ଦାସଙ୍କ ମୃତ୍ୟୁପରେ ଏହା ବନ୍ଦ ହୋଇଯାଇଥିଲା । (୧) ତେବେ ଓଡ଼ିଶାରେ ସେହି ସମୟରେ ଆଧୁନିକ ଶିକ୍ଷାର ପ୍ରଚଳନ ଓ ତା ଫଳରେ ମଧ୍ୟବିତ୍ତ ଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ହିଁ ସମ୍ବାଦପତ୍ର ପ୍ରକାଶନ ଓ ପ୍ରସାରଣର ଆନ୍ଦୋଳନ ପାଇଁ ପଥ ପରିଷ୍କାର କରି ଦେଇଥିଲା । ଏହି ଆନ୍ଦୋଳନର ମୂଳଦୁଆ ଖ୍ରୀଷ୍ଟିୟାନ ମିଶନାରୀମାନଙ୍କ ଦ୍ଵାରା ୧୮୩୭ ମସିହାରେ କଟକଠାରେ ପଡ଼ିଥିଲା । ମିଶନାରୀମାନେ ଖ୍ରୀଷ୍ଟଧର୍ମ ସମ୍ବନ୍ଧୀୟ ସାହିତ୍ୟ ଓ ତଥ୍ୟସମୂହର ବ୍ୟାପକ ପ୍ରକାଶନ ଓ ପ୍ରଚାର କରିବାପାଇଁ ୧୮୩୭ ମସିହାରେ କଟକ ସହରରେ ଏକ ମୁଦ୍ରାଯନ୍ତ୍ର ପ୍ରତିଷ୍ଠା କରିଥିଲେ । ଏହି ଆଧୁନିକ ପ୍ରେସ୍‌ର ନାମ ଥିଲା ‘କଟକ ମିଶନ୍ ପ୍ରେସ୍’ । ଯେହେତୁ ସେତେବେଳେ ଓଡ଼ିଶାରେ ସାଧାରଣ ଶିକ୍ଷାସଂସ୍କୃତି ନିମ୍ନସ୍ତରର ଥିଲା ତେଣୁ ଯେଉଁଦିନ କଟକରେ ମୁଦ୍ରାଯନ୍ତ୍ରରେ ଛାପାକାର୍ଯ୍ୟ ଆରମ୍ଭ ହେଲା, ସେହିଦିନ କୁଆଡ଼େ ମଫସଲରୁ ଗ୍ରାମବାସୀମାନେ ତାହା ସ୍ୱଚକ୍ଷୁରେ ଦର୍ଶନ କରିବାଲାଗି ଦଳବାନ୍ଧି କଟକରେ ରୁଣ୍ଡ ହୋଇଥିଲେ । (୨) କଟକ ମିଶନ୍ ପ୍ରେସ୍ ଦ୍ଵାରା ୧୮୪୯ ମସିହାରେ ପ୍ରକାଶ ପାଇଲା ଓଡ଼ିଶାର ସର୍ବପ୍ରଥମ ମୁଦ୍ରଣ ପତ୍ରିକା ‘‘ଜ୍ଞାନାଋଣ’’ । ଏହାର ସଂପାଦକ ଥିଲେ ରେଭରେଣ୍ଡ ସି.ଲେସି । ଏହା ଏକ ମାସିକ ମିଶ୍‍ନାରୀ ପତ୍ରିକା ଥିଲା, କିନ୍ତୁ ବ୍ୟବସାୟିକ ଦୃଷ୍ଟିକୋଣରୁ ସେଭଳି କିଛି ଲାଭଦାୟକ ନହେବାରୁ କେତେମାସ ପରେ ଏହାକୁ ବନ୍ଦ କରିଦିଆଯାଇଥିଲା । ତାପରେ ଶାସନ କର୍ତ୍ତୃପକ୍ଷଙ୍କ ଉଦ୍ୟମରେ ୧୮୫୧ ମସିହାରେ ରେଭରେଣ୍ଡ ସି.ଲେସିଙ୍କ ସଂପାଦନାରେ ପ୍ରକାଶିତ ହୁଏ ସରକାରୀ ଆଇନ୍‍ କାନୁନ୍‍ମୂଳକ ପତ୍ରିକା ‘‘ଓଡ଼ିଆ ସରକାରୀ ଗେଜେଟ୍’’ । ୧୮୫୫-୫୬ ମସିହାରେ ସେହି ମିଶନାରୀମାନଙ୍କ ପ୍ରଚେଷ୍ଟାରେ ଆତ୍ମପ୍ରକାଶ କରେ ‘ପ୍ରବୋଧ ଚନ୍ଦ୍ରିକା’ । ରେଭରେଣ୍ଡ ସି.ଲେସିଙ୍କ ସଂପାଦନାରେ ପ୍ରକାଶିତ “ପ୍ରବୋଧ ଚନ୍ଦ୍ରିକା’ ମିଶ୍‍ନାରୀ ସୋସାଇଟିର ମାସିକ ପତ୍ରିକା ଥିଲା । ମାତ୍ର ୩ ବର୍ଷ ପରେ ୧୮୫୮ ମସିହାରେ ଏହା ବନ୍ଦ ହୋଇ ଯାଇଥିଲା । ଓଡ଼ିଶାରେ ‘ସମ୍ବାଦପତ୍ର’ ପ୍ରକାଶନର ଆରମ୍ଭ କେବଳ ମିଶନାରୀମାନଙ୍କର ଧୈର୍ଯ୍ୟ, ଧନବଳ ଓ ମନୋବଳ ଯୋଗୁଁ ହିଁ ସମ୍ଭବ ହୋଇପାରିଥିଲା । ତେବେ ଖଣ୍ଡିଏ ନିୟମିତ ସମ୍ବାଦପତ୍ର ପ୍ରକାଶ କରିବା ସର୍ବଦା ସହଜ ଓ ସମ୍ଭବ ନଥିଲା । ମିଶନାରୀମାନଙ୍କ ପ୍ରଚେଷ୍ଟା ଓ ଅଧ୍ୟବସାୟଦ୍ୱାରା ପ୍ରକାଶିତ ସମ୍ବାଦପତ୍ର ଏ ଦେଶରେ ଗଦ୍ୟସାହିତ୍ୟ ପ୍ରଚାର ଓ ସାମ୍ବାଦିକତାର ଅଭିବୃଦ୍ଧିର ଅଗ୍ରଦୂତ ଭାବରେ ସ୍ଵୀକୃତ ହୋଇଥାଏ । ‘ପ୍ରବୋଧ ଚନ୍ଦ୍ରିକା’ ପ୍ରକାଶନର ମୂଳ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ଏବଂ ସ୍ଥାନୀୟ ଲୋକମାନଙ୍କର ଜ୍ଞାନର ପରିସର ବୃଦ୍ଧି କରିବା ଉଦ୍ଦେଶ୍ୟରେ ସଂପାଦକ ଲେସି ସାହେବ ପାଠକମାନଙ୍କ ପ୍ରତି ଯେଉଁ ପତ୍ର ଲେଖିଥିଲେ ତାହା ହେଲା, “ଅତଏବ କେଉଁ ସ୍ଥାନରେକି ଆଶ୍ଚର୍ଯ୍ୟ ହେଉଅଛି, ତାହା ଶ୍ରବଣରେ ଆଉ ସୁଗଳ୍ପ ପାଠକ ସମସ୍ତଙ୍କ ଅନ୍ତଃକରଣରେ ଯେଉଁ କ୍ଷଣକାଳୀନ ଆହ୍ଲାଦ ଓ ହର୍ଷ ଜନ୍ମାଇ ତଦ୍‌ଭିନ୍ନ ଅନେକ ନିତାନ୍ତ ଆବଶ୍ୟକ ଆଉ ଚିରଶ୍ରେୟ ବାସ୍ତବ ଜ୍ଞାନ ଏ ପତ୍ରିକା ଗ୍ରହଣରେ ଏ ଦେଶୀୟ ଲୋକ ପ୍ରାପ୍ତ ହୋଇପାରିବେ ବୋଲି ଦୃଢ଼ ପ୍ରତ୍ୟୟ ହୋଇଅଛି । କୌଣସି ବିଶେଷ ଧର୍ମର ପ୍ରଚାର ଏ ପୁସ୍ତକର ଅଭିପ୍ରାୟ ନୁହଁଇ । ଏ ସକାଶେ ତାହା ଆପଣ ଆପଣା ଗୃହରେ ଗ୍ରହଣ କରି ପାଠକଲେ କାହାରି ଇଷ୍ଟଧର୍ମ ହାନି ହେବ ଏ ପ୍ରକାର ଆଶଙ୍କା କେହି ନକରିବେ ।’’ (୩)

 

ଏହାପରେ ପୁଣି ସେହି ମିଶନାରୀମାନଙ୍କ ଦ୍ଵାରା ବସ୍ତୁତଃ ‘‘Orissa christian vernacular literature society’’ ତରଫରୁ ପ୍ରକାଶିତ ହେଲା ମାସିକ ପତ୍ରିକା “ଅରୁଣୋଦୟ’’ । ଖ୍ରୀଷ୍ଟିୟାନ୍ ଧର୍ମପ୍ରଚାର ଓ ସରକାରୀ ସମ୍ବାଦପ୍ରଚାର ଏହାର ଉଦ୍ଦେଶ୍ୟ ଥିଲା । କିନ୍ତୁ ମାତ୍ର ୩ ବର୍ଷ ପରେ ଏହା ବନ୍ଦ ହୋଇଯାଇଥିଲା ।

 

ତେବେ ୧୮୬୫ ମସିହା ଓଡ଼ିଶାର ‘ସମ୍ବାଦପତ୍ର’ ପ୍ରକାଶନ ଇତିହାସରେ ଏକ ଅବିସ୍ମରଣୀୟ ବର୍ଷ । ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷର ପୃଷ୍ଠଭୂମିରେ ଜନ୍ମ ହୁଏ ‘କଟକ ପ୍ରିଣ୍ଟିଂ କମ୍ପାନୀ ଓ ଓଡ଼ିଶାର ପ୍ରଥମ ସ୍ଵୟଂ ସଂପୂର୍ଣ୍ଣ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ । ନଅଙ୍କ ଦୁର୍ଭିକ୍ଷ ଥିଲା ଓଡ଼ିଶାର ଜାତୀୟ ଜୀବନ ପ୍ରତି ଏକ ପ୍ରଚଣ୍ଡ ଧକ୍କା । ଅବାରିତ ମୃତ୍ୟୁ, ଅନାହାର ଓ ଜନକ୍ଷୟ ଓଡ଼ିଶାର ଜାତୀୟଜୀବନକୁ ସଂପୂର୍ଣ୍ଣ ଭାବରେ ଧ୍ଵସ୍ତବିଧ୍ଵସ୍ତ କରି ଦେଇଥିଲା । ଏହିଭଳି ଏକ ଜାତୀୟ ଦୁର୍ଦ୍ଦିନର ପୃଷ୍ଠଭୂମିରେ ଆତ୍ମପ୍ରକାଶ କରେ ‘ଉତ୍କଳ ଦୀପିକା’ । ଓଡ଼ିଶାରେ ପ୍ରଥମ ଛାପାଖାନା ପ୍ରତିଷ୍ଠାର ପ୍ରାୟ ୩୦ ବର୍ଷ ପରେ କଟକରେ ପ୍ରତିଷ୍ଠା ହୁଏ ‘କଟକ ପ୍ରିଣ୍ଟିଂ କମ୍ପାନୀ’ । ଏହି ଛାପାଖାନାରୁ ଗୌରୀଶଙ୍କର ରାୟଙ୍କର ସଂପାଦନାରେ ପ୍ରକାଶିତ ହୁଏ ନ୍ୟାୟତଃ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ । ଛାପାଖାନା ପାଇଁ ଗୌରୀଶଙ୍କର ରାୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଟି.ଇ. ରେଭେନ୍‍ସା ସାହେବଙ୍କ ପୃଷ୍ଠପୋଷକତା ଏବଂ ତାଳଚେର, ବଡ଼ମ୍ବା, ନୟାଗଡ଼, ଢେଙ୍କାନାଳ, ଆଠଗଡ଼ ଓ ନରସିଂହପୁର ପ୍ରଭୃତି ଦେଶୀୟ ରାଜାମାନଙ୍କର ଆର୍ଥିକ ସହାୟତାରେ ଗୌରୀଶଙ୍କର ରାୟ ତାଙ୍କର ବନ୍ଧୁ ବିଚିତ୍ରାନନ୍ଦ ଦାସ ଓ ଜଗମୋହନ ରାୟଙ୍କ ସହ ମିଶି ‘କଟକ ପ୍ରିଣ୍ଟିଂ ପ୍ରେସ୍’ ପ୍ରତିଷ୍ଠା କରିଥିଲେ । ଏହା ଏକ ‘ଲିଥୋଗ୍ରାଫ୍’ ପ୍ରେସ୍ ଥିଲା । ପ୍ରଥମ ଦୁଇବର୍ଷ ପଥର ବ୍ଲକ୍‌ରୁ ଲିଥୋପ୍ରଣାଳୀରେ ଛପାକାର୍ଯ୍ୟ ସମାହିତ କରାଯାଉଥିଲା । ଏହି ପଥରବ୍ଳକ (Litho) କାମ ଭାଗୀରଥି ଷାଠୁଆ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି କରୁଥିଲେ ।

 

‘‘ପ୍ରାଚୀନ ଓଡ଼ିଆ ସାହିତ୍ୟର ପ୍ରକାଶନ ଓ ବଙ୍ଗାଳୀମାନଙ୍କ ଆକ୍ରମଣରୁ ଓଡ଼ିଆ ଭାଷା ଓ ସାହିତ୍ୟକୁ ରକ୍ଷାକରିବା, ଲୋକଙ୍କର ଦୁଃଖ ଦୈନ୍ୟତା, ସରକାରୀ କର୍ମଚାରୀମାନଙ୍କର ଶୋଷଣ ଓ ଅତ୍ୟାଚାର ବନ୍ୟାଦୁର୍ଭିକ୍ଷ ସମ୍ବାଦ ପ୍ରକାଶ’’ (୪) ଏବଂ ତଦୁପରି ଓଡ଼ିଶାର ଜାତୀୟଜୀବନ ଓ ସାମାଜିକ ମୂଲ୍ୟବୋଧକୁ ଶୃଙ୍ଖଳିତ କରିବା ଏହି ସମ୍ବାଦପତ୍ରର ମୂଳଲକ୍ଷ୍ୟ ଥିଲା । ‘ଉତ୍କଳ ଦୀପିକା’ ନିରନ୍ତର ଭାବରେ ୧୯୩୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୭୦ ବର୍ଷ ଧରି ପ୍ରକାଶିତ ହୋଇଥିଲା । ଗୌରୀଶଙ୍କର ରାୟ ୧୯୧୭ ମସିହାରେ ତାଙ୍କର ମୃତ୍ୟୁପର୍ଯ୍ୟନ୍ତ ‘ଉତ୍କଳଦୀପିକା’ର ସଂପାଦନା କାର୍ଯ୍ୟ କରିଥିଲେ ।

 

‘କଟକ ପ୍ରିଣ୍ଟିଂ ପ୍ରେସ୍’ ପରେ ୧୮୬୮ ମସିହାରେ ଫକୀରମୋହନ ସେନାପତି ସ୍ଥାନୀୟ ଭଦ୍ରବ୍ୟକ୍ତି ଓ ଜମିଦାରମାନଙ୍କ ସହାୟତାରେ ବାଲେଶ୍ଵରଠାରେ ଓଡ଼ିଶାର ତୃତୀୟ ଛାପାଖାନା ପ୍ରତିଷ୍ଠା କରିଥିଲେ । ତେବେ ୧୮୭୩ ମସିହାରୁ ୧୮୯୯ ମସିହା ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବହୁସଂଖ୍ୟକ ଛାପାଖାନା ପ୍ରତିଷ୍ଠା ହୋଇଥିଲା । ତାହା ଫଳରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସମ୍ବାଦପତ୍ରମାନ ଆତ୍ମପ୍ରକାଶ କରିଥିଲା । ସେଗୁଡ଼ିକ ମଧ୍ୟରେ ବସ୍ତୁତଃ ମୁଖ୍ୟ ଥିଲା (କ) ଉତ୍କଳ ହିତୈଷିଣୀ ପ୍ରେସ୍, କଟକ, ୧୮୭୩ ମସିହା, (ଖ) ‘ଦେ ପ୍ରେସ୍’ ବାଲେଶ୍ଵର ୧୮୭୩ (ଗ) ଭକ୍ତିପ୍ରଦାୟିନୀ ଯନ୍ତ୍ରାଳୟ, ପୁରୀ, ୧୮୭୪, (ଘ) ଗଞ୍ଜାମ ନିଶା ନିସେଧିନୀ ସମାଜ ପ୍ରେସ୍, ୧୮୭୫, (୧) ମୟୁରଭଞ୍ଜ ପ୍ରେସ୍, ବାରିପଦା, ୧୮୭୯, (ଚ) ଜଗନ୍ନାଥ ବଲ୍ଲଭ ପ୍ରେସ୍, ବାମଣ୍ଡା, ୧୮୮୫, (ଛି) ଗଜପତି ଭୀମଦେବ ପ୍ରେସ୍, ବଡ଼ଖେମୁଣ୍ଡି, ୧୮୮୫, (ଜ) ପୁରୀ ପ୍ରିଣ୍ଟିଂ କର୍ପୋରେସନ୍ ପ୍ରେସ୍, ୧୮୯୦ (ଝ) ଅରୁଣୋଦୟ ପ୍ରେସ୍, କଟକ, ୧୮୯୩ (୫) ରାୟପ୍ରେସ୍, କଟକ, ୧୮୯୪, (ଟ) ଗଜପତି ପ୍ରେସ୍‌, ପାରଳାଖେମୁଣ୍ଡି, ୧୮୯୬, (ଠ) ଉତ୍କଳ ସାହିତ୍ୟପ୍ରେସ୍, କଟକ, ୧୮୯୭, (ଡ଼) ‘ଦର୍ପଣରାଜପ୍ରେସ୍', କଟକ, ୧୮୯୯; (ଢ଼) ବିନୋଦପ୍ରେସ୍, ବାଲେଶ୍ଵର, ୧୮୯୯ ଇତ୍ୟାଦି । ଛାପାଖାନା ପ୍ରତିଷ୍ଠା ଫଳରେ ସମଗ୍ର ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସମ୍ବାଦପତ୍ର ପ୍ରକାଶନ, ସମ୍ଭବ ହୋଇପାରିଥିଲା । ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ପ୍ରକାଶିତ ବିଭିନ୍ନ ସମ୍ବାଦପତ୍ର ମଧ୍ୟରେ ଉଲ୍ଲେଖଯୋଗ୍ୟ ସମ୍ବାଦପତ୍ରଗୁଡ଼ିକ ହେଉଛି : ‘ବୋଧଦାୟିନୀ’, ସଂ, ଫକୀର ମୋହନ ସେନାପତି, ଉତ୍କଳପ୍ରେସ୍ ବାଲେଶ୍ଵର ୧୮୬୮; ବାଲେଶ୍ୱର ସମ୍ବାଦ ବାହିକା, ସଂ, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ୧୮୬୮; ଉତ୍କଳ ହିତୈଷିଣୀ, ସଂ, କାଳିପଦ ବନ୍ଦୋପାଧ୍ୟାୟ, ୧୮୬୯; ଉତ୍କଳ ଶୁଭକରୀ ପତ୍ରିକା, ସଂ, ଭଗବତୀ ଚରଣ ଦାସ, ୧୮୬୯; କଟକଷ୍ଟାର, ୧୮୬୯; ଆଗୁଆନି, ସଂ, ରେ. ଜେ. ଫିଲିପ୍‍ସ, ୧୮୭୨, କଟକ; ଉତ୍କଳ ଦର୍ପଣ, ସଂ, ଇନ୍ଦ୍ରବଲ୍ଲଭ ଭଟ୍ଟାଚାର୍ଯ୍ୟ, ବାଲେଶ୍ଵର, ୧୮୭୩; ‘ଉତ୍କଳପୁତ୍ର’, ସଂ, ପ୍ୟାରୀମୋହନ ଆଚାର୍ଯ୍ୟ, କଟକ ୧୮୭୩; ‘ଶିକ୍ଷକ’ ଓ ‘ଧର୍ମବୋଧିନୀ’ (ଦୁଇଟି ପତ୍ରିକା) ସଂ, ମଧୁସୂଦନ ରାଓ, କଟକ ଓ ବାଲେଶ୍ଵର, ୧୮୭୩; ପ୍ରଜାବନ୍ଧୁ, ସଂ, ସେବକ ଭାବଗ୍ରାହୀ ଦାସ, ଚତୁର୍ଭୁଜ ପଟ୍ଟନାୟକ, ବାଲେଶ୍ଵର, ୧୮୮୨; ‘ଆଶା’, ସଂ, ସାଧୁଚରଣ ରାୟ; ପରେ ରେବା ରାୟ, କଟକ ୧୮୮୯; ‘ଉତ୍କଳ ମଧୁପ’, ସଂ, ନୀଳମଣି ବିଦ୍ୟାରତ୍ନ, ବାମଣ୍ଡା, ୧୯୦୦ ଇତ୍ୟାଦି ଏହା ବ୍ୟତୀତ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ପତ୍ରିକା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରକାଶ ପାଉଥିଲା ।

 

ଏସବୁ ସମ୍ବାଦପତ୍ରର ଉଦ୍ଦେଶ୍ୟ ଥିଲା ଖଣ୍ଡବିଖଣ୍ଡିତ ଓଡ଼ିଶାରେ ଜାତୀୟଚେତନା ଉଦ୍ରେକ କରିବା, ଉତ୍କଳର ବିଭିନ୍ନ ସମସ୍ୟାର ଉତ୍ଥାପନକରିବା ଏବଂ ସମସ୍ୟା ଗୁଡ଼ିକର ଆଶୁ ସମାଧାନ ନିମନ୍ତେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା । ତେଣୁ ସେ ସମୟରେ ପ୍ରକାଶିତ ସମ୍ବାଦପତ୍ରଗୁଡ଼ିକ ତତ୍‌କାଳୀନ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଇତିହାସର ସ୍ଵାକ୍ଷର ବହନ କରିଥାଏ ।

 

ତେବେ ଓଡ଼ିଶାରେ ସାମ୍ବାଦିକତାର ଅଭ୍ୟୁଦୟ ଓ ତାର ବିକାଶରେ ପ୍ୟାରୀମୋହନ ଆଚାର୍ଯ୍ୟ ଓ ତାଙ୍କର ମାନସ ସନ୍ତାନ ‘ଉତ୍କଳପୁତ୍ର’ର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଯେତେବେଳେ ଗୌରୀଶଙ୍କର ରାୟଙ୍କର ‘ଉତ୍କଳ ଦୀପିକା’ ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ବିସ୍ତୀର୍ଣ୍ଣ ପ୍ରାଙ୍ଗଣରେ ତାର ପଞ୍ଝା ବିସ୍ତାର କରି ରହିଥିଲା । ଠିକ୍ ସେହି ସମୟରେ ୧୮୭୩ ମସିହାରେ ଆତ୍ମପ୍ରକାଶ କରେ ପ୍ୟାରୀମୋହନଙ୍କର ‘ଉତ୍କଳପୁତ୍ର' । କଟକ କଲେଜରେ ଅଧ୍ୟୟନ କରୁଥିବା ସମୟରେ ମାତ୍ର ୨୨ ବର୍ଷ ବୟସରେ ପ୍ୟାରୀମୋହନ ତାଙ୍କର ମାନସ ସନ୍ତାନକୁ ଜନ୍ମ ଦେଇଥିଲେ । ପିଲାଦିନୁ ତାଙ୍କ ପାଖରେ ଭରି ରହିଥିବା ଧୀର, ଶାନ୍ତ, ଚିନ୍ତାଶୀଳ ଓ ଗମ୍ଭୀର ସ୍ୱଭାବ ତାଙ୍କର ସାମ୍ବାଦିକତାକୁ ପ୍ରଭାବିତ କରିଥିଲା । ଯୁକ୍ତିଯୁକ୍ତ ଓ ନ୍ୟାୟସଙ୍ଗତ ବ୍ୟବସ୍ଥାଗୁଡ଼ିକୁ ନିର୍ଭୀକଭାବରେ ସମ୍ବାଦପତ୍ରର ପୃଷ୍ଠାରେ ରୂପାୟନ କରିବାପାଇଁ ସେ ସଦାଚେଷ୍ଟିତ ଥିଲେ । ତାଙ୍କର ପ୍ରତ୍ୟେକଟି କାମରେ ତାଙ୍କୁ ସହାୟତା କରୁଥିଲେ ତାଙ୍କର ପ୍ରିୟ ବଂଧୁ ମଧୁସୂଦନ ରାଓ ।

 

କଟକ କଲେଜରେ ହିଁ ପ୍ୟାରୀମୋହନ ମଧୁସୂଦନଙ୍କ ସଂସ୍ପର୍ଶରେ ଆସନ୍ତି । ସେହି ସମୟରେ କଟକ କଲେଜରେ କର୍ତ୍ତବ୍ୟରତ ବ୍ରାହ୍ମଧର୍ମାବଲମ୍ବୀ ଅଧ୍ୟାପକ ହରନାଥ ଭଟ୍ଟାଚାର୍ଯ୍ୟଙ୍କଦ୍ୱାରା ପ୍ରଭାବିତ ହୋଇ ଓ ବ୍ରାହ୍ମଧର୍ମର ଦର୍ଶନଦ୍ୱାରା ଆକୃଷ୍ଟ ହୋଇ ଏବଂ ଏହାର ସାଂପ୍ରତିକ ସମାଜରେ ଆବଶ୍ୟକତା ଓ ଗୁରୁତ୍ୱ ଉପଲବ୍ଧି କରି ଉଭୟ ପ୍ୟାରୀମୋହନ ଓ ମଧୁସୂଦନ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ବ୍ରାହ୍ମଧର୍ମର ନୀତିଗୁଡ଼ିକ ଯଥା ସତ୍ୟ, ପ୍ରେମ, ତ୍ୟାଗ, ବିଶ୍ଵାସ ଓ ସଂହତିର ବାର୍ତ୍ତା ସମସ୍ତଙ୍କ ପାଖରେ ପହୁଁଚାଇ ଓଡ଼ିଶାରେ ଏକ ନବଜାଗରଣ ସୃଷ୍ଟି କରିବାପାଇଁ ସେମାନେ ଦୃଢ଼ ସଂକଳ୍ପ ନେଇଥିଲେ । ବ୍ରାହ୍ମଧର୍ମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ଆଲୋଚନା-ଚକ୍ରର ବ୍ୟବସ୍ଥା ଓ ତତ୍ସମ୍ବନ୍ଧୀୟ ନିବନ୍ଧମାନ ପ୍ରକାଶିତ ହେଉଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜ ସଂସ୍କାର, ବିଧବା ବିବାହ ପ୍ରଚଳନ, ନାରୀଶିକ୍ଷାର ପ୍ରସାର, ବାଲ୍ୟବିବାହ ପ୍ରଥାକୁ ବିରୋଧ ଓ ବିଭିନ୍ନ ପ୍ରଚଳିତ କୁସଂସ୍କାରଗୁଡ଼ିକୁ ବିଲୋପ କରିବା ଓ ବହୁଳଭାବରେ ଶିକ୍ଷାର ପ୍ରସାର କରିବା । ଏହି ବିଷୟବସ୍ତୁଗୁଡ଼ିକୁ ପ୍ରତିଫଳିତ କରିବାପାଇଁ ଦୁଇବନ୍ଧୁ ସଦାଚେଷ୍ଟିତ ଥିଲେ । ବସ୍ତୁତଃ ଓଡ଼ିଶାରେ ଏକ ନବଜାଗରଣ ସୃଷ୍ଟିକରି ସତ୍ୟ, ପ୍ରେମ, ତ୍ୟାଗ ଓ ବିଶ୍ୱାସର ବାର୍ତ୍ତା ସମସ୍ତଙ୍କ ପାଖରେ ପହୁଁଚାଇବା ପାଇଁ ପ୍ୟାରୀମୋହନ ଓ ମଧୁସୂଦନ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

 

ପ୍ୟାରୀମୋହନଙ୍କ ଦୃଷ୍ଟିକୋଣ ତତ୍‌କାଳୀନ ଅନ୍ୟ ସାମ୍ବାଦିକମାନଙ୍କ ଠାରୁ ସଂପୂର୍ଣ୍ଣଭାବେ ଭିନ୍ନ ଥିଲା । ଓଡ଼ିଶାରେ ଇଂରାଜୀ ଶିକ୍ଷାର ପ୍ରଭାବରେ ଆବିର୍ଭୂତ ନବ୍ୟଶିକ୍ଷିତ ସାମାଜିକ ଗୋଷ୍ଠୀର ସ୍ୱାର୍ଥପରତା, ସମାଜର ଉନ୍ନତିପ୍ରତି ସେମାନଙ୍କର ବିତସ୍ପୃହତା, ସାମାଜିକ ମୂଲ୍ୟବୋଧର ଅଭାବ, ନାରୀଅଶିକ୍ଷା ଓ ନାରୀ ପରାଧୀନତା, ଓଡ଼ିଶାରେ ବସବାସ କରୁଥିବା କଲିକତା ଆଗତ ରାଜକର୍ମଚାରୀ ବଂଗାଳୀ ଭାଇମାନଙ୍କର ସ୍ୱାର୍ଥପରତା ଇତ୍ୟାଦି ପ୍ରସଙ୍ଗମାନ ପ୍ୟାରୀମୋହନଙ୍କ ମନକୁ ସବୁବେଳେ ଆନ୍ଦୋଳିତ କରୁଥିଲା । ଏସବୁକୁ ଲୋକଲୋଚନକୁ ଆଣି ଏକ ବୌଦ୍ଧିକ ଆଲୋଚନାରେ ଓଡ଼ିଶାର ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତିଙ୍କୁ ସାମିଲ କରିବାପାଇଁ ସେ ପ୍ରତିଷ୍ଠା କରିଥିଲେ ୧୮୭୩ ମସିହାରେ ତାଙ୍କର ପାକ୍ଷିକ ପତ୍ରିକା ‘ଉତ୍କଳପୁତ୍ର’ । ସେ ନିଜେ ଥିଲେ ଏହାର ସଂପାଦକ । କଟକ କଲେଜରେ ପଢ଼ୁଥିବା ସମୟରେ ତାଙ୍କର ଏହି ଉଦ୍ୟମ ଥିଲା ଅନନ୍ୟ ଓ ଅସାଧାରଣ । ଏହି ଦୁର୍ବାର କାର୍ଯ୍ୟରେ ତାଙ୍କୁ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ କରିଥିଲେ ତାଙ୍କର ପ୍ରିୟ ସାଥୀ ମଧୁସୂଦନ ରାଓ ଓ ବାଙ୍କିର ପଣ୍ଡିତ ଗୋବିନ୍ଦ ରଥ । ପ୍ରଥମେ ଏହା ହାତରେ ଲେଖାଯାଇ ପ୍ରକାଶିତ ହେଉଥିଲା; କିନ୍ତୁ ଏହାର ପ୍ରତିଷ୍ଠା, ଲେଖନୀଶୈଳୀ ଏବଂ ସୁନାମରେ ଆକୃଷ୍ଟ ହୋଇ ଗୌରୀଶଙ୍କର ରାୟ ‘କଟକ ପ୍ରିଣ୍ଟିଂ ପ୍ରେସ୍’ରେ ଏହା ଛାପିବାର ବନ୍ଦୋବସ୍ତ କରିଥିଲେ । ଉତ୍କଳପୁତ୍ରର ପ୍ରତ୍ୟେକ ପୃଷ୍ଠାରେ ଭରି ରହୁଥିଲା ବ୍ରିଟିଶ୍ ଶାସନର ତ୍ରୁଟି ପ୍ରଶାସନର ଶୋଷଣ ଓ ସାମାଜିକ କୁସଂସ୍କାର ସଂପର୍କରେ ଶାଣିତ ଓ ତୀବ୍ର ଭାଷାରେ ଲିଖିତ ନିବନ୍ଧମାନ । ପ୍ୟାରୀମୋହନଙ୍କର ବିଚକ୍ଷଣ ବୁଦ୍ଧିମତ୍ତା ତାଙ୍କର ସାମ୍ବାଦିକତାକୁ ବରାବର ପ୍ରଭାବିତ କରୁଥିଲା । ସମସାମୟିକ ବିଭିନ୍ନ ସମସ୍ୟାର ନିର୍ଭୀକ ପରିବେଷଣ ବ୍ରିଟିଶ୍ ସରକାରଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲା ଏବଂ ଓଡ଼ିଆ ଜାତିର ମାନସପଟକୁ ଆନ୍ଦୋଳିତ କରିଦେଇଥିଲା ।

 

ଏରଭିଙ୍ଗ ସାହେବ କଟକରେ ମାଜିଷ୍ଟ୍ରେଟ୍ ଥିବା ସମୟରେ ସହରର ସ୍ଵାସ୍ଥ୍ୟ ଓ ସାଧାରଣ ଜୀବନ ବ୍ୟବସ୍ଥା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା । କୌଣସି ଉନ୍ନୟନମୂଳକ କାର୍ଯ୍ୟ ଉପରେ ସରକାର ଦୃଷ୍ଟି ଦେଉ ନ ଥିଲେ । ପ୍ୟାରୀମୋହନ ଓଡ଼ିଶାବାସୀ ଓ କଟକ ବାସିନ୍ଦାଙ୍କୁ ସଚେତନ କରାଇବା ସହ ସରକାରଙ୍କର ଧ୍ୟାନ ଆକର୍ଷଣ କରାଇବା ଉଦ୍ଦେଶ୍ୟରେ ‘ଉତ୍କଳପୁତ୍ର’ର ପୃଷ୍ଠାରେ ଲେଖିଲେ ଏକ ପ୍ରବନ୍ଧ ‘ଦରଖାସ୍ତ ଯୁତିଆନ୍’ ଅର୍ଥାତ୍ ‘ଯୋତାମାନଙ୍କର ଆବେଦନ’ । ଏଥିରେ କଟକ ସହର ସମ୍ପର୍କରେ ଓ ସରକାରଙ୍କର ସହରବାସୀ ଓ ସେମାନଙ୍କର ସମସ୍ୟାପ୍ରତି ଉଦାସୀନତା ସମ୍ପର୍କରେ ଅତ୍ୟନ୍ତ ନିର୍ଭୀକତାର ସହିତ ଅପ୍ରିୟ ସତ୍ୟର ଉପସ୍ଥାପନା କରିବା ସଙ୍ଗେ ସଙ୍ଗେ ସରକାରଙ୍କୁ ଅତ୍ୟନ୍ତ କଟୁଭାଷାରେ ସମାଲୋଚନା କରିଥିଲେ । ଏହା ସମଗ୍ର ସହରରେ ଆଲୋଡ଼ନ ସୃଷ୍ଟି କରିଥିଲା । କଲେକ୍ଟର ଏରଭିଙ୍ଗ ସାହେବ ଭୀଷଣ ଯୁଦ୍ଧ ଓ ବିବ୍ରତ ହୋଇ କଟକ କଲେଜର ଅଧ୍ୟକ୍ଷ ଚଣ୍ଡୀବାବୁଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ୟାରୀମୋହନଙ୍କୁ ଡାକି ଏରଭିଙ୍ଗ ସାହେବଙ୍କୁ କ୍ଷମାପ୍ରାର୍ଥନା କରିବାପାଇଁ; କିନ୍ତୁ ସତ୍ୟନିଷ୍ଠ ଓ ନିର୍ଭୀକ ପ୍ୟାରୀମୋହନ ନୀତି ସହିତ ସାଲିସ୍ କରିବାପାଇଁ ମନା କରିଦେଇ କହିଲେ, ମୋର ଲେଖା ଅକ୍ଷରେ ଅକ୍ଷରେ ସତ୍ୟ–ସେଥିରେ ଅସତ୍ୟର ଗନ୍ଧ ନାହିଁ । ଏଥିପାଇଁ ମୁଣ୍ଡ ନୁଆଁଇବି କାହିଁକି ? ମୁଁ ଆଦୌ କ୍ଷମା ପ୍ରାର୍ଥନା କରିବି ନାହିଁ ।’’ ଫଳତଃ ପ୍ୟାରୀମୋହନଙ୍କୁ କଲେଜପାଠ ତ୍ୟାଗ କରିବାକୁ ପଡ଼ିଲା । ବସ୍ତୁତଃ ପ୍ୟାରୀମୋହନ ଓଡ଼ିଆଜାତିର ପ୍ରଜ୍ଞା ଓ ଜାତୀୟ ସ୍ୱାଭିମାନର ପ୍ରତୀକ ଥିଲେ । (୫)

 

ପ୍ୟାରୀମୋହନ ଶିକ୍ଷାନୁଷ୍ଠାନ ତ୍ୟାଗ କରିବାପରେ ସାମ୍ବାଦିକତାକୁ ଆଶ୍ରୟ କରିନେଇଥିଲେ ଏବଂ ‘ଉତ୍କଳପୁତ୍ର’ର ପୃଷ୍ଠାଗୁଡ଼ିକୁ ଜାତୀୟ ଜାଗରଣର ବାର୍ତ୍ତା ଏବଂ ଓଡ଼ିଶାର ସାମାଜିକ ସମସ୍ୟା ଉପରେ ଦୃଷ୍ଟିପାତ ନିକ୍ଷେପକରି ଭରିଦେବାପାଇଁ ସଂକଳ୍ପବଦ୍ଧ ହୋଇଥିଲେ ଏବଂ ନିର୍ଭୀକତାର ସହ ତାଙ୍କର ଦାୟିତ୍ୱକୁ ନିର୍ବାହ କରିବାପାଇଁ ମନୋନିବେଶ କରିଥିଲେ ।

 

ପ୍ୟାରୀମୋହନଙ୍କର ‘ଉତ୍କଳପୁତ୍ର’ର ଅଧିକାଂଶ ପୃଷ୍ଠାରେ ଶିକ୍ଷା, ଶିକ୍ଷାୟତନ, ମୂଲ୍ୟବୋଧ, ଶିକ୍ଷିତ ଯୁବକଙ୍କର ସ୍ୱାର୍ଥପରତା ଓ ସରକାରୀ ଚାକିରୀ ପ୍ରତି ଅହେତୁକ ଦୁର୍ବଳତା ସଂପର୍କୀତ ପ୍ରବନ୍ଧ ଓ ସମ୍ବାଦମାନ ପ୍ରକାଶ ପାଉଥିଲା । ଗୋଟିଏ ସଙ୍କଳନରେ ସେ ଲେଖିଥଲେ, ବର୍ତ୍ତମାନର ଶିକ୍ଷା କେବଳ କେତେଗୁଡ଼ିଏ ଶବ୍ଦ କଣ୍ଠସ୍ଥ ଓ କେତେଗୁଡ଼ିଏ ବିବରଣ ମୁଖସ୍ଥ କରିବା ଉପରେ ନିର୍ଭର କରୁଅଛି; ଏଥିପାଇଁ ଶିକ୍ଷାର ଫଳ ଅନେକ ସମୟରେ ବିଷମୟ ଦେଖାଯାଏ । ଛାତ୍ରମାନେ ମନେକରନ୍ତି ଯେପରି ସେପରି ପରୀକ୍ଷାଟା ଦେଇପାରିଲେ ପରିଶ୍ରମ ସଫଳ ହେଲା; ଶିକ୍ଷକମାନେ ମଧ୍ୟ ମନେକରନ୍ତି ଏଥର କେତେଗୁଡ଼ିଏ ଛାତ୍ର ବିଦ୍ୟାଳୟରୁ ପାଶ୍ କରାଇ ପାରିଲେ ମାନ ରହିବ, ଶିକ୍ଷା ବିଭାଗରେ ତାଙ୍କର ଯଥେଷ୍ଟ ପ୍ରତିପତ୍ତି ଲାଭହେଲା । ଏଣୁ ଶୀଘ୍ର ପଦୋନ୍ନତି ଆଶାରେ ପିଲାଙ୍କୁ ଧମକାଧମକି କରିବାକୁ ଛାଡ଼ନ୍ତି ନାହିଁ । ଦୁହେଁ ସିହାଣିଆ, “ଚୋରର ଚୋର ମାଉସୀ ପୁଅ’’ । କେହି ଆପଣାର ପ୍ରକୃତ ପଥ ଅନୁସରଣ କରନ୍ତି ନାହିଁ । ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ କ’ଣ ଏବଂ ତାହା ଲାଭ କରିବା ସକାଶେ ଶିକ୍ଷାପ୍ରଣାଳୀ ଅବଲମ୍ବନ ନ କଲେ ତହିଁରେ ବିଷମୟ ଫଳ ଛଡ଼ା ଆଉ କ’ଣ ଉତ୍ପନ୍ନ ହୋଇପାରେ ?

 

ମାନସିକ ସମୁଦାୟ ବୃତ୍ତିକୁ ସୁଶିକ୍ଷିତ ଓ ସମୁନ୍ନତ କରିବାକୁ ପ୍ରକୃତ ଶିକ୍ଷା କହି, ଶବ୍ଦ କଣ୍ଠସ୍ଥ କରିବାକୁ ପ୍ରକୃତ ଶିକ୍ଷା କହିପାରୁନାହୁଁ । ଶିକ୍ଷାଦ୍ଵାରା ଆନ୍ତରିକ ସମୁଦାୟ ଶକ୍ତି ସ୍ୱୀୟ ଲକ୍ଷ୍ୟପଥ ଦର୍ଶନ କରି ତହିଁରେ ବିଚରଣ କରୁଥାଏ, ମନୁଷ୍ୟତ୍ୱର ପୂର୍ଣ୍ଣତା ଆଡ଼କୁ ଆତ୍ମାକୁ ଚାଳିତ କରିବେ, ମାନବାତ୍ମାର ଉନ୍ନତି ପଥରେ ଏହିସବୁ ବୃତ୍ତି କ୍ରମେ କ୍ରମେ ଅଗ୍ରସର ହେବେ । ଏହା ଶିକ୍ଷାର ଯଥାର୍ଥ ଭାବ, ଏହା ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ।... (୬)

 

ଊନବିଂଶ ଶତାବ୍ଦୀର ଓଡ଼ିଶାରେ ଯୁବକ ଯୁବତୀମାନେ ଶିକ୍ଷାଲାଭକରି ପ୍ରକୃତପକ୍ଷେ ଶିକ୍ଷିତ ହୋଇ ଜାତୀୟ ସଂହତି ଓ ଉନ୍ନତି ପାଇଁ ଚେଷ୍ଟା କରିବା ପରିବର୍ତ୍ତେ ଚାକିରୀ ଲାଭ କରିବା ଉପରେ ବେଶି ଗୁରୁତ୍ୱ ଦେଉଥିଲେ । ତାହାଦ୍ୱାରା ଦେଶ ସେମାନଙ୍କ ଠାରୁ ଯାହା ଆଶା କରୁଥିଲା ତାହା ସେମାନଙ୍କ ଠାରୁ ମିଳୁ ନ ଥିଲା ପରନ୍ତୁ ସେମାନେ ସମାଜଠାରୁ ଦୂରେଇ ଯାଇ ନିଜକୁ ଏକ ସ୍ୱାର୍ଥପର ଗୋଷ୍ଠୀ ଭିତରେ ସାମିଲ କରିଦେଉଥିଲେ । ପୁଣି ଯେଉଁକିରାଣୀ ଚାକିରୀ ସେମାନଙ୍କ ପାଇଁ ଉପଲବ୍ଧ ହେଉଥିଲା, ସେଥିପାଇଁ ସୁନ୍ଦର ହସ୍ତଲିଖନର ଆବଶ୍ୟକତା ରହୁଥିଲା । ଏହି ମର୍ମରେ ପ୍ୟାରୀମୋହନ ସରକାର, ଛାତ୍ରଗଣ ଓ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଏକ ସମ୍ବାଦ ପରିବେଷଣ କରିଥିଲେ । ତାହାର ବିଷୟବସ୍ତୁ ଏହିପରି ଥିଲା:

 

ଉତ୍କଳସ୍ଥ ପ୍ରାୟ ସମସ୍ତେ ଭବିଷ୍ୟତରେ ଉତ୍ତମ ସରକାରୀ କର୍ମ ଲଭିବା ଆଶାରେ ସ୍କୁଲାଦିରେ ଅଧ୍ୟୟନ କରନ୍ତି । ପୁନଶ୍ଚ ଏଠାରେ ଯେତେଦୂର ପର୍ଯ୍ୟନ୍ତ ବିଦ୍ୟାଶିକ୍ଷା କରିବାର ସୁବିଧା ଅଛି, ତାହା ସମସ୍ତ ହେଲେ ‘କିରାଣିଗିରୀ’ ଅଥବା ଅଧସ୍ଥନ ଶିକ୍ଷକତାର କାର୍ଯ୍ୟ ବ୍ୟତୀତ ଏକାଥରକେ ଅନ୍ୟକିଛି ଉଚ୍ଚ କାର୍ଯ୍ୟ ପ୍ରାପ୍ତ ହେବାର ସୁକଠିନ । ଓଡ଼ିଶାରେ ଇଂରାଜୀ ପାଠଶାଳାଦିର ସଂଖ୍ୟା ଅଳ୍ପ ଥିବାରୁ ସୁତରାଂ ‘କିରାଣିଗିରୀ’ କାର୍ଯ୍ୟର ଆଶ୍ରୟ ଅନେକଙ୍କୁ ଗ୍ରହଣ କରିବାକୁ ହୁଏ; କିନ୍ତୁ ଏକାର୍ଯ୍ୟ ସକାଶେ ଉତ୍ତମ ହସ୍ତଲିଖନର ପ୍ରୟୋଜନ । ପରନ୍ତୁ ଆଜିକାଲିର ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପ୍ରାୟ ହସ୍ତଲେଖା ଭଲ ନୁହେଁ । ଭବିଷ୍ୟତ ଉନ୍ନତିର ମୂଳଭୂମି ସ୍କୁଲମାନଙ୍କରେ ଏ ଅଭାବ ପୂର୍ଣ୍ଣ ହୋଇଥିଲେ ପଛକୁ ଛାତ୍ରମାନଙ୍କର ମଙ୍ଗଳ ଘଟିବାର ପୂର୍ଣ୍ଣ ସମ୍ଭାବନା । ଡିଷ୍ଟିକ୍ଟ କମିଟିକୁ ବିନମ୍ରଭାବରେ ପ୍ରାର୍ଥନା ଏହି ଯେ ଅନୁଗ୍ରହପୂର୍ବକ ଏଥି ଉପରେ ସୁଦୃଷ୍ଟି ରଖିବେ । (୭) ଏହି ପ୍ରସଙ୍ଗରେ ବ୍ରାହ୍ମଧର୍ମ ପ୍ରଚାରକ ଶ୍ରୀଯୁକ୍ତ ଅଘୋରନାଥ ଗୁପ୍ତ ଚାନ୍ଦିନୀଚୌକ ଠାରେ ‘ଶିକ୍ଷିତଙ୍କର କର୍ତ୍ତବ୍ୟ’ ସଂପର୍କରେ ଦେଇଥିବା ବକ୍ତୃତାର ମଧ୍ୟ ଉତ୍ଥାପନ କରିଥିଲେ । ଶିକ୍ଷା ଓ ତାର ପ୍ରଗତି ପ୍ରତି ଗଡ଼ଜାତର ରାଜ ଓ ବଡ଼ଲୋକମାନଙ୍କର ଉଦାସୀନତା ସଂପର୍କରେ ପ୍ୟାରୀମୋହନ ମଧ୍ୟ ଆଲୋକପାତ କରିଥିଲେ । ଯାଜପୁରର ଶିକ୍ଷା ଅବସ୍ଥା ବିଷୟ ଆଲୋଚନା କରିବାକୁ ଯାଇ ସେ ଲେଖନ୍ତି,

 

“…..କିନ୍ତୁ ସ୍କୁଲର ଅବସ୍ଥା ଭଲ ନୁହେଁ । ସେଠା ବଡ଼ ଲୋକଙ୍କ ନିଗ୍ରହ ଏଥିର ମୂଳୀଭୂତ କାରଣ ଅର୍ଥାତ୍ ସେମାନେ ଚାନ୍ଦା ରୀତିମତ ଦିଅନ୍ତି ନିକି ସ୍କୁଲ ସମ୍ବନ୍ଧରେ କୌଣସି ଭୃକ୍ଷେପ କରନ୍ତି ନାହିଁ । ବାସ୍ତବିକ୍ ବଡ଼ ଲୋକଙ୍କ ଉଦାସୀନତା ଆମ୍ଭମାନଙ୍କ ଉନ୍ନତିର ଭାରୀ ପ୍ରତିବନ୍ଧକ ହୋଇଅଛି, କେବେ ଏମାନେ ଜାଗ୍ରତ ହେବେ ?’’ (୮) କଟକ କଲେକ୍ଟର ବି ସାହେବଙ୍କର କାର୍ଯ୍ୟକଳାପରେ ଅତ୍ୟନ୍ତ ଖୁସି ହୋଇ ସେ ଲେଖିଥିଲେ, ‘‘ବିମ୍‍ସ ସାହେବ ଯେପରି ପଣ୍ଡିତ ସେହିପରି ବିଚକ୍ଷଣ ବୁଦ୍ଧିମାନ । ଓଡ଼ିଶା ଓ ଓଡ଼ିଆଙ୍କର ହିତସାଧନ ତାଙ୍କର ହୃଦୟରେ ଜାଜ୍ଜ୍ୱଲ୍ୟମାନ ରହିଅଛି । ତାଙ୍କ ଯୋଗୁଁ କେବଳ ବାଲେଶ୍ଵର ଓ ପୁରୀ ନର୍ମାଲ ସ୍କୁଲମାନଙ୍କରେ ଦୁଇଜଣ ଓଡ଼ିୟା ନିଯୁକ୍ତ ହେଲେ ଆମ୍ଭେମାନେ ଏଥିପୂର୍ବରୁ କହିଅଛୁଁ ଯେ ସେ ଜଣେ ସ୍ୱାଧୀନ ବିଚାରକ ହାକିମ’’ (୯)

 

ସାମାଜିକ କୁସଂସ୍କାର, ଓଡ଼ିଶାର ଶିକ୍ଷିତ ଗୋଷ୍ଠୀ ଓ ବଡ଼ଲୋକମାନଙ୍କର ସ୍ୱାର୍ଥପରତା, ଗଡ଼ଜାତ ରାଜାମାନଙ୍କର ବିଳାସ ବ୍ୟସନ ଓ ଦେଶର ଉନ୍ନତିପାଇଁ ବିତସ୍ପୃହତା, ଓଡ଼ିଶାରେ ବସବାସ କରୁଥିବା ବଂଗାଳୀଭାଇମାନଙ୍କର ଓଡ଼ିଶାପ୍ରତି ଘୃଣାଭାବ, ଓଡ଼ିଶାର ଦୈନ୍ୟତାର କାରଣ ସଂପର୍କରେ ଅନେକ ପ୍ରବନ୍ଧ ଓ ସମ୍ବାଦମାନ ‘ଉତ୍କଳପୁତ୍ର’ରେ ବରାବର ସ୍ଥାନ ପାଉଥିଲା ।

 

ବାବୁଗିରୀ ସଂପର୍କରେ “ଧନ୍ୟରେ ବାବୁଗିରୀ” ଶୀର୍ଷକ ଏକ ପ୍ରବନ୍ଧରେ ପ୍ୟାରୀମୋହନ ଉଲ୍ଲେଖ କରନ୍ତି :

 

“ଆମ୍ଭେମାନେ ଦୁଃଖର ସହ ପ୍ରାର୍ଥନା କରୁଅଛୁ ଯେ ହେ ଧନୀମାନେ । ଆଗେ ଦେଲେ ଦେବ ପଛେ ଦେଲେ ଦେବ । ଅତଏବ ନ୍ୟାୟ ସଙ୍ଗତ ମାର୍ଗରେ ଗମନ, ମୁନିବତ୍ୱ ରକ୍ଷା କାମ୍ପିପଣ ତ୍ୟାଗ କରିବା ହେଉନ୍ତୁ ଏବଂ ପରଦୁଃଖରେ ଦୁଃଖୀ ହେଉନ୍ତୁ । ଇତି ବାବୁଗିରୀ ପୁରାଣେ ପ୍ରଥମ ସ୍ତୋକେ ବାବୁ ଭୃତ୍ୟ ସମ୍ବାଦଃ ସମାପ୍ତଃ’’ । (୧୦)

 

ଗଡ଼ଜାତ ଦେଶମାନଙ୍କରେ ରହିଥିବା ଦୁରାବସ୍ଥା ସଂପର୍କରେ ପ୍ୟାରୀମୋହନ ଲେଖନ୍ତି :

 

ଆମ୍ଭମାନଙ୍କର ଏତଦେଶୀୟ କୌଣସି ସହଯୋଗୀ ଗଡ଼ଜାତ ସମ୍ବନ୍ଧରେ ଲେଖି ଅଛନ୍ତି ଯେ, ‘‘ଗଡ଼ଜାତ ରାଜାମାନେ ଫୁଲଦେଇମାନଙ୍କୁ ଘେନି ଗଡ଼ଭିତରେ ରାତିଦିନ ରାସଲୀଳା କରୁଥିବେ, ପ୍ରଜାମାନଙ୍କର ମାନସିକ ଉନ୍ନତି ଆଡ଼କୁ ଦୃଷ୍ଟିପାତ କରିବେ ନାହିଁ ।

 

ପ୍ରକୃତ କଥା । ଗଡ଼ଜାତର ଅବସ୍ଥା ସବୁ ବିଷୟରେ ଅନୁନ୍ନତ, କି ବିଦ୍ୟାଶିକ୍ଷା, କି ଶାସନ ପ୍ରଣାଳୀ, କି ଦେଶପାଳନ, କି ପ୍ରଜାରଞ୍ଜନ ସମସ୍ତ ବିଷୟର ପ୍ରକୃତ ଅଭାବ ଗଡ଼ଜାତରେ ଦୃଷ୍ଟିଗୋଚର ହୁଏ । କେବେ ଗଡ଼ଜାତରେ ରାଜାମାନେ ସୁସଭ୍ୟ ଓ ଉନ୍ନତ ହୋଇ ଆମ୍ଭମାନଙ୍କର ଦେଶର ଗୌରବ ବିସ୍ତାର କରିବେ, ଗଡ଼ଜାତର ବର୍ତ୍ତମାନ ଅବସ୍ଥା ଦେଖି ତାହା ନିର୍ଦ୍ଧାରଣ କରିବାର ସୁକଠିନ ।’’ (୧୧) ଅନ୍ୟ ଏକ ସଂକଳନରେ ଗଡ଼ଜାତର ଅବସ୍ଥା ବର୍ଣ୍ଣନା କରିବାକୁ ଯାଇ ପ୍ୟାରୀମୋହନ ଲେଖନ୍ତି,, . . । ଗଡ଼ଜାତର ଅନ୍ୟାନ୍ୟ ଅନେକ ଅଭାବ ଅଛି, ସେସବୁ ଗୋଟି ଗୋଟି କରି କହିବାକୁ ଗଲେ ଏକ ମହାଭାରତ ହୋଇ ଉଠିବ ।... ସ୍ଥଳରେ ଏତିକି କହିଲେ ଯଥେଷ୍ଟ ଯେ ଏମାନେ ନିତାନ୍ତ କୁସଂସ୍କାରପନ୍ନ ହୋଇ ରହିଅଛନ୍ତି । ସେମାନଙ୍କର ମନରେ ବିଶ୍ୱାସ ଯେ ଛାପାଖାନା ଲୋକେ ଯାହାଠାରୁ କିଛି ଟଙ୍କା ପାଆନ୍ତି ତାହାର ପ୍ରଶଂସା ଓ ଯାହାଠାରୁ କିଛି ନପାନ୍ତି ତାହାର ନିନ୍ଦା ଲେଖନ୍ତି, ତାଙ୍କ କଥାରେ ଆମର କ’ଣ ଅଛି । ଏଥିରୁ ବଳିକରି ଦୁଃଖର ବିଷୟ ଆଉ କି ଅଛି ? ଉପସଂହାରରେ ହେ ଗଡ଼ଜାତବାସୀ । ତୁମ୍ଭମାନଙ୍କୁ ଏହି ଅନୁନୟ ।

 

“ଉଠ ଉଠ ଉଠ ।

ପରିହର ମୋହନିଦ୍ରା ଆସ କରି ରଣ,

ଉତ୍କଳ ତିମିର ସଜେ ହୋଇ ସ୍ଥିର ମନ ।” (୧୧କ)

 

ଓଡ଼ିଶାର ଉନ୍ନତି ପାଇଁ ଯେଉଁ କେତୋଟି କାରଣ ଅନ୍ତରାୟ ହେଉଅଛି ବୋଲି ସେ ହୃଦୟଙ୍ଗମ କରୁଥିଲେ ତାକୁ ସେ ଅନୁଶୀଳନ କରି ଲୋକମାନଙ୍କର ଜ୍ଞାତସାର ନିମନ୍ତେ ‘ଉତ୍କଳପୁତ୍ର' ଉପଯୁକ୍ତ ବ୍ୟାଖ୍ୟା ସହ ସ୍ଥାନ ଦେଉଥିଲେ । ‘‘ଓଡ଼ିଶାର ଉନ୍ନତି” ଶୀର୍ଷକ ଏକ କ୍ଷୁଦ୍ର ପ୍ରବନ୍ଧରେ ପ୍ୟାରୀମୋହନ ଉଲ୍ଲେଖ କରନ୍ତି, ‘‘ଓଡ଼ିଶାବାସୀମାନେ ବୁଦ୍ଧିବଳରେ ବଙ୍ଗାଳୀକି ପାର୍ସିଙ୍କ ଠାରୁ ଊଣା ନୁହନ୍ତି; କିନ୍ତୁ ଧନର ଅଭାବ ଏମାନଙ୍କୁ ଉନ୍ନତି ପଥରେ ଜଳକା କରି ରଖିଅଛି ।. . . ଆହୁରି ଅନୁସନ୍ଧାନ କଲେ ଦେଖାଯାଏ ଯେ ବିଦେଶୀୟ କେତେକ ଲୋକ ଏ ସ୍ଥାନର ଜମିଦାର ଥିବାରୁ ଅନେକଟଙ୍କା ଏ ଦେଶରୁ ଅନ୍ୟଦେଶକୁ ଚାଲି ଯାଉଅଛି ଅଥଚ କୌଣସି ଉପାୟଦ୍ୱାରା ଅନ୍ୟ ଦେଶରୁ ଏଦେଶକୁ ସମ୍ପତ୍ତି ଆସୁନାହିଁ ।

 

... ଚାକିରୀ ବିଭାଗରେ ଦେଖିଲେ, ଏ ଦେଶୀୟମାନେ ଉଚ୍ଚସ୍ଥାନ ପାନ୍ତି ନାହିଁ । ସୁତରାଂ ସେ ଦିଗରୁ ଓଡ଼ିଶାବାସୀଙ୍କର ମଧ୍ୟ ଅଧିକ ଆୟ ହୁଅଇ ନାହିଁ ।” (୧୨) ଏହି ପ୍ରସଙ୍ଗ ଉପରେ ଯଦି ଦାଦାଭାଇ ନାରୋଜୀଙ୍କର Drain Theory’ (୧୩) କୁ ଆଲୋଚନାର ପରିସର ଭିତରକୁ ନିଆଯାଏ, ତେବେ ଏହି ଉପସଂହାରରେ ଆମେ ଉପନୀତ ହେବା ଯେ ନାରୋଜୀଙ୍କର ମତବାଦ ଅପେକ୍ଷା ପ୍ୟାରୀମୋହନଙ୍କର ଚିନ୍ତାଧାରା ଅତ୍ୟନ୍ତ ଉନ୍ନତତର ଥିଲା ।

 

ଊନବିଂଶ ଶତାବ୍ଦୀ ଓଡ଼ିଶାରେ ତଥା ସମଗ୍ର ଭାରତବର୍ଷରେ ଜମିଦାରମାନେ ବିଭିନ୍ନ ଉପାୟରେ ଚାଷୀମାନଙ୍କୁ ଶୋଷଣ କରୁଥିଲେ । ଧାର୍ଯ୍ୟ କର ଛଡ଼ା ବିଭିନ୍ନ ପ୍ରକାରର ଅନ୍ୟାୟ କରି ସେମାନେ ଜୁଲମ କରି ଆଦାୟ କରୁଥିଲେ । ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ପ୍ୟାରୀମୋହନ ‘ଉତ୍କଳପୁତ୍ର’ରେ ଉଲ୍ଲେଖ କରିଥିଲେ :

 

ଆମ୍ଭମାନଙ୍କ ବିବେଚନାରେ ପ୍ରଜାମାନଙ୍କ ନିରୂପିତ ରାଜସ୍ୱ ବ୍ୟତୀତ ଅନ୍ୟ କୌଣସି ବୃଥା କାରଣ ଦେଖାଇ ଅନ୍ୟପ୍ରକାର କର ଗ୍ରହଣ କରିବା କୌଣସି ମତେ କି ବଙ୍ଗ ଜମିଦାର କି ଓଡ଼ିଆ ଜମିଦାର କାହାରି ପକ୍ଷରେ ନ୍ୟାୟସିଦ୍ଧ ନୁହେଁ ।’ (୧୪)

 

ପ୍ୟାରୀମୋହନ ସାମ୍ବାଦିକତା ସମୟରେ ଓଡ଼ିଆ ଭାଷା ଆନ୍ଦୋଳନ ଏକ ଘଡ଼ିସନ୍ଧି ମୁହୂର୍ତ୍ତି ମଧ୍ୟରେ ଗତି କରୁଥିଲା । କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ, ବଙ୍କିମ ଚନ୍ଦ୍ର ଇତ୍ୟାଦି ଓଡ଼ିଆ ଭାଷା ଓ ତାର ସଂସ୍କୃତିକୁ କବର ଦେଇଦେବାପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଏହି ପରିପ୍ରେକ୍ଷୀରେ ‘ଉତ୍କଳପୁତ୍ର’ରେ ପ୍ରକାଶିତ ପ୍ୟାରୀମୋହନଙ୍କର ଏକ ପ୍ରତିକ୍ରିୟାଶୀଳ ଚିଠିର ଉତ୍ତର ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

 

‘‘ବିଗତ ସପ୍ତାହର ‘ଅମୃତ ବଜାର’ ପତ୍ରିକାର ‘ଉଡ଼ିଆ’ ଇତି ଶିରୋନାମାର ଏକ ପ୍ରେରିତ ପତ୍ର ପାଠକରି ଅତ୍ୟନ୍ତ ଚମତ୍କୃତ ହୋଇଅଛି । ପୁନର୍ବାର ଶ୍ରୀ ଦୀନନାଥ ବନ୍ଦୋପାଧ୍ୟାୟ ‘ବିଳିବିଳେଇ’ ଉଠି ଅଛନ୍ତି ଯେ ଉତ୍କଳୀୟ ବ୍ରାହ୍ମଣମାନେ ନିର୍ବାସିତ, ମହାନ୍ତିମାନେ ଅନାର୍ଯ୍ୟ ଓ ବିଗତ ମାର୍ଚ୍ଚ ମାସ ତା ୨୨ ରିଖ ଦୀପିକା ପତ୍ରପ୍ରେରକ ସଂସ୍କୃତ ପୁରାଣାନିଭିଜ୍ଞ । ସେ ଯେ କାହିଁକି ଉତ୍କଳୀୟଙ୍କର ଆର୍ଯ୍ୟତ୍ଵ ବା ଅନାର୍ଯ୍ୟତ୍ୱ ଘେନି ଏତେ ବ୍ୟସ୍ତ ହେଉଅଛନ୍ତି ଆମ୍ଭେମାନେ ବୁଝିପାରୁନାହିଁ । ଯଦ୍ୟପିକି ବାବୁ ମହାଶୟ ସ୍ୱୀୟ ‘ଭାଷାତତ୍ତ୍ୱ’ ଶାସ୍ତ୍ରର ପରିଚୟ ଦେବାକୁ ମନସ୍ଥ କରନ୍ତି, ତେବେ ତାଙ୍କର ଏ ଉଦ୍ୟମରେ ନିଶ୍ଚୟ ସେ ମାନସ ସାଧିତ ହେବାର କଷ୍ଟ ସାଧ୍ୟ, ପୁଣି ଯଶଃଲାଭ ଇଚ୍ଛାଥିଲେ ଏ ନିନ୍ଦନୀୟ ଉପାୟ ଦ୍ଵାରାକି ସେ ବାଞ୍ଛା ସଫଳ ହେବ ? ପ୍ରକୃତ ସତ୍ୟଜିଜ୍ଞାସୁ ହୋଇଥିଲେ ସେ ଭିନ୍ନ କଥା; କିନ୍ତୁ ଯେଉଁ ଅସମ୍ଭବ ଓ ବିପରୀତ ବ୍ୟାପ୍ତିରେ ଉପାଧ୍ୟାୟ ମହାଶୟ ଉପସ୍ଥିତ ହେଉଅଛନ୍ତି, ତାହାଦ୍ୱାରା ଓ ମହତ୍ ବାସନାର ପରିଚୟ ମିଳୁନାହିଁ । ପୁନଶ୍ଚ ପାଠକଲୁଁ ଉପସଂହାର ସ୍ଥଳେ ବାବୁସାହେବ ଆର୍ଯ୍ୟପଣିଆ ସୁଦ୍ଧା ପ୍ରକାଶ କରିଅଛନ୍ତି । ବାହାବା ! ବାହାବା ! ବାବୁଙ୍କର ଉତ୍କଳ ବିଷୟରେ ମତର ସ୍ଥୈର୍ଯ୍ୟତା ଜାଣି ନପାରିଲାରୁ ଉପଯୁକ୍ତ ପ୍ରମାଣ ଦର୍ଶାଇ ବାବୁଙ୍କ ମତ ଖଣ୍ଡନ କରିବାକୁ ମାନସ ବଢ଼ିଲା ନାହିଁ ।” (୧୫)

 

ତେବେ ଓଡ଼ିଶାରେ ରହିଥିବା ସାମାଜିକ କୁସଂସ୍କାର ସବୁବେଳେ ତାଙ୍କୁ ବ୍ୟଥିତ କରୁଥିଲା ଏବଂ ଖୁବ୍ ଶାଣିତ ଭାଷାରେ ଓଡ଼ିଶାର ରକ୍ଷଣଶୀଳ ଓ କୁସଂସ୍କାରପୂର୍ଣ୍ଣ ସମାଜ ଏବଂ ସମାଜର ତଥାକଥିତ ବଡ଼ପଣ୍ଡାମାନଙ୍କୁ ସମାଲୋଚନା କରୁଥିଲେ । ୧୮୭୩ ମସିହା ମଇ ମାସ ୧୬ ତାରିଖର ସଂସ୍କରଣରେ ‘‘ପଣ୍ଡିତମାନଙ୍କର କୁସଂସ୍କାର ଓ ରୀତି ସଂପର୍କରେ ଆଲୋଚନା କରି ପଣ୍ଡିତମାନଙ୍କର ଜ୍ଞାନ ବଣ୍ଟନରେ କାର୍ପଣ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହାବ୍ୟତୀତ ପଣ୍ଡିତମାନେ କିଭଳି ନିଜ ପ୍ରତିଷ୍ଠାର ଦୁରୂପଯୋଗ କରୁଛନ୍ତି ତା ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏହି ପ୍ରସଙ୍ଗରେ ପ୍ୟାରୀମୋହନ ଯାଜପୁରର ଉଦାହରଣ ଦେଇଛନ୍ତି । ‘‘ଯାଜପୁରର ଐତିହାସିକ ଖ୍ୟାତି, ପ୍ରତ୍ନତାତ୍ତ୍ୱିକ ଭଗ୍ନାବଶେଷ’’ ଶୀର୍ଷକ ନିବନ୍ଧରେ ଲେଖିଥିଲେ : -

 

‘‘ପୁରୀ ପଣ୍ଡାଙ୍କ ପରି ବୈତରଣୀ ଯାତ୍ରୀଙ୍କ ଉପରେ ଏମାନଙ୍କର ଜୀବନୋପାୟ ନିର୍ଭର କରେ । ସ୍ୱୀୟ ସ୍ୱୀୟ ପିଲାମାନଙ୍କୁ ସ୍କୁଲ ପଠାଇବାକୁ ଏମାନେ ନିତାନ୍ତ ଅନିଛୁକ । ଏମାନଙ୍କ ଘରମାନଙ୍କରେ ଯାତ୍ରୀ ବିବରଣୀ ନାମକ ଯେଉଁ ତାଳପତ୍ର ପାଞ୍ଜିମାନ ଅଛି, ସେସବୁରୁ ଅନେକ ଐତିହାସିକ ସତ୍ୟ ବାହାରିପାରେ । କିନ୍ତୁ ଉକ୍ତ ପଣ୍ଡାମାନେ ଏପରି କୁସଂସ୍କାରାପନ୍ନ ଯେ କଦାପି କାହାରିକୁ ସେସବୁ ଦେଖିବାକୁ ଦିଅନ୍ତି ନାହିଁ ।’’ (୧୬) ପ୍ୟାରୀମୋହନଙ୍କର ସାମ୍ବାଦିକତା ବ୍ୟତୀତ ଇତିହାସ ପ୍ରୀତି ଥିଲା ବହୁତ ଗୁରୁତ୍ଵପୂର୍ଣ୍ଣ । ତେଣୁ ଓଡ଼ିଶାର ପ୍ରାଚୀନ ସଂସ୍କୃତିର ରକ୍ଷାପାଇଁ ‘ଉତ୍କଳପୁତ୍ର’ ବରାବର ଆଗ୍ରହ ପ୍ରକାଶ କରୁଥିଲା ।

 

‘ନାରୀ ସ୍ୱାଧୀନତା’ ଏବଂ ‘ସାଂପ୍ରଦାୟିକତାଶୂନ୍ୟ ସମାଜ’ ପ୍ୟାରୀମୋହନଙ୍କ ଚିନ୍ତାଧାରାର ଆଉ ଦୁଇଟି ମୁଖ୍ୟ ଦିଗ ଥିଲା । ଜଣେ ବ୍ରାହ୍ମଧର୍ମୀ ଭାବରେ ସେ ଉତ୍କଳପୁତ୍ରରେ ଆଲୋଚନା କରିଥିଲେ ଯେ ‘‘ଧର୍ମର ମୂଳସୂତ୍ର ଧରି କାର୍ଯ୍ୟ କଲେ ପୃଥିବୀରେ ସାଂପ୍ରଦାୟିକତା ରହିବ ନାହିଁ ଏବଂ ଏହି ସାଂପ୍ରଦାୟିକତା ଶୂନ୍ୟ ଧର୍ମ ହିଁ ବ୍ରାହ୍ମଧର୍ମ ।’’ (୧୭) ନାରୀ ସ୍ୱାଧୀନତା ସଂପର୍କରେ ଏକ ସୁନ୍ଦର ଉଦାହରଣ ଉତ୍କଳପୁତ୍ରରେ ସ୍ଥାନ ପାଇଥିଲା । ତାହା ହେଲା–‘‘କୌଣସି ପତ୍ରିକା ପାଠକରି ଅବଗତ ହେଲୁକି ଯେ ଜାରାଦ୍ୱୀପ ଅନ୍ତର୍ଗତ ବ୍ୟାଣ୍ଟାମ ନାମକ ସ୍ଥାନ ଏକପ୍ରକାର ସ୍ତ୍ରୀ ଲୋକଙ୍କ ଦ୍ଵାରା ଶାସିତ । କେବଳ ରାଜା ପୁରୁଷ ଓ ମନ୍ତ୍ରୀଠାରୁ ସୈନ୍ୟସାମନ୍ତ ପର୍ଯ୍ୟନ୍ତ ସମସ୍ତେ ସ୍ତ୍ରୀ ଲୋକ । ସେ ସ୍ଥାନର ପୁରୁଷମାନେ କୃଷି ଓ ବାଣିଜ୍ୟରେ ଲିପ୍ତ ଥାନ୍ତି । ଏପରି ସ୍ତ୍ରୀ ସ୍ୱାଧୀନତା କଥା ତ ଆଉ ଶୁଣା ନାହିଁ ।” (୧୮)

 

ବହୁତ ସମୟରେ ଅନେକ ଛୋଟ ଛୋଟ ଘଟଣାଗୁଡ଼ିକୁ ପ୍ୟାରୀମୋହନ ଏଭଳି ଭାବରେ ଉପସ୍ଥାପନ କରୁଥିଲେ ଯେ ସେ ସମ୍ବାଦଗୁଡ଼ିକର ଗୁରୁତ୍ଵ ଯଥେଷ୍ଟ ବଢ଼ି ଯାଉଥିଲା । ତାହା ତାଙ୍କର ପରିପକ୍ୱ ସାମ୍ବାଦିକତାର ପରିଚୟ ଦେଉଥିଲା । ସେଗୁଡ଼ିକ ମଧ୍ୟରୁ କେତୋଟିର ଉଦାହରଣର ପ୍ରୟୋଜନ ରହିଛି । ଯଥା –

 

୧୮୭୩ ମସିହାର ନଭେମ୍ବର ମାସର ପାଣିପାଗ ବର୍ଣ୍ଣନା କରିବାକୁ ଯାଇ ଲେଖନ୍ତି

 

“...ତଥାପି ଇଂଲଣ୍ଡୀୟ ନଭେମ୍ବର ମାସ ଆକାଶପରି ଆମ୍ଭମାନଙ୍କର ଆକାଶ ଗତ ସପ୍ତାହରେ ମେଘାଚ୍ଛନ୍ନ ହୋଇ ମଧ୍ୟେ ମଧ୍ୟେ ବିନ୍ଦୁ ବିନ୍ଦୁ ବାରି ପତିତ ହେଉଥିଲା; ଏସବୁରୁ ବୋଧହୁଏ ଏବର୍ଷ ଇନ୍ଦ୍ର ବାୟା ହୋଇ ଅଛନ୍ତି” । (୧୯)

 

ଯାଜପୁର ଜଳବାୟୁ ବର୍ଣ୍ଣନା କରିବାକୁ ଯାଇ ପ୍ୟାରୀମୋହନ ଲେଖନ୍ତି, ‘‘ଏ ସ୍ଥାନର ଜଳବାୟୁ ଅତି ପ୍ରୀତିକର ଓ ସ୍ୱାସ୍ଥ୍ୟଜନକ, ଓଡ଼ିଶା ପକ୍ଷରେ ଏହା ଦାର୍ଜିଲିଂ ଅଟେ ।’’ (୨୦)

 

ପ୍ୟାରୀମୋହନଙ୍କର ଇତିହାସ ଓ ସଂସ୍କୃତି ପ୍ରୀତି ଅତି ଉଚ୍ଚକୋଟୀର ଥିଲା । ଅବହେଳିତଙ୍କ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି ତାଙ୍କ ମନକୁ ସବୁବେଳେ ଉଦ୍ବେଳିତ କରୁଥିଲା । ସେଗୁଡ଼ିକର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରିବାପାଇଁ ଜନସଚେତନତା ଉପରେ ସେ ଯଥେଷ୍ଟ ଗୁରୁତ୍ୱ ଦେଉଥିଲେ । ଏ ସମ୍ବନ୍ଧୀୟ ଏକ ସଂବାଦ ଉତ୍କଳପୁତ୍ରରେ ସ୍ଥାନ ପାଇଥିଲା । ତାହା ହେଲା, ‘‘ବୌଦ୍ଧମାନଙ୍କର ଓଡ଼ିଶାରେ ପ୍ରବଳାଧିପତ୍ୟର ଚିହ୍ନସୂଚକ ପ୍ରସ୍ତର ଖୋଦିତ ସନ୍ଥମାଧବ ନାମକ ଏକ ପ୍ରକାଣ୍ଡ ବୌଦ୍ଧମୂର୍ତ୍ତି ଆଜିଯାଏ ଉକ୍ତ (ଯାଜପୁର) ନଗରସ୍ଥ ଜଣେ ଦୁଃଖୀ ପ୍ରଜାର ବାଡ଼ିଭିତରେ ଅପରିଷ୍କାର ସ୍ଥାନରେ ପଡ଼ି ରହିଅଛି । (୨୧)

 

ଏସବୁ ଆଲୋଚନା ପ୍ୟାରୀମୋହନଙ୍କର ପକ୍ୱ ସାମ୍ବାଦିକତାର ପରିଚୟ ଦେଇଥାଏ । ପ୍ୟାରୀମୋହନଙ୍କର ସମସାମୟିକ ବରିଷ୍ଠ ସାମ୍ବାଦିକମାନେ ତାଙ୍କୁ ସହଜରେ ଗ୍ରହଣ କରିପାରୁନଥିଲେ । ସେଥିପାଇଁ ଅନେକ ସମୟରେ ସେ ଭୀଷଣ ଦ୍ୱନ୍ଦର ସମ୍ମୁଖୀନ ହୋଇଥିଲେ । ତନ୍ମଧ୍ୟରୁ ‘ଉତ୍କଳ ହିତୈଷିଣୀ’ର ସଂପାଦକ କାଳୀପଦ ବନ୍ଦୋପାଧ୍ୟାୟ ଏବଂ ‘ଉତ୍କଳଦୀପିକା’ର ସଂପାଦକ ଗୌରୀଶଙ୍କର ରାୟଙ୍କ ସହ ଦ୍ୱନ୍ଦ ଚରମ ସୀମାରେ ପହଁଚିଥିଲା । କାଳୀବାବୁ ଏକ ସମୟରେ ବିଦେଶ ଯିବାପାଇଁ ସମସ୍ତ ବନ୍ଦୋବସ୍ତ କରି ଶେଷ ମୁହୂର୍ତ୍ତରେ ତାଙ୍କ ନିଜ ନିଷ୍ପତ୍ତି ବଦଳାଇ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ୍ କରି ଦେଇଥିଲେ । ସ୍ଵଭାବସିଦ୍ଧ ଭାବରେ ପ୍ୟାରୀମୋହନ ‘ଉତ୍କଳପୁତ୍ର’ର ପୃଷ୍ଠାରେ ପ୍ରଶ୍ନ କରିଥିଲେ, “ବାବୁ ‘କଳାପାଣି’ ଦେଖି ଡରିଲେକି ?’’ ଏହା ସହିତ ସେ କେତେ ବଙ୍ଗୀୟ ଭ୍ରାତାଙ୍କ ସ୍ୱାର୍ଥପରତା ଉପରେ ଆଲୋକପାତ କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ କାଳୀବାବୁ ପ୍ୟାରୀମୋହନଙ୍କୁ ‘ବୃଥାରେ ଭ୍ରାତୃବର୍ଗକୁ ନିରର୍ଥକ ଶୀରପୀଡ଼ା ପ୍ରଦାନରେ ବ୍ରତୀ ହୋଇଥିବାର, ‘‘ଦୁଗ୍ଧପୋଷ୍ୟ ବାଳକ ମୁଖନିଃସୃତ ପ୍ରଳାପପୂର୍ଣ୍ଣ ଆଳାପ କରୁଥିବାର’’ ଅନାବଶ୍ୟକୀୟ ବିଷୟରେ କାଗଜପୂର୍ଣ୍ଣ କରୁଥିବାର’ ଏବଂ ଖିୟାଲି ଓ ଲାଘବମନା’ ବୋଲି ଚିତ୍ରିତ କରିଥିଲେ । (୨୨) ପ୍ୟାରୀମୋହନ ଏସବୁକୁ ଧୃଷ୍ଟତା ଓ ଔଦ୍ଧତ୍ୟାମି ଭାବରେ ବର୍ଣ୍ଣନା କରିଥିଲେ ଏବଂ ଉତ୍କଳପୁତ୍ରର ପୃଷ୍ଠାରେ ପୁଣି ତାଙ୍କର ଦ୍ୱିତୀୟ ପ୍ରଶ୍ନକୁ, ଦୋହରାଇ ଥିଲେ । ତାଙ୍କର ଓଡ଼ିଆ ସ୍ୱାଭିମାନ ହିଁ ତାଙ୍କୁ ଏଭଳି ବିତର୍କ ଆରମ୍ଭ କରିବାପାଇଁ ଇନ୍ଧନ ଯୋଗାଇଥିଲା । ସେ ଲେଖିଥିଲେ, ‘‘ଆମ୍ଭେମାନେ ଦୁଇଚାରି କଥା କହିଥିଲୁ ଏବଂ ବର୍ତ୍ତମାନ ମଧ୍ୟ କହୁଅଛୁଁ, ଏଠା ନବାଗତ ବଙ୍ଗୀୟଙ୍କ ମଧ୍ୟରୁ ଅନେକ ଆପଣା ସ୍ୱାର୍ଥ ବୁଝନ୍ତି ଓ କେବଳ ଆପଣା ଭାଇକୁଟୁମ୍ବଙ୍କ ଭଲଖୋଜିବାରେ ଅତିବ୍ୟସ୍ତ । ଦୁଃଖୀ ଉଡ଼ିୟାକି ଯାହାଙ୍କ ଅର୍ଥରେ ପ୍ରତିପାଳିତ, ତାଙ୍କ ନିକଟରେ କୃତଜ୍ଞ ହେବା ଅଥବା ସେମାନଙ୍କର ଭଲ କରିବା ଦୂରେଥାଉ, ଅନେକ ସମୟରେ ସେମାନେ ଆପଣାବଳରେ କିଛି ନିଜର ଭଲ କରିପାରିଲେ, ସେଥିରେ ଅନେକ ବଙ୍ଗୀୟ ବାଧାଦେବାକୁ ଉଦ୍‌ଯୋଗର ତ୍ରୁଟି କରନ୍ତି ନାହିଁ । ଯେବେ ସେମାନେ ଆମ୍ଭମାନଙ୍କର ପ୍ରକୃତ ହିତାକାଂକ୍ଷୀ ହୁଅନ୍ତେ ସେମାନେ ଯେପରି ଆମମାନଙ୍କର ଉନ୍ନତଭ୍ରାତା, ଆମ୍ଭେମାନେ ଅବଶ୍ୟ ସେମାନଙ୍କ ଠାରେ କୃତଜ୍ଞ ହୋଇ ରହନ୍ତୁ, କି ସେ ରାଜ୍ୟ ସେ ପାଠ ଅତି ଅଳ୍ପ । ଦୁଇଚାରି ଜଣ ବଙ୍ଗୀୟ ଯେଉଁମାନେ କି ବର୍ତ୍ତମାନ ଆମ୍ଭମାନଙ୍କ ହିତ ସକାଶେ ଯଥାସାଧ୍ୟ ଚେଷ୍ଟା କରୁଅଛନ୍ତି, ସେମାନଙ୍କ ଠାକୁ ଆମ୍ଭମାନଙ୍କର ହୃଦୟର କୃତଜ୍ଞତା ସ୍ରୋତ ପ୍ରବାହିତ ହେଉଅଛି, ଈଶ୍ଵର କରନ୍ତୁ, ସେମାନେ ଏହିଠାରେ ଦୀର୍ଘକାଳ ରହି ଏହିପରି ଆମ୍ଭମାନଙ୍କର ମଙ୍ଗଳ ସାଧୁଥାଆନ୍ତୁ । ପୁଣି ଅନ୍ୟାନ୍ୟ ବଙ୍ଗାଳୀ ଭାଇମାନଙ୍କୁ ଅନୁରୋଧ ଯେ ସେମାନେ ଏହି ଦୁଇଚାରିଜଣଙ୍କର ଅନୁବର୍ତ୍ତୀ ହେଉନ୍ତୁ ।’’ (୨୩)

 

ପ୍ୟାରୀମୋହନଙ୍କର ନିର୍ଭୀକ ସାମ୍ବାଦିକତ। ଏବଂ ‘ଉତ୍କଳ ପୁତ୍ର’ର ଲୋକପ୍ରିୟତା ଗୌରୀଶଙ୍କରଙ୍କୁ ଅସହିଷ୍ଣୁ କରି ଦେଇଥିଲା । ‘ଉତ୍କଳଦୀପିକା’ର ପୃଷ୍ଠାରେ ‘ଓଡ଼ିଶାକୁ ସମ୍ବାଦପତ୍ର ବଳାଇଅଛି’, ‘ଉତ୍କଳପୁତ୍ରର ଅନାହାର ମୃତ୍ୟୁ ଆଶଙ୍କାରେ ସମ୍ପାଦକଙ୍କର ଅଦିଆ ଗ୍ରାହକମାନଙ୍କୁ ସମାଲୋଚନା, “ଉତ୍କଳପୁତ୍ରର ଅଧିକାଂଶ ଗ୍ରାହକ ଅଦିଆ”, “ଉତ୍କଳପୁତ୍ର ତିନିବର୍ଷର ଶିଶୁ ହିସାବରେ ତାର କଥାକୁ କୌତୁକରେ ଉଡ଼ାଇଦେବା’’ ଇତ୍ୟାଦି ଭାଷାରେ ପ୍ୟାରୀମୋହନଙ୍କୁ ସମାଲୋଚନା କରି ଗୌରୀଶଙ୍କର ପ୍ରବନ୍ଧମାନ ଲେଖିଥିଲେ । (୨୪) ତେବେ ପ୍ୟାରୀମୋହନ ଏସବୁ ଅଭିଯୋଗର ଗୋଟି ଗୋଟି କରି ଉତ୍ତର ଦେଇଥିଲେ ଏବଂ ନିଜର ଯୁକ୍ତିରୁ କେବେ ମଧ୍ୟ ଓହରି ଯାଇ ନଥିଲେ ।

 

ପ୍ୟାରୀମୋହନ ସାଧାରଣ ଲୋକମାନଙ୍କ ମଧ୍ୟରେ ‘ସମ୍ବାଦପତ୍ର ପଠନ’କୁ ଏକ ଅଭ୍ୟାସରେ ପରିଣତ କରିବାପାଇଁ ଯଥାସାଧ୍ୟ ଚେଷ୍ଟା କରିଥିଲେ । ‘ସମ୍ବାଦପତ୍ର’ର ମୂଲ୍ୟବୋଧ ଏବଂ ସମ୍ବାଦପତ୍ର ଶିକ୍ଷାର ଉପକାରିତା ସଂପର୍କରେ ପ୍ରବନ୍ଧମାନ ଉପସ୍ଥାପନ କରି ପାଠକମାନଙ୍କର ସେଥିପ୍ରତି ଧ୍ୟାନ ଆକର୍ଷଣ କରିବା ପାଇଁ ସେ ଚେଷ୍ଟିତ ଥିଲେ । ‘ଉତ୍କଳପୁତ୍ର’ର ଏକ ସଂସ୍କରଣରେ ସେ ଲେଖିଥିଲେ, ‘‘ଆଜିକାଲି ଦଶହରା ଘଡ଼ି । . . . ଏପରି ଗୋଳମାଳ ଓ ଭିଡ଼ ମଧ୍ୟରେ ‘ପୁତ୍ର’ ଆପଣା କର୍ତ୍ତବ୍ୟ କାର୍ଯ୍ୟ ସାଧିବା ସକାଶେ ବାହାରି ଅଛି । ପାଠକେ ! ଏହା ପ୍ରତି ମୁହୂର୍ତ୍ତକ ସକାଶେ ଅନାଇବ କି ? ପୁତ୍ର ବଡ଼ କ୍ଷୀଣ, ତହିଁରେ ପୁଣି ଭିଡ଼ରେ ଅଧିକ ଦୁର୍ବଳତାକୁ ଲଭିଅଛି, ଏଣୁ କରି ଏହାର ଦୋଷମାନ ଘେନା କରିବ ନାହିଁ । ଆଜି ଯଦି ଆମୋଦ ଆହ୍ଲାଦରେ ଏହା ପ୍ରତି ଦୃଷ୍ଟି ଫିଙ୍ଗିବାକୁ ସମୟ ନ ପାଅ, କାଲି ସକାଳେ, ଆପଣମାନଙ୍କ ମଧ୍ୟରୁ ଅନେକେ, ଯେତେବେଳେ ନିତାନ୍ତ ବିମର୍ଷ ଭାବରେ ବସିଥିବେ, ପୁତ୍ରର ମୁଖ ଥରେ ସ୍ନେହର ସହିତ ଦେଖିବା ହେଉନ୍ତୁ, ଅବଶ୍ୟ କିଛି ସୁଖ ହେବ । ନୋହିଲେ ଯଦି ଦୁଃଖ ହୁଏ, ଭାବି ଦେଖ ସେ ଦୁଃଖରୁ ସୁଖ ଉପୁଯିବ ।’’(୨୫)

 

‘ଉତ୍କଳପୁତ୍ର’ର ପ୍ରତ୍ୟେକ ପୃଷ୍ଠାରେ ପ୍ୟାରୀମୋହନଙ୍କ ଯୁକ୍ତିଯୁକ୍ତ, ନିର୍ଭୀକ ଓ ନିରପେକ୍ଷ ବକ୍ତବ୍ୟ ଏବଂ ସାମ୍ବାଦିକତା ସୁସ୍ପଷ୍ଟ । ତାଙ୍କର ଏହି ମାନସପୁତ୍ର ମାଧ୍ୟମରେ ଓଡ଼ିଶାର ଉନ୍ନତି ପାଇଁ ଓଡ଼ିଶାର ଏକତ୍ରୀକରଣ ପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଏବଂ ସମାଜ ସଂସ୍କାର ପାଇଁ ବ୍ରିଟିଶ୍ ସରକାରଙ୍କର ଧ୍ୟାନ ଆକର୍ଷଣ କରିବା ଓ ଜନସଚେତନତା ସୃଷ୍ଟି କରିବାରେ ଯଥାସାଧ୍ୟ ପ୍ରୟାସ କରିଥିଲେ । ଯଦିଓ ‘ଉତ୍କଳପୁତ୍ର’ ମାତ୍ର ୩ରୁ ୪ବର୍ଷ ଜାତୀୟ ସେବାରେ ନିଜକୁ ନିୟୋଜିତ କରି ଶୈଶବ ଅବସ୍ଥାରେ ହିଁ ମୃତ୍ୟୁବରଣ କରିଥିଲା । ତେବେ ପ୍ୟାରୀମୋହନ ତାଙ୍କର ସାମ୍ବାଦିକତାକୁ ତ୍ୟାଗ କରି ନଥିଲେ । ଜାତୀୟ ଓ ସାମାଜିକ ସମସ୍ୟାମାନଙ୍କ ଉପରେ ବିଭିନ୍ନ ପ୍ରକାର ପ୍ରବନ୍ଧ ରଚନା କରି ଓ ‘ଭାଷଣ’ ପ୍ରଦାନ କରି ତାଙ୍କର କର୍ତ୍ତବ୍ୟ ସେ ସଂପାଦନା କରି ଚାଲିଥିଲେ । ୧୮୭୯ ମସିହା ଏପ୍ରିଲ ମାସ ୨୪ ତାରିଖ ସନ୍ଧ୍ୟାରେ କଟକ ପ୍ରିଣ୍ଟିଂ ପ୍ରେସ୍ କୋଠାରେ ମଧୁସୂଦନ ରାଓଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ପ୍ୟାରୀମୋହନ ତାଙ୍କର ଅଭିଜ୍ଞତାପୂର୍ଣ୍ଣ ଓଜସ୍ୱିନୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଦେଶୀୟ ରାଜ୍ୟମାନଙ୍କରେ ଶିକ୍ଷା ଅବସ୍ଥା, ଶିକ୍ଷାନୀତିର ଅଭାବ, ଶିକ୍ଷିତ ଯୁବକମାନଙ୍କର ଚରିତ୍ରଗତ ଦୋଷ ଦୁର୍ବଳତା, ଇଂରାଜୀପଢ଼ା ନବଯୁବକମାନଙ୍କର ମାତୃଭାଷା ପ୍ରତି ହତାଦର ; ଶିକ୍ଷିତ ଯୁବକମାନଙ୍କର ସମ୍ବାଦପତ୍ରର ଉପକାରିତା ସଂପର୍କରେ ଅଜ୍ଞତା ; ନବଯୁବକମାନଙ୍କର ପୂର୍ବ ରୀତି ନୀତି ପରିତ୍ୟାଗ ; ସୁରା ଓ କୁତ୍ସିତ ମଦ୍ୟପାନର ବିସ୍ତାର ; । ବାଲ୍ୟବିବାହର କୁଫଳ, ଓକିଲ ଓ ମୁକ୍ତାରଙ୍କର ମନ୍ଦଚରିତ୍ର ଓ ଉତ୍କୋଚ ନେବା ରୀତି; ଓଡ଼ିଶାରେ ଆଧୁନିକ ଶିଳ୍ପର ପ୍ରତିଷ୍ଠା ଓ ବିକାଶ ଇତ୍ୟାଦି ବିଷୟଗୁଡ଼ିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ବକ୍ତବ୍ୟଗୁଡ଼ିକ ଉପସ୍ଥିତ ଶ୍ରୋତାମାନଙ୍କୁ ହତବାକ୍ କରିଦେଇଥିଲା । ଏସବୁ ତାଙ୍କର ପରିପକ୍ୱ ସାମ୍ବାଦିକତା ଓ ଦେଶପ୍ରେମର ପରିଚୟ ଦେଇଥାଏ । ତାଙ୍କର ଏହି ବକ୍ତୃତା ‘ଜାତୀୟ ଜୀବନ’ ଶିରୋନାମାରେ ଉତ୍କଳ ଦୀପିକାରେ ପ୍ରକାଶିତ ହୋଇଥିଲା । ସମସାମୟିକ ସାମ୍ବାଦିକମାନଙ୍କର ତୁଳନାରେ ପ୍ୟାରୀମୋହନ ଥିଲେ ସମସ୍ତଙ୍କଠାରୁ ଆଗରେ । ପ୍ୟାରୀମୋହନଙ୍କ ଜୀବନ ଥିଲା ଦୁଃଖ, ଦୈନ୍ୟତା ଓ ସଂଘର୍ଷର ପ୍ରତୀକ । କୌଣସି ପ୍ରକାର ପ୍ରଲୋଭନର ବଶବର୍ତ୍ତୀ ହୋଇ ନଥିବା ପ୍ୟାରୀମୋହନ ଥିଲେ ଓଡ଼ିଆ ଜାତିର ପ୍ରଜ୍ଞା ଓ ମନୀଷାର ପ୍ରତୀକ । ସେହି ପ୍ରଜ୍ଞାବାଦୀ ସାମ୍ବାଦିକ ପ୍ୟାରୀମୋହନଙ୍କର ଅକାଳ ବିୟୋଗ ଘଟିଥିଲା ୧୮୮୧ ମସିହା ଡିସେମ୍ବର ମାସ ୨୮ ତାରିଖ ଗୁରୁବାର ଅପରାହ୍ନ ୪ଟା ସମୟରେ କିନ୍ତୁ ପ୍ୟାରୀମୋହନ ଏକ ଐତିହାସିକ ପୁରୁଷ ଭାବରେ ଅମର ହୋଇ ରହିଗଲେ ଓଡ଼ିଆ ଜାତିର ମାନସପଟ୍ଟରେ । ପ୍ୟାରୀମୋହନଙ୍କର ଚିନ୍ତାଧାରା ଓ ଆଦର୍ଶ ଥିଲା ତାଙ୍କ ସମୟଠାରୁ ବହୁ ଆଗରେ । ବିନା ଦ୍ୱିଧାରେ କୁହାଯାଇପାରେ ଯେ, ତାଙ୍କର ଆଦର୍ଶ ଓ ଚିନ୍ତାଧାରା ପ୍ରତ୍ୟେକ ଯୁଗ ପାଇଁ ଯୁଗୋପଯୋଗୀ ।

 

ସହାୟକ ଗ୍ରନ୍ଥସୂଚୀ

(୧).

ଶ୍ରୀଧର ମହାପାତ୍ର ଶର୍ମା, ଓଡ଼ିଆ ପ୍ରକାଶନ ଓ ପ୍ରସାରଣର ଇତିହାସ, କଟକ, ୧୯୮୬ ମସିହା ।

(୨)

ଗୋପାଳ ଚନ୍ଦ୍ର ମିଶ୍ର, ଓଡ଼ିଶାର ବିକାଶରେ ପତ୍ରପତ୍ରିକାର ପ୍ରଭାବ, କଟକ, ୧୯୭୯ ମସିହା, ପୃଷ୍ଠା ୧୯ ।

(୩)

ଗୋପାଳ ଚନ୍ଦ୍ର ମିଶ୍ର, ଓଡ଼ିଶାର ବିକାଶରେ ପତ୍ରପତ୍ରିକାର ପ୍ରଭାବ, ୧୯୭୯, ପୃ୨୦ ।

(୪)

ଶ୍ରୀଧର ମହାପାତ୍ର ଶର୍ମା, ଓଡ଼ିଆ ପ୍ରକାଶନ ଓ ପ୍ରସାରଣର ଇତିହାସ, କଟକ, ୧୯୮୬, ପୃ ୧୫୫।

(୫)

ସେକ୍ ମତଲୁବ ଅଲି (ସଂ) ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ରଚିତ ଓଡ଼ିଶାର ଇତିହାସ, କଟକ, ୨୦୦୧, ପୃ-୯।

(୬)

‘ଉତ୍କଳ ପୁତ୍ର’, ୧୬-୫-୧୮୭୩ ମସିହା ।

(୭)

‘ଉତ୍କଳ ପୁତ୍ର’, ୧୬-୫-୧୮୭୩ ମସିହା ।

(୮)

ଉତ୍କଳ ପୁତ୍ର’, ୧୫-୧୦-୧୮୭୩ ମସିହା ।

(୯)

ଉତ୍କଳ ପୁତ୍ର’, ୧୯-୧୧-୧୮୭୩ ମସିହା ।

(୧୦)

‘ଉତ୍କଳ ପୁତ୍ର’, ୧୬-୮-୧୮୭୩ ମସିହା ।

(୧୧)

ଉତ୍କଳ ପୁତ୍ର’, ୧୬-୭-୧୮୭୩ ମସିହା ।

(୧୧)

(କ)

‘ଉତ୍କଳ ପୁତ୍ର’, ୦୩-୧୨-୧୮୭୩ ମସିହା ।

(୧୨)

‘ଉତ୍କଳ ପୁତ୍ର’, ୦୩-୦୯-୧୮୭୩ ମସିହା ।

(୧୩)

Dadabhai Naroji, Poverty and UnBritish Rule in India, 1871.

(୧୪)

‘ଉତ୍କଳ ପୁତ୍ର’, ୦୧-୦୬-୧୮୭୩ ମସିହା ।

(୧୫)

‘ଉତ୍କଳ ପୁତ୍ର’, ୧୬-୦୫-୧୮୭୩ ମସିହା ।

(୧୬)

‘ଉତ୍କଳ ପୁତ୍ର’, ୧୫-୧୦-୧୮୭୩ ମସିହା ।

(୧୭)

‘ଉତ୍କଳ ପୁତ୍ର’, ୧୬-୦୫-୧୮୭୩ ମସିହା ।

(୧୮)

‘ଉତ୍କଳ ପୁତ୍ର’, ୩-୯-୧୮୭୩ ମସିହା ।

(୧୯)

‘ଉତ୍କଳ ପୁତ୍ର’, ୩-୧୨-୧୮୭୩ ମସିହା ।

(୨୦)

‘ଉତ୍କଳ ପୁତ୍ର’, ୧୫-୧୦-୧୮୭୩ ମସିହା ।

(୨୧)

ଉତ୍କଳ ପୁତ୍ର’, ୧୫-୧୦-୧୮୭୩ ମସିହା ।

(୨୨)

“ଉତ୍କଳ ପୁତ୍ର’, ୧୫-୧୦-୧୮୭୩ ମସିହା ।

(୨୩)

ଉତ୍କଳ ପୁତ୍ର’, ୧୫-୧୦-୧୮୭୩ ମସିହା ।

(୨୪)

‘ଉତ୍କଳ ଦୀପିକା’, ୧୩-୫-୧୮୭୫, ୨୨-୫-୧୮୭୫, ୨୩-୧-୧୮୭୫ ମସିହା ।

(୨୫)

‘ଉତ୍କଳ ପୁତ୍ର’, ୦୧-୧୦-୧୮୭୩

 

 

ବରିଷ୍ଠ ଅଧ୍ୟାପକ

ଇତିହାସ ବିଭାଗ

ରେଭେନ୍ସା ମହାବିଦ୍ୟାଳୟ,

କଟକ

 

***

 

‘ଉତ୍କଳ ପୁତ୍ର’ର ସ୍ୱାତନ୍ତ୍ର୍ୟ

ଡକ୍ଟର ମଣୀନ୍ଦ୍ର କୁମାର ମେହେର

 

ଜନ ଜାଗରଣ ସୃଷ୍ଟି କରିବାରେ ପତ୍ରପତ୍ରିକାର ଭୂମିକା ଯେ କେତେ ମହତ୍ତ୍ୱପୂର୍ଣ୍ଣ ତାହା ବିଭିନ୍ନ ସମୟରେ ପ୍ରମାଣିତ ହୋଇଯାଇଛି । ସମାଜର ନାନାବିଧ ସମସ୍ୟା ଯାହାର ଅନ୍ତରକୁ ଆଲୋଡ଼ିତ କରେ, ସେ ହିଁ ପତ୍ରିକା ପ୍ରକାଶ ପାଇଁ ନେଇପାରେ ଏକ ଦୃଢ଼ ସଂକଳ୍ପ । ଓଡ଼ିଶାର ମହାନ୍ ବରପୁତ୍ର ପ୍ୟାରୀମୋହନ ଆଚାର୍ଯ୍ୟ ଥିଲେ ସେହିପରି ଜଣେ ସଂକଳ୍ପବଦ୍ଧ ମନୀଷୀ । ଶାସନର ଦୋଷତ୍ରୁଟି, ସମାଜର କୁସଂସ୍କାର, ଜନତାର ଜଡ଼ିତା ତାଙ୍କୁ ଆଘାତ କରୁଥିଲା ତୀବ୍ର ଭାବରେ । ସେଥିପାଇଁ ସେ ଅନୁଭବ କରିଥିଲେ ନିଜସ୍ୱ ରୀତିରେ ଏକ ଉଚ୍ଚକୋଟୀର ପତ୍ରିକା ପ୍ରକାଶ କରିବା ପାଇଁ । ୧୮୭୧ ମସିହାରେ ‘ଉତ୍କଳ ପୁତ୍ର' ନାମକ ନୂତନ ପତ୍ରିକା ପ୍ରକାଶିତ ହେଲା । ପ୍ୟାରୀମୋହନଙ୍କ ସଂପାଦନାରେ । ଛାତ୍ରାବସ୍ଥାରେ ତାଙ୍କର ଏ ଉଦ୍ୟମ ଥିଲା ଏକାନ୍ତ ଅସାଧାରଣ । ଏହା ଥିଲା ଏକ ବୈପ୍ଳବିକ ପଦକ୍ଷେପ । ‘ଉତ୍କଳ ଦୀପିକା’, ‘ବାଲେଶ୍ୱର ସମ୍ବାଦ ବାହିକା’ ପ୍ରଭୃତି ସମ୍ବାଦପତ୍ର ସେ ସମୟରେ ପ୍ରକାଶିତ ହେଉଥିଲା । ଓଡ଼ିଶାର ଅଭାବ ଅସୁବିଧାକୁ ଆହୁରି ପ୍ରଭାବଶାଳୀ ଭାବରେ ସେ ପ୍ରତିଫଳିତ କରାଇବାକୁ ଚାହୁଁଥିଲେ । ସମାଜକୁ ଜାଗ୍ରତ ଓ ସୁସଂଗଠିତ କରିବା ପାଇଁ ତାଙ୍କ ଭିତରେ ସୃଷ୍ଟି ହେଉଥିଲା ତୁମୁଳ ଆଲୋଡ଼ନ । ନିଜସ୍ୱ ସ୍ଵତନ୍ତ୍ର ଶୈଳୀରେ ସେ ତେଣୁ ‘ଉତ୍କଳ ପୁତ୍ର’କୁ ପ୍ରଭାବଦୀପ୍ତ କରିବାର ଶପଥ ନେଇଥିଲେ । ଏହା ପ୍ରଥମେ ହାତରେ ଲେଖା ହୋଇ ପ୍ରକାଶିତ ହେଉଥିଲା । ଜଣକ ଭିତରେ ସୃଷ୍ଟିଶୀଳତାର ବେଦନା କେତେ ପୁଞ୍ଜିଭୂତ ହୋଇଥିଲେ ଏପରି ହାତଲେଖା ପତ୍ରିକା ପ୍ରକାଶନର ଶୁଭାରମ୍ଭ ଘଟିପାରେ । ନିଜ ପ୍ରାଣର ପ୍ରତିକ୍ରିୟା ପ୍ରକାଶ ପାଇଁ କେତେ ଆକୁଳତା ଥିଲେ ଯାଇ ଜଣେ ହାତଲେଖା ପତ୍ରିକା ଜରିଆରେ ନିଜ ଦୃଷ୍ଟିଭଙ୍ଗୀ ସଂପ୍ରସାରିତ କରିଦେବାର ପ୍ରୟାସ କରିପାରେ ।

 

ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ପ୍ରାଣରେ ଭାବନାର କି ବିପୁଳ ତରଙ୍ଗ ସୃଷ୍ଟି ହେଉଥିଲା– ଯାହା ଫଳରେ ‘ଉତ୍କଳ ପୁତ୍ର’ରେ ସେ ଭରି ଦେଲେ ଅମାପ ସ୍ୱପ୍ନ ଓ ସଂକଳ୍ପ । ସେତେବେଳେ ହାତରେ ଲେଖା ଏ ପତ୍ରିକାର ଭାଷାରେ ସମାଜ ଗଠନର ଯେଉଁ ବାର୍ତ୍ତା ପ୍ରକାଶିତ ହେଉଥିଲା ତାହା ପାଠକମାନଙ୍କୁ ଆକୃଷ୍ଟ କରୁଥିଲା ଏକ ଭିନ୍ନ ସ୍ପର୍ଶରେ । ଏହା ତେଣୁ ପରେ ମୁଦ୍ରିତ ହୋଇ ପ୍ରକାଶ ପାଇଲା ପାକ୍ଷିକ ପତ୍ରିକା ଭାବରେ । ‘ଉତ୍କଳ ପୁତ୍ର’ରେ ପ୍ୟାରୀମୋହନଙ୍କ କି ବିଚକ୍ଷଣ ବୁଦ୍ଧିମତ୍ତା ! କି ସ୍ଵତନ୍ତ୍ର ଦୃଷ୍ଟିଭଙ୍ଗୀ ! ସୁପ୍ତ ଓଡ଼ିଆ ଜାତିକୁ ଜାଗ୍ରତ କରିଦେବାର କି ଶକ୍ତିଶାଳୀ ପ୍ରେରଣା !! ଏସବୁ ସଚେତନ ଜନସାଧାରଣଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇପଡ଼ିଥିଲା ।

 

‘ଉତ୍କଳ ପୁତ୍ର’ର ସଂପାଦନାରେ ନିଜର ମନପ୍ରାଣ ସଂପୂର୍ଣ୍ଣ ଢାଳି ଦେଇଥିଲେ ସେ । ତାଙ୍କର ସତ୍ୟନିଷ୍ଠ ଶାଣିତ ଭାଷା ସୁପ୍ତ ଶୀଥିଳ ବାତାବରଣରେ ସୃଷ୍ଟି କରୁଥିଲା ଅନେକ କମ୍ପନ । ସେ ଏପରି ଜଣେ ଅଙ୍ଗୀକାରବଦ୍ଧ ସଂପାଦକ ଥିଲେ ଯେ, ପତ୍ରିକା ପାଇଁ କଲେଜ ଅଧ୍ୟୟନ ଛାଡ଼ିବାକୁ ପଡ଼ିଥିଲା ତାଙ୍କୁ । ପ୍ୟାରୀମୋହନଙ୍କ ଜୀବନର ଏ ଘଟଣାଟି ପାଠକର ହୃଦୟ ଭିତରେ ଅଲିଭା ରେଖା ଟାଣିଦିଏ ।

 

ସ୍ୱାୟତ୍ତ ଶାସନ ପ୍ରଣାଳୀ ପ୍ରବର୍ତ୍ତନ ହେବା ପରେ ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷାର ଦାୟିତ୍ୱ ଜିଲ୍ଲାପାଳଙ୍କ ହାତରେ ଥାଏ । ଜନସାଧାରଣ ଦେଉଥିବା ଟିକସ ବାବଦ ଅର୍ଥ ଏଇଥିପାଇଁ ହିଁ ଖର୍ଚ୍ଚ ହେବା ଆବଶ୍ୟକ । କିନ୍ତୁ କଟକ ସହରର ଅନୁନ୍ନତ ପରିବେଶ ପ୍ୟାରୀମୋହନଙ୍କ ପ୍ରାଣକୁ ଗଭୀର ପୀଡ଼ା ଦେଇଥିଲା । ତାଙ୍କର ବିପ୍ଳବୀ ମନ ଆହତ ହୋଇଥିଲା ଜିଲ୍ଲାପାଳଙ୍କ ସେଇ ଅବହେଳା ଓ ଉଦାସୀନତାରେ । ‘ଦରଖାସ୍ତ ଯୁତିଆନ’ ଅର୍ଥାତ୍ ଯୋତାମାନଙ୍କର ଆବେଦନ ବିଷୟକ ତିକ୍ତ ସମାଲୋଚନାଧର୍ମୀ ଏକ ଲେଖା ସେ ପ୍ରକାଶ କଲେ ଉତ୍କଳ ପୁତ୍ରରେ । ସେଇ ଭାଷାରେ ନିହିତ ତୀକ୍ଷ୍ଣ ସମାଲୋଚନା ପାଠକମାନଙ୍କ ମଧ୍ୟରେ ସୃଷ୍ଟି କଲା ଗଭୀର ଆଲୋଡ଼ନ ।

 

ସମସ୍ୟା ସମାଧାନ ପାଇଁ ଚେଷ୍ଟା ନ କରି ପ୍ରଶାସନିକ ଅଧିକାରୀମାନେ ସମାଲୋଚନା ପ୍ରତି ଯୁଗେ ଯୁଗେ ଅନୁଦାର ମନୋଭାବ ହିଁ ପୋଷଣ କରିଛନ୍ତି । ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ୍ ଏରଭିଙ୍ଗ ସାହେବଙ୍କ ଭିତରେ ମଧ୍ୟ ଅପ୍ରିୟ ସତ୍ୟ ସହ୍ୟ କରିବା ଭଳି ସାହସ ନଥିଲା । କଟକ କଲେଜର ଅଧ୍ୟକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଲେ ପ୍ୟାରୀମୋହନଙ୍କୁ ଶୀଘ୍ର ଶିକ୍ଷାନୁଷ୍ଠାନରୁ ବହିଷ୍କାର କରିଦେବାପାଇଁ । ପ୍ୟାରୀମୋହନ ଏ ଘଟଣାରେ କ୍ଷମା ପ୍ରାର୍ଥନା କରିପାରିଥିଲେ, ତାଙ୍କୁ ଶିକ୍ଷାନୁଷ୍ଠାନରୁ ବାହାରି ଯିବାକୁ ପଡ଼ି ନଥାନ୍ତା । କିନ୍ତୁ ଅକ୍ଷରେ ଅକ୍ଷରେ ସତ୍ୟ ଉଚ୍ଚାରଣ କରିଥିବା ଲେଖକ ପ୍ୟାରୀମୋହନ କ୍ଷମା ପ୍ରାର୍ଥନା ପାଇଁ ମନା କରିଦେଲେ ସ୍ପଷ୍ଟ ଓ ନିର୍ଭୀକ ଶବ୍ଦରେ ।

 

ଶିକ୍ଷାନୁଷ୍ଠାନ ତ୍ୟାଗ କଲେ ସେ ସ୍ଵଇଚ୍ଛାରେ । ଯେଉଁ ଶିକ୍ଷାଳୟରେ ସତ୍ୟର ଓ ମାନବିକତାର କଣ୍ଠରୁଦ୍ଧ କରାଯାଏ ସେଠି ସେ ପଢ଼ିପାରିଥାନ୍ତେ କିପରି ? ସେଥିପାଇଁ ସେ ପାରମ୍ପରିକ ଶିକ୍ଷାଗ୍ରହଣର ମାର୍ଗ ପରିତ୍ୟାଗ କରି ପ୍ରବେଶ କଲେ ନିସ୍ୱାର୍ଥ ସମାଜ ସେବାର, ସ୍ଵାଭିମାନର ଓ ସତ୍ୟଶୀଳତାର ମହାନ୍ ଶିକ୍ଷାନୁଷ୍ଠାନ ଭିତରକୁ । କେବଳ କଟକ ସହରର ଅପରିଚ୍ଛନ୍ନ ପରିବେଶକୁ ନେଇ ପ୍ରଶାସନ ବିରୁଦ୍ଧରେ ଏହା ତାଙ୍କର ବିଦ୍ରୋହ ନଥିଲା । ଏହା ଥିଲା ସକଳ ଅବହେଳା ଓ ଉଦାସୀନତା ବିରୁଦ୍ଧରେ ଏକ ସୁଦୃଢ଼ ପ୍ରତିବାଦ । ଜଣେ ସଂପାଦକର ସାହସିକତା ଅଗ୍ନିକଣା ପରି କେତେ ତେଜୀୟାନ ହୋଇପାରେ ତାହା ସେ ପ୍ରମାଣ କରିଦେଲେ ଏଇ ଘଟଣାରେ ।

 

ଏପରି ଘଟଣାର ଅନୁଭୂତି ତାଙ୍କୁ ଆଉ କେବେହେଲେ ଭାଙ୍ଗି ପଡ଼ିବାକୁ ଦେଇନାହିଁ । ଲେଖନୀ ତାଙ୍କର ଆହୁରି ସକ୍ରିୟ, ଶାଣିତ ଓ ଜାଗ୍ରତ ହୋଇଉଠିଛି ଉତ୍କଳରେ ନବଜାଗରଣର ଆଲୋକ ଆଣିବା ପାଇଁ । ପ୍ୟାରୀମୋହନ ଥିଲେ ପ୍ରଥମେ ଜଣେ ସଚ୍ଚୋଟ ଓ ସମ୍ବେଦନଶୀଳ ମଣିଷ । ଅନ୍ୟର ଦୁଃଖ ଦେଖିଲେ ବିଗଳିତ ହୋଇପଡ଼ୁଥିଲେ ସେ । ଅନ୍ୟାୟ ଓ ଅତ୍ୟାଚାର କଥା ଶୁଣିଲେ ବିଚଳିତ ହୋଇଉଠୁଥିଲେ । ସେ ଯେ କେବଳ ପତ୍ରିକା ଭିତରେ ତାଙ୍କର ସ୍ପଷ୍ଟବାଦୀତାର ପରିଚୟ ଦେଉଥିଲେ ତାହା ନୁହେଁ । ତାଙ୍କର ନିର୍ଭୀକ ସ୍ଵଭାବ ସର୍ବତ୍ର ଫୁଟି ଉଠୁଥିଲା ସ୍ୱାଭାବିକ ରୀତିରେ । ଅତ୍ୟାଚାରୀ ପ୍ରତି ସେ ବିଦ୍ରୋହୀ ହୋଇ ଉଠିବା ଯେପରି ସ୍ୱାଭାବିକ ଥିଲା, ଅତ୍ୟାଚାରିତ ଓ ଅସହାୟ ଲୋକପ୍ରତି ସହାନୁଭୂତିଶୀଳ ହୋଇଉଠିବା ସେହିପରି ତାଙ୍କର ଥିଲା ସ୍ଵଧର୍ମ । ‘ଉତ୍କଳ ପୁତ୍ର’ ପତ୍ରିକା ସଂପାଦନା ତାଙ୍କ ଜୀବନର ଲକ୍ଷ୍ୟଠାରୁ କଦାପି ଭିନ୍ନ ନଥିଲା । ତାହା ଥିଲା ତାଙ୍କର ବ୍ୟକ୍ତିତ୍ୱର ଏକ ବଳିଷ୍ଠ ସ୍ଫୁରଣ ।

 

ସକଳ ନିଦ୍ରା ପରିହାର କରି ଜାଗ୍ରତ ହୋଇ ଉଠିବା ପାଇଁ ସେ ନାନା ଭାବରେ ପାଠକମାନଙ୍କୁ ଦେଉଥିଲେ ପ୍ରାଣପୂର୍ଣ୍ଣ ଆହ୍ୱାନ । ‘ଉତ୍କଳ ପୁତ୍ର’ ପୃଷ୍ଠାରେ ସେ ଲେଖିଥିଲେ :

 

‘‘ଉଠ, ଉଠ, ଉଠ

ପରିହରି ମୋହ ନିଦ୍ରା

ଆସ କରି ରଣ

ଉତ୍କଳ ତିମିର ସଙ୍ଗ ହୋଇ ସ୍ଥିର ମନ ।”

(ଉତ୍କଳ ପୁତ୍ର ତା ୧୭/୧୨/୧୮୭୩)

 

ପ୍ୟାରୀମୋହନ ବୁଝିଥିଲେ ଯେ, ପ୍ରକୃତ ଶିକ୍ଷାଦାନ ସମ୍ଭବ ନ ହେବା ପର୍ଯ୍ୟନ୍ତ ଜାତିର ଉନ୍ନତି ରୁଦ୍ଧ ହୋଇରହିବ । ନିଜ ସମୟର ଶିକ୍ଷା ପଦ୍ଧତି କିପରି ଅସାର ଥିଲା ତାହା ସେ ଆପଣା ଜୀବନର ଅନୁଭୂତିରୁ ଉପଲବ୍ଧି କରିଥିଲେ ଯଥାର୍ଥ ଭାବରେ । ‘ପ୍ରକୃତ ଶିକ୍ଷା’ ଶୀର୍ଷକ ଏକ ଲେଖା ଉତ୍କଳ ପୁତ୍ରରେ ପ୍ରକାଶ କରି ସେ କହିଥିଲେ, ବର୍ତ୍ତମାନ ଶିକ୍ଷା କେବଳ କେତେଗୁଡ଼ିଏ ଶବ୍ଦ କଣ୍ଠସ୍ଥ ଓ କେତେଗୁଡ଼ିଏ ବିବରଣ ମୁଖସ୍ଥ କରିବା ଉପରେ ନିର୍ଭର କରିଅଛି, ଏଥିପାଇଁ ଶିକ୍ଷାର ଫଳ ଅନେକ ସମୟରେ ବିଷମୟ ଦେଖାଯାଏ । ଛାତ୍ରମାନେ ମନେକରନ୍ତି ଯେପରି ସେପରି କରି ପରୀକ୍ଷାଟା ଦେଇପାରିଲେ ପରିଶ୍ରମ ସଫଳ ହେଲା । ଶିକ୍ଷକମାନେ ମଧ୍ୟ ମନେ କରନ୍ତି ଏଥର କେତେଗୁଡ଼ାଏ ଛାତ୍ର ବିଦ୍ୟାଳୟରୁ ପାସ୍ କରାଇ ପାରିଲେ ମାନ ରହିଲା, ଶିକ୍ଷା ବିଭାଗରେ ତାଙ୍କର ଯଥେଷ୍ଟ ପ୍ରତିପତ୍ତି ଲାଭ ହେଲା । ଏଣୁକରି ଶୀଘ୍ର ପଦୋନ୍ନତି ଆଶାରେ ପିଲାଙ୍କୁ ଧମକାଧମକି କରିବାକୁ ଛାଡ଼ନ୍ତି ନାହିଁ ।’’ (ଉତ୍କଳ ପୁତ୍ର ତା୧୬/୫/୧୮୭୩)

 

ଯାହା ପ୍ରକୃତରେ ମନୁଷ୍ୟତ୍ୱର ପୂର୍ଣ୍ଣତା ଆଡ଼କୁ ଆତ୍ମାକୁ ଉତ୍ତୋଳିତ କରି ନେଇଯାଏ ତାହାକୁ ପ୍ରକୃତ ଶିକ୍ଷା ବୋଲି ସେ ବୁଝିଥିଲେ । ମାନବାତ୍ମାର ବିକାଶ ପାଇଁ ସେ କହିଥିଲେ ‘‘ସମଗ୍ର ମାନବାତ୍ମାର ବିଭାଗ ଏହି କେତୋଟିମନ, ହୃଦୟ, ବିବେକ ଓ ଧର୍ମବୁଦ୍ଧି । ସ୍ମୃତି, ବୁଦ୍ଧି, ଯୁକ୍ତି ମନୋବିଭାଗର ଅନ୍ତର୍ଗତ । ପ୍ରୀତି, ସ୍ନେହ, କୋମଳତା ଓ ଦୟା ପ୍ରଭୃତିର ସମଷ୍ଟିକୁ ହୃଦୟ କହି, ନ୍ୟାୟ, ଯଥାର୍ଥ୍ୟବୋଧ ଓ କର୍ତ୍ତବ୍ୟ ଜ୍ଞାନର ନାମ ବିବେକ ଓ ଈଶ୍ୱରଙ୍କ ସଙ୍ଗେ ସାକ୍ଷାତ୍ ସମ୍ବନ୍ଧ ଅନୁଭୂତି ଧର୍ମବୁଦ୍ଧି ନାମରେ ଖ୍ୟାତ । ପୁଣି ଏହି ସମସ୍ତ ଭାବ ସମୁନ୍ନତ ହେଲେ ଶିକ୍ଷାର ପ୍ରକୃତ ଅବସ୍ଥା ଉପସ୍ଥିତ ହୁଏ ।

 

ଶିକ୍ଷାର ପ୍ରକୃତ ଲକ୍ଷ୍ୟ ଯେ, ଅର୍ଥ ଉପାର୍ଜନ ନୁହେଁ, ଏହା ପ୍ୟାରୀମୋହନ ଅତି ସ୍ପଷ୍ଟ ଭାବରେ ବ୍ୟକ୍ତ କରିଛନ୍ତି । ମାନବୀୟ ସଦ୍‍ଗୁଣର ପୂର୍ଣ୍ଣାଙ୍ଗ ବିକାଶ ଯେ ବାସ୍ତବ ଶିକ୍ଷା ଏହା ସେ ହୃଦୟଙ୍ଗମ କରିଥିଲେ । ‘ଉତ୍କଳ ପୁତ୍ର’ ଏହି ବିଷୟକ ସଚେତନତା ଆଣିବା ପାଇଁ ଯେଉଁ ପ୍ରୟାସ କରିଥିଲା ତା’ଭିତରେ ଆନ୍ତରିକତାର ଶକ୍ତି ଥିଲା ପ୍ରଚୁର ।

 

ବିଭିନ୍ନ ଅଞ୍ଚଳର ଦୁର୍ଦ୍ଦଶାର ଖବର ପ୍ୟାରୀମୋହନ ରଖୁଥିଲେ ସର୍ବଦା । ‘ଉତ୍କଳ ପୁତ୍ର’ରେ ତାହାର ଆଲୋଚନା ସ୍ଥାନିତ ହେଉଥିଲା । ଗଡ଼ଜାତମାନଙ୍କ ସଂପର୍କରେ ସେ କିଭଳି ସଚେତନ ଥିଲେ ତାହା ସେଇ ସଂପର୍କିତ ସମ୍ବାଦ ଓ ଲେଖାରୁ ଜଣାପଡ଼ିଯାଏ । ବିଦ୍ୟାଶିକ୍ଷା, ଶାସନ ପ୍ରଣାଳୀ, ଦେଶପାଳନ, ପ୍ରଜାରଞ୍ଜନ ଏ ସମସ୍ତ ବିଷୟର ଅଭାବ ସଂପର୍କରେ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି ‘ଉତ୍କଳ ପୁତ୍ର’ରେ । ସେଥିପାଇଁ କମ୍ ବିରକ୍ତିର ଶରବ୍ୟ ହେବାକୁ ପଡ଼ିନାହିଁ ପତ୍ରିକାଟିକୁ । କିନ୍ତୁ ସ୍ଵଧର୍ମ ସଚେତନ ଏ ପତ୍ରିକା ସ୍ପଷ୍ଟ ଭାଷାରେ ଘୋଷଣା କରିଥିଲା–’’ସେମାନେ ଆମ୍ଭମାନଙ୍କ ପ୍ରତି ବିରକ୍ତ ହୁଅନ୍ତୁ, ଅବା ଇଚ୍ଛା ହୁଏତ ବିରକ୍ତି ତ୍ୟାଗ କରି ପ୍ରସନ୍ନ ଭାବ ଧାରଣ କରନ୍ତୁ, ଯାହା ସାଧାରଣଙ୍କ ପ୍ରତି ଅହିତକର ହେବ ତାହା ପ୍ରକାଶ କରିବୁ ଓ ସାଧାରଣଙ୍କ ପ୍ରତି ହିତକର ହେଲେ ସୁଦ୍ଧା ପ୍ରକାଶ କରିବାକୁ ତ୍ରୁଟି କରିବୁ ନାହିଁ । ଏହା ଆମ୍ଭମାନଙ୍କର ଧର୍ମ ।’’ ଗଡ଼ଜାତ ରାଜାମାନଙ୍କୁ ଉଦ୍ବୋଧନ ଦେବାସ୍ୱରରେ ପୁଣି କୁହାଯାଇଛି “ବର୍ତ୍ତମାନ ସେମାନଙ୍କ ପ୍ରତି ଆନ୍ତରିକ ଅନୁନୟ ଏହି ଯେ, ଗଡ଼ଜାତର ପ୍ରକୃତ ଉନ୍ନତି ସାଧନରେ ସମୟ ହରଣ ନ କରନ୍ତୁ । ଗଡ଼ଜାତର ଅନୁନ୍ନତି ଯେ ଓଡ଼ିଶା ଉନ୍ନତି ପ୍ରତି ବାଧା ପ୍ରଦାନ କରୁଅଛି, ଆଜିକାଲି ପ୍ରାୟ ଶିକ୍ଷିତ ସଂପ୍ରଦାୟଙ୍କ ମଧ୍ୟରେ ସମସ୍ତଙ୍କ ମନରେ ଏ ଭାବର ଉଦୟ ହେବାର ଦେଖାଯାଏ । ଆଉ ସମୟ ନାହିଁ । ହେ ଗଡ଼ଜାତ ରାଜାମାନେ । ଉତ୍ଥିତ ହୁଅ ! ଜାଗ୍ରତ ହୁଅ !!’’ (ଉତ୍କଳ ପୁତ୍ର ତା ୧୬/୭/୧୮୭୩) ।

 

‘ଓଡ଼ିଆ ଏକ୍‍ଟା ଭାଷା ନୟେ’ ପୁସ୍ତକ ରଚନା କରି କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଓଡ଼ିଆ ଭାଷାର ନ୍ୟୂନତା ପ୍ରତିପାଦନ ପାଇଁ ଯେଉଁ ଅପଚେଷ୍ଟା କରିଥିଲେ ତା’ବିରୁଦ୍ଧରେ ପ୍ରଚଣ୍ଡ ସ୍ୱର ଉତ୍ତୋଳିତ ହୋଇଥିଲା । ଯେଉଁମାନେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେଦିନ ଆପ୍ରାଣ ଉଦ୍ୟମ କରିଥିଲେ ତାଙ୍କ ଭିତରେ ଥିଲେ ଆଚାର୍ଯ୍ୟ ପ୍ୟାରୀମୋହନ । ଓଡ଼ିଆ ସ୍ଵତନ୍ତ୍ର ଭାଷାର ମାନ୍ୟତା ପାଇଲା । କିନ୍ତୁ ଯେଉଁ ଓଡ଼ିଆ ପୁସ୍ତକସବୁ ସେ ସମୟରେ ସ୍କୁଲରେ ପଢ଼ା ହେଉଥିଲା ସେଥିରେ ପ୍ୟାରୀମୋହନ ଆଦୌ ସନ୍ତୁଷ୍ଟ ହୋଇପାରୁନଥିଲେ । ସେ ଚାହୁଁଥିଲେ ନୂତନ ଚେତନା ଉଦ୍ରେକକାରୀ ସାହିତ୍ୟ ବିଦ୍ୟାଳୟରେ ପ୍ରଚଳିତ ହେଉ ବୋଲି । ସେଥିପାଇଁ ଉତ୍କଳ ପୁତ୍ରରେ ସେ ଉଲ୍ଲେଖ କରିଥିଲେ- “ବଙ୍ଗଳା ଉଠିଗଲା ଭଲ ହେଲା । ଭଲ ହେଲା ସତ, ମାତ୍ର ଓଡ଼ିୟାର ଭାବି ଉନ୍ନତି ଓ ସ୍ଥାୟିତ୍ଵ ସାଧନରେ ଯେ ଯେ ଉପାୟ ଅବଲମ୍ବନ କରିବାର ବିହିତ ତାହା ଯାହା ଗଭର୍ଣ୍ଣମେଣ୍ଟ କରୁନାହାନ୍ତି ଏଥିରେ ଆମ୍ଭେମାନେ ତାଙ୍କୁ ପ୍ରଶଂସା କରି ନପାରୁ । ବରଂ ନ କଲେ ଗଭର୍ଣ୍ଣମେଣ୍ଟ ଦୋଷୀ ହେବେ । ଯେ ପୁରାତନ ପୁସ୍ତକମାନ ଅଛି ତହିଁରେ ଆମ୍ଭମାନଙ୍କର ଆସ୍ଥା ନାହିଁ । ଉପେନ୍ଦ୍ରଙ୍କ ଯମକ, ଦୀନକୃଷ୍ଣଙ୍କ ଅନୁପ୍ରାସ ଓ ଅଭିମନ୍ୟୁଙ୍କ ରାସକ୍ରୀଡ଼ା ଆମ୍ଭମାନଙ୍କ ରୁଚିକୁ ଭଲ ଲାଗୁ ନାହିଁ । ବର୍ତ୍ତମାନ ସରଳ ପଦ୍ୟ ଓ ପ୍ରଶସ୍ତ ଗଦ୍ୟ ପୁସ୍ତକ ନିତାନ୍ତ ପ୍ରୟୋଜନ ।” ( ଉତ୍କଳ ପୁତ୍ର ତା ୧୬/୭/୧୮୭୩)

 

ପ୍ୟାରୀମୋହନଙ୍କ ଏ ମନ୍ତବ୍ୟ କେତେ ତାତ୍ପର୍ଯ୍ୟପୂର୍ଣ୍ଣ ତାହା ବୁଝିବା ଏ ପର୍ଯ୍ୟନ୍ତ ବି ଆମ ପାଠ୍ୟକ୍ରମ ପ୍ରସ୍ତୁତକାରୀମାନଙ୍କ ପାଇଁ ସମ୍ଭବ ହୋଇନାହିଁ । ଏଇ ଏକବିଂଶ ଶତାବ୍ଦୀରେ ମଧ୍ୟ ଅଳଙ୍କାର ମୁଖସ୍ଥ କରିବାକୁ ପଡ଼ୁଛି ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ । ପ୍ରାଚୀନ କବି ଓ କବିତା ଜାତିର ନମସ୍ୟ । କିନ୍ତୁ ଛାତ୍ରଛାତ୍ରୀଙ୍କ ମନକୁ ଜାଗ୍ରତ କରିବା ପାଇଁ ଯେଉଁ ଜୀବନଧର୍ମୀ ସାହିତ୍ୟର ଆବଶ୍ୟକତା ରହିଛି ସେଥିପ୍ରତି ପ୍ୟାରୀମୋହନଙ୍କ ଦୃଷ୍ଟିକୋଣ ଆଜି ଏକାନ୍ତ ମନନ ଯୋଗ୍ୟ ।

 

ପ୍ୟାରୀମୋହନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଯେଉଁ ସ୍ୱପ୍ନ ଦେଖୁଥିଲେ ତାହା ଥିଲା ଏକାନ୍ତ ମର୍ମସ୍ପର୍ଶୀ । ସମ୍ବଲପୁର ଓ ଗଞ୍ଜାମକୁ କଟକ ସଙ୍ଗେ ମିଶାଇବା ପାଇଁ ତାଙ୍କର ଯୁକ୍ତି ଥିଲା ଖୁବ୍ ସୁଚିନ୍ତିତ । ସେ କହିଥିଲେ, ‘‘ସମ୍ବଲପୁର ଓ ଗଞ୍ଜାମ ଓଡ଼ିଶାର ଅଂଶ ମାତ୍ର ଓ ସେ ଦୁହିଁଙ୍କୁ ଧରିଲେ ଓଡ଼ିଶା ବଙ୍ଗଳାର ଅର୍ଦ୍ଧାଂଶରୁ ଅଧିକ ହେବ । କି ଭାଷା, କି ଆଚାର ବ୍ୟବହାର, କି ଧର୍ମ ସବୁ ବିଷୟରେ ଉକ୍ତ ଦୁଇ ଜିଲ୍ଲାର କଟକ ସଙ୍ଗେ ଯେତେ ଐକ୍ୟତା, ପ୍ରାୟ ଅନ୍ୟ କାହାର ସଙ୍ଗେ ନାହିଁ ।’’ ସମ୍ବଲପୁରର ଶୋଚନୀୟ ଅବସ୍ଥା ପାଇଁ ପ୍ୟାରୀମୋହନ କଟକର ଯେଉଁ ଶିକ୍ଷିତ ଲୋକମାନେ ସମ୍ବଲପୁର ଅଞ୍ଚଳକୁ ଯାଇ ରହିଛନ୍ତି ସେଇମାନଙ୍କୁ ଦାୟୀ କରିଛନ୍ତି । ସମ୍ବଲପୁର ଓ କଟକର ସଂପର୍କକୁ ସେମାନେ ଯେ ମଧୁରରେ କରିପାରୁନାହାନ୍ତି ଏକଥା ସେ ଦର୍ଶାଇ ଦେଇଛନ୍ତି । ପ୍ୟାରୀମୋହନ କହନ୍ତି ସେମାନେ ଯେବେ ପ୍ରକୃତ ଦେଶ ହିତୈଷୀ ହୋଇଥାନ୍ତେ, ତେବେ ଏଠାର ଭଲ ଭଲ ପୁସ୍ତକ ନେଇ ସେଠାରେ ଚଳାଇ ଲୋକମାନଙ୍କୁ ଉତ୍ସାହ ଦିଅନ୍ତେ ଓ ସମ୍ବଲପୁର ସଙ୍ଗେ କଟକର ମେଳ ହୁଅନ୍ତା ତହିଁରେ ଯତ୍ନବାନ ହୁଅନ୍ତେ । ତାହାହେଲେ ସମ୍ବଲପୁରୀଆମାନେ କଟକ ଲୋକଙ୍କୁ ଦେଖି ସାହେବ ବୋଲି ଡରନ୍ତେ ନାହିଁ ଏବଂ ସେମାନଙ୍କୁ ବିଶ୍ଵାସ କରନ୍ତେ । ଆମ୍ଭମାନଙ୍କ କହିବାର ତାତ୍ପର୍ଯ୍ୟ ଏହି ଯେ, ଆମ୍ଭେମାନେ ସେମାନଙ୍କ ଠାରୁ ଯେପରି ଆଶା କରୁଁ ସେମାନେ ସେପରି କାର୍ଯ୍ୟ କରିନାହାନ୍ତି ।” ( ଉତ୍କଳ ପୁତ୍ର ୧୬/୭/୧୮୭୩)

 

ପ୍ୟାରୀମୋହନ ଯେ ସମଗ୍ର ଓଡ଼ିଶାକୁ ଆତ୍ମୀୟତାର ସୂତ୍ରରେକିପରି ଗୁନ୍ଥିବାକୁ ଚାହୁଁଥିଲେ ଓ କଟକର ଶିକ୍ଷିତ ଲୋକମାନଙ୍କ ଠାରୁ ଅନ୍ତରଙ୍ଗ ମମତାର ସ୍ରୋତ ସମ୍ବଲପୁର ଅଞ୍ଚଳକୁ ପ୍ରବାହିତ ହୋଇ ମାନବିକ ସଂପର୍କକୁ ସୁଦୃଢ଼ କରୁ ବୋଲି କିପରି ଆକାଂକ୍ଷା ପୋଷଣ କରୁଥିଲେ ତାହା ଏଭଳି ଉକ୍ତିମାନରୁ ପ୍ରତିପନ୍ନ ହୁଏ ।

 

‘ଉତ୍କଳ ପୁତ୍ର’ରେ ଓଡ଼ିଶାର ଉନ୍ନତି ପାଇଁ ପ୍ୟାରୀମୋହନଙ୍କ ଆବେଗ ଅତି ଗଭୀର ଭାବରେ ପ୍ରକାଶ ପାଇଛି । ଭାରତ ବର୍ଷର ଚତୁର୍ଦ୍ଦିଗରେ ଉନ୍ନତିର ସ୍ରୋତ ପ୍ରବାହିତ ହେଉଥିବା ବେଳେ ଓଡ଼ିଶାର ଅବସ୍ଥା କିପରି ଶୋଚନୀୟ ସେ କଥା ଉପସ୍ଥାପନ କରିଛନ୍ତି ସେ । ବେଦନା ବିଜଡ଼ିତ ଭାଷାରେ କହିଛନ୍ତି - ‘‘ଏସବୁ ଦେଖିଲେ, ମନରେ ଏକ ପ୍ରକାର ଭାବର ଉଦୟ ହୁଏ ଯେ ଓଡ଼ିଶାବାସୀଙ୍କର ଏ ଦୁର୍ଦ୍ଦଶା ଘଟିବାର କାରଣ କ’ଣ ? ଏ ବିଷୟର ଗୁଢ଼ାନୁସନ୍ଧାନ କଲେ ପ୍ରତୀୟମାନ ହୁଏ ଯେ ଏ ଦେଶବାସୀଙ୍କର ଏତାଦୃଶ ଅସୌଭାଗ୍ୟର ଧନହୀନତା ଏକ ପ୍ରଧାନ କାରଣ । ମନୁଷ୍ୟର ସବୁ ଉନ୍ନତିର ମୂଳ ଧନ ଓ ଯତ୍ନ । କିନ୍ତୁ କୌଣସି ବିଷୟରେ ଯତ୍ନ ଅନେକ ସମୟରେ ଧନ ସାପେକ୍ଷ ବୋଲି ବୋଧହୁଏ । (ଉତ୍କଳ ପୁତ୍ର ତା୩/୯/୧୮୭୩)

 

କୃଷି ଯେ ଓଡ଼ିଶାବାସୀଙ୍କ ଜୀବନ ବଞ୍ଚିବାର ମୂଳ ଆଧାର– ଏକଥା ଯଥାର୍ଥ ଭାବରେ ହୃଦୟଙ୍ଗମ କରିଥିଲେ ପ୍ୟାରୀମୋହନ । ତେଣୁ କୃଷି କାର୍ଯ୍ୟ ପ୍ରତି ତାଙ୍କର ରହିଥିଲା ତୀକ୍ଷ୍ଣ ଦୃଷ୍ଟି । ସେଥିରେ ବାଧା ଉପୁଜିଲେ ସେ ବିବ୍ରତ ହୋଇ ଉଠୁଥିଲେ । ‘ଉତ୍କଳ ପୁତ୍ର’ରେ ସ୍ଥାନିତ ବିଭିନ୍ନ ସମ୍ବାଦରୁ ତାଙ୍କ ମନର ପ୍ରତିକ୍ରିୟା ଜାଣିହୁଏ । ତା୩/ ୧୨/୧୮୭୩ରିଖର ‘ଉତ୍କଳ ପୁତ୍ର’ ସଂଖ୍ୟାରେ ସେ କହିଛନ୍ତି ‘‘ଲୋଡ଼ା ଥିବାବେଳେ ବର୍ଷା ପ୍ରଚୁର ରୂପେ ବର୍ଷିଲା ନାହିଁ । ପ୍ରଚଣ୍ଡ ମାର୍ତ୍ତଣ୍ଡ ତାପ ତେତେବେଳେ ସଂସାରଟାକୁ ଦଗ୍ଧ କଲା । ଅବଶେଷେ ଦୁର୍ଭିକ୍ଷ କରାଳବଦନ ହୋଇ ଆସି ଉପସ୍ଥିତ ହେଲା । ଆଜିକାଲି ଶୀତକାଳ, ବର୍ଷା ଲୋଡ଼ା ନାହିଁ, ବର୍ଷା ହେଲେ ରବି, ଆମ୍ବ ପ୍ରଭୃତି ଫସଲମାନ କ୍ଷତି ହେବ, ତଥାପି ଇଂଲଣ୍ଡିୟ ନଭେମ୍ବର ମାସ ଆକାଶ ପରି ଆମ୍ଭମାନଙ୍କର ଆକାଶ ଗତ ସପ୍ତାହରେ ମେଘାଚ୍ଛନ୍ନ ହୋଇ ମଧ୍ୟେ ମଧ୍ୟେ ବିନ୍ଦୁ ବିନ୍ଦୁ ବାରି ପତିତ ହେଉଥିଲା, ଏସବୁରୁ ବୋଧହୁଏ ଏବର୍ଷ ଇନ୍ଦ୍ରବାୟା ହୋଇଅଛନ୍ତି ।’’ ସେହିପରି ତା ୧୫/୧୦/୧୮୭୩ରିଖରେ ସେ ‘ଉତ୍କଳ ପୁତ୍ର’ରେ ଲେଖିଥିଲେ । ଏ ବର୍ଷା ନ ହେବାରୁ ଏ ଦେଶୀୟ ଲୋକମାନେ ସାତିଶୟ ଭାବିତ ଓ କାତର ହୋଇଥିଲେ । ଓଡ଼ିଶା ଦୁର୍ଭିକ୍ଷ ପ୍ରଧାନ ଦେଶ ଥିବାରୁ (ଯେହେତୁ ଗତ ୮୦ ବର୍ଷ ମଧ୍ୟରେ ଏ ଦେଶ ନ୍ୟୁନାଧିକ ପାଞ୍ଚଥର ଦୁର୍ଭିକ୍ଷ ଦ୍ଵାରା ପ୍ରପୀଡ଼ିତ ହୋଇଅଛି ।) ପୁନରାୟ କାଳ ପଡ଼ିବାର ଆଶଙ୍କା କରୁଥିଲେ । ନିକଟବର୍ତ୍ତୀ ଖାଲ ଝିଲରୁ ସେଣା ଦ୍ଵାରା ବିଲକୁ ପାଣି ବୋହିବାକୁ ଓ ଇରିଗେସନ ନାଳଧୌତ ବିଲମାନଙ୍କୁ ନାଳପାଣିଦ୍ୱାରା ପୂର୍ଣ୍ଣ ରଖିବା ସକାଶେ କବୁଲିୟତ କରିବାକୁ ସମୟ ନଷ୍ଟ କରିନଥିଲେ । କିନ୍ତୁ ଦୟାମୟ ପ୍ରଭୁଙ୍କ କୃପାରୁ ଗତ ସପ୍ତାହରେ ବର୍ଷା ହୋଇ ଲୋକଙ୍କର ଭୟ ଅନେକ ପରିମାଣରେ ଭଞ୍ଜନ କରିଅଛି । ଆହୁରି ମଧ୍ୟ ଏ ବର୍ଷ ଏ ପ୍ରଦେଶର ଚତୁର୍ଦ୍ଦିଗବ୍ୟାପୀ ହୋଇଅଛିକି ନାହିଁ ଏଥିର ସମ୍ବାଦ ଏ ପର୍ଯ୍ୟନ୍ତ ଆମ୍ଭେମାନେ ପ୍ରାପ୍ତ ହୋଇନାହୁଁ । ଯଦି ହୋଇ ନଥାଏ ଗଭର୍ଣ୍ଣମେଣ୍ଟଙ୍କର ଏତିକିବେଳୁ ସତର୍କ ରହିବାର କର୍ତ୍ତବ୍ୟ ।’’

 

ଆଚାର୍ଯ୍ୟ ପ୍ୟାରୀମୋହନ ସମାଜ ଶୃଙ୍ଖଳିତ ଓ ଭଦ୍ରତାଯୁକ୍ତ ହେଉ ବୋଲି ସର୍ବଦା ଚାହୁଁଥିଲେ । ଅଶାଳୀନ ପରିବେଶ ଓ ଅଭଦ୍ର ଭାଷା କିପରି ସମାଜକୁ ଅପରିଷ୍କାର ଓ ଅପରିଚ୍ଛନ୍ନ କରିଦିଏ ତାହା ସେ ଲକ୍ଷ୍ୟ କରିଥିଲେ ନିବିଷ୍ଟ ଚିତ୍ତରେ । ତାଙ୍କ ମନରେ ଏକଥା ପ୍ରତିକ୍ରିୟା ସୃଷ୍ଟି କରୁଥିଲା । ‘ଉତ୍କଳ ହିତୈଷିଣୀ’ରେ ସଂସ୍କାରମୂଳକ ଏକ ପ୍ରସ୍ତାବ ଉପସ୍ଥାପିତ ହୋଇଥିବାରୁ ସେ ତାହାକୁ ହାର୍ଦ୍ଦିକ ସମର୍ଥନ ଜ୍ଞାପନ କରି ଲେଖିଥିଲେ : ‘‘ଆଜିକାଲି ବଙ୍ଗଦେଶରେ ଅଶ୍ଳୀଳ ଭାଷାଦିର ବ୍ୟବହାର ରହିତ କରିବାକୁ ଭାରି ଧୂମ୍‍ଧାମ୍ ଲାଗିଅଛି । ଏଥି ସକାଶେ ଏକ ସଭା ସଂସ୍ଥାପିତ ହୋଇଅଛି । ଫ୍ରେଣ୍ଡ ଅଫ୍ ଇଣ୍ଡିଆର ସଂପାଦକ ଜର୍ଜ ସ୍ମିଥ ସାହେବ ଏଥିର ସଭାପତି । ଯହିଁରେ ଅଶ୍ଳୀଳ ପୁସ୍ତକ ପ୍ରଭୃତିର ରଚନା ଓ ପ୍ରକାଶ ନିବାରିତ ହୁଏ, ସେଥିର ଚେଷ୍ଟା ଏ ସଭା ବିଶେଷ ରୂପେ କରିବେ । ଇତ୍ୟବସରେ ଏ ସ୍ଥାନର ଅଶ୍ଳୀଳ ସଙ୍ଗୀତାଦିର ବ୍ୟବହାର ଯହିଁରେ ବନ୍ଦ ହୁଏ, ବିଶେଷତଃ କଟକୀ ବିଦାରୀମାନେ ବଜାରରେ ଅଶ୍ଳୀଳ ଗୀତ ଗାଇବାରୁ ଯହିଁରେ କ୍ଷାନ୍ତ ହୁଅନ୍ତି ଏଥି ସକାଶେ ଏଠାରେ ମଧ୍ୟ ଏକ ସଭା ସ୍ଥାପନ କରିବାକୁ ‘ଉତ୍କଳ ହିତୈଷିଣୀ’ ଅନୁରୋଧ କରିଅଛନ୍ତି । ବାସ୍ତବିକ ଏ ଅତି ସୁନ୍ଦର ପ୍ରସ୍ତାବ । କିନ୍ତୁ ଏ ସ୍ଥାନୀୟ ଲୋକେ ଯେପରି ବାବୁ- ଏପରି ସତ୍ ପ୍ରସ୍ତାବକୁ କାର୍ଯ୍ୟରେ ପରିଣତ କରିବେକି ନା ସନ୍ଦେହ । ଯେହେତୁ ଏହା ତ କୃଷ୍ଣଲୀଳା ଯାତ୍ରାକି ଶନିବାର ରାତ୍ରି ବୈଠକ ନୁହଁ ।’’ (ଉତ୍କଳ ପୁତ୍ର ୧୫/୧୦/୧୮୭୩)

 

ପ୍ୟାରୀମୋହନ ବ୍ରାହ୍ମଧର୍ମାବଲମ୍ବୀ ଥିଲେ । ଅଧ୍ୟାପକ ହରନାଥ ଭଟ୍ଟାଚାର୍ଯ୍ୟଙ୍କ ଠାରୁ ପ୍ରେରଣା ପାଇ ମଧୁସୂଦନ ରାଓଙ୍କ ସହିତ ଏହି ଧର୍ମ ସେ ଗ୍ରହଣ କରିନେଇଥିଲେ । ସମାଜ ସଂସ୍କାର, ବିଧବା ବିବାହ ପ୍ରଚଳନ, ନାରୀ ଶିକ୍ଷାର ଉନ୍ନତି, ବାଲ୍ୟ ବିବାହ ବିରୋଧ ଆଦି ବ୍ରାହ୍ମଧର୍ମର ମହାନ୍ ଆଦର୍ଶ ପ୍ୟାରୀମୋହନଙ୍କୁ ଅଭିଭୂତ କରିଥିଲା । ସତ୍ୟ, ପ୍ରେମ, ତ୍ୟାଗ, ସଦିଚ୍ଛା ଓ ସଂହତିର ଭାବ ତରଙ୍ଗ ଓଡ଼ିଶାର ସର୍ବତ୍ର ପହଞ୍ଚୁ ଏ ଆକାଂକ୍ଷାରେ ପ୍ୟାରୀମୋହନ ବିଭିନ୍ନ ପ୍ରଚାର କାର୍ଯ୍ୟ, ଆଲୋଚନା ଚକ୍ରର ଆୟୋଜନ ଓ ନିବନ୍ଧ ରଚନା ଆଦିରେ ନିଜକୁ ନିୟୋଜିତ ରଖୁଥିଲେ-। ‘ଉତ୍କଳ ପୁତ୍ର' ପତ୍ରିକାରେ ସେ ସଂପର୍କିତ ବିଭିନ୍ନ ସମ୍ବାଦ ପରିବେଷଣ କରି ସେ ସମାଜରେ ଅଭିନବ ଚିନ୍ତା ଚେତନାର ପ୍ରସାର ପାଇଁ ସଦା ପ୍ରୟାସୀ ଥିଲେ । ବ୍ରାହ୍ମଧର୍ମ ପ୍ରଚାରକ ଅଘୋର ବାବୁଙ୍କ ସଂପର୍କରେ କେତେକ ସମ୍ବାଦ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରେ ।

 

ତା ୧୬/୫/୧୮୭୩ ‘ଉତ୍କଳ ପୁତ୍ର’ ସଂଖ୍ୟାରେ ପ୍ରକାଶ ପାଇଛି ଅଘୋରବାବୁ ଶୀର୍ଷକ ସଂକ୍ଷିପ୍ତ ସମ୍ବାଦ । ସେଥିରେ ଲେଖାଅଛି ‘‘ବିଗତ ପକ୍ଷରେ ଶ୍ରୀଯୁକ୍ତ ବାବୁ ଅଘୋରନାଥ ଗୁପ୍ତ ଜନୈକ ବ୍ରାହ୍ମ ଧର୍ମ ପ୍ରଚାରକଙ୍କର ଏ ନଗରରେ ପ୍ରବେଶ ସମ୍ବାଦ ପ୍ରକାଶ କରିଥିଲୁ’’ । ବାବୁ ମହାଶୟ ଆସି ଗୋଟିଏ ଧର୍ମାଦି ଶିକ୍ଷା ଶ୍ରେଣୀର କାର୍ଯ୍ୟ ଆରମ୍ଭ କରିଅଛନ୍ତି । ପ୍ରତି ସପ୍ତାହର ମଙ୍ଗଳ ଓ ଶୁକ୍ରବାର ଚାନ୍ଦିନୀଚୌକଠାରେ ଉକ୍ତ ବାବୁ ଈଶ୍ଵରୋପାସନା ସମ୍ବନ୍ଧରେ ବକ୍ତୃତା ଦେଉଅଛନ୍ତି । ପୁନଶ୍ଚ ପହଞ୍ଚିଲା ଦିନୁ ଦୁଇଗୋଟି ସର୍ବାଙ୍ଗ ସୁନ୍ଦର ପ୍ରକାଶ୍ୟ ବକ୍ତୃତା ‘ଶିକ୍ଷିତଙ୍କର କର୍ତ୍ତବ୍ୟ’ ଓ ‘ଧର୍ମ ହିଁ ମନୁଷ୍ୟର ପ୍ରକୃତ ଜୀବନ’ ବିଷୟମାନଙ୍କ ଉପରେ ପ୍ରଦାନ କଲେଣି । ବାବୁଙ୍କର ସ୍ଵର୍ଗୀୟ ବାଗ୍ମୀତା ଅତି ପ୍ରଶଂସନୀୟ ଅଟେ ଓ ଶ୍ରୋତୃବର୍ଗ ଶ୍ରବଣ କରି କରି ପରମ ଆନନ୍ଦିତ ହୋଇ ବାବୁଙ୍କର ଧନ୍ୟ ଧନ୍ୟ ଯଶ ଗାଉଅଛନ୍ତି । ଗତ ମଙ୍ଗଳବାର ଦିନ ଛାପାଖାନା ଗୃହରେ ‘ଧର୍ମହିଁ ପ୍ରକୃତ ଜୀବନ’ ଏହି ବିଷୟରେ ବକ୍ତୃତା ହୋଇଥିଲା ।’’

 

ପ୍ୟାରୀମୋହନଙ୍କ ଉଦ୍ଦେଶ୍ୟ ଥିଲା ବ୍ରାହ୍ମଧର୍ମର ଉଦାର ଭାବ ସର୍ବତ୍ର ବ୍ୟାପ୍ତ ହୋଇଯାଉ-। ସେଥିପାଇଁ ସେ ଏଭଳି ସମ୍ବାଦମାନ ସାଗ୍ରହରେ ପ୍ରକାଶ କରୁଥିଲେ । ତା ୧/୭/୧୮୭୩ ‘ଉତ୍କଳ ପୁତ୍ର’ରେ ସେଇ ଅଘୋର ବାବୁଙ୍କ ବିଷୟରେ ପୁଣି ଲେଖାଯାଇଛି ‘‘ଆଜିକି ପ୍ରାୟ ମାସକ ତଳେ ବାବୁ ଅଘୋରନାଥ ଗୁପ୍ତପୁରୀକୁ ଯାଇଥିଲେ ଓ ସେଠାରେ କିଛିଦିନ ରହି ‘ପ୍ରକୃତ ଜୀବନ’ ଏହି ବିଷୟରେ ଗୋଟିଏ ବକ୍ତୃତା ପ୍ରଦାନ କରି ବ୍ରାହ୍ମଧର୍ମର ଉଦାରଭାବ ସେଠା ଶିକ୍ଷିତ ଲୋକଙ୍କ ହୃଦୟରେ ସ୍ପଷ୍ଟ ରୂପେ ମୁଦ୍ରିତ କରିବାକୁ ସମର୍ଥ ହୋଇଥିଲେ । ଆଜକୁ ପ୍ରାୟ ଦୁଇସପ୍ତାହ ପୂର୍ବେ କଟକକୁ ଆସି ଗତ ତା୨୩ରିଖ ଜୁନରେ ‘ବ୍ରାହ୍ମ ସମାଜ ବିଷୟରେ ଗୋଟିଏ ମନୋହର ବକ୍ତୃତା ଦେଇଥିଲେ । ବେଦରୁ ଉପନିଷଦର ସମୟ ପର୍ଯ୍ୟନ୍ତ ଧର୍ମର କି ପ୍ରକାର ଉନ୍ନତି ଭାରତ ବର୍ଷରେ ହୋଇଥିଲା ଓ ସେସବୁରେ ଏକେଶ୍ଵରୋପାସନାର ଭାବକି ରୂପ ପ୍ରବଳ, ପୁଣି ମଧ୍ୟେ ମଧ୍ୟେ ଚୈତନ୍ୟ, ନାନକ, ରାମାନନ୍ଦ ପ୍ରଭୃତିଙ୍କଦ୍ୱାରା ଏକ ପ୍ରଭୁଙ୍କ ଆରାଧନା କେମନ୍ତ ପ୍ରଚଳିତ ହୋଇଥିଲା ଏହିସବୁ ବିଷୟ ବିସ୍ତାରିତ ରୂପେ କହି, ଏକ ଈଶ୍ଵରୋପାସନା ବିଶିଷ୍ଟ ବ୍ରାହ୍ମଧର୍ମର ପ୍ରଚାର ଭାରତବର୍ଷ, ଇଉରୋପ ଓ ଆମେରିକାରେ କି ରୂପେ ଦିନୁ ଦିନ ବୃଦ୍ଧି ହେଉଅଛି ଏଥି ସମ୍ବନ୍ଧରେ ବକ୍ତୃତାରେ ବିଶେଷ କରି କହିଥିଲେ । ବିଗତ ବୁଧବାର ଦିନ ମହାରାଜଙ୍କ ଦ୍ଵାରା ନିମନ୍ତ୍ରିତ ହୋଇ ଢେଙ୍କାନାଳକୁ ଯାଇଥିଲେ । ସେଠାରେ ‘‘କର୍ତ୍ତବ୍ୟ’’ ଓ ‘‘ଭାରତବର୍ଷର ଉନ୍ନତି’’ ଏହି ଦୁଇ ବିଷୟରେ ଦୁଇଗୋଟି ବକ୍ତୃତା ଦେଇ ଗତ ରବିବାର ଦିନ ପୁନର୍ବାର ଏଠାରେ ପହଞ୍ଚିଛନ୍ତି । ଅଳ୍ପଦିନ ମଧ୍ୟରେ କଟକ ତ୍ୟାଗ କରି ଯାଜପୁର, ବାଲେଶ୍ୱର ଓ ମେଦିନାପୁର ବାଟେ କଲିକତା ଯିବେ ।”

 

‘ଉତ୍କଳ ପୁତ୍ର’ ଏଭଳି ଏକ ପାକ୍ଷିକ ପତ୍ରିକା ଥିଲା ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟ, ଧର୍ମ, କୃଷି, ସମାଜ ସଂସ୍କାର, ରାଜନୀତି ଇତ୍ୟାଦି ସମସ୍ତ ବିଷୟରେ ତାତ୍ପର୍ଯ୍ୟପୂର୍ଣ୍ଣ ସମ୍ବାଦ ଓ ସମୀକ୍ଷା ପ୍ରକାଶିତ ହୋଇଛି । ଉଲ୍ଲେଖଯୋଗ୍ୟ ବିଷୟ ଯେ, ଏ ସବୁଥିରେ ପ୍ୟାରୀମୋହନଙ୍କ ବ୍ୟକ୍ତିତ୍ୱର ଛାପ ଯେ କୌଣସି ପାଠକ ସ୍ପଷ୍ଟ ରୂପେ ଅନୁଭବ କରିପାରିବ । ତାଙ୍କ ନିର୍ଭୀକ ଚରିତ୍ର, ସ୍ଵପ୍ନପ୍ରବଣମନ, ସମାଜ ସଂସ୍କାର ପାଇଁ ବ୍ୟାକୁଳ ଅନ୍ତରର ପ୍ରତିବିମ୍ବ ଏଠାରେ ଫୁଟି ଉଠିଛି । ଏକ ଅନ୍ୟାୟ ଅତ୍ୟାଚାର ମୁକ୍ତ ମୈତ୍ରୀ ଓ ସଦ୍‌ଭାବଯୁକ୍ତ ଉଚ୍ଚମାନର ସମାଜ ସଂଗଠନ ପାଇଁ ସେକିପରି ଅଧୀର ଥିଲେ ତାହା ଏଥିରୁ ଅତି ସହଜରେ ବାରି ହୋଇପଡୁଛି । ‘ଉତ୍କଳ ପୁତ୍ର’ର ଏହାହିଁ ମହିମାମୟ ସ୍ଵାତନ୍ତ୍ର୍ୟ । ଏହାହିଁ ତା’ର ଗୌରବାବହ ପରିଚୟ ।

 

ଏକ ମହାନ୍ ଆଦର୍ଶ ନେଇ ଜୀବନ ବଞ୍ଚିବା ଓ ସେଇ ଆଦର୍ଶକୁ ନିଜ ସଂପାଦିତ ପତ୍ରିକାରେ ସଫଳ ଭାବେ ରୂପ ଦେବା ହିଁ ପ୍ୟାରୀମୋହନଙ୍କ ପତ୍ରିକା ସଂପାଦନାର ବିଶେଷତ୍ୱକୁ ପ୍ରକଟିତ କରେ । ସେ ସମୟର ବିଭିନ୍ନ ପତ୍ରପତ୍ରିକା ପ୍ରତି ପ୍ୟାରୀମୋହନଙ୍କ ଦୃଷ୍ଟି ଥିଲା ଅତ୍ୟନ୍ତ ସଶ୍ରଦ୍ଧ । ‘ଉତ୍କଳ ଦୀପିକା’, ‘ଉତ୍କଳ ଦର୍ପଣ’, ‘ଉତ୍କଳ ହିତୈଷିଣୀ’ ଇତ୍ୟାଦି ପତ୍ରିକା ସଂପର୍କରେ ସେ ନିଜର ଅଭିମତ ପ୍ରକାଶ ମଧ୍ୟ କରୁଥିଲେ । ତା ୧୬/୮/୧୮୭୩ ମସିହାରେ ‘ଉତ୍କଳ ପୁତ୍ର’ରେ ‘ଉତ୍କଳ ଦର୍ପଣସଂପର୍କରେ ବର୍ଣ୍ଣନା କରାଯାଇଛି ଏହିପରି :

 

‘‘ଗତ ସଂଖ୍ୟା ‘ଉତ୍କଳ ଦର୍ପଣ’ ପାଠ କରି ବଡ଼ ଆହ୍ଲାଦିତ ହେଲୁ । ଏହାର ଭାଷା ପୂର୍ବାପେକ୍ଷା ଅନେକ ଉନ୍ନତି ଲାଭ କରିଅଛି । ‘ଚନ୍ଦ୍ର ଓ ତାରା’ ନାମକ ପ୍ରବନ୍ଧଟି ଭାବପୂର୍ଣ୍ଣ ଓ ସୁନ୍ଦର ଅଟେ । ‘ଶାସନ ପ୍ରଣାଳୀ’ ନାମରେ ଯେଉଁ ପ୍ରସ୍ତାବ ପ୍ରକାଶିତ ହୋଇଛି ତାହା ଦାର୍ଶନିକ ଓ ଧର୍ମନୈତିକ ସୂତ୍ରରେ ଲିଖିତ ହେବାର ଜଣାଯାଏ, କିନ୍ତୁ ରାଜନୈତିକ ସୂତ୍ର ଏପରି ପ୍ରସ୍ତାବମାନଙ୍କର ପ୍ରାଣ ଅଟଇ । ମେଘଦୂତର ଅନୁବାଦ (ଇତି ପୂର୍ବେ ଯାହା ବୋଧ ଦାୟିନୀରେ ମୁଦ୍ରିତ ହୋଇଥିଲା) ମଧ୍ୟ ମନ୍ଦ ନୁହେଁ । ‘ଇଟାଲୀୟ ଯୁବା’ ସମ୍ବନ୍ଧରେ ବର୍ତ୍ତମାନ କିଛି ବକ୍ତବ୍ୟ ନାହିଁ । ସ୍ଥୂଳରେ ଗତ ସଂଖ୍ୟା ସାହିତ୍ୟକ ସ୍ୱାସ୍ଥ୍ୟତା ସମ୍ଭୋଗ କରିଅଛି ଓ ଉତ୍ତମ ପଠନୋପଯୋଗୀ ହୋଇଅଛି ।”

 

ପ୍ରଶାସନର ଦୋଷତ୍ରୁଟି ଉପରେ ପ୍ୟାରୀମୋହନ ଆଲୋକପାତ କରୁଥିଲେ । କିନ୍ତୁ ଯେଉଁଠି ସତ୍‍କାର୍ଯ୍ୟ ଦେଖନ୍ତି ସେଠି ପ୍ରଶଂସା ନ କରି ରହିପାରନ୍ତି ନାହିଁ । ଜନ୍ ବୀମସ୍‍ଙ୍କ ସଂପର୍କରେ ସେ ଲେଖିଥିଲେ– ‘‘ବାଲେଶ୍ଵର ସମ୍ବାଦ ବାହିକାରେ ସାହେବ ମହୋଦୟଙ୍କର ଅନେକ ପ୍ରଶଂସା ଶୁଣିଅଛୁ ଓ ସେ ମଧ୍ୟ ଜଣେ ଦେଶ ହିତୈଷୀ ହାକିମ ବୋଲି ଆପଣାଙ୍କୁ ବାଲେଶ୍ୱର ଠାରେ କେତେକ କାର୍ଯ୍ୟଦ୍ୱାରା ପରିଚିତ କରିଅଛନ୍ତି । ଏମନ୍ତ ଅବସ୍ଥାରେ ତାଙ୍କ ଠାରୁ ଆମ୍ଭେମାନେ ଏହି ତିନିମାସ ମଧ୍ୟରେ ଅନେକ ସତ୍କାର୍ଯ୍ୟ ଓ ଶୁଭାନୁଷ୍ଠାନର ପ୍ରତ୍ୟାଶା କରୁ ।’’ (ଉତ୍କଳ ପୁତ୍ର ୧୬/୮/୧୮୭୩)

 

ସେହିପରି ତା ୧୭/୧୨/୧୮୭୩ ର ଉତ୍କଳ ପୁତ୍ରରେ ଲେଖାଅଛି ‘‘ଶ୍ରୀଯୁକ୍ତ ବୀମସ୍ ସାହେବ ବିଗତ ତା୪ରିଖ ଗୁରୁବାର ଦିନ ଓମପଡ଼ାକୁ ଯାଇ ପ୍ରାହାନ୍ତେ ଗୁରୁବାରରେ ଏଠାରେ ଆସି ପୁଣି ପ୍ରଦିଷ୍ଟ ହୋଇଅଛନ୍ତି । ଓମପଡ଼ାସ୍ଥ ରାଜା ଓ ପ୍ରଜାଙ୍କର ବିବାଦ ଉଭୟ ପକ୍ଷକୁ ଡକାଇ ଏକପ୍ରକାର ଭାଙ୍ଗି ଦେଇ ଆସିଥିବାର ଶୁଣାଯାଏ । ସାହେବ ମହୋଦୟ ବିବାଦ ମୀମାଂସା ବିଷୟରେ ଅତି ସୁପଟୁ ଓ ବାଲେଶ୍ୱରରେ ଥିବା ବେଳେ ଏପରି ସ୍ଥାନରେ କରିଥିବାର ଆମ୍ଭେମାନେ ଅବଗତ ହୋଇଅଛୁଁ ।

 

ଆଚାର୍ଯ୍ୟ ପ୍ୟାରୀମୋହନ ‘ଉତ୍କଳ ପୁତ୍ର’ ପତ୍ରିକାଟିକୁ ଦୀର୍ଘାୟୁ କରିବାର ସ୍ଵପ୍ନ ଦେଖିଥିଲେ-। ଓଡ଼ିଶାର ଉନ୍ନତି ପାଇଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ, ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରସାର ପାଇଁ ତଥା ସମାଜର ସବୁ ସ୍ତରରେ ସଂସ୍କାର ଆନୟନ ପାଇଁ ଏ ପତ୍ରିକା ସମର୍ପିତ ହୋଇ ରହିଥିଲା । ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ପରି ନିର୍ଭୀକ ସମାଲୋଚକ ଓ ସଂପାଦକ ଅତ୍ୟନ୍ତ ବିରଳ । ସରକାର ବା ଚାଟୁକାରମାନଙ୍କୁ ସନ୍ତୁଷ୍ଟ କରିବା ତାଙ୍କ ଧର୍ମ ନଥିଲା । ସେଥିପାଇଁ ନିର୍ଭୀକ ବ୍ୟକ୍ତିକୁ ଯେଉଁ ଦୁର୍ଦ୍ଦଶା ଭୋଗ କରିବାକୁ ହୁଏ ‘ଉତ୍କଳ ପୁତ୍ର’କୁ ସେହି ଦୁର୍ଦ୍ଦଶାର ଶିକାର ହେବାକୁ ପଡ଼ିଥିଲା । ବହୁ ଷଡ଼ଯନ୍ତ୍ର ରଚିତ ହେଲା ‘ଉତ୍କଳ ପୁତ୍ର’କୁ ନେଇ । ପ୍ୟାରୀମୋହନଙ୍କ ଅସୁମାରୀ ସ୍ଵପ୍ନ ଧୂଳିସାତ୍ ହୋଇ ଯାଇଥିଲା । ‘ଉତ୍କଳ ପୁତ୍ର’ ମାତ୍ର ଚାରିବର୍ଷ କାଳ ପ୍ରକାଶିତ ହୋଇ ଆଉ ଆଗକୁ ଅଗ୍ରସର ହୋଇପାରିଲା ନାହିଁ ।

 

ପତ୍ରିକାଟିଏ କେତେଦିନ ବଞ୍ଚି ରହିବ ସେ କଥା କୁହାଯାଇପାରେନା ; ଯେପରି ମଣିଷର ଜୀବନକାଳ ନିର୍ଦ୍ଧାରିତ କରିବା ସମ୍ଭବ ହୁଏ ନାହିଁ । କିନ୍ତୁ ଜଣେ ମଣିଷ ବା ପତ୍ରିକା କେଉଁ ଆଦର୍ଶ ନେଇ ସମାଜରେ ଦଣ୍ଡାୟମାନ ହୋଇଛି ତାହାହିଁ ସବୁଠୁ ଅଧିକ ଗୁରୁତ୍ଵପୂର୍ଣ୍ଣ । ସେ ଦୃଷ୍ଟିରୁ ‘ଉତ୍କଳ ପୁତ୍ର’ର ସ୍ଥାନ ଓଡ଼ିଶାର ପତ୍ରପତ୍ରିକା ପ୍ରକାଶନ ଇତିହାସରେ ନିଜର ସ୍ଵତନ୍ତ୍ର ଆସନରେ ଅଧିଷ୍ଠିତ । ସାମାଜିକ ଅଂଗୀକାରବଦ୍ଧତା ଦୃଷ୍ଟିରୁ ଏହା ଏକ ପ୍ରେରଣାପୂର୍ଣ୍ଣ ପତ୍ରିକା । ପ୍ୟାରୀମୋହନଙ୍କ ହୃଦୟର ଉତ୍ତାପରେ ଏହାର ବାକ୍ୟସବୁ ଉଷ୍ଣ ଓ ପ୍ରାଣବନ୍ତ । ପାଠକମାନଙ୍କ ହୃଦୟକୁ ତାହା ଯେ କେତେ ଆଲୋଡ଼ିତ କରିଥିବ ତାହା ଅନୁମାନ ମାତ୍ର କରାଯାଇପାରେ ।

 

‘ଉତ୍କଳ ପୁତ୍ର’କୁ ସେଦିନ ଯେଉଁମାନେ ପାଠ କରୁଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଏକ ସଚେତନ ଗୋଷ୍ଠୀ । ସେଥିପାଇଁ ଏ ପତ୍ରିକା ଯେପରି ଆଦର ଲାଭ କରିଥିଲା ତାହା ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ । ପତ୍ରିକା ପ୍ରକାଶନ ବନ୍ଦ ହୋଇଗଲା ସିନା, କିନ୍ତୁ ଅଳ୍ପ କେତେବର୍ଷ ଭିତରେ ଓଡ଼ିଶାରେ ତାହା ଯେଉଁ ଆଲୋଡ଼ନ ସୃଷ୍ଟି କରିଥିଲା ତାହାର ସ୍ମୃତି ଏ ପର୍ଯ୍ୟନ୍ତ ରହିଛି ଅମଳିନ ହୋଇ । ନିଜ ସଂପାଦିତ ପତ୍ରିକାରେ ଅପ୍ରିୟ ସତ୍ୟ ପ୍ରକାଶ କରିଥିବା ଯୋଗୁଁ ଯେଉଁ ସଂପାଦକଙ୍କୁ ଅଧ୍ୟୟନ ବା ଶିକ୍ଷାନୁଷ୍ଠାନ ଛାଡ଼ିବାକୁ ପଡ଼ିଥିଲା ସେଇ ସଂପାଦକ ତାଙ୍କ ପତ୍ରିକାକୁ ଜୀବନର କେତେ ବଡ଼ ସଂପଦ ବୋଲି ଜ୍ଞାନ କରୁଥିବେ ତାହା ସହଜରେ ଅନୁଭବ କରିହୁଏ ।

 

ଶତାଧିକ ବର୍ଷ ଅତିକ୍ରମ କରିଯିବା ପରେ ମଧ୍ୟ ‘ଉତ୍କଳ ପୁତ୍ର’ର ମହତ୍ତ୍ୱ ଏକାନ୍ତ ପ୍ରେରଣାପୂର୍ଣ୍ଣ ହୋଇ ରହିଛି ସଚେତନ ପାଠକ, ସଂପାଦକ ଓ ଲେଖକମାନଙ୍କ ପାଇଁ ।

 

 

ଅଧ୍ୟାପକ,

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ବରପାଲି ମହାବିଦ୍ୟାଳୟ, ବରପାଲି

 

***

 

Unknown

ଉତ୍କଳରେ ନବଯୁଗ ଓ ପ୍ୟାରୀମୋହନ

ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ

 

ଆମ ସାହିତ୍ୟରେ ନବଯୁଗକୁ ନେଇ ଐତିହାସିକ, ସମୀକ୍ଷକ ଓ ସମାଲୋଚକମାନେ ବିଭିନ୍ନ ଦୃଷ୍ଟିକୋଣରୁ ସବୁବେଳେ ଓ ସବୁକାଳେ ନାନା ଯୁକ୍ତି ଉପସ୍ଥାପନ କରିଥାନ୍ତି, କରିବା ବି ସ୍ୱାଭାବିକ । ସମାଜରେ ଯେତେବେଳେ ପରିବର୍ତ୍ତନ ଆସେ ଓ ମାନବ ହୃଦୟରେ ସେହି ପରିବର୍ତ୍ତନକୁ ନେଇ ନବ ଚେତନା ସୃଷ୍ଟି ହୁଏ– ତାହାକୁ ନିଜ ମଧ୍ୟରେ ଧରି ରଖେ ସାହିତ୍ୟ । ସାହିତ୍ୟରେ ତାହାହିଁ ପ୍ରତିଫଳିତ ହୁଏ । ସମାଜତତ୍ତ୍ୱବିତ୍ ତାହାକୁ ଯେଉଁ ଦୃଷ୍ଟି ନେଇ ଦେଖେ, ସାହିତ୍ୟିକଟିଏ ତାହାକୁ ସେ ଦୃଷ୍ଟିରେ ଦେଖେ ନାହିଁ । ସାହିତ୍ୟିକର ଦୃଷ୍ଟି ଭିନ୍ନ, ସ୍ୱତନ୍ତ୍ର ଏବଂ ରସସ୍ନିଗ୍ଧ । ବହୁ ଦେଶରେ ଅନେକ ସମୟରେ ସ୍ରଷ୍ଟା ତା’ର ସୃଷ୍ଟି ମାଧ୍ୟମରେ ସମାଜ ପରିବର୍ତ୍ତନ ପାଇଁ ପ୍ରୟାସୀ ହୋଇ ଏପରି ସୃଷ୍ଟି ସର୍ଜନା କରେ, ଯାହା କାଳିକ ହୋଇ ମଧ୍ୟ କାଳାତୀତର ସନ୍ଧାନ ଦିଏ ଓ ଯୁଗ ଯୁଗ ପାଇଁ ଦିଗ୍‍ବାରେଣୀର ଭୂମିକା ଗ୍ରହଣ କରେ । ରୁଷ୍, ଜର୍ମାନୀ, ଫ୍ରାନ୍‍ସ, ଗ୍ରୀକ୍ ସମେତ ପୃଥିବୀର ବିଭିନ୍ନ ଦେଶର ସାହିତ୍ୟରେ ଏପରି ଉଦାହରଣ ପ୍ରଚୁର । ଆମର ସୌଭାଗ୍ୟ ବା ଦୁର୍ଭାଗ୍ୟ ହେଉ, ସେପରି ସୁଯୋଗ ଓଡ଼ିଆ ସାହିତ୍ୟ ଜଗତରେ ଘଟିନାହିଁ । ତଥାପି ୧୮୫୦ ମସିହା ପରକାଳରେ ଯେଉଁ ସ୍ରଷ୍ଟାମାନେ ଓଡ଼ିଆ ସାହିତ୍ୟ ଅଙ୍ଗନରେ ବିଚରଣ କରିଛନ୍ତି, ତାଙ୍କ ସୃଷ୍ଟି ପରମ୍ପରାଠାରୁ ନିଆରା ହୋଇଛି, ତାଙ୍କ ମାନସିକତାରେ ଆସିଛି ନୂଆ ଚିନ୍ତାନୁଭୂତି । ସେମାନଙ୍କ ଦୃଷ୍ଟି ହୋଇଛି ପ୍ରସାରିତ ଓ ପରିବ୍ୟାପ୍ତ । ପୁନଶ୍ଚ ତାଙ୍କ ଲେଖନୀରେ ଆସିଛି ସମ୍ଭାବନାମୟ ଉଜ୍ଜ୍ୱଳ ଭବିଷ୍ୟତ । ରାଧାନାଥ, ମଧୁସୂଦନ, ଫକୀରମୋହନ, ଗୌରୀଶଙ୍କର ରାମଶଙ୍କର ପ୍ରଭୃତି ଦେଶହିତୈଷୀ ଓ ସ୍ରଷ୍ଟାମାନେ ଓଡ଼ିଆ ସାହିତ୍ୟରେ ନୂଆ ଯୁଗ ସୃଷ୍ଟି ପାଇଁ ଏକ ସମ୍ଭାବନାମୟ ପରିବେଶ ସୃଷ୍ଟି କରିଛନ୍ତି । ପୁନଶ୍ଚ ଏହି କାଳରେ ସୃଷ୍ଟି ନଅଙ୍କ ଦୁର୍ଭିକ୍ଷ, ଓଡ଼ିଆ ଭାଷା ଆନ୍ଦୋଳନ ନୂଆ ଯୁଗ ସୃଷ୍ଟି ପାଇଁ ଏକ ଏକ ପରିସର ସୃଷ୍ଟି କରିଛି ।

 

ଏହି ପର୍ଯ୍ୟାୟର ସ୍ରଷ୍ଟା ହେଉଛନ୍ତି ଆଚାର୍ଯ୍ୟ ପ୍ୟାରୀମୋହନ । ପିତା ଭୁବନମୋହନ ଥିଲେ ବଙ୍ଗବାସୀ ବ୍ରାହ୍ମଣ । ମାତ୍ର ପ୍ୟାରୀମୋହନ ଓଡ଼ିଶାର କଟକ ଜିଲ୍ଲାର ମାହାଙ୍ଗା ଅନ୍ତର୍ଗତ ପଶୁଲୁଣ୍ଡା ଗ୍ରାମରେ ସ୍ଥାୟୀ ଭାବରେ ରହି ଯାଇଥିଲେ ହେଁ ଆଧୁନିକତାର ସ୍ପର୍ଶ ଓ ସ୍ଵାଦ ସେ ସମକାଳୀନ ଯୁବଗୋଷ୍ଠୀଙ୍କ ଅପେକ୍ଷା ବହୁପୂର୍ବରୁ ପାଇ ସାରିଥିଲେ । ପୁନଶ୍ଚ କଟକରେ ଓକିଲାତି ବ୍ୟବସାୟ ହେତୁ ପୁତ୍ର ପ୍ୟାରୀମୋହନଙ୍କୁ ଉପଯୁକ୍ତ ଶିକ୍ଷା ଓ ଦୀକ୍ଷା ଦେବାରେ ପିତା ଭୁବନମୋହନଙ୍କ ପକ୍ଷେ ସେପରି କିଛି ଅସୁବିଧା ନଥିଲା । ସେତେବେଳେ ଓଡ଼ିଶାରେ ସହର କହିଲେ କଟକକୁ ହିଁ ବୁଝାଉଥିଲା । ସୁତରାଂ ପ୍ୟାରୀମୋହନ ହାଇସ୍କୁଲ ଶିକ୍ଷା ଲାଭ ନିମିତ୍ତ କଟକ ଆସି କଲିଜିଏଟ ସ୍କୁଲରେ ଅଧ୍ୟୟନ କରିଥିଲେ ଓ ସ୍କୁଲ ଶିକ୍ଷା ପରେ କଟକ କଲେଜରେ ଉଚ୍ଚଶିକ୍ଷା ନିମିତ୍ତ ନାମ ଲେଖାଇଥିଲେ । ପ୍ୟାରୀମୋହନ ଥିଲେ ଛାତ୍ରାବସ୍ଥାରୁ ସ୍ୱାଧୀନଚେତା ଓ ସ୍ଵାଭିମାନୀ ବ୍ୟକ୍ତିତ୍ୱ । ଓଡ଼ିଶାରେ ଦରିଦ୍ର, ଦୁଃଖୀ ଓ ନିଃସହାୟ ମଣିଷର ଦୁଃଖ ଦୁର୍ଦ୍ଦଶା ତାଙ୍କୁ ଶୈଶବରୁ ହିଁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଓଡ଼ିଶା ଓ ଓଡ଼ିଆ ଭାଷା ହେଉଛି ଓଡ଼ିଆମାନଙ୍କର–ଏହି କଥା ଉପରେ ସେ ଖୁବ୍ ଗୁରୁତ୍ୱ ଦେଉଥିଲେ । ମାତ୍ର ଏହାକୁ ଖାଲି କଥାରେ କହିଦେଲେ ଚଳିବ ନାହିଁ ବା ମନରେ ଚିନ୍ତାକଲେ ହେବ ନାହିଁ–ଓଡ଼ିଆମାନଙ୍କୁ ସେମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସଂପର୍କରେ ସଚେତନ କରାଯିବା ସର୍ବାଦୌ ଆବଶ୍ୟକ । ସମକାଳୀନ ଉତ୍କଳୀୟ ଜନତା ମଧ୍ୟରେ ଏହି ନିର୍ବେଦତା ଓ ଆବଶ୍ୟକତା ତତ୍କାଳୀନ ଛାତ୍ର ପ୍ୟାରୀମୋହନଙ୍କ ଆଖି ଖୋଲିଦେଲା । କଟକ କଲେଜରେ ଉଚ୍ଚଶିକ୍ଷା ଲାଭ ହିଁ ତାଙ୍କ ଦୃଷ୍ଟିକୁ ପ୍ରସାରିତ କରିଦେଲା । ସେ ଅନୁଭବ କଲେ ଯେ–ଯେତେଦିନ ଧରି ଏହି ଓଡ଼ିଆ ଜାତି ହାତ ପାତୁଥିବ, ସେତେଦିନ ପର୍ଯ୍ୟନ୍ତ ସେ ଭୋକ ଉପାସରେ କାଳାତିପାତ କରୁଥିବ । ସେଥିପାଇଁ ସଂଗ୍ରାମ କରିବାକୁ ହେବ, ବିଦେଶୀ ସରକାରଙ୍କ ସମ୍ମୁଖରେ ଓଡ଼ିଶାର ସମସ୍ୟା ଉପସ୍ଥାପିତ କରିବାକୁ ହେବ । ସେଥିପାଇଁ ପୂର୍ବରୁ ପ୍ରକାଶିତ ‘ଉତ୍କଳ ଦୀପିକା’ ବା ‘ବାଲେଶ୍ୱର ସମ୍ବାଦ ବାହିକା’ ମଧ୍ୟରେ ଯାହା ଉପସ୍ଥାପିତ ହୋଇପାରି ନଥିଲା, ସେହିସବୁ ସମସ୍ୟାକୁ ନେଇ ପ୍ୟାରୀମୋହନ ପ୍ରକାଶ କଲେ ‘ଉତ୍କଳପୁତ୍ର’ । (୧୮୭୧) ଏହି ପତ୍ରିକା ହେଲା ଉତ୍କଳରେ ସଂଗ୍ରାମୀ ମଣିଷର ମୁଖପତ୍ର ।

 

ପ୍ୟାରୀମୋହନଙ୍କ ‘ଉତ୍କଳ ପୁତ୍ର’ ଊନବିଂଶ ଶତକର ଦ୍ୱିତୀୟ ଭାଗରେ ଓଡ଼ିଆ ସାହିତ୍ୟର ନବଯୁଗ ସୃଷ୍ଟି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା–ଏହା କହିବା ନିଷ୍ପ୍ରୟୋଜନ । ଏହି ପତ୍ରିକା ନିମିତ୍ତ ପ୍ୟାରୀମୋହନଙ୍କ ଉଚ୍ଚଶିକ୍ଷାରେ ସବୁଦିନ ଲାଗି ଡୋରୀ ବନ୍ଧା ହୋଇଥିଲା । ଜନସ୍ୱାର୍ଥର ଦାୟରେ କଟକ ସହରର ତତ୍‌କାଳୀନ ମାଜିଷ୍ଟ୍ରେଟ ଏରିଭିଙ୍ଗ୍ ସାହେବଙ୍କ ବିରୋଧରେ ସେ ପତ୍ରିକାରେ ‘ଦରଖାସ୍ତ ଯୁତିଆନ’ ଶିରୋନାମାରେ ଏକ ସମ୍ବାଦ ପ୍ରକାଶ କରିଥିଲେ । ଘଟଣାଟି ସତ୍ୟ ଉପରେ ପର୍ଯ୍ୟବସିତ ଥିଲା । ପତ୍ରିକାରେ ସତ୍ୟ ପ୍ରକାଶ ଲାଗି ପ୍ୟାରୀମୋହନଙ୍କୁ ସବୁଦିନ ଲାଗି କଲେଜରୁ ବିଦାୟ ନେବାକୁ ପଡ଼ିଲା । ବାସ୍ତବରେ ପ୍ୟାରୀମୋହନ ଥିଲେ ଦ୍ରଷ୍ଟା ଓ ସ୍ରଷ୍ଟା । ଊନବିଂଶ ଶତକର ଦ୍ୱିତୀୟାର୍ଦ୍ଧରେ ଓଡ଼ିଆ ସାହିତ୍ୟରେ ସେ ଥିଲେ ନବଯୁଗର ବିନ୍ଧାଣି । ତାଙ୍କ ସଂପାଦିତ ‘ଉତ୍କଳପୁତ୍ର’ ପତ୍ରିକା ଥିଲା ସେହି ଯୁଗର ପ୍ରତିନିଧି, ଜାତୀୟତାର ଯଥାର୍ଥ ବାର୍ତ୍ତାବହ । ସୁତରାଂ’ ସତ୍ୟ ପ୍ରକାଶ ଲାଗି ତାଙ୍କୁ ସବୁଦିନ ପାଇଁ କଲେଜ ଛାଡ଼ିବାକୁ ପଡ଼ିଲା ସତ, ତାଙ୍କ କର୍ତ୍ତବ୍ୟରୁ ସେ ତିଳେ ବି ଓହରିଲେ ନାହିଁ । ‘ଉତ୍କଳପୁତ୍ର’ ମାଧ୍ୟମରେ ଇଂରେଜ ଶାସନ କାଳରେ ସମଗ୍ର ଓଡ଼ିଶାର ଦୁଃଖ ଦୁର୍ଦ୍ଦଶାକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ଦୁଃସାହସ କରି ସେଥିରେ ସେ ସଂପୂର୍ଣ୍ଣ ସଫଳ ହେଲେ ।

 

ଏହାପରେ ସେ ଓଡ଼ିଶା, ଓଡ଼ିଆ ଜାତି ଏବଂ ଓଡ଼ିଆ ଭାଷା ସାହିତ୍ୟର ବିକାଶ ନିମିତ୍ତ ନିଜ ଜୀବନକୁ ଉତ୍ସର୍ଗ କଲେ । ସମାଜରେ, ମାନବ ମଧ୍ୟରେ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ, ସରକାରୀ ପ୍ରଶାସନ ସ୍ତରରେ ସେ ଯେଉଁଠି ଯେତେବେଳେ ଅସଙ୍ଗତି, ଶୋଷଣ, କୁସଂସ୍କାର, ଅସମତା ବା ଦୁର୍ନୀତି ଲକ୍ଷ୍ୟ କଲେ ତାହାକୁ ‘ଉତ୍କଳପୁତ୍ର’ ପୃଷ୍ଠାରେ ସ୍ଥାନିତ କଲେ । ପରାଧୀନ ପ୍ରପୀଡ଼ିତ ଦୁର୍ଭିକ୍ଷଗ୍ରସ୍ତ ଉତ୍କଳୀୟ ଜନତାଙ୍କ ହୃଦୟରେ ପୁନର୍ଜାଗରଣ ସୃଷ୍ଟି ନିମିତ୍ତ ସେ ‘ଉତ୍କଳପୁତ୍ର’ ମାଧ୍ୟ ମରେ ଉଦ୍‍ଘୋଷଣା କଲେ ।

 

ପ୍ୟାରୀମୋହନ ଲକ୍ଷ୍ୟ କଲେ ତାଙ୍କ ଚତୁର୍ଦ୍ଦିଗର ଉତ୍କଳ ଭୂଖଣ୍ଡ ଖୁବ୍ ସଙ୍କୁଚିତ, କୁସଂସ୍କାରଗ୍ରସ୍ତ ଓ ଏହାର ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ । ସମକାଳୀନ ଉତ୍କଳୀୟ ମାନବଙ୍କୁ ଆଗାମୀ ଦିନକୁ ବାଟ ବତାଇବାକୁ ପଡ଼ିବ, ସେମାନଙ୍କ ହୃଦୟରେ ଜାତୀୟତାର ବୀଜମନ୍ତ୍ର ଭରିଦେବାକୁ ହେବ । ଏଥିପାଇଁ ପ୍ରଚେଷ୍ଟା ଓ ଉଦ୍ୟମ ଆବଶ୍ୟକ । ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହେଲେ ଯୁବପ୍ରାଣ ପ୍ୟାରୀମୋହନ । ଏହି ଉଦ୍ଦେଶ୍ୟରେ ‘ଉତ୍କଳପୁତ୍ର’ର ବିଭିନ୍ନ ସଂଖ୍ୟାରେ ସମକାଳୀନ ଓଡ଼ିଶାର ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ସେ ସେମାନଙ୍କୁ ନିଜ ଦେଶ ଓ ଜାତି ପ୍ରତି ସଚେତନ କରାଇଲେ । ପ୍ୟାରୀମୋହନଙ୍କ ଦୃଷ୍ଟିରେ ସମାଜ ବିକାଶର ମୂଳ ଭିତ୍ତି ହେଉଛି ଶିକ୍ଷା । ଶିକ୍ଷା ସମାଜରୁ ଅନ୍ଧକାର ଓ ଅଜ୍ଞାନ ଦୂରକରେ । ଏହି ଉଦ୍ଦେଶ୍ୟରେ ‘ଉତ୍କଳ ପୁତ୍ର’ର ୧୬ ମଇ, ୧୮୭୩ ସଂଖ୍ୟାରେ ସେ ‘ପ୍ରକୃତ ଶିକ୍ଷା’ ଶିରୋନାମାରେ ଉଲ୍ଲେଖ କରିଛନ୍ତି - ‘‘ମାନସିକ ସମୁଦାୟ ବୃତ୍ତିକୁ ସୁଶିକ୍ଷିତ ଓ ସମୁନ୍ନତ କରିବାକୁ ପ୍ରକୃତ ଶିକ୍ଷା କହି, ଶବ୍ଦ କଣ୍ଠସ୍ଥ କରିବାକୁ ପ୍ରକୃତ ଶିକ୍ଷା କହିପାରୁ ନାହୁଁ । ସାହିତ୍ୟଦ୍ୱାରା ହୃଦୟର ଭାବ ରସ ଉଦ୍ବେଳିତ ହୋଇଥାଏ । ଯେଉଁମାନେ ପୂର୍ବୋକ୍ତ ଲକ୍ଷ୍ୟର ସହିତ ଏହାକୁ ପାଠ କରନ୍ତି ସେମାନଙ୍କର କେତେବେଳେ ପ୍ରୀତି, କେତେବେଳେ କରୁଣା ବିସ୍ମୟ, କେତେବେଳେ ଉତ୍ସାହ ପ୍ରଭୃତି ଭିନ୍ନ ଭିନ୍ନ ରସର ଉଦ୍ରେକ ହୋଇଥାଏ । ଏହି ରୂପେ ହୃଦୟ ସମୁନ୍ନତ ହୁଏ ।’’ ଏହି କାଳରେ ଓଡ଼ିଆ ଜାତୀୟ ଜୀବନର ବିକାଶ ନିମିତ୍ତ ‘ଉତ୍କଳ ହିତୈଷିଣୀ’ ପତ୍ରିକା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ହେଁ ତାହା ଥିଲା କ୍ଷୀଣାୟୁ । ସୁତରାଂ ପତ୍ରିକାର ଦୀର୍ଘାୟୁ କାମନା କରି ଏହାର ପୁନରୁତ୍ଥାନ ନିମିତ୍ତ ପ୍ୟାରୀମୋହନ ‘ଉତ୍କଳପୁତ୍ର’ର ତା ୧୬ ଅଗଷ୍ଟ, ୧୮୭୩ ସଂଖ୍ୟାରେ ଉଲ୍ଲେଖ କରିଥିଲେ ଯେଉଁ ‘ଉତ୍କଳ ହିତୈଷିଣୀ’ର ପୁନରୁତ୍ଥାନ କଥା ଆମ୍ଭେମାନେ X X X ଲେଖିଥିଲୁ, ବିଗତ ତା ୮ ରିଖ ଅଗଷ୍ଟ ଶୁକ୍ରବାର ଦିନ ତାହାର ସଂ୧ଖ୍ୟା ‘ଉତ୍କଳ ହିତୈଷିଣୀ ମୃତ୍ୟୁପରେ’ ମୁଦ୍ରିତ ହୋଇ ପ୍ରକାଶିତ ହୋଇଅଛି । ଆମ୍ଭେମାନେ ଏଥିରୁ ଖଣ୍ଡିତ ଉପହାର ସ୍ୱରୂପେ ପ୍ରାପ୍ତ ହୋଇଅଛୁ । XXX ହିତୈଷିଣୀର ସମ୍ପାଦକ ଓ ମ୍ୟାନେଜର ସେମାନଙ୍କର ଶ୍ରମ ସକାଶେ ସାଧାରଣଙ୍କ ନିକଟରେ ଧନ୍ୟବାଦର ପାତ୍ର ସନ୍ଦେହ ନାହିଁ । ଏଠାରେ ପୁଣି ଓଡ଼ିଶାବାସୀଙ୍କୁ ଏହି ନିବେଦନ ଯେ ଏହାର ଭବିଷ୍ୟତ ଉନ୍ନତି ନିମନ୍ତେ ଏହାକୁ ଉତ୍ସାହ ଦେଇ ଏଥିରୁ ଖଣ୍ଡିଏ ଖଣ୍ଡିଏ କ୍ରୟ କରନ୍ତୁ ଓ ଜଗଦୀଶ୍ଵରଙ୍କ ଠାରେ ଏହି ପ୍ରାର୍ଥନା ଯେ ଏହାକୁ ଦୀର୍ଘଜୀବୀ ଓ ଶ୍ରୀସମ୍ପନ୍ନା କରନ୍ତୁ ।’’ ଏହି ଉଦ୍ଧୃତିଟିରୁ ପ୍ୟାରୀମୋହନଙ୍କର ଓଡ଼ିଆ ଜାତି, ଭାଷା ଓ ସାହିତ୍ୟ ପ୍ରୀତି ସହଜରେ ଅନୁମେୟ ।

 

୧୮୬୯-୭୦ ମସିହାରେ ଓଡ଼ିଆ ଭାଷାକୁ କେନ୍ଦ୍ରକରି ଓଡ଼ିଆ ଓ ବଙ୍ଗାଳୀଙ୍କ ମଧ୍ୟରେ ଯେଉଁ ଦ୍ୱନ୍ଦ ଓ ସଂଘର୍ଷର ସୂତ୍ରପାତ ହୋଇଥିଲା ସେ ସଂପର୍କରେ ସମଗ୍ର ଓଡ଼ିଶାବାସୀଙ୍କୁ ସଚେତନ କରିବା ନିମିତ୍ତ ପ୍ୟାରୀମୋହନ ଏହି ‘ଉତ୍କଳ ପୁତ୍ର’ ମାଧ୍ୟମରେ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଥିଲେ । ପତ୍ରିକାର ୧୬ ଜୁଲାଇ, ୧୮୭୩ ସଂଖ୍ୟାରେ ‘‘ ସମ୍ବଲପୁର ଓ ଉତ୍କଳ ପୁସ୍ତକ’’ ଶିରୋନାମାରେ ସେ ଉଲ୍ଲେଖ କରିଥିଲେ–“ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷା କରାଇବାକୁ ଦେଶହିତୈଷୀ ବଙ୍ଗାଳୀମାନେ ଯେତେ ଯୁକ୍ତି କରିଥିଲେ ଏବଂ ବଙ୍ଗାଳୀ ଓ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଯେ କଳହ ଉପସ୍ଥିତ ହୋଇଥିଲା ତାହା ପାଠକମାନଙ୍କୁ ଅବିଦିତ ନୁହେଁ । ଏମନ୍ତକି ଉଭୟ ପକ୍ଷର ଅଧିକାରୀମାନେ ମାନମର୍ଯ୍ୟାଦା ଭୁଲିଯାଇ ନିତ୍ୟାନ୍ତ କଟୁକ୍ତି ଓ ଅସଦ୍ ଉପହାସ ବ୍ୟବହାର କଲେ । ସମ୍ବାଦପତ୍ରମାନ ଏହି କଥା ଘେନି ଦିନରାତି ବ୍ୟସ୍ତ । ସୁଖର ବିଷୟ ଯେ ଦୟାବାନ୍ ଗଭର୍ଣ୍ଣମେଣ୍ଟ ସେ କଳହ ଶୀଘ୍ର ନିଷ୍ପତ୍ତି କରିଦେଲେ । ଓଡ଼ିୟା ଭାଷା ରହିବାର ସ୍ଥିର ହେଲା । ସୁତରାଂ ତିନି ଚାରି ବର୍ଷ ଧରି ଓଡ଼ିଆ ଭାଷାକୁ ଓଡ଼ିଆଙ୍କ ମୁହଁରୁ ଛଡ଼ାଇ ନେବାର ଯେଉଁ ହୀନ ଉଦ୍ୟମ ବଙ୍ଗାଳୀମାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ତାହାକୁ ‘ଉତ୍କଳ ଦୀପିକା’ ସମେତ ପ୍ୟାରୀମୋହନଙ୍କ ‘ଉତ୍କଳ ପୁତ୍ର’ ମଧ୍ୟ ସୁରକ୍ଷା କରିବାର ସଂକଳ୍ପ ନେଇଥିଲା । ଏ କ୍ଷେତ୍ରରେ ପ୍ୟାରୀମୋହନଙ୍କ ଚିନ୍ତାଧାରା ଉନ୍ନତ ଓ ଗଠନମୂଳକ । ଗୋଟିଏ ଜାତିର ସାମୂହିକ ଉନ୍ନତିର ପଶ୍ଚାଦ୍ଭାଗରେ ଏହାର ଭାଷା-ସାହିତ୍ୟ, ସଂସ୍କୃତି ଯେ ଏକାନ୍ତ ଭାବରେ ସଂଶ୍ଳିଷ୍ଟ–ଏହା ସେ ‘ଉତ୍କଳପୁତ୍ର’ ମାଧ୍ୟମରେ ପ୍ରମାଣିତ କରି ଦେଇଥିଲେ । ସୁତରାଂ ଓଡ଼ିଆ ସାହିତ୍ୟର ନବଯୁଗ ଓ ଓଡ଼ିଆ ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ‘ଉତ୍କଳପୁତ୍ର’ ଦିଗ୍‍ବାରେଣୀର ଭୂମିକା ଗ୍ରହଣ କରିଥିଲା ।

 

କେତେଜଣ ମୁଷ୍ଟିମେୟ ସ୍ଵାର୍ଥାନ୍ୱେଷୀ ବଙ୍ଗାଳୀଙ୍କ କବଳରୁ ଓଡ଼ିଆ ଭାଷାକୁ ରକ୍ଷା କରିବା ପରେ ସମକାଳୀନ ଯେଉଁ ମନୀଷୀ ଓ ଦେଶହିତୈଷୀ ଓଡ଼ିଆ ଭାଷା-ସାହିତ୍ୟର ଉନ୍ନତି କାମନା କରିଥିଲେ ସେମାନଙ୍କ ମଧ୍ୟରେ ପ୍ୟାରୀମୋହନ ଥିଲେ ଅନ୍ୟତମ । ଛାତ୍ରାବସ୍ଥାରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଲାଭ କାଳରେ ଓଡ଼ିଆ ପାଠ୍ୟପୁସ୍ତକର ଅଭାବ ହେତୁ ଏକଦା ତାଙ୍କୁ ବଙ୍ଗଳା ପାଠ୍ୟ ପୁସ୍ତକ ପଢ଼ିବାକୁ ହୋଇଥିଲା । ତାଙ୍କର ଯୁବାବସ୍ଥା ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକର ଘୋର ଅଭାବବୋଧ ସେ ଅନୁଭବ କରିଥିଲେ । ସୁତରାଂ ‘ଉତ୍କଳପୁତ୍ର’ ପତ୍ରିକାର ୧୬ ଜୁଲାଇ, ୧୮୭୩ ସଂଖ୍ୟାରେ ସେ ଉତ୍କଳରେ ଶିକ୍ଷା ବିକାଶ ନିମିତ୍ତ ସମକାଳୀନ ସଚେତନ ଶିକ୍ଷାବିତ୍ ଓ ଶିକ୍ଷିତ ଜନମାନସଙ୍କୁ ଆହ୍ୱାନ ଦେଇଥିଲେ । ପୁନଶ୍ଚ ଓଡ଼ିଶାରେ ବିଦ୍ୟାଳୟମାନଙ୍କରେ ପ୍ରଚଳିତ ପାଠ୍ୟପୁସ୍ତକର ଦୁରବସ୍ଥା ସଂପର୍କରେ ଜନସାଧାରଣଙ୍କୁ ସେ ସଚେତନ କରିଥିଲେ । ଯଥା: ‘‘ପାଠକ ସଂଖ୍ୟାର ବୃଦ୍ଧି ଉପରେ ଗ୍ରନ୍ଥ ପ୍ରକାଶର ଆଧିକ୍ୟ ଓ ଲୋକଙ୍କର ଉତ୍ସାହ ନିର୍ଭର କରେ । ପାଠକେ ଯେ ପରିମାଣରେ ତାଙ୍କୁ ଉତ୍ସାହ ଦେବେ, ସେହି ପରିମାଣରେ ଭଲ ଭଲ ପୁସ୍ତକ ପାଇପାରିବେ । ଅଧିକାଂଶ ଲେଖକ ମଧ୍ୟ ବା ନିମ୍ନଶ୍ରେଣୀର ଲୋକ, ସେମାନଙ୍କର ଏପରି ସମ୍ବଳ ନାହିଁ ଯେ ଆପଣା ବ୍ୟୟରେ ପାଠ୍ୟପୁସ୍ତକ ଯୋଗାଇବେ । ବଡ଼ ଲୋକଙ୍କ ଦ୍ଵାରା ତ ଏ କାର୍ଯ୍ୟ ହେବାର ନୁହେଁ । ସେମାନେ ଆପଣା ବିଷୟ ଘେନି ବ୍ୟସ୍ତ; ସେମାନଙ୍କୁ ଅବସର କାହିଁ ଯେ ଏପରି ଅବକାଶ ସାପେକ୍ଷ କାର୍ଯ୍ୟରେ ବ୍ୟସ୍ତ ହେବେ । ଓଡ଼ିଶା ପ୍ରଦେଶ କ୍ଷୁଦ୍ର ଓ ବିଦ୍ୟାଶିକ୍ଷାର ପ୍ରଥମାବସ୍ଥା । ଏ ପର୍ଯ୍ୟନ୍ତ ସମସ୍ତେ ଛପା ଅକ୍ଷର ପଢ଼ିବାକୁ ଶିକ୍ଷା ପାଇନାହାନ୍ତି । ପୁଣି ଶିକ୍ଷା କାର୍ଯ୍ୟର ଭାର ଯେଉଁମାନଙ୍କ ଠାରେ ରହିଲା ଭାଷାର ଭଲ ମନ୍ଦ ବିଚାର କରିବାର ସେମାନଙ୍କର କ୍ଷମତା ନାହିଁ କିମ୍ବା କ୍ଷମତା ଥାଉଁ ଥାଉଁ ଆପଣା ସୁବିଧା ପ୍ରତି ଦୃଷ୍ଟି ରଖି କାର୍ଯ୍ୟ କରୁଅଛନ୍ତି । ଏମନ୍ତ ଅବସ୍ଥାରେ ଆମ୍ଭେମାନେ କିପରି କହିପାରୁଁ ଯେ କାହିଁକି ଓଡ଼ିଶାରେ ଭଲ ଭଲ ପାଠ୍ୟ ପୁସ୍ତକ ବାହାରୁ ନାହିଁ ? ଯେଉଁମାନେ କିଛି କିଛି ଲେଖୁଅଛନ୍ତି (ଅଧିକାଂଶ ଅନୁବାଦ) ତାହା ପ୍ରକାଶ କରିବାକୁ ସାହସ କରୁନାହାନ୍ତି ।’’ ସୁତରାଂ ଏହା ଥିଲା ଊନବିଂଶ ଶତକର ସପ୍ତମ ଦଶକ ବେଳକୁ ଓଡ଼ିଶାରେ ବିଦ୍ୟାଳୟମାନଙ୍କ ଉଦ୍ଦେଶ୍ୟରେ ପ୍ରଣୀତ ପାଠ୍ୟପୁସ୍ତକର ଅବସ୍ଥା । ଶିକ୍ଷାର ବିକାଶ ଓ ଶିକ୍ଷାଦାନ ନିମିତ୍ତ ପାଠ୍ୟପୁସ୍ତକ ହିଁ ମୁଖ୍ୟ ଏବଂ ଶିକ୍ଷାର ଉନ୍ନତିରେ ଦେଶର ପ୍ରଗତି ଏହା ସେକାଳରେ ପ୍ୟାରୀମୋହନଙ୍କ ପରି ଜଣେ ଶିକ୍ଷିତ ଯୁବକ ମନକୁ ଗଭୀର ଭାବେ ସ୍ପର୍ଶ କରିଥିଲା । ତେଣୁ ସେ ବିଦ୍ୟାଳୟ ଉପଯୋଗୀ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନ କ୍ଷେତ୍ରରେ ‘ଉତ୍କଳପୁତ୍ର’ର ଏହି ସଂଖ୍ୟାରେ ସମକାଳୀନ ବୁଦ୍ଧିଜୀବୀ, ଧନୀକଶ୍ରେଣୀ, ଶିକ୍ଷାବିତ୍ ପ୍ରଭୃତିଙ୍କ ସହଯୋଗ କାମନା କରିଥିଲେ ।

 

ଓଡ଼ିଆ ଭାଷାର ସ୍ୱାଭିମାନକୁ ସୁରକ୍ଷା ଓ ଓଡ଼ିଆ ପାଠ୍ୟପୁସ୍ତକ ରଚନା ନିମିତ୍ତ ପ୍ରେରଣା ପ୍ରଦାନ କରିବା ପରେ ପ୍ୟାରୀମୋହନ ପତ୍ରିକା ମାଧ୍ୟମରେ ୧୬ ଜୁଲାଇ, ୧୮୭୩ ସଂଖ୍ୟାରେ ସମ୍ବଲପୁର ଓ ଗଞ୍ଜାମକୁ ଓଡ଼ିଶାରେ ମିଶ୍ରଣ କରିବାର ଏକ ବଳିଷ୍ଠ ଉଦ୍ୟମ ଆରମ୍ଭ କରି ତାହାକୁ ଇଂରେଜ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏ ସଂକ୍ରାନ୍ତରେ ସେ ‘ଉତ୍କଳପୁତ୍ର’ରେ ଉଲ୍ଲେଖ କରିଥିଲେ–‘‘ଆମ୍ଭେମାନେ ଏମନ୍ତ କହୁନାହୁଁ ଯେ ଗଭର୍ଣ୍ଣମେଣ୍ଟ୍ ଓଡ଼ିଶାକୁ ବଡ଼ କରିଦିଅନ୍ତୁ ବା ସୁବିଧା ହେଲେ ଏକାବେଳକେ ବଡ଼ ବଡ଼ ଲେଖକ ବାହାରି ପଡ଼ିବେ । ତେବେ ଯେଉଁ ଯେଉଁ ଉପଖଣ୍ଡ ଇତସ୍ତତଃ ରହିଅଛି ସେ ସବୁକୁ ଏକତ୍ର କରି ଆଣିଲେ ଯେ ଏଇ ଉତ୍କଳଖଣ୍ଡରେ ଏକ ସମୟରେ ବିଦ୍ୟାସାଗର ଓ ଅକ୍ଷୟ କୁମାରଙ୍କ ପରି ଲେଖକ ବାହାରିବେ ଏହା ଅସମ୍ଭବ ନୁହେଁ । କେହି ଲେଖକ ଧାରଣ କଲାମାତ୍ରକେ ଉନ୍ନତ ସୋପାନର ଶିରୋଭାଗରେ ଆରୋହଣ କରଇ ନାହିଁ । ଅନ୍ୟାନ୍ୟ ମହତ୍ କାର୍ଯ୍ୟ ପରି ଉନ୍ନତି ମଧ୍ୟ ସମୟର ଅପେକ୍ଷା କରେ । ସମ୍ବଲପୁର ଓ ଗଞ୍ଜାମ ଯେବେ କଟକ ସଙ୍ଗେ ମିଶିଯାଏ ତେବେ ସମାଲୋଚିତ ଓ ଅଭାବ ଅବଶ୍ୟ ଦୂର ହୋଇଯିବ । ସମ୍ବଲପୁର ଓ ଗଞ୍ଜାମ ଓଡ଼ିଶାର ଅଂଶ ମାତ୍ର ଓ ସେ ଦୁହିଁଙ୍କୁ ଧରିଲେ ଓଡ଼ିଶା ବଙ୍ଗଳାର ଅର୍ଦ୍ଧାଂଶରୁ ଅଧିକ ହେବ । କି ଭାଷା,କି ଆମ୍ଭର ବ୍ୟବହାର, କି ଧର୍ମ ସବୁ ବିଷୟରେ ଉକ୍ତ ଦୁଇ ଜିଲ୍ଲାର କଟକ ସଙ୍ଗେ ଯେତେ ଐକ୍ୟତଃ ପ୍ରାୟ ଅନ୍ୟ କାହାର ସଙ୍ଗେ ନାହିଁ । ବର୍ତ୍ତମାନ ଯେପରି ଅଛି, ସେପରି ରହିଲେ କସ୍ମିନ୍ କାଳେ କାହାର ଭଲ ହେବାର ସମ୍ଭାବନା ନାହିଁ । ଗଞ୍ଜାମର ଲୋକେ ନା ତେଲେଙ୍ଗା ଜାଣନ୍ତି ବା ଓଡ଼ିୟା ଜାଣନ୍ତି ଏବଂ କଟକ ସଙ୍ଗେ ସେତେ ସମ୍ପର୍କ ନାହିଁ ସେମାନେ ଭବିଷ୍ୟତରେ ଶିକ୍ଷା କରିପାରିବେ ।’’ ‘ଉତ୍କଳ ପୁତ୍ର’ରେ ଥିବା ଏହି ଉଦ୍ଧୃତିରୁ ଆମେ ସ୍ପଷ୍ଟ ହୃଦୟଙ୍ଗମ କରୁ ଯେ ଊନବିଂଶ ଶତକର ଶେଷ ଓ ବିଂଶ ଶତକର ଆରମ୍ଭରେ ମଧୁସୂଦନ, ଫକୀରମୋହନ, ରାଧାନାଥ, ଗଙ୍ଗାଧର ପ୍ରଭୃତି ସ୍ରଷ୍ଟାଗଣ ଓଡ଼ିଆ ଭାଷା ସାହିତ୍ୟ ଓ ଉତ୍କଳର ସୀମାକୁ ନେଇ ଉତ୍କଳୀୟ ଜନତାଙ୍କ ମଧ୍ୟରେ ଯେଉଁ ଜାଗରଣ ସୃଷ୍ଟି କରିଥିଲେ ଓ ସ୍ଵପ୍ନ ଦେଖିଥିଲେ, ପ୍ୟାରୀମୋହନ ସେମାନଙ୍କର ଯଥେଷ୍ଟ ପୂର୍ବରୁ ମାତ୍ର କୋଡ଼ିଏ ଏକୋଇଶି ବର୍ଷ ବୟସରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କୁ ଏକତ୍ର କରିବାର ସ୍ଵପ୍ନ ଦେଖିଥିଲେ । ଖଣ୍ଡିତ ଓଡ଼ିଶା ଓ ଓଡ଼ିଆ ଭାଷୀ ଅଞ୍ଚଳକୁ ଏକତ୍ର ନ କଲେ ଓଡ଼ିଶାର ଭବିଷ୍ୟତ ଯେ ଅନ୍ଧକାର–ଏହା ‘ଉତ୍କଳପୁତ୍ର’ ମାଧ୍ୟମରେ ସେ ସମକାଳୀନ ଜନତାଙ୍କୁ ସଚେତନ କରି ଦେଇଥିଲେ । ଏହା ଥିଲା ସେ କାଳରେ ପ୍ୟାରୀମୋହନଙ୍କର ଓଡ଼ିଆ ନବଯୁଗ ସୃଷ୍ଟି ନିମିତ୍ତ ଏକ ଆହ୍ୱାନ ।

 

ସାହିତ୍ୟ ଓ ଇତିହାସ ପରସ୍ପର ପରିପୂରକ । ଅତୀତ ହେଲେବି ଇତିହାସ ମୂକ ବା ଅଥର୍ବ ନୁହେଁ । ଏହା ସୁପ୍ତ । ସାହିତ୍ୟ ସହିତ ମିଳିତ ହେଲେ ଇତିହାସରେ ପ୍ରାଣ ସଂଚାର ହୁଏ । ତେଣୁ ସାହିତ୍ୟର ପୁଞ୍ଜି ହେଉଛି ଇତିହାସ ବା କିମ୍ବଦନ୍ତୀ । ଅନେକ ସମୟରେ ସ୍ରଷ୍ଟାଟିଏ ସୃଷ୍ଟିର ଯେଉଁ ଦିଗରେ ମନୋନିବେଶ କଲେ ମଧ୍ୟ ତାହାର ପଶ୍ଚାଦ୍‌ଭାଗରେ ଗୋଟିଏ ବିରାଟ ଇତିହାସ ହିଁ ନିହିତ ଥାଏ, ନଚେତ ସ୍ରଷ୍ଟାର ସୃଷ୍ଟି ହୁଏ କାଳ୍ପନିକ କପୋଳକଳ୍ପିତ ବା ସମାଜ ଏବଂ ସଂସାରରହିତ । ସୁତରାଂ ସ୍ରଷ୍ଟା ସୃଷ୍ଟି ସର୍ଜନାବେଳେ ବିଶେଷ କରି ଅତୀତକୁ ଅବଲୋକନ କଲାବେଳେ ଇତିହାସକୁ ହିଁ ଫେରିଚାହେଁ, ସେହି ଇତିହାସର ଭିତ୍ତି ଉପରେ ବର୍ତ୍ତମାନକୁ ଜାବୋଡ଼ି ଧରେ, ଅନାଗତ ଭବିଷ୍ୟତ ପ୍ରତି ସତର୍କ ଦୃଷ୍ଟି ଦିଏ । ଏହି ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଊନବିଂଶ ଶତକର ସପ୍ତମ ଦଶକ ପର୍ଯ୍ୟନ୍ତ ଓଡ଼ିଶାରେ ଓଡ଼ିଆ ଭାଷାରେ ଇତିହାସ ରଚନାର ଉଦ୍ୟମ ଆରମ୍ଭ ହୋଇ ନଥିଲା । ମାତ୍ର ଏହି ଶତକରେ ଓଡ଼ିଶାରେ ଅବସ୍ଥାନ କାଳରେ ଆରନୋଲ୍ଡ଼, ଷ୍ଟାରଲିଙ୍ଗ, ହଣ୍ଟର, ଫର୍ଗୁସନ, ଟଏନବୀ ପ୍ରଭୃତି ଦୂରଦୃଷ୍ଟି ସମ୍ପନ୍ନ ଇଂରେଜମାନେ ଅତୀତ ଓଡ଼ିଶାକୁ ନାନା ଦୃଷ୍ଟିରୁ ବିଚାର କରି ଇଂରାଜୀ ଭାଷାରେ ଓଡ଼ିଶାର ଇତିହାସ ଲେଖିବାର ପ୍ରାଥମିକ ପ୍ରୟାସ କରିଥିଲେ । ଏ କ୍ଷେତ୍ରରେ ପ୍ରଥମ ସ୍ରଷ୍ଟା ଥିଲେ ଆର୍ନୋଲ୍ଡ଼ ଷ୍ଟାର୍ଲିଙ୍ଗ । ଓଡ଼ିଶାର ଇତିହାସ ସମ୍ପର୍କରେ ତାଙ୍କ ସୃଷ୍ଟି ଥିଲା ‘‘Accounts of Geographical statistical and Historical of Orissa proper or Cuttack (1822)’’ । ଏହି ରଚନାର ଦୀର୍ଘ ପଚାଶ ବର୍ଷ ବ୍ୟବଧାନ ପରେ ୧୮୭୦ ମସିହାରେ ହଣ୍ଟରଙ୍କଦ୍ୱାରା ପ୍ରକାଶ ପାଇଥିଲା I ‘‘Orissa or the vissicitudes of an Indian under Native and British Rule’’ । ପରେ ପରେ ଫର୍ଗୁସନ Indian Architecture (1872) ଓ ଟଏନବୀ ‘‘A sketch of History of Orissa’’ (1873) ରଚନା କରିଥିଲେ । ଏହି କାଳକୁ ଆଚାର୍ଯ୍ୟ ପ୍ୟାରୀମୋହନ କୋଡ଼ିଏ ବାଇଶି ବର୍ଷ ବୟସର ଉଚ୍ଚ ଶିକ୍ଷିତ ଯୁବକ । ନିଜ ଚକ୍ଷୁରେ ଓଡ଼ିଶାକୁ ନୂଆ ରୂପରେ ଦେଖିବାର ପ୍ରବଳ ଉତ୍କଣ୍ଠା । ପୃଷ୍ଠଭୂମିରେ ଉତ୍କଳୀୟ ଜନତାର ଦୂରବସ୍ଥା, ଦୈନ୍ୟ, ସ୍ଥାଣୁ ମନୋବୃତ୍ତି ଏବଂ ନିର୍ବେଦତା । କିପରି ସେସବୁର ସାମ୍ନା କରିବେ ପ୍ୟାରୀମୋହନ ! ଉତ୍କଳୀୟ ଅଶିକ୍ଷିତ ମାନବ ମଧ୍ୟରେ କିପରି ସେ ଆତ୍ମବଳ ପ୍ରତିଷ୍ଠା କରିବେ !! ଠିକ୍ ଏତିକିବେଳେ ୧୮୭୫ ମସିହାରେ ଓଡ଼ିଶା ସ୍କୁଲ ସମୂହର ତତ୍‌କାଳୀନ ଜଏଣ୍ଟ ଇନିସ୍‌ପେକ୍ଟର ବିଜ୍ଞାପନ ଦେଲେ । ମଣିକାଞ୍ଚନର ସଂଯୋଗ ପରି ପ୍ୟାରୀମୋହନ ଓଡ଼ିଶାକୁ ଚିହ୍ନି ଚିହ୍ନାଇବାର ରାହା ପାଇଗଲେ । ଏହି ସୁଯୋଗରେ ସେ ଓଡ଼ିଶା ସମ୍ବନ୍ଧୀୟ ବହୁ ଗ୍ରନ୍ଥ ଅଧ୍ୟୟନ କଲେ ଓ ତାହାକୁ ନେଇ ୧୮୭୯ ମସିହା ବେଳକୁ ପ୍ରକାଶ କଲେ ‘ଓଡ଼ିଶାର ଇତିହାସ’ । ସେହି ଅବସରରେ ସେ ଗ୍ରନ୍ଥର ପ୍ରଥମ ସଂସ୍କରଣର ଭୂମିକାରେ ଉଲ୍ଲେଖ କରିଛନ୍ତି–“ଏଠାରେ କୃତଜ୍ଞତା ସହ ସ୍ୱୀକାର କରିବା ଉଚିତ ଯେ, ଏହି ପୁସ୍ତକଗତ ବିଷୟମାନ ସଂକଳନ କରିବା ବିଷୟରେ ଅନେକ ଗ୍ରନ୍ଥ ଓ କାଗଜପତ୍ରର ସାହାଯ୍ୟ ନେଇଅଛୁଁ । ହଣ୍ଟର, ଷ୍ଟର୍ଲିଂ, ସଟନ, ଟଏନବୀ ଓ ମିତ୍ର ଲିଖିତ ଓଡ଼ିଶାର ବିବରଣାବଳୀ, ଲୋକସଂଖ୍ୟା ବିଜ୍ଞାପନ, ଏଲଫିଲ୍‍ଷ୍ଟୋନ, ମାସିମାନ, ବ୍ଲଗମାନ ପ୍ରଭୃତି ଲିଖିତ ଭାରତ ଇତିବୃତ୍ତ ଓ ମୁସଲମାନ ବିବରଣୀ, ଏସିଆଟିକ୍, ସୋସାଇଟିର କେତେକ ବିଜ୍ଞାପନୀ, ମନୁ, ଚୈତନ୍ୟଚରିତାମୃତ, ଦାର୍ଢ଼୍ୟତାଭକ୍ତି ପ୍ରଭୃତି କତିପୟ ସଂସ୍କୃତ, ବଙ୍ଗଳା ଓ ଓଡ଼ିଆଗ୍ରନ୍ଥ, କମିଶନରୀ କଚେରିସ୍ଥ କେତେକ ପୁରାତନ ଓ ଆଧୁନିକ କାଗଜପତ୍ର ସେସବୁ ମଧ୍ୟରୁ ପ୍ରଧାନ । ପୁରାତତ୍ତ୍ୱବିତ୍ ବାବୁ ରଙ୍ଗଲାଲ ବାନାର୍ଜୀଙ୍କ ସାହାଯ୍ୟରେ ତମ୍ବାପଟା ପ୍ରଭୃତିରୁ ଯେତେକ ଐତିହାସିକ ସତ୍ୟ ମିଳିପାରେ ଓ ସମଗ୍ର ଓଡ଼ିଶାର ଇତିହାସ ବିଷୟରେ ଯେତେକ ବିବରଣ ପ୍ରାପ୍ତବ୍ୟ । ତାହା କୃତଜ୍ଞତା ସହିତ ଗ୍ରହଣ କରିଅଛୁଁ ।’’

 

ପ୍ୟାରୀମୋହନଙ୍କ ‘ଓଡ଼ିଶା ଇତିହାସ’ ଗ୍ରନ୍ଥର ପ୍ରଥମ ଅଧ୍ୟାୟ ‘ଓଡ଼ିଶାର ଭୂଗୋଳ ଉପରେ ପର୍ଯ୍ୟବସିତ । ୧୮୭୦-୮୦ ମସିହାରେ ଯେତେବେଳେ ଓଡ଼ିଶା କହିଲେ ମାତ୍ର ତିନିଗୋଟି ଉପକୂଳ ଜିଲ୍ଲାକୁ ବୁଝାଉଥିଲା ଠିକ୍ ସେତିକିବେଳେ ପ୍ୟାରୀମୋହନ ତାଙ୍କ ଇତିହାସ ଗ୍ରନ୍ଥ ମାଧ୍ୟମରେ ଓଡ଼ିଶାର ତତ୍‌କାଳୀନ ବୁଦ୍ଧିଜୀବୀ, ଦେଶପ୍ରେମୀ, ଶିକ୍ଷାବିତ୍ ପ୍ରଭୃତିଙ୍କୁ ପ୍ରାଚୀନ ଓଡ଼ିଶାର ଏକ ବୃହତ୍ତମ ସୀମା ସଂପର୍କରେ ସଚେତନ କରିଦେଇଛନ୍ତି ।

 

ଗ୍ରନ୍ଥର ଦ୍ଵିତୀୟ ଅଧ୍ୟାୟରେ ମାଦଳାପାଞ୍ଜି ପ୍ରସଙ୍ଗରେ ପ୍ୟାରୀମୋହନ ଉଲ୍ଲେଖ କରିଛନ୍ତି । ଏହି ପ୍ରସଙ୍ଗରେ ପ୍ୟାରୀମୋହନ ୧୮୭୯ ମସିହାରେ ଯେଉଁସବୁ ଐତିହାସିକ ଦଲିଲ ଉଦ୍ଧାର କରି ମାଦଳାପାଞ୍ଜି ଓ ଏଥିରେ ବର୍ଣ୍ଣିତ ଓଡ଼ିଶାର ପ୍ରାଚୀନ ଇତିହାସର କଥା ଉଲ୍ଲେଖ କରିଥିଲେ । ସଂପ୍ରତି ଐତିହାସିକ ଓ ସମାଜତତ୍ତ୍ୱବିତ୍‍ମାନେ ତାଙ୍କ ଠାରୁ ବୋଧହୁଏ ଆଉ ଅଧିକ ଅଗ୍ରସର ହୋଇପାରିନାହାନ୍ତି । ସେଥିପାଇଁ ଏଇ ଖୁବ୍ ନିକଟରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵର ପକ୍ଷରୁ ଆୟୋଜିତ ଏକ ଜାତୀୟ ସଂପାଦନରେ ବିଶିଷ୍ଟ ଜର୍ମାନ ଐତିହାସିକ ପ୍ରଫେସର ହର୍ମାନ କୁଲ୍‍କେ ମାଦଳାପାଞ୍ଜିରେ ବର୍ଣ୍ଣିତ ତଥ୍ୟ କେତେ ପରିମାଣରେ ସତ୍ୟ, ଯୁକ୍ତିସିଦ୍ଧ ସେଥିନେଇ ସନ୍ଦେହ ପ୍ରକାଶ କରିଛନ୍ତି । ମାତ୍ର ପ୍ୟାରୀମୋହନଙ୍କ ‘ଓଡ଼ିଶାର ଇତିହାସ’ ଗ୍ରନ୍ଥର ଇତିହାସ ସିଦ୍ଧତା ଯାହା ହେଉନା କାହିଁକି, ଯେତେବେଳେ ଓଡ଼ିଶାରେ ଶିକ୍ଷା ସଂକଟ, ଚତୁର୍ଦ୍ଦିଗରେ ସ୍ଥାଣୁ ଅବସ୍ଥାର ରାଜତ୍ୱ, ଉତ୍କଳର ଜନତା ପରାଧୀନ ପ୍ରପୀଡ଼ିତ ଓ ମୂକ, ଠିକ୍ ସେତିକିବେଳେ ସ୍ରଷ୍ଟାଙ୍କର ଏହି ଗ୍ରନ୍ଥ ରଚନା ଏ ଜାତି ଓ ଜନତାଙ୍କ ନିମିତ୍ତ ଏକ ଆଶ୍ଵସ୍ତି ନିଶ୍ଚୟ–ଏହା ଯେ କେହି ସ୍ୱୀକାର କରିବାକୁ ବାଧ୍ୟ ।

 

ଗ୍ରନ୍ଥର ପଞ୍ଚମ ଅଧ୍ୟାୟରେ ଓଡ଼ିଶାର ସ୍ୱାଧୀନତା ଲୋପ ପ୍ରସଙ୍ଗରେ ପ୍ୟାରୀମୋହନ ସମକାଳୀନ ପରାଧୀନ ପ୍ରପୀଡ଼ିତ ମାନବ ଜାତିକୁ ଉଦ୍ବୋଧନ ଦେବାକୁ ପ୍ରୟାସୀ ହୋଇ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ମୁକୁନ୍ଦଦେବ, ଜଗନ୍ନାଥ ଦେବଙ୍କର ଦୁର୍ଦ୍ଦଶାଦି ଚିତ୍ର ବର୍ଣ୍ଣନା କରିଛନ୍ତି ଏବଂ ଏସବୁ ପ୍ରସଙ୍ଗ ବର୍ଣ୍ଣନା ମଧ୍ୟରେ ଓଡ଼ିଶାର ଇତିହାସ ପ୍ରତି ସେ ସମକାଳୀନ ପାଠକମାନଙ୍କର ସଚେତନ ଭାବ ସୃଷ୍ଟି କରିଛନ୍ତି । ଗ୍ରନ୍ଥର ଅଷ୍ଟମ ଅଧ୍ୟାୟରେ ଓଡ଼ିଶାର ଶାସନ ବ୍ୟବସ୍ଥା ସହିତ ଦେଶର ଅବସ୍ଥା, ବିଦ୍ୟାଶିକ୍ଷା ଓ ଜ୍ଞାନ ଚର୍ଚ୍ଚା, ଉତ୍କଳ ଭାଷା ଓ ସାମୟିକ ପତ୍ର, ବାଣିଜ୍ୟ ଶିରୋନାମାରେ ସମକାଳୀନ ଓଡ଼ିଶାର ସମାଜ, ଶାସନ ବ୍ୟବସ୍ଥା, ଶିକ୍ଷା, ବାଣିଜ୍ୟ, ଭାଷା-ସଂସ୍କୃତି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଓଡ଼ିଆ ଭାଷା ଏକଦା ଯେଉଁ ଘୋର ଦୁର୍ଦ୍ଦିନର ସମ୍ମୁଖୀନ ହୋଇଛି ତାହା ସେ ଏହି ଅବକାଶରେ ଉଲ୍ଲେଖ କରିଛନ୍ତି । ଯଥା : ‘‘ଇଂରେଜମାନେ ଓଡ଼ିଶା ଅଧିକାର କଲା ଉତ୍ତାରୁ ଓଡ଼ିଆକୁ ଅଦାଲତ ଭାଷାରୂପେ ପ୍ରଚଳିତ କଲେ ସୁଦ୍ଧା ଓଡ଼ିଆ ଭାଷାର ଉନ୍ନତି ସାଧନ କରିବା ସକାଶେ ବିଶେଷ ଚେଷ୍ଟାନ୍ୱିତ ହୋଇ ନ ଥିଲେ । ଇଂରେଜଙ୍କର ପ୍ରଥମେ ପ୍ରଥମେ ସମସ୍ତ ଉଚ୍ଚ କର୍ମଚାରୀ ପ୍ରାୟ ବଙ୍ଗଦେଶରୁ ଆନୀତ ହୋଇଥିଲେ । ପୂର୍ବ ସାହେବଙ୍କ ଠାରେ ସେମାନଙ୍କର ବିଶେଷ କଥା ଚଳୁଥିଲା । ଦେଶରେ ପ୍ରଥମ ପ୍ରଥମ ହୋଇ ଯେଉଁ ଦେଶୀୟ ଭାଷାର ସ୍କୁଲମାନ ସ୍ଥାପିତ ହେଲା ସେ ସବୁରେ ଓଡ଼ିଆ ଅପେକ୍ଷା ବଙ୍ଗଳାଭାଷାର ବିଶେଷ ଅନୁଶୀଳନ ଚାଲିଲା । ଆଜିକି ୮ ବର୍ଷ ତଳେ ଉତ୍କଳଭାଷା ଓ ବଙ୍ଗଭାଷା ଘେନି ତୁମୂଳ ବାଗ୍‍ଯୁଦ୍ଧ ଲାଗିଥିଲା; ବଙ୍ଗୀୟମାନେ ବଙ୍ଗଭାଷାର ଓ ଉତ୍କଳବାସୀ ଓଡ଼ିୟା ବଙ୍ଗାଳୀ ଓ ଗୋଟାଏ ଉତ୍କଳ ଭାଷାର ପକ୍ଷ ଅବଲମ୍ବନ କଲେ । ଅବଶେଷକୁ ରାଜପୁରୁଷମାନେ ଓଡ଼ିୟାଭାଷାର ପୁରାତନତ୍ୱ ଓ ଜାତିତ୍ୱ ହୃଦୟଙ୍ଗମ କଲାରୁ ନିଃସହାୟ ଓଡ଼ିୟାଭାଷାର ମାନ ରକ୍ଷିତ ହେଲା ଓ ତଦାନୀନ୍ତନ ଛୋଟଲାଟ କେମ୍ବଲ ସାହେବଙ୍କଦ୍ୱାରା ଓଡ଼ିଶାରୁ ବଙ୍ଗଭାଷାର ବ୍ୟବହାର ରହିତ ହୋଇ ଓଡ଼ିୟାଭାଷା ସ୍କୁଲ ପ୍ରଭୃତି ସର୍ବତ୍ର ପ୍ରଚଳିତ ହେଲା ।’’ (ଓଡ଼ିଶାର ଇତିହାସ, ପୃ ୧୭୩/ ୧୭୪)

 

ଯୁଗେ ଯୁଗେ ଶିକ୍ଷା ହେଉଛି ସାମାଜିକ ଉନ୍ନତିର ପ୍ରଧାନ ସେତୁ । ଯେଉଁ ଦେଶରେ ଯେତେବେଳେ ଶିକ୍ଷାର କଣ୍ଠରୋଧ କରାଯାଇଛି, ସେ ଦେଶରେ ସେତେବେଳେ ଆସିଛି ଅମା ଅନ୍ଧକାର । ପଞ୍ଚଦଶ ଶତକ ବେଳକୁ ଓଡ଼ିଶା ଥିଲା ସ୍ୱାଧୀନ ରାଷ୍ଟ୍ର । ସେତେବେଳେ ଏ ଦେଶର କବି ସାହିତ୍ୟିକ ତଥା ରାଜାମହାରାଜାଙ୍କୁ ପ୍ରଜାମାନେ ଖୁବ୍ ସମ୍ମାନ କରୁଥିଲେ । ସ୍ରଷ୍ଟାମାନେ ବି ଜନତାଙ୍କ ସୁଖଦୁଃଖରେ ସାମିଲ ହେଉଥିଲେ । ମାତ୍ର ଊନବିଂଶ ଶତକ ବେଳକୁ ଯେତେବେଳେ ଶିକ୍ଷାର କଣ୍ଠରୋଧ କରାଗଲା, ଓଡ଼ିଆ ଭାଷାସାହିତ୍ୟ ଉପରେ ପ୍ରଚଣ୍ଡ ଆଘାତ କରାଗଲା, ପାଶ୍ଚାତ୍ୟ ଶିକ୍ଷା ନାମରେ ସମାଜ ବିକଳାଙ୍ଗ ହେଲା, ସେତେବେଳେ ସମାଜ ପରିବର୍ତ୍ତନ ଓ ଶିକ୍ଷା ସଂସ୍କାର ନିମିତ୍ତ ଜଣେ ଜଣେ ଯୋଗଜନ୍ମାଙ୍କର ଆବଶ୍ୟକତା ଏ ସମାଜ ଅନୁଭବ କଲା । ଏତିକିବେଳେ ନୂଆ ଚେତନାରେ ଅଭିମନ୍ତ୍ରିତ ହୋଇ ଅନ୍ୟମାନଙ୍କ ସହିତ ଆମ ସମ୍ମୁଖରେ ଆବିର୍ଭୂତ ହେଲେ ପ୍ୟାରୀମୋହନ । ସତ୍ୟର ପ୍ରତିଷ୍ଠା ନିମିତ୍ତ କଲେଜରୁ ବିତାଡ଼ିତ ହୋଇ ଶିକ୍ଷା ବିକାଶ ନିମିତ୍ତ ଓଡ଼ିଶାର ପ୍ରାଣପିଣ୍ଡ କଟକ ସହରରେ ଏକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ତାଙ୍କର ପ୍ରାଣ ବ୍ୟାକୁଳ ହେଲା । ସେତେବେଳକୁ ତାଙ୍କ ହାତରେ ସମ୍ବଳ ନାହିଁ । ମାତ୍ର ଦୃଢ଼ ମନୋବଳ ଓ ଗଭୀର ଆତ୍ମବିଶ୍ଵାସ ହିଁ ତାଙ୍କୁ ଏ କାର୍ଯ୍ୟରେ ସହାୟକ ହୋଇଥିଲା । ଫଳତଃ ବେସରକାରୀ ସ୍ତରରେ ୧୮୭୫ ମସିହାରେ କଟକରେ ପ୍ୟାରୀମୋହନ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରି ୧୮୭୯ ମସିହା ବେଳକୁ ତାହାକୁ ସେ ଏକ ଆଦର୍ଶ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିତ କରିଦେଲେ-।

 

ସୁତରାଂ ଊନବିଂଶ ଶତକର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଶିକ୍ଷା, ସଂସ୍କୃତି, ସାହିତ୍ୟ ଏବଂ ସମାଜ ବିକାଶ କ୍ଷେତ୍ରରେ ପ୍ୟାରୀମୋହନଙ୍କ ଭୂମିକା ଥିଲା ଖୁବ୍ ଗୁରୁତ୍ଵପୂର୍ଣ୍ଣ । ଏ ଜାତିର ସାମୂହିକ ବିକାଶ ନିମିତ୍ତ ତାଙ୍କ ସଂପାଦିତ ‘ଉତ୍କଳ ପୁତ୍ର’ ଯେପରି ବଳିଷ୍ଠ ପଦକ୍ଷେପ ନେଇଥିଲା, ସମକାଳୀନ ସ୍ଥାଣୁ ଉତ୍କଳୀୟ ଜନତାଙ୍କ ମଧ୍ୟରେ ପ୍ରାଣ ସଂଚାର କରିବାରେ ତାଙ୍କ ରଚିତ ‘ଓଡ଼ିଶାର ଇତିହାସ’ ସେହିପରି ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ବାସ୍ତବରେ ପ୍ୟାରୀମୋହନ ଥିଲେ ଊନବିଂଶ ଶତକରେ ଉତ୍କଳରେ ନବଯୁଗର ସ୍ରଷ୍ଟା, ସମକାଳୀନ ଓଡ଼ିଆ ଜାତିର ଦ୍ରଷ୍ଟା ଓ ଜାତୀୟ ସଙ୍କଟ କାଳର ବିଶ୍ଵକର୍ମା । ଏ ଜାତି ଓ ଜନତାଙ୍କୁ ଅମା ଅନ୍ଧକାରରୁ କିପରି ମୁକ୍ତିର ପଥକୁ ଆଣିବାକୁ ହେବ, ସେଥିପାଇଁ ତାଙ୍କ ପ୍ରାଣ ସର୍ବଦା ବ୍ୟଥିତ ହେଉଥିଲା । ସେହି ବ୍ୟଥିତ ପ୍ରାଣର ନମୁନା ଥିଲା ତାଙ୍କ ସଂପାଦିତ ‘ଉତ୍କଳ ପୁତ୍ର’ । ‘ଓଡ଼ିଶାର ଇତିହାସ’ ରଚନା ମଧ୍ୟରେ ସେ ଏ ଜାତିକୁ ଉଚିତ୍ ମାର୍ଗ ପ୍ରଦର୍ଶନ ସହିତ ଆଗାମୀ ଦିନରେ ଏ ଜାତିର ବିକାଶ ନିମିତ୍ତ ଉଦାହରଣ ସୃଷ୍ଟି କରିଥିଲେ । ଶିକ୍ଷାର ବିକାଶ ନିମିତ୍ତ ସେଦିନର ତାଙ୍କ ପ୍ରତିଷ୍ଠିତ ବିଦ୍ୟାଳୟ ଥିଲା ବେସରକାରୀ ସ୍ତରରେ ସମଗ୍ର ଓଡ଼ିଶାର ଏକ ଉଜ୍ଜ୍ୱଳ ଆଲୋକବର୍ତ୍ତିକା । ସୁତରାଂ ଓଡ଼ିଶାରେ ଜାତୀୟ ସଙ୍କଟ ଓ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ୟାରୀମୋହନ ଥିଲେ ଦ୍ରଷ୍ଟା, ଓଡ଼ିଆ ସାହିତ୍ୟ ସଂସ୍କୃତି ଏବଂ ଏହାର ଐକ୍ୟ ପ୍ରତିଷ୍ଠା କ୍ଷେତ୍ରରେ ନବଯୁଗର ନିର୍ମାତା ଓ ସ୍ରଷ୍ଟା ।

 

ବରିଷ୍ଠ ଅଧ୍ୟାପକ

ସ୍ନାତକୋତ୍ତର ଓଡ଼ିଆ ବିଭାଗ,

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,

ବ୍ରହ୍ମପୁର –୭ (ଗଞ୍ଜାମ)ଓଡ଼ିଶା ।

***

 

ଚାରୋଟି ପତ୍ର

(ବ୍ରାହ୍ମଧର୍ମ ଓ ପ୍ୟାରୀମୋହନ)

ଶ୍ରୀ ଦେବେନ୍ଦ୍ର କୁମାର ଦାଶ

 

(୧)

ମହାଶୟ,

ଉତ୍କଳ ସଭାର ଗତ ପ୍ରଥମ ଷାଣ୍ମାସିକ ଅଧିବେଶନରେ ବକ୍ତା ମହାଶୟ ଯେଉଁ ସୁଦୀର୍ଘ ବକ୍ତୃତାଟି କରିଥିଲେ ସେହି ବିଷୟରେ ମୋହର କିଛି ମନୋଭାବ ସାଧାରଣଙ୍କ ନିକଟରେ ବ୍ୟକ୍ତ କରିବାକୁ ଏକାନ୍ତ ଇଚ୍ଛା । ଆପଣ ଯଦି ଦୀପିକାରେ ଟିକିଏ ସ୍ଥାନ ଦିଅନ୍ତି ତେବେ ତାହା ପୂର୍ଣ୍ଣ ହେବ-।

 

ବକ୍ତା ମହାଶୟ ଏ ଦେଶର ଜଣେ ଉପନିବେଶୀ ହୋଇ ସୁଦ୍ଧା ଉତ୍କଳ ଭାଷା ଓ ଉତ୍କଳ ଦେଶର ଉନ୍ନତି ପକ୍ଷରେ କେତେ ଇଚ୍ଛୁକ, ତାହା ଗମ୍ଭୀର ସ୍ଵରରେ କହିବା ବେଳେ ସହଜେ ପ୍ରକାଶ ହୋଇ ପଡ଼ିଲା । କେତେ ଉତ୍କଳୀୟଙ୍କ ଶିଥିଳ ରକ୍ତନାଡ଼ୀ ଦେଶୋନ୍ମତୋପଦେଶପୂର୍ଣ୍ଣ ଉତ୍ସାହ ବାକ୍ୟରେ ସଉଷ୍ମ ହୋଇଗଲା । ଆଉ ଯେଉଁ ଉପନିବେଶୀମାନେ ଉତ୍କଳୀୟ ନୁହନ୍ତି ବୋଲି ମନେ ମନେ ଅଲଗା ହୋଇ ରହିଥିଲେ, ସେମାନେ ସୁଦ୍ଧା ଉତ୍କଳର ଉନ୍ନତି ନିଜର କର୍ତ୍ତବ୍ୟ କର୍ମ ବୋଲି ବୁଝିପାରିଲେ । ସାହିତ୍ୟ ଓ ଶିଳ୍ପକାର୍ଯ୍ୟଦ୍ୱାରା ଦେଶର ନତୋନ୍ନତ ଅବସ୍ଥା ଜଣାଯିବା ବିଷୟ ଏବଂ ବର୍ତ୍ତମାନ ଓଡ଼ିଶାର ଯେ ମର୍ଯ୍ୟାଦା କେବଳ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ହେତୁ ଅର୍ଥାତ୍ ଶିଳ୍ପ ଚାତୁର୍ଯ୍ୟରୁ ରହିଅଛି ବୋଲି ସମସ୍ତଙ୍କର ଉତ୍ତମରୂପେ ହୃଦୟଙ୍ଗମ ହୋଇଗଲା । ଆଃ ! କି ଆନନ୍ଦର ବିଷୟ ! ବକ୍ତା ଜଣେ ଅଳ୍ପ ବୟସ୍କ ଯୁବକ, ତଥାପି ତାଙ୍କର ଅନ୍ତଃକରଣରେ କିପରି ଉଚ୍ଚଭାବମାନ ବିଚରଣ କରିଅଛି ; କହିଲେ ଅତ୍ୟୁକ୍ତି ହେବନାହିଁ । ବର୍ତ୍ତମାନ ଶିକ୍ଷିତ ଯୁବକ ଶ୍ରେଣୀରେ ସେ ଜଣେ ପ୍ରଧାନ ବକ୍ତା ।

 

ବକ୍ତା ଯେତେବେଳେ ସାହିତ୍ୟ କାନନରେ ଅର୍ନ୍ତଦୃଷ୍ଟି ନିକ୍ଷେପ କରି କହୁଥିଲେ ତେତେବେଳେ ମୁରାରୀ କବି ଓ ଉପେନ୍ଦ୍ର ଭଞ୍ଜ କଣ ସିଂହ, ବାଘ ପରି ଦିଶିଲେ ? ନୋହିଲେ କାହିଁକି ବାକ୍ୟ-ବନ୍ଧୁକମାନ ଫଏର କଲେ ? ତାଙ୍କର ଦୋଷ ତ ଏହି,– ସେ ଶବ୍ଦାଳଙ୍କାର ଓ କାଠିନ୍ୟପଦ ପୂର୍ଣ୍ଣ କରି ଆଦିରସ ବିଷୟରେ ଲେଖିଅଛନ୍ତି ସତ୍ୟ, ପୂର୍ବର ସବୁ କବିତ ଆଦିରସ ପ୍ରିୟ ! କୁମାର ସମ୍ଭବ, ଶକୁନ୍ତଳା, ନୈଷଧ, ମେଘଦୂତ, ହଂସଦୂତ ପ୍ରଭୃତି ଆଦିରସପୂର୍ଣ୍ଣ କାବ୍ୟ ; ତେବେ ଏ କାହିଁକି ଅପମାନିତ ହେଲେ ? କବିତା କିଛି ଆଦିରସ ଅନ୍ତରସରେ ହୁଏ ନାହିଁ, କି ଶବ୍ଦାଳଙ୍କାର ଥିଲେ ନ ଥିଲେ ହୁଏ ନାହିଁ । ତାହା କେବଳ କବିର ସିନ୍ଧୁମନ୍ଥନାମୃତ, ଲୌହ ବା ସୁବର୍ଣ୍ଣପାତ୍ରରେ ରହିଲେ ତାହାର ମାନର ନ୍ୟୁନାଧିକ ହୋଇ ନ ପାରେ । ଆମ୍ଭେମାନେ ଅମୃତ ପାନ ନ କରି ପାତ୍ର କାମୋଡ଼ା ହେବା କାହିଁକି ? ମୁରାରୀ କର୍ତ୍ତା ଜଣେ ପ୍ରଧାନ କବି, ତାହାଙ୍କ ରଚନାର ସ୍ଥାନେ ସ୍ଥାନେ ଚାତୁରୀ କଥା ଓ ଉତ୍କୃଷ୍ଟ ଭାବମାନ ରହିଅଛି, ଯେଉଁମାନେ ତାହା ପଢ଼ିଅଛନ୍ତି ସେମାନେ କବିଙ୍କର ଉଚ୍ଚ ହୃଦୟର ପରିଚୟ ପାଇଥିବେ ।

 

ଆହୁରି ଗୋଟିଏ କଥା ମନେ ପଡ଼ିଲା । ବକ୍ତା ମହାଶୟ ମୁରାରୀ ପାଠକରି ମୁରାରୀ-ଅରି-। ହେଲେ ନା କାହାରି ସମାଲୋଚନା ପଢ଼ି ଭୁଲିଗଲେ ? ବକ୍ତା ଯେପରି ସଦ୍ଭାବ ଗ୍ରାହକ, ପଢ଼ିଥିଲେ ଏପରି କରନ୍ତେ ନାହିଁ ପରା ? ନ ପଢ଼ିଥିଲେ କହିଲେ ବାକିପରି ? ସେକି ଅନ୍ୟ ଜଣର ମତ ନେଇ ନିଜ ମତ ପରିବ୍ୟକ୍ତ କରିବା ଲୋକ ? ନା ! ଏ ସ୍ଥଳେ ମୁରାରୀରୁ ଦିୟୋଟି ଗୋଟିଏ ଉଦାହରଣ ଦେଇ ଦୋଷ ଦେଖାଇଥିଲେ ଭଲ ହୋଇଥାନ୍ତା ।

 

ଭଞ୍ଜଙ୍କ ପରି ଜଣେ ଭାଷା କବି କିଏ ? କହିବାକୁ କି ଅଛି ନା ଚାହିଁବାକୁ କି ଅଛି । ତାହାଙ୍କର ରଚନାଗୁଡ଼ାକ କଣ ଖାଲି ଆଦିରସରେ ଲଟପଟ ଏମନ୍ତ ନୋହେ । ତହିଁରେ ସ୍ଥାନେ ସ୍ଥାନେ ଭଲ କଥା ଅଛି, ଭଲ ଭାବ ଅଛି, ଦେଶରୀତି ଅନୁସାରେ ଦେହଯାକରେ ଅଳଙ୍କାର ରଣଝଣ ହେଉଥିଲେ ହେଁ ସୌନ୍ଦର୍ଯ୍ୟର ଊଣା ହୋଇନାହିଁ ବରଂ ଅଧିକ ହୋଇଅଛି । ଯେଉଁମାନେ ଏହାଙ୍କ ରଚିତ ବୈଦେହୀଶ ବିଳାସ ବା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରଭୃତି ଖଣ୍ଡିଏ ଖଣ୍ଡିଏ କାବ୍ୟ ଆଦ୍ୟ ପ୍ରାନ୍ତ ପାଠ କରି ଅଛନ୍ତି ସେମାନେ କଦାପି ଗୁଣ ଅଂଶ ନ ଘେନି ଦୋଷ ଅଂଶ ନେଇ କବିଙ୍କି ବା କାବ୍ୟକୁ କଳିଙ୍କ ଦେଇପାରିବେ ନାହିଁ ।

 

ତା ୨୫.୧.୭୮ରିଖ, କଟକ

ଜଣେ ଓଡ଼ିଆ ଦର୍ଶକ

 

(୨)

To

The Editor of Utkal Dipika

Sir,

We have had the honor of attending this meeting and were gratified to see a band of young men organising a movement for the repression of the increasing vice of drunkenness amongst the rising generation of Oriyas - I say drunkenness only for this formed their first count of indictment. The people of Orissa as a whole are quite free from this vice but at the chief centres of improvement in the province the effects of wine have been more perceptible of late and the attempts to create a strong public opinion against intoxication of any sort is surely commendable however limited be the success it has the prospect of achieving at the end. We however think it our duty to offer observations on the mode of our patriotic reformers have adopted to gain their end.

 

People who seek to do good to their community should learn to be humble but we met last night an amount of egotism in the mover which appeared to us to be far from being praiseworthy. Throughout the lengthy speeches of the movers and seconders, there was not a word mentioned about existence of a Temperance Fraternity in this town. Some fifteen years ago as a branch of the Bengal Temperance Society founded by the late Babu Peary Churn Sirnar, the Dr. Arnold of Bengal. The then Cuttack Fraternity had been ushered into the world with as much (if not more) talk as the present one, it secured many signatures to its pledge forms in the manner our present Fraternity seeks to do, it determined atleast for a time some popular lectures on the evils of intemperance although that Fraternity is now no more, I hope the present one will deserve better fate. The movers should have in common courtesy at least referred to the doings of their elders in this branch of social improvement.

 

Again, the Hony. Secretary to the Cuttack Association was rather too strong in his language towards two gentlemen who had written to him to say that time had not assumed for organisation of temperance movement. It was a question of opinion merely and the patriotic movers had not the calmness to withstand this simple contradiction. I do not see how they can consider themselves worthy of the task of social reformation they have voluntarily taken upon themselves in this part of the country.

 

Babu Peary Mohan is always carried with the vehemence of his feelings and not infrequently mars the good effects of his otherwise feeling speeches. He always tends to be personal and his comical gestures caricaturing the attitude of a gentleman per chance a drinker while smoking tobacco showed very bad taste indeed, verging on vulgarity. In the name of gentlemanliness and good breeding I would advise my friend to divest himself while on the fullfit, of his exalted nature of ego. It will detract nothing from his merit as a social reformer if he would only stoop to argue with a gentlemanly, meakness. Some of our speakerfriends sought to repudiate the common notion, their speeches would likely raise in men’s minds that the Bengalees are always fond of idle prattle. I do not mean to say that the deliberations of last night’s meeting were wholly useless commonplace talks but I have no doubt that the impression most of us carried home was that more than half of the speakers would have done better in not inflicting repetitives and their half hearted platitudes. Some of these - unfledged patriots however displayed their laudable ambition of once playing the part of a Keshub Chundra or a Surendranath and always keeping their phranix or larynx moist for purposes of stentorian vociferation.

 

The movement, I need further to add, seems to have been hatched up in hot haste as the programme for the meeting shows no signs of mature deliberations. Resolutions-Ill does not define ‘intoxicating substances’ and while one eloquent member said ‘‘I hate smoking as well as drinking”, another member stood forward to ‘‘exempt tobacco from the ban of fraternity’’ and a third would have the definition to be settled by the powerful Executive Committee. Resolution I had left the pledge to be signable by boys who are not yet old enough to judge for themselves, and it required to be so frequently amended though the amendment itself did not meet with the approval of many.

 

Whatever other people might think or do, the persons that seek humanity for their brotherhood and endeavour to make the good of the many, their own good should have no party feeling nor cliquism of any kind. Such people should give assistance to the many and should receive assistance from any that would not voluntarily withhold it. And yet what does the election to your Executive Committee at the last meeting shows ? A public meeting was called while the programme of work to be transacted there, was discussed in the greatest secrecy and a committee of 9 persons is formed all of whom are more or less belonging to the profession of the school master. Were there no people of the other professions willing to work on the Committee ? Was anybody asked ? Again of these, 5 come from the body of the Honorary Secretary of the Katak Association and again of the 9, some 4 or 5 have been in province not above a quarter of a year. I do not know of what earthly use they will be in real practical work of the Fraternity or Bonafide nature of the province again has been taken into the Committee. Is this not selfishness and egotism ?

 

Because the gentlemen had the courage to broach a different opinion from what is entertained by the leaders of the Association on the subject of a temperance movement one and all the speakers had the good taste to traduce the whole body of the elder class of educated natives and our friend Peary Mohan to follow suit always falling foul with certain marked Bengali gentlemen - as it is his devout practice.

 

The most sincere man in the whole movement seems to us to be the amiable Babu Jadumani Ghosh who combines in his person some of the admirable qualities. He has really consecreted himself to the cause of religion and humanity and we may hope for some real and earnest work from him, but in this we do not mean particularly to disparage the other members of the Committee; if they really feel for the public welfare and mean to be honest workers and no nam-ka-waste patriots.

 

We wish the gentlemen who, satirically perhaps, called themselves 'youngsters' will not have the fickleness of the body whose name they have assumed. It is notorious that the enthusiastic reception that was accorded to Babu Bhudeb Mookherjea last month was mainly at the instances of Katak Association and that almost immediately where the reception - with long drawn eulogiums on the moral excellence of the revered guest - was over a reaction was come on their feelings anent the public movement, as if a breath served to form their resolution to receive and a breath again served to show the utter uselessness, nay immorality, of such a public reception. Blessed hospitality !!

 

27.4.79

 

(୩)

Το

The Editor of the Utkal Dipika, Cuttack.

Sir,

My attention has been drawn to an English letter which appeared in your last issue anent the Temperance Meeting of the 26th ultimo. I have read it carefully but contrary to my expectations, I find in it no dispassionate examination of the proceedings of the meeting but rather a very ungenerous attempt at personal exposure. Any sensible and impartial man acquainted with the proceedings of that night cannot but feel indignant as he reads the very unfair attacks made against Babu Peary Mohan Acharya and his co-adjutors. I do not mean to vindicate everything that the speakers said that night, but I beg to show to those of your readers who did not attend the meeting that many of the statements of your correspondent are quite misleading and that the various charges of personality, egotism, eliquism etc. which he has poured forth with such amiable good humour have no justification whatever.

 

Mr. Editor, you yourself have shown how futile and fallacious the charge of egotism is that the writer has brought against our friends of the Temperance Fraternity. It must be a very curious process indeed which has enabled him to infer rank egotism from their simple ignorance of the existence of a Temperance Society that had its being 15 years ago.

 

I now come to the charges of vulgarity and ill-breeding which your correspondent has directly or indirectly levelled against Babu Peary Mohan Acharyya. In order to test the faithfulness of my impressions, I have enquired of about a dozen gentlemen that attended the meeting as to whether they consider these charges to be true. They have one and all assured me that they could by no means form so low an estimate of the very eloquent and thrilling speech delivered by Peary Babu on the occasion. True it is that he ridiculed all drunkards and opium-smokers, but he did so in no ungentlemanly fashion. Is it ill-breeding, I ask, to expose the derision those that degrade themselves to the level of beasts and by this means to create a wholesome aversion towards the monstrous vices of drunkenness and opium-smoking ? Have not great orators in times past and present employed ridicule with all its unsparing severity against the crying plagues of society ? Again, holding up the beloved Hooka of the opium-smoker to public derision is by no means making one’s self guilty of blasphemy. I now come to the charge of personality. Your correspondent accuses Babu Peary Mohan of “always falling foul with certain marked Bengali gentleman as it is his devout practice." This is a most gratuitous assertion. I fully remember what Peary Babu said with reference to the Bengalees. He only persistentely declared that it was our Bengali friends (among whom he included Deputy Magistrates, School masters and others) who had introduced drinking into the circle of the educated community of Orissa; and if in making this remark he has erred, he has erred in good company; for the very same remark was most publicly made by the remarkable Brahmo Missionary Baboo Pratap Chundera Mazundar during his sojourn here in 1875. But is it not a fact that drinking, if not wine, has been imported into our midst by our Bengali brethern ? Has not the evil example of many a Bengali sojourner done an immense amount of mischief in this respect ?

 

As to the charges of secrecy and narrow minded cliquism which your correspondent tries to bring home to the Secretary of Katak Association and his friends, I beg to affirm that they have no foundation whatever, the facts being that prior to the convening of the Temperance Meeting, the Executive Committee of the Katak Association has duly discussed and settled the programme of the work that was to be transacted there and had also asked two or three bonafide native gentlemen to serve on the Executive Committee of the Temperance Fraternity. These gentlemen however refused to join the committee because they said they did not like to sign any Pledge. Again your correspondent very mystically says that 5 of the 9 members of the committee “come from the body of Secretary," perhaps meaning thereby that those 5 gentlemen are connected with the school established by Peary Babu. I do not wish to characterize a remark like this.

 

Your correspondent is not content with having attacked Peary Babu only; but goes on to characterize the other speakers as ‘unfledged patriots' and traducers. He also insinuatingly hints that these men are no ‘honest workers’ but ‘mere namka-waste patriots’. How these groundless assertions could be made by the writer about such earnest and sincere men as Babu Shashi Bhusan Dutta, M.A., passes my poor comprehension. In the name of truth I humbly beg the writer to reconsider them and if he has goodness enough, to retract them.

 

There are many other remarks in the letter under comment to which I take exception, but I am afraid my reply is already too long. I must therefore conclude with an earnest prayer that your correspondent may learn to do justice to his neighbours.

 

Iam

Yours etc.

Justice.

 

(୪)

To

The Editor of Utkal Dipika

Sir,

I understand that one or two men are trying to have it impressed on the minds of others that it is a habit with me to speak against the Hindus or Hinduism in Public Lectures. I challenge my good friends to name the lecture or point out the passage or passages, in which I did so. I appeal to you, Mr. Editor, and for all other gentlemen who favoured me with their audience on any occasion to say whether I ever spoke disrespectfully of any religious sect at all with a view to outrage the feelings of its adherents.

 

Cuttack

12.2.80

I remain Sir,

Yours obediently

Peary Mohan Acharyya

 

***

 

ଆଲୋଚନା

।। ଏକ ।।

ଉଦ୍ଧୃତ ହୋଇଥିବା ଚାରୋଟି ଯାକ ପତ୍ର ଗୌରୀଶଙ୍କର ରାୟଙ୍କଦ୍ୱାରା ସଂପାଦିତ ଓ କଟକରୁ ପ୍ରକାଶିତ ‘ଉତ୍କଳଦୀପିକା’ ସାପ୍ତାହିକ ସମ୍ବାଦପତ୍ରରେ ମୁଦ୍ରିତ । ଚାରୋଟି ପତ୍ରରୁ ତିନୋଟି ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସଂପର୍କରେ ଓ ଶେଷ ପତ୍ରଟି ସ୍ଵୟଂ ପ୍ୟାରୀମୋହନଙ୍କଦ୍ୱାରା ଲିଖିତ । ଏହି ଚାରୋଟି ପତ୍ର ଦୀପିକାର ବିଭିନ୍ନ ସଂଖ୍ୟାରେ ନିମ୍ନ କ୍ରମରେ ପ୍ରକାଶିତ : ୧ମ ପତ୍ର–ତ୍ରୟୋଦଶ ବର୍ଷ ଚତୁର୍ଥ ସଂଖ୍ୟା (୨୬.୧.୧୮୭୮); ଦ୍ଵିତୀୟ ପତ୍ର–ଚତୁର୍ଦ୍ଦଶ ବର୍ଷ ଅଷ୍ଟାଦଶ ସଂଖ୍ୟା (୩.୫.୧୮୭୯); ତୃତୀୟ ପତ୍ର–ଚତୁର୍ଦ୍ଦଶ ବର୍ଷ ବିଂଶ ସଂଖ୍ୟା (୧୭.୫.୧୮୭୯); ଚତୁର୍ଥ ପତ୍ର–ପଞ୍ଚଦଶ ବର୍ଷ ସପ୍ତମ ସଂଖ୍ୟା (୧୪.୨.୧୮୮୦) । ଏହି ଚାରୋଟି ପତ୍ରରୁ ଗୋଟିଏ ପତ୍ର ଡକ୍ଟର ନଟବର ସାମନ୍ତରାୟଙ୍କ ‘ଓଡ଼ିଶା ସାହିତ୍ୟର ସମୀକ୍ଷା ଓ ସଂଗ୍ରହ’ ପୁସ୍ତକରେ ପୂର୍ବରୁ ମୁଦ୍ରିତ ହୋଇଥିଲା । ଡକ୍ଟର ସାମନ୍ତରାୟ କିନ୍ତୁ ପତ୍ରଟି ସଂପର୍କରେ କୌଣସି ଆଲୋଚନା କରି ନାହାନ୍ତି ।

 

୧୮.୧.୧୮୭୮ ତାରିଖରେ ‘ଉତ୍କଳ ସଭା’ର ପ୍ରଥମ ଷାଣ୍ମାସିକ ଅଧିବେଶନରେ ପ୍ୟାରୀମୋହନ ଆଚାର୍ଯ୍ୟ ‘ଉତ୍କଳଭାଷା’ ସଂପର୍କରେ ଏକ ଦୀର୍ଘ ବକ୍ତୃତା ଦେଇଥିଲେ । କବି ରାଧାନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ୟାରୀମୋହନ ଯାହାସବୁ କହିଥିଲେ, ସେସବୁ ସଂପର୍କରେ ‘ଉତ୍କଳଦୀପିକା’ର ବିବରଣୀ ହେଲା :

 

ପ୍ରାଚୀନ ଶିଳ୍ପକାର୍ଯ୍ୟ ଓ ଭାଷା ସକାଶେ ଓଡ଼ିଶାର ଗୌରବ ରହିଅଛି । ଶିଳ୍ପ କାର୍ଯ୍ୟର ପରିଚୟ ଭୁବନେଶ୍ୱର ଓ ପୁରୀର ମନ୍ଦିରମାନ ଏବଂ ଭାଷାର ପରିଚୟ ପ୍ରାଚୀନ ଗ୍ରନ୍ଥମାନ । ମନ୍ଦିରମାନଙ୍କର ଅଶ୍ଳୀଳ ମୂର୍ତ୍ତିର କଥା ବିସ୍ମୃତ ହେବାରେ ସେ ସମସ୍ତର ଗୌରବ ରହିଗଲା ।...କିନ୍ତୁ ସେହି ଅଶ୍ଳୀଳତାର ଅପରାଧରେ ପ୍ରାଚୀନ ରଚନାର ଏତେ ନିନ୍ଦା ହେଲା ଯେ ବୁଝିବା ଲୋକ ନିଶ୍ଚୟ ମନରେ କରିଥିବେ ଯେ ସେସବୁ ଯଥାର୍ଥରେ ଆମ୍ଭମାନଙ୍କ କଳଙ୍କ ଅଟଇ । ସବୁ ଗ୍ରନ୍ଥକାର ଅପେକ୍ଷା ଉପେନ୍ଦ୍ରଭଞ୍ଜ ଓ ସବୁ ଗ୍ରନ୍ଥ ଅପେକ୍ଷା ଲାବଣ୍ୟବତୀ ଅଧିକ ଗାଳି ଖାଇଲେ ।... ବକ୍ତୃତାର ସାରକଥା, ଆମ୍ଭେମାନେ ଏହି ବୁଝିଲୁ ଯେ ଓଡ଼ିଆ ଭାଷାରେ ପ୍ରାଚୀନ କାଳର ଏମନ୍ତ କିଛି ସଂପତ୍ତି ନାହିଁ ଯାହାକି ଭାଷାର ଉନ୍ନତି ସକାଶେ କାର୍ଯ୍ୟରେ ଆସିବ ଓ ବର୍ତ୍ତମାନ କାଳରେ ଏତେ ପ୍ରତିବନ୍ଧକ ଦେଖାଯାଏ ଯେ ସେ ସମସ୍ତ ଅତିକ୍ରମ କରି ସଭ୍ୟରୁଚି ଅନୁସାରେ ଭାଷା ସଂଗଠିତ ହେବା କଠିନ । (୧୩/୪; ୨୬.୧.୧୮୭୮)

 

ପ୍ୟାରୀମୋହନଙ୍କ ବକ୍ତବ୍ୟକୁ ବିରୋଧ କରି ପ୍ରଥମ ପ୍ରେରିତ ପତ୍ରଟି ଲିଖିତ । ଗୌରୀଶଙ୍କରଙ୍କ ବିବରଣୀକୁ ଏହି ପତ୍ର କେବଳ ସମର୍ଥନ କରିନାହିଁ, ଭାଷା ଓ ପ୍ରକାଶଭଙ୍ଗୀ ଦୃଷ୍ଟିରୁ ‘ଜଣେ ଓଡ଼ିଆ’ ଗୌରୀଶଙ୍କର ହେବା ସମ୍ଭବ । ପ୍ରାଚୀନ ସାହିତ୍ୟକୁ, ବିଶେଷତଃ ଉପେନ୍ଦ୍ର ଭଞ୍ଜଙ୍କ ରଚନାକୁ, ଅଶ୍ଳୀଳ ବୋଲି ଅଭିହିତ କରି ସେସବୁ ସଭ୍ୟରୁଚିର ନୁହେଁ କହିବା ଦ୍ଵାରା ପ୍ୟାରୀମୋହନ, ‘ଉତ୍କଳଦୀପିକା’ ବିବରଣୀରେ ଓ ପତ୍ରଲେଖକଙ୍କଦ୍ୱାରା ସମାଲୋଚିତ / ଭର୍ତ୍ସିତ ।

 

୨୬.୪.୧୮୭୯ତାରିଖରେ ରେଭେନ୍ସା କଲେଜ ଗୃହରେ ‘କଟକ ଆସୋସିଏସନ’ର କେତେକ ସଭ୍ୟ ଓ କର୍ମକର୍ତ୍ତାଙ୍କ ଯତ୍ନରେ କଟକରେ ଏକ Temperance Fraternity ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ପାଦ୍ରୀ ଜନସନ । ସଂପୃକ୍ତ ସଭା ସଂପର୍କରେ ‘ମାଦକସେବନ-ନିବାରଣୀ ସଭା’ ଶୀର୍ଷକରେ ଏକ ବିବରଣୀ ଦେଇ ଗୌରୀଶଙ୍କର ଲେଖିଥିଲେ :

 

କାରଣ ବଶରୁ ଆମ୍ଭେମାନେ ସଭାରେ ଉପସ୍ଥିତ ହୋଇ ପାରିନାହୁଁ ମାତ୍ର ତହିଁର କାର୍ଯ୍ୟ ବିବରଣୀ ବିଶ୍ୱସ୍ତ ସୂତ୍ରେ ଅବଗତ ହୋଇଅଛୁଁ ।... ସଭାରେ ସୁଦୀର୍ଘ ବକ୍ତୃତାମାନ ହୋଇଥିଲା । ତହିଁର ସାରକଥା ଏହି ଯେ ପୂର୍ବେ ଏ ଦେଶରେ ସୁରାପାନ ନ ଥିଲା, ବଙ୍ଗଦେଶୀୟ ବଙ୍ଗାଳିମାନେ ଏ ଦେଶକୁ ଆସି ଓଡ଼ିଆମାନଙ୍କୁ ସୁରାପାନ ଶିଖାଇଲେ । ମାଦକସେବନ ଲୋକଙ୍କୁ ନାନାଦି ରୋଗ ଓ ପାପଗ୍ରସ୍ତ କରାଏ ଓ ତ୍ୟାଗ କରିବାର ସମ୍ୟକ ପ୍ରକାରରେ ଉଚିତ । (ଉତ୍କଳଦୀପିକା ୧୪/୧୮; ୩.୫, ୧୮୭୯)

 

ଏହି ସଭାର ମୁଖ୍ୟ ଆୟୋଜକ ପ୍ୟାରୀମୋହନ ଓ ତାଙ୍କର ବନ୍ଧୁବର୍ଗଙ୍କ ବକ୍ତବ୍ୟ ଓ କାର୍ଯ୍ୟାବଳୀକୁ ବିରୋଧ କରି ଦ୍ୱିତୀୟ ପତ୍ରଟି ପ୍ରକାଶିତ ।

 

ଦ୍ୱିତୀୟ ପତ୍ର ପ୍ରକାଶ କରିବା ଅବସରରେ ଗୌରୀଶଙ୍କର ଲେଖିଥିଲେ :

 

ତହିଁରୁ (ପତ୍ରରୁ) ବୋଧହୁଏ ଯେ କାହାରି କାହାରି ବକ୍ତୃତାକିଛି ଦୋଷଯୁକ୍ତ ହୋଇଥିଲା ଓ ଶ୍ରୋତାଙ୍କର ପ୍ରୀତିକର ହୋଇନାହିଁ । ପତ୍ରିପ୍ରେରକ ଲେଖନ୍ତି ଏ ସଭାରେ ବକ୍ତାମାନେ ପୂର୍ବସଭାର ପ୍ରସଙ୍ଗ ଲେଶମାତ୍ର ଉଲ୍ଲେଖ କରିନାହାନ୍ତି । ଆମ୍ଭେମାନେ ବୋଧକରୁଁ ଅହଂକାର ବଶରୁ ନ ହୋଇ ଭ୍ରମବଶତଃ ତାହା ହୋଇଥିବ ଅଥବା ନବବକ୍ତାମାନଙ୍କୁ ପୂର୍ବକଥା ଜଣା ନ ଥିବ । (ପୂର୍ବୋକ୍ତ)

 

ଗୌରୀଶଙ୍କରଙ୍କର ଏଭଳି ମତାମତ କିନ୍ତୁ ମାଦକସେବନ-ନିବାରଣୀ ସଭାର କର୍ମକର୍ତ୍ତାମାନଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ଅପର ପକ୍ଷରେ ସଭାର ମୁଖ୍ୟ ଆୟୋଜକ ପ୍ୟାରୀମୋହନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ କରାଯାଇଥିବା ଆକ୍ଷେପ ସଂପର୍କରେ ଗୌରୀଶଙ୍କର ନୀରବ ରହିଛନ୍ତି । ଏହି ପରି ପ୍ରେକ୍ଷୀରେ ପ୍ୟାରୀମୋହନଙ୍କୁ ସମର୍ଥନ କରି ତୃତୀୟ ପତ୍ରଟି ଲିଖିତ । ଏହି ପତ୍ରର ଲେଖକ ସ୍ୱୟଂ ପ୍ୟାରୀମୋହନ ବା ତାଙ୍କର ଘନିଷ୍ଠତମ ବନ୍ଧୁ ମଧୁସୂଦନ ରାଓ ହେବାର ଅନେକ ସଂଭାବନା, ଏଠାରେ ସୂଚନା ଯୋଗ୍ୟ ଯେ, ପ୍ୟାରୀମୋହନଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ହୋଇଥିବା Temperance Fraternity ପ୍ରତିଷ୍ଠିତ ହେବାର ଅଳ୍ପଦିନ ମଧ୍ୟରେ ଭାଙ୍ଗିଯାଇଛି ଓ ଏହି ସଂପର୍କରେ ‘ଉତ୍କଳଦୀପିକା’ ପୃଷ୍ଠାରେ ବିବାଦ ଲାଗି ରହିଛି ।

 

୧୮୭୯ ମସିହା ଅଗଷ୍ଟ / ସେପ୍ଟେମ୍ବର ମାସରେ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ‘ଓଡ଼ିଶାର ଇତିହାସ’ ପ୍ରକାଶିତ ହେଲାପରେ ସେହି ଇତିହାସକୁ କେନ୍ଦ୍ର କରି ବିବାଦର ସୂତ୍ରପାତ ହୋଇଛି । ପ୍ରସଙ୍ଗକ୍ରମେ, ପ୍ୟାରୀମୋହନ ବିଭିନ୍ନ ସଭାସମିତିରେ ଦେଇଥିବା ଭାଷଣ ମଧ୍ୟ ଆଲୋଚନା ପ୍ରସଙ୍ଗକୁ ଆସିଛି । ସେ ହିନ୍ଦୁଧର୍ମର ବିରୋଧୀ ହୋଇଥିବାରୁ ଭାଷଣଗୁଡ଼ିକରେ ଓ ଇତିହାସରେ ସେହି ଧର୍ମ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଛି । ଏହି ଅଭିଯୋଗ ସଂପର୍କରେ ଆପଣା ମତାମତ ଦେଇଛନ୍ତି ପ୍ୟାରୀମୋହନ ଚତୁର୍ଥ ପତ୍ରରେ । ସେ କୌଣସି ଧର୍ମ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ କେବେ ଦେଇ ନ ଥିବା ଉପରୋକ୍ତ ପତ୍ରରେ ସ୍ପଷ୍ଟ କରିଛନ୍ତି ।

 

ଏହି ପତ୍ରାବଳୀରୁ, ବିଶେଷତଃ ପ୍ରଥମ ଦୁଇଟି ପତ୍ରରୁ, ଧାରଣା ହୋଇପାରେ ଯେ ‘ଉତ୍କଳଦୀପିକା’ର ସଂପାଦକ ଗୌରୀଶଙ୍କର ଓ ପ୍ୟାରୀମୋହନଙ୍କ ମଧ୍ୟରେ ବ୍ୟକ୍ତିଗତ ବିଦ୍ୱେଷ ଅଥବା ଅସଦ୍‌ଭାବ ଥିଲା । ଯାହା ଫଳରେ ପ୍ୟାରୀମୋହନଙ୍କ ସଂପର୍କରେ କେତେକ ନିନ୍ଦାମୂଳକ ସମ୍ବାଦ ଓ ପତ୍ର ‘ଉତ୍କଳଦୀପିକା’ରେ ପ୍ରକାଶିତ । ଏହି ବିବରଣୀ/ପତ୍ରର ବକ୍ତବ୍ୟକୁ ଖଣ୍ଡନ କରିବାକୁ ତୃତୀୟ ଓ ଚତୁର୍ଥ ପତ୍ର ଲିଖିତ । ବାସ୍ତବତଃ ତାହା ନୁହେଁ । ଗୌରୀଶଙ୍କରଙ୍କର ପ୍ୟାରୀମୋହନଙ୍କ ପ୍ରତି ଥିଲା ଅକୁଣ୍ଠିତ ଶ୍ରଦ୍ଧା । ପ୍ୟାରୀମୋହନଙ୍କ ସଂପାଦିତ ‘ଉତ୍କଳପୁତ୍ର’ ଗୌରୀଶଙ୍କରଙ୍କଦ୍ୱାରା ପରିଚାଳିତ କଟକ ପ୍ରିଣ୍ଟି କମ୍ପାନୀରୁ ପ୍ରକାଶିତ ହେଉଥିଲା । ପ୍ୟାରୀମୋହନଙ୍କ ଇତିହାସକୁ ନେଇ ଯେଉଁସବୁ ଆନ୍ଦୋଳନ ହୋଇଥିଲା, ସେହି ଆନ୍ଦୋଳନରେ ପ୍ୟାରୀମୋହନଙ୍କ ସପକ୍ଷରେ ଛିଡ଼ା ହୋଇଥିଲେ ଗୌରୀଶଙ୍କର । ପ୍ୟାରୀମୋହନଙ୍କଦ୍ୱାରା ସ୍ଥାପିତ ଓ ପରିଚାଳିତ କଟକ ଏକାଡେମୀର ପ୍ରବେଶିକା ପରୀକ୍ଷାଫଳ ଆଲୋଚନା କରି ଗୌରୀଶଙ୍କର ଲେଖିଥିଲେ :

 

କେବଳ ପ୍ୟାରୀବାବୁଙ୍କ ସ୍ଥାପିତ କଟକ ଏକାଡେମୀ ଓଡ଼ିଶାର ମର୍ଯ୍ୟାଦା ରକ୍ଷା କରିଅଛି । ଏହି ସ୍କୁଲରୁ ଯେଉଁ ଦୁଇଜଣ ପରୀକ୍ଷା ଦେଇଥିଲେ ତହିଁ ମଧ୍ୟରୁ ଏକ ଜଣ ପ୍ରଥମ ଏବଂ ଅପରଟି ଦ୍ୱିତୀୟ ଶ୍ରେଣୀରେ ପାସ କରିଅଛି । ଓଡ଼ିଶାର ଆଉ କୌଣସି ସ୍କୁଲର ଛାତ୍ର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇନାହିଁ । ଏପରି ସୁଫଳ ସକାଶେ ଆମ୍ଭେମାନେ ପ୍ୟାରୀବାବୁଙ୍କ ମଙ୍ଗଳବାଦ କରୁ ଅଛୁଁ-। ତାହାଙ୍କର ଅର୍ଥ ବ୍ୟୟ ଓ ଅଧ୍ୟବସାୟ କ୍ରମଶଃ ଏପରି ସୁଫଳରେ ମଣ୍ଡିତ ହେବା ବଡ଼ ପ୍ରଶଂସାର ବିଷୟ ଅଟଇ ।

(ଉତ୍କଳ ଦୀପିକା- ୧୬୩; ୧୫.୧.୧୮୮୧)

 

ସେହି ପରି କଟକ ଏକାଡେମୀର ପୁରସ୍କାର ବିତରଣ ସଭାର ବିବରଣୀ ଦେବା ଅବସରରେ ପ୍ୟାରୀମୋହନଙ୍କ ସଂପର୍କରେ ଆପଣା ମତାମତ ଦେଇ ଗୌରୀଶଙ୍କର ଲେଖିଥିଲେ :

 

କଟକ ଏକାଡେମୀକୁ ପ୍ୟାରୀବାବୁ ଆପଣା ବ୍ୟୟରେ ସ୍ଥାପନ କରି ସନ ୧୮୭୫ ସାଲଠାରୁ ଏପର୍ଯ୍ୟନ୍ତ ସୁଖ୍ୟାତି ସହିତ ଚଳାଇ ଆସୁଅଛନ୍ତି ବଡ଼ ପ୍ରଶଂସାର ବିଷୟ ଅଟଇ । ଜଣେ ସହଜ ଅବସ୍ଥାର ଲୋକ ଯତ୍ନ ଓ ଚେଷ୍ଟା କଲେ କେମନ୍ତ ଦୁରୂହ କାର୍ଯ୍ୟ ସାଧିତ ହୁଅଇ ସର୍ବସାଧରଣ ଏଥିରୁ ଶିକ୍ଷା କରନ୍ତୁ । ପ୍ୟାରୀବାବୁ ସ୍ଵୟଂ କେତେ ଟଙ୍କା ଏ ବିଦ୍ୟାଳୟ ପଛରେ ବାର୍ଷିକ ବ୍ୟୟ କରନ୍ତି ତାହା ବିଜ୍ଞାପନରୁ ଜଣାଗଲା ନାହିଁ । କିନ୍ତୁ ଯେ ସ୍ଥଳେ କେହି ସାହାଯ୍ୟ ଦେବାର କଥିତ ହୋଇନାହିଁ ଏବଂ ବାର୍ଷିକ ଆୟ ଟ ୧୪୩୯ଙ୍କା ମଧ୍ୟରୁ ଫିସ୍ ଓ ଜୋରିମାନାଦ୍ୱାରା କେବଳ ଟ୬୪୮ଙ୍କା ଆଦାୟ ହୋଇଥିଲା ସେ ସ୍ଥଳେ ଅବଶିଷ୍ଟ ପ୍ରାୟ ଟ୮୦୦ ଙ୍କା ସେ ହାତରୁ ଦେଇଥିବାର ବୁଝା ଯାଉଅଛି ଏବଂ ତାହାଙ୍କ ଅବସ୍ଥା ବିବେଚନାରେ ଏହା ଯେ କେଡ଼େ ଉଚ୍ଚ ବୋଲାଯାଇ ନ ପାରେ । ଯେଉଁମାନେ ବାର୍ଷିକ ସହସ୍ର ସହସ୍ର ଟଙ୍କା ଆୟ କରୁଅଛନ୍ତି ସେମାନଙ୍କର ଏପରି ଉଚ୍ଚ ଏବଂ ଦୟାର୍ଦ୍ର ମନ ହେବାର ଦେଖା ନାହିଁ । ଯେବେ ତାହା ହୁଅନ୍ତା ତେବେ ଓଡ଼ିଶାର ଅଭାବ ଘେନି ଆମ୍ଭମାନଙ୍କୁ ଏତେ ରୋଦନ କରିବାକୁ ହୁଅନ୍ତା ନାହିଁ ।

(ଉତ୍କଳଦୀପିକା - ୧୬/୧୯; ୭.୫. ୧୮୮୧)

 

ଉପରୋକ୍ତ ଉଦ୍ଧୃତିରୁ ସ୍ପଷ୍ଟ ଯେ ଗୌରୀଶଙ୍କର ଓ ତାଙ୍କ ଭଳି ପ୍ରତିଷ୍ଠିତ ବିଦ୍ୱାନମାନଙ୍କର ପ୍ୟାରୀମୋହନଙ୍କ ପ୍ରତି ବ୍ୟକ୍ତିଗତ ଅସୂୟା ବା ବିଦ୍ୱେଷ ନ ଥିଲା-କିନ୍ତୁ ମତ ଓ ଆଦର୍ଶ ଦୃଷ୍ଟିରୁ ଭିନ୍ନତା ଥିଲା । ଏହି ଆଦର୍ଶଗତ ବିଭେଦ ଉଦ୍ଧୃତ ପତ୍ରଗୁଡ଼ିକରେ ଅଭିବ୍ୟକ୍ତ । ତେବେ ଏଠାରେ ପ୍ରଶ୍ନ ହୁଏ, ଏହି ଆଦର୍ଶଗତ ବିଭେଦର କାରଣ କ’ଣ ? ଏହାର ସିଧାସଳଖ ଉତ୍ତର ହେଉଛି : ଧର୍ମ । ପ୍ୟାରୀମୋହନଙ୍କ ଜୀବନର ପ୍ରାୟ ସମସ୍ତ କାର୍ଯ୍ୟରେ ଫୁଟି ଉଠିଥିଲା ବ୍ରାହ୍ମଧର୍ମର ଆଦର୍ଶ । ତେଣୁ ତାଙ୍କର ଧର୍ମାଦର୍ଶ ଠାରୁ ସାମାଜିକ ଜୀବନରେ ସେ ସଂପନ୍ନ କରି ଥିବା ଅନେକ କାର୍ଯ୍ୟକୁ ବିଛିନ୍ନ କହିହେବ ନାହିଁ । ତାଙ୍କର ଅଭିଭାଷଣଗୁଡ଼ିକରେ ଏହି ଧର୍ମାଦର୍ଶ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶିତ ହୋଇଥିବାରୁ, ସେଗୁଡ଼ିକ ଅଧିକ ବିବାଦୀୟ ହୋଇପଡ଼ିଛି ।

 

।। ଦୁଇ ।।

 

ମାତ୍ର ତିରିଶ ବର୍ଷ ବୟସରେ ୨୮.୧୨.୧୮୮୧ ମସିହାରେ କର୍ମବୀର ପ୍ୟାରୀମୋହନଙ୍କ ଆଚାର୍ଯ୍ୟଙ୍କର ମହାପ୍ରୟାଣ ହେଲା । ‘ଉତ୍କଳଦୀପିକାର’ ସଂପାଦକ ପ୍ୟାରୀମୋହନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ‘ମୃତ ବାବୁ ପ୍ୟାରୀମୋହନ ଆଚାର୍ଯ୍ୟ’ ଶୀର୍ଷକରେ ଲେଖିଥିଲେ :

 

ଓଡ଼ିଶା ଅତ୍ୟନ୍ତ ହତଭାଗିନୀ ଯେ ପ୍ୟାରୀବାବୁଙ୍କ ପରି ପୁତ୍ରକୁ ହରାଇଲା । ଏହାଙ୍କର ବୟସ କେବଳ ବ୩୦ର୍ଷ ଥିଲା ଏବଂ ଏହି ଅଳ୍ପକାଳ ମଧ୍ୟରେ ସେ ଯେମନ୍ତ କାର୍ଯ୍ୟକଳାପଦ୍ୱାରା ଆପଣାକୁ ଓଡ଼ିଶା ଏବଂ ଦକ୍ଷିଣରେ ପରିଚିତ କରିଅଛନ୍ତି ସେ ସମସ୍ତ ଏହି ପତ୍ରିକାର ପାଠକମାନେ ବିଲକ୍ଷଣ ସ୍ମରଣ ରଖିଥିବେ, ବାହୁଲ୍ୟ ବର୍ଣ୍ଣନାର ପ୍ରୟୋଜନ ନାହିଁ । ସେ କେବଳ ବକ୍ତୃତା ଦ୍ଵାରା ନୁହେଁ ; ମାତ୍ର କାର୍ଯ୍ୟଦ୍ୱାରା ଓଡ଼ିଶାର ଜଣେ ପରମ ବନ୍ଧୁ ବୋଲି ଜଣା ଯାଇଅଛନ୍ତି ଏବଂ ଏତେବେଳ ପର୍ଯ୍ୟନ୍ତ ତାହାଙ୍କ ସ୍ଥାପିତ ବିଦ୍ୟାଳୟଟି ବିଦ୍ୟମାନ ରହି ତାହାଙ୍କର ମହତ୍ତ୍ୱ, ସ୍ୱଦେଶାନୁରାଗ, ଉଦାରତା ଏବଂ ମନୁଷ୍ୟତାର ସାକ୍ଷ ଦେଉଅଛି ।... ଓଡ଼ିଶାର ଜଣେ ସାମାନ୍ୟ ବେତନଭୋଗୀ ଲୋକ ଏଡ଼େ ମହତ ଅନୁଷ୍ଠାନର ବ୍ରତୀ ହୋଇଥିଲେକି ଯାହା ବଡ଼ବଡ଼ ରାଜା ଜମିଦାରଙ୍କ ଠାରେ ଦେଖା ଯାଇନାହିଁ । ପ୍ୟାରୀବାବୁ ଯେମନ୍ତ ସୁଶିକ୍ଷିତ ହୋଇ ସ୍ୱାଧୀନତା ଓ ଧର୍ମକୁ ଅବଲମ୍ବନ କରି ଚାଲୁଥିଲେ ତହିଁରେ ଆମ୍ଭମାନଙ୍କର ବିଶ୍ୱାସ ଥିଲା ଯେ ଭବିଷ୍ୟତରେ ତାହାଙ୍କଦ୍ୱାରା ଓଡ଼ିଶାର ଅନେକ କାର୍ଯ୍ୟ ହୁଅନ୍ତା । ବର୍ତ୍ତମାନ ସେ ଆଶା ବିଫଳ ହେଲା । (୧୬/୫୨; ୩୧.୧୨.୧୮୮୧)

 

ପ୍ୟାରୀମୋହନଙ୍କ ଜୀବନର ମହନୀୟତା ଗୌରୀଶଙ୍କରଙ୍କ ଭଳି ବହୁ ବ୍ୟକ୍ତିଙ୍କୁ ସ୍ପର୍ଶ କରିଥିଲେ ବି ତାଙ୍କର ବିଧିବଦ୍ଧ ଜୀବନୀ ଲିଖିତ ହୋଇନାହିଁ । ବିକ୍ଷିପ୍ତ ଆକାରରେ ସ୍ମୃତଚାରଣମୂଳକ ଗୋଟେ ଅଧେ କବିତା ଓ ସୂଚନାଧର୍ମୀ ପ୍ରବନ୍ଧ ଲିଖିତ ହୋଇଛି । ମଧୁସୂଦନ ରାଓଙ୍କ ଜୀବନୀ ଆଲୋଚନା ପରିପ୍ରେକ୍ଷୀରେ ପଣ୍ଡିତ ମୃତ୍ୟୁଞ୍ଜୟ ପ୍ୟାରୀମୋହନଙ୍କ ସଂପର୍କରେ କରିଥିବା ଆଲୋଚନା ଏହି ସମସ୍ତ ରଚନା ମଧ୍ୟରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ପରବର୍ତ୍ତୀ ସମୟରେ ଯେଉଁମାନେ ପ୍ୟାରୀମୋହନଙ୍କ ଜୀବନୀ ଆଲୋଚନା କରିଛନ୍ତି, ସମସ୍ତେ ପଣ୍ଡିତ ମୃତ୍ୟୁଞ୍ଜୟଙ୍କ ରଚନାକୁ ଆଶ୍ରୟ କରିଛନ୍ତି । ଫଳରେ ମୃତ୍ୟୁଞ୍ଜୟ ପ୍ୟାରୀମୋହନଙ୍କ ଜୀବନର ଯେଉଁସବୁ ଦିଗ ଉପରେ ଯଥେଷ୍ଟ ଆଲୋକପାତ କରିନାହାନ୍ତି, ସେହିସବୁ ଦିଗର ଚର୍ଚ୍ଚା ପ୍ରାୟତଃ ଉପେକ୍ଷିତ । ଅବଶ୍ୟ ଡକ୍ଟର ନଟବର ସାମନ୍ତରାୟଙ୍କ ‘ଆଚାର୍ଯ୍ୟ ପ୍ୟାରୀମୋହନ ଓ ଉତ୍କଳପୁତ୍ର’ ପ୍ରବନ୍ଧ ଏକ ବ୍ୟତିକ୍ରମ । ଏଭଳି ମୌଳିକ ଆଲୋଚନା ଉପଯୁକ୍ତ ତଥ୍ୟଭିତ୍ତିରେ ଅଧିକ ରଚିତ ହୋଇ ନଥିବାରୁ ପ୍ୟାରୀମୋହନଙ୍କ ଜୀବନୀ ଓ ସାଧନାର ଯଥାର୍ଥ ପରିଚୟ ଉପସ୍ଥାପିତ ହୋଇପାରିନାହିଁ ।

 

ପ୍ୟାରୀମୋହନଙ୍କ ସଂପର୍କରେ ପରବର୍ତ୍ତୀ ଆଲୋଚନା ମୃତ୍ୟୁଞ୍ଜୟଙ୍କ ପ୍ରବନ୍ଧ ଆଶ୍ରିତ ହେବା ଫଳରେ ମୃତ୍ୟୁଞ୍ଜୟଙ୍କ ପ୍ରବନ୍ଧରେ ଥିବା କିଛି ତଥ୍ୟଗତ ତ୍ରୁଟି କେହି ସଂଶୋଧନ କରିନାହାନ୍ତି-। ଦୁଇଟି ଦୃଷ୍ଟାନ୍ତ ଏହି ପ୍ରସଙ୍ଗରେ ଦିଆଯାଇପାରେ । ମୃତ୍ୟୁଞ୍ଜୟ ପ୍ୟାରୀମୋହନଙ୍କ ସହ ମଧୁସୂଦନଙ୍କର ବନ୍ଧୁତାସ୍ଥାପନ ପ୍ରସଙ୍ଗ ଉପସ୍ଥାପନ କରି ଲେଖିଛନ୍ତି :

 

୧୮୬୯ ଖ୍ରୀଷ୍ଟାବ୍ଦରେ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ କଲେଜରେ ଅର୍ଥାତ୍ ଏଠା କଟକ ହାଇସ୍କୁଲର ପ୍ରଥମବର୍ଷୀୟ ଶ୍ରେଣୀରେ ଅଧ୍ୟୟନ କଲେ । ଏହିଠାରେ ତାଙ୍କର ପୁରୀରୁ ଆଗତ ମଧୁସୂଦନଙ୍କ ସହିତ ପ୍ରଥମ ପରିଚୟ ହୋଇଥିଲା ଏବଂ ସେହି ପରିଚୟ କ୍ରମଶଃ ଗାଢ଼ତର ହୋଇ ପରେ ପରମାତ୍ମୀୟତା ଆକାର ଧାରଣ କଲା ।

(ଉତ୍କଳ ସାହିତ୍ୟ- ୧୮/୧; ଏପ୍ରିଲ, ୧୯୧୪; ପୃ-୮)

 

ମଧସୂଦନ ରାଓଙ୍କର ସମସ୍ତ ଜୀବନୀ ଲେଖକ ଓ ଡକ୍ଟର ସାମନ୍ତରାୟ ମୃତ୍ୟୁଞ୍ଜୟଙ୍କ ପ୍ରଦତ୍ତ ତଥ୍ୟକୁ ଗ୍ରହଣ କରିନେଇଛନ୍ତି । କିନ୍ତୁ ଏଠାରେ ସ୍ମରଣଯୋଗ୍ୟ ଯେ କବି ମଧୁସୂଦନ ଓ କର୍ମୀ ପ୍ୟାରୀମୋହନ କେବେ ବି ସହପାଠୀ ନ ଥିଲେ । ମଧୁସୂଦନ ୧୮୬୯ ମସିହାରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏଫ.ଏ. ଶ୍ରେଣୀରେ ଯୋଗ ଦେଇଥିଲାବେଳେ ପ୍ୟାରୀମୋହନ ୧୮୭୦ ମସିହାରେ ପ୍ରବେଶିକା ପରୀକ୍ଷାରେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଏଫ.ଏ. ଶ୍ରେଣୀରେ ଯୋଗଦେଇଥିଲେ । ମଧୁସୂଦନଙ୍କ ପରୀକ୍ଷାଫଳ ‘ଉତ୍କଳଦୀପିକା’ର ପଞ୍ଚମ ଭାଗ ଦ୍ୱିତୀୟ ସଂଖ୍ୟା (୮.୧.୧୮୭୦)ରେ ପ୍ରକାଶିତ ହୋଇଥିଲାବେଳେ ପ୍ୟାରୀମୋହନଙ୍କ ପରୀକ୍ଷାଫଳ ‘ଉତ୍କଳଦୀପିକା’ର ଷଷ୍ଠଭାଗ ଦ୍ୱିତୀୟ ସଂଖ୍ୟା (୧୪.୧.୧୮୭୧)ରେ ପ୍ରକାଶିତ । ସହପାଠୀ ହିସାବରେ ନୁହେଁ ସମମନୋଭାବ ଓ ସମଧର୍ମ ପ୍ରତି ଆନୁଗତ୍ୟ ମଧୁସୂଦନ ଓ ପ୍ୟାରୀମୋହନଙ୍କୁ ପରମ ବନ୍ଧୁତାରେ ଆବଦ୍ଧ କରିଥିଲା । ଅପର ଦୃଷ୍ଟାନ୍ତଟି ହେଲା ଫକୀରମୋହନଙ୍କ ଡମପଡ଼ା ତ୍ୟାଗ ନେଇ ମୃତ୍ୟୁଞ୍ଜୟଙ୍କ ମନ୍ତବ୍ୟ । ମୃତ୍ୟୁଞ୍ଜୟ ଲେଖିଛନ୍ତି :

 

ଉତ୍କଳର ସୁପରିଚିତ ଫକୀରମୋହନ ସେନାପତି ମହାଶୟ ତେତେବେଳେ ଡମପଡ଼ା ରାଜ୍ୟର ମ୍ୟାନେଜର ଥିଲେ । ରାଜସ୍ୱ ବୃଦ୍ଧି ଯୋଗେ ରାଜା ଓ ପ୍ରଜାମାନଙ୍କ ମଧ୍ୟରେ ବିରୋଧ ଜନ୍ମିବାରୁ ସେ ଉକ୍ତ କାର୍ଯ୍ୟ ପରିତ୍ୟାଗ କରନ୍ତେ, ସେ ସ୍ଥଳରେ ଡମପଡ଼ା ରାଜକୁମାରଙ୍କ ଗୃହଶିକ୍ଷକ ପ୍ୟାରୀମୋହନ ଏହି କର୍ମରେ ମାସିକ ଅର୍ଦ୍ଧଶତ ମୁଦ୍ରା ବେତନରେ ନିଯୁକ୍ତ ହେଲେ ... (ପୂର୍ବୋକ୍ତ ; ପୃ.୧୦)

 

ଫକୀରମୋହନ କିନ୍ତୁ ଡୋମପଡ଼ା କାର୍ଯ୍ୟ ପରିତ୍ୟାଗ କରି ନ ଥିଲେ ଓ ତାଙ୍କ ପଦବୀ ମ୍ୟାନେଜର ନ ଥିଲା । ଫକୀର ମୋହନ ଥିଲେ ଡମପଡ଼ାର ଦେୱାନ ଓ ସରକାରଙ୍କ ଆଦେଶ ବଳରେ ସେ ଢେଙ୍କାନାଳକୁ ସ୍ଥାନାନ୍ତରିତ ହୋଇଥିଲେ । ସରକାରଙ୍କ ଆଦେଶ ପ୍ରକାଶିତ ହେଲାପରେ ସେ ଆହୁରି ଚାରିମାସ ଥିଲେ । ତେଣୁ ସେ କାର୍ଯ୍ୟ ତ୍ୟାଗ କରିବାର ପ୍ରଶ୍ନ ଉଠୁଛି କେଉଁଠି ?

 

ମୃତ୍ୟୁଞ୍ଜୟ ପ୍ୟାରୀମୋହନଙ୍କ ସାହସିକତା, ସ୍ୱଦେଶପ୍ରେମ ଓ ବନ୍ଧୁପ୍ରୀତି ସଂପର୍କରେ ଆଲୋକପାତ କରିଥିଲେ ତାଙ୍କର ଧର୍ମଜୀବନ ସଂପର୍କରେ ବିଶେଷ ଆଲୋଚନା କରିନାହାନ୍ତି । ପ୍ୟାରୀମୋହନଙ୍କର ସଂକ୍ଷିପ୍ତ ଜୀବନ ଚାରୋଟି ଦିଗରୁ ଗୁରୁତ୍ୱପୂର୍ଣ୍ଣ ଥିଲା : (କ) କଟକ ଏକାଡେମୀର ପ୍ରତିଷ୍ଠାତା ଓ ପରିଚାଳକ ଭାବରେ; (ଖ)’ଉତ୍କଳପୁତ୍ର’ ସମ୍ବାଦପତ୍ରର ସଂପାଦକ ଭାବରେ; (ଗ) ‘ଓଡ଼ିଶାର ଇତିହାସ’ ପୁସ୍ତକରେ ଲେଖକ ଭାବରେ; (ଘ) ଗୋଟିଏ ଧର୍ମଦର୍ଶର ପ୍ରଚାରକ ଓ ବାଗ୍ମୀ ଭାବରେ । ପ୍ୟାରୀମୋହନଙ୍କ ଜୀବନର ଏହି ଚାରୋଟି ଭୂମିକା ମଧ୍ୟରୁ ପ୍ରଥମଟି ସଂପର୍କରେ ମୃତ୍ୟୁଞ୍ଜୟ, ଦ୍ୱିତୀୟଟି ସଂପର୍କରେ ମୃତ୍ୟୁଞ୍ଜୟ ଓ ନଟବର ଆଲୋଚନା କରିଛନ୍ତି ଅନ୍ୟ ଦୁଇଟି ବିଭାବ ସଂପର୍କରେ ଏପର୍ଯ୍ୟନ୍ତ ଯଥାଯୋଗ୍ୟ ଆଲୋଚନା ହୋଇନାହିଁ ।

 

 

।। ତିନି ।।

ବ୍ରାହ୍ମସଭା ୧୭୫୦ ଶକାବ୍ଦ ଭାଦ୍ରବ ୬ଷଷ୍ଠ ଦିନରେ କଲିକତାରେ ରାଜା ରାମମୋହନ ରାୟଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ସେହି ୧୮୨୮ ସାଲରେ ରାମମୋହନଙ୍କଦ୍ୱାରା ‘ବ୍ରହ୍ମୋପାସନା’ ପୁସ୍ତକ ରଚିତ ଓ ପ୍ରକାଶିତ ହୋଇଥିଲା । ସଂପୃକ୍ତ ପୁସ୍ତକରେ ନିରାକାର ବ୍ରହ୍ମଙ୍କ ଉପାସନା ବ୍ରାହ୍ମମାନଙ୍କର ଲକ୍ଷ୍ୟ ରୂପେ ନିର୍ଦ୍ଦିଷ୍ଟ ହୋଇ, ତାହାର ପଦ୍ଧତି ସଂପର୍କରେ ମାର୍ଗ-ଦର୍ଶନ ଦିଆ ଯାଇଥିଲା । ବ୍ରାହ୍ମସଭା ପ୍ରତିଷ୍ଠାର ବର୍ଷେ ପାଞ୍ଚମାସ ପରେ ମାଘ ୧୧ ଦିନ ୧୭୫୧ ଶକାବ୍ଦ (୧୮୩୦ ମସିହା ଜାନୁଆରୀ)ରେ ପ୍ରତିଷ୍ଠା ହୋଇଥିଲା ବ୍ରହ୍ମମନ୍ଦିର । ସେହି ବର୍ଷ ରାମମୋହନ ଇଂଲଣ୍ଡ ଯାତ୍ରା କରନ୍ତି ଓ ସେଠାରେ ତାଙ୍କର ଦେହାନ୍ତ ହୁଏ । ରାମମୋହନଙ୍କ ଦେହାନ୍ତ ପରେ ବହୁଦିନ ପର୍ଯ୍ୟନ୍ତ ବ୍ରାହ୍ମସଭା କର୍ତ୍ତାଶୂନ୍ୟ ଏକ ଅନୁଷ୍ଠାନ ଭାବରେ ପଡ଼ି ରହେ । ୧୮୪୫ ମସିହା ବେଳକୁ ବ୍ରାହ୍ମସଭାର ନେତୃତ୍ୱ ନିଅନ୍ତି । ଦେବେନ୍ଦ୍ରନାଥ ଠାକୁର । ରାମମୋହନଙ୍କ ପ୍ରତିଷ୍ଠିତ ବ୍ରାହ୍ମସଭା ‘ବ୍ରାହ୍ମସମାଜ’ ନାମରେ ଦେବେନ୍ଦ୍ରନାଥଙ୍କ ସମୟରେ ପରିଚିତ ହୁଏ । ଦେବେନ୍ଦ୍ରନାଥ ବ୍ରାହ୍ମସମାଜକୁ ଏକ ଶୃଙ୍ଖଳିତ ଓ ସଂଗଠିତ ସଂସ୍ଥାରେ ପରିଣତ କରନ୍ତି ଓ ବ୍ରାହ୍ମସମାଜର ନୀତି, ଆଦର୍ଶ ଓ ବିଚାରଧାରାକୁ ସୁସ୍ଥିର କରିବାକୁ ଚେଷ୍ଟା କରାଯାଏ । ରାମମୋହନଙ୍କ ଦୃଷ୍ଟିରେ ଧର୍ମ ଥିଲା ନୈତିକ ମୂଲ୍ୟମାନ ଭିତ୍ତିରେ ସଂଗଠିତ ଏକ ଅନୁଷ୍ଠାନ–ଯାହା ବ୍ୟକ୍ତିର ଜୀବନକୁ ଶୃଙ୍ଖଳିତ କରି ନୂତନ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ କରେ । କିନ୍ତୁ ଦେବେନ୍ଦ୍ରନାଥ ବ୍ରାହ୍ମସମାଜକୁ ଏକ ସ୍ଵତନ୍ତ୍ର ପରିଚିତି ଦେବାପାଇଁ ଚେଷ୍ଟା କଲେ । ତାଙ୍କ ଦୃଷ୍ଟିରେ ଏହା ଏକ ନୂତନ ଧର୍ମ–ଯାହା ନିମ୍ନଲିଖିତ ମୌଳିକ ବିଶ୍ୱାସ/ବିଚାର ଉପରେ ପ୍ରତିଷ୍ଠିତ : (କ) ପ୍ରଥମରେ ସମସ୍ତ ଶୁନ୍ୟମୟ ଥିଲା–ଥିଲେ କେବଳ ପରମବ୍ରହ୍ମ । ସେହି ଅନାଦି ପରମବ୍ରହ୍ମ ଜଗତର ସ୍ରଷ୍ଟା; (ଖ) ସେହି ହେଉଛନ୍ତି ସତ୍ୟର ଈଶ୍ଵର–ଅନନ୍ତ ଜ୍ଞାନ, ଶିବ ଓ ଶକ୍ତିର ମୂଳଧାର–ସେ ସର୍ବବ୍ୟାପୀ, ଶାଶ୍ଵତ ଓ ବିକଳ୍ପହୀନ ଏକମାତ୍ର ଆଲୋକ; (ଗ) ଏହି ଜନ୍ମରେ ଓ ପର ଜନ୍ମରେ ସେହି ବ୍ରହ୍ମଙ୍କର ଉପାସନା ଫଳରେ ମୁକ୍ତି ସମ୍ଭବ; (ଘ) ତାଙ୍କୁ ଭଲପାଇବା ଓ ତାଙ୍କ ପ୍ରେମମୟ ରୂପକୁ ଉପାସନା କରିବା ଭକ୍ତର ପରମ କର୍ତ୍ତବ୍ୟ । ଦେବେନ୍ଦ୍ରନାଥ ବ୍ରାହ୍ମସମାଜର ଉପାସନା ପଦ୍ଧତିକୁ ଶୃଙ୍ଖଳିତ କରିଥିଲେ ସତ୍ୟ; କିନ୍ତୁ କେଶବଚନ୍ଦ୍ର ସେନଙ୍କ ଆବିର୍ଭାବ ପର୍ଯ୍ୟନ୍ତ ସେଥିରେ ପ୍ରାଣ ଚାଞ୍ଚଲ୍ୟ ସୃଷ୍ଟି ହୋଇ ନ ଥିଲା ।

 

୧୮୬୪ ମସିହା ବେଳକୁ ଦେବେନ୍ଦ୍ରନାଥ ଯେତେବେଳେ ବ୍ରାହ୍ମସମାଜ ମଧ୍ୟରେ କେଶବଚନ୍ଦ୍ରଙ୍କ ଠାରୁ ଆହ୍ୱାନର ସମ୍ମୁଖୀନ, ସେତିକିବେଳେ ଏହାର ପ୍ରସାର ପାଇଁ ସେ ଉଦ୍ୟମ କରିଛନ୍ତି ଓ କଟକରେ ବ୍ରାହ୍ମସମାଜର ଏକ ଶାଖା ଜଗନ୍ମୋହନ ରାୟଙ୍କ ପ୍ରମୁଖଙ୍କ ସହଯୋଗରେ ପ୍ରତିଷ୍ଠିତ ହୋଇଛି । ସମାଜର ଏକ ଶାଖା ପ୍ରତିଷ୍ଠା ହେଲାପରେ ଜଗନ୍ମୋହନ ରାୟଙ୍କ ଦ୍ଵାରା କଟକର ଓଡ଼ିଆ ବଜାରରେ ଏକ ବ୍ରାହ୍ମମନ୍ଦିର ପ୍ରତିଷ୍ଠିତ ହୋଇ ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇଥିବା ନବ ଶିକ୍ଷିତମାନଙ୍କର ଉପାସନାସ୍ଥଳୀ ପରିଣତ ହୋଇଛି ।

 

ଓଡ଼ିଶାରେ ବ୍ରାହ୍ମଧର୍ମ ପ୍ରତିଷ୍ଠାର ପ୍ରାରମ୍ଭିକ ଅବସ୍ଥାରେ, ୧୮୬୬ ମସିହା ନଭେମ୍ବର ୧୧ ତାରିଖରେ ; ବ୍ରାହ୍ମସମାଜ ଅନ୍ତର୍ଦ୍ୱନ୍ଦ୍ୱ ଫଳରେ ଦ୍ୱିଧା ବିଭକ୍ତ ହୋଇ ଆଦି ବ୍ରାହ୍ମସମାଜ ଓ ଭାରତବର୍ଷୀୟ ବ୍ରାହ୍ମସମାଜ–ଏହିଭଳି ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି । ଆଦି ବ୍ରାହ୍ମସମାଜ ଦେବେନ୍ଦ୍ରନାଥଙ୍କ କର୍ତ୍ତ୍ୱତ୍ୱରେ ରହିଲାବେଳେ ଭାରତବର୍ଷୀୟ ବ୍ରାହ୍ମସମାଜର ମୁଖ୍ୟ ହୋଇଛନ୍ତି କେଶବଚନ୍ଦ୍ର ସେନ । ଓଡ଼ିଶାରେ ବ୍ରାହ୍ମସମାଜ ପ୍ରତିଷ୍ଠାରେ ଦେବେନ୍ଦ୍ରନାଥ ନେତୃତ୍ୱ ନେଇଥିବା ହେତୁ ଜଗନ୍ମୋହନ ରାୟ, ଗୌରୀଶଙ୍କର ରାୟ, ଜଗନ୍ମୋହନ ଲାଲ, ତ୍ରୈଲୋକ୍ୟନାଥ ମୁଖୋପାଧ୍ୟାୟ ପ୍ରମୁଖ କଟକର ବ୍ରାହ୍ମମାନେ ଆଦି ବ୍ରାହ୍ମସମାଜ ପ୍ରତି ଅନୁରକ୍ତ ରହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଦେବେନ୍ଦ୍ରନାଥ ବ୍ରାହ୍ମଧର୍ମକୁ ହିନ୍ଦୁଧର୍ମର ଏକ ବିଶୁଦ୍ଧରୂପେ ଭାବରେ ପ୍ରତିଷ୍ଠା କରିବାକୁ ଚାହିଁଥିଲେ- ତାହାଠାରୁ ସଂପର୍କ ଛିନ୍ନ କରିବାକୁ ଚାହିଁ ନ ଥିଲେ; ଜାତିଭେଦକୁ ସଂପୂର୍ଣ୍ଣ ଅସ୍ୱୀକାର କରି ନ ଥିଲେ-। ତେଣୁ ଗୌରୀଶଙ୍କର ପ୍ରମୁଖ ବ୍ରହ୍ମ ଉପାସନାରେ ଯୋଗ ଦେଉଥିଲେ ମଧ୍ୟ ପାରମ୍ପରିକ ନୀତିବୋଧ, ବିଶ୍ଵାସ ଓ ଦୃଷ୍ଟିକୋଣକୁ ଛାଡ଼ି ପାରି ନ ଥିଲେ ।

 

୧୮୬୯/୧୮୭୦ ମସିହାରେ ଏମ୍.ଏ.ବି.ଏଲ୍ ଡିଗ୍ରୀଧାରୀ ହରନାଥ ଭଟ୍ଟାଚାର୍ଯ୍ୟ କଟକ ହାଇସ୍କୁଲ ସଂଲଗ୍ନ ଏଫ.ଏ. ଶ୍ରେଣୀର ଦର୍ଶନ ବିଭାଗର ଅଧ୍ୟାପକ ଭାବରେ ଯୋଗଦାନ କରନ୍ତି । ସେ ବ୍ରାହ୍ମଭାବରେ ଦୀକ୍ଷା ନେଇ ନ ଥିଲେ ମଧ୍ୟ, ଥିଲେ କେଶବ-ଅନୁରକ୍ତ । ତାଙ୍କରି ଦ୍ଵାରା କଟକରେ ୦୧.୭.୧୮୭୦ ‘ଉତ୍କଳ ବ୍ରାହ୍ମସମାଜ’ର ପ୍ରତିଷ୍ଠା । ହରନାଥଙ୍କ ଦ୍ଵାରା ଅନୁପ୍ରେରିତ ହୋଇ ମଧୁସୂଦନ ରାଓ, ଚତୁର୍ଭୁଜ ପଟ୍ଟନାୟକ ପ୍ରମୁଖ ଏଫ.ଏ. ପ୍ରଥମ ଶ୍ରେଣୀର ଛାତ୍ରମାନେ ‘ଉତ୍କଳ ବ୍ରାହ୍ମସମାଜ’ରେ ଯୋଗଦାନ କରନ୍ତି । ଏହି ସମୟରେ ଛାତ୍ରମାନଙ୍କ ପାଇଁ ‘କଟକ ଡିବେଟିଂ ସୋସାଇଟି’ ନାମରେ ଏକ ଅନୁଷ୍ଠାନ । ହରନାଥ ଭଟ୍ଟାଚାର୍ଯ୍ୟ ସେଠାରେ ‘ବସ୍ତୁବାଦ’ ଉପରେ ତା ୫.୪.୧୮୭୧ ରିଖରେ ବକ୍ତୃତା ପ୍ରଦାନ କରି ବସ୍ତୁବାଦର ଅସାରତା ଓ ଆଧ୍ୟାତ୍ମଜୀବନର ଆବଶ୍ୟକତା ପ୍ରତିପାଦନ କରନ୍ତି । ହରନାଥଙ୍କ ବକ୍ତୃତା ଶୁଣି ଏଫ.ଏ. ଶ୍ରେଣୀରେ ନୂତନ ଭାବେ ଯୋଗ ଦେଇଥିବା ପ୍ୟାରୀମୋହନ ୧୮୭୧ ମସିହାରେ ଉତ୍କଳ ବ୍ରାହ୍ମସମାଜ’ରେ ଯୋଗ ଦେଇଛନ୍ତି ।

 

‘ଉତ୍କଳ ବ୍ରାହ୍ମସମାଜ’ କେଶବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନଗର କୀର୍ତ୍ତନ ଓ ଦୀନ ତଥା ଅନାଥମାନଙ୍କୁ ଦାନ ଆଦିକୁ ଆପଣାର ଆଦର୍ଶ ଭାବରେ ଗ୍ରହଣ କରିଥିଲା । ‘ଉତ୍କଳ ବ୍ରାହ୍ମସମାଜ’ ତାହାର ପ୍ରଥମ ଜନ୍ମବାର୍ଷିକୀ ପାଳନ କରିଥିଲା ୦୧.୭.୧୮୭୧ରିଖରେ । ଏହାର ବିବରଣୀ ଦେଇ ‘ଉତ୍କଳ-ଦୀପିକା’ରେ କୁହାଯାଇଥିଲା ।

 

ଗତ ଶନିବାର କଟକ ଉତ୍କଳ ବ୍ରାହ୍ମସମାଜର ଜନ୍ମଦିନ ପାଳିତ ହୋଇଥିଲା ଓ ତଦୁପଲକ୍ଷରେ ଦୀନ ଅନାଥଙ୍କୁ ଦାନ ଓ ପ୍ରାତଃକାଳ, ଅପରାହ୍ନ ଏବଂ ରାତ୍ରିକାଳରେ ଉପାସନା ସଙ୍ଗୀତ ଆଦି ମହୋତ୍ସବ ହୋଇଥିଲା । ସନ୍ଧ୍ୟା ସମୟରେ ବ୍ରାହ୍ମମାନେ ଝାଞ୍ଜ ମୃଦଙ୍ଗ ଧରି ନଗରକୀର୍ତ୍ତନ କରି ବୁଲିଥିଲେ । ନଗରବାସିମାନେ ଦୈବାତ୍ ସମ୍ପ୍ରଦା ବାହାରିବାର ଦେଖି କେହି ଲୋଉଠା ନଗର କୀର୍ତ୍ତନ ଓ କେହି ବା ରାମନବମୀ ଯାତ୍ରା ଶେଷ ହେବାର କଳ୍ପନା କରୁଥିଲେ । ବ୍ରାହ୍ମମାନେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ପ୍ରଣାଳୀକୁ ଅବଲମ୍ବନ କରିବାର ଦେଖି କେତେ ଲୋକ ବିସ୍ମୟାପନ୍ନ ହେଲେ । (୬/୨୬; ୮.୭.୧୮୭୧)

 

କେଶବଚନ୍ଦ୍ର ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଆଦର୍ଶକୁ ସମ୍ମିଳିତ କରି ଏକ ନୂତନ ଧର୍ମ ଓ ଉପାସନା ପଦ୍ଧତିର ପରିକଳ୍ପନା କରିଥିଲେ । କିନ୍ତୁ ତାଙ୍କ ପ୍ରବର୍ତ୍ତିତ ବ୍ରାହ୍ମଧର୍ମର ଦାର୍ଶନିକ ଭିତ୍ତି ଥିଲା ଅତ୍ୟନ୍ତ ଦୁର୍ବଳ । ପୁଣି ଶସ୍ତା ବାକ୍ ଚାତୁରୀ ଓ ଆବେଗ ଉପରେ ଏହା ଅଧିକ ନିର୍ଭରଶୀଳ ଥିଲା । ସବୁ ସମୟରେ ବାକ୍-ଚାତୁରୀ ଓ ଭାବପ୍ରବଣତା ଯୁବକମାନସକୁ ଆକର୍ଷିତ କରେ । ତାହା ମଧ୍ୟ ଘଟିଥିଲା ପ୍ୟାରୀମୋହନ ପ୍ରମୁଖଙ୍କ କ୍ଷେତ୍ରରେ । ସେମାନେ ’ଉତ୍କଳ ବ୍ରାହ୍ମସମାଜ’ରେ ଯୋଗଦାନ କରି ଏହାକୁ ଏକ ଜୀବନ୍ତ ଓ ଚଳମାନ ଅନୁଷ୍ଠାନରେ ପରିଣତ କରିଥିଲେ ।

 

 

 

।। ଚାରି ।।

ବ୍ରାହ୍ମଧର୍ମ ପ୍ରଥମରୁ କେବଳ ଏକ ଆଚାରସର୍ବସ୍ୱ ଧର୍ମ ନ ଥିଲା । ଏକେଶ୍ୱରବାଦ, ଉପାସନା, ଆଧ୍ୟାତ୍ମିକତା ସହ ଏହା ନାନା ସାମାଜିକ-ରାଜନୈତିକ ପରିବର୍ତ୍ତନକୁ ସମର୍ଥନ କରୁଥିଲା । ଭାରତର ସାମାଜିକ ସଂସ୍କାର ଓ ରାଜନୈତିକ ଆନ୍ଦୋଳନର ପୁରୋଭାଗରେ ବ୍ରାହ୍ମଧର୍ମର ନେତାମାନେ ରହିଆସିଥିଲେ । ଓଡ଼ିଶାରେ ମଧ୍ୟ ବ୍ରାହ୍ମସମାଜ ଏହିଭଳି ସଂସ୍କାର ଉଦ୍ୟମ ଓ ରାଜନୈତିକ ବିଚାରକୁ ପ୍ରତିଷ୍ଠା ଦେଇଛି । ପ୍ୟାରୀମୋହନଙ୍କ ବିଭିନ୍ନ କାର୍ଯ୍ୟପ୍ରଣାଳୀକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ ଓଡ଼ିଶାରେ ସେ ବ୍ରାହ୍ମଧର୍ମର ସାମାଜିକ-ରାଜନୈତିକ ଭୂମିକାକୁ ଅଧିକ ସ୍ପଷ୍ଟ କରିଛନ୍ତି । ତାଙ୍କର ଦୁଇ ସମକାଳୀନ, ମଧୁସୂଦନ ଓ ଚତୁର୍ଭଜ, ବ୍ରାହ୍ମଧର୍ମର ପ୍ରଚାର ଓ ପ୍ରସାରରେ ଯେଭଳି ଭୂମିକା ନେଇଛନ୍ତି ପ୍ୟାରୀମୋହନ ସେଭଳି ପଦକ୍ଷେପ ନେଇନାହାନ୍ତି । ବ୍ରାହ୍ମଧର୍ମର ପ୍ରତିଷ୍ଠାତା ରାମମୋହନ ଧର୍ମ ଓ ଜାତୀୟତାକୁ ସମ୍ମିଶ୍ରଣ କରିଥିଲେ–ଆଧ୍ୟାତ୍ମିକ ଜିଜ୍ଞାସା ଓ ରାଜନୈତିକ ବିଚାରକୁ ସେ ଏକ କରି ଦେଖୁଥିଲେ । କେଶବଚନ୍ଦ୍ର ୧୮୬୩ ମସିହାରେ Social Reformation in India ଶୀର୍ଷକ ଏକ ଭାଷଣରେ କହିଥିଲେ ବ୍ରାହ୍ମଧର୍ମର ଲକ୍ଷ୍ୟ ହେଲା ସମାଜ ସଂସ୍କାର ଓ ଏହି ସମାଜ ସଂସ୍କାର ଧର୍ମ ଉପରେ ଆଶ୍ରିତ । ପ୍ୟାରୀମୋହନଙ୍କ ନିର୍ଭୀକ ବ୍ୟକ୍ତିତ୍ୱ ଏହିଭଳି ସାମାଜିକ ଓ ରାଜନୈତିକ ବିଚାର ଆଡ଼କୁ ତାଙ୍କୁ ଟାଣି ନେଇଥିଲା । ତେଣୁ ମଧୁସୂଦନ ପ୍ରମୁଖ ବ୍ରାହ୍ମଧର୍ମର ଆଧ୍ୟାତ୍ମିକ, ଆବେଗିକ ଓ ଆଚାରଗତ ଭୂମିରେ ବିଚରଣ କରିଥିଲା ବେଳେ ପ୍ୟାରୀମୋହ ସମାଜ-ସେବା ଓ ସମାଜ-ସଂସ୍କାର ଦିଗପ୍ରତି ଆକୃଷ୍ଟ ହୋଇପଡ଼ିଛନ୍ତି ।

 

ପ୍ୟାରୀମୋହନ ଏଫ.ଏ. ଶ୍ରେଣୀର ଛାତ୍ର ଥିଲାବେଳେ ‘ଉତ୍କଳ ପୁତ୍ର’ ସମ୍ବାଦପତ୍ର ହାତରେ ଲେଖି ପ୍ରକାଶ କରୁଥିବା ଓ ନିର୍ଭୀକ ସମ୍ବାଦ ଲେଖି ଶିକ୍ଷାନୁଷ୍ଠାନରୁ ବିତାଡ଼ିତ ହୋଇଥିବା ବିଷୟ ବହୁ ଚର୍ଚ୍ଚିତ । କିନ୍ତୁ ସେହି ହାତଲେଖା ‘ଉତ୍କଳପୁତ୍ର’ର ସନ୍ଧାନ ଆଜି ମିଳିବା ସମ୍ଭବ ନୁହେଁ । କିନ୍ତୁ ତାଙ୍କ ସଂପାଦିତ ବିଧିବଦ୍ଧ ପାକ୍ଷିକପତ୍ର ‘ଉତ୍କଳପୁତ୍ର’ ଏପ୍ରିଲ ୧୫, ୧୮୭୩ ମସିହାରୁ ପ୍ରକାଶିତ ହୋଇଛି ଓ ବ୍ରାହ୍ମଧର୍ମର ଆଦର୍ଶ ପ୍ରଚାର କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ନେଇଛି । ଏଠାରେ ସୂଚନାଯୋଗ୍ୟ ଯେ ‘ଉତ୍କଳ-ଦୀପିକା’ର ସଂପାଦକ ଗୌରୀଶଙ୍କର ଓ ‘ବାଲେଶ୍ୱର ସମ୍ବାଦବାହିକା’ର ସଂପାଦକ ଫକୀରମୋହନ ତଥା ଗୋବିନ୍ଦଚନ୍ଦ୍ର ମଧ୍ୟ ବ୍ରାହ୍ମ ଥିଲେ । ସେମାନେ ମଧ୍ୟ ନିର୍ଭୀକ ଭାବରେ ବିଭିନ୍ନ ସାମାଜିକ ଓ ରାଜନୈତିକ ପ୍ରଶ୍ନକୁ ଆପଣା ସମ୍ବାଦପତ୍ରମାନଙ୍କରେ ଉପସ୍ଥାପନ କରୁଥିଲେ । କିନ୍ତୁ ପ୍ୟାରୀମୋହନଙ୍କ ଦୃଢ଼ତା ଓ ବ୍ରାହ୍ମଧର୍ମର ଆଦର୍ଶ ପ୍ରତି ଅନୁରକ୍ତି ସେମାନଙ୍କ ଠାରେ– ଗୌରୀଶଙ୍କର ଓ ଫକୀରମୋହନ / ଗୋବିନ୍ଦଚନ୍ଦ୍ରଙ୍କ ଠାରେ ଦେଖାଯାଏ ନାହିଁ । ଦ୍ୱିତୀୟରେ ପ୍ୟାରୀମୋହନ ନାନା ସମସ୍ୟାକୁ ଯେଭଳି ଆବେଗ ନେଇ ଆଲୋଚନା କରିଛନ୍ତି ଓ ବିତର୍କକୁ ଆମନ୍ତ୍ରଣ କରିଛନ୍ତି ଗୌରୀଶଙ୍କର ଓ ଫକୀରମୋହନ / ଗୋବିନ୍ଦଚନ୍ଦ୍ର ତାହା କରିନାହାନ୍ତି । ‘ପ୍ରକୃତ ଶିକ୍ଷା’ ଉପରେ ମନ୍ତବ୍ୟ ଦେବାକୁ ଯାଇ ପ୍ୟାରୀମୋହନ କହନ୍ତି :

 

ବର୍ତ୍ତମାନ ଶିକ୍ଷା କେବଳ କେତେଗୁଡ଼ିଏ ଶବ୍ଦ କଣ୍ଠସ୍ଥ ଓ କେତେଗୁଡ଼ିଏ ବିବରଣ ମୁଖସ୍ଥ କରିବା ଉପରେ ନିର୍ଭର କରୁଅଛି ; ଏଥିପାଇଁ ଶିକ୍ଷାର ଫଳ ଅନେକ ସମୟରେ ବିଷମୟ ଦେଖାଯାଏ ; ଛାତ୍ରମାନେ ମନେ କରନ୍ତି ଯେପରି କରି ପରୀକ୍ଷାଟା ଦେଇପାରିଲେ ପରିଶ୍ରମ ସଫଳ ହେଲା ; ଶିକ୍ଷକମାନେ ମଧ୍ୟ ମନେ କରନ୍ତି ଏଥର କେତେଗୁଡ଼ିଏ ଛାତ୍ର ବିଦ୍ୟାଳୟର ପାଶ୍ କରେଇପାରିଲେ ମାନ ରହିଲା, ଶିକ୍ଷା ବିଭାଗରେ ତାଙ୍କର ଯଥେଷ୍ଟ ପ୍ରତିପତ୍ତି ଲାଭ ହେଲା, ଏଣୁ କରି ଶୀଘ୍ର ପଦୋନ୍ନତି ଆଶାରେ ପିଲାଙ୍କୁ ଧମକାଧମକି କରିବାକୁ ଛାଡ଼ନ୍ତି ନାହିଁ ।

 

ସମଗ୍ର ମାନବାତ୍ମାର ବିଭାଗ ଏହି କେତୋଟି–ମନ, ହୃଦୟ, ବିବେକ ଓ ଧର୍ମବୁଦ୍ଧି । ସ୍ମୃତି, ବୁଦ୍ଧି, ଯୁକ୍ତି ମନୋବିଭାଗର ଅନ୍ତର୍ଗତ । ପ୍ରୀତି, ସ୍ନେହ, କୋମଳତା ଓ ଦୟା ପ୍ରଭୃତିର ସମଷ୍ଟିକୁ ହୃଦୟ କହି ; ନ୍ୟାୟ, ଯାଥାର୍ଥ୍ୟବୋଧ ଓ କର୍ତ୍ତବ୍ୟଜ୍ଞାନର ନାମ ବିବେକ ; ଈଶ୍ୱରଙ୍କ ସଙ୍ଗେ ସାକ୍ଷାତ୍ ସମ୍ବନ୍ଧ ଅନୁଭୂତି ଧର୍ମବୁଦ୍ଧି ନାମରେ ଖ୍ୟାତ । ପୁଣି ଏହି ସମସ୍ତ ଭାବ ସମୁନ୍ନତ ହେଲେ ଶିକ୍ଷାର ପ୍ରକୃତ ଅବସ୍ଥା ଉପସ୍ଥିତ ହୁଏ । (ଉତ୍କଳପୁତ୍ର - ୧/୩ ; ୧୬.୫. ୧୮୭୩)

 

ଶିକ୍ଷା ସମ୍ବନ୍ଧରେ ପ୍ୟାରୀମୋହନଙ୍କ ଏହି ଅନୁଚିନ୍ତା ବ୍ରାହ୍ମଆଦର୍ଶ-ଅନୁସାରୀ । ରାମମୋହନଙ୍କ ଠାରୁ ଆରମ୍ଭ କରି କେଶବଚନ୍ଦ୍ରଙ୍କ ପର୍ଯ୍ୟନ୍ତ ସମସ୍ତ ବ୍ରାହ୍ମନେତାଗଣ ଶିକ୍ଷାଦାନରେ ଆଧ୍ୟାତ୍ମିକ ତଥା ଧାର୍ମିକ ବିଷୟର ଭୂମିକାକୁ ଗୁରୁତ୍ଵ ଦେଇ ଆସିଛନ୍ତି । ପ୍ୟାରୀମୋହନ ଆବଶ୍ୟକ ସ୍ଥଳେ ‘ଉତ୍କଳପୁତ୍ର’କୁ ବ୍ରାହ୍ମଧର୍ମର ମୁଖପତ୍ର ରୂପେ ବ୍ୟବହାର କରିଛନ୍ତି । କୌଣସି ଏକ ବିଦ୍ୟାଳୟରେ ଛାତ୍ରମାନଙ୍କ ଧର୍ମାନୁରକ୍ତିକୁ ଶିକ୍ଷକମାନେ ବିରୋଧ କରିବାକୁ ସଂପୃକ୍ତ ପ୍ରସଙ୍ଗରେ ସେ ଲେଖିଛନ୍ତି :

 

ଆମ୍ଭେମାନେ ଅତିଶୟ ଦୁଃଖର ସହିତ ପ୍ରକାଶ କଲୁଁ ଯେ ଏତଦ୍‌ଦେଶୀୟ କୌଣସି ପାଠଶାଳାର କୌଣସି ଶିକ୍ଷକ କୌଣସି କୌଣସି ଛାତ୍ରଙ୍କୁ କୌଣସି ବିଶେଷ ଧର୍ମ ମନ୍ଦିରକୁ ଯିବା ନିମନ୍ତେ ପ୍ରକାରାନ୍ତରେ ବାରଣ କରିଅଛନ୍ତି ଓ କୌଣସି କୌଣସି ବିଶେଷ କାର୍ଯ୍ୟାଭ୍ୟାସରେ ଉଦ୍‌ଯୋଗୀ ହେବାରୁ ମିଷ୍ଟ ଭର୍ତ୍ସନାଦ୍ୱାରା ଏମାନଙ୍କ ଉଦ୍ୟମ କଳିକାକୁ ଦମିତ ଓ ହୃଦୟବାସନାକୁ ନିରୁତ୍ସାହ କଣ୍ଟକରେ ସେମାନେ ପୁଣି ବିଦ୍ଧ କରିଅଛନ୍ତି । କି ଆଶ୍ଚର୍ଯ୍ୟର ବିଷୟ ! ଆମ୍ଭମାନଙ୍କର ରାଜାଧିରାଜ ଏ ବିଷୟମାନଙ୍କରେ ହସ୍ତକ୍ଷେପ କରିବାକୁ କୁଣ୍ଠିତ ; କିନ୍ତୁ ଶିକ୍ଷକମାନେ ରାଜଦାସାନୁଦାସ ହୋଇ ଉକ୍ତ ବିଷୟରେ କଥା କହନ୍ତି ; ସାମାନ୍ୟ ସାହସର ବ୍ୟାପାର ନୁହେଁ ! ବାମନ ହୋଇ ଚନ୍ଦ୍ର ଧରିବାକୁ ଇଚ୍ଛା । (ପୂର୍ବୋକ୍ତ)

 

ଉଦ୍ଧୃତ ସମ୍ବାଦରେ ପ୍ୟାରୀମୋହନ ବ୍ରାହ୍ମଧର୍ମର ନାମ ଉଚ୍ଚାରଣ କରି ନଥିଲେ ମଧ୍ୟ ବ୍ରାହ୍ମମନ୍ଦିରକୁ ଯିବା ନେଇ ଶିକ୍ଷକମାନେ କରୁଥିବା ନିଷେଧକୁ ଯେ ଏଠାରେ ନିନ୍ଦା କରାଯାଇଛି, ତାହା ସ୍ପଷ୍ଟ ଜଣାପଡ଼େ । ବ୍ରାହ୍ମଧର୍ମର ପ୍ରଚାରକ ଅଘୋରନାଥ ଗୁପ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଇଥିବା ବକ୍ତୃତାକୁ ଗୁରୁତ୍ଵ ଦେଇ ସମ୍ବାଦ-ପରିବେଷଣ କରିବା ଦ୍ଵାରା ପ୍ୟାରୀମୋହନ ବ୍ରାହ୍ମଧର୍ମ ପ୍ରଚାରରେ ପରୋକ୍ଷ ଭୂମିକା ଗ୍ରହଣ କରିଛନ୍ତି :

 

ଆଜିକି ପ୍ରାୟ ମାସକ ତଳେ ବାବୁ ଅଘୋରନାଥ ଗୁପ୍ତ ପୁରୀକୁ ଯାଇଥିଲେ ଓ ସେଠାରେ କିଛିଦିନ ରହି ‘ପ୍ରକୃତ ଜୀବନ’ ଏହି ବିଷୟରେ ଗୋଟିଏ ବକ୍ତୃତା ପ୍ରଦାନ କରି ବ୍ରାହ୍ମଧର୍ମର ଉଦାରଭାବ ସେଠା ଶିକ୍ଷିତ ଲୋକଙ୍କ ହୃଦୟରେ ସ୍ପଷ୍ଟ ରୂପେ ମୁଦ୍ରିତ କରିବାକୁ ସମର୍ଥ ହୋଇଥିଲେ । ଆଜକୁ ପ୍ରାୟ ଦୁଇସପ୍ତାହ ପୂର୍ବେ କଟକକୁ ଆସି ଗତ ତା ୨୩ରିଖ ଜୁନ “ବ୍ରାହ୍ମସମାଜ” ବିଷୟରେ ଗୋଟିଏ ମନୋହର ବକ୍ତୃତା ଦେଇଥିଲେ । ବେଦର ଉପନିଷଦର ସମୟ ପର୍ଯ୍ୟନ୍ତ ଧର୍ମର କି ପ୍ରକାର ଉନ୍ନତି ଭାରତବର୍ଷରେ ହୋଇଥିଲା ଓ ସେସବୁରେ ଏକେଶ୍ଵରୋପାସନାର ଭାବକି ରୂପ ପ୍ରବଳ ପୁଣି ମଧ୍ୟେ ମଧ୍ୟେ ଚୈତନ୍ୟ, ନାନକ, ରାମାନନ୍ଦ ପ୍ରଭୃତିଙ୍କଦ୍ୱାରା ଏକ ପ୍ରଭୁଙ୍କ ଆରାଧନା କେମନ୍ତେ ପ୍ରଚଳିତ ହୋଇଥିଲା ଏହିସବୁ ବିଷୟ ବିସ୍ତାରିତ ରୂପେ କହି, ଏକ ଈଶ୍ଵରୋପାସନା ବିଶିଷ୍ଟ ବ୍ରାହ୍ମଧର୍ମର ପ୍ରଚାର ଭାରତବର୍ଷ, ଇଉରୋପ ଓ ଆମେରିକାରେ କି ରୂପେ ଦିନ ଦିନ ବୃଦ୍ଧି ହେଉଅଛି ଏଥି ସମ୍ବନ୍ଧରେ ବକ୍ତୃତାରେ ବିଶେଷ କରି କହିଥିଲେ ।

(ଉତ୍କଳ ପୁତ୍ର–୧/୬ ; ୧.୭.୧୮୭୩)

 

ବ୍ରାହ୍ମମାନେ ଏକେଶ୍ୱରବାଦୀ ଓ ଅପୌତ୍ତଳିକ ହୋଇଥିବାରୁ ହିନ୍ଦୁଧର୍ମର ବହୁ ଆଚାର ଅନୁଷ୍ଠାନରେ ବିଶ୍ଵାସ କରୁ ନ ଥିଲେ । ତ’ସହିତ ସେମାନେ ନାଚ, ଗୀତ ଓ ତାମସା ଆଦି ର ଥିଲେ ବିରୋଧୀ । ଦୁର୍ଗାପୂଜାରେ ଦେବୀଙ୍କର ମୃଣ୍ମୟୀ ମୂର୍ତ୍ତି କେବଳ ପୂଜିତ ହେଉ ନଥିଲା– ମନୋରଞ୍ଜନ କାର୍ଯ୍ୟକ୍ରମ ଥିଲା ଏହାର ସବୁଠାରୁ ବଡ଼ ଆକର୍ଷଣ । ଦୁର୍ଗାପୂଜା ବଙ୍ଗାଳୀ ପରିବାରର ଶ୍ରେଷ୍ଠ ପର୍ବ ଓ ପ୍ୟାରୀମୋହନ ଥିଲେ ବଙ୍ଗାଳୀ ବ୍ରାହ୍ମଣ । କିନ୍ତୁ ଦୁର୍ଗାପୂଜାର ଘୋର ପୌତ୍ତଳିକତା ଓ ଆମୋଦର ବିଭତ୍ସତାକୁ ସେ ସହ୍ୟ କରିପାରି ନାହାନ୍ତି । ଆତ୍ମମଗ୍ନ ହୋଇ ଲେଖିଛନ୍ତି : “ଆଜିକାଲି ଦଶହରା ଘଡ଼ି ! ହିନ୍ଦୁ ସମାଜ ଆନନ୍ଦୋତ୍ସବରେ ମାତିଅଛି । କେଉଁଠାରେ ତାସ ପଶାର ଧୂମ ଲାଗିଅଛି । କେଉଁଠି ଅବା ଗାନ ବାଦ୍ୟ ନାଚ ତାମୁସାରେ ଲୋକେ ମତ୍ତ, କେଉଁଠାରେ ବୋତଲ ଢଳା, ଛିଟାଟଣା ଲାଗିଅଛି ।’’ (ଉ.ପୁ.୧/୧୨ ; ୦୧.୧୦.୧୮୭୩) ପ୍ୟାରୀମୋହନଙ୍କ ବ୍ୟକ୍ତି-ସଭାରେ ବ୍ରାହ୍ମଧର୍ମର ନୀତିବୋଧ ଏଭଳି ଭାବେ ସମ୍ମିଳିତ ହୋଇଥିଲା ଯେ ସାଧାରଣ ଲୋକାଚାରକୁ ସେ ଘୃଣା କରିବସିଛନ୍ତି ।

 

‘ଅଶ୍ଳୀଳତା’ ବିରୋଧୀ ଆନ୍ଦୋଳନରେ ବ୍ରାହ୍ମସମାଜ ନେତୃତ୍ୱ ନେଇଥିଲା । ଆମ ସାହିତ୍ୟ ଓ ଅନ୍ୟାନ୍ୟ କଳାରେ ଥିବା ନରନାରୀ ମିଳନର ଉଲଙ୍ଗ ଉପସ୍ଥାପନାକୁ ବ୍ରାହ୍ମମାନେ ବିଦ୍ୱେଷ / ଘୃଣାବ୍ୟଞ୍ଜକ ଚକ୍ଷୁରେ ଦେଖୁଥିଲେ । ସେମାନଙ୍କ ଦୃଷ୍ଟିରେ ‘ଅଶ୍ଳୀଳତା’ ହୃଦୟର ଘୋର ନୀତିହୀନତାର ପ୍ରକାଶ । ଏହା ନେଇ ମନ ଓ ପ୍ରାଣକୁ କଳୁଷିତ କରେ । ତେଣୁ ‘ଉତ୍କଳ-ହିତୈଷିଣୀ’ ସମ୍ବାଦପତ୍ର ଯେତେବେଳେ ଅଶ୍ଳୀଳତା ବିରୋଧରେ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଦେଇଛି, ସେତେବେଳେ ପ୍ୟାରୀମୋହନ ତାହାକୁ ସମର୍ଥନ କରି ଲେଖିଛନ୍ତି :

 

ଆଜିକାଲି ବଙ୍ଗଦେଶରେ ଅଶ୍ଳୀଳ-ଭାଷାଦିର ବ୍ୟବହାର ରହିତ କରିବାକୁ ଭାରୀ ଧୂମଧାମ ଲାଗିଅଛି । ଏଥିସକାଶେ ଏକ ସଭା ସଂସ୍ଥାପିତ ହୋଇଅଛି, ଫ୍ରେଣ୍ଡ ଅଫ ଇଣ୍ଡିୟାର ଜର୍ଜ ସ୍ମିଥ୍‌ ସାହେବ ଏଥିର ସଭାପତି । ଯହିଁରେ ଅଶ୍ଳୀଳ ପୁସ୍ତକ ପ୍ରଭୃତିର ରଚନା ଓ ପ୍ରକାଶ ନିବାରିତ ହୁଏ, ସେଥିର ଚେଷ୍ଟା ଏ ସଭା ବିଶେଷ ରୂପେ କରିବେ । ଇତ୍ୟବସରେ ଏ ସ୍ଥାନର ଅଶ୍ଳୀଳ ସଙ୍ଗୀତାଦିର ବ୍ୟବହାର ଯହିଁରେ ବନ୍ଦ ହୁଏ, ବିଶେଷତଃ କଟକୀ ବଜାରିମାନେ ବଜାରରେ ଅଶ୍ଳୀଳ ଗୀତ ଗାଇବା ଯହିଁରେ କ୍ଷାନ୍ତ ହୁଅନ୍ତି ଏଥି ସକାଶେ ଏଠାରେ ମଧ୍ୟ ଏକ ସଭା ସ୍ଥାପନ କରିବାକୁ ଉତ୍କଳ-ହିତୈଷିଣୀ ଅନୁରୋଧ କରି ଅଛନ୍ତି । ବାସ୍ତବିକ ଏ ସୁନ୍ଦର ପ୍ରସ୍ତାବ । କିନ୍ତୁ ଏ ସ୍ଥାନୀୟ ଲୋକେ ଯେପରି ବାବୁ ଏପରି ସତ୍ ପ୍ରସ୍ତାବକୁ କାର୍ଯ୍ୟରେ ପରିଣତ କରିବେକି ନା ସନ୍ଦେହ ।

(ଉତ୍କଳପୁତ୍ର-୧/୧୩; ୧୫.୧୦.୧୫୭୩)

 

‘ଅଶ୍ଳୀଳତା’ ସଂପର୍କରେ ପ୍ୟାରୀମୋହନଙ୍କର କଠୋର ମନୋଭାବ ତାଙ୍କର ‘ଉତ୍କଳସାହିତ୍ୟ’ ଲେଖାରେ ଅଭିବ୍ୟକ୍ତ । ପ୍ରାଚୀନ କବିତା ‘ଅଶ୍ଳୀଳତା’ରୁ ମୁକ୍ତ ନ ଥିବାରୁ ତାହାକୁ ସେ ଆଦୌ ଗୁରୁତ୍ୱ ଆରୋପ କରିନାହାନ୍ତି । ଅପର ପକ୍ଷରେ କେଶବଚନ୍ଦ୍ରଙ୍କୁ ଅନୁସରଣ କରି ସେ ପ୍ରାଦେଶିକ ଭାଷାଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଓ ଏହାର ବିକାଶ ଚାହିଁଛନ୍ତି । ‘ଉତ୍କଳଭାଷା’ (୧/୨: ୧.୫, ୧୮୭୩): ‘ଗଞ୍ଜାମ, ସମ୍ବଲପୁର ଓ ଉତ୍କଳପୁସ୍ତକ’ (୧/୭; ୧୬.୭.୧୮୭୩ ଓ ୧/୮; ୧.୮; ୧.୮.୧୮୭୩) ଆଦି ଅଗ୍ରଲେଖାରେ ଓଡ଼ିଆ ଭାଷାର ବିକାଶ ଓ ଆଧୁନିକ ରୁଚି ସଂପନ୍ନ ଓଡ଼ିଆ ପୁସ୍ତକର ପ୍ରକାଶ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ବ୍ରାହ୍ମଧର୍ମ ସହ ବଙ୍ଗଳା ଭାଷା-କୈନ୍ଦ୍ରିକ ଜାତୀୟଚେତନାର ଅଭ୍ୟୁଦୟର ସଂପର୍କ ଘନିଷ୍ଠ । ପ୍ୟାରୀମୋହନ ବ୍ରାହ୍ମଧର୍ମ ସହ ଓଡ଼ିଆ ଭାଷାଭିତ୍ତିକ ଜାତୀୟତାକୁ ସଂଶ୍ଳିଷ୍ଟ କରିବାକୁ ଚାହିଁଛନ୍ତି । ଭାଷାଭିତ୍ତିକ ଜାତୀୟଚେତନା ତାଙ୍କ ଭିତରେ ସୃଷ୍ଟି କରିଛି ଦେଶପ୍ରେମ । ‘ଉତ୍କଳପୁତ୍ର’ର ‘କେହି ଶୁଣିବେକି (୨/୯; ୧୬.୮.୧୮୭୪), ‘ଇଂରେଜଙ୍କଦ୍ୱାରା ଓଡ଼ିଶା ଶାସନ’ (୨/୧୧; ୧୬.୯.୧୮୭୪) ଆଦି ଲେଖାରେ ପ୍ୟାରୀମୋହନ ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଯେଉଁ ଉଦ୍‌ବେଗ ପ୍ରକାଶ କରିଛନ୍ତି, ତାହା ଅନନ୍ୟ । କେଶବଙ୍କ ‘ଜାତୀୟ ବିଧାନ’ ବକ୍ତବ୍ୟକୁ ତାହା ସ୍ମରଣ କରାଇଦିଏ ।

 

‘ଉତ୍କଳପୁତ୍ର’ ବନ୍ଦ ହୋଇଗଲା ପରେ ‘ବ୍ରାହ୍ମଧର୍ମ’ର ଆଦର୍ଶକୁ ପ୍ରଚାର କରିବା ପାଇଁ ପ୍ୟାରୀମୋହନ ମାଧ୍ୟମ ରୂପେ ବାଛି ନେଇଛନ୍ତି ବକ୍ତତା ମାଧ୍ୟମ । ପ୍ରଥମେ ବଙ୍ଗଳା ଓ ପରେ ଓଡ଼ିଆ ଭାଷାରେ ତେଜସ୍ୱିନୀ ଭାଷାରେ ଓ ପ୍ରଭାବଶାଳୀ ଢଙ୍ଗରେ ସେ ଭାଷଣମାନ ଦେଇଛନ୍ତି । ଏଭଳି ପାଞ୍ଚଟି ଭାଷଣର ସମ୍ବାଦ/ବିବରଣୀ ‘ଉତ୍କଳଦୀପିକା’ ପୃଷ୍ଠାରୁ ମିଳେ । ସେଗୁଡ଼ିକ ମଧ୍ୟରୁ ତିନୋଟି ଜାତୀୟ ଜୀବନ, ବର୍ତ୍ତମାନର ସଂକଟ ଆଦି ବିଷୟକୁ ଆଧାର କରିଥିଲା ବେଳେ ଗୋଟିଏ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରସଙ୍ଗରେ ଓ ଅନ୍ୟଟି ମାଦକଦ୍ରବ୍ୟ-ସେବନକୁ ବିରୋଧ କରି ପ୍ରଦତ୍ତ ହୋଇଥିଲା । ‘ଉତ୍କଳପୁତ୍ର’ ରଚନା ପାଇଁ ପ୍ୟାରୀମୋହନ ବିରୋଧର ସମ୍ମୁଖୀନ ହୋଇଥିଲେ ବି ତାହା ଅତି ତୀବ୍ର ନ ଥିଲା ।କିନ୍ତୁ ଭାଷଣଗୁଡ଼ିକ ପାଇଁ ସେ ବିଶେଷ ଆଲୋଚିତ ହୋଇଛନ୍ତି । ‘ମନୁଷ୍ୟ ଜୀବନର ଉଦ୍ଦେଶ୍ୟ’ ଥିଲା ପ୍ୟାରୀମୋହନଙ୍କର ଏହି ପର୍ଯ୍ୟାୟର ପ୍ରଥମ ଭାଷଣ । ଏହି ଭାଷଣରେ ବ୍ରାହ୍ମଧର୍ମର ଆଦର୍ଶକୁ ମନୁଷ୍ୟଜୀବନର ଉଦ୍ଦେଶ୍ୟଭାବରେ ସେ ପ୍ରକାରାନ୍ତରେ ଉପସ୍ଥାପନ କରିଥିଲେ ବି ବିଶେଷ ବିରୋଧର ସମ୍ମୁଖୀନ ହୋଇନାହାନ୍ତି । ଜଣେ ଶ୍ରୋତା ‘ପ୍ରେରିତପତ୍ର’ରେ ପ୍ୟାରୀମୋହନଙ୍କ ବକ୍ତୃତାକୁ ପ୍ରଶଂସା କରି ଲେଖିଥିଲେ :

 

ବକ୍ତା ସୁଲଳିତ ଭାଷାରେ, ପ୍ରାଞ୍ଜଳ ରୂପରେ ଆପଣାର ଭାବମାନ ପ୍ରକାଶ କରିଥିଲେ, ତାହା ଶୁଣି ଶ୍ରୋତାମାନେ ସାତିମୟ ଉତ୍ସାହିତ ହୋଇଅଛନ୍ତି । ପ୍ରକୃତରେ ସେଦିନ କାହାରି କାହାରି ଶୀତଳରକ୍ତ ଉଷ୍ଣ ହୋଇଅଛି । ଆମ୍ଭେ ଭରସା କରୁଁ ପ୍ୟାରୀବାବୁଙ୍କ ତୁଲ୍ୟ ଉତ୍କଳଭୂମି ଯେତେ ସନ୍ତାନ ପ୍ରସବ କରିବ ଏହାର ମୁଖଶ୍ରୀ ସେତେ ଉଜ୍ଜ୍ୱଳ ହେବ, ଆମ୍ଭର ଏଠାରେ ବକ୍ତବ୍ୟ ଯେ ପ୍ୟାରୀବାବୁ ଯଦି ଶାନ୍ତଭାବରେ ନାନାଦି ବିଷୟ ଆଲୋଚନା କରି ନାନା ପ୍ରକାର ଭାଷା ଶିକ୍ଷା କରି ମାନସିକ ବୃତ୍ତି ସକଳ ବିଶେଷ ଚାଳନା କରି ଆପଣା ଶକ୍ତିର ପରିଚୟ ଦେବେ ତେବେ ଜଣେ ପ୍ରଧାନ ସତ୍‌ବକ୍ତା ହୋଇ ଏ ଦେଶର ବିଶେଷ ଉପକାର ସାଧନ କରିପାରିବେ ।

(ଉତ୍କଳ-ଦୀପିକା-୧୨/୩୧; ୪.୮.୧୮୭୭)

 

କିନ୍ତୁ ପ୍ୟାରୀମୋହନ ଶାନ୍ତଭାବରେ ନୁହେଁ, ଅଧିକ ଭାବପ୍ରବଣ ହୋଇ ‘ଓଡ଼ିଆ ଭାଷା’ ସଂପର୍କରେ ବ୍ରାହ୍ମ ଆଦର୍ଶ ଭିତ୍ତିରେ ଦ୍ୱିତୀୟ ବକ୍ତୃତା ପ୍ରଦାନ କରିଛନ୍ତି । ଫଳରେ ଉଦ୍ଧୃତ ଚାରୋଟି ପତ୍ର ମଧ୍ୟରୁ ପ୍ରଥମ ପତ୍ରଟି ଲିଖିତ ହୋଇଛି । ସେହିଭଳି ତୃତୀୟ ଭାଷଣରେ ‘ଉତ୍କଳର ଆଶା ଓ ନୈରାଶ୍ୟ’ ସଂପର୍କରେ କହିବାକୁ ଯାଇ କାଳିଦାସ ଓ ଭଞ୍ଜଙ୍କ ମଧ୍ୟରେ ତୁଳନା କରି ବସିଛନ୍ତି ଓ ଭଞ୍ଜସାହିତ୍ୟକୁ ଓଡ଼ିଶାର ସ୍ୱାଭିମାନ ସହ ସମୀକୃତ କରୁଥିବା ବ୍ୟକ୍ତିମାନଙ୍କର ରୋଷର ଶରବ୍ୟ ହୋଇଛନ୍ତି । ମୂଳତଃ ପ୍ୟାରୀମୋହନ ଓଡ଼ିଆ ଭାଷା ଓ ଦେଶପ୍ରୀତି ସହିତ ପ୍ରାଚୀନ ଓଡ଼ିଆ ସାହିତ୍ୟ ପ୍ରୀତିକୁ ସମୀକୃତ କରିପାରି ନାହାନ୍ତି, ତାଙ୍କର ଧର୍ମାଦର୍ଶ ପାଇଁ । ବ୍ରାହ୍ମଧର୍ମର ସାମାଜିକ ଓ ରାଜନୈତିକ ଆଦର୍ଶପ୍ରତି ପ୍ରତିବଦ୍ଧତା ପ୍ୟାରୀମୋହନଙ୍କୁ ବିବାଦୀୟ କରିଛି ।

 

|| ପାଞ୍ଚ ||

ବ୍ରାହ୍ମଧର୍ମର ଉଦ୍‌ଭବ ଆତ୍ମଦ୍ୱନ୍ଦ୍ୱରୁ । ଔପନିବେଶିକ ଶାସନରେ ଉପନିବେଶର ସମସ୍ତ ଫଳ ଲାଭକରିବା ସହିତ ଭାରତୀୟ ଭାବରେ ଆପଣାର ଆତ୍ମ-ପରିଚିତିକୁ ବଜାୟ ରଖିବା ଥିଲା ଏହାର ଲକ୍ଷ୍ୟ । ଏହି ଉଭୟ ଲକ୍ଷ୍ୟ ମଧ୍ୟରେ ରହିଛି ଦ୍ୱନ୍ଦ୍ୱ ଓ ଏହି ଦ୍ୱନ୍ଦ୍ୱରୁ ବ୍ରାହ୍ମଧର୍ମ ଓ ବ୍ରାହ୍ମସମାଜର ଉଦ୍‌ଭବ । ଫଳରେ ରାମମୋହନଙ୍କ ଠାରୁ ଆରମ୍ଭ କରି ଅଧିକାଂଶ ବ୍ରାହ୍ମନେତା ଆତ୍ମଦ୍ୱନ୍ଦ୍ୱରେ ପୀଡ଼ିତ । ସେମାନଙ୍କ କାର୍ଯ୍ୟ ଓ ବାଣୀ ମଧ୍ୟରେ ସ୍ୱବିରୋଧ ସ୍ପଷ୍ଟ । ପ୍ୟାରୀମୋହନ ମଧ୍ୟ ଏଭଳି ଆତ୍ମଦ୍ୱନ୍ଦ୍ୱରେ ପୀଡ଼ିତ ହେବା ସ୍ଵାଭାବିକ । ସ୍ୱବିରୋଧର ସମ୍ମୁଖୀନ ହୋଇ ମଧ୍ୟ ପ୍ୟାରୀମୋହନ ଆପଣାର କର୍ତ୍ତବ୍ୟନିଷ୍ଠା, ସାଧୁତା ହେତୁ ଓଡ଼ିଆ ଜାତୀୟ ଚେତନାର ବିକାଶରେ ଯେଉଁ ଭୂମିକା ନେଇଛନ୍ତି, ତାହା ତାଙ୍କୁ ସ୍ମରଣୀୟ କରି ରଖିବ; ଏଥିରେ ସନ୍ଦେହ ନାହିଁ ।

 

 

୩୮-ଏ, ଶକ୍ତିନଗର,

ରାଉରକେଲା-୭୬୯୦୧୪

 

***

 

Unknown

ଜାତୀୟ ଜୀବନର ବିକାଶରେ

ସମର୍ପିତ ପ୍ରତିଭା ପ୍ୟାରୀମୋହନ

ଡକ୍ଟର ବିଜୟାନନ୍ଦ ସିଂହ

 

ଊନ୍ନବିଂଶ ଶତାବ୍ଦୀ ଓଡ଼ିଶା ପାଇଁ ଏକ ସ୍ମରଣୀୟ ଶତାବ୍ଦୀ । ବହୁ ଘାତପ୍ରତିଘାତମୟ ପରିସ୍ଥିତି ମଧ୍ୟରେ ଓଡ଼ିଶା ଗତି କରିଥିଲେ ମଧ୍ୟ ଅନେକ ପ୍ରଗତି ସମ୍ଭବ ହୋଇଛି । ଓଡ଼ିଶାର ହୋଇଛି ଅନେକ ପରିବର୍ତ୍ତନ । ଇଂରେଜମାନେ ୧୮୦୩ ମସିହାରେ ଓଡ଼ିଶା ଅଧିକାର କରନ୍ତି ଓ କ୍ରମେ ସେମାନଙ୍କ ପ୍ରଭାବ ବିସ୍ତାରିତ ହୁଏ- “୧୬୩୩ ସାଲ ମେ ମାସ ତା ୧ ରିଖ ରବିବାର ଦିନ ଇଂରାଜୀ ବଣିକ କାର୍ଟରାଇଟ ଓଡ଼ିଶାରେ ବାଣିଜ୍ୟ ସୁବିଧା ଲାଭ କରିବା ପାଇଁ ତତ୍‌କାଳୀନ ଓଡ଼ିଶାର ଶାସନକର୍ତ୍ତା ଆଗା ମହମ୍ମଦ ଯମାନଙ୍କୁ ବାରବାଟୀ ଦୁର୍ଗଠାରେ ସମ୍ମାନ ଦେଖାଇଥିବା ଘଟଣାକୁ ଏଇପରି ବର୍ଣ୍ଣନା କରାଯାଇଛି । ‘ନବାବ ଆସିବା ମାତ୍ରେ ପାଦୁକା ଖସାଇ ଦେଇ ପାଦଟିଏ, ଚୁମ୍ବନ କରିବା ନିମନ୍ତେ କାର୍ଟରାଇଟଙ୍କ ଆଡ଼କୁ ବଢ଼ାଇଦେଲେ । କାର୍ଟରାଇଟ ଦୁଇବାର ନିଷେଧ କଲେ ମାତ୍ର ଶେଷରେ ଚୁମ୍ବନ କଲେ ।’ ଏହାର ପ୍ରାୟ ଦୁଇଶହ ବର୍ଷ ପୂର୍ବେ ଯେଉଁ ଦେଶ ଗୌରବର ଚରମ ସୀମାରେ ଉପନୀତ ହୋଇଥିଲା, ବିଧିର ବିଡ଼ମ୍ବନାରେ, ସେଇ ଦେଶ କ୍ରମଶଃ ସଂକୁଚିତ ହୋଇ ଶେଷରେ ମରହଟ୍ଟାଙ୍କ ଅପରିସୀମ ଅରାଜକତାର ଲୀଳା ଭୂମିରେ ପରିଣତ ହୋଇଥିଲା । କାର୍ଟରାଇଟଙ୍କ ବ୍ୟବସାୟୀ ବଂଶର ଉତ୍ତରାଧିକାରୀମାନେ ଊନ୍ନବିଂଶ ଶତାବ୍ଦୀର ଆରମ୍ଭରେ ସେଇ ଖଣ୍ଡବିଖଣ୍ଡିତ ଓଡ଼ିଶାକୁ ମରହଟ୍ଟାମାନଙ୍କ ଠାରୁ ହସ୍ତଗତ କରିଥିଲେ । କାର୍ଟରାଇଟଙ୍କ ନବାବ ପଦଚୁମ୍ବନ (୧/୫/୧୬୩୩), ଘଟଣା ସହିତ କାପଟାନ ମର୍ଗାନଙ୍କ ବାଲେଶ୍ୱର ସହର ଅଧିକାର (୧୪/୯/୧୮୦୩) ହାରକୋର୍ଟ ସାହେବଙ୍କ ପୁରୀ ସହର (୧୮/୯/୧୮୦୩) ଓ ବାରବାଟୀ ଅଧିକାର (୧୪/୧୦/୧୮୦୩) ଓ ପରିଶେଷରେ ନାଗପୁର ଭୋଁସାଲାଙ୍କ ଠାରୁ ଦେବ ଗ୍ରାମସନ୍ଧି (୧୭/୧୨/୧୮୦୩) ଅନୁସାରେ ଓଡ଼ିଶା ପ୍ରାପ୍ତି ଘଟଣା ତୁଳନା କଲେ ଇଂରେଜ ବଣିକ ଶକ୍ତିର କ୍ରମ ଅଭ୍ୟୁଦୟ ସହିତ ଓଡ଼ିଆ ଜାତିର କ୍ରମ ଅଧଃପତନ ସ୍ପଷ୍ଟତଃ ଅନୁଭୂତ ହୋଇଥାଏ । (୧) ଏହାପରେ ଓଡ଼ିଶାର ଅର୍ଥନୈତିକ ଦୁର୍ଗତି ସଙ୍ଗେ ସଙ୍ଗେ ଓଡ଼ିଶାର ସାମାଜିକ,

 

(୧)

ଓଡ଼ିଆ ସାହିତ୍ୟର ଇତିହାସ–ଡକ୍ଟର ନଟବର ସାମନ୍ତରାୟ–ପୃ୧/୨

 

ସାଂସ୍କୃତିକ ବିପର୍ଯ୍ୟୟ ସୃଷ୍ଟି ହୁଏ । ଏ ଦୁର୍ଗତିର ଶେଷତମ ପରିଣତି ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ । ଇଂରେଜମାନେ ଓଡ଼ିଶାକୁ ଅଧିକାର କଲାପରେ ସେମାନେ ଦୁଇଟି ବିଦ୍ରୋହର ସମ୍ମୁଖୀନ ହେଲେ । ଗୋଟିଏ ଖୋର୍ଦ୍ଧାର ପାଇକ ବିଦ୍ରୋହ (୧୮୧୭) ଓ ଅନ୍ୟଟି ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ (୧୮୨୭-୧୮୪୦) । ପୁନଶ୍ଚ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ପରେ ଓଡ଼ିଶାରେ ମଧ୍ୟ ବିଦ୍ରୋହ ପ୍ରକାଶ ପାଇଥିଲା । ଏହି ସମସ୍ତ କାରଣ ହେତୁ ଇଂରେଜମାନେ ଓଡ଼ିଶାର ବିକାଶରେ ଗୁରୁତ୍ୱ ଦେଲେ ନାହିଁ । ଦୀର୍ଘକାଳ ଧରି ଓଡ଼ିଶାରେ ମଧ୍ୟ ନୂତନ ବିଦ୍ୟାଳୟ ପ୍ରତିଷ୍ଠା ଲାଭ କଲା ନାହିଁ । ୧୮୨୨ ମସିହାରେ ପ୍ରଥମେ ମିଶନାରୀମାନେ ବିଦ୍ୟାଳୟ ପ୍ରତିଷ୍ଠା କରନ୍ତି ଓ ବିଭିନ୍ନ ସ୍ଥାନରେ ମିଶନାରୀ ବିଦ୍ୟାଳୟ ଗଢ଼ିଉଠେ । କିନ୍ତୁ ସେହି ବିଦ୍ୟାଳୟମାନଙ୍କରେ ଓଡ଼ିଶାର ଜନସାଧାରଣ ସେମାନଙ୍କର ପିଲାମାନଙ୍କୁ ପଢ଼ାଇଲେ ନାହିଁ । ଲର୍ଡ ମ୍ୟାକ୍‌ଲେଙ୍କ ଶିକ୍ଷାନୀତି ୧୮୩୫ ମସିହାରେ ପ୍ରଣୟନ ପରେ କମ୍ପାନୀ ସରକାର ଶିକ୍ଷା ବିଭାଗର ଦାୟିତ୍ଵ ହାତକୁ ନେଲେ ଏବଂ ସେହି ସମୟରେ ଓଡ଼ିଶାର କେତେକ ସ୍ଥାନରେ ନୂତନ ବିଦ୍ୟାଳୟ ମାନ ଗଢ଼ିଉଠିଲା । ମହାରାଣୀ ଭିକ୍ଟୋରିଆଙ୍କ ସମୟରୁ ଭାରତ ବର୍ଷରେ ପ୍ରତ୍ୟକ୍ଷ ଭାବରେ ବ୍ରିଟିଶ ଶାସନ ଜାରି ହେଲା । ଊନ୍ନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ବିଭିନ୍ନ ବିଦ୍ୟାଳୟ ପ୍ରତିଷ୍ଠା ହେବା ସଙ୍ଗେ ସଙ୍ଗେ କେତେକ ସ୍ଥାନରେ ନାରୀ ଶିକ୍ଷା ସମ୍ପର୍କରେ ଗୁରୁତ୍ୱ ଦିଆଗଲା । ୧୮୬୮ ମସିହାରେ କଟକ କଲେଜ ପ୍ରତିଷ୍ଠା ଲାଭ କଲା । ଯାହା ପରବର୍ତ୍ତୀ ଅବସ୍ଥାରେ ରେଭେନ୍ସା କଲେଜରେ ପରିଣତ ହେଲା । ୧୮୭୦ ମସିହା ସମୟକୁ ଓଡ଼ିଶାରେ ଏକ ନୂତନ ଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ଘଟିଲା ।

 

ଧର୍ମକ୍ଷେତ୍ରରେ ମଧ୍ୟ ହେଲା ଏକ ପରିବର୍ତ୍ତନ । ଏହି ଶତାବ୍ଦୀର ବ୍ରାହ୍ମଧର୍ମ ରାଜା ରାମମୋହନ ରାୟଙ୍କଦ୍ୱାରା ୧୮୨୮ ମସିହାରେ ପ୍ରତିଷ୍ଠିତ ହେଲା । ଏହି ଧର୍ମ ଏକ ସଂସ୍କାରମୁଖୀ ଧର୍ମ । ସମ୍ପୂର୍ଣ୍ଣ ମାନବବାଦ ଉପରେ ଏହା ବିଶ୍ୱାସ କରେ । ସମାଜର ଯାବତୀୟ କୁସଂସ୍କାର ବିରୁଦ୍ଧରେ ଏହି ଧର୍ମ ସ୍ଵର ଉତ୍ତୋଳନ କଲା । ଏକ ଈଶ୍ୱର ଉପରେ ଗୁରୁତ୍ଵ ଦେଇ ମୂର୍ତ୍ତି ପୂଜାକୁ ବିରୋଧ କରିବା ସଙ୍ଗେ ସଙ୍ଗେ ମଣିଷ ଉପରେ ବ୍ରାହ୍ମଧର୍ମ ଗୁରୁତ୍ୱ ଦେଲା । ନାରୀ ଶିକ୍ଷା, ନାରୀ ମୁକ୍ତି ପାଇଁ ବ୍ରାହ୍ମଧର୍ମର ଆହ୍ୱାନ ପ୍ରଗତିଶୀଳ ଭୂମିକାର ସଂକେତ ବୋଲି କୁହାଯାଇପାରେ । ବାଲ୍ୟବିବାହର ବିରୋଧ, ବିଧବା ବିବାହର ପ୍ରଚଳନ, ଅସ୍ପୃଶ୍ୟତା ବିରୋଧ ଇତ୍ୟାଦି ନାନା ସଂସ୍କାର କ୍ଷେତ୍ରରେ ବ୍ରାହ୍ମଧର୍ମ ନେଲା ନେତୃତ୍ଵ । ଇଂରେଜ ଶିକ୍ଷାକୁ ଏହା ସମର୍ଥନ ଜଣାଇଲା । ୧୮୬୮ ମସିହାରୁ ବ୍ରାହ୍ମଧର୍ମ ଓଡ଼ିଶାରେ କ୍ରମେ ସଂପ୍ରସାରିତ ହେଲା । ଏହି ସମୟରେ ବ୍ରାହ୍ମମାନେ ସାମାଜିକ ସଂସ୍କାର ବିଷୟରେ ଗୁରୁତ୍ୱ ଦେଉଥିବାରୁ ତାହା ଆଧୁନିକ ପନ୍ଥୀମାନଙ୍କୁ ବିଶେଷ ଆକୃଷ୍ଟ କଲା । ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ଫଳରେ ଓଡ଼ିଶାର ଆର୍ଥନୈତିକ ସ୍ଥିତି ଦୋହଲି ଗଲା ଏବଂ ୧୮୭୦ ମସିହା ବେଳକୁ ଭାଷା ସୁରକ୍ଷା ଆନ୍ଦୋଳନ ତୀବ୍ର ଆକାର ଧାରଣ କଲା । ଓଡ଼ିଆ ଭାଷାର ହେଲା ବିଜୟ । ଓଡ଼ିଆ ଭାଷା ତାର ପରମ୍ପରା, ଐତିହ୍ୟକୁ ବଜାୟ ରଖିବା ସହ ସ୍ୱୀକୃତି ଲାଭ କଲା । ଫଳତଃ ୧୮୭୦ ମସିହା ପରେ ଓଡ଼ିଶାରେ ଶୁଭାରମ୍ଭ ହେଲା ନବଜାଗରଣ ବା ରେନେଁସା । ଏହି ନବଜାଗରଣ ସାମାଜିକ, ରାଜନୀତିକ, ଭାଷା, ସାହିତ୍ୟ, ସଂସ୍କୃତି ସର୍ବୋପରି ଜାତୀୟ ଜୀବନରେ ଆଣିଦେଲା ବ୍ୟାପକ ପରିବର୍ତ୍ତନ । ଏହି ନବଜାଗରଣର ଅନ୍ୟତମ କର୍ଣ୍ଣଧାର ଓ ବାର୍ତ୍ତାବହ ହେଲେ ପ୍ୟାରୀମୋହନ ଆଚାର୍ଯ୍ୟ ।

 

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଜାତି ଇତିହାସରେ ପ୍ୟାରୀମୋହନ ଆଚାର୍ଯ୍ୟ ଏକ ଅବିସ୍ମରଣୀୟ ପ୍ରତିଭା ଓଡ଼ିଆ ଜାତିର ଏକ ସନ୍ଧିକ୍ଷଣରେ ପ୍ୟାରୀମୋହନଙ୍କ ଆର୍ବିଭାବ । ପ୍ୟାରୀମୋହନ ଥିଲେ ଯଥାର୍ଥରେ ଉତ୍କଳମାତାର ସୁଯୋଗ୍ୟ ସନ୍ତାନ । ସେ ପ୍ରାଣ ଦେଇ ଭଲ ପାଇଥିଲେ ଓଡ଼ିଆ ମାଟି, ପାଣି ପବନକୁ, ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସକୁ । ତାଙ୍କର ସମଗ୍ର ଜୀବନ ଥିଲା ବିପ୍ଳବ, ସଂଗ୍ରାମ, ସାଧନାରେ ପରିପୂର୍ଣ୍ଣ । ସେ ଥିଲେ ଯୁଗପୁରୁଷ । ସମ୍ବାଦପତ୍ର ପ୍ରକାଶନ, ଇତିହାସ ପ୍ରଣୟନ, ଶିକ୍ଷାର ବିକାଶ, ସମାଜସେବା, ସାହିତ୍ୟର ଉନ୍ନତି, ଦେଶଭକ୍ତିର ଯେଉଁ ଅପୂର୍ବ ଦୃଷ୍ଟାନ୍ତ ସେ ସୃଷ୍ଟି କରିଛନ୍ତି ତାହାର ପଟ୍ଟାନ୍ତର ନାହିଁ । ବଳିଷ୍ଠ ବ୍ୟକ୍ତିତ୍ୱ, ଗଭୀର ପାଣ୍ଡିତ୍ୟ, ନିଷ୍ଠା, ଆତ୍ମବିଶ୍ୱାସ, ଅଧ୍ୟବସାୟ, ନିର୍ଭୀକତା, ଆତ୍ମୀୟତା ସର୍ବୋପରି ସତ୍ୟ ପ୍ରତି ଅନୁରକ୍ତି ପ୍ୟାରୀମୋହନଙ୍କ ଜୀବନର ବିଶେଷତ୍ୱ । ମାତ୍ର ତତ୍‌କାଳୀନ ଅର୍ଥାତ୍ ଉନ୍ନବିଂଶ ଶତାବ୍ଦୀର ସପ୍ତମ/ ଅଷ୍ଟମ ଦଶକରେ ଓଡ଼ିଶାର ଜାତୀୟ ସମସ୍ୟାକୁ ଉପଲବ୍ଧି କରିବାସହ ତାହାର ସମାଧାନରେ ସେ ଯେଉଁ ସାଫଲ୍ୟ ଅର୍ଜନ କରିଥିଲେ ତାହାର ପଟ୍ଟାନ୍ତର ନାହିଁ । ସେଥିପାଇଁ ତାଙ୍କୁ ନବୋତ୍କଳର ନିର୍ମାତା ; ଜାତୀୟ ଭାବନାର ସାର୍ଥକ ଅଗ୍ରଦୂତ ବୋଲି କୁହାଯାଇଛି । ତାଙ୍କ ସ୍ଵଳ୍ପାୟୁ ଜୀବନକାଳ ଆମ ଜାତି ଇତିହାସର ଏକ ଗୌରବଜ୍ଜ୍ୱଳ ଅଧ୍ୟାୟ ।

 

 

ଜୀବନଧାରା :

୧୮୫୧ ମସିହା ଅଗଷ୍ଟ ମାସ ୫ ତାରିଖ ଦିନ ପ୍ୟାରୀମୋହନ ଆଚାର୍ଯ୍ୟ କଟକ ଜିଲ୍ଲାର ଐତିହାସିକ ସ୍ଥାନ ମାହାଙ୍ଗା ଥାନା ଅନ୍ତର୍ଗତ କୁଆଁପାଳ ନିକଟସ୍ଥ ପଶୁଲୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରନ୍ତି । ପଶୁଲୁଣ୍ଡା ଗ୍ରାମ୍ୟ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଏହାର ପ୍ରାକୃତିକ ପରିବେଶ ମନକୁ ଛୁଇଁ ଥାଏ । ଗାଁଦେଇ ବହିଯାଇଛି ଗୋବରୀ ନଦୀ-ଯାହା ୫ ନମ୍ବର ଡ୍ରେନେଜକଟ୍ ନାମରେ ପରିଚିତ । ଖୁବ୍ ନିକଟରେ ପୁଣ୍ୟତୋୟା ବିରୂପାନଦୀ । ପଶୁଲୁଣ୍ଡା ଏକ ବଡ଼ଗାଁ, ଗାଁ ପୁଣି ଶୋଭିତ ବିସ୍ତୃତ ଶ୍ୟାମଳ ଶସ୍ୟ କ୍ଷେତ୍ରରେ । ଗାଁକୁ ସଂଲଗ୍ନ କୁଆଁପାଳ । କୁଆଁପାଳ ସମ୍ପ୍ରତି ମାହାଙ୍ଗା ବ୍ଲକ୍‌ର ମୁଖ୍ୟ ଦପ୍ତର । ଯେଉଁ କୁଆଁପାଳ-ଶ୍ରୀକୃଷ୍ଣପୁର ଥିଲା ବ୍ରିଟିଶ ଶାସନର ମହାପ୍ରତାପୀ ଜମିଦାର ଗୋଲକ ଚନ୍ଦ୍ର ବୋଷଙ୍କ ଗାଁ । ପ୍ୟାରୀମୋହନ ଆଚାର୍ଯ୍ୟ ପିତାଙ୍କ ନାମ ଭୁବନମୋହନ ଆଚାର୍ଯ୍ୟ । ସେ ଥିଲେ ତତ୍‌କାଳୀନ କଟକର ଜଣେ ପ୍ରସିଦ୍ଧ ଓକିଲ । ସେ ଥିଲେ ଚାରିଜଣ ପୁତ୍ର ସନ୍ତାନଙ୍କର ପିତା । ପ୍ୟାରୀମୋହନ, ଦ୍ୱାରିକାନାଥ, ଚନ୍ଦ୍ରମୋହନ ଓ କାଳିଚରଣ ନାମରେ ଏହି ପୁତ୍ର ସନ୍ତାନମାନେ ସୁପରିଚିତ । ଦ୍ଵାରିକାନାଥ ବିଦ୍ୟାଅଧ୍ୟୟନ ପରେ ମୋକ୍ତାର ହୋଇ ପିତାଙ୍କ ପରି ଆଇନ ବ୍ୟବସାୟରେ ବେଶ୍ ସଫଳତା ଅର୍ଜ୍ଜନ କରିଥିଲେ । ଚନ୍ଦ୍ରମୋହନ ଥିଲେ ଜଣେ ସ୍ୱନାମଧନ୍ୟ ଡାକ୍ତର । କାଳିଚରଣ ତାଙ୍କ ମାମୁଁ ଘର କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ୍‌ର ଏଣ୍ଡର ଗ୍ରାମକୁ ପୁଅ ହୋଇଯାଇଥିଲେ ।

 

ପ୍ୟାରୀମୋହନ ବାଲ୍ୟକାଳରେ ଗ୍ରାମ୍ୟ ପାଠ୍ୟଶାଳା କୁଆଁପାଳଠାରେ ବିଦ୍ୟାରମ୍ଭ କରିଥିଲେ । ସେଦିନର ପାଠ୍ୟଶାଳା ସାମ୍ପ୍ରତିକ କାଳର ପ୍ରାଥମିକ ସ୍କୁଲ ପରି ନୁହେଁ । ଏହି ପାଠ୍ୟଶାଳାରେ ତାଙ୍କର ଦୁଇଭ୍ରାତା ଦ୍ଵାରିକାନାଥ ଓ ଚନ୍ଦ୍ରମୋହନ ମଧ୍ୟ ଶିକ୍ଷାଲାଭ କରିଥିଲେ । ସେତେବେଳେ ଉତ୍କଳରେ ପାଠ୍ୟଶାଳା ଯାହା ଚାଟଶାଳୀ ଭାବରେ ପରିଚିତ ଥିଲା ତାହାହିଁ ଏକମାତ୍ର ପାଠ୍ୟଅର୍ଜ୍ଜନ କରିବାର ସ୍ଥାନ ଥିଲା । ସେହି କାଳର ଖ୍ୟାତନାମା ସାରସ୍ଵତ ସ୍ରଷ୍ଟା, ପ୍ରଖ୍ୟାତ ବ୍ୟକ୍ତିତ୍ଵ ଯଥା କବିବର ରାଧାନାଥ, ଉତ୍କଳ ଗୌରବ ମଧୁସୂଦନ, ବ୍ୟାସକବି ଫକୀରମୋହନ, ସ୍ଵଭାବ କବି ଗଙ୍ଗାଧର, ପଲ୍ଲୀକବି ନନ୍ଦକିଶୋର ପ୍ରମୁଖ ଏହି ପ୍ରକାର ଚାଟଶାଳୀରୁ ହିଁ ବିଦ୍ୟାରମ୍ଭ କରିଥିଲେ । ଯୁଗସ୍ରଷ୍ଟା ଫକୀରମୋହନ, ତାଙ୍କ ଆତ୍ମଜୀବନୀରେ, ପଲ୍ଲୀକବି ନନ୍ଦକିଶୋର ତାଙ୍କ ପଲ୍ଲୀଚିତ୍ର ପୁସ୍ତକରେ ଚାଟଶାଳୀ ସଂପର୍କରେ ସୁନ୍ଦର ମନ୍ତବ୍ୟ ମାନ ପ୍ରଦାନ କରିଛନ୍ତି । ଚାଟଶାଳୀର ଶିକ୍ଷକମାନଙ୍କୁ ଅବଧାନ ବୋଲି କୁହାଯାଉଥିଲା । ଅବଧାନମାନେ ଓଡ଼ାଙ୍ଗ, ଫେଡ଼ାଙ୍ଗ ଏବଂ ଶୋଧି ଇତ୍ୟାଦି ଗଣିତ ପାଠ ସଂପର୍କରେ ଅଗାଧ ଜ୍ଞାନ ଲାଭ କରିଥିଲେ-। ଅବଧାନ ମାନେ ପାଠଶାଳାର ଛାତ୍ରମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରୁଥିଲେ । ବେତ୍ରାଘାତ କରୁଥିଲେ । ଅନେକ ଛାତ୍ର ଭୟରେ ପାଠଶାଳାକୁ ଯାଉନଥିଲେ ।

 

ସେହି ଅବଧାନ ପ୍ୟାରୀମୋହନଙ୍କର ପ୍ରଥମ ଶିକ୍ଷକ ଥିଲେ । ତତ୍‌କାଳୀନ ଶିକ୍ଷା ବ୍ୟବସ୍ଥା ସଂପର୍କରେ ଯଥାର୍ଥ କୁହାଯାଇଛି- “ତତ୍କାଳୀନ ପାଠଶାଳା ଗୁଡ଼ିକରେ ପଠିତବ୍ୟ ବିଷୟ ଓ ପାଠର ମାନ ସର୍ବତ୍ର ସମାନ ନଥିଲା । ଅନେକ ବିଦ୍ୟାଳୟରେ ବଙ୍ଗଳା ଭାଷାରେ ଶିକ୍ଷାରମ୍ଭ ହେଉଥିଲା । ତଦାନୀନ୍ତନ ସ୍କୁଲର ଡେପୁଟୀ ଇନିସ୍‌ପେକ୍ଟର କୈଳାସ ଚନ୍ଦ୍ର ତର୍ଜାଳଙ୍କାର (ପରବର୍ତ୍ତୀ କାଳରେ କଟକର ପ୍ରସିଦ୍ଧ ଓକିଲ ପ୍ରିୟନାଥ ଚାଟାର୍ଜୀଙ୍କ ପିତା) ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ବଙ୍ଗଳା ବର୍ଣ୍ଣ-ପରିଚୟର ଯେଉଁ ଓଡ଼ିଆ ଅନୁବାଦ କରିଥିଲେ, ସେହି ବହି ଖଣ୍ଡିକରେ ପ୍ରଧାନତଃ ବାଳକମାନଙ୍କର ଶିକ୍ଷାରମ୍ଭ ହେଉଥିଲା । କୌଣସି କୌଣସି ପାଠଶାଳାରେ ଇଂରାଜୀ ଶିକ୍ଷାର ବ୍ୟବସ୍ଥା ମଧ୍ୟ କିଛିକିଛି ଥିଲା । ପ୍ୟାରୀମୋହନ ଏହିଭଳି ଗୋଟିଏ ପାଠଶାଳାରେ ବାଲ୍ୟଶିକ୍ଷା ସମାପ୍ତ କରି ୧୨ ବର୍ଷ ବୟସରେ କଟକ ଆସି ଉଚ୍ଚ ଇଂରାଜୀ ଶିକ୍ଷାର ଏକମାତ୍ର ବିଦ୍ୟାଳୟ କଟକ-ଜିଲ୍ଲା ସ୍କୁଲରେ ଭର୍ତ୍ତି ହେଲେ । “(୨) ;

 

ଏହି ସୁବିଖ୍ୟାତ ଜିଲ୍ଲା ସ୍କୁଲରେ ଏଫ୍.ଏ. ଅଧ୍ୟୟନ ପାଇଁ ଦୁଇଟି ଶ୍ରେଣୀ ସଂଯୁକ୍ତ ହୋଇଥିଲେ ମଧ୍ୟ ଏହା କଟକ ଜିଲ୍ଲା ସ୍କୁଲ ନାମରେ ପରିଚିତ ଥିଲା । ପରବର୍ତ୍ତୀ ସମୟରେ ୧୮୭୮ ମସିହାରେ ଏହା କଲେଜରେ ପରିଣତ ହୋଇ ରେଭେନ୍‌ସା କଲେଜ ହୋଇଗଲା । ପ୍ରାକ୍ତନ କଟକ ଜିଲ୍ଲା ସ୍କୁଲଟି ରେଭେନ୍‌ସା କଲିଜିଏଟ୍ ସ୍କୁଲ ନାମରେ ରୂପାନ୍ତରିତ ।

 

ପ୍ୟାରୀମୋହନ ପ୍ରାଥମିକ ବିଦ୍ୟାଲାଭ କଲାପରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇଲେ । ସେଠାରୁ ସେ ସଫଳତା ଲାଭ କଲାପରେ ବାରବର୍ଷ ବୟସରେ ପ୍ୟାରୀମୋହନ କଟକ ଆସିଲେ ଏବଂ କଟକ-ଜିଲ୍ଲା ସ୍କୁଲରେ ଅଧ୍ୟୟନ କଲେ । ଏହି ସ୍କୁଲରେ ସେ ଛଅବର୍ଷ କାଳ ପାଠପଢ଼ିଲେ । ଏହି ସ୍କୁଲରେ ଅଧ୍ୟୟନ କାଳରେ ପ୍ୟାରୀମୋହନଙ୍କ ପ୍ରତିଭା ଲୋକଲୋଚନକୁ ଆସିଲା । ସେ ଥିଲେ ଧୀର, ଶାନ୍ତ, ନମ୍ର, ଚିନ୍ତାଶୀଳ ଏବଂ ଗମ୍ଭୀର ପ୍ରକୃତିର ଛାତ୍ର । ନିରୋଳାରେ ବସି ରହି ଚିନ୍ତା କରିବା ପ୍ରଭୃତି କାର୍ଯ୍ୟରେ ସେ ଅଧିକ ସମୟ ବିନିଯୋଗ କରୁଥିଲେ । ଖେଳିବା, ବୁଲିବା ପ୍ରଭୃତି କାର୍ଯ୍ୟ ନ କରି ଗ୍ରନ୍ଥ ଅଧ୍ୟୟନ କରିବା ବା କୌଣସି ବିଷୟରେ ତର୍କବିତର୍କ କରିବା ପ୍ରଭୃତି କାର୍ଯ୍ୟକୁ ସେ ପସନ୍ଦ କରୁଥିଲେ । ପ୍ୟାରୀମୋହନ ଥିଲେ ସ୍ପଷ୍ଟବାଦୀ, ନିର୍ଭୀକ, ସତ୍ୟପ୍ରିୟ । ଛାତ୍ର ପ୍ୟାରୀମୋହନ ଅନେକ ସମୟରେ ଶ୍ରେଣୀ ଗୃହରେ ସତ୍ୟକଥା କହି କଠୋର ଦଣ୍ଡବରଣ କରି ନେଇଛନ୍ତି ସତ କିନ୍ତୁ ଅନ୍ୟମାନଙ୍କ ପରି ଅସତ୍ୟ କଥା ପ୍ରକାଶ କରିବା ପାଇଁ ଇଚ୍ଛା ପ୍ରକାଶ କରିନାହାନ୍ତି । ସତରେ ତାଙ୍କ ବ୍ୟକ୍ତିତ୍ଵ ଥିଲା– ସତ୍ୟ, ସାଧୁତାରେ ପରିପୂର୍ଣ୍ଣ । ୧୮୬୯ ମସିହାରେ ପ୍ୟାରୀମୋହନ ବିଶ୍ୱବିଦ୍ୟାଳୟ

 

(୨)

ଭକ୍ତକବି ମଧୁସୂଦନ ରାଓ ଓ ଉତ୍କଳରେ ନବଯୁଗ–ଶ୍ରୀମତୀ ଅବନ୍ତୀ ଦେବୀ–ପୃଷ୍ଠା-୨୦୮/୨୦୯

 

ପ୍ରବେଶିକା ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଏଫ.ଏ. ଶ୍ରେଣୀରେ କଟକ କଲେଜରେ ଅର୍ଥାତ୍ କଟକ ହାଇସ୍କୁଲରେ ପ୍ରଥମ ବର୍ଷୀୟ ଶ୍ରେଣୀରେ ନାମ ଲେଖାଇଲେ । ସେହି ସମୟରେ ଓଡ଼ିଶାରେ କଲେଜ ଶିକ୍ଷା ପାଇଁ ସେପରି କିଛି ସୁବିଧା ସୁଯୋଗ ନଥିଲା । ଏହି କଲେଜ (ଯାହା କଟକ ହାଇସ୍କୁଲ )ରେ ପାଠ ପଢ଼ିବା ସମୟରେ ପ୍ୟାରୀମୋହନଙ୍କ ଜୀବନର ଗତିପଥ ବଦଳିଗଲା । ଏହିଠାରେ ଭକ୍ତକବି ମଧୁସୂଦନଙ୍କ ସହ ତାଙ୍କର ସମ୍ପର୍କ ସ୍ଥାପିତ ହୁଏ ଏବଂ ତାଙ୍କର ବନ୍ଧୁତା ହୋଇଯାଏ ପଣ୍ଡିତ ଗୋବିନ୍ଦ ରଥଙ୍କ ସହ ସେମାନଙ୍କର ସଂପର୍କ ହୋଇଗଲା ଗଭୀର, ଘନିଷ୍ଠ । ଭକ୍ତକବି ମଧୁସୂଦନ ଓ ପ୍ୟାରୀମୋହନ ସ୍କୁଲ ମଧ୍ୟରେ ସମୟ ପାଇଲେ ଧର୍ମୀୟ ଆଲୋଚନା କରିବା ସହ ସାରସ୍ୱତ ସାଧନାରେ ରହୁଥିଲେ ନିମଗ୍ନ । ଉପାଦେୟ ପ୍ରବନ୍ଧ ରଚନା, ଅନୁବାଦ ପ୍ରଭୃତି ସାହିତ୍ୟ କର୍ମରେ ତାଙ୍କର ସମୟତକ ବିନିଯୋଗ ହେଉଥିଲା ।

 

୧୮୬୯/୧୮୭୦ ମସିହାରେ ହରନାଥ ଭଟ୍ଟାଚାର୍ଯ୍ୟ ଏମ.ଏ.ବି.ଏଲ୍. କଟକ ହାଇସ୍କୁଲସ୍ଥିତ ଏଫ.ଏ. ଶ୍ରେଣୀରେ ଦର୍ଶନ ବିଭାଗର ଅଧ୍ୟାପକ ଭାବରେ ଶିକ୍ଷାଦାନ କରୁଥିଲେ । ବ୍ରାହ୍ମ ଧର୍ମ ଦର୍ଶନରେ ଥିଲା ତାଙ୍କର ଗଭୀର ଜ୍ଞାନ । ଦୁଇବନ୍ଧୁ ପ୍ୟାରୀମୋହନ ଓ ମଧୁସୂଦନଙ୍କ ହରନାଥଙ୍କ ପ୍ରତି ଥିଲା ଅଚଳ ଭକ୍ତି ଓ ବିଶ୍ୱାସ । ତାଙ୍କ ପରାମର୍ଶ ଓ ଧର୍ମ, ଦର୍ଶନ ଆଲୋଚନାରେ ମୁଗ୍ଧ ହୋଇ ଉଭୟ ପ୍ୟାରୀମୋହନ ଆଚାର୍ଯ୍ୟ ଓ ମଧୁସୂଦନ ରାଓ ବ୍ରାହ୍ମଧର୍ମ ଗ୍ରହଣ କଲେ । ଉଭୟେ ଥିଲେ ମାନବବାଦୀ । ସଂସ୍କାର ଆଣିବା ଥିଲା ସେମାନଙ୍କ ଜୀବନର ପରମଲକ୍ଷ୍ୟ । ରାଜା ରାମମୋହନଙ୍କ ଦ୍ଵାରା ସୁପ୍ରତିଷ୍ଠିତ । ବ୍ରାହ୍ମଧର୍ମ ଉଭୟ ବନ୍ଧୁଙ୍କ ଲକ୍ଷ୍ୟ ପୂରଣରେ ଯେ ସହାୟକ ହେବ ତାହା ସେମାନେ ହୃଦୟଙ୍ଗମ କରିଥିଲେ- “ରାଜା ରାମମୋହନଙ୍କଦ୍ୱାରା ପ୍ରତିଷ୍ଠିତ ଏହି ବ୍ରାହ୍ମ ଧର୍ମର ମୁଖ୍ୟ ଉଦ୍ଦେଶ୍ୟ ଥିଲେ । ସମାଜ ସଂସ୍କାର, ବିଧବା ବିବାହ ପ୍ରଚଳନ, ନାରୀଶିକ୍ଷାର ପ୍ରସାର, ବାଲ୍ୟବିବାହକୁ ବିରୋଧ, ବିଭିନ୍ନ ପ୍ରଚଳିତ ସାମାଜିକ କୁସଂସ୍କାରକୁ ବିଲୋପ କରିବା ଏବଂ ବହୁଳ ଭାବରେ ଶିକ୍ଷା ପ୍ରସାର କରିବା । ବ୍ରାହ୍ମ ପ୍ରବକ୍ତାଙ୍କ ମତରେ ଏହି ବିଶ୍ୱବ୍ରହ୍ମାଣ୍ଡ ହେଉଛି ପବିତ୍ର ବ୍ରାହ୍ମମନ୍ଦିର, ନିର୍ମଳ ହୃଦୟ ହେଉଛି ତୀର୍ଥ, ସତ୍ୟ ହେଉଛି ଅବିନଶ୍ୱର ଶାନ୍ତି ବିଶ୍ଵାସ ଧର୍ମର ମୂଳମନ୍ତ୍ର ଏବଂ ପ୍ରେମ ହେଉଛି ଯଥାର୍ଥରେ ନୈରାଶ୍ୟ । ଏହିପରି ଧର୍ମ ଓ ନୀତି ବାଣୀ ମଧ୍ୟରେ ସମଗ୍ର ଓଡ଼ିଶାରେ ଏକ ନବଜାଗରଣ ସୃଷ୍ଟି କରିବା ସତ୍ୟ, ପ୍ରେମ, ତ୍ୟାଗ, ବିଶ୍ୱାସ ଏବଂ ସଂହତିର ବାର୍ତ୍ତା କିପରି ସମସ୍ତଙ୍କ ପାଖରେ ପହଞ୍ଚିବ–ସେ କ୍ଷେତ୍ରରେ ପ୍ୟାରୀମୋହନ ଓ ମଧୁସୂଦନ ଦୁଇ ବନ୍ଧୁଥିଲେ ଅଗ୍ରଣୀ ଉଦ୍ୟୋକ୍ତା, ସେଥିପାଇଁ ପ୍ରଚାର କରିବା, ଆଲୋଚନା ଚକ୍ରର ବ୍ୟବସ୍ଥା କରିବା ଏବଂ ନିବନ୍ଧମାନ ରଚନା କରି ପ୍ରକାଶ କରିବା ଥିଲା ସେମାନଙ୍କର ମୁଖ୍ୟ କାର୍ଯ୍ୟକ୍ରମ ।’’(୩)

 

ପ୍ୟାରୀମୋହନ ଥିଲେ ମାନବବାଦୀ । ମାନବ ଜୀବନ ଓ ସମାଜର ସର୍ବୋତ୍ତମ ବିକାଶ ପାଇଁ ସେ ଥିଲେ ଚିନ୍ତିତ । କୁସଂସ୍କାର, ଅନ୍ୟାୟ, ଅନୀତି, ଶୋଷଣ ଏ କଷଣର ଥିଲେ ସେ ଥିଲେ ତୀବ୍ର ବିରୋଧୀ । ଧର୍ମ ନାମରେ ମଣିଷର ମଣିଷ ଉପରେ ଅତ୍ୟାଚାର ତାଙ୍କୁ ଭୀଷଣ କଷ୍ଟ ଦେଇଥିଲା । ହିନ୍ଦୁଧର୍ମର ତଥାକଥିତ ନୀତି ନିୟମ ତାଙ୍କୁ ବ୍ୟତି ବ୍ୟସ୍ତ କରି ଦେଇଥିଲା । ଏସବୁରୁ ମୁକ୍ତି ପାଇଁ ସେ ନୂତନ ପଥ ସନ୍ଧାନ କରୁ ଥିଲେ । ଏହି ସମୟରେ ତାଙ୍କର ଦୃଷ୍ଟିକୁ ଆସିଲା

 

(୩)

ଓଡ଼ିଶାର ଇତିହାସ - ପ୍ୟାରୀମୋହନ ଆଚାର୍ଯ୍ୟ - ସଂପାଦନା, ସେକ୍ ମତଲୁବ୍‌ ଅଲି - ପୃଷ୍ଠା-୬ ।

 

ବ୍ରାହ୍ମଧର୍ମ । ଅଧ୍ୟାପକ ହରନାଥ ଭଟ୍ଟାଚାର୍ଯ୍ୟ ସହଜରେ ମଧ୍ୟ ଏହି ଧର୍ମର ସାରତତ୍ତ୍ୱକୁ ସାଧାରଣରେ ବୁଝାଇପାରୁଥିଲେ । ଦୁଇଜଣ ଛାତ୍ର ପ୍ୟାରୀମୋହନ ଓ ମଧୁସୂଦନ । ଏହି ସଂସ୍କାର ପ୍ରାଣ ଦୁଇ ବ୍ୟକ୍ତିଙ୍କ ଜୀବନରେ ଅଧ୍ୟାପକ ହରନାଥ ଭଟ୍ଟାଚାର୍ଯ୍ୟ ବହୁଳ ପରିବର୍ତ୍ତନରେ ସହାୟକ ହେଲେ । ମାନବତ୍ମାର ସନ୍ଧାନୀ ଏହି ଦୁଇଯୁବକକୁ ବ୍ରାହ୍ମଧର୍ମର ଆଦର୍ଶ, ନୀତି ସତେ ଯେପରି ଅମୃତପରି ମନେ ହେଲା ।

 

ରାଜାରାମମୋହନଙ୍କ ଦ୍ଵାରା ପ୍ରତିଷ୍ଠିତ ବ୍ରାହ୍ମଧର୍ମ-ମାନବିକ ଧର୍ମ ଓ ସମାଜ ସଂସ୍କାର ଉଦ୍ଦେଶ୍ୟ ନେଇ ଏହାର ସୃଷ୍ଟି । ତତ୍‌କାଳୀନ ସମାଜକୁ ସୁସ୍ଥ, ସୁନ୍ଦର, ନିର୍ମଳ କରିବା ସହ ମାନବିକ ମୁକ୍ତି ପାଇଁ କାର୍ଯ୍ୟ କରିବା ଏହି ବ୍ରାହ୍ମଧର୍ମର ଉଦ୍ଦେଶ୍ୟ ଥିଲା । ମୂର୍ତ୍ତି ପୂଜା ଓ ବାଲ୍ୟବିବାହର ବିରୋଧ, ନାରୀଶିକ୍ଷା ତଥା ଆଧୁନିକ ଶିକ୍ଷାର ପ୍ରସାର ସର୍ବୋପରି ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ୱାସର ବିଲୋପ ପାଇଁ ଏହି ବ୍ରାହ୍ମଧର୍ମକୁ ମାଧ୍ୟମ କରି ଆରମ୍ଭ ହୋଇଥିଲା ଏକ ନବଜାଗରଣ । ଏକେଶ୍ୱରବାଦରେ ବିଶ୍ୱାସ କରୁଥିବା ଏହି ବ୍ରାହ୍ମଧର୍ମାବଲମ୍ବୀମାନେ ବିଶ୍ୱକୁ ପବିତ୍ର ବ୍ରହ୍ମ ମନ୍ଦିର ସହିତ ତୁଳନା କରିବା ସହ ନିର୍ମଳ ହୃଦୟକୁ ତୀର୍ଥ ବୋଲି ଅଭିହିତ କରୁଥିଲେ । କାରଣ ବ୍ରହ୍ମ ଶବ୍ଦଟିରୁ ବ୍ରାହ୍ମ ଶବ୍ଦଟିର ଉତ୍ପତ୍ତି । ବ୍ରାହ୍ମ ଅର୍ଥ ବ୍ରହ୍ମ ଶବ୍ଦ ସଂପକୀୟ ବିଷୟ । ବ୍ରହ୍ମ ସର୍ମବ୍ୟାପକ । ଏହି ପ୍ରଗତିଶୀଳ ଆଭିମୁଖ୍ୟ ସଂସ୍କାରବାଦୀ ପ୍ୟାରୀମୋହନଙ୍କୁ ଅନୁପ୍ରାଣିତ କରିଥିଲା । ସେ ବ୍ରାହ୍ମଧର୍ମ ଗ୍ରହଣ କରିବା ସହ ଏହି ସଂସ୍କାର ଆନ୍ଦୋଳନକୁ ଗତିଶୀଳ କରାଇବାର ସଂକଳ୍ପ ନେଇଥିଲେ । ପ୍ୟାରୀମୋହନ ଓ ତାଙ୍କର ଘନିଷ୍ଠ ବନ୍ଧୁ ଭକ୍ତକବି ମଧୁସୂଦନ, ରାଜା ରାମମୋହନଙ୍କ କର୍ମ ଓ ଆଦର୍ଶରେ ପ୍ରୋତ୍ସାହିତ ହୋଇ ଓଡ଼ିଶାର ବ୍ରାହ୍ମଧର୍ମର ପ୍ରଚାର ଓ ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

 

ମନେହୁଏ ଏକ ପରିବର୍ତ୍ତନ ଓ ସାମାଜିକ ପ୍ରତିବଦ୍ଧତାହିଁ ବ୍ରାହ୍ମ ଧର୍ମ ଗ୍ରହଣ କରିବା ପାଇଁ ଅନୁପ୍ରେରିତ କରିଥିଲା ପ୍ୟାରୀମୋହନଙ୍କୁ ।

 

ଉତ୍କଳପୁତ୍ର : ନବ ଚେତନାର ସାର୍ଥକ ସଙ୍କେତ

ଜାତିର ଅଭାବ ଅସୁବିଧାକୁ କେବଳ ଜାତୀୟତାବାଦୀ ମଣିଷମାନେ ମର୍ମେ ମର୍ମେ ଉପଲବ୍ଧି କରନ୍ତି । ସେ ସମୟରେ କଟକରୁ ‘ଉତ୍କଳଦୀପିକା’ ଏବଂ ବାଲେଶ୍ୱରରୁ ‘ସମ୍ବାଦ ବାହିକା’ ସମେତ ମାତ୍ର କେତେ ଖଣ୍ଡ ହାତ ଗଣତି ପତ୍ରପତ୍ରିକା ପ୍ରକାଶିତ ହେଉଥିଲା । କିନ୍ତୁ ଓଡ଼ିଶାର ବିଭିନ୍ନ ସମସ୍ୟା ଜନ ସାଧାରଣଙ୍କ ଅଭାବ ଅସୁବିଧାର ଚିତ୍ର ସଠିକ୍ ଭାବେ ଚିତ୍ରିତ ହୋଇ ପାରୁନଥିଲା । ଯାହା ଫଳରେ ସରକାରଙ୍କ ଦୃଷ୍ଟିକୁ ମଧ୍ୟ ଅନେକ କଥା ଆସୁ ନ ଥିଲା । ପ୍ୟାରୀମୋହନ ଆଚାର୍ଯ୍ୟ ଏହି ଅଭିବାକୁ ଅନୁଭବ କରି ପ୍ରକାଶ କରନ୍ତି ‘ଉତ୍କଳପୁତ୍ର’ । ଓଡ଼ିଶାର ସମ୍ବାଦ ପତ୍ର ଇତିହାସରେ ଏହା ଏକ ନୂତନ ଆଲୋଡ଼ନ । ୧୮୭୧ ମସିହାରେ ଏହାର ପ୍ରଥମ ପ୍ରକାଶ ହୁଏ । ପ୍ୟାରୀମୋହନ ନିଜେ ହେଲେ ‘ଉତ୍କଳପୁତ୍ର’ର ସଂପାଦକ । ସେତେବେଳେ ପ୍ୟାରୀମୋହନଙ୍କ ଛାତ୍ରାବସ୍ଥା । ସ୍ୱାତନ୍ତ୍ର୍ୟ ଉତ୍କର୍ଷର ପରିଚୟ । ସ୍ୱତନ୍ତ୍ର ବିହୀନ ସୃଷ୍ଟି ବ୍ୟକ୍ତିତ୍ଵ ବିହୀନ ବ୍ୟକ୍ତି–ତାର ସ୍ଥିତି ଥାଇପାରେ, କିନ୍ତୁ ଆକର୍ଷଣ ନାହିଁ । ପରିମାଣ ନୁହେଁ ସୃଷ୍ଟିର ଲଳିତ ବିଭବହିଁ ସୃଷ୍ଟିର ସର୍ଜନା ନୈପୁଣ୍ୟ ପରାକାଷ୍ଠାର ଦ୍ୟୋତନା । ପ୍ୟାରୀମୋହନଙ୍କ ‘ଉତ୍କଳପୁତ୍ର’ ଏକ ନୂତନ ପରୀକ୍ଷା, ଏକ ନୂତନ ଆବେଦନ । ୧୮୬୬ ନଅଙ୍କ ଦୁର୍ଭିକ୍ଷ । ଉତ୍କଟ ଖାଦ୍ୟାଭାବରେ ଅସଂଖ୍ୟ ଲୋକ ମୃତ୍ୟୁବରଣ କଲେ । ଓଡ଼ିଶାର ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଜୀବନ ହୋଇପଡ଼ିଲା ବିପର୍ଯ୍ୟସ୍ତ । ଓଡ଼ିଆ ଭାଷାକୁ ଲୋପ କରିବା ପାଇଁ ହେଲା ହୀନ ଚକ୍ରାନ୍ତ । ସର୍ବୋପରି ଓଡ଼ିଶାର ସ୍ୱାଭିମାନ ହେଲା ଭୁଲୁଣ୍ଠିତ । ଏହି ବିରାଟ ବିପର୍ଯ୍ୟୟ ପରେ ଓଡ଼ିଶା ଓ ଓଡ଼ିଆ ଭାଷା, ସାହିତ୍ୟର ବିକାଶ ପାଇଁ ପ୍ୟାରୀମୋହନ ଶତ ଚେଷ୍ଟା କରିଥିଲେ । ଭାଙ୍ଗିପଡ଼ିଥିବା ଜାତିକୁ ଉଠାଇବା ପାଇଁ ତାଙ୍କର ଉଦ୍ୟମ ବାସ୍ତବିକ ଐତିହାସିକ । ଆଚାର୍ଯ୍ୟ ମହାଶୟଙ୍କ ଏହି ପ୍ରଚେଷ୍ଟାର ସଫଳ ଫଳଶ୍ରୁତି ‘ଉତ୍କଳପୁତ୍ର’ ପତ୍ରିକା । ଉତ୍କଳପୁତ୍ର’ର ପ୍ରକାଶନ ପାଇଁ ତାଙ୍କର ଘନିଷ୍ଠ ବନ୍ଧୁ ମଧୁସୂଦନ ରାଓ, ସେ କାଳରେ ପ୍ରତିଷ୍ଠିତ ବ୍ୟକ୍ତି ପଣ୍ଡିତ ଗୋବିନ୍ଦ ରଥ ବହୁ ସାହାଯ୍ୟ କରିଥିଲେ । ଏହା ପ୍ରଥମେ ହାତରେ ଲେଖା ହୋଇ ପ୍ରକାଶିତ ହେଉଥିଲା । ପରେ ଏହା ମୁଦ୍ରିତ ହେଲା କର୍ମବୀର ଗୌରୀଶଙ୍କରଙ୍କ ସହଯୋଗରେ । ଏ ସଂପର୍କରେ ଏକ ବିଜ୍ଞପ୍ତି ମଧ୍ୟ ‘ଉତ୍କଳପୁତ୍ର’ରେ ପ୍ରକାଶିତ ହୋଇଥିଲା- “ପାଠକଙ୍କୁ ଜଣାଅଛି ‘ଉତ୍କଳଦୀପିକା’ ପ୍ରତି ଶନିବାର କଟକ ପ୍ରିଣ୍ଟିଂ କମ୍ପାନୀଙ୍କ ଯନ୍ତ୍ରାଳୟରେ ମୁଦ୍ରିତ ହୋଇ ପ୍ରକାଶିତ ହୁଏ । ଏହି ପୁତ୍ର ମଧ୍ୟ ପକ୍ଷାନ୍ତେ ଥରେ ଉକ୍ତ ଯନ୍ତ୍ରାଳୟରେ ମୁଦ୍ରିତ ହୁଏ ।’’ (୪)

 

ଓଡ଼ିଆ ଭାଷା, ସାହିତ୍ୟର ସମୃଦ୍ଧିପାଇଁ ପ୍ୟାରୀମୋହନ ଥିଲେ ସଦା ତତ୍ପର । ଭାଷା ସାହିତ୍ୟର ଉନ୍ନତି ପାଇଁ ସେ ଥିଲେ ଚିନ୍ତତ । ତାଙ୍କ ଚିନ୍ତାର ସ୍ୱରୂପ ଉନ୍ମୋଚିତ ହୋଇଛି ‘ଉତ୍କଳପୁତ୍ର’ରେ –

 

“ଉତ୍କଳ ସାହିତ୍ୟର ଅବସ୍ଥା ଯେ ଅଦ୍ୟାବଧି ଶୋଚନୀୟ ଏ କଥା କିଏ ଅସ୍ୱୀକାର କରିବ ? ଆଜି ପର୍ଯ୍ୟନ୍ତ ସରଳ, ସୁଲଳିତ, ଶୃଙ୍ଗାରରସ ବିବର୍ଜିତ, ମନୋଦୁଃଖହର ଓ ପ୍ରୀତିପଦ ଖଣ୍ଡ ଗଦ୍ୟକି ପଦ୍ୟ ମୂଳଗ୍ରନ୍ଥ ଓଡ଼ିଆ ଭାଷାରେ ଦେଖିବାକୁ, ପାଇବାର ଦୁସ୍ତର, ନାଟକ ଓ ନବନ୍ୟାସ ରୀତି ତ ଅଦ୍ୟାବଧି ପ୍ରକୃଷ୍ଟ ରୂପେ ଏ ଭାଷାରେ ପ୍ରବେଶ କରିପାରି ନାହିଁ । ସେନାପତି ରଚିତ ଭାରତ ବର୍ଷରେ ଇତିହାସ ଓ ଭାଷାରେ ଆଉଥିବାର ତ ଆମ୍ଭମାନଙ୍କୁ ଜଣା ନାହିଁ । ଉପାଖ୍ୟାନ କି ଭ୍ରମଣବୃତ୍ତାନ୍ତ ବିଷୟକ ପୁସ୍ତକ ମୂଳରୁ ଦୁଷ୍ପ୍ରାପ୍ୟ । ଏହିପରି ଗୋଟି ଗୋଟି କହିଲେ ଅନେକ ହୋଇଯିବ ।’’ (୫) ।

 

‘ଉତ୍କଳପୁତ୍ର ଓଡ଼ିଆ ଭାଷା ସାହିତ୍ୟ ଜଗତର ଏକ ଅମୂଲ୍ୟ ସାରସ୍ୱତ ସଂପଦ । ‘ଉତ୍କଳପୁତ୍ର’ ବହୁ ପ୍ରଶଂସାରେ ମୁଖରିତ ହୋଇଛି । ବିଖ୍ୟାତ ସାହିତ୍ୟିକ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଏହି ପତ୍ରିକା ସଂପର୍କରେ ମୂଲ୍ୟବାନ ମତ ପ୍ରଦାନ କରିଛନ୍ତି–“ବାଲେଶ୍ୱରରେ ଉତ୍କଳଦର୍ପଣ ଦେଖାଦେବାର ଅଳ୍ପଦିନପରେ କଟକରେ ‘ଉତ୍କଳପୁତ୍ର’ର ଆବିର୍ଭାବ । ପ୍ୟାରୀମୋହନ ଏ ପାକ୍ଷିକ ପତ୍ରର ପ୍ରାଣ ପ୍ରତିଷ୍ଠାତା ଓ ସଂପାଦକ ଥିଲେ । ପ୍ରଥମେ ଏହା ହସ୍ତଲିଖିତ ପତ୍ରିକା ରୂପରେ ପ୍ରକାଶିତ ହୋଇ ପଶ୍ଚାତ୍ ମୁଦ୍ରିତ ଆକାରରେ କ୍ରମେ ସାପ୍ତାହିକ ପତ୍ରିକାରେ ପରିଣତ ହୋଇଥିଲା । ସ୍ୱାଧୀନଚେତା ସ୍ୱର୍ଗୀୟ ପଣ୍ଡିତ ଗୋବିନ୍ଦ ରଥ ପତିକ୍ରାର ଜଣେ ଲେଖକ ଥିଲେ । ‘ଉତ୍କଳପୁତ୍ର’ର ପ୍ରତ୍ୟେକ ସମାଲୋଚନା ଅତ୍ୟନ୍ତ ଓଜସ୍ୱିନୀ ଥିଲା । ମହାତ୍ମା ପ୍ୟାରୀମୋହନଙ୍କ ତୁଲ୍ୟ ସ୍ପଷ୍ଟବାଦୀ ନିର୍ଭୀକ ସମାଲୋଚକ ସେତେବେଳେ ଉତ୍କଳରେ କେହି ନ ଥିଲେ ବୋଲି କହିଲେ ଚଳେ । ଅତ୍ୟଧିକ ଓଜସ୍ୱିତା ଯୋଗୁଁ ଅଥବା ପ୍ରଗଳ୍‌ଭତାବଶରୁ

 

(୪)

ଉତ୍କଳପୁତ୍ର - ୧ମ ଭାଗ- ୧୦ମ ଖଣ୍ଡ, ସେପ୍ଟେମ୍ବର ୩ ତାରିଖ ୧୮୭୩ ମସିହାରେ

(୫)

ଉତ୍କଳପୁତ୍ର–୧୮୭୪ ସାଲ ଜୁନ୍ ୩ ତାରିଖ

 

‘ଉତ୍କଳପୁତ୍ର’ ସେତେବେଳେ ସମସ୍ତ କୋପ ଦୃଷ୍ଟିରେ ପଡ଼ି ଉତ୍କଳର ଦୁର୍ବଳ ସମାଜରେ ଅଧିକ କାଳ, ସ୍ଥାୟୀ ହୋଇ ପାରି ନ ଥିଲା । (୬) ଏପ୍ରିଲ୍‌ମାସ ୧୬ ତାରିଖ ବୁଧବାର ୧୮୭୩ ମସିହାରେ ମୁଦ୍ରିତ ହୋଇ ‘ଉତ୍କଳପୁତ୍ର’ର ପ୍ରଥମ ସଂଖ୍ୟା ନୂତନ ସୂର୍ଯ୍ୟ ଦର୍ଶନ କଲା । ଏହା ପ୍ରତିମାସର ୧ ତାରିଖ ଓ ୧୬ ତାରିଖରେ ପାକ୍ଷିକ ପତ୍ରିକା ରୂପେ ପ୍ରକାଶିତ ହେଉଥିଲା । ପ୍ୟାରୀମୋହନ ଏହି ପତ୍ରିକାକୁ ନିଜେ ସମ୍ପାଦନା କରିବା ସହିତ ଏହାର ବିଭିନ୍ନ ସମ୍ବାଦ ଓ ଭିନ୍ନ ଭିନ୍ନ ସ୍ଵାଦର ଆଲୋଚନାଗୁଡ଼ିକୁ ଲେଖିଥିଲେ । ସେକାଳରେ ପତ୍ରିକା ସଂଖ୍ୟାର ସ୍ୱଳ୍ପତା ଏବଂ ପାଠକ ସଂଖ୍ୟା ସୀମିତ ମାସିକ/ପାକ୍ଷିକ ପତ୍ରିକାରେ ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରିବା ସମ୍ଭବ ହେଉନଥିଲା । ତଥାପି ‘ଉତ୍କଳ ପୁତ୍ର’ ପ୍ରତିଟି ପୃଷ୍ଠା ବିଭିନ୍ନ ସ୍ଵାଦର ଲେଖାରେ ସୁଶୋଭିତ ହେଉଥିଲା । ବିଭିନ୍ନ ସମ୍ବାଦ, ପ୍ରାକୃତିକ ପରିସ୍ଥିତି ଅର୍ଥାତ୍ ପାଣିପାଗ ସମ୍ବାଦ, ହାସ୍ୟ ସମ୍ବନ୍ଧୀୟ ଲେଖା, ବିଜ୍ଞାପନ, ପତ୍ର ପ୍ରେରକଙ୍କ ପ୍ରତି ଲେଖା ସର୍ବୋପରି ବିଭିନ୍ନ ସାରଗର୍ଭକ ଆଲୋଚନାରେ ଋଦ୍ଧିମନ୍ତ ହୋଇଥିଲା ‘ଉତ୍କଳପୁତ୍ର’ ପତ୍ରିକା । ପ୍ୟାରୀମୋହନଙ୍କ ନିର୍ଭୀକ, ନ୍ୟାୟସମ୍ମତ, ସତ୍ୟନିଷ୍ଠ ଲେଖାରେ ‘ଉତ୍କଳପୁତ୍ର’ ପରିପୂର୍ଣ୍ଣ ହୋଇଥିଲା । ଏହି ପତ୍ରିକାର ପ୍ରଭାବ ସେତେବେଳେ ଖୁବ୍ ବେଶୀ ଥିଲା । ବ୍ରିଟିଶ୍ ଶାସନର ତ୍ରୁଟି, ପ୍ରଶାସନରେ ଶୋଷଣ, ସାମାଜିକ ଜୀବନରେ କଷଣ, ପୁଣି କୁସଂସ୍କାର ବିରୁଦ୍ଧରେ ପ୍ୟାରୀମୋହନ ନିର୍ଭୀକ ଭାବରେ ଲେଖନୀ ଚାଳନା କରି ଥିଲେ ‘ଉତ୍କଳ ପୁତ୍ର’ରେ । ଏପରିକି ‘ଉତ୍କଳ ପୁତ୍ର’ରେ ପ୍ରକାଶିତ ଏକ ଲେଖା ପାଇଁ ପ୍ୟାରୀମୋହନଙ୍କୁ କଲେଜରୁ ବହିଷ୍କୃତ ହେବାକୁ ପଡ଼ିଥିଲା । ଏହି ଲେଖାଟି ସେତେବେଳେ ବହୁ ଚର୍ଚ୍ଚିତ ବହୁ ଆଲୋଚିତ ହୋଇ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲା । ଏରଭିଙ୍ଗ ସାହେବ କଟକର ମାଜିଷ୍ଟ୍ରେଟ୍ ଥିଲେ । ସ୍ୱାୟତ୍ତ ଶାସନ ପ୍ରଣାଳୀ ପ୍ରବର୍ତ୍ତିତ ହୋଇଥିବାରୁ କଟକ ଜିଲ୍ଲାପାଳ ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ଦାୟିତ୍ୱ ନେଇଥାନ୍ତି । ଏରଭିଙ୍ଗ ସାହେବ ଏହି ସବୁ ଦାୟିତ୍ୱରେ ଥିଲେ ମଧ୍ୟ କଟକ ସହର, ସ୍ଵାସ୍ଥ୍ୟ, ରାସ୍ତାଘାଟ, ଉନ୍ନୟନ, କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉ ନ ଥିଲେ । କଟକ ସହରର ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ପ୍ୟାରୀମୋହନ ଏହି ଅବସ୍ଥାକୁ ଅନୁଭବ କଲେ । ତାଙ୍କର ନିର୍ଭୀକ ବ୍ୟକ୍ତିତ୍ଵ ଏହି ଅନ୍ୟାୟ ଘଟଣାରେ ନୀରବ ହୋଇ ରହିପାରିଲା ନାହିଁ । ସେ ପ୍ରତିବାଦ କଲେ । ଏହି ପ୍ରତିବାଦ ଯଥାର୍ଥ ରୂପ ନେଲା - ‘ଦରଖାସ୍ତ ଯୁତିୟାନ’ ଅର୍ଥାତ୍ ‘ଯୋତାମାନଙ୍କର ନିବେଦନ’ ପ୍ରବନ୍ଧରେ । କଲେଜର ଦ୍ୱିତୀୟ ବାର୍ଷିକ ଶ୍ରେଣୀର ଛାତ୍ର ଥିଲା ସମୟରେ ପ୍ୟାରୀମୋହନଙ୍କ ନିଜ ହସ୍ତ ଲିଖିତ ‘ଉତ୍କଳପୁତ୍ର’ ପତ୍ରିକାରେ ଏପରି ବିଦ୍ରୂପାତ୍ମକ ପ୍ରବନ୍ଧ ପ୍ରକାଶ ପାଇଲା ପରେ ଓଡ଼ିଶାରେ ଏକ ବିରାଟ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏହି ଅପ୍ରିୟ ସତ୍ୟ ଲେଖାଟି ତତ୍କାଳୀନ ଶାସକବର୍ଗକୁ ଚହଲାଇ ଦେଇଥିଲା । ମାଜିଷ୍ଟ୍ରେଟ୍ ଏଭରିଙ୍ଗ ସାହେବ ଏହି କଟୁ ଭାଷାରେ ତିକ୍ତ ପ୍ରବନ୍ଧଟି ପଢ଼ି କ୍ଷୁବ୍ଧ ହୋଇଥିଲେ । ପ୍ୟାରୀମୋହନ ପଢ଼ୁଥିବା କଟକ କଲେଜର ଅଧ୍ୟକ୍ଷ ଚଣ୍ଡୀବାବୁଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ପ୍ୟାରୀମୋହନଙ୍କୁ ଶୀଘ୍ର କଟକ କଲେଜରୁ ବହିଷ୍କାର କରିବା ପାଇଁ । ଚଣ୍ଡୀବାବୁ ଛାତ୍ର ପ୍ୟାରୀମୋହନଙ୍କୁ ଖୁବ୍ ଆଦର କରୁଥିଲେ । ସାହେବଙ୍କ ନିର୍ଦ୍ଦେଶ ପାଇ ଚଣ୍ଡୀବାବୁ ପ୍ୟାରୀମୋହନଙ୍କୁ ଡକାଇ ଏହି ଲେଖାପାଇଁ କ୍ଷମାପ୍ରାର୍ଥନା କରିବା ପାଇଁ କହିଥିଲେ । କିନ୍ତୁ ସତ୍ୟର ପୂଜାରୀ, ନିର୍ଭୀକ, ସ୍ଵାଧୀନଚେତା ପ୍ୟାରୀମୋହନ ଏଭଳି ଅନ୍ୟାୟପୂର୍ଣ୍ଣ ପରାମର୍ଶ ଗ୍ରହଣ କରି ପାରି ନଥିଲେ । ଉତ୍ତରରେ ସେଦିନ

 

(୬)

ଓଡ଼ିଆ ସାହିତ୍ୟର ସମୀକ୍ଷା ଓ ସଂଗ୍ରହ - ଡଃ ନଟବର ସାମନ୍ତରାୟ - ପୃଷ୍ଠା-୧୯୨

 

ଚଣ୍ଡୀବାବୁଙ୍କୁ କହିଥିଲେ–“ମୋର ଲେଖା ସତ୍ୟରେ ପରିପୂର୍ଣ୍ଣ । ଏଥିପାଇଁ ମୁଁ ମୁଣ୍ଡ ନୁଆଁଇବି କାହିଁକି ? ତେଣୁ କ୍ଷମାର ପ୍ରଶ୍ନ ଉଠୁନାହିଁ ।’’ ‘ଦରଖାସ୍ତ ଯୁତିୟାନ’ ପ୍ରବନ୍ଧ ଅବହେଳିତ କଟକ ସହରର ନୀରବ ପ୍ରତିବାଦ ନୁହେଁ ବରଂ ସମଗ୍ର ବ୍ରିଟିଶ ଶାସନର ଅନ୍ୟାୟ, ଅନୀତି, ଶୋଷଣ, କଷଣ ବିରୁଦ୍ଧରେ ମହାନ ବିପ୍ଳବର ଆଦ୍ୟ ଝଙ୍କାର । ପରିଶେଷରେ ପ୍ୟାରୀମୋହନ କଲେଜରୁ ବହିଷ୍କୃତ ହୋଇଥିଲେ । ‘ଉତ୍କଳପୁତ୍ର’ ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ଚିନ୍ତା ଓ ଚେତନାର ସଫଳ ରୂପ ମାତ୍ର । ‘ଉତ୍କଳ ପୁତ୍ର’ର ପ୍ରତ୍ୟେକ ପୃଷ୍ଠା ଜାତୀୟ ଜାଗରଣ ବାର୍ତ୍ତାରେ ପରିପୂର୍ଣ୍ଣ । ଅନ୍ୟାୟ, ଅନୀତି ବିରୁଦ୍ଧରେ ପ୍ୟାରୀମୋହନଙ୍କ ମହାନ ସଂଗ୍ରାମର ବାର୍ତ୍ତା ‘ଉତ୍କଳ ପୁତ୍ର’ ମଣ୍ଡନ କଲା । ବ୍ରିଟିଶ୍ ଶାସନ ବିରୁଦ୍ଧରେ ସେ ଶତମୁଖ ହୋଇ ଉଠିଥିଲେ । ତତ୍କାଳୀନ ଶାସନ ବ୍ୟବସ୍ଥା ବିରୁଦ୍ଧରେ ବିପ୍ଳବ କରିବା ପାଇଁ ‘ଉତ୍କଳ ପୁତ୍ର’ ପତ୍ରିକାରେ ପ୍ୟାରୀମୋହନ ଦୃପ୍ତ ଆହ୍ୱାନ ଦେଇ ଲେଖିଥିଲେ –

 

“ଉଠ ଉଠ ଉଠ

ପରିହରି ମୋହ ନିଦ୍ରା ଆସ କରି ରଣ

ଉତ୍କଳ ତିମିର ସଙ୍ଗେ ହୋଇ ସ୍ଥିର ମନ ।” (୭)

 

‘ଉତ୍କଳ ପୁତ୍ର’ରେ ଉଚ୍ଚମାନର ଲେଖା ସଂଭ୍ରାନ୍ତ ଶୈଳୀରେ ପ୍ରକାଶ ପାଉଥିଲା । ତାହାର ଉଦାହରଣ ଅନେକ । ପ୍ୟାରୀମୋହନ ‘ଗଞ୍ଜାମ, ସମ୍ବଲପୁର ଓ ଉତ୍କଳ ପୁସ୍ତକ’ ଶିରୋନାମାରେ ଲେଖିଥିଲେ - ‘ପାଠକ ସଂଖ୍ୟାର ବୃଦ୍ଧି ଉପରେ ଗ୍ରନ୍ଥ ରଚନା ଆଧିକ୍ୟ ଓ ଲେଖକଙ୍କ ଉତ୍ସାହ ନିର୍ଭର କରେ । ପାଠକେ ଯେ ପରିମାଣରେ ତାଙ୍କୁ ଉତ୍ସାହ ଦେବେ ସେହି ପରିମାଣରେ ଭଲ ଭଲ ପୁସ୍ତକ ପାଇପାରିବେ । ଅଧିକାଂଶ ଲେଖକ ମଧ୍ୟ ନିମ୍ନ ଶ୍ରେଣୀର ଲୋକ । ସେମାନଙ୍କର ଏପରି ସଙ୍ଗତି ନାହିଁ ଯେ ଆପଣା ବ୍ୟୟରେ ପାଠ୍ୟପୁସ୍ତକ ଯୋଗାଇବେ।’’ (୮)

 

‘ଉତ୍କଳ ପୁତ୍ର’ ଥିଲା ଏକ ପୂର୍ଣ୍ଣାଙ୍ଗ ପତ୍ରିକା । ଏହାର ପ୍ରକାଶନ ଶୈଳୀ ସ୍ୱତନ୍ତ୍ର । ଶୈଳୀ ଓ ଭାଷାର ସୌନ୍ଦର୍ଯ୍ୟ ଲୋଭନୀୟ । ‘ଇଂରାଜୀ ସ୍କୁଲ୍‌ମାନଙ୍କରେ ଶିକ୍ଷା ପ୍ରଣାଳୀ’ ଲେଖାଟି ଏହି ସତ୍ୟର ସଙ୍କେତ–‘‘ଆମ୍ଭେମାନେ ଇଂରାଜୀ ଭାଷା ଶିକ୍ଷାଦ୍ୱାରା ଯୋଡ଼ିଏ ସଦ୍ୟ ଉପକାର ଉପଲବ୍ଧି କରିଅଛୁ ବୋଲି ମନରେ ବିଶ୍ୱାସ ହେଉଅଛି । ପ୍ରଥମତଃ ଏହା ରାଜଭାଷା ଥିବାରୁ ରାଜକାର୍ଯ୍ୟ ନିର୍ବାହରେ ସାମର୍ଥ୍ୟ ସୁତରାଂ ସମଧିକ ଅର୍ଥୋପାର୍ଜନରେ ସହାୟତା ଓ ରାଜପୁରୁଷଙ୍କୁ ଆପଣା ଅବସ୍ଥା ଓ ଅଭାବାଦି ନାନା ଉପାୟରେ ଜଣାଇବାକୁ ପାରକତା ଜନ୍ମାଉଅଛି । ଦ୍ୱିତୀୟତଃ ଅନେକ ଉନ୍ନତ ଓ ଉଚ୍ଚଭାବମାନ ଆମ୍ଭମାନଙ୍କ ମାନସ ପଟରେ ମୁଦ୍ରିତ କରି ହୃଦୟକୁ ବିସ୍ତୃତ ଓ ଉଦାର କରୁଅଛି । କିନ୍ତୁ ଆଜିକାଲି ଇଂରାଜୀ ସ୍କୁଲମାନଙ୍କରେ ଯେପରି ଶିକ୍ଷାର ରୀତି ପ୍ରବର୍ତ୍ତିତ ହେଉଅଛି ତହିଁରେ ଶେଷୋକ୍ତ ବିଷୟ ସୁନ୍ଦର ରୂପେ ସମ୍ପାଦିତ ହେବାର ଜଣାଯାଏ । (୯)

 

(୭)

ଉତ୍କଳପୁତ୍ର–୧୮୭୩

(୮)

ଉତ୍କଳପୁତ୍ର - ୧୬ ଜୁଲାଇ ୧୮୭୩

(୯)

ଉତ୍କଳପୁତ୍ର - ୧୬ ଅଗଷ୍ଟ ୧୮୭୩, ପୃଷ୍ଠା-୩୪

 

‘ଉତ୍କଳ ପୁତ୍ର’ରେ ତତ୍କାଳୀନ ସମୟର ଚିତ୍ର ଅତି ନିଖୁଣ ଭାବରେ ପ୍ରସ୍ଫୁଟିତ ହୋଇଛି । ଦଶହରା ପର୍ବ ସମ୍ପର୍କରେ ପ୍ରକାଶିତ ଏକ ସମ୍ବାଦ ଏଠାରେ ସ୍ମରଣୀୟ– “ଆଜିକାଲି ଦଶହରା ଘଡ଼ି-। ହିନ୍ଦୁ ସମାଜ ଆନନ୍ଦୋତ୍ସବରେ ମାତି ଅଛି । କେଉଁଠାରେ ତାସ୍ ପକାଇ ଧୂମ ଲାଗିଅଛି । କେଉଁଠି ଅବା ଗାନବାଦ୍ୟ, ନାଚ, ତାମସାରେ ଲୋକେ ମାତାଲ, କେଉଁଠାରେ ବୋତଲ ଢଳା, ଛିଟା ଟଣା ଲାଗିଅଛି, କେଉଁଠି ଅବା ଛେଳି, କୁକୁର, ମୂଷା, ଘୁଷୁରି, ଚୁଚୁନ୍ଦ୍ରାଙ୍କ ଉପରେ ମାଡ଼ । ଏହି ରୂପେ ଯେ ଯାହା ଆପଣା ଆପଣା କାମରେ ଲାଗି ରହିଅଛନ୍ତି । ଏପରି ଗୋଳମାଳ ଓ ଭିଡ଼ ମଧ୍ୟରେ ‘ପୁତ୍ର’ ଆପଣା କର୍ତ୍ତବ୍ୟ, କାର୍ଯ୍ୟ ସାଧିବା ସକାଶେ ବାହାରି ଅଛି । (୧୦)

 

ପ୍ୟାରୀମୋହନ ଉତ୍କଳ ପୁତ୍ରରେ ତତ୍କାଳୀନ ଶାସକମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି-। ତାଙ୍କର ସମାଲୋଚନା ଥିଲା ପ୍ରତ୍ୟକ୍ଷ–ସତ୍ୟକୁ ପ୍ରକାଶ କରିବା ଥିଲା ତାଙ୍କ ଜୀବନର ବିଶେଷତ୍ଵ- “ଆଜିକାଲି କାଓମୂଲ ସାହେବଙ୍କର ରାଜତ୍ଵ; ତାଙ୍କ ଶାସନରେ ଯେମନ୍ତ କେତେକ ଶୁଭ ଫଳୁ ଅଛି । ସେହି ରୂପେ ଅଶୁଭ ମଧ୍ୟ ଅଳ୍ପ ନୁହେଁ । ତାଙ୍କ ଶାସନରେ ଗୋଟିଏ ବିଶେଷ ଦୋଷ ସ୍ୱେଚ୍ଛାଚାରିତା । (୧୧)

 

‘ଉତ୍କଳ ପୁତ୍ର’ରେ ପାଣିପାଗ ଓ ପ୍ରାକୃତିକ ଚିତ୍ର, ବନ୍ୟା ସମ୍ବାଦ ପ୍ରଭୃତି ପ୍ରକାଶିତ ହେଉଥିଲା- ‘‘ଆଷାଢ଼ ମାସ ଶେଷ ହେଲା, ଅଦ୍ୟାବଧି ଅନ୍ୟାନ୍ୟ ବର୍ଷ ପରି ବର୍ଷ ହେଲାକି ନଦୀ ବଢ଼ିଲା ନାହିଁ । ମଫସଲରେ ଅନେକ ସ୍ଥଳରୁ ମଧ୍ୟ ସମ୍ବାଦ ପାଇଅଛୁ ।” (୧୨)

 

ପ୍ୟାରୀମୋହନଙ୍କ ବର୍ଣ୍ଣନାଚାତୁରୀ ସ୍ୱତନ୍ତ୍ର । ଏହା କୃତ୍ରିମ ନୁହେଁ, ସ୍ଵାଭାବିକ । ଏଥିରେ ଶବ୍ଦ ଓ ଭାବର ସୁନ୍ଦର ସମନ୍ୱୟ ହୋଇଛି - “ଗତ ଶନିବାର ତୋଫାନରେ ଯେଉଁ ସମୟରେ ବି କଲେକ୍ଟରୀ, କଚେରୀରେ ଜଣେ ଅମଲାର ପାଗ ଉଡ଼ିଯାଇଥିଲା ଓ ଜଣେ ବେହେରା ଉପରେ ତାଟି ଛିଡ଼ି ପଡ଼ିଥିଲା, ସେହି ସମୟରେ ମହାନଦୀରେ ପ୍ରାୟ ଚାଳିଶି ଜଣ ଲୋକ ସହିତ ଖଣ୍ଡିଏ ନୌକା ବୁଡ଼ି ଯାଉଥିଲା । ଶ୍ରୀଯୁକ୍ତ ବିମ୍‍ସ୍‍ ସାହେବ ବୋଟ୍ ଲଗାଇ ସେମାନଙ୍କୁ ଉଦ୍ଧାର କରିଅଛନ୍ତି ବୋଲି ଶୁଣାଯାଏ । (୧୩)

 

‘ଉତ୍କଳ ପୁତ୍ର’ ପତ୍ରିକା ସବୁ ଶ୍ରେଣୀର ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ପାଠକମାନଙ୍କୁ ଆନନ୍ଦ ପ୍ରଦାନ କରିବା ପ୍ୟାରୀମୋହନଙ୍କ ଅନ୍ୟତମ ଉଦ୍ଦେଶ୍ୟ ଥିଲା । “ଆଜିକାଲିର ଆମୋଦ” ଶିରୋନାମାରେ ପ୍ରକାଶ ପାଉଥିବା ଲେଖାଟି ବେଶ୍ ମନୋରଞ୍ଜନ ଧର୍ମୀ ହୋଇଛି - “ହୃଷିକେଶ - ଦଣ୍ଡବତ, ଦଣ୍ଡବତ, କିହୋ ! ତୁମର ତ ପ୍ରାୟ ବର୍ଷେ ଖଣ୍ଡେ ହେବ ଦେଖା ନାହିଁ ।

 

ନିତ୍ୟାନନ୍ଦ- ଅବଧାନ ଅବଧାନ । ଆଉ ସେ କଥା କାହିଁକି କହୁଛ ଆଜିକି ତିନି ଚାରି ମାସ ହେଲା ଦଶା ମୋତେ ଯାହା ଭୋଗଉଛି ମୋ ମନ ମାନିଲାଣି । (୧୪)

 

(୧୦)

ଉତ୍କଳପୁତ୍ର–୦୧ ଅକ୍ଟୋବର ୧୮୭୩, ଭାଗ-୧, ୧୨ଶ ସଂଖ୍ୟା

(୧୧)

ଉତ୍କଳପୁତ୍ର - ୧୫ ଅକ୍ଟୋବର ୧୮୭୩, ପୃଷ୍ଠା–୫୦

(୧୨)

ଉତ୍କଳପୁତ୍ର - ୧୬ ଜୁଲାଇ ୧୮୭୩ ।

(୧୩)

ଉତ୍କଳପୁତ୍ର - ୧୬ ଅଗଷ୍ଟ ୧୮୭୩

(୧୪)

ଉତ୍କଳପୁତ୍ର–ଅକ୍ଟୋବର - ୧୮୭୩ - ପୃଷ୍ଠା-୪୭

 

ପ୍ୟାରୀମୋହନ ଥିଲେ ସ୍ୱାଧୀନଚେତା । ତାଙ୍କ ସମାଲୋଚନାର ଦିଗ ଥିଲା ଅଭିନବ । ପତ୍ରପ୍ରେରକମାନଙ୍କ ଚିଠିକୁ ‘ଉତ୍କଳ ପୁତ୍ର’ରେ ଛାପିବା ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଟିପ୍ପଣୀ ପ୍ରଦାନ କରୁଥିଲେ–ସେହି ଟିପ୍ପଣୀ ବ୍ୟଙ୍ଗ, ବିଦ୍ରୂପରେ ପରିପୂର୍ଣ୍ଣଥିଲା –“କୌଣସି ଉତ୍ତୀର୍ଣ୍ଣ ଛାତ୍ର - କାର୍ଯ୍ୟ ନପାଇଲାରୁ ନର୍ମାଲ୍ ସ୍କୁଲ୍ ଉଠାଇ ଦେବାର ପ୍ରସ୍ତାବ କରିଅଛନ୍ତି । କି ଚମତ୍କାର ବୁଦ୍ଧି-। ବୃତ୍ତି ଦେଇ ପଢ଼ାଇବାର ବ୍ୟୁତ୍ପତ୍ତି ।(୧୫)

 

‘ଉତ୍କଳ ପୁତ୍ର’ରେ ‘ଗୋଟିଏ ପ୍ରସ୍ତାବ’ ଶିରୋନାମାରେ ଏହାର ସୁଯୋଗ୍ୟ ସମ୍ପାଦକ ପ୍ୟାରୀମୋହନ ବିଭିନ୍ନ ପ୍ରକାଶିତ ପତ୍ରିକା ଓ ଲେଖା ସମ୍ପର୍କରେ ଗଠନମୂଳକ ପ୍ରସ୍ତାବ ପ୍ରଦାନ କରୁଥିଲେ –“ଗତ ସଂଖ୍ୟା ଉତ୍କଳ ଦର୍ପଣ ପାଠ କରି ବଡ଼ ଆହ୍ଲାଦିତ ହେଲୁ । ଏହାର ଭାଷା ପୂର୍ବାପେକ୍ଷା ଅନେକ ଉନ୍ନତି ଲାଭ କରିଅଛି ।” (୧୬)
 

ଏତଦ୍‌ବ୍ୟତୀତ ନୂତନ ଧର୍ମୀ ଶୈଳୀରେ ବହୁ ତଥ୍ୟପୂର୍ଣ୍ଣ ସମ୍ବାଦ ‘ଉତ୍କଳ ପୁତ୍ର’ରେ ପ୍ରକାଶିତ ହୋଇ ପାଠକମାନଙ୍କ ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରୁଥିଲା । ସମ୍ପାଦକ ପ୍ୟାରୀମୋହନଙ୍କ ଚିନ୍ତା ଚେତନାର ସଫଳ ପ୍ରକାଶନ ହେଉଛି ‘ଉତ୍କଳ ପୁତ୍ର’ । ଓଡ଼ିଶାର ଉନ୍ନତି, ଚିକିତ୍ସା ବିଦ୍ୟାଳୟ, ଟାଉନ୍ କମିଟି, ବେତ୍ରାଘାତ, ନର୍ମାଲ ସ୍କୁଲ ପ୍ରଭୃତି ବହୁ ସମ୍ବାଦ ‘ଉତ୍କଳ ପୁତ୍ର’ରେ ପ୍ରକାଶିତ ହୋଇଛି-। ଉତ୍କଳର ଭାଷା ଏବଂ ସାହିତ୍ୟର ଉନ୍ନତି ପାଇଁ ସେ ଅତ୍ୟନ୍ତ ଚିନ୍ତିତ ଥିଲେ; ଏ ସମ୍ପର୍କରେ ‘ଉତ୍କଳ ପୁତ୍ର’ରେ ପ୍ୟାରୀମୋହନ ତେଣୁ ଲେଖିଥିଲେ–“ଉତ୍କଳ ସାହିତ୍ୟର ଅବସ୍ଥା ଯେ ଅଦ୍ୟାବଧି ଶୋଚନୀୟ ଏକଥା କିଏ ଅସ୍ୱୀକାର କରିବ ? ଆଜି ପର୍ଯ୍ୟନ୍ତ ସରଳ ସୁଲଳିତ, ଶୃଙ୍ଗାର ରସ ବିବର୍ଜିତ, ମନୋଦୁଃଖର ଓ ପ୍ରୀତିପଦ ଖଣ୍ଡ ଗଦ୍ୟକି ପଦ୍ୟ ମୂଳ ଗ୍ରନ୍ଥ ଓଡ଼ିୟା ଭାଷାରେ ଦେଖିବାକୁ,ପାଇବାର ଦୁସ୍ତର । ନାଟକ ଓ ନବନ୍ୟାସ ରୀତି ତ ଅଦ୍ୟାବଧି ପ୍ରକୃଷ୍ଟ ରୂପେ ଏ ଭାଷାରେ ପ୍ରବେଶ କରିପାରି ନାହିଁ । ସେନାପତି ରଚିତ ଭାରତ ବର୍ଷର ଇତିହାସ ଓ ଅମୁଦ୍ରିତ ବଙ୍ଗଳାରୁ ଅନୁବାଦିତ ଦୁଇ ଏକ ଖଣ୍ଡି ଇଂଲଣ୍ଡ ଇତିହାସ ଛଡ଼ା ପ୍ରକୃତ ଇତିହାସ ଏ ଭାଷାରେ ଆଉ ଥିବାର ତ ଆମ୍ଭମାନଙ୍କୁ ଜଣାନାହିଁ । ଉପାଖ୍ୟାନକି ଭ୍ରମଣ ବୃତ୍ତାନ୍ତ ବିଷୟକ ମୂଳରୁ ଦୁଷ୍ପ୍ରାମ୍ୟ । ଏହିପରି ଗୋଟି ଗୋଟି କହିଲେ ଅନେକ ହୋଇଯିବ ।” (୧୭)

 

ଉତ୍କଳ ପୁତ୍ରରେ ଭିନ୍ନ ଭିନ୍ନ ସଂବାଦ ପ୍ରକାଶିତ ହୋଇ ପାଠକଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା-। ରାଜ୍ୟ ବାହାରର ବିଭିନ୍ନ ସମ୍ମାଦ ମଧ୍ୟ ଏହାର କଳେବରକୁ ସୁଶୋଭିତ କରୁଥିଲା–ଆଜି ବଙ୍ଗ ଦେଶରେ ଅଶ୍ଳୀଳ ଭାଷାଦିର ବ୍ୟବହାର ରହିତ କରିବାକୁ ଭାରି ଧୁମ୍‌ଧାମ ଲାଗିଛି । ଏଥି ସକାଶେ ଏକ ସଭା ସଂସ୍ଥାପିତ ହୋଇଅଛି । Friend of India ର ସଂପାଦକ George Smith ସାହେବ ଏଥିରେ ସଭାପତି । ଯହିଁରେ ଅଶ୍ଳୀଳ ପୁସ୍ତକ ପ୍ରଭୃତିର ରଚନା ଓ ପ୍ରକାଶନ ବନ୍ଦ ହୁଏ - ସେଥିରେ ଚେଷ୍ଟା ଏ ସଭା ବିଶେଷ ରୂପେ କରିବେ ।” (୧୮)

 

(୧୫)

ଉତ୍କଳପୁତ୍ର - ୦୧ ଜୁନ୍ ୧୮୭୩ - ପୃଷ୍ଠା –୧୬

(୧୬)

ଉତ୍କଳପୁତ୍ର - ୧୬ ଅଗଷ୍ଟ ୧୮୭୩

(୧୭)

ଉତ୍କଳପୁତ୍ର–୦୩ ଜୁନ୍ ୧୮୭୪

(୧୮)

ଉତ୍କଳପୁତ୍ର - ୧୫ ଅକ୍ଟୋବର–୧୮୭୩

 

ପ୍ୟାରୀମୋହନଙ୍କ ଚିନ୍ତା ଯେପରି ସ୍ପଷ୍ଟ ଥିଲା ‘ଉତ୍କଳ ପୁତ୍ର’ରେ ତାଙ୍କର ଆଲୋଚନା ସେହିପରି ଯୁକ୍ତିଯୁକ୍ତ ଏବଂ ନିରପେକ୍ଷ ଥିଲା । ସେ କାଳରେ ପ୍ୟାରୀମୋହନଙ୍କ ପରି ନିର୍ଭୀକ ସମାଲୋଚକ କେହି ନଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ– ‘‘ସେ ସମୟରେ ଓଡ଼ିଶା ଆଚାର୍ଯ୍ୟଙ୍କ ଭଳି, ନିର୍ଭୀକ ସମାଲୋଚକ କେହି ନଥିଲେ ବୋଲି କହିଲେ ଚଳେ । ଏଥିପାଇଁ ‘ଉତ୍କଳ ପୁତ୍ର’ ସେତେବେଳେ ସରକାର ଏବଂ ଚାଟୁକାରମାନଙ୍କର କୋପ ଦୃଷ୍ଟିରେ ପଡ଼ିଥିଲା । ବହୁ ଷଡ଼ଯନ୍ତ୍ରର ଶିକାର ହୋଇ ‘ଉତ୍କଳ ପୁତ୍ର’ ଅକାଳରେ ଚାରିବର୍ଷରୁ ଅଧିକ ସମୟ ଜାତୀୟ ସେବାରେ ନିଜକୁ ନିୟୋଜିତ କରି ନୀରବ ହୋଇଗଲା । କିନ୍ତୁ ଆଚାର୍ଯ୍ୟ ପ୍ୟାରୀମୋହନ ‘ଉତ୍କଳ ପୁତ୍ର’ ପତ୍ରିକା ମାଧ୍ୟମରେ ବ୍ରିଟିଶ୍ ଶାସନ ପାଖରେ ଓଡ଼ିଶାର ଉନ୍ନତି ପାଇଁ, ଓଡ଼ିଶାର ଏକତ୍ରୀକରଣ ପାଇଁ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଏବଂ ସମାଜ ସଂସ୍କାର ପାଇଁ ଯେଉଁ ନିରବଚ୍ଛିନ୍ନ ଉଦ୍ୟମ କରୁଥିଲେ ତାହା ଜାତୀୟ ଇତିହାସ ପୃଷ୍ଠାରେ କାଳକାଳକୁ ରହିଗଲା” ।(୧୯)

 

ସତରେ ଜାତୀୟ ଇତିହାସ ପୃଷ୍ଠାରେ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ପରି ବ୍ୟକ୍ତିତ୍ୱ ଖୁବ୍ ସୀମିତ । ସେ ଥିଲେ ଉତ୍କଳ-ଜନନୀର ସୁଯୋଗ୍ୟ ସନ୍ତାନ । ‘ଉତ୍କଳ ପୁତ୍ର’ ତାଙ୍କ ଜୀବନର ବାସ୍ତବ ଚିତ୍ରଶାଳା । ସେଥିପାଇଁ ବିଶିଷ୍ଟ ସମାଲୋଚକ ଡକ୍ଟର ନଟବର ସାମନ୍ତରାୟ ଲେଖିଛନ୍ତି- ‘ଉତ୍କଳ ପୁତ୍ର’ରେ ପ୍ୟାରୀମୋହନ ବାସ୍ତବ ବର୍ତ୍ତମାନର ଜଣେ ସୁଦକ୍ଷ ଚିତ୍ରକର ଓ ଭବିଷ୍ୟତ ଘଟଣାବଳୀର ନିର୍ଭୁଳ ପ୍ରବକ୍ତା ମଧ୍ୟ । “(୨୦) ପ୍ରକୃତରେ ସତ୍ୟ ଓ ନିର୍ଭୀକ ଚେତନାର ଏକ ବଳିଷ୍ଠ ସ୍ୱାକ୍ଷର ‘ଉତ୍କଳ ପୁତ୍ର’ ପତ୍ରିକା । ତେଣୁ ଓଡ଼ିଶାର ଇତିହାସରେ ଏହାର ସ୍ଥାନ ଅନନ୍ୟ ଓ ସ୍ୱତନ୍ତ୍ର । ଊନ୍ନବିଂଶ ଶତାବ୍ଦୀର ଶେଷ ତିନି ଦଶକରେ ଓଡ଼ିଆ ଜାତୀୟ ଜୀବନର ବିକାଶରେ ଏହି ପତ୍ରିକାର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

 

ଶିକ୍ଷାର ବିକାଶରେ ଯୁଗାନ୍ତକାରୀ ପଦକ୍ଷେପ :

ପ୍ୟାରୀମୋହନ ସରକାରୀ ସ୍କୁଲରୁ ଦ୍ୱିତୀୟବର୍ଷ ଶ୍ରେଣୀରୁ ବିଦାୟ ନେଲାପରେ ପତ୍ରିକା ପ୍ରକାଶନ ଓ ସଂପାଦନାରେ ଅଧିକ ସମୟ ବିନିଯୋଗ କରିଥିଲେ, କିନ୍ତୁ ସତ୍ୟରକ୍ଷା କରିବାକୁ ଯାଇ ସମ୍ମୁଖୀନ ହୋଇଥିବା ସମସ୍ୟାରେ ସେ ହୋଇଗଲେ ଚିନ୍ତିତ । ଯଦି କଟକ ସହରରେ ବେସରକାରୀ ଉଦ୍ୟମରେ ସ୍କୁଲଟାଏ ପ୍ରତିଷ୍ଠା ହୁଅନ୍ତା-ତେବେ ସରକାରଙ୍କ ସ୍ୱେଚ୍ଛାଚାରୀ ମନୋଭାବ ରହନ୍ତା ନାହିଁ । ଏକ ନୂତନ ବିଦ୍ୟାଳୟର ପ୍ରତିଷ୍ଠା ପାଇଁ ପ୍ୟାରୀମୋହନ ହେଲେ ଆଗଭର । ସକଳ ପ୍ରତିବନ୍ଧକ ସତ୍ତ୍ୱେ ଶୁଭାରମ୍ଭ ହେଲା ନୂତନ ବିଦ୍ୟାଳୟ । ଓଡ଼ିଶାର ଆଧୁନିକ ଶିକ୍ଷା ବିକାଶରେ ପ୍ୟାରୀମୋହନଙ୍କ ଏହି ବିଦ୍ୟାଳୟ ପ୍ରତିଷ୍ଠା ଏକ ଯୁଗାନ୍ତକାରୀ ପଦକ୍ଷେପ । କଟକ ବକ୍ସିବଜାରର କୃପାନିଧି ସାହୁ ଜଣେ ଧନୀ ମହାଜନ । ସେ ତାଙ୍କ ବ୍ୟକ୍ତିଗତ ଉଦ୍ୟମରେ ଗୋଟିଏ ପାଠଶାଳା ପ୍ରତିଷ୍ଠା କରିଥିଲେ । ପ୍ୟାରୀମୋହନ କୃପାନିଧି ସାହୁଙ୍କ ସହ ସାକ୍ଷାତ୍ ଆଲୋଚନା ପରେ ସେହି ପାଠଶାଳାକୁ ପରିଣତ କଲେ ଏକ ଆଦର୍ଶ ସ୍ଥାନୀୟ ଶିକ୍ଷାନୁଷ୍ଠାନରେ । ତାଙ୍କର ବନ୍ଧୁ ପଣ୍ଡିତ ଗୋବିନ୍ଦ ରଥ ଏହି ମହତ୍ କାର୍ଯ୍ୟରେ ଘନିଷ୍ଠ ସହଯୋଗୀ

 

(୧୯)

ଓଡ଼ିଶାର ଇତିହାସ – ୧୯୯୧ – ସଂପାଦନ – ସେକ୍‍ ମତଲୁବ୍‌ ଅଲି-ପୃଷ୍ଠା-୧୫

(୨୦)

ସ୍ମରଣିକା - ପ୍ୟାରୀମୋହନ ଆଚାର୍ଯ୍ୟ - କୃତି ଅର୍ଚ୍ଚନା ସଂସଦ–ପୃଷ୍ଠା - ୯୫

 

ହୋଇଗଲେ । ଏହି ଅନୁଷ୍ଠାନରେ ଶିକ୍ଷାଦାନ ପ୍ରଣାଳୀ ସଂପୂର୍ଣ୍ଣ ନୂତନ । ବହୁ ଅଭିଭାବକ ଏପରି ଶିକ୍ଷା ବ୍ୟବସ୍ଥା ପ୍ରତି ଆଗ୍ରହ ପ୍ରକାଶ କରି ସେମାନଙ୍କର ପିଲାମାନଙ୍କ ନାମ ଲେଖାଇଲେ । ୧୮୭୫ ମସିହାରେ ଏହି ଶିକ୍ଷାନୁଷ୍ଠାନଟି ମଧ୍ୟ ଇଂରାଜୀ ବିଦ୍ୟାଳୟରେ, ୧୮୭୯ ମସିହାରେ ହାଇସ୍କୁଲରେ ପରିଣତ ହେଲା । ପ୍ୟାରୀମୋହନ ଏହି ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ । ସ୍କୁଲଟି ‘କଟକ ଏକାଡେମୀ’ ନାମରେ ପରିଚିତ ଥିଲା । ଛାତ୍ରମାନଙ୍କ ପ୍ରଦତ୍ତ ଅର୍ଥରେ ବିଦ୍ୟାଳୟ ପରିଚାଳନା ହେବା ସମ୍ଭବ ହେଲାନାହିଁ । ଫଳତଃ ପ୍ୟାରୀମୋହନ ବହୁ ଅସୁବିଧାର ସମ୍ମୁଖୀନ ହେଲେ । ତେଣୁ ଆଉ ଶିକ୍ଷକତା ନକରି ସେ କମିଶନ ଅଫିସରେ ମାତ୍ର ୨୫ ଟଙ୍କା ଦରମାରେ କିରାଣୀ ଭାବରେ କାର୍ଯ୍ୟ କଲେ । ଏଥିରେ ମଧ୍ୟ ହାଇସ୍କୁଲର ଆର୍ଥିକ ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ତେଣୁ ବାଧ୍ୟ ହୋଇ ପ୍ୟାରୀମୋହନ ଗଡ଼ଜାତ ରାଜ୍ୟରେ ହୋଇଗଲେ ଏଜେଣ୍ଟ । ସେ ୩୦ ଟଙ୍କା ପର୍ଯ୍ୟନ୍ତ କମିଶନ ବାବଦରେ ଆୟ କରୁଥିଲେ ଏହି କାର୍ଯ୍ୟରୁ । ଆପଣାଜୀବନର ଧାରଣ ପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ଖୁବ୍ କମ୍ ଅର୍ଥ ବ୍ୟୟ କରିବା ବ୍ୟତୀତ ସମସ୍ତ ଅର୍ଥ ବିଦ୍ୟାଳୟ ପାଇଁ ଉପଯୋଗ କରୁଥିଲେ । କିଛିକାଳ ପାଇଁ ଡମପଡ଼ାର ରାଜକୁମାର ବ୍ରଜେନ୍ଦ୍ର କୁମାର ମାନସିଂହଙ୍କର ଘରୋଇ ଶିକ୍ଷକ ଥିଲେ ପ୍ୟାରୀମୋହନ-। ବ୍ୟାସକବି ଫକୀରମୋହନ ସେନାପତି ଡମପଡ଼ା ରାଜାଙ୍କର ମ୍ୟାନେଜର ଥିଲେ । ରାଜସ୍ୱ ବୃଦ୍ଧି ହେତୁ ପ୍ରଜାମାନେ ଆନ୍ଦୋଳନ କଲେ ରାଜାଙ୍କ ଶାସନ ବିରୋଧରେ । ଫକୀରମୋହନ ଏହି ସମୟରେ ମ୍ୟାନେଜର ପଦରୁ ଓହରି ଗଲେ । ଏହି ସଂକଟ କାଳରେ ଡମପଡ଼ା ରାଜକୁମାରଙ୍କର ଗୃହଶିକ୍ଷକ ପ୍ୟାରୀମୋହନ ଫକୀରମୋହନଙ୍କ ସ୍ଥାନରେ ରାଜ୍ୟର ମ୍ୟାନେଜର ଭାବରେ ମାସିକ ୫୦ ଟଙ୍କାରେ ନିଯୁକ୍ତ ହେଲେ । ୧୮୮୦ ରେ ପ୍ୟାରୀମୋହନ ମ୍ୟାନେଜର ହୋଇ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କର ଚିନ୍ତାଥିଲା କଟକ ଏକାଡେମୀ ପାଇଁ । କାର୍ଯ୍ୟ କରି ପାଉଥିବା ପାରିଶ୍ରମିକ ଅର୍ପଣ କରୁଥିଲେ ଏକାଡେମୀ ସର୍ବବିଧ ଉନ୍ନତି ପାଇଁ ।

 

କଟକ ଏକାଡେମୀ ଥିଲା ଏକ ମଣିଷ ତିଆରି କାରଖାନା । ଆଦର୍ଶ ମଣିଷ ପ୍ରସ୍ତୁତ କରିବାର ସଂକଳ୍ପବଦ୍ଧ ଅନୁଷ୍ଠାନ ଥିଲା ଏହି ପ୍ରସିଦ୍ଧ ଏକାଡେମୀ । ଅନ୍ୟାନ୍ୟ ବିଦ୍ୟାଳୟଠାରୁ, ଏହା ଥିଲା ବହୁ ଗୁଣରେ ଉର୍ଦ୍ଧ୍ୱରେ । ଭାରତବର୍ଷର ବହୁ ପ୍ରଖ୍ୟାତ ଚିନ୍ତାନାୟକ ଦେଶ ସେବକ ବିପ୍ଳବୀମାନେ ପରିଚାଳନା କରୁଥିଲେ କଟକ ଏକାଡେମୀକୁ । ସେମାନେ ମଧ୍ୟ ଶିକ୍ଷାଦାନ କରି ଛାତ୍ରମାନଙ୍କୁ ପ୍ରସ୍ତୁତ କରୁଥିଲେ ଭବିଷ୍ୟତ ପାଇଁ । ପରାଧୀନ ଭାରତ ବର୍ଷର ଛାତ୍ରମାନଙ୍କୁ ପଥ ନିର୍ଦ୍ଦେଶରେ ଏହା ଏକ ଶୃଙ୍ଖଳିତ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ । ବାବୁ ବଂଶୀଧର ମହାପାତ୍ର ଏହି ସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଥିଲେ । ବଙ୍ଗପ୍ରଦେଶର ବିଶିଷ୍ଟ ବିପ୍ଳବୀ ବିପିନଚନ୍ଦ୍ର ପାଲ ମଧ୍ୟ ଏହି ଅନୁସାରେ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ପାଲଙ୍କ ସହିତ ତାଙ୍କର ଆଉ ଦୁଇ ସହଯୋଗୀ ଶ୍ରୀରାଜଚନ୍ଦ୍ର ଚୌଧୁରୀ, ବଜେନ୍ଦ୍ର ନାଥ ସେନ୍ ମଧ୍ୟ କାର୍ଯ୍ୟ କରିଥିଲେ ଏହି ଅନୁଷ୍ଠାନରେ । ପରବର୍ତ୍ତୀ କାଳରେ ବିପିନ ଚନ୍ଦ୍ର ପାଲ ଭାରତ ବର୍ଷ ସ୍ଵାଧୀନତା ଆନ୍ଦୋଳନରେ ଥିଲେ ମହାନ୍‌ ଯୋଦ୍ଧା ଓ ଖ୍ୟାତନାମା ନେତା । ବଙ୍ଗଭଙ୍ଗ ଆନ୍ଦୋଳନର ନେତୃତ୍ୱ ନେବା ସହ ‘ବନ୍ଦେ ମାତରମ୍’ ପତ୍ରିକାର ସେ ଥିଲେ ସୁଯୋଗ୍ୟ ସଂପାଦକ । ଡମପଡ଼ା ରାଜା ରଘୁନାଥ ମାନସିଂହ କଟକ ଏକାଡେମୀର ଥିଲେ ପ୍ରଥମ ପୃଷ୍ଠ ପୋଷକ । କଟକ ଏକାଡେମୀର ଗଠନରେ ମଧ୍ୟ ଭକ୍ତକବି ମଧୁସୂଦନଙ୍କର ଥିଲା ବଳିଷ୍ଠ ଅବଦାନ । କଟକ ଏକାଡେମୀ ଯାହା ପ୍ୟାରୀମୋହନଙ୍କ ପରଲୋକ ପରେ (୧୮୮୧ ମସିହା) ପ୍ୟାରୀମୋହନ ଏକାଡେମୀରେ ନାମିତ ହୋଇଥିଲା । ଆଜିବି ସେହି ଅତୀତର ସ୍ମୃତି ଓ ପ୍ୟାରୀମୋହନ ଆଚାର୍ଯ୍ୟ ତ୍ୟାଗ ନିଷ୍ଠାର ସ୍ମାରକୀ ରୂପେ ଆମ ଜାତି ସମ୍ମୁଖର ଉଭା ହୋଇଛି ।

 

ମ୍ୟାନେଜର ପ୍ୟାରୀମୋହନ :

ଡମପଡ଼ା ରାଜ୍ୟର ମ୍ୟାନେଜର ଭାବରେ ପ୍ୟାରୀମୋହନ ସଫଳତାର ସହ କାର୍ଯ୍ୟକରି ସ୍ମରଣିୟ ହୋଇରହିଛନ୍ତି । ଡମପଡ଼ାର ରାଜା ଥିଲେ ରଘୁନାଥ ମାନସିଂହ । ରଘୁନାଥ ମାନସିଂହ ପ୍ରକୃତରେ ଥିଲେ ଜଣେ ଗୁଣଗ୍ରାହୀ ପୁରୁଷ । ବ୍ୟାସକବି ଫକୀରମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ, ଦେଶପ୍ରାଣ, ସ୍ଵାଭିମାନୀ ପ୍ୟାରୀମୋହନ ଆଚାର୍ଯ୍ୟଙ୍କୁ ଡମପଡ଼ା ରାଜ୍ୟର ସେବାରେ ନିୟୋଜିତ କରି ନିଜ ସଂସ୍କୃତି ପ୍ରାଣର ପରିଚୟ ଦେଇଥିଲେ । ସେ ଭଲ ପାଉଥିଲେ ଭାଷା ସାହିତ୍ୟ, ସଂସ୍କୃତିର ବିକାଶରେ କାର୍ଯ୍ୟକରୁଥିବା ସାଧକମାନଙ୍କୁ । ସେ ପ୍ୟାରୀମୋହନଙ୍କୁ ଆପଣାର ବୋଲି ମନେ କରୁଥିଲେ, ତାହାର ଦୃଷ୍ଟାନ୍ତ ଅନେକ । ପ୍ୟାରୀମୋହନ ଡମପଡ଼ା ରାଜ୍ୟରେ ଉପୁଜୁଥିବା ପ୍ରଜା ଆନ୍ଦୋଳନକୁ ସମାଧାନ କରି ତାଙ୍କ କର୍ମଦକ୍ଷତାର ପରିଚୟ ଦେଇଥିଲେ । ସେତିକିବେଳେ ରାଜାଙ୍କର କେତେକ ମକଦ୍ଦମା ମାନ୍ଦ୍ରାଜ ହାଇକୋର୍ଟରେ ଚାଲୁଥିଲା– ସେ ଏହି ମୋକଦ୍ଦମା ଗୁଡ଼ିକର ସୁପରିଚାଳନା କରିବା ଫଳରେ ରାଜା ଜୟଲାଭ କଲେ । ଡମପଡ଼ା ରାଜା ଏହିସବୁ କାରଣ ପାଇଁ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ୟାରୀମୋହନଙ୍କୁ ସମ୍ମାନିତ କରିଥିଲେ । ଉତ୍ସବରେ ଏକ ପକେଟ ଘଣ୍ଟା, ଗାଉନ୍‌ ଓ ଟୋପି ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । ପ୍ୟାରୀମୋହନ ୧୮୭୮ ମସିହାରେ ଡମପଡ଼ାର ଯୁବରାଜଙ୍କର ଗୃହ ଶିକ୍ଷକ ଥିଲାବେଳେ ଡମପଡ଼ା ରାଜାଙ୍କ ସହ ଆଉ ଜଣେ ଗଡ଼ଜାତ ରାଜାଙ୍କର ବାଦବିବାଦ ଲାଗିଥିଲା । ପ୍ୟାରୀମୋହନ ଉଭୟରାଜାଙ୍କ ମଧ୍ୟରେ ମଧ୍ୟସ୍ଥତା କରି ସମ୍ମାନଜନକ ନିଷ୍ପତ୍ତି । କରିଥିବାରୁ ତାଙ୍କୁ ଦୁଇହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା ।

 

ଶାସନ ପ୍ରଶାସନରେ କାର୍ଯ୍ୟ କରୁଥିବା ପ୍ୟାରୀମୋହନ ଥିଲେ ନିର୍ଭୀକ, ସ୍ଵାଧୀନ ଚେତା ଓ ସ୍ପଷ୍ଟବାଦୀ । କୌଣସିଠାରେ ଅନ୍ୟାୟ ଓ ଅତ୍ୟାଚାର ହେବାର ଜାଣିଲେ ତାର ପ୍ରତିକାର ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଥିଲେ ତତ୍‌କ୍ଷଣାତ୍ । ଅତ୍ୟାଚାରିତ ଲୋକଙ୍କ ପ୍ରତି ତାଙ୍କର ଥିଲା ଗଭୀର ସମବେଦନା ଓ ସେମାନଙ୍କ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ ପ୍ରଦାନ କରୁଥିଲେ । ଏ ସଂପର୍କରେ ମୃତ୍ୟୁଞ୍ଜୟ ରଥ ଯଥାର୍ଥରେ ଲେଖିଛନ୍ତି- “କୌଣସିଠାରେ କିଛି ଅତ୍ୟାଚାର ହେବାର ଦେଖିଲେ ତାହାର ନିବାରଣ ଲାଗି ସେ ବଡ଼ ବ୍ୟାକୁଳ ହୋଇ ପଡ଼ୁଥିଲେ ଏବଂ ଅତ୍ୟାଚାରିତ ଲୋକଙ୍କୁ ଯଥାଶକ୍ତି ସାହାଯ୍ୟ କରି ଉତ୍ସାହିତ କରୁଥିଲେ । ଅନେକ ପାଠକଙ୍କୁ ସେ ସମୟରେ ବାଙ୍କୀ ତହସିଲ୍‌ଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ପଣ୍ଡିତ ଗୋବିନ୍ଦ ରଥଙ୍କ ମୋକଦ୍ଦମାର ସମ୍ବାଦ ଜଣାଥିବ । ଉତ୍କଳ ଦୀପିକାର ଅନେକ ସ୍ତମ୍ଭ ଏହି ସମ୍ବାଦରେ ପୂର୍ଣ୍ଣ ହୋଇଥିଲା । ସେତେବେଳେ ପ୍ୟାରୀମୋହନ ଏହି ଅତ୍ୟାଚାର ବିରୁଦ୍ଧରେ ଦଣ୍ଡାୟମାନ ସ୍ଵବନ୍ଧୁ ରଥଙ୍କ ପକ୍ଷ ସମର୍ଥନ କରି କିପରି ଉତ୍ସାହିତ କରୁଥିଲେ ତାହା ନିମ୍ନୋଦ୍ଧୃତ ପତ୍ରଖଣ୍ଡିକର ପାଠକମାନେ ଅନୁମାନ କରିପାରିବ ।

 

-“ରଥେ, ଯେଉଁ କାର୍ଯ୍ୟରେ ପ୍ରବୃତ୍ତ ହୋଇଅଛ, ସେଥିରେ ସାବଧାନପୂର୍ବକ କାର୍ଯ୍ୟ କରିବ-। ସାକ୍ଷୀମାନେ ଯେମନ୍ତ ଯଥାର୍ଥ ବର୍ଣ୍ଣନା କରନ୍ତି, ସେଥିପ୍ରତି ଚେଷ୍ଟାର ତ୍ରୁଟି କରିବ ନାହିଁ । ସାକ୍ଷୀମାନେ ସତ୍ୟ କହିବେକି ନାହିଁ, ବଡ଼ ସନ୍ଦେହର ବିଷୟ । କମିଶନର ସାହେବ ଯେ କିଛିକାଳ ସକାଶେ ସ୍ଥାନାନ୍ତରିତ କରିବାକୁ ଅସ୍ୱୀକୃତ ହୋଇଅଛନ୍ତି, ଏହା ଶୁଣି ମୁଁ ଟିକିଏ ଶଙ୍କିତ ହୋଇଅଛି । ସାବଧାନ ! ସାବଧାନ ! ‘ଯତୋଧର୍ମସ୍ତତା ଜୟଃ’ ଏହି କଥା ସ୍ଥିର ଜାଣି ଯଥାସାଧ୍ୟ ଚେଷ୍ଟାକର । ଭଗବାନ ଯାହା କରିବେ । ବଙ୍ଗୀୟ ଓ ଉତ୍କଳୀୟ ସମସ୍ତ ସମ୍ବାଦପତ୍ରମାନଙ୍କୁ ଏ ସମ୍ବାଦ ପଠାଅ । ମିରର ଓ କଲିକତାର Statesman ଏହି ଦୁଇପତ୍ରକୁ ଟେଲିଗ୍ରାମଦ୍ୱାରା ସମ୍ବାଦ ଦିଅ ଯେ, ବାଙ୍କୀ ଡେପୁଟୀ ମେଜେଷ୍ଟର ଏପରି ଅତ୍ୟାଚାର କରୁଥିବାର କେତେକ ବାଙ୍କୀବାସୀମାନେ କମିଶନର ସାହେବଙ୍କ ଠାରେ ଦରଖାସ୍ତ କରିଅଛନ୍ତି । ଦରଖାସ୍ତକାରୀମାନେ ସ୍ଥାନାନ୍ତରିତ କରି ମୋକଦ୍ଦମା ବିଚାର କରିବାକୁ ପ୍ରାର୍ଥନା କରନ୍ତି, ମାତ୍ର କମିଶନର ତାହା ନ କରି ଗୁଲାତଲବ କରିଅଛନ୍ତି— ଇତ୍ୟାଦି । ଏହିପରି ମଧୁ ପ୍ରଭୃତିଙ୍କ ବିଚାରି ଓ ସାବଧାନ ହୋଇ ତାର ଡାକରେ ଖବର ଦିଅ, ସନ୍ଧ୍ୟା ଉତ୍ତାରୁ ଖବର ଦେଲେ ଟଙ୍କାକେ ୩୬ କଥାଯିବ । ସମସ୍ତ ସମ୍ବାଦ ଲେଖିବ ।”

 

ତା୨୦ ୮। ୧୮୮୦

ତୁମର

ପ୍ୟାରୀମୋହନ

(ଏ ପତ୍ର ଡମପଡ଼ାରୁ କଟକ ଏକାଡେମୀର ପଣ୍ଡିତ ରଥଙ୍କ ନାମରେ ଆସିଥିଲା) (୨୧)

 

ପ୍ୟାରୀମୋହନଙ୍କ ନିର୍ଭୀକ, ସ୍ପଷ୍ଟବାଦୀଯୁକ୍ତି ଯୋଗୁ ଅନେକ ପଦସ୍ଥ ସରକାରୀ କର୍ମଚାରୀ ଭୟ କରୁଥିଲେ । ବାଙ୍କୀ ତହସିଲଦାର ଅତ୍ୟାଚାରୀ ଓ ସ୍ୱେଚ୍ଛାଚାରୀ ହୋଇଥିବାରୁ ଏ ସଂପର୍କିତ ଅନେକ ସମ୍ବାଦ ପ୍ରକାଶ କରିଥିଲେ ‘ଉତ୍କଳ ଦୀପିକା’ । ପଣ୍ଡିତ ଗୋବିନ୍ଦ ରଥ ଏଥିପାଇଁ ଯେଉଁ ମୋକଦ୍ଦମା କରିଥିଲେ ତାହାର ଦୃଢ଼ ସମର୍ଥକ ଥିଲେ ଆଚାର୍ଯ୍ୟ ମହାଶୟ ।

 

ପ୍ରଥମ ଭାଷାଭିତ୍ତିକ ଇତିହାସ ପ୍ରଣୟନ :

ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଯେଉଁ ନୂତନ ଆନ୍ଦୋଳନ ସୃଷ୍ଟି ହୋଇଥିଲା– ତାହାର ଲକ୍ଷ୍ୟଥିଲା ବହୁବିଧ । ପ୍ରଥମତଃ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା, ଦ୍ୱିତୀୟତଃ ଜାତୀୟ ଜୀବନର ଗଠନ ସହ ନୂତନ ଭାଷାଭିତ୍ତିକ ପ୍ରଦେଶ ଗଠନର ସଂକଳ୍ପ । ୧୯୦୩ ମସିହାରେ ଏହି ଜାତୀୟବାଦୀ ଚିନ୍ତାର ରୂପାୟନ ପାଇଁ ଜନ୍ମ ନେଲା– ଅନୁଷ୍ଠାନ ଉତ୍କଳ ସମ୍ମିଳନୀ । କିନ୍ତୁ ଏହାର ପ୍ରସ୍ତୁତି ପର୍ବ ଥିଲା ଉନ୍ନବିଂଶ ଶତାବ୍ଦୀର ଶେଷ ଚାରିଦଶକ । ଗୋଟିଏ ଜାତିର ଗୌରବ ତାର ଅତୀତ ଘଟଣାବଳୀ–ତାର ଇତିହାସ । ୧୮୭୫ ମସିହା ପର୍ଯ୍ୟନ୍ତ ଭାଷାଭିତ୍ତିକ ଇତିହାସ ରଚିତ ହୋଇ ନଥାଏ । ହଣ୍ଟର ଓ ଷ୍ଟଲିଂ ସାହେବ, ଟଏନବି ଓ ରାଜେନ୍ଦ୍ରଲାଲ ମିତ୍ର ଓଡ଼ିଶା ସଂପର୍କରେ ଇତିହାସ ରଚନା କରିଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ ନଥିଲା । ଏହା ଥିଲା ବିଭିନ୍ନ ଦୃଷ୍ଟିକୋଣରୁ ତ୍ରୁଟିପୂର୍ଣ୍ଣ । ଆବଶ୍ୟକତା ଉପଲବ୍ଧ ହେଉଥିଲା— ଓଡ଼ିଆ ଜାତିର ଏକ ଭାଷାଭିତ୍ତିକ ଜାତୀୟ ଇତିହାସ । ପ୍ୟାରୀମୋହନ ଏହି ଜାତୀୟ କର୍ତ୍ତବ୍ୟଟିକୁ ସଂପାଦନ କରିବା ପାଇଁ ଆଗେଇ ଆସିଲେ-। ଏହି ଇତିହାସ ରଚନା ସଂପର୍କରେ ତାଙ୍କର ମନ୍ତବ୍ୟକୁ

 

(୨୧)

ବ୍ରହ୍ମଜ୍ଞ ମଧୁସୂଦନ–ମୃତ୍ୟୁଞ୍ଜୟ ରଥ - ସୃଷ୍ଟି ଓ ସମୀକ୍ଷା–ପୃଷ୍ଠା ୬୮/୬୯

 

ଏଠାରେ ଉଲ୍ଲେଖ କରାଯାଇପାରେ– “ସନ ୧୮୭୫ ମସିହାରେ ଓଡ଼ିଶା ସ୍କୁଲ ସମୂହର ଜଏଣ୍ଟ ଇନିସ୍‌ପେକ୍ଟର ବିଜ୍ଞାପନ ଦେଇଥିଲେ ଯେ, ଉତ୍କଳ ଭାଷାରେ ଓଡ଼ିଶା ବିଦ୍ୟାଳୟ ସମୂହର ଜଏଣ୍ଟ ଇନିସ୍‍ପେକ୍ଟରଙ୍କ ଅଫିସରେ ଗ୍ରାହ୍ୟ ହେଲେ ରଚକଙ୍କୁ ଗଭର୍ଣ୍ଣମେଣ୍ଟ ତିନିଶହ ଟଙ୍କା ପୁରସ୍କାର ଦେବେ । ଉକ୍ତ ବିଜ୍ଞାପନ ପାଠ କରି ଆମ୍ଭେ ପୁସ୍ତକ ରଚନା କରି ଜଏଣ୍ଟ ଇନିସ୍‌ପେକ୍ଟରଙ୍କ ହସ୍ତରେ ଅର୍ପଣ କଲୁଁ । ଅବଶେଷରେ ଉକ୍ତ ମସିହାର ପର ମସିହାରେ ଥରେ ଉତ୍ତମ ରୂପେ ସଂଶୋଧନ କରି ଏହାକୁ ମୁଦ୍ରିତ ଓ ପ୍ରକାଶିତ କରିବାର ଆଦେଶ ଆମ୍ଭେ ପ୍ରାପ୍ତ ହେଲୁ । ସେହି ସମୟରେ କମିଶନରୀ କଚେରୀର କାଗଜପତ୍ରମାନ ଅନୁସନ୍ଧାନ କରି ଆବଶ୍ୟକୀୟ ଐତିହାସିକ ସତ୍ୟ ସମସ୍ତ ସଂକଳନ କରିବା ସକାଶେ କମିଶନର ରେଭେନ୍‌ସା ସାହେବଙ୍କ ଠାରୁ ମଧ୍ୟ ଆମ୍ଭଙ୍କୁ ଆଦେଶ ମିଳିଲା । ତଦନୁସାରେ ଯଥାସାଧ୍ୟ ଥରେ ସଂଶୋଧନ କରିବା ଯୋଗୁଁ ଏବଂ ଶାରୀରିକ ଅସୁସ୍ଥତା ହେତୁ ମୁଦ୍ରାଙ୍କନ କାର୍ଯ୍ୟ ବିଳମ୍ବରେ ସାଧିତ ହୋଇଅଛି । (୨୨) ପ୍ୟାରୀମୋହନ ଓଡ଼ିଶା ଇତିହାସ ରଚନା କରିବା ପରେ ୧୮୭୯ ରେ ଏହା ମୁଦ୍ରିତ ହୋଇ ପ୍ରକାଶିତ ହୁଏ । ସରକାରଙ୍କ ଘୋଷଣା ଅନୁଯାୟୀ ତିନିଶହଟଙ୍କା ପୁରସ୍କାର ପ୍ୟାରୀମୋହନଙ୍କୁ ମିଳିବା ସହ ବିଦ୍ୟାଳୟମାନଙ୍କରେ ପାଠ୍ୟପୁସ୍ତକ ଭାବରେ ଏହି ଗ୍ରନ୍ଥଟି ପ୍ରଚଳିତ ହୋଇଥିଲା ।

 

ପ୍ୟାରୀମୋହନଙ୍କ ବହୁ କଷ୍ଟ ଓ ଅଧ୍ୟବସାୟର ସାର୍ଥକ ଫଳଶ୍ରୁତି ଏହି ଓଡ଼ିଶା ଇତିହାସ । ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟକୁ ଏହି ଇତିହାସର ଅନ୍ତର୍ଭୁକ୍ତ କରିବା ସହ ଅନେକ ନୂତନ ଚିନ୍ତା ପ୍ରକଟ କରିଛନ୍ତି ପ୍ୟାରୀମୋହନ । ଏହି ଓଡ଼ିଶା ଇତିହାସ କେବଳ ରାଜବଂଶ ବା ରାଜତନ୍ତ୍ରର ଉତ୍‌ଥାନ ପତନର ବିବରଣୀ ପ୍ରଦାନ ନୁହେଁ । ଓଡ଼ିଶାର ଭୌଗୋଳିକ ଅବସ୍ଥା ସଂପର୍କରେ ସେ ସୂଚନା ଦେବା ସହ ଓଡ଼ିଶାରେ ବୌଦ୍ଧ, ଜୈନ, ହିନ୍ଦୁ, ଶାକ୍ତ, ଶୈବ ଧର୍ମର ପ୍ରଭାବକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଓଡ଼ିଶାର ସାହିତ୍ୟ, ସଂସ୍କୃତି, କଳା, ଭାସ୍କର୍ଯ୍ୟର ସ୍ୱରୂପକୁ ଏହି ଗ୍ରନ୍ଥରେ ପ୍ୟାରୀମୋହନ ଉନ୍ମୋଚନ କରିବା ସହ ପ୍ରାଚୀନ ମଧ୍ୟଯୁଗୀୟ ଉତ୍କଳୀୟ ସମାଜର ବାସ୍ତବ ଚିତ୍ର ଅଙ୍କନ କରିବାରେ ସମର୍ଥ ହୋଇଛନ୍ତି । ପ୍ୟାରୀମୋହନ ଇତିହାସ ରଚନା କରିବା ପାଇଁ ତାଳପତ୍ର ପୋଥି, ପ୍ରାଚୀନ ଗ୍ରନ୍ଥ, ଶିଳାଲେଖ, ତମ୍ବାପଟା, ସରକାରୀ ରେକର୍ଡ ପ୍ରଭୃତିର ସାହାଯ୍ୟ ନେବା ସହ ବହୁ ଶ୍ରମ ସ୍ୱୀକାର କରିଛନ୍ତି । ‘‘ପୁରାଣ, ଧର୍ମଗ୍ରନ୍ଥ, ତାଳପତ୍ର ପୋଥି, ପ୍ରାଚୀନ ଗ୍ରନ୍ଥ ଶିଳାଲେଖ, ତମ୍ବାପଟା, ସରକାରୀ ରେକର୍ଡ ସହିତ ଏସିଆଟିକ୍ ସୋସାଇଟିର କେତେକ ବିଜ୍ଞାପନୀ, ମନୁ, ଚୈତନ୍ୟ ଚରିତାମୃତ, ଦାର୍ଢ଼୍ୟତା ଭକ୍ତିକୁ ଭିତ୍ତି ଓ ଅନୁଧ୍ୟାନ କରି ଓଡ଼ିଆ ଭାଷାରେ ଏହି ପୂର୍ଣ୍ଣାଙ୍ଗ ଇତିହାସ ଆଚାର୍ଯ୍ୟ ମହାଶୟ ରଚନା କରିଥିଲେ । ଏହି ଇତିହାସ ପୁସ୍ତକ ପିଲାଙ୍କୁ ବିଦ୍ୟାଳୟରେ ଇତିହାସ ଅଧ୍ୟୟନରେ ସହାୟକ ହେବା ସହିତ ଜାତୀୟ ଆନ୍ଦୋଳନ ଓ ଜାଗରଣର ରଥୀ ମହାରଥୀଙ୍କ ପାଇଁ ଏହା ତଥ୍ୟର ଉତ୍ସ ଥିଲା । ଏବଂ ଏହା ଏକ ସ୍ପର୍ଦ୍ଧିତ ଜାତୀୟ ଐତିହାସିକ ସ୍ଵାଭିମାନର ବାର୍ତ୍ତାବହ । ଏହି ପୁସ୍ତକ ରଚିତ ହେବା ପୂର୍ବରୁ ଇଂରାଜୀ ଭାଷାରେ ହଣ୍ଟର, ଷ୍ଟାଲିଂ, ଟିଏନବି ଓ ରାଜେନ୍ଦ୍ର ଲାଲ ମିତ୍ର ଓଡ଼ିଶାର ଇତିହାସ ସଂପର୍କରେ

 

(୨୨)

ଓଡ଼ିଶାର ଇତିହାସ - ପ୍ୟାରୀମୋହନ ଆଚାର୍ଯ୍ୟ - ପ୍ରଥମ ସଂସ୍କରଣର ଭୂମିକା–ନୂତନ ମୁଦ୍ରଣ - ୨୦୦୧

 

କେତେକ ପୁସ୍ତକ ରଚନା କରିଥିଲେ । କିନ୍ତୁ ସେଥିରେ ଉତ୍କଳୀୟତା ନଥିଲା- ପ୍ରାଚୀନ ଋଦ୍ଧିମନ୍ତ ଉତ୍କଳୀୟଙ୍କର ଐତିହାସିକ ସ୍ପନ୍ଦନର ସ୍ପର୍ଶ ମଧ୍ୟ ନଥିଲା ।’’ (୨୩)

 

‘ଓଡ଼ିଶାର ଇତିହାସ’ ଲେଖକ ପ୍ୟାରୀମୋହନ ଆଚାର୍ଯ୍ୟଙ୍କୁ ଇତିହାସ ରଚନା ପାଇଁ ବହୁ ମର୍ଯ୍ୟାଦା ମିଳିଥିଲା । ତତ୍‌କାଳୀନ ସମୟର ସମ୍ବାଦପତ୍ର ଏହାର ପ୍ରଶଂସାରେ ମୁଖରିତ ହୋଇଥିଲା-। ତେଣୁ ‘ଉତ୍କଳ ଦୀପିକା’ ଲେଖିଥିଲା– “ଏହି ପୁସ୍ତକ ଅତି ଅଳ୍ପଦିନ ହେଲା କଟକ ପ୍ରିଣ୍ଟିଂ କମ୍ପାନୀଙ୍କ ଯନ୍ତ୍ରାଳୟରୁ ବାହାରିଅଛି ଏବଂ ଆମ୍ଭେମାନେ ଏଥିରୁ ଏକ ଖଣ୍ଡ ଗ୍ରନ୍ଥ, ଗ୍ରନ୍ଥକର୍ତ୍ତାଙ୍କ ଠାରୁ ଉପହାର ପ୍ରାପ୍ତ ହୋଇ ଅତ୍ୟନ୍ତ ଆଦର୍ଶପୂର୍ବକ ଗ୍ରହଣ କରି ତହିଁପାଇଁ କୃତଜ୍ଞତା ସ୍ୱୀକାର କରିଅଛୁ । ଗ୍ରନ୍ଥକର୍ତ୍ତା ବାବୁ ପ୍ୟାରୀମୋହନ । ଦୀପିକା ପାଠକମାନଙ୍କ ଠାରେ ଏ ଓଡ଼ିଶାବାସୀ କୃତବିଦ୍ୟା ଯୁବକ ଅପରିଚିତ ନୁହନ୍ତି । କାରଣ ଅନେକ ସଭା ଓ ବକ୍ତୃତା ପ୍ରସଙ୍ଗରେ ଏହାଙ୍କର ଉଲ୍ଲେଖ ଆମ୍ଭେମାନେ କରିଅଛୁଁ ଏବଂ ଏଥିପୂର୍ବେ ଉତ୍କଳ ପୁତ୍ର ନାମରେ ଯେଉଁ ସମ୍ବାଦପତ୍ର ଏଠାରେ ପ୍ରଚାରିତ ହେଉଥିଲା-। ତଦ୍ଦ୍ୱାରା ମଧ୍ୟ ସର୍ବସାଧାରଣ ଲୋକଙ୍କର ଯଥେଷ୍ଟ ପରିଚୟ ପାଇଅଛନ୍ତି ।

 

ଓଡ଼ିଆ ଭାଷାରେ ଓଡ଼ିଶାର ଇତିହାସ ଆଦୌ ନଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ସଟନ ସାହେବଙ୍କ ସଂକଳିତ ପୁସ୍ତକ କେବଳ ନାମମାତ୍ର ଇତିହାସ ଅଟଇ । ଓଡ଼ିଶା ଶିକ୍ଷା ବିଭାଗର କର୍ମଚାରୀମାନେ ଏ ଗୁରୁତର ଅଭାବ କରିବା ଉଦ୍ଦେଶ୍ୟରେ ସନ ୧୮୭୫ ସାଲରେ ଖଣ୍ଡିଏ ଉତ୍ତମ ଓଡ଼ିଶାର ଇତିହାସ ସକାଶେ ଟ୨୦୦/- ପାରିତୋଷିକ ଦେବା ବିଷୟରେ ବିଜ୍ଞାପନ ଦେବାରୁ ତହିଁର ଫଳସ୍ୱରୂପ ପୁସ୍ତକ ଖଣ୍ଡିଏ ବାହାରିଅଛି । ଆମ୍ଭେମାନେ ଏହାର ଅନେକାଂଶ ପାଠ କରି ଅତ୍ୟନ୍ତ ଆନନ୍ଦ ଲାଭ କରିଅଛୁଁ ଏବଂ ବିବେଚନା କରୁ ଯେ, ଗଭର୍ଣ୍ଣମେଣ୍ଟଙ୍କର ପ୍ରଦତ୍ତ ଟଙ୍କା ସପାତ୍ରରେ ପତିତ ହୋଇ ସୁନ୍ଦର ଫଳ ଜାତ କରିଅଛି । ଓଡ଼ିଶାର ଇତିହାସ ପ୍ରାଚୀନ ଗୌରବ ଏବଂ ଆଧୁନିକ ଅବସ୍ଥା ସମ୍ବନ୍ଧରେ ଷ୍ଟଲିଂ ହଣ୍ଟର ଟଏନବି ସାହେବମାନେ ଏବଂ ବାବୁ ରାଜେନ୍ଦ୍ରଲାଲ ମିତ୍ର ଯେ ସମସ୍ତ ଗ୍ରନ୍ଥମାନ ଲେଖିଅଛନ୍ତି ଏବଂ ବାବୁ ରଙ୍ଗଲାଲ ବନ୍ଦୋପାଧ୍ୟାୟଙ୍କ ପରିଶ୍ରମରେ ତମ୍ବାପଟା ସନନ୍ଦ ଏବଂ ଅନ୍ୟାନ୍ୟ ସୂତ୍ରରୁ ଯେ ସମସ୍ତ ଐତିହାସିକ ଅନ୍ୟ ବିବରଣୀମାନ ଜଣାଯାଇଅଛି । ଗ୍ରନ୍ଥକାର ଯେ ସମସ୍ତର ସାର ମର୍ମ ସଂକଳନ କରିବାର ଯଥାସାଧ୍ୟ ଅଧ୍ୟବସାୟ ଦେଖାଇଅଛନ୍ତି ଏବଂ ଅନ୍ୟାନ୍ୟ ସୂତ୍ରରୁ ମଧ୍ୟ ଉପକରଣ ସଂଗ୍ରହ କରିବାରେ ତ୍ରୁଟି କରି ନାହାନ୍ତି । ଆମ୍ଭେମାନେ ଏଥିପାଇଁ ଧନ୍ୟବାଦ ଦେଉଅଛୁ । ଏ ପୁସ୍ତକ ରଚନା ପ୍ରଣାଳୀ ସୁନ୍ଦର ଏବଂ ଏହା ସର୍ବାଂଶରେ ସୁପାଠ୍ୟ ଅଟଇ । ଚିକ୍‌କଣ ସାଧୁଭାଷା ସଙ୍ଗେ ସଙ୍ଗେ ଗୋଟିଏ ଅତିଗ୍ରାମ୍ୟ ଭାଷା ଏବଂ ଦୁଇ ଏକ ସ୍ଥଳରେ ଅସଙ୍ଗତ ଭାବ ଇତ୍ୟାଦି ଦୋଷ ଆମ୍ଭମାନଙ୍କର ଦୃଷ୍ଟି ପଥରେ ଆସିଥିଲେ ହେଁ ତହିଁର ଉଲ୍ଲେଖ ଆବଶ୍ୟକ ନରଖେ । ବିଶେଷତଃ ଭୂମିକାରେ ଗ୍ରନ୍ଥକାର ସ୍ଵୟଂ ସ୍ୱୀକାର କରିଅଛନ୍ତି ଯେ, ତାହାଙ୍କର ପୀଡ଼ା ଏବଂ ଅନ୍ୟାନ୍ୟ କାରଣରୁ ଭ୍ରମ ସଂଶୋଧନ ପକ୍ଷରେ ସମୁଚିତ ପ୍ରତି ବିଧାନ କରିପାରି ନାହାନ୍ତି । ସୁତରାଂ ଆମ୍ଭେମାନେ ଆଶାକରୁଁ ଯେ ଦ୍ୱିତୀୟ ସଂସ୍କରଣରେ

 

(୨୩)

ଓଡ଼ିଶାର ଇତିହାସ–ପ୍ୟାରୀମୋହନ ଆଚାର୍ଯ୍ୟ - ନୂତନ ମୁଦ୍ରଣ–ମୁଖବନ୍ଧ–(ଜୀବନ ଇତିହାସ- ସେକ୍ ମତଲୁବ୍‌ ଅଲି - ପୃଷ୍ଠା - ୨୦)

 

ସେସବୁ ଅନ୍ତର୍ନିହିତ ହେବ । ପରିଶେଷରେ ଆମ୍ଭେମାନେ ଓଡ଼ିଶାବାସୀ ସର୍ବସାଧାରଣଙ୍କୁ ବିଶେଷରେ ରାଜା ଜମିଦାର ପ୍ରଭୃତିଙ୍କୁ ଏହି ଗ୍ରନ୍ଥ ପାଠ କରି ଏଥି ଲିଖିତ ବିଷୟମାନ ଆଲୋଚନା କରିବାକୁ ପ୍ରାର୍ଥନା କରୁ । ତାହା ହେଲେ ସେମାନେ ସ୍ୱଦେଶର ପୂର୍ବକାଳର ଗୌରବକୁ ସ୍ମରଣ ରଖି ପୁନର୍ବାର ତାହା ପ୍ରତ୍ୟକ୍ଷ କରିବାକୁ ବ୍ୟଗ୍ର ହେବେ ଏବଂ ଉତ୍ସାହପୂର୍ବକ ଉନ୍ନତି ଚେଷ୍ଟା କରିବେ । ଆଉ ବିଦ୍ୟାଳୟ ସକାଶେ ଯେ ସ୍ଥଳେ ପୁସ୍ତକ ମନୋନୀତ ହୋଇଅଛି ସେ ସ୍ଥଳେ ବିଦ୍ୟାଳୟର ପାଠ୍ୟପୁସ୍ତକ କରିବାକୁ ଶିକ୍ଷା କର୍ମଚାରୀଙ୍କ ଠାରେ ଅନୁରୋଧ କରିବା ବାହୁଲ୍ୟମାତ୍ର । (୨୪) ଐତିହାସିକ, ତଥା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଜୀବନୀ ଲେଖକ ଶ୍ରୀ ମୃତ୍ୟୁଞ୍ଜୟ ରଥ ଏହି ଇତିହାସ ଗ୍ରନ୍ଥର ସମର୍ଥନ କରି ଯଥାର୍ଥରେ ଲେଖିଥିଲେ– “ଐତିହାସିକ ଉପକରଣ ସଂଗ୍ରହ ଓ ସାହିତ୍ୟିକ ମର୍ଯ୍ୟାଦାର ଗଣନାରେ ଏ ପ୍ରକାର ପୁସ୍ତକ ଏ ପର୍ଯ୍ୟନ୍ତ ଓଡ଼ିଶାରେ ଆଉ ବାହାରି ନାହିଁ ବୋଲିବାକୁ ହେବ । (୨୫) ‘ଓଡ଼ିଶା ଇତିହାସ’ ତତ୍‌କାଳୀନ ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଥିଲା-। ବହୁ ପତ୍ରପତ୍ରିକା ଓ ବୁଦ୍ଧିଜୀବୀମାନଙ୍କଦ୍ୱାରା ବହୁଳ ଭାବେ ଆଦୃତ ହୋଇଥିଲା ପ୍ୟାରୀମୋହନଙ୍କ ପ୍ରଣିତ ଇତିହାସ । ଏହା ସତ୍ତ୍ୱେ, ଏହି ଇତିହାସ ଗ୍ରନ୍ଥର ତୀବ୍ର ସମାଲୋଚନା କରିବା ସହିତ ବିଭିନ୍ନ ସମ୍ବାଦ ପତ୍ରରେ ସ୍ଵକୀୟ ମତ ପ୍ରକାଶ କଲେ କାଳୀପଦ ବାନାର୍ଜୀ । ପୁଣି ସେ ପାଠ୍ୟପୁସ୍ତକ ତାଲିକାରୁ ବାଦ୍ ଦେବାପାଇଁ କେତେକ ଅଭିଯୋଗ କଟକ କଲେକ୍‌ଟରଙ୍କଠାରେ ପ୍ରଦାନ କଲେ । କାଳୀପଦ ବାବୁଙ୍କ ଅଭିଯୋଗକୁ ସେତେବେଳକାର କଲେକ୍ଟର ଶ୍ରୀ ପସି ସାହେବ ଅଭିଯୋଗକୁ ଗ୍ରହଣ କରି ଏହି ଗ୍ରନ୍ଥକୁ ପାଠ୍ୟପୁସ୍ତକ ତାଲିକାରୁ ବାଦ୍ ଦେବା ପାଇଁ ସରକାରୀ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ସାରା ଓଡ଼ିଶାରେ ସୃଷ୍ଟି ହୋଇଥିଲା । ତୀବ୍ର ପ୍ରତିକ୍ରିୟା । ‘ଉତ୍କଳ ଦୀପିକା’ ମଧ୍ୟ ଏହି ସଂକ୍ରାନ୍ତରେ ଏକ ସମ୍ବାଦ ପ୍ରକାଶିତ ହୋଇଥିଲା “ଆମ୍ଭେମାନେ ଦୁଃଖର ସହିତ ଅବଗତ ହେଲୁ ଯେ, ଏଠା ମାଜିଷ୍ଟ୍ରେଟ୍ କଲେକ୍ଟର ଶ୍ରୀଯୁକ୍ତ ପସି ସାହେବ ପ୍ୟାରୀବାବୁଙ୍କ ଇତିହାସ ବର୍ତ୍ତମାନ ବିଦ୍ୟାଳୟମାନଙ୍କରେ ପଠିତ ହେବାର ନିଷେଧ କରିଅଛନ୍ତି । କାଳୀବାବୁଙ୍କର ଜଗନ୍ନାଥୀ ମାନ ବ୍ୟର୍ଥ ଯାଇ ନାହିଁ । କିନ୍ତୁ କମିଟିର ମତ ନେବା ଉତ୍ତାରୁ ମାଜିଷ୍ଟ୍ରେଟ୍ ସାହେବ କିପରି ଏହା କଲେ ଏବଂ ତାହାଙ୍କର ଏପରି କରିବାର କି କ୍ଷମତା ଅଛି ଆମ୍ଭେମାନେ ବୁଝିପାରିଲୁ ନାହିଁ । ଯେବେ ସାଧାରଣଙ୍କ ବିଚାର ବିରୁଦ୍ଧରେ କେବଳ କାଳୀପଦ ବାବୁଙ୍କର ଅସାର ଯୁକ୍ତିରେ ଅନୁଗାମୀ ଏପରି କରିଥାନ୍ତି ତେବେ ବଡ଼ ଦୁଃଖର ବିଷୟ ଅଟଇ । କାରଣ ସେପରି ଯୁକ୍ତିକୁ ଘେନିଲେ ଆହୁରି କେତେକ ପୁସ୍ତକ ବିଦ୍ୟାଳୟରୁ ଉଠାଇ ଦେବାକୁ ହେବ ଏବଂ ତହିଁର ଫଳ ଏହି ହେବ ଯେ, ଆଉ କେହି ପୁସ୍ତକ ଲେଖିବାକୁ ସାହାସୀ ହେବେ ନାହିଁ ।’’ (୨୬)

 

କାଳୀପଦ ବାବୁଙ୍କର ଅଭିଯୋଗ ଥିଲା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ପ୍ରଣୀତ ଓଡ଼ିଶା ଇତିହାସ ସଂପର୍କରେ ଯେ କଳାପାହାଡ଼ ବୃତ୍ତାନ୍ତରେ ଅନେକ ଭୁଲ୍‌ ତଥ୍ୟ ପ୍ରଦାନ କରାଯାଇଛି । କିନ୍ତୁ ଏହି ଅଭିଯୋଗର କୌଣସି ଭିଭି ନଥିଲା । ଏହା ଅସତ୍ୟ ଓ ବିଭ୍ରାନ୍ତିକର ବୋଲି ସେତେବେଳେ ମତପ୍ରକାଶ

 

(୨୪)

ଉତ୍କଳ ଦୀପିକା - ତା୨୦/୧୦/୧୮୭୯ ରିଖ ସଂଖ୍ୟା–୩୮

(୨୫)

ବ୍ରହ୍ମଜ୍ଞ ମଧୁସୂଦନ–ମୃତ୍ୟୁଞ୍ଜୟ ରଥ–ସୃଷ୍ଟି ଓ ସମୀକ୍ଷା - ପୃଷ୍ଠା-୮୦

(୨୬)

ଉତ୍କଳ ଦୀପିକା - ୦୮ ମଇ ୧୮୮୦ ପୃ-୭୩

 

ପାଇଥିଲା । କାଳୀପଦ ବାବୁଙ୍କର ଅଭିଯୋଗ ଓ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଇତିହାସବାଦୀ ସମର୍ଥକମାନଙ୍କ ଯୁକ୍ତି ଓ ତଥ୍ୟ ପ୍ରଦାନ ହେତୁ ଓଡ଼ିଶାରେ ଏକ ଅସ୍ଵସ୍ତିକର ବାତାବରଣ ସୃଷ୍ଟି ହୋଇଥିଲା । ଏପରିକି ସେତେବେଳେ ଏହାକୁ ଏକ ଗୃହଯୁଦ୍ଧ ସହ ତୁଳନା କରାଯାଇଥିଲା–“ଓଡ଼ିଆ ଭାଷାରେ ଓଡ଼ିଶାର ଇତିହାସ ପୁସ୍ତକର ଏକାନ୍ତ ଅଭାବ ଥିବା ସ୍ଥଳେ ପ୍ୟାରୀମୋହନ ଆଚାର୍ଯ୍ୟ ଏହି ପୁସ୍ତକ ଖଣ୍ଡିକ ରଚନା କରି ସମଗ୍ର ଓଡ଼ିଶାର ସଚେତନ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ମତାନ୍ତର ଦ୍ୱନ୍ଦ୍ୱ ସଂଘର୍ଷର ସୂତ୍ରପାତ କରିଥିଲେ । ପୁସ୍ତକ ପ୍ରସଙ୍ଗରେ କେହି ହୁଏତ ଆପତ୍ତି କରି ନଥାନ୍ତେ, କିନ୍ତୁ ପୁସ୍ତକ ଯେଉଁ ମୁହୂର୍ତ୍ତରେ ପାଠ୍ୟପୁସ୍ତକ ରୂପେ କର୍ତ୍ତୁପକ୍ଷଙ୍କ ଦ୍ଵାରା ମନୋନୀତ ହୋଇଗଲା, ସେହିଦିନ ଠାରୁ ଦଳେ ଲୋକେ ଏହାର ବିପକ୍ଷରେ ଆନ୍ଦୋଳନ ଆରମ୍ଭ କରିଥିଲେ, ଆଉ ସେହି ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ଆଉ ଦଳେ ଲୋକ ପୁସ୍ତକର ପ୍ରଶଂସକ ଓ ପୃଷ୍ଠପୋଷକ ସାଜି ଥିଲେ । ସେମାନଙ୍କ ମଧ୍ୟରେ ପ୍ୟାରୀମୋହନଙ୍କ ‘ଓଡ଼ିଶାର ଇତିହାସ’ ପୁସ୍ତକକୁ କେନ୍ଦ୍ର କରି ଏକ ଗୃହଯୁଦ୍ଧ ଦେଖା ଦେଇଥିଲା, ଏବଂ ସେହି ଗୃହଯୁଦ୍ଧର ପରିଣତି ହୋଇଥିଲା ପ୍ୟାରୀମୋହନଙ୍କ ପୁସ୍ତକର ବିଜୟ । କାଳୀପଦ ବାନାର୍ଜୀ ନାମକ ଜଣେ ଭଦ୍ର ବ୍ୟକ୍ତି ପ୍ୟାରୀବାବୁଙ୍କ ଇତିହାସରେ କେତେକ ଭ୍ରମାତ୍ମକ ଐତିହାସିକ ବିବରଣୀକୁ ନଜିର ଦେଇ ତାହାର ଏକ ରକମ ନିନ୍ଦା କରିଥିଲେ । କାଳୀବାବୁଙ୍କର ଅଭିଯୋଗର ପ୍ରଧାନ କାରଣ ହେଲା ଯେ, ପ୍ୟାରୀବାବୁ କଳାପାହାଡ଼ ବୃତ୍ତାନ୍ତ ସଂପର୍କରେ ଭ୍ରାନ୍ତ ତଥ୍ୟ ପରିବେଷଣ କରିଥିଲେ । ତଦାନୀନ୍ତନ କଲେକ୍‌ଟର କାଳୀବାବୁଙ୍କ ଯୁକ୍ତିରେ ପ୍ରଭାବିତ ହୋଇ ପ୍ୟାରୀବାବୁଙ୍କ ଇତିହାସକୁ ବିଦ୍ୟାଳୟମାନଙ୍କ ପାଠ୍ୟପୁସ୍ତକ ତାଲିକାରୁ ବାଦ୍ ଦେଇଥିଲେ ।୨୭)

 

ଜଗନ୍ନାଥ ମୂର୍ତ୍ତି ପ୍ରତି କଳାପାହାଡ଼ର ଅତ୍ୟାଚାର ସଂପର୍କରେ ଯାହା ଲେଖାଯାଇଛି ଯାହାକୁ କାଳୀପଦ ବାବୁ ପ୍ରତିବାଦ କରୁଥିଲେ । ସେ ବିଷୟରେ ‘ଉତ୍କଳ ଦୀପିକା’ରେ ଏକ ସୁନ୍ଦର ସ୍ପଷ୍ଟୀକରଣ ପ୍ରକାଶିତ ହୋଇଥିଲା– “କଟକରୁ ଏକ ବ୍ୟକ୍ତି ତାର ଡାକଯୋଗେ କଲିକତାର ଡେଲିନିୟୁଜ୍ ସମ୍ବାଦ ପତ୍ରକୁ ଲେଖି ଅଛନ୍ତିକି ବାବୁ ପ୍ୟାରୀମୋହନ ଆଚାର୍ଯ୍ୟଙ୍କକୃତ ଓଡ଼ିଶାର ଇତିହାସ ସଂପର୍କରେ ଭାରି ଗଣ୍ଡଗୋଳ ଲାଗିଅଛି । ଉକ୍ତ ପୁସ୍ତକର କେତେକ ଅଂଶ ପରିତ୍ୟକ୍ତ ହୋଇଅଛି ମାତ୍ର ଜଗନ୍ନାଥଙ୍କ ବିଷୟ ଯାହା ଲେଖାଅଛି ତାହା ରହିଅଛି ଆଉ ଏକ ତାରିଖରେ ଉକ୍ତ ସମ୍ବାଦପତ୍ରରୁ ଜଣାଯାଏ ଯେ ଜଗନ୍ନାଥ ମୂର୍ତ୍ତି ପ୍ରତି କଳାପାହାଡ଼ର ଅତ୍ୟାଚାର ବିଷୟରେ ଯାହା ଉକ୍ତ ଇତିହାସରେ ଲେଖାଅଛି ତହିଁରେ ବଡ଼ ଭ୍ରମଜାତ ହୋଇଅଛି । କାହିଁ ଆମ୍ଭେମାନେ ତକିଛି ଗଣ୍ଡଗୋଳ ବା ଭ୍ରମର କଥା ଶୁଣି ନାହୁଁ । ଶ୍ରୀଜଗନ୍ନାଥଙ୍କର ସେବା ପୂର୍ବପ୍ରାୟ ଚାଲୁଅଛି ଓ ଆଜିକାଲି ମହାପ୍ରସାଦ ଶୀଘ୍ର ମିଳିବାରୁ ଲୋକେ ଅଧିକ ଭକ୍ତିପୂର୍ବକ ଗ୍ରହଣ କରୁଅଛନ୍ତି । ଯାତ୍ରୀମାନଙ୍କ ଯାତାୟତ ଉଣା ବା ବନ୍ଦ ହୋଇନାହିଁ । ସଟନ ସାହେବଙ୍କ ଓଡ଼ିଶା ଇତିହାସରେ ଏହି କଥା ବହୁକାଳରୁ ପିଲାମାନେ ସ୍କୁଲରେ ପଢ଼ିଆସୁଅଛନ୍ତି ତହିଁରେ ତ କେହି ଆପତ୍ତି କରିବାର ଶୁଣାଯାଇ ନାହିଁ । ତେବେ କି ଗଣ୍ଡଗୋଳ, ଯେପରି ମନ୍ଦିରରୁ ପଥର ଖସିପଡ଼ିବା ବେଳେ ଅଥବା ରାଜା କୟେଦ ହେବାବେଳେ ହୋଇଥିଲା ସେହିପରି କି ? ଆମ୍ଭେମାନେ କେବଳ ଏତିକି କହିପାରୁ ଯେ ବାବୁ କାଳୀପଦ ବନ୍ଦୋପାଧ୍ୟାୟ ଗୋଟିଏ ଗଣ୍ଡଗୋଳ କରିବାକୁ ବହୁତ

 

(୨୭)

ଓଡ଼ିଶାର ଇତିହାସ ଓ ଲେଖକ ପ୍ୟାରୀମୋହନ - ଡଃ ଗୋପାଳଚନ୍ଦ୍ର ମିଶ୍ର - ସ୍ମରଣିକା - ପ୍ୟାରୀମୋହନ ଆଚାର୍ଯ୍ୟ - ୧୦୯/୧୧୦

 

ଦିନ ଚେଷ୍ଟା କରୁଅଛନ୍ତି । ହାତରୁ ଟଙ୍କା ବ୍ୟୟ କରି ତାର ଡାକରେ ସମ୍ବାଦପତ୍ରମାନଙ୍କ ନିକଟକୁ ଲେଖୁଅଛନ୍ତି ଏବଂ ଏଠାର ଭଦ୍ରଲୋକଙ୍କୁ ବୁଝାଉ ଅଛନ୍ତି ପ୍ୟାରୀବାବୁଙ୍କ ଓଡ଼ିଶା ଇତିହାସକୁ ନିର୍ମଳ କରିବା ତାହାଙ୍କର ଇଚ୍ଛା, ଆହାକି ମହତ ଇଚ୍ଛା ! ଯେଉଁ ଇତିହାସକୁ ଓଡ଼ିଶାର ସମସ୍ତ ସମ୍ବାଦପତ୍ର ଏକମୁଖ ହୋଇ ପ୍ରଶଂସା କରିଅଛନ୍ତି ଏବଂ ବିଦ୍ୱାନ ମଣ୍ଡଳୀରେ ଯାହା ଗୃହୀତ ହୋଇଅଛି ତାହାକୁ ଧ୍ୱଂସ କରି ନ ପାରିଲେ ଆଉକି ମହତ୍ କାର୍ଯ୍ୟ ସାଧନ ହୋଇପାରେ ? ଆହୁରି ଶୁଣୁଅଛୁଁ ଅନ୍ୟ ଜଣେ ଭଦ୍ରଲୋକ ଏ ପ୍ରଶଂସାର ଭାଗୀ ହେବା କାରଣ ପରିଶ୍ରମ କରି ଅଛନ୍ତି; କିନ୍ତୁ ତାହା ନ ପାଇବାରୁ ଦୁଃଖିତ ଅଛନ୍ତି । (୨୮) ଏହି ଇତିହାସ ସଂପର୍କରେ କାଳୀପଦ ବାବୁଙ୍କର ଆଉ ଏକ ଅଭିଯୋଗର ଉତ୍ତର ଯଥାର୍ଥ ଭାବରେ ‘ଉତ୍କଳ ଦୀପିକା’ ପ୍ରଦାନ କରି ଏକ ଐତିହାସିକ ସତ୍ୟ ପ୍ରତିପାଦନ କରିଥିଲା । “ପ୍ୟାରୀମୋହନ ବାବୁଙ୍କର ଇତିହାସ ସମ୍ବନ୍ଧର କାଳୀପଦ ବାବୁଙ୍କର ୨ୟ ପତ୍ର ଆମ୍ଭେମାନେ ପାଇଅଛୁ । ଏଥର ଏହାର ନାମ ”ଜଗନ୍ନାଥ ୨ ନମ୍ବର” ବୋଲି ଦିଆଯାଇଅଛି ଏବଂ ଶେଷରେ ‘କ୍ରମଶଃ’ ଥିବାରୁ ଆହୁରି କେତେ ବାହାରିବାର ସମ୍ଭାବନା ଅଛି । ବାବୁ ଆଗପତ୍ରପରି ଏହାକୁ ସୁଦ୍ଧା ଆପେ ବିତରଣ କରିବା ଦ୍ଵାରା ଆମ୍ଭମାନଙ୍କୁ ଅନେକ ଅନର୍ଥକ କଷ୍ଟରୁ ବଞ୍ଚାଇଥିବାରୁ ଧନ୍ୟବାଦ ଦେଉଅଛୁଁ ଓ ଏଥିରେ ଯେଉଁ କମିଟିର ବିବରଣୀ ଲେଖାଅଛି ତାହା ଗତ ପତ୍ରିକାରେ ଆମ୍ଭେମାନେ ପାଠକଙ୍କୁ ଜଣାଇଅଛୁଁ । ସୁତରାଂ ଆଉକିଛି ବକ୍ତବ୍ୟ ନାହିଁ । କେବଳ ତାହାଙ୍କ ପତ୍ରରେ କେତୋଟି ଭ୍ରମ ଅଛି ଯେ ତାହା ଚିହ୍ନାଇ ଦେବା ଆବଶ୍ୟକ କାରଣ ସେ ଭ୍ରମ ଜ୍ଞାନକୃତକି ଅନ୍ୟପ୍ରକାର ସ୍ଥିର କରିବା କଠିନ । ପ୍ରଥମତଃ ‘ବଞ୍ଚିତ’ ଶବ୍ଦ ପରିବର୍ତ୍ତରେ ସେ ‘ବଞ୍ଚନା’ ଶବ୍ଦ ବ୍ୟବହାର କରିଅଛନ୍ତି । ଯେମନ୍ତକି ଉଭୟ ଶବ୍ଦ ମଧ୍ୟରେ କିଛି ପ୍ରଭେଦ ନାହିଁ । ଦ୍ଵିତୀୟ ବକଲି ସାହେବ ଏ ବିଷୟରେ ଗଭର୍ଣ୍ଣମେଣ୍ଟ ଭୟାନକ ହସ୍ତକ୍ଷେପ କରିପାରନ୍ତି ବୋଲି କହିବାର ଲେଖାଅଛି ମାତ୍ର କମିଟିରେ ଉପସ୍ଥିତ ଥିବା ଲୋକଙ୍କ ଠାରୁ ଜଣାଯାଏ ଯେ ସାହେବ ଏପରି ନକହି କେବଳ ଖ୍ରୀଷ୍ଟିୟାନ ଥିବା ହେତୁରୁ ମତଦେବାକୁ ଅସମ୍ମତ ହେଲେ । (୨୯)

 

ପ୍ୟାରୀମୋହନଙ୍କ ଓଡ଼ିଶା ଇତିହାସ ବାସ୍ତବରେ ଏକ ନୂତନ ଇତିହାସ । ଇତିହାସ ନଥିବା ଜାତିକୁ ଏକ ଉପାଦେୟ ଇତିହାସ ପ୍ରଦାନ କରି ପ୍ୟାରୀମୋହନ ଅବିସ୍ମରଣୀୟ ଭୂମିକା ଗ୍ରହଣ କଲେ । ‘ଓଡ଼ିଶା ଇତିହାସ’ ଭାଷାଭିତ୍ତିକ ପ୍ରଦେଶ ଗଠନରେ ପ୍ରେରଣା, ପ୍ରୋତ୍ସାହନ ଯୋଗାଇବା ସହ ପ୍ରାମାଣିକ ସ୍ୱୀକୃତି ହୋଇଗଲା ।

 

ଜାତୀୟ ବ୍ୟକ୍ତିତ୍ୱ :

ମାତୃଭୂମିର ସେବାରେ ନିଜକୁ ସମର୍ପିତ କରିବା, ଜନସାଧାରଣଙ୍କ ମନରେ ଜାତୀୟ ଭାବନା ଉଦ୍ରେକ କରିବାରେ ପ୍ୟାରୀମୋହନ ଥିଲେ ଶତଚେଷ୍ଟିତ । କେତେବେଳେ ଲେଖାରେ, ଆଲୋଚନାରେ । ବା କେତେବେଳେ ବକ୍ତୃତା ଛଳରେ ନିଜର ଅଭିବ୍ୟକ୍ତିଙ୍କୁ ଯୁକ୍ତିଯୁକ୍ତ ଛଳରେ ଦୃଢ଼ତାର ସହ ପ୍ରକାଶ

 

(୨୮)

ଉତ୍କଳ ଦୀପିକା - ୨୦ ମାର୍ଚ୍ଚ ୧୮୮୦ ପୃ-୪୫

(୨୯)

ଉତ୍କଳ ଦୀପିକା - ୧୭ ଅପ୍ରେଲ ୧୮୮୦ ପୃ-୬୨

 

କରି ସେ ଅମର ହୋଇଛନ୍ତି । ବାସ୍ତବିକ ତାଙ୍କ ବକ୍ତବ୍ୟ ଜାତୀୟ ଚିନ୍ତାଚେତନାର ସାର୍ଥକ ପ୍ରତିଲିପି । ଜାତିର ସ୍ୱାର୍ଥରକ୍ଷା ପାଇଁ ଜଣେ କିପରି ବ୍ୟଗ୍ର ହୋଇଉଠେ– ତାହା ଆଚାର୍ଯ୍ୟ ମହାଶୟଙ୍କ ଭାଷଣରୁ ପ୍ରମାଣ ମିଳେ । ୨୪ ଏପ୍ରିଲ ୧୮୭୯ର ସନ୍ଧ୍ୟାରେ କଟକ ପ୍ରିଣ୍ଟିଂ ପ୍ରେସ୍ କୋଠାରେ ଏକ ସଭାର ଆୟୋଜନ ହୋଇଥିଲା । ଏହି ସଭାରେ ସଭାପତିତ୍ୱ କରିଥିଲେ ଭକ୍ତକବି ମଧୁସୂଦନ । ଏହି ସମାରୋହରେ ପ୍ୟାରୀମୋହନ ଏକ ଆବେଗପୂର୍ଣ୍ଣ ବକ୍ତବ୍ୟ ଉପସ୍ଥାପନ କରିଥିଲେ–

 

ଜାତୀୟ ଜୀବନ-

-“ଏ ବିଷୟରେ ବାବୁ ଶ୍ରୀ ପ୍ୟାରୀମୋହନ ଆଚାର୍ଯ୍ୟ ଗତମାସ ୨୪ ତାରିଖରେ ଛାପାଖାନାର ଦୋମହଲାରେ ବକ୍ତୃତା କରିଥିଲେ । ବକ୍ତୃତା ଶୁଣିବାପାଇଁ ଅନେକ ଲୋକ ଆସିଥିଲେ ଏମନ୍ତକି ଘର ଭିତର ଓ ବାହାର ବାରନ୍ଦା ଶ୍ରୋତାଙ୍କ ଉପସ୍ଥିତିରେ ପୂର୍ଣ୍ଣ ହୋଇଥିଲା । ବକ୍ତୃତା ଘ୭.୩୯ ମି. ସମୟରୁ ଆରମ୍ଭ ହୋଇ ପ୍ରାୟ ଘ୧୦ଟିକା ସମୟରେ ଶେଷ ହେଲା ଓ ବକ୍ତା ଏପରି ତେଜସ୍ୱୀତା ସହିତ କହୁଥିଲେ ଯେ ତାଙ୍କ କଥା ଛାପାଖାନା ହତା ଡେଇଁ ପଥ ପର୍ଯ୍ୟନ୍ତ ଶୁଣାଯାଉଥିଲା ଏବଂ ଶ୍ରୋତାମାନଙ୍କର ଆନନ୍ଦସୂଚକ କରତାଳି ଧ୍ୱନିରେ କର୍ଣ୍ଣ ବଧିର ହେଉଥିଲା । ବକ୍ତୃତାର ସାରାଂଶ ନିମ୍ନେ ଲେଖୁଅଛୁଁ ଯଥା-

 

ବକ୍ତା କହିଲେ, “ବେଦନାବୋଧ ଓ ଚଳନ ଶକ୍ତି ଜୀବନର ଲକ୍ଷଣ ଅଟଇ, ଯେଉଁ ପଦାର୍ଥର ଏସବୁ ଲକ୍ଷଣ ଅଛି ତାହାର ଜୀବନ ଅଛି ଓ ଯେଉଁ ପଦାର୍ଥର ଏ ସବୁକିଛି ନାହିଁ ତାହାର ଜୀବନ ନାହିଁ । ଯେଉଁ ଜାତୀୟ ଲୋକେ ଆପଣାର ଅଭାବ ବୁଝି ତାହା ମୋଚନର ପ୍ରତିକାର କରୁଅଛନ୍ତି ଓ ଉନ୍ନତି ମାର୍ଗରେ ଅଗ୍ରସର ହେଉଅଛନ୍ତି ସେ ଜାତିର ଜୀବନ ଅଛି ଓ ଯେଉଁ ଜାତି ଆପଣାର ଅଭାବ ବୁଝି ନାହାନ୍ତି ଓ ଉନ୍ନତିର ଚେଷ୍ଟା କରୁ ନାହାନ୍ତି ତାହାଙ୍କୁ ନିର୍ଜୀବ ବୋଲିବାକୁ ହେବ । ଏ ଦେଶୀୟ ଲୋକଙ୍କ ସଂକ୍ରାନ୍ତରେ ବକ୍ତା ମହାଶୟ ଉକ୍ତ ଦୁଇ ବିଷୟର ବ୍ୟାଖ୍ୟା କରିଥିଲେ । ସେ ଏ ଦେଶୀୟ ଲୋକଙ୍କର ଅନେକ ଅଭାବ ଦେଖାଇଲେ ଓ କେତେକ ଶୁଭଲକ୍ଷଣମାନର ଉଲ୍ଲେଖ କଲେ, ଏଥି ମଧ୍ୟରେ ଶିକ୍ଷା ସର୍ବପ୍ରଧାନ ଅଟଇ । ସେ କହିଲେ ବର୍ତ୍ତମାନ ଶିକ୍ଷାପ୍ରତି ଲୋକଙ୍କର ଶ୍ରଦ୍ଧା ଜନ୍ମିଅଛି ଓ ପୂର୍ବାପେକ୍ଷା ବର୍ତ୍ତମାନ ଅନେକ ଲୋକ ଆପଣାର ବାଳକମାନଙ୍କୁ ସ୍କୁଲକୁ ପଠାଉଅଛନ୍ତି, ଏହା ଶୁଭଲକ୍ଷଣ ଅଟେ– ମାତ୍ର ଜାତୀୟ ଶିକ୍ଷା ଏ ପର୍ଯ୍ୟନ୍ତ ହୋଇନାହିଁ । ବର୍ତ୍ତମାନ କେବଳ ଗଭର୍ଣ୍ଣମେଣ୍ଟଙ୍କ ଶିକ୍ଷାଦାନ ଉପରେ ନିର୍ଭର ଅଛି । ଯେତେବେଳେ ଲୋକେ ଗଭର୍ଣ୍ଣମେଣ୍ଟ ଉପରେ ନିର୍ଭର ନ କରି ଆପେ ଆପଣା ଦେଶରେ ଶିକ୍ଷା ବିସ୍ତାର କରିବେ ଓ ଶିକ୍ଷାର ଉନ୍ନତି କରିବେ, ତେତେବେଳେ ଯାଇ ଶିକ୍ଷା ପକ୍ଷରେ ସେମାନଙ୍କର ସମ୍ପୂର୍ଣ୍ଣ ଆଦର, ସମ୍ପୂର୍ଣ୍ଣ ଯତ୍ନ ଥିବାର ପ୍ରକାଶ ପାଇବ । ବର୍ତ୍ତମାନ ଶିକ୍ଷାରେ ନୀତିଶିକ୍ଷା ନାହିଁ– ଏ ହେତୁ ଅନେକ ଶିକ୍ଷିତ ଯୁବକଙ୍କର ଚରିତ୍ର ଭଲ ହେଉନାହିଁ । ମାନସିକ ଉନ୍ନତି ଓ ଉତ୍ତମ ଚରିତ୍ର ଶିକ୍ଷାର ପ୍ରଧାନ ଉଦ୍ଦେଶ୍ୟ । ଯେଉଁ ଶିକ୍ଷାରେ ଏ ଫଳ ଲାଭ ନ ହେଲା ସେ ଶିକ୍ଷାକୁ ଦୋଷଯୁକ୍ତ ବୋଲିବାକୁ ହେବକି ? ଜାତୀୟ ଶିକ୍ଷାରେ ଏ ଦୋଷ ଖଣ୍ଡନ ହୋଇପାରେ । ଆଉ ଗୋଟିଏ ଦୋଷ ଏହି ଯେ, ନବଯୁବକମାନେ ଅଳ୍ପ ଟିକିଏ ଇଂରାଜୀ ପଢ଼ି ମାତୃଭାଷାକୁ ହତାଦର କରୁଅଛନ୍ତି - ବରଂ କେହି କେହି ଘୃଣା କରୁଅଛନ୍ତି । ବିଜାତୀୟ ଭାଷାରେ ବ୍ୟୁତ୍ପତ୍ତି ହେବା ଦୂରେ ଥାଉ, ଶୁଦ୍ଧକରି ଦୁଇଧାଡ଼ି ଲେଖିବାରେ କଷ୍ଟ– ତଥାପି ଏତେ ଅହଂକାର ଯେ ଜାତୀୟ ଭାଷାର ଚର୍ଚ୍ଚାକୁ ଲଜ୍ଜାକର ବୋଧ କରନ୍ତି । ଏଠାରେ ସ୍ୱଜାତୀୟ ଭାଷାର ଖଣ୍ଡିଏ ପତ୍ରିକା ‘ଉତ୍କଳ ଦୀପିକା’ ୧୪ବର୍ଷ ହେଲା ପ୍ରଚଳିତ ହୋଇଅଛି କିନ୍ତୁ ଏ ପର୍ଯ୍ୟନ୍ତ ତହିଁର ଗ୍ରାହକ ସଂଖ୍ୟା ୧୪୦ ଜଣରୁ ଅଧିକ ହୋଇନାହିଁ । କାରଣ ଇଂରାଜୀ ଶିକ୍ଷିତ ଯୁବକମାନେ ଓଡ଼ିଆ କାଗଜ ବୋଲି ତାହାକୁ ତୁଚ୍ଛ କରନ୍ତି ଓ ଅନ୍ୟମାନେ ସମ୍ବାଦପତ୍ରର ଉପକାରିତା ଏ ପର୍ଯ୍ୟନ୍ତ ବୁଝିନାହାନ୍ତି । ଏହା ବଡ଼ ଶୋଚନୀୟ ଅଟଇ । ଏପରି ଅବସ୍ଥାରେ ଜାତୀୟ ଭାଷାର ଉନ୍ନତି କି ପ୍ରକାରରେ ଶୀଘ୍ର ହେବ ।

 

ଶିକ୍ଷା ସଂକ୍ରାନ୍ତରେ ଆଉ ଗୋଟିଏ କଥା ବକ୍ତା ମହାଶୟ କହିଲେ ତାହା ଏହି– ବର୍ତ୍ତମାନ ନବ ଯୁବକମାନେ ଇଂରେଜୀ ପଢ଼ି ଆମ୍ଭମାନଙ୍କର ପୂର୍ବ ରୀତିନୀତି ଇତ୍ୟାଦି ଛାଡ଼ୁ ଅଛନ୍ତି ; ଯେବେ ସେ ସବୁକୁ ଦୋଷଯୁକ୍ତ ମଣି ଛାଡ଼ିଲେ ତେବେ ତହିଁ ପରିବର୍ତ୍ତେ ଦୋଷଶୂନ୍ୟ ଓ ଉତ୍କୃଷ୍ଟ ରୀତିନୀତି ଅବଲମ୍ବନ କଲେ ଶୋଭାପାଆନ୍ତା । ଧର୍ମ ସର୍ବାପେକ୍ଷା ପ୍ରଧାନ, ପ୍ରଥମେ ତହିଁର ଉଲ୍ଲେଖ କରିବୁ । ନବଯୁବକମାନେ ପୁରାତନ ଧର୍ମକୁ ଦୂଷଣୀୟ ମଣି ହତାଦର କରୁଅଛନ୍ତି–ତ୍ୟାଗ କରୁଅଛନ୍ତି । କିନ୍ତୁ ଆଉ କୌଣସି ଶ୍ରେଷ୍ଠତର ଧର୍ମ ଅବଲମ୍ବନ କରୁନାହାନ୍ତି । ଫଳତଃ ଅଧଗାମୀ ହେଉଅଛନ୍ତି । ଏହା ଅତି ଆକ୍ଷେପର ବିଷୟ । ସଂସାରରେ ଧର୍ମ ସାର ଆଉ ସବୁ ଅସାର । ଯେଉଁ ଶିକ୍ଷାରେ ଏପରି ସାର ପଦାର୍ଥ ଅସାର ହେଉଅଛି–ସେ ଶିକ୍ଷା ଶିକ୍ଷା ନୁହେଁ ।

 

ଶାରୀରିକ ଅବସ୍ଥା ବିଷୟରେ ବକ୍ତା ମହାଶୟ କହିଲେ, ଆମ୍ଭମାନଙ୍କ ପିତାମହ ଓ ପ୍ରପିତାମହଙ୍କର ଯେପରି ଶାରୀରିକ ବଳ ଓ ତେଜ ଥିଲା ତହିଁର ଶତାଂଶ ଆମ୍ଭମାନଙ୍କଠାରେ ନାହିଁ । ଏଥିର ପ୍ରଧାନ କାରଣ ବିଳାସଭୋଗ ଅଟଇ । ମାଦକ ସେବନ କ୍ରମେ ବୃଦ୍ଧି ହେଉଅଛି । ସୁରା ଓ କୁତ୍ସିତ ମଦ ତ ପ୍ରଧାନ ଓ ପ୍ରବଳ ହୋଇ, ଆପଣା ଆପଣା ରାଜତ୍ୱ ବିସ୍ତାର କରୁଅଛି । ଏଥିରେ ଶରୀର କିପରି ସବଳ ହେବ । ଏହା ଛାଡ଼ି ଦୁର୍ବଳତାର ଅନ୍ୟ ଗୋଟିଏ କାରଣ ବାଲ୍ୟବିବାହ ଅଟଇ । ଏଥର ପ୍ରମାଣ ବକ୍ତା ବଙ୍ଗାଳିଙ୍କ ପିଲା ସଙ୍ଗେ କରଣଙ୍କ ପିଲାଙ୍କୁ ତୁଳନା କରି ଦେଖାଇଦେଲେ । ବାଲ୍ୟବିବାହ ଯୋଗୁଁ ଶରୀର କ୍ରମେ କ୍ଷୀଣ ହେଉଅଛି ଓ କେତେକ ସ୍ଥଳେ ପରିଶେଷେ ବଂଶ ଲୋଭ ହେଉଅଛି - ଏ ମହାପାପକୁ ଶୀଘ୍ର ଉଠାଇବାର ଆବଶ୍ୟକ ।

 

ତଦନନ୍ତର ବକ୍ତା ମହାଶୟ ଓକିଲ ମୁକ୍ତାରଙ୍କ ମନ୍ଦ ଚରିତ୍ର ଅମଲାଙ୍କ ଉତ୍କୋଚ ନେବା ରୀତି ବିଷୟରେ ଅନେକ କହିଲେ । ଗୋଟିଏ ଅଭିନବ କଥା ଏହି ଯେ, ବକ୍ତା ଶ୍ରୋତାମାନଙ୍କୁ ସମ୍ବୋଧନ କରି କହିଲେ ଯଦି ତୁମ୍ଭମାନଙ୍କର ହିତ ଇଚ୍ଛା ଅଛି ତେବେ ଏ ବିଷୟ ସବୁର ଆଲୋଚନା କର, ଚିନ୍ତା କର ଓ ବିହିତ ପ୍ରତିକାରର ଚେଷ୍ଟା କର । ଯଦି କେବଳ ଏହି ଭାବରେ ଆସିଅଛି କି ଆଜି ଜଣେ କେମନ୍ତ କ’ଣ କହିବ– ଚାଲ ଯିବା ଶୁଣି ଆସିବା– ତେବେ ଏହିକ୍ଷଣି ଏ ସ୍ଥାନ ତ୍ୟାଗ କର । ଏଠାରୁ ଚାଲି ଯାଅ- ଆମ୍ଭର ଲେଶମାତ୍ର ଶୋଚନା ନାହିଁ । ଯେବେ ବାସ୍ତବରେ ହିତଚିନ୍ତା ଅଛି ତେବେ ତୁମ୍ଭମାନଙ୍କ ମଧ୍ୟରେ କେହି ସୁରାପାୟୀ ବା ମଦତୀ ଥିଲେ ଏଠାରୁ ଘରକୁ ଯାଇ ବୋତଲ ଓ ମଦତ ହୁକାକୁ ଭାଙ୍ଗି ଫୋପାଡ଼ି ଦିଅନ୍ତୁ । କେହି ଉତ୍କୋଚଗ୍ରାହୀ ଥିଲେ କାଲିଠାରୁ ଉତ୍କୋଚ ତ୍ୟାଗ କରନ୍ତୁ । କେହି ଦୀପିକାର ଗ୍ରାହକ ନଥିଲେ କାଲିଠାରୁ ଗ୍ରାହକ ହୁଅନ୍ତୁ ଓ ସ୍ୱଜାତୀୟ ଭାଷାର ଉନ୍ନତି ଚେଷ୍ଟା କରନ୍ତୁ । ସ୍ଵାଧୀନ ବ୍ୟବସାୟ ବିଷୟରେ ମଧ୍ୟ ବକ୍ତା କେତେକ କଥା କହିଥିଲେ । ଟିକିଏ ଇଂରାଜୀ ପଢ଼ି ଚାକିରୀ କରିବାରେ କିଛି ଉନ୍ନତି ହେବନାହିଁ । ଚାକିରୀରେ ସ୍ୱାଧୀନତା ଲେଶମାତ୍ର ରହେନା । ବାଣିଜ୍ୟ ଶିଳ୍ପ ଇତ୍ୟାଦି ସ୍ଵାଧୀନ ବ୍ୟବସାୟ ଅବଲମ୍ବନ କରିବା ଉଚିତ । ବିଲାତରୁ ବସ୍ତ୍ର ଇତ୍ୟାଦି ଅନେକ ସାମଗ୍ରୀ ଏଠାକୁ ଆସୁଅଛି । ଏଠାରେ ସେ ସବୁ ପ୍ରସ୍ତୁତିର କିଛି ଯତ୍ନ ହେଉନାହିଁ–ଯେତେବେଳେ ଏଠାରେ ସେ ସବୁ ପ୍ରସ୍ତୁତ ହେବ– ତେତେବେଳେ ଯାଇ ଜାତୀୟ ଶିକ୍ଷା ଠିକ୍ ହେବ । ବକ୍ତା ଆହୁରି କେତେକ କଥା କହିଥିଲେ ସେ ସବୁ ସ୍ମରଣ ହେଉନାହିଁ । ଏହା ଆମ୍ଭମାନଙ୍କର ଦୋଷ ନୁହେଁ ବକ୍ତାଙ୍କ ଦୋଷ ବୋଲିଲେ ଦୋଷ ହେବ ନାହିଁ । କାରଣ ସେ ଏକାବେଳକେ ଅନେକ କଥା କହିଲେ– ସେ ସବୁ ସ୍ମରଣ ରଖିବାର କଷ୍ଟ - ଅନ୍ୟ ଶ୍ରୋତାମାନେ ମଧ୍ୟ କେତେକ ଭୁଲି ଯାଇଥିବେ ।

 

ବକ୍ତୃତା ଶେଷ ହେଲାରୁ ସଭାପତି ଶ୍ରୀବାବୁ ମଧୁସୂଦନ ରାଓ ବକ୍ତାଙ୍କୁ ଧନ୍ୟବାଦ ଦେଇ ଓ ପ୍ରଶଂସା କରି କହିଲେ– ଯେତେ ବିଷୟ ବକ୍ତା କହିଅଛନ୍ତି ତହିଁର ଆଲୋଚନା ବର୍ଷେ କାଳ କଲେ ଶେଷ ହେବ ନାହିଁ । (୩)

 

ମାନବବାଦୀ ଚେତନାର ସାର୍ଥକ ରୂପକାର

ପ୍ୟାରୀମୋହନଙ୍କ ଜୀବନଧାରା ଏକ ବିସ୍ମୟ । ଜୀବନର ପ୍ରତିଟି ମୁହୂର୍ତ୍ତ ଜାତିର ସେବାରେ ଉତ୍ସର୍ଗୀକୃତ । ବହୁ ଦୁଃଖ, କଷ୍ଟ, ଯନ୍ତ୍ରଣା, ସଂଘର୍ଷ ଭିତରେ ପ୍ୟାରୀମୋହନଙ୍କ ଜୀବନ ଗତି । ସୁଖ ତାଙ୍କୁ ସ୍ପର୍ଶ କରି ନଥିଲା । ଭୋଗ, ପ୍ରାଚୁର୍ଯ୍ୟ, ବିଳାସ, ବ୍ୟସନଠାରୁ ସେ ଥିଲେ ବହୁ ଦୂରରେ । ଏପରି ଏକ ବ୍ୟକ୍ତି ବିରଳ ଆମ ଜାତି ଇତିହାସରେ । ଅଭାବ ତାଙ୍କୁ ପଥଚ୍ୟୁତ କରିପାରି ନଥିଲା ବରଂ ସେ ହୋଇଥିଲେ ସଂଗ୍ରାମୀ । ଏହିପରି ଦୃଢ଼ମନା ବ୍ୟକ୍ତିଙ୍କ ସଂପର୍କରେ ଉତ୍କଳ ସାହିତ୍ୟର ସଂପାଦକ ବିଶ୍ଵନାଥ କର କହିଥିଲେ- “ନିଜର ପରିଚ୍ଛଦ ଅତି ଜୀର୍ଣ୍ଣଶୀର୍ଣ୍ଣ–କିନ୍ତୁ ପରର ନୂତନ ପରିଚ୍ଛେଦ ପାଇଁ ତାଙ୍କ ଅର୍ଥର ଗତି । ନିଜର ଆର୍ଥିକ ଅବସ୍ଥା ଅତି ହୀନ–କିନ୍ତୁ ପରର ହୀନତା ଦୂର କରିବା ପାଇଁ ତାଙ୍କ ଅର୍ଥ ଧାବିତ । ଏହି ପରି ସଜ୍ଜନଙ୍କ ଅର୍ଥର ସଦ୍‌ଗତି ହୋଇଥାଏ ।’’ (୩୧) ଅକାତରରେ ଦାନ ଥିଲା ପ୍ୟାରୀମୋହନଙ୍କ ଏକ ସ୍ଵଭାବ । ମାନବବାଦୀ ଚେତନାର ସେ ଥିଲେ ଯଥାର୍ଥ ରୂପକାର । ମଣିଷର ଦୁଃଖ ସେ ସହିପାରୁ ନଥିଲେ । ପରୋପକାର, ଅଭାବୀ ମଣିଷକୁ ଅର୍ଥଦାନ କରିବାସହ ଆର୍ତ୍ତ ଓ ଦୁଃଖି, ରୋଗାତୁର ଲୋକର ସେବାରେ ନିଜକୁ ନିୟୋଜିତ କରୁଥିଲେ ପ୍ୟାରୀମୋହନ । ମୃତ୍ୟୁର କିଛିଦିନ ପୂର୍ବରୁ ପୁରୀ ରଥଯାତ୍ରା ସମୟରେ ହଇଜା ରୋଗ ବ୍ୟାପିଗଲା । ଜଗନ୍ନାଥ ସଡ଼କର ଦୁଇ କଡ଼ରେ ଶହ ଶହ ହଇଜାରୋଗୀ । ସେଥିରୁ କେତେକ ଲୋକ ଚିକିତ୍ସା ଅଭାବରୁ ଅସହାୟ ଅବସ୍ଥାରେ ପ୍ରାଣ ହରାଉଛନ୍ତି । ଏହା ଜାଣି ପ୍ୟାରୀମୋହନ ନିଜର ସହଯୋଗୀମାନଙ୍କ ସହ ଘଟଣାସ୍ଥଳକୁ ଯାତ୍ରା କଲେ । ସେଠାରେ ଯାହା ସମ୍ଭବ ରୋଗୀମାନଙ୍କ ସେବାଶୁଶ୍ରୁଷା କରିବା ସହ ଔଷଧ ପ୍ରଭୃତି ପ୍ରଦାନ କରି ସେମାନଙ୍କ ମନରେ ଭରିଦେଲେ ଆଶା ଓ ଭରସା ।

 

ପ୍ୟାରୀମୋହନଙ୍କ ଜୀବନ ଥିଲା ସ୍ଵଚ୍ଛ, ସରଳ, ନିଷ୍କପଟ । ଆଡ଼ମ୍ବରର ସେ ଥିଲେ ତୀବ୍ର ବିରୋଧୀ । ସାଧାରଣ ବସ୍ତ୍ର, ଜାମା ଖଣ୍ଡିଏ ତାଙ୍କର ପୋଷାକ ବା ପରିଧାନ । ସେ କହୁଥିଲେ-“ଏହା

 

(୩୦)

ଉତ୍କଳ ଦୀପିକା - ୮ ମାର୍ଚ୍ଚ ୧୮୭୯–ପୃଷ୍ଠ-୩୮/୩୯ ଭାଗ-୧୪

(୩୧)

ଓଡ଼ିଶାର ଇତିହାସ - ପ୍ୟାରୀମୋହନ ଆଚାର୍ଯ୍ୟ - ପୃ-୧୧–ନୂତନ ମୁଦ୍ରଣ - ୨୦୦୧

 

ମୋ ପକ୍ଷେ ଯଥେଷ୍ଟ ହେଲାଣି ଅଧିକ ଦାମ୍‍ର ପୋଷାକ ପିନ୍ଧିବାକୁ ମୋର ଯୋଗ୍ୟତା ନାହିଁ । (୩୨) ତାଙ୍କର ଖାଦ୍ୟପଦାର୍ଥ ଥିଲା ମଧ୍ୟ ଅତି ସାଧାରଣ । ସେ ଢିଙ୍କିକୁଟା ମୋଟା ବଗଡ଼ାଭାତ, ସାଧାରଣ ତରକାରୀ, କ୍ଷୀର ଖାଇବାକୁ ପସନ୍ଦ କରୁଥିଲେ । ସେ ସାଧାରଣ ଜୀବନଯାପନ କରିବା ସହ ଅନ୍ୟମାନଙ୍କୁ ଏହିପରି ଜୀବନ ବିତାଇବା ପାଇଁ କହୁଥିଲେ- “ଆମେ ଏତେ ଭଲ ଜିନିଷ ଖାଇଲେ ଆସିବ କେଉଁଠୁ ? ଦେବ କିଏ ? ଅନ୍ୟମାନେ ଆମ ଭଳି ଜିନିଷ ଖାଇବାକୁ ପାଉଛନ୍ତିତ-? ସୁତରାଂ ଆମେ କେବଳ ଭଲ ଖାଇ ଭଲ ପିନ୍ଧିଲେ ଦୁନିଆ ଯେ ଭଲରେ ରହିବ, ଏକଥା ନୁହେଁ-। ସାଧାରଣ ଭାବରେ ଦୁଇଟା ଖାଇଲେ ଚଳିଯିବ । ଏପରିକି ଶରୀରକୁ ସବଳ କରିବା ପାଇଁ ଆମର ଯେତିକି ଖାଦ୍ୟ ଖାଇବା ଆବଶ୍ୟକ, ଆମେ ସେତିକି ଖାଇବା ଉଚିତ । ଶରୀର ପ୍ରତି ନଜର ରଖି ଆମର ଖାଦ୍ୟପେୟ ଓ ପରିଧେୟ, ବସ୍ତ୍ର ଉପଯୋଗୀ ହେବା ଉଚିତ । (୩୩)

 

ପ୍ୟାରୀମୋହନଙ୍କ ବ୍ୟକ୍ତିତ୍ଵ ଥିଲା ଉଦାର । ଉତ୍ତମ ଚରିତ୍ର, ଆଦର୍ଶ ଜୀନବର ମଣିଷ ଥିଲେ ସେ । ଧୈର୍ଯ୍ୟ ଓ ସଂଯମ ଶକ୍ତି ଥିଲା ତାଙ୍କର ବହୁ ଉଚ୍ଚରେ । କାହାରିକୁ ବ୍ୟଙ୍ଗ, ବିଦ୍ରୁପ କରିବାର ସେଥିଲେ ବିରୋଧୀ । ସେ ଏ ପ୍ରସଙ୍ଗରେ କହୁଥିଲେ- “କାହାକୁ ତ ଖୁସି କରାଇ ପାରିବାର ଶକ୍ତି ଯାହାର ନାହିଁ, ତାହାର କାହା ମନରେ ଦୁଃଖ ଦେବାର ଅଧିକାର ମଧ୍ୟ ନାହିଁ ।’’ (୩୪) ଗର୍ବ, ଅହଙ୍କାର, କ୍ରୋଧତା ଠାରୁ ସେଥିରେ ବହୁଦୂରରେ । ଭେଦଭାବରେ ତାଙ୍କର ବିଶ୍ୱାସ ନ ଥିଲା । ପ୍ୟାରୀମୋହନଙ୍କୁ ଯଦିକିଏ କେବେ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲା ସେ ତାହାକୁ ନୀରବରେ ସହିଯାଉଥିଲେ । ଅକର୍ମଣ୍ୟ ମଣିଷ, ନିଃସହାୟ ମଣିଷ ପ୍ରତି ଥିଲା ଦରଦଭାବ-। ସେମାନଙ୍କର ଦୁଃଖ ଅସୁବିଧା, ବୁଝି ସେ ପ୍ରତିକାର କରୁଥିଲେ ।

 

ପ୍ରଲୋଭନ, କ୍ଷମତା, ସମ୍ମାନ, ପ୍ୟାରୀମୋହନଙ୍କୁ ବଶୀଭୂତ କରିପାରିନି । ଇଂରେଜ ସରକାର ତାଙ୍କୁ ଯେତେବେଳେ ଡେପୁଟୀ ମାଜିଷ୍ଟ୍ରେଟ୍ ପଦବୀ ପାଇଁ ମନୋନୀତ କରିଥିଲେ–ତାହାକୁ ସେ ପ୍ରତ୍ୟାଖ୍ୟାନ କରି କହିଥିଲେ “ମୋତେ ଯଦି ବଡ଼ଲାଟ କରାଯାଏ ତାକୁ ମଧ୍ୟ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ନୁହେଁ ।’’ (୩୫) ।

 

ପାରିବାରିକ ଜୀବନ :

ସାଧାରଣ ମଣିଷ, ସମାଜ ଜୀବନ ପାଇଁ କାର୍ଯ୍ୟକରୁଥିବା ମଣିଷର ପାରିବାରିକ ଜୀବନରେ ସୁଖ କେଉଁଠୁ ଆସିବ ! ମହାତ୍ମା ପ୍ୟାରୀମୋହନଙ୍କ ପାରିବାରିକ ଜୀବନ ସୁଖମୟ ନ ଥିଲା । ପ୍ୟାରୀମୋହନ ଦୁଇ କନିଷ୍ଠ ଭ୍ରାତା ଦ୍ଵାରିକାନାଥ ଓ ଚନ୍ଦ୍ରମୋହନ ପ୍ୟାରୀମୋହନଙ୍କ ପରି ନଥିଲେ-।

 

(୩୨)

ଆଚାର୍ଯ୍ୟ ପ୍ୟାରୀମୋହନ–ଡକ୍ଟର ବିଜୟାନନ୍ଦ ସିଂହ

(୩୩)

ଆଚାର୍ଯ୍ୟ ପ୍ୟାରୀମୋହନ–ଡକ୍ଟର ବିଜୟାନନ୍ଦ ସିଂହ

(୩୪)

ତତ୍ରୈବ

(୩୫)

ଓଡ଼ିଶାର ଇତିହାସ - ନୂତନ ମୁଦ୍ରଣ – ୨୦୦୧

 

ସେମାନେ ଥିଲେ ଭିନ୍ନ ପ୍ରକୃତିର । ମଝିଆ ଭାଇ ଦ୍ଵାରିକାନାଥ ଆଚାର୍ଯ୍ୟ ମୋକ୍ତାର ଓ ସାନଭାଇ ଚନ୍ଦ୍ରମୋହନ ଆଚାର୍ଯ୍ୟ ଥିଲେ ଜଣେ ଡାକ୍ତର । ପ୍ୟାରୀମୋହନଙ୍କ ସହ ଦୁଇଭାଇଙ୍କ ସଂପର୍କ ଭଲ ନ ଥିଲା । ଯୌବନ ଅବସ୍ଥାରେ ତାଙ୍କର ପତ୍ନୀ ବିୟୋଗ ତାଙ୍କୁ ଦାରୁଣ ଆଘାତ ଦେଇଥିଲା । ଦ୍ୱିତୀୟ ବିବାହ ପାଇଁ ସେ ଆଦୌ ସମ୍ମତ ହୋଇ ନ ଥିଲେ । କିନ୍ତୁ ତାଙ୍କର ଘନିଷ୍ଠ ଓ ପରିବାରର ଦାବିକୁ ପରବର୍ତ୍ତୀ ସମୟରେ ଗ୍ରହଣ କରିନେଇଥିଲେ । ପ୍ୟାରୀମୋହନଙ୍କ ଦ୍ୱିତୀୟ ବିବାହ ସଂପନ୍ନ ହୋଇଥିଲା ସାଲେପୁର ଥାନାର ଅସୁରେଶ୍ୱର ନିକଟସ୍ଥ ଦୀକ୍ଷିତପଡ଼ାର ଚକ୍ରବର୍ତ୍ତୀ ପରିବାରରେ । ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ନାମ ଚନ୍ଦ୍ରମୋହିନୀ ଦିବ୍ୟା । ପ୍ୟାରୀମୋହନଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ଚନ୍ଦ୍ରମୋହିନୀଙ୍କ ଗର୍ଭରୁ ପୁତ୍ର ସନ୍ତାନଟିଏ ଜାତ ହୋଇଥିଲା । ସେହି ପୁତ୍ର ଯତୀନ ମୋହନ ଆଚାର୍ଯ୍ୟ ନାମରେ ସୁପରିଚିତ । ଯତୀନ ମୋହନ କଟକ କୋର୍ଟରେ ପ୍ରଥମ ମୁନ୍‌ସଫ୍‌ଙ୍କର ସିରସ୍ତାଦାର ଭାବେ କାର୍ଯ୍ୟ କରୁଥିଲେ । ସେ ଚାକିରୀରୁ ଅବସର ନେଇଥିଲେ ୧୯୦୮ ମସିହାରେ । ଯତୀନ ମୋହନ ଥିଲେ ଜଣେ ପୁତ୍ର ସନ୍ତାନର ଜନକ । ପ୍ୟାରୀମୋହନଙ୍କ ଦିତୀୟ ପତ୍ନୀ ଚନ୍ଦ୍ରମୋହିନୀ ବୃଦ୍ଧା ବୟସରେ ପେଟମରା ରୋଗରେ ପୀଡ଼ିତ ହୋଇପଡ଼ିଥିଲେ । ଏହି ରୋଗରେ କଟକ ଗଙ୍ଗାମନ୍ଦିରସ୍ଥ ବାସଭବନରେ ପ୍ରାଣତ୍ୟାଗ କରିଥିଲେ । ତାଙ୍କୁ ସେତେବେଳେକୁ ୮୭ ବର୍ଷ ବୟସ ହୋଇଥିଲା ।

 

ଶେଷ ଅଧ୍ୟାୟ

୧୮୮୧ ମସିହା ଡିସେମ୍ବର ମାସ ୨୨ ତାରିଖ । ପ୍ରବଳ ଶୀତର ପ୍ରକୋପ । ପ୍ୟାରୀମୋହନ ଡମପଡ଼ା ରାଜାଙ୍କ ସହିତ ଶିକାର କରିବାକୁ ଘନଜଙ୍ଗଲ ଭିତରକୁ ଯାଇଥିଲେ । ବନାନୀ ଭିତରେ ଥିବା ସୁନ୍ଦର ଝରଣାଟି ଦେଖି ମୁଗ୍ଧ ହେଲେ ପ୍ୟାରୀମୋହନ । କାଚ ପରି ସ୍ୱଚ୍ଛ ଝରଣାଜଳ । ପ୍ରକୃତି ପ୍ରେମୀ ପ୍ୟାରୀମୋହନ ସେହି ଝରଣାଜଳରେ ସ୍ନାନ କରିବା ପାଇଁ ଇଚ୍ଛା ପ୍ରକଟ କରନ୍ତେ ସାଙ୍ଗରେ ଥିବା ସାଥୀମାନେ ବାରଣ କଲେ । ସେହି ଝରଣାରେ କେହି ସ୍ନାନ କରନ୍ତି ନାହିଁ । ଘନ ଜଙ୍ଗଲ ପୁଣି ଶୀତ ଦିନ । ଝରଣା ପାଣିରେ ଟିକେ ବି ସୂର୍ଯ୍ୟକିରଣ ପଡ଼ୁ ନଥାଏ । ସମସ୍ତ ବାରଣ ସତ୍ତ୍ୱେ ପ୍ୟାରୀମୋହନ ସେହି ଝରଣା ଜଳରେ ସ୍ନାନ କଲେ । ପରଦିନ ଅର୍ଥାତ୍ ଡିସେମ୍ବର ୨୩ ତାରିଖ ଶନିବାର ଦିନ ପ୍ରବଳ ଜ୍ଵର ରୋଗରେ ଆକ୍ରାନ୍ତ ହୋଇ ପଡ଼ିଲେ । ବାଧ୍ୟ ହୋଇ କଟକ ସ୍ଵଗୃହକୁ ସେ ଚାଲି ଆସିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କଲେ ମଧ୍ୟକିଛି ଫଳ ହେଲା ନାହିଁ । କଟକରେ ପହଞ୍ଚିଲା ପରେ ଆତ୍ମୀୟ, ପରମ ଆତ୍ମୀୟ, ସାଥୀ, ସହୋଦରମାନେ ଏହି ସମ୍ବାଦ ପାଇ ତାଙ୍କ ଘରେ ସମ୍ମିଳିତ ହେଲେ ।

 

ଅସୁସ୍ଥ ସମ୍ବାଦ ପାଇ ଭକ୍ତ କବି ମଧୁସୂଦନ ପ୍ୟାରୀମୋହନ ନିକଟରେ ପ୍ରଥମେ ପହଞ୍ଚିଲେ । ସେଦିନର ଏହି ଘଟଣା ସଂପର୍କରେ ତାଙ୍କ ଜୀବନୀ ଲେଖକ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଯଥାର୍ଥରେ ଲେଖିଛନ୍ତି - ‘କଟକ ବସାରେ ଉପସ୍ଥିତ ହେଲାକ୍ଷଣି ସମ୍ବାଦ ପାଇ ସର୍ବପ୍ରଥମେ ଏକାତ୍ମା ମଧୁସୂଦନ ଉପସ୍ଥିତ ହୋଇଥିଲେ । ତାଙ୍କୁ ଦେଖିଲାକ୍ଷଣି “ତୁମେ ଆସିଛ ?” କହି ମସ୍ତକରେ ହସ୍ତ ବୁଲାଇ ତତ୍‌କ୍ଷଣାତ୍ ଗମ୍ଭୀର ମୂର୍ତ୍ତି ଧାରଣ କଲେ ଏବଂ ପଛେ ପଛେ କେତୋଟି ଅଶ୍ରୁ ବିନ୍ଦୁ ତାଙ୍କ ଚକ୍ଷୁ ଦ୍ୱୟରେ ଦେଖା ହେଲା । ମଧୁସୂଦନ ଅହର୍ନିଶ ସେହିଠାରେ ରହି ତାଙ୍କର ସେବା ଶୁଶ୍ରୁଷା କରିବାକୁ ଲାଗିଲେ । କିନ୍ତୁ ଯାହାଙ୍କର ଚିକିତ୍ସା ପ୍ରତି ନିତାନ୍ତ ଅନାସ୍ଥା ଏବଂ ଔଷଧ ପ୍ରତି ନିଷେଧ, ତାଙ୍କ ଦେହରେ ଏସବୁ କୃତ୍ରିମତା ଦ୍ଵାରାକି ଫଳ ହେବ ? ବୋଧହୁଏ, ସେ ପୁଣ୍ୟଧାମକୁ ଯିବାକୁ ପ୍ରସ୍ତୁତ ହେଉଥିବାରୁ ଆଉ ଇହଧାମରେ ଆବଦ୍ଧ ହୋଇ ରହିବାକୁ ଭଲ ପାଉଥିଲେ । (୩)

 

ପ୍ୟାରୀମୋହନଙ୍କ ଜୀବନ ଥିଲା ଏକ ମହାନ୍ ବିପ୍ଳବୀର ଜୀବନ । ତାଙ୍କର ବିପ୍ଳବ ଥିଲା ମାନବିକ ମୁକ୍ତି ପାଇଁ । ଜାତୀୟ ସ୍ୱାର୍ଥକୁ ସୁରକ୍ଷା କରିବାରେ ଜୀବନବ୍ୟାପୀ ଉଦ୍ୟମ କରିଥିବା ପ୍ୟାରୀମୋହନଙ୍କ ଜୀବନ ଥିଲା ବାସ୍ତବିକ ଅସାଧାରଣ । ତାଙ୍କ ମୃତ୍ୟୁ ସମୟରେ ଏହା ପ୍ରମାଣିତ ହୋଇଛି –“ମୃତ୍ୟୁର ପୂର୍ବମୁହୂର୍ତ୍ତ ପର୍ଯ୍ୟନ୍ତ ପ୍ୟାରୀମୋହନ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ । ମଝିରେ ମଝିରେ କାହା ମୁଣ୍ଡରେ ଟିକିଏ ହାତ ବୁଲେଇ ଦେବା, କାହାର ହାତ ଦୁଇଟି ନିଜ ହାତରେ ନେଇ କିଛି କ୍ଷଣ ନୀରବ ରହିବା, ଅନ୍ତରଙ୍ଗ ବନ୍ଧୁ କାହାକୁ ପାଇଲେ ମଧ୍ୟେ ମଧ୍ୟେ ଉର୍ଦ୍ଧ୍ୱମୁଖରେ ପ୍ରାର୍ଥନା ମଧ୍ୟ ଚାଲିଥିଲା । ମୃତ୍ୟୁର ଅବ୍ୟବହିତ ପୂର୍ବରୁ ତାଙ୍କ ମୁଖମଣ୍ଡଳ ଅପୂର୍ବ ଜ୍ୟୋତିରେ ଉଦ୍ଭାସିତ ହୋଇ ଉଠିଲା, ପର ମୁହୂର୍ତ୍ତରେ ବୈଦ୍ୟୁତିକ ଆଲୋକର ନିର୍ବାଣ ଭଳି ହଠାତ୍ ସବୁଆଡ଼େ ଅନ୍ଧକାର କରି ସେ ଚାଲିଗଲେ । ୧୮୮୧ ଖ୍ରୀଷ୍ଟାବ୍ଦ ଡିସେମ୍ବର ୨୮ ତାରିଖ ବୃହସ୍ପତିବାର ପୂର୍ବାହ୍ନ ନଅ ଘଟିକା ସମୟରେ ମାତ୍ର ୩୦ ବର୍ଷ ବୟସରେ ତାଙ୍କର ଏହି ଅକାଳ ମହାପ୍ରୟାଣ ଘଟିଲା ।” (୩୭) ।

 

କଟକ ଠାରେ ୨୮ ଡିସେମ୍ବର ୧୮୮୧ ଗୁରୁବାର ସକାଳ ନଅ ଘଟିକାରେ ପ୍ୟାରୀମୋହନ ଦେହାନ୍ତ ହୋଇଥିବା ସମ୍ବାଦ ପ୍ରଚାରିତ ହୋଇଗଲା । ଦୁଃଖ ଓ ଶୋକରେ ଭାଙ୍ଗିପଡ଼ିଲେ ଦେଶ ଓ ଜାତିପ୍ରେମୀ ମଣିଷମାନେ । ତାଙ୍କ ବାସଗୃହରେ ଶୋକାକୁଳ ଜନତାଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଲା । ଏକ ମହାନ୍‌ ବ୍ୟକ୍ତିଙ୍କ ପରଲୋକ ସମ୍ବାଦକୁ ହଠାତ୍ କେହି ବିଶ୍ୱାସ କରିପାରିଲେନି । ଜଣେ ଆଜୀବନ ବିପ୍ଳବୀ କ’ଣ ପରାଜୟ ବରଣ କରିପାରନ୍ତି ? ସ୍ୱାଭିମାନ ଓ ଜାତୀୟ ସ୍ୱାର୍ଥରକ୍ଷା କ୍ଷେତ୍ରରେ ଅହରହ ସଂଗ୍ରାମ କରି ବିଜୟର ବାନା ଉଡ଼ାଉଥିବା ମହାସଂଗ୍ରାମୀ କଣ ଏତେ କମ୍ ବୟସରେ ଜୀବନ ତ୍ୟାଗ କରିପାରନ୍ତି ?” ସବୁ ବିଶ୍ୱାସ ସବୁ ସତ୍ୟକୁ ଅସ୍ୱୀକାର କରି ପ୍ୟାରୀମୋହନ ତାଙ୍କ ପ୍ରିୟ ମାଟିରୁ ଚିରକାଳ ପାଇଁ ବିଦାୟ ନେଲେ । ଏକ ସଂଗ୍ରାମର- ବିପ୍ଳବର ଶେଷ ହେଲା । ପ୍ୟାରୀମୋହନଙ୍କ ଦେହାନ୍ତରେ ଓଡ଼ିଆ ଜାତୀୟ ଜୀବନର ଅପୂରଣୀୟ କ୍ଷତି ସାଧିତ ହେଲା । ତତ୍‌କାଳୀନ ଓଡ଼ିଶାର ଜାତୀୟ ସମ୍ବାଦ ପତ୍ର ’ଉତ୍କଳଦୀପିକା’ ପ୍ୟାରୀମୋହନଙ୍କ ପରଲୋକ ସମ୍ବାଦ ଅତି ଦୁଃଖର ସହ ପ୍ରକାଶ କରି ଲେଖିଥିଲେ –
 

“ଆମ୍ଭେମାନେ ଅତ୍ୟନ୍ତ ଦୁଃଖର ସହିତ ଏ ସଂବାଦ ଲେଖିବାକୁ ବାଧ୍ୟ ହୋଇଅଛୁ । ଏମନ୍ତ ଶୋକବହ ସଂବାଦ ଏତେ ଶୀଘ୍ର ଆମ୍ଭମାନଙ୍କୁ ଲେଖିବାକୁ ପଡ଼ିବ ଏହା ସ୍ୱପ୍ନର ଅଗୋଚର ଥିଲା କିନ୍ତୁ ଦୈବୀ ଘଟଣାକୁ ଆୟତ୍ତ କାହାର । ବାବୁ ପ୍ୟାରୀମୋହନ ଆଚାର୍ଯ୍ୟ ଡୋମପଡ଼ା ମୁକାମରେ

 

(୩୬)

ବ୍ରହ୍ମଜ୍ଞ ମଧୁସୂଦନ–ପଣ୍ଡିତ ମୃତ୍ୟୁଞ୍ଜୟ ରଥ - ସୃଷ୍ଟି ଓ ସମୀକ୍ଷା - ପୃ. ୮୧/୮୨

(୩୭)

ଭକ୍ତକବି ମଧୁସୂଦନ ରାଓ ଓ ଉତ୍କଳରେ ନବଯୁଗ ଶ୍ରୀମତୀ ଅବନ୍ତୀ ଦେବୀ - ପୂ. ୨୧୬/୨୧୭

 

ଆଠଦଶଦିନ ଜ୍ଵର ଭୋଗ କରି ଆରୋଗ୍ୟ ଲାଭ ନିମିତ୍ତ ଗତ ଶନିବାର ଏ ନଗରସ୍ଥ ଆପଣା ଘରଠାକୁ ଆସିଥିଲେ ଏବଂ ତାହାଙ୍କର ପୀଡ଼ା ପ୍ରକାଶ୍ୟରେ କଠିନ ବୋଧ ହେଉ ନଥିବାରୁ ତହିଁର ସଂବାଦ ଅତ୍ୟଳ୍ପ ଲୋକ ପାଇଥିଲେ ଓ ତାହାଙ୍କ ଚିକିତ୍ସାଘରେ ହେଉଥିଲା । ଗତ ଗୁରୁବାର ପ୍ରାତଃ କାଳରେ ତାଙ୍କ ମୃତ୍ୟୁ ସମ୍ବାଦ ଏମନ୍ତ ଆଶ୍ଚର୍ଯ୍ୟରୂପରେ ରଟନା ହେଲାକି ଯେଉଁମାନେ ପୂର୍ବ ରାତ୍ରିରେ ତାହାଙ୍କ ସଙ୍ଗେ କଥାବାର୍ତ୍ତା କରିଥିଲେ ସେମାନେ ସୁଦ୍ଧା ତଟସ୍ଥ ହେଲେ । ତାହାଙ୍କୁ ଚୋରା ସନ୍ନିପାତ ଧରିବା ଓ ଚିକିତ୍ସକମାନେ ତାହା ଉଠାଇ ନ ପାରିବାରେ ଆମ୍ଭେମାନେ ଅନୁମାନ କରୁ । ଯାହାହେଉ ତହିଁର ବିଚାର ଅନାବଶ୍ୟକ । ଓଡ଼ିଶା ଅତ୍ୟନ୍ତ ହତଭାଗିନୀ ଯେ ପ୍ୟାରୀବାବୁଙ୍କ ପରି ପୁତ୍ରକୁ ଅକାଳେ ହରାଇଲା । ଏହାଙ୍କ ବୟସ କେବଳ ୩୦ ବର୍ଷ ଥିଲା ଏବଂ ଏହି ଅଳ୍ପକାଳ ମଧ୍ୟରେ ସେ ଯେମନ୍ତ କାର୍ଯ୍ୟକଳାପଦ୍ୱାରା ଆପଣଙ୍କୁ ଓଡ଼ିଶା ଓ ଦକ୍ଷିଣରେ ପରିଚିତ କରାଇଅଛନ୍ତି-। ସେ ସମସ୍ତ ଏହି ପତ୍ରିକାର ପାଠକମାନେ ବିଲକ୍ଷଣ ସ୍ମରଣ ରଖିଥିବେ ବାହୁଲ୍ୟ ବର୍ଣ୍ଣନାର ପ୍ରୟୋଜନ ନାହିଁ । ସେ କେବଳ ବକ୍ତୃତା ଦ୍ଵାରା ନୁହେଁ ମାତ୍ର କାର୍ଯ୍ୟଦ୍ୱାରା ଓଡ଼ିଶାର ଜଣେ ପରମବନ୍ଧୁ ବୋଲି ଜଣାଯାଇଅଛନ୍ତି ଏବଂ ଏତେବେଳ ପର୍ଯ୍ୟନ୍ତ ତାହାଙ୍କର ସ୍ଥାପିତ ବିଦ୍ୟାଳୟଟି ବିଦ୍ୟମାନ ରହି ତାହାଙ୍କର ମହତ୍ୱ ସ୍ୱଦେଶାନୁରାଗ ଉଦାରିତା ଏବଂ ମନୁଷ୍ୟତା ସାକ୍ଷ୍ୟ ଦେଉଅଛି । କେତେ ଦୁଃଖି ବାଳକ ଏଥିରେ ବିଦ୍ୟା ଲାଭ କରୁଥିଲେ ସେମାନଙ୍କର ଦଶା ଭାବିବାବେଳକୁ ହୃଦୟବିଦୀର୍ଣ୍ଣ ହେଉଅଛି । ଓଡ଼ିଶାର ଜଣେ ସାମାନ୍ୟ ବେତନଭୋଗୀ ଲୋକ ଏତେ ମହତ ଅନୁଷ୍ଠାନର ବ୍ରତୀ ହୋଇଥିଲେକି ଯାହା ବଡ଼ ବଡ଼ ରାଜା, ଜମିଦାରଙ୍କ ଠାରେ ଦେଖାଯାଇନାହିଁ । ପ୍ୟାରୀବାବୁ ଯେମନ୍ତ ସୁଶିକ୍ଷିତ ହୋଇ ସ୍ୱାଧୀନତା ଓ ଧର୍ମକୁ ଅବଲମ୍ବନ କରି ଚଳୁଥିଲେ ତହିଁରେ ଆମ୍ଭମାନଙ୍କର ବିଶ୍ୱାସ ଥିଲା ଯେ ଭବିଷ୍ୟତରେ ତାହାଙ୍କଦ୍ୱାରା ଓଡ଼ିଶାର ଅନେକ କାର୍ଯ୍ୟ ହୁଅନ୍ତା । ବର୍ତ୍ତମାନ ସେ ଆଶା ବିଫଳ ହେଲା । ପରମେଶ୍ୱର ଯେମନ୍ତ ଅକାଳରେ ତାହାଙ୍କୁ ଏ ପୃଥିବୀରୁ ଘେନିଗଲେ ତେମନ୍ତ ତାହାଙ୍କୁ ସ୍ୱର୍ଗୀୟ ସୁଖଦାନ କରନ୍ତୁ ଏବଂ ତାହାଙ୍କ ବୃଦ୍ଧ ପିତାମାତା ଏବଂ ଅଳ୍ପ ବୟସ୍କା ପତ୍ନୀଙ୍କୁ ଏହି ଅସହଣୀୟ ଶୋକକୁ ଶାନ୍ତ ରୂପେ ବହନ କରିବାକୁ ବଳୀୟାନ କରନ୍ତୁ ଏହି ମାତ୍ର ଆମ୍ଭମାନଙ୍କ ପ୍ରାର୍ଥନା ।(୩୮)

 

(୩୮)

ଉତ୍କଳ ଦୀପିକା- ୩୧ ଡିସେମ୍ବର ୧୮୮୧- ପୃଷ୍ଠା- ୨୦୬/୨୦୭

 

ଦେବାତ୍ମା ପ୍ୟାରୀମୋହନଙ୍କ ବିୟୋଗରେ ଶୋକାଭିଭୂତ ଭକ୍ତକବି ମଧୁସୂଦନ ତାଙ୍କର ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ଯେଉଁ ସ୍ୱତଃସ୍ଫୁର୍ତ୍ତ କବିତାଟି ରଚନା କରିଥିଲେ ତାହା ଥିଲା ମର୍ମସ୍ପର୍ଶୀ-

 

“ସଂସାର ସାଗର ପାରେ ପୁଣ୍ୟାନନ୍ଦମୟ

 

ପରଲୋକ-ଧାମେ ସଖା ଅଛ ଦେବ ଦଳେ ।

ଭୀମଭବ-ସିନ୍ଧୁ-କୂଳେ ବ୍ୟାକୁଳ ଅଥୟ

 

ଏକାକୀ ଭାସୁଛି ମୁହିଁ ଶୋକ ଅଶ୍ରୁ ଜଳେ ।

ସେ ସିଂହ-ବିକ୍ରାନ୍ତ ତବ ପୁରୁଷ ହୃଦୟ

 

ଦିବାନିଶି ଦୀପ୍ତ ପୁଣ୍ୟ ଉତ୍ସାହ ଅନଳେ ।

ଦୟା ସ୍ନେହେ ବିଚଳିତ ସେତବ ଆଶ୍ରୟ

 

ସୁନ୍ଦର ମିଳନ ଆହା କଠୋର କୋମଳେ ।

ବ୍ରହ୍ମପାଦ ପଦ୍ମ ତଳେ ସେ ଅମୃତ ଧାମେ

 

ହୋଇଥିବ ତାହା ଆହାକି ରୁଚିର ତର ।

ଚିନ୍ମୟ ନୟନୁତବ ସେ ଚିନ୍ମୟ ଧାମେ

 

ଝରୁଥିବ ଆହାକି ବା ପ୍ରେମର ନିର୍ଝର !

ବ୍ୟଥିତ ତୃଷିତ ମୁଁ ଏ ସଂସାର–ସଂଗ୍ରାମେ

 

ଦେବ କିହେ ଦିନେ, ସଖା, ବିନ୍ଦୁ ସେ ପ୍ରେମର ?” (୩୯)

 

(୩୯)

ଓଡ଼ିଶାର ଇତିହାସ - ପ୍ୟାରୀମୋହନ ଆଚାର୍ଯ୍ୟ - ନୂତନ ମୁଦ୍ରଣ - ୨୦୦୧ - ପୃଷ୍ଠା - ୨୭

 

ଆଚାର୍ଯ୍ୟ ପ୍ୟାରୀମୋହନ–୧୮୫୧-୧୮୮୧ - ଆୟୁ ମାତ୍ର ତିରିଶ ବର୍ଷ । ଜୀବନର ପ୍ରତିଟି ମୁହୂର୍ତ୍ତ ଜାତୀୟ ଜୀବନ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଶିକ୍ଷା ଇତିହାସର ବିକାଶର ଯେପରି ସମର୍ପିତ ହୋଇଥିଲା ଆମ ଇତିହାସରେ ତାହାର ତୁଳନା ନାହିଁ । ତ୍ୟାଗଦୀପ୍ତ, ସ୍ଵାଭିମାନୀ, ଜାତୀୟ ବୀର ପ୍ୟାରୀମୋହନ ଓଡ଼ିଆ ଜାତିର ଗର୍ବ ଗୌରବର ପ୍ରତୀକ । ବାସ୍ତବରେ ସେ ଉତ୍କଳମାତାର ସୁଯୋଗ୍ୟ ସନ୍ତାନ, ଉତ୍କଳପୁତ୍ର–ପ୍ୟାରୀମୋହନ ଆଚାର୍ଯ୍ୟ ।

 

 

ଯଶୁଆପୁର,

ମାହାଙ୍ଗା, କଟକ

 

***

 

ଏକାଡେମୀ ସମାଚାର

ଆମର ବିନମ୍ର ଶ୍ରଦ୍ଧାଞ୍ଜଳି

କବି ଡକ୍ଟର ବିନୋଦ ଚନ୍ଦ୍ର ନାୟକଙ୍କୁ –

 

ଡକ୍ଟର ବିନୋଦ ଚନ୍ଦ୍ର ନାୟକ

ଜନ୍ମ - ନଭେମ୍ବର ୫, ୧୯୧୯

 

ତିରୋଧାନ - ୧୮.୧୧.୨୦୦୩

 

ଜନ୍ମସ୍ଥାନ - ତେଲିପାଲି, ସୁନ୍ଦରଗଡ଼ ।

 

ସୃଷ୍ଟିସମ୍ଭାର

ହେମନ୍ତୀ-୧୯୩୩, ନୀଳଚନ୍ଦ୍ରର ଉପତ୍ୟକା-୧୯୫୧, ସାତ ତାରାର ଦୀପ-୧୯୫୫, ନନ୍ଦା ଦେବୀ-୧୯୬୧, ଇଳାବୃତ୍ତ- ୧୯୬୮, ସରୀସୃପ-୧୯୭୦, ପୋହଳା ଦ୍ୱୀପର ଉପକଥା- ୧୯୭୩, ଅନ୍ୟ ଏକ ଅସରପି-୧୯୭୮, ରାଜକୀୟ ନିଃସଙ୍ଗତା- ୧୯୮୭, ଉଲଂଘରୁଦ୍ର - ୨୦୦୧, କବିତା ପରମେଶ୍ୱରୀ (ସମାଲୋଚନା ଗ୍ରନ୍ଥ)-୨୦୦୨ ।

 

ଉପାଧି ଓ ସମ୍ମାନ

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତି–୧୯୭୧

 

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ମାନସୂଚକ ଡକ୍ଟରେଟ ଓ ଡିଲିଟ୍ ଉପାଧାପ୍ତି ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ସର୍ବୋଚ୍ଚ ସମ୍ମାନ-ଅତିବଡ଼ୀ ଜଗନ୍ନାଥଦାସ ସମ୍ମାନ ପ୍ରାପ୍ତି ।

 

ସାଂସ୍କୃତିକ ଓ ଜାତୀୟ

ଶିକ୍ଷାବିତ୍ ଓ ଶିକ୍ଷାପ୍ରଶାସକ ଜୀବନ - ୧୯୫୫ରୁ ୮୫

ଦାୟବଦ୍ଧତା

ସଂପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ - ୧୯୬୮ରୁ ୭୩

 

ଉପସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ

 

କାର୍ଯ୍ୟନିର୍ବାହୀ ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ

 

ପୁଲକବାଦୀ ଭାବୁକତା, ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ସହିତ କଳ୍ପନାପ୍ରବଣ ପ୍ରକରଣର ଅପୂର୍ବ ସମନ୍ୱୟଧର୍ମ ସୃଜନପଣ, ପଲ୍ଲୀପ୍ରାଣତା, ଉତ୍ତରିତ ଜୀବନବୋଧ ଏବଂ ମୁକ୍ତଜୀବନର ସୌନ୍ଦର୍ଯ୍ୟବାଦୀ ଉଚ୍ଚାରଣ ଇତ୍ୟାଦିକୁ ଆଧାର କରି ଆଧୁନିକ ଓଡ଼ିଆ କବିତାର କ୍ରମୋନ୍ନତିରେ ବିନୋଦଚନ୍ଦ୍ରଙ୍କ କାରୟତ୍ରୀ ପ୍ରତିଭାପଣ ଏକ ସମାହିତଚେତାର କଳାଜଗତ ସୃଷ୍ଟି କରିପାରିଛି । ସୌନ୍ଦର୍ଯ୍ୟାନୁଭୂତି, ରୂପାନ୍ୱେଷୀ ଆବେଗପ୍ରବଣତା, ଭୌଗୋଳିକ ଦୃଶ୍ୟମାନ ପ୍ରକୃତିର ରସୋଚିତ ବିଭାବନ ଓ ମୁକ୍ତମନର ସ୍ଵଚ୍ଛନ୍ଦ ଭାବୁକତା ମଧ୍ୟରେ ଜୀବନ, ପ୍ରକୃତି, ଈଶ୍ୱର, ସ୍ଵପ୍ନ ଓ ଅଭିଳାଷ ଆଦିକୁ ରୂପାୟନ କରିବା ତାଙ୍କ କବିତା କଳାର ପରମ ଧ୍ୟେୟସତ୍ତା ଓ ବୈଶିଷ୍ଟ୍ୟ । ଧୁଳିମାଟିର ଧୂସର ଉପଲବ୍ଧିମାନଙ୍କ ପ୍ରତି ପ୍ରତିକ୍ରିୟାଶୀଳ ହୋଇ ଆବେଗସିକ୍ତ ବିଷଣ୍ଣତା ମଧ୍ୟରେ ସୌନ୍ଦର୍ଯ୍ୟ ଓ ବିସ୍ମୟର ମିଶ୍ରରାଗ ଦେଇ ସୁଦୂରର ହିରଣ୍ମୟ ଅଭିଳାଷକୁ ଉଜ୍ଜୀବିତ କରାଇବାର ଏକ ବିଚିତ୍ର ଭାବୁକବତ୍ତାର ସ୍ଵର ତାଙ୍କ କବିତା ସଂସାର ମଧ୍ୟରେ ସାର୍ଥକତାର ସହିତ ଅନୁରଣିତ ହୋଇଉଠିଛି । ହୈମନ୍ତୀ ଠାରୁ ଉଲଙ୍ଘରୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ନାନ୍ଦନିକ କବିତା-କଳାର ପରିଧି ସର୍ବତ୍ର ଭାଷା, ଭଙ୍ଗୀ, ଉଚ୍ଚାରଣ ଓ ଆବେଦନରେ ସଙ୍ଗୀତିକ ଛନ୍ଦନିପୁଣ ସର୍ଜନସାମର୍ଥ୍ୟର ପରିଚୟ ଦେଇପାରିଛି । କୌଣସି ବାଦସର୍ବ କବିତା ରଚନାର ଧାରା ସହିତ ନିଜର ସ୍ଵଳ୍ପସତ୍ତାକୁ ସଂଯୁକ୍ତ ନକରି କବି ବିନୋଦ ଚନ୍ଦ୍ର ବାସ୍ତବତାକୁ ଅତି କଳ୍ପନାଦ୍ୟୋତିକ ବ୍ୟୁତ୍ପତ୍ତି ଓ ଚମତ୍କାରିତା ମଧ୍ୟରେ ପାଠକୀୟ ସଂପ୍ରୀତିଭାଜନ କରିବାରେ ଏକ ଅନାସ୍ୱାଦିତପୂର୍ବ ସାଫଲ୍ୟ । ପ୍ରଦର୍ଶନ କରିଛନ୍ତି ।

 

ତାଙ୍କ କବିତାବୃତ୍ତ ମଧ୍ୟରେ ଅନୁପ୍ରବେଶ କରିବା ମାତ୍ରକେ ସହୃଦୟ ମନରେ ବିମୁକ୍ତ ପ୍ରାଣସ୍ପନ୍ଦନର ନିର୍ମଳ ଜୀବନଟିକ ବଞ୍ଚିବାର ଅଭିଳାଷ ଉନ୍ମୁଖ ହୋଇଉଠେ । ‘ଗ୍ରାମପଥ’, ‘ରୂପାଥାଳି ସୁନାଗିନା’, ‘ଝଡ଼ରପକ୍ଷୀ’, ‘ଇଳାବୃତ୍ତ’ ପ୍ରତ୍ୟୟ କପୋତ ଓ ମୁଁ ଆସୁଛି ଆଦି ବହୁଚର୍ଚ୍ଚିତ କବିତାଗୁଡ଼ିକ ଅନ୍ତଃସୌନ୍ଦର୍ଯ୍ୟ ସହିତ ପାଠକର ରସାହ୍ଲାଦପିପାସୁ ମନୋବୃତ୍ତି ସମୀଭୂତ ହେବା ସମୟରେ ଗୋଟିଏ ଆବେଦନ ସତ୍ୟସ୍ୱରୂପ ବର୍ତ୍ତମାନ ହୋଇଉଠେ ଯେ- କବି ନାୟକଙ୍କ କାବ୍ୟପୁରୁଷ ଅନ୍ତଃଲୀନ ଆବେଗର ଜିଜ୍ଞାସା ସହିତ ଏକ ଆଲୋକିତ ଇଚ୍ଛାବୃତ୍ତିର ଉତ୍ତରଣବୋଧଙ୍କୁ ଚମତ୍କାର ସୃଜନାନୁଭବ ମଧ୍ୟରେ ପ୍ରସାରିତ କରିଦେଇଛନ୍ତି । କବି ସମଗ୍ର କାବ୍ୟ-କଳ୍ପଲୋକ ଭିତରେ ପ୍ରକୃତି ସହିତ କଳ୍ପନାକୁ ଏକାତ୍ମୀଭୂତ କରିନେଇ କବିତା କଳାକୁ ଭାବୁକ କରାଇ ଆତ୍ମତଲ୍ଲୀନ ସମ୍ବେଦ୍ୟ ଭାବରେ ପରିଭାଷିତ କରିଦେଇଛନ୍ତି । ତାଙ୍କର ପ୍ରାରମ୍ଭିକ କାବ୍ୟଧାରାରେ (ହୈମନ୍ତୀ, ନୀଳଚନ୍ଦ୍ରର ଉପତ୍ୟକା, ସାତତାରାର ଦୀପ, ନନ୍ଦାଦେବୀ) ଏକ ଅଶରୀରୀ କଳ୍ପଚାରୀ ପ୍ରଣୟପିପାସୁ ରସିକସତ୍ତାର ଶବଳତା ବିଚିତ୍ରବର୍ଣ୍ଣା ହୋଇଉଠିଛି । ଏସବୁ କବିତା ସଂକଳନର ଭାବବାରିଧି ଗର୍ଭରେ ପାଠକ ଏକ ବ୍ୟଥିତ–ଆତ୍ମବିଷଣ୍ଣ–ଅଚରିତାର୍ଥ ଅଭିଳାଷମଗ୍ନ ପ୍ରଣୟୀର ପ୍ରଶ୍ନାଳୁ ହୃଦୟବତ୍ତାକୁ ଉତ୍ତରଳ ଭାବାବ୍ୟେ ମଧ୍ୟରେ ହିରଣ୍ମୟ ତରଙ୍ଗରେ ସଞ୍ଚରିତ ହୋଇଯାଇଥିବାର ଲକ୍ଷ୍ୟ କରିଥାଏ ।

 

ବିନୋଦ କାବ୍ୟକଳ୍ପନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାଠକବର୍ଗଙ୍କୁ ଧୂସର ଜୀବନର ବେଦନାସିକ୍ତ କଥା କହି ଗୁରୁ ବୁଦ୍ଧିବାଦିତାର ଆବେଦନ ଧର୍ମରେ ଭାରାକ୍ରାନ୍ତ ନକରି ବରଂ ଏକ ଅନୋଚାରିତପୂର୍ବ, ଅନୋପଶକ୍ଳପୂର୍ବ ବିନୋଦନ ସର୍ବସ୍ ପ୍ରଶସ୍ତି ପ୍ରଦାନ କରିବା । ତେଣୁ ତାଙ୍କ କବିତା ହେଉଛି ଇନ୍ଦ୍ରିୟ -ଦୃଶ୍ୟମାନ ବ୍ୟଥା-ବେଦନା-ବିଶାଦ ଆଦି ଚିତ୍ରରୂପ ଦେଇ ଏକ ବ୍ୟଥାମୁକ୍ତିର ଆସ୍ୱାଦମୟ ଭାବାନ୍ତର, ଯାହା ଭାବବିହ୍ୱଳ ରସୋପଲବ୍ଧିରେ କବିତାର ନୂତନ ସଂଜ୍ଞାଟିଏ ନିରୂପଣ କରେ, ତାହା ହେଉଛି–ହୃଦୟାବେଗର ଳହରୀତ ଉଚ୍ଚାରଣ ହିଁ କବିତା ଏବଂ ଧ୍ୱନିବୃତ୍ତରେ ତାହା ଅଦୃଶ୍ୟ ପରମେଶ୍ୱରୀ ପରି ଅତ୍ୟନ୍ତ ବେଗଗାମୀ ହୋଇ ପାଠକର ଅଭିବିତ ଚିତ୍ତବୃତ୍ତିଙ୍କୁ ଶୀତଳ ନାନ୍ଦନୀଙ୍କ ସ୍ପର୍ଶରେ ବେପଥୁବନ୍ତ କରିଦିଏ ।

 

ସ୍ଥୂଳତଃ ବିନୋଦଙ୍କ ପାଇଁ କବିତା ହେଉଛି ଆତ୍ମନିମଗ୍ନ ମଣିଷର ସ୍ଫୁରିତ ଆବେଗ । ସେ ପ୍ରଥମ ଓଡ଼ିଆ କବି ଯିଏକି ପ୍ରକୃତି, ସଂସ୍କୃତି, ଜୀବନ, ଈଶ୍ଵର, ଆକାଶ, ଧୂଳି, ନଦୀ, ପର୍ବତ, ସମୁଦ୍ର, ପକ୍ଷୀ ସମସ୍ତ ଦୃଶ୍ୟମାନ ବାସ୍ତବତାକୁ ନେଇ ଏକ ସ୍ୱୈରବାଦୀ ଆବେଗସିକ୍ତ ମାନସିକତା ମଧ୍ୟରେ ସେସବୁକୁ ପରିଖି ତାହାଙ୍କୁ କାଳ୍ପନିକ ରଙ୍ଗରେ ବର୍ଣ୍ଣାଢ଼୍ୟ କରି ନୂଆ ବାଗରେ, ନୂଆ ଶବ୍ଦଭଙ୍ଗୀରେ, ନୂଆ ଛନ୍ଦଚାତୁରୀରେ ହୃଦୟବିଳାସୀ ସୁମନସ୍ୟାଙ୍କ ପାଖରେ ଏକ ମାନସିକ ଚିତ୍ର ରୂପରେ ପରିବେଷଣ କରିଦେଇଛନ୍ତି । ସେଇ ଚିତ୍ରର ଗୋଟିଏ ପଙ୍‌କ୍ତି ଏଠାରେ ଉଦ୍ଧାରଯୋଗ୍ୟ ଯାହାକୁ ମନ ଭିତରେ ଗୁଣୁଗୁଣୁ କରିବା ମାତ୍ରକେ ଏହି ପ୍ରକାର ସତ୍ୟଟିଏ, ସିଦ୍ଧାନ୍ତଟିଏ ଆପେ ଆତ୍ମପ୍ରକାଶ କରେ ଯେ କବିଟିଏ ନିଜକୁ ନେଇଛି, ନିଜକୁ ବ୍ୟକ୍ତିଗତ ପରିଧିରୁ ମୁକ୍ତ କରିଛି ଏବଂ କିପରି ନିଜର ଅଭିଳାଷକୁ ସମୟୋତ୍ତର ଭାବକଳ୍ପଲୋକରେ ବିଚରଣ କରାଇ ଲକ୍ଷ ଲକ୍ଷ ବିବେକ ପ୍ରାଣୀଙ୍କର ମାନସରୋବରରେ ମିଶାଇ ଦେଇ ଜୀବନର ଉତ୍ତରଣ କାମନାଟିକୁ ଉଚ୍ଚାରଣ କରିଛି ..... ।

 

“ଭିକ୍ଷାଶୀ ପ୍ରାଣ ପୀଡ଼େ ମତେ ଅହରହ

ପାଥେୟ ବିହୀନ ପଥିକ ମୁଁ ମଣେ

ଯାତ୍ରା ଦୂରୁବହ,

ଖଇ ଓ ତୁଳାରେ ଶୁଭ କରି ତୋ ତନୁ

ରାମ ନାମ ସତ ମନ୍ତ୍ରେ ଚଳିବି

ତୋ ତୀର ଶ୍ମଶାନେ

କେବେ କହ କେବେ କହ ।’’

 

(ଗ୍ରାମପଥ)

 

ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ କର୍ମକର୍ତ୍ତା । ବିଶିଷ୍ଟ ସାହିତ୍ୟ ସାଧକ, ଯଶସ୍ୱୀ କବି ଡକ୍ଟର ବିନୋଦ ଚନ୍ଦ୍ର ନାୟକଙ୍କ ପରଲୋକରେ ଆମ୍ଭେମାନେ ଗଭୀର ଭାବେ ମର୍ମାହତ । ତାଙ୍କ ପବିତ୍ର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

ଓଡ଼ିଶା ସାହିତ୍ୟ ଏକାଡେମୀ

(ତଥ୍ୟ ଓ ବିବରଣୀ ଡଃ ସନ୍ତୋଷ କୁମାର ତ୍ରିପାଠୀଙ୍କ ସୌଜନ୍ୟରୁ)

 

***

 

ସାରସ୍ଵତ ଉତ୍ସବ

 

ଶ୍ରୀପାଦ ବଳଦେବ ବିଦ୍ୟାଭୂଷଣ ଜୟନ୍ତୀ (ତା୨/୧୧/୨୦୦୩)

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ରେମୁଣା ସାହିତ୍ୟ ସଂସଦଙ୍କ ମିଳିତ ଆନୁକୂଲ୍ୟରେ ଶ୍ରୀପାଦ ବଳଦେବ ବିଦ୍ୟାଭୂଷଣ ଜୟନ୍ତୀ ଅବସରରେ ତା ୨/୧୧/୨୦୦୩ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ବାଲେଶ୍ଵର ଜିଲ୍ଲାସ୍ଥ ରେମୁଣା ଉଚ୍ଚ ବିଦ୍ୟାଳୟଠାରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଉକ୍ତ ସାରସ୍ୱତ ସଭାରେ ଡକ୍ଟର ପ୍ରଫୁଲ ଚନ୍ଦ୍ର ମିଶ୍ର ସମ୍ମାନନୀୟ ଅତିଥି ଡକ୍ଟର ଗୋପାଳ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଓ ଡକ୍ଟର ଭାଗବତ ପ୍ରସାଦ ଦାସ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଶ୍ରୀପାଦ ବଳଦେବ ବିଦ୍ୟାଭୂଷଣଙ୍କ ସାରସ୍ଵତ ପ୍ରତିଭା ଓ ଦାର୍ଶନିକ ଚିନ୍ତାଧାରା ଉପରେ ଆଲୋଚନା କରିଥିଲେ ।

 

ଏକାଡେମୀ ସାଧାରଣ ପରିଷଦ ସଦସ୍ୟ ଡକ୍ଟର ଅରବିନ୍ଦ ଗିରି ଏହି ସଭାରେ ସଭାପତି ଆସନ ଅଳଙ୍କୃତ କରିଥିଲେ ।

 

ମାୟାଧର ମାନସିଂହ ଜୟନ୍ତୀ (ତା ୧୩/୧୧/୨୦୦୩)

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମାନସିଂହ ପାଠାଗାର, ନନ୍ଦଳାଙ୍କ ମିଳିତ ଆନୁକୂଲ୍ୟରେ କବି ମାୟାଧର ମାନସିଂହଙ୍କ ଜୟନ୍ତୀ ଅବସରରେ ଗତ ତା ୧୩/୧୧/୨୦୦୩ରିଖ ଅପରାହ୍ନ ୨ ଘଣ୍ଟା ସମୟରେ ନନ୍ଦଳାସ୍ଥିତ ମାୟାଧର ମାନସିଂହ ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ଏକ ସାରସ୍ଵତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ଵତ ସଭାରେ ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ, ଶ୍ରୀ ନାରାୟଣ ପଣ୍ଡା ଓ ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ ବରେଣ୍ୟ ବକ୍ତା ଭାବରେ ଯୋଗଦାନ କରି ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ କବି ମାନସିଂହ ଏକ ସ୍ମରଣୀୟ ପ୍ରତିଭା ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ଅତିଥି ପରିଚୟ ଓ ଜୟନ୍ତୀ ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ମାନସିଂହ ପାଠାଗାରର ସଭାପତି ଶ୍ରୀ ବିଷ୍ଣୁପ୍ରସାଦ ଦଳାଇ ଏହି ସଭାରେ ପୌରୋହିତ୍ୟ କରିଥିଲେ ।

 

ଜାତୀୟ କବି ବୀରକିଶୋର ଜୟନ୍ତୀ (ତା ୨୩/ ୧୧/୨୦୦୩)

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜାତୀୟ କବି ବୀରକିଶୋର ସ୍ମୃତି ସମିତିଙ୍କ ମିଳିତ ଆନୁକୂଲ୍ୟରେ ଜାତୀୟ କବି ବୀରକିଶୋର ଜୟନ୍ତୀ ପାଳନ ଅବସରରେ ଗତ ତା୨୩/୧୧/୨୦୦୩ରିଖ ସନ୍ଧ୍ୟା ୫ ଘଣ୍ଟା ସମୟରେ ଜଗତସିଂହପୁର ଜିଲ୍ଲା ପୁନଙ୍ଗସ୍ଥ ଜାତୀୟ କବି ବୀରକିଶୋର ସ୍ମୃତି ଉଦ୍ୟାନଠାରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ସ୍ଥାନୀୟ ବିଧାୟକ ଶ୍ରୀ ବିଷ୍ଣୁଚରଣ ଦାସ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ବୀରକିଶୋରଙ୍କ ସୃଷ୍ଟି ଓ କୀର୍ତ୍ତି ପାଇଁ ଆମ୍ଭେମାନେ ଗର୍ବିତ ବୋଲି କହିଥିଲେ । ଏହି ସଭାର ସମ୍ମାନନୀୟ ଅତିଥି ଡକ୍ଟର ଭୋଳାନାଥ ରାଉତ ଜାତୀୟ କବି ବୀରକିଶୋରଙ୍କ ଶିଶୁ ସାହିତ୍ୟ ରଚନା ଅତ୍ୟନ୍ତ ହୃଦୟସ୍ପର୍ଶୀ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷାବିତ୍ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ମୁଖ୍ୟବକ୍ତାଭାବେ ଯୋଗଦାନ କରି କବିତା ମାଧ୍ୟମରେ ବୀରକିଶୋର ଜାତୀୟତା ବୋଧରେ ଦେଶବାସୀଙ୍କୁ ଉଦ୍‌ବୁଦ୍ଧ କରିପାରୁଥିଲେ ବୋଲି କହିଥିଲେ । ସ୍ଵାଧୀନତା ସଂଗ୍ରାମୀ ଶ୍ରୀ ପ୍ରିୟନାଥ ଦେ, ସ୍ଵାଧୀନତା ସଂଗ୍ରାମରେ ବୀରକିଶୋରଙ୍କର ବିପ୍ଳବୀ ଭୂମିକାର ସ୍ମୃତି ଚାରଣ କରିଥିଲେ । ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଡକ୍ଟର ଅଜୟ କୁମାର ମିଶ୍ର ଏହି ସଭାରେ ପୌରୋହିତ୍ୟ କରି ବୀରକିଶୋରଙ୍କ ସାହିତ୍ୟ ଏକ ଅଲିଭା ସ୍ଵାକ୍ଷର ବୋଲି ମତ ଦେଇଥିଲେ । ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭରେ ସ୍ଵାଗତ ଭାଷଣରେ ବୀରକିଶୋରଙ୍କ ଦେଶପ୍ରେମ ଓ ସାରସ୍ୱତ ସୃଷ୍ଟିସମ୍ଭାର ଉପରେ ସମ୍ୟକ୍ ସୂଚନା ଦେଇଥିଲେ । ଶେଷରେ ବୀରକିଶୋର ସ୍ମୃତି ସମିତିର ସଦସ୍ୟ ଶ୍ରୀ ଶରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

ସିଦ୍ଧସାଧକ ଯଶୋବନ୍ତ ଦାସଙ୍କ ଶ୍ରାଦ୍ଧୋତ୍ସବ (ତା୨୯/୧୧/୨୦୦୩)

ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଯଶୋବନ୍ତ ସାହିତ୍ୟ ଓ ସଂସ୍କୃତି ସଂସଦଙ୍କ ମିଳିତ ଆନୁକୂଲ୍ୟରେ ସିଦ୍ଧସାଧକ ଯଶୋବନ୍ତ ଦାସଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ଏକ ସାରସ୍ଵତ ସଭା ତା୨୯/୧୧/୨୦୦୩ରିଖ ଓଢ଼ଣ ଷଷ୍ଠୀ ଦିନ ସନ୍ଧ୍ୟା ୬ ଘଣ୍ଟା ସମୟରେ ମହାପୁରୁଷଙ୍କ ଜନ୍ମପୀଠ ନାଇଲୋ, ଅଢ଼ଙ୍ଗଗାଦୀଠାରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ଶ୍ରାଦ୍ଧୋତ୍ସବରେ ଜଗତ୍‌ସିଂହପୁର ବିଧାୟକ ଶ୍ରୀ ବିଷ୍ଣୁଚରଣ ଦାସ ଯଶୋବନ୍ତ ସାହିତ୍ୟ ଓ ସଂସ୍କୃତି ସଂସଦର ସଭାପତି ଶ୍ରୀ ନେତ୍ରାନନ୍ଦ ରାୟ ଏବଂ ପଞ୍ଚସଖା ସାହିତ୍ୟର ପ୍ରମୁଖ ତଥା ବରେଣ୍ୟ ପ୍ରବକ୍ତାଗଣ ଡକ୍ଟର ରତ୍ନାକର ଚଇନି, ଡକ୍ଟର ଗୌରାଙ୍ଗ ଚରଣ ଦାଶ ମହାପୁରୁଷଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରି ଯଶୋବନ୍ତଙ୍କ ଆଧ୍ୟାତ୍ମିକ ଚେତନା ଓ ବଳିଷ୍ଠ ସାରସ୍ୱତ ପ୍ରତିଭା ସମ୍ବନ୍ଧରେ ଆଲୋଚନା କରିଥିଲେ ।

 

ଏହି ସଭାରେ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଡକ୍ଟର ଅଜୟ କୁମାର ମିଶ୍ର ପୌରୋହିତ୍ୟ କରିଥିଲେ । ଏକାଡେମୀର ସଂପାଦକ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

 

ସିଦ୍ଧସାଧକ ଶିଶୁ ଅନନ୍ତ ଜୟନ୍ତୀ (ତା୭/୧୨/୨୦୦୩)

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶିଶୁ ଅନନ୍ତ ସ୍ମୃତି ସଂସଦଙ୍କ ମିଳିତ ଆନୁକୂଲ୍ୟରେ ମଧ୍ୟଯୁଗୀୟ ଓଡ଼ିଆ ସନ୍ଥ ସାହିତ୍ୟର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସଖା ସିଦ୍ଧସାଧକ ଶିଶୁ ଅନନ୍ତ ଦାସଙ୍କ ଜୟନ୍ତୀ ପାଳନ ଅବସରରେ କବିଙ୍କୁ ଜନ୍ମପୀଠ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାସ୍ଥ ଶିଶୁ ମଠ ଠାରେ ଗତ ତା୭/୧୨/୨୦୦୩ରିଖ ମାର୍ଗଶୀର ଶୁକ୍ଳ ଚତୁର୍ଦ୍ଦଶୀ ସନ୍ଧ୍ୟା ୫.୩୦ ଘଣ୍ଟା ସମୟରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ଵତ ସଭାରେ ଓଡ଼ିଶାର ମାନ୍ୟବର ସଂସଦୀୟ ବ୍ୟାପାର ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନ୍‌ଗୋ, ମୁଖ୍ୟଅତିଥି ଭାବରେ ଯୋଗଦାନ କରି ମହାପୁରୁଷ ଶିଶୁ ଅନନ୍ତଙ୍କ ଆଧ୍ୟାତ୍ମିକ ତଥା ଦାର୍ଶନିକ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ ସାରସ୍ୱତ ପ୍ରତିଭା ବିଷୟରେ ଆଲୋଚନା କରିଥିଲେ । ବାଲିପାଟଣାର ବିଧାୟକ ଶ୍ରୀଯୁକ୍ତ ରାଘବ ସେଠୀ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ଓ ଶ୍ରୀମତୀ ତନୟା ଗୋସ୍ଵାମୀ ଶିଶୁ ଅନନ୍ତଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି ଶିଶୁଅନନ୍ତ ସୃଷ୍ଟି ପ୍ରତିଭା ବିଷୟରେ ଆଲୋଚନା କରିଥିଲେ । ଏହି ଉତ୍ସବରେ ସ୍ମୃତି ସଂସଦ ପକ୍ଷରୁ ଅରିଲୋ ଅନନ୍ତ ଆଶ୍ରମର ଶ୍ରୀମଦ୍ ବାବା ବଳିଆଙ୍କୁ ଶିଶୁ ଅନନ୍ତ ସମ୍ମାନ ପ୍ରଦାନ କରାଯାଇଥାଏ । ସଭାଟିକୁ ପରିଚାଳନା କରିଥିଲେ ଶିଶୁ ଅନନ୍ତ ସ୍ମୃତି ସଂସଦର ସଭାପତି ଶ୍ରୀ କ୍ଷୀରୋଦ କୁମାର ରାୟ ମହାପାତ୍ର । ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ଏହି ସଭାରେ ଅତିଥି ପରିଚୟ ଦେବା ସହିତ ଜୟନ୍ତୀ ସଭାର ଆଭିମୁଖ୍ୟ ଓ ଶିଶୁଅନନ୍ତଙ୍କ ସୃଷ୍ଟି ପ୍ରତିଭା ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

 

କାନ୍ତକବି ଲକ୍ଷ୍ମୀକାନ୍ତ ଜୟନ୍ତୀ ତା୯/୧୨/୨୦୦୩

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାହିତ୍ୟ ସଂସ୍କୃତି ପରିଷଦ ଭଦ୍ରକଙ୍କ ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳନ ଅବସରରେ ତା୯/୧୨/୨୦୦୩ରିଖ ଅପରାହ୍ନ ୫ ଘଣ୍ଟା ସମୟରେ ଭଦ୍ରକସ୍ଥିତ ଟାଉନହଲଠାରେ ଏକ ସାରସ୍ଵତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ଵତ ସଭାରେ ପ୍ରଫେସର ଡକ୍ଟର ବୈରାଗୀ ଚରଣ ଜେନା, ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ଓ ଉତ୍କଳ ପ୍ରସଙ୍ଗର ମୁଖ୍ୟ ସଂପାଦକ ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପ୍ରତି ଶ୍ରଦ୍ଧାର୍ଘ୍ୟ ଅର୍ପଣ କରି କାନ୍ତକବିଙ୍କ ସୃଷ୍ଟି ସମ୍ଭାର ବିଷୟରେ ଆଲୋଚନା କରିଥିଲେ । ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ଶ୍ରୀ ସନାତନ ମହାନ୍ତି ଏହି ସଭା ପରିଚାଳନା କରିଥିଲେ । ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭରେ ଅତିଥି ପରିଚୟ ଓ ଜୟନ୍ତୀ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ ।

 

ସାମନ୍ତ ଚନ୍ଦ୍ରଶେଖର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପଠାଣି ସାମନ୍ତ ମେମୋରିଆଲ ପରିଷଦଙ୍କ ମିଳିତ ସହଯୋଗରେ ଗତ ତା ୧୭/୧୨/୨୦୦୩ରିଖ ଅପରାହ୍ନ ୪ ଘଣ୍ଟା ସମୟରେ ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ବିଶିଷ୍ଟ ଜ୍ୟୋର୍ତିବିକ୍ ସାମନ୍ତ ଚନ୍ଦ୍ରଶେଖରଙ୍କ ଜୟନ୍ତୀ ଅବସରରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ଵତ ସଭାରେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଇଞ୍ଜିନିୟର ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ ସମ୍ମାନନୀୟ ଅତିଥି ଓ ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ର, ସହସମ୍ପାଦକ, ‘ସମାଜ’ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ପଠାଣି ସାମନ୍ତଙ୍କ ଜ୍ୟୋତିର୍ବିଜ୍ଞାନ ଓ ତାହାର ପ୍ରୟୋଗାତ୍ମକ ବୈଶିଷ୍ଟ୍ୟ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ପଠାଣି ସାମନ୍ତ ମେମୋରିଆଲି ପରିଷଦର ସମ୍ପାଦକ ଶ୍ରୀ ଗିରିଜା ଶଙ୍କର ତରାସିଆ ପୌରୋହିତ୍ୟ କରିଥିଲେ । ଏକାଡେମୀର ସମ୍ପାଦକ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଜୟନ୍ତୀ ସଭାର ଆଭିମୁଖ୍ୟ ଓ ପଠାଣି ସାମନ୍ତଙ୍କ ସୃଷ୍ଟ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଓଡ଼ିଶା ବିଜ୍ଞାନ ଏକାଡେମୀଦ୍ୱାରା ପ୍ରସ୍ତୁତ ହୋଇଥିବା ପଠାଣି ସାମନ୍ତଙ୍କର ବିଭିନ୍ନ ଯନ୍ତ୍ରର କେତେକ ପ୍ରତିରୂପ ଓ ତାଙ୍କ ଜୀବନକୁ ଆଧାର କରି ପ୍ରସ୍ତୁତ ହୋଇଥିବା ପୋଷ୍ଟରଗୁଡ଼ିକ ପ୍ରଦର୍ଶିତ ହୋଇଥିଲା ।

 

ପଲ୍ଲୀକବି ନନ୍ଦକିଶୋର ଜୟନ୍ତୀ (ତା୨୨/୧୨/୨୦୦୩)

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପଲ୍ଲୀକବି ନନ୍ଦକିଶୋର ଜୟନ୍ତୀ କମିଟିଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ତା୨୨/୧୨/୨୦୦୩ରିଖ ଅପରାହ୍ନ ଘ୪.୩୦ ମି. ସମୟରେ କୁସୁପୁରସ୍ଥିତ ନନ୍ଦକିଶୋର ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ପଲ୍ଲୀକବି ନନ୍ଦକିଶୋରଙ୍କ ଜୟନ୍ତୀ ପାଳନ ଅବସରରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ଵତ ସଭାରେ ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀ ଶରତ କୁମାର କର ମୁଖ୍ୟ ଅତିଥିଭାବେ ଯୋଗଦାନ କରି ନନ୍ଦକିଶୋରଙ୍କ ପଲ୍ଲୀ ପ୍ରକୃତିର କାବ୍ୟ ବିଭବ ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ସମ୍ପଦ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବରେ ସାଲେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅବନୀ ଭୂଷଣ କାନୁନ୍‌ଗୋ ଏହି ସଭାରେ ଯୋଗଦାନ କରି ନନ୍ଦକିଶୋରଙ୍କ ପଲ୍ଲୀପ୍ରାଣ ସାରସ୍ୱତ ପ୍ରତିଭା ଉପରେ ଆଲୋଚନା କରିଥିଲେ । ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଶ୍ରୀ ବିଶେଶ୍ଵର ମହାନ୍ତି ଏହି ସଭାରେ ପୌରୋହିତ୍ୟ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ଅତିଥି ପରିଚୟ ସହିତ ନନ୍ଦକିଶୋରଙ୍କ ସାହିତ୍ୟ ଉପରେ ସମ୍ୟକ ଆଲୋଚନା କରିଥିଲେ ।

 

ଶିଶୁ ସାହିତ୍ୟ ସଂପାନ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମହାନଦୀ ସାହିତ୍ୟ ସଂସଦ ସୋନପୁରଙ୍କ ସହଯୋଗରେ ତା ୨୫/୧୨/୨୦୦୩ରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସୋନପୁରସ୍ଥିତ ଟାଉନ୍‌ହଲଠାରେ ଓ ଚନ୍ଦ୍ରଭାଗା ବାଲେଶ୍ଵରଙ୍କ ସହଯୋଗରେ ତା୩୦/୧୨/୨୦୦୩ରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଗାନ୍ଧୀ ସ୍ମୃତି ଭବନ, ବାଲେଶ୍ଵର ଠାରେ ପୃଥକ ଭାବେ ଦୁଇଟି ଶିଶୁ ସାହିତ୍ୟ ସମ୍ମାନ ଅନୁଷ୍ଠିତ ହୋଇଯାଇଛି ।

 

ଶଶିଭୂଷଣ ରଥ ଜୟନ୍ତୀ (ତା ୧/୧/୨୦୦୪)

ବରେଣ୍ୟ ସାରସ୍ୱତ ସାଧକ, ପ୍ରବୀଣ ସାମ୍ବାଦିକ ତଥା ନିଷ୍ଠାପର ସମାଜସେବୀ ଶଶିଭୂଷଣ ରଥଙ୍କ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶଶିଭୂଷଣ ସାହିତ୍ୟ ସଂସଦ ସୋରଡାଙ୍କ ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାସ୍ଥ ସୋରଡ଼ାଠାରେ ଗତ ତା୧/୧/୨୦୦୪ରିଖ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଡକ୍ଟର ବିବେକାନନ୍ଦ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ଜୟନ୍ତୀ ସଭାରେ ଡକ୍ଟର ବାଉରୀବନ୍ଧୁ କର ସମ୍ମାନନୀୟ ଅତିଥି, ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଓ ଶ୍ରୀଯୁକ୍ତ ରାଧାକୃଷ୍ଣ ପାଣିଗ୍ରାହୀ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଓଡ଼ିଆ ଭାଷାର ସୁରକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ଶଶୀଭୂଷଣଙ୍କ ଉଲ୍ଲେଖନୀୟ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ଅତିଥି ପରିଚୟ ସହିତ ଶଶିଭୂଷଣଙ୍କ ସାମ୍ବାଦିକ ଜୀବନ ଉପରେ ଆଲୋଚନା କରିଥିଲେ ।

 

କବି ଯଦୁମଣି ଜୟନ୍ତୀ (ତା୫/୧/୨୦୦୪)

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଦୁମଣି କ୍ଲବଙ୍କ ମିଳିତ ଆନୁକୂଲ୍ୟରେ କବି ଯଦୁମଣିଙ୍କ ଜୟନ୍ତୀ ଉପଲକ୍ଷେ ତା୮/୧/୨୦୦୪ରିଖ ସନ୍ଧ୍ୟା ଘ୫.୩୦ମି. ସମୟରେ ନୟାଗଡ଼ସ୍ଥ ଇଟାମାଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସାରସ୍ଵତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ଵତ ସଭାରେ ଓଡ଼ିଶାର ପୂର୍ବତନ ସଂସ୍କୃତି ମନ୍ତ୍ରୀ ସେକ୍ ମତଲୁବ ଅଲି, ଶ୍ରୀ ପ୍ରସାଦ ହରିଚନ୍ଦନ ସମ୍ମାନନୀୟ ଅତିଥି, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅରବିନ୍ଦ ପଟ୍ଟନାୟକ ମୁଖ୍ୟବକ୍ତାଭାବେ ଯୋଗଦାନ କରି ଯଦୁମଣିଙ୍କ ହାସ୍ୟରସାତ୍ମକ କବିତା ସମ୍ଭାର ଉପରେ ଆଲୋଚନା କରିଥିଲେ ।

 

ଯଦୁମଣି କ୍ଲବର ସଭାପତି ତଥା ଇଟାମାଟି କଲେଜର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ନାୟକ ଏହି ସଭା ପରିଚାଳନା କରିଥିଲେ । ଓଡ଼ିଶାର ବିଶିଷ୍ଟ ଗାଳ୍ପିକ, ପ୍ରାଧ୍ୟାପକ ନିମାଇଁ ଚରଣ ପଟ୍ଟନାୟକଙ୍କୁ ଏହି ଉତ୍ସବରେ ଯଦୁମଣି କ୍ଲବ ପକ୍ଷରୁ ଯଦୁମଣି ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ଅତିଥି ପରିଚୟ ସହିତ ଯଦୁମଣିଙ୍କ ସାରସ୍ୱତ ସୃଷ୍ଟି ଉପରେ ଆଲୋଚନା କରିଥିଲେ ।

 

ଆଲୋଚନା ଚକ୍ର (ତା ୧୨/୧/୨୦୦୪)

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସାକ୍ଷରତା ଅଭିଯାନ ସମିତିର ମିଳିତ ଆନୁକୂଲ୍ୟରେ ତା ୧୨/୧/୦୪ରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଲିଟେରାରୀ ଓ ସୋସିଏଲ କ୍ଲବ, ବଲାଙ୍ଗୀର ଠାରେ “ବ୍ୟଙ୍ଗ ସାହିତ୍ୟ କାହିଁକି” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ସୁଶୀଲ କୁମାର ଲୋହାନୀ ଉଦ୍‌ଘାଟନ କରିଥିଲେ । ବର୍ଷିୟାନ ସାହିତ୍ୟିକ ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ମୁଖ୍ୟଅତିଥି ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦେବୀ ପ୍ରସାଦ ମହାନ୍ତି ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ସଦସ୍ୟ ଶ୍ରୀ ହରିଶଙ୍କର ବଡ଼ପଣ୍ଡା ଏହି ଆଲୋଚନା ଚକ୍ରରେ ପୌରୋହିତ୍ୟ କରିଥିଲେ । ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ଓଡ଼ିଶାର ବିଶିଷ୍ଟ ବ୍ୟଙ୍ଗ ଲେଖକମାନେ ଅଂଶ ଗ୍ରହଣ କରିଥିଲେ ।

 

ବ୍ୟାସକବି ଫକୀର ମୋହନ ଜୟନ୍ତୀ (ତା ୧୫/୧/୨୦୦୪)

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଫକୀର ମୋହନ ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଗଦ୍ୟ ସାହିତ୍ୟର ଯୁଗସ୍ରଷ୍ଟା ସାଧକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ତା୧୫/୧/୨୦୦୪ରିଖ ସନ୍ଧ୍ୟା ଘ୫.୩୦ ମି. ସମୟରେ ବ୍ୟାସକବିଙ୍କ ସ୍ମୃତି ପୀଠ ଶାନ୍ତିକାନନଠାରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ଡକ୍ଟର ମନୋରମା ମହାପାତ୍ର ବିଶ୍ୱାଳ ସମ୍ମାନନୀୟ ଅତିଥି, ଶ୍ରୀ ଅପୂର୍ବ ରଞ୍ଜନ ରାୟ ମୁଖ୍ୟବକ୍ତା ଓ ଶ୍ରୀ ଦିଲ୍ଲୀପ ସ୍ୱାଇଁ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଫକୀମୋହନଙ୍କ ଗଦ୍ୟ ସାହିତ୍ୟ ବିଷୟରେ ବିଶେଷ ଆଲୋଚନା କରିଥିଲେ ।

 

ଏକାଡେମୀ ସାଧାରଣ ପରିଷଦ ସଦସ୍ୟ ତଥା ବିଶିଷ୍ଟ କବି ଶ୍ରୀ ବ୍ରଜନାଥ ରଥ ଏହି ସଭାଙ୍କୁ ପରିଚାଳନା କରିଥିଲେ ।

 

ଭକ୍ତକବି ବଳରାମ ଦାସ ଶ୍ରାଦ୍ଧୋତ୍ସବ (ତା୨୧/୧/୨୦୦୪)

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପଞ୍ଚସଖା ବଳରାମ ଦାସ ସ୍ମୃତି ସଂସଦ, ଏରବଙ୍ଗଙ୍କ ମିଳିତ ଆନୁକୂଲ୍ୟରେ ସନ୍ଥକବି ବଳରାମ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ଏକ ସାରସ୍ୱତ ସ୍ମୃତି ସଭା ତା୨୧/୧/୨୦୦୪ରିଖ ଅପରାହ୍ନ ୫ ଘଣ୍ଟା ସମୟରେ ପୁରୀ ଜିଲ୍ଲା ଅନ୍ତର୍ଗତ ଏରବଙ୍ଗ ବଳରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ଵତ ସ୍ମୃତି ସଭାରେ ଓଡ଼ିଶାର ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ନାୟକ ମୁଖ୍ୟଅତିଥି, ଶ୍ରୀଯୁକ୍ତ ବାଇଧର ମଲ୍ଲିକ ମାନ୍ୟବର ବିଧାୟକ ନିମାପଡ଼ା ସମ୍ମାନନୀୟ ଅତିଥି ଓ ପାର୍ଥସାରଥି ଅଜୟ ବାରିକ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଭକ୍ତକବି ବଳରାମ ଦାସଙ୍କ କାବ୍ୟିକ ଓ ଦାର୍ଶନିକ ଚିନ୍ତାଧାରା ବିଷୟରେ ଆଲୋଚନା କରିଥିଲେ ।

 

ଭକ୍ତ ବଳରାମ ସ୍ମୃତି ସଂସଦର ସଭାପତି ଶ୍ରୀ ହଟକିଶୋର ସ୍ୱାଇଁ ଏହି ଉତ୍ସବରେ ପୌରୋହିତ୍ୟ କରିଥିଲେ । ଏକାଡେମୀର ସମ୍ପାଦକ ପ୍ରାରମ୍ଭରେ ଅତିଥି ପରିଚୟ, ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବର ଆଭିମୁଖ୍ୟ ଓ ଭକ୍ତ ବଳରାମ ଦାସଙ୍କ ସାରସ୍ଵତ ପ୍ରତିଭା ବିଷୟରେ ସମ୍ୟକ ଆଲୋଚନା କରିଥିଲେ ।

 

ବ୍ରଜରାଜ ସିଂହଦେଓ ଜୟନ୍ତୀ (ତା ୨୬/୧/୨୦୦୪)

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖଡିଆଳ ସାହିତ୍ୟ ସମିତିଙ୍କ ମିଳିତ ଆନୁକୂଲ୍ୟରେ କବି ବ୍ରଜରାଜ ସିଂହଦେଓଙ୍କ ଜୟନ୍ତୀ ପାଳନ ଅବସରରେ ତା୨୬/୧/୨୦୦୪ରିଖ ଅପରାହ୍ନ ୩ଘଣ୍ଟା ସମୟରେ ଖଡିଆଳସ୍ଥ ବୀରବିକ୍ରମ ମଣ୍ଡପଠାରେ ଏକ ସାରସ୍ଵତ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ୱତ ଉତ୍ସବରେ ଶ୍ରୀ ଜିତାମିତ୍ର ସିଂହଦେଓ ସମ୍ମାନନୀୟ ଅତିଥି, ଡକ୍ଟର ଆଦିକନ୍ଦ ସାହୁ ମୁଖ୍ୟବକ୍ତା ଓ ଶ୍ରୀ ଶରତ ଚନ୍ଦ୍ର ଚଲାନ୍ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି କବି - ବ୍ରଜରାଜ ସିଂହଦେଓଙ୍କ କାବ୍ୟିକ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ ।

 

ଏହି ସଭାରେ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଶ୍ରୀ ବାସୁଦେବ ସୁନାନୀ ପୌରୋହିତ୍ୟ କରିଥିଲେ ।

 

ଭକ୍ତକବି ମଧୁସୂଦନ ରାଓ ଜୟନ୍ତୀ (ତା ୨୬/୧/୨୦୦୪)

ଓଡ଼ିଶା ସାହିତ୍ୟ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ, ପୁରୀ ଓ ଉଦୟନ କଲଚରାଲ ଏକାଡେମୀ, ପୁରୀଙ୍କ ମିଳିତ ଆନୁକୂଲ୍ୟରେ ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ପାଳନ ଅବସରରେ ତା୨୬/୧/୨୦୦୪ରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ପୁରୀ ବଡ଼ଦାଣ୍ଡସ୍ଥିତ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ପରିସରରେ ଏକ ସାରସ୍ୱତ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ଵତ ସଭାରେ ଭକ୍ତକବି ମଧୁସୂଦନ ରାଓଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରି ପ୍ରାଧ୍ୟାପିକା । ଡକ୍ଟର ଶକୁନ୍ତଳା ବଳିୟାର ସିଂହ, ଅଧ୍ୟାପକ ଡଃ ତାପସ କୁମାର ସାମନ୍ତରାୟ ପ୍ରମୁଖ ଗୀତିକବିତା ମାଧ୍ୟମରେ କବି ମଧୁସୂଦନ ବ୍ରହ୍ମବାଦୀ ଚେତନାର ଦାର୍ଶନିକ ତତ୍ତ୍ୱ ବିଳାସ ମଧ୍ୟରେ ବିନ୍ଦୁ ମଧ୍ୟରେ ସିନ୍ଧୁର ଦର୍ଶନ କଥା କହିଥିବା ଦର୍ଶାଇଥିଲେ । ସଭାରେ ଅଧ୍ୟକ୍ଷତା କରିଥିଲେ ଏକାଡେମୀର ସଦସ୍ୟ କବି ହରିହର ମିଶ୍ର । ଏକାଡେମୀର ସମ୍ପାଦକ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭରେ ସୁଧୀମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ । ଶେଷରେ ଉଦୟନ କଲଚରାଲ ଏକାଡେମୀ ପକ୍ଷରୁ ମଧୁସୂଦନଙ୍କ ସାରସ୍ୱତ । ସୃଷ୍ଟି ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

ଅଭିମନ୍ୟୁ ସାମନ୍ତସିଂହାର ଜୟନ୍ତୀ (ତା୨୮/୧/୨୦୦୪)

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅଭିମନ୍ୟୁ ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତୀ ପାଳନ ଅବସରରେ ଅଭିମନ୍ୟୁ ବାଲିଆଠାରେ ତା ୨୮/୧/୨୦୦୪ରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ଏକ ସାରସ୍ଵତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ୱତ ସଭାରେ ଡକ୍ଟର ବିଜୟ କୁମାର ଶତପଥୀ ଓ ଡକ୍ଟର ତୀର୍ଥାନନ୍ଦ ମିଶ୍ର ସମ୍ମାନନୀୟ ଅତିଥି ଏବଂ ଡକ୍ଟର ରବୀନ୍ଦ୍ର ବିହାରୀ ସମ୍ମାନନୀୟ ବକ୍ତାଭାବରେ ଯୋଗଦାନ କରି ଅଭିମନ୍ୟୁଙ୍କ ଅନବଦ୍ୟ କାବ୍ୟ ସୃଷ୍ଟିରେ ଓଡ଼ିଆ ସାହିତ୍ୟ ଋଦ୍ଧିମନ୍ତ ଓ ପୁଷ୍କଳ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ ।

 

ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦେବ ପ୍ରସାଦ ସାମଲ ଏହି ସଭାରେ ପୌରୋହିତ୍ୟ କରିଥିଲେ ।

 

ଆଦିକବି ସାରଳା ଦାସ ଶ୍ରାଦ୍ଧୋତ୍ସବ (ତା୨୮/୧/୨୦୦୪)

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ତା୨୮/୧/୨୦୦୪ରିଖ ସନ୍ଧ୍ୟା ଘ୫.୩୦ମି. ସମୟରେ ତିର୍ତ୍ତୋଲ ଅନ୍ତର୍ଗତ ତେନ୍ତୁଳିପଦାସ୍ଥ ସାରଳା ଦାସଙ୍କ ସମାଧିପୀଠ ମୁନି ଗୋସାଇଁ ମଠ ପରିସରରେ ଏକ ସାରସ୍ଵତ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ପ୍ରଫେସର ହୃଦାନନ୍ଦ ରାୟ ସମ୍ମାନନୀୟ ଅତିଥି ଏବଂ ଇଞ୍ଜିନିୟର ପ୍ରଭାକର ସ୍ୱାଇଁ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ସାରଳା ଦାସଙ୍କ ସାରସ୍ୱତ ସୃଷ୍ଟି ତାଙ୍କର ଅସାଧାରଣ । ପାଣ୍ଡିତ୍ୟ, ନିଷ୍ଠାପର ସାଧନା ଓ ଗଭୀର କର୍ତ୍ତବ୍ୟ ନିଷ୍ଠାର ଜ୍ଵଳନ୍ତ ନିଦର୍ଶନ ବୋଲି ମତବ୍ୟକ୍ତ । କରିଥିଲେ । ଏହି ସାରସ୍ୱତ ଉତ୍ସବରେ ଶ୍ରୀଯୁକ୍ତ କାଳୀପ୍ରସନ୍ନ ପରିଜା ପୌରୋହିତ୍ୟ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ଅତିଥି ପରିଚୟ ସହିତ ଆଦିକବି ସାରଳାଦାସଙ୍କ ସାରସ୍ୱତ ସୃଷ୍ଟି ଉପରେ ଆଲୋକପାତ କରିଥିଲେ ।

 

***